Unknown

 

 

 

 

 

 

 

 

 

 

 

ସେମାନଙ୍କର ଚିଠି

ଚିତ୍ତରଞ୍ଜନ ଦାସ

 

ପ୍ରକାଶକୀୟ

 

ସାଧାରଣତଃ ଦେଖାଯାଏ ଯେ ଆମ ଦେଶରେ ଯେଉଁମାନେ ଉଚ୍ଚଶିକ୍ଷା ଲାଭ କରନ୍ତି, ଦେଶବିଦେଶ ଯାଆନ୍ତି, ଗବେଷଣା କରି ବହି ଲେଖନ୍ତି, ସେମାନେ ତାଙ୍କ ପରିଚିତ ପୃଥିବୀଠାରୁ ଧୀରେ ଧୀରେ ଦୂରେଇଯାଆନ୍ତି । ସାଧାରଣ ଲୋକଙ୍କ ଭାଷାରେ ସେମାନେ ବୁଝିବା ଭଳି କଥା ଆଉ ଲେଖିପାରନ୍ତି ନାହିଁ । କିଛି ବିଦ୍ୱାନ୍‌ଙ୍କ ଘେର ଭିତରେ ଗମ୍ଭୀର ଭାବରେ ଜୀବନ ବିତାଇ ଦିଅନ୍ତି । ଦେହ ଥାଏ ଏଠି କିନ୍ତୁ ଆତ୍ମା ଥାଏ କେଉଁ ପାଶ୍ଚାତ୍ୟ ବିଶ୍ୱବିଦ୍ୟାଳୟରେ ବା ଅନୁଷ୍ଠାନରେ-। ବେଳେବେଳେ ପୂରା ଦେଶଛାଡ଼ି ବିଦେଶକୁ ଚାଲିଯାଆନ୍ତି ବା ଏଇଠି କିଛି ହୋଇପାରିବ ନାହିଁ ବୋଲି କହି କହି ଜୀବନ ବିତାଇ ଦିଅନ୍ତି । ଏଇଠି ଏଇ ସବୁ ଅସୁବିଧା ଭିତରେ କିଛି ହୋଇପାରିବ ଶୁଣିଲେ ବିରକ୍ତ ହୋଇଉଠନ୍ତି । ଏଇ ଦୃଷ୍ଟିରୁ ଚିତ୍ତରଞ୍ଜନ ଦାସ ଜଣେ ବିସ୍ମୟକର ବ୍ୟତିକ୍ରମ-। ବିଦେଶରେ ପାଠପଢ଼ା, ବହୁ ପାଶ୍ଚାତ୍ୟ ଭାଷା ଉପରେ ଦଖଲ ସତ୍ତ୍ୱେ ସେ ଧୂଳିମାଟିର ଦୁନିଆଁରୁ ଆଡ଼େଇହୋଇ ଯାଇନାହାନ୍ତି । ଜ୍ଞାନପିପାସା ତାଙ୍କୁ ପରିଚିତ ପୃଥିବୀର ଆହୁରି ନିକଟକୁ ଟାଣିଆଣିଛି । ସେଇଠି ଜୀବନ ସଂଗ୍ରାମରତ ଅସଂଖ୍ୟ ସାଧାରଣ ଲୋକଙ୍କ ସମସ୍ୟା ଓ ଆକାଂକ୍ଷା ସବୁ ବୁଝିବା ପାଇଁ ତାଙ୍କୁ ପ୍ରେରଣା ଦେଇଛି । ଯାହା ସେ ପଢ଼ିଛନ୍ତି, ଜାଣିଛନ୍ତି, ଦେଖିଛନ୍ତି, ଅଙ୍ଗେ ନିଭାଇଛନ୍ତି ସେସବୁକୁ ଏଇ ଲୋକଙ୍କ ଭାଷାରେ ପ୍ରକାଶ କରିବାକୁ ଚେଷ୍ଟା ସେ ଜୀବନସାରା ଚଳାଇ ଆସିଛନ୍ତି । ତାଙ୍କ ଲେଖାରେ କ୍ଷୋଭ ଅଛି, ବିରକ୍ତ ଅଛି, ଅସନ୍ତୋଷ ଅଛି, ନାହିଁ କିନ୍ତୁ ଲେଶମାତ୍ର ହତାଶାବୋଧ ।

 

ଏ ବହିରେ ସନ୍ନିବିଷ୍ଟ ଚିଠିଗୁଡ଼ିକ ଶ୍ରୀ ଦାସଙ୍କ ବ୍ୟକ୍ତିତ୍ୱର ଏହି ଆକର୍ଷଣୀୟ ଦିଗ ଉନ୍ମୋଚିତ କରନ୍ତି । ତାଙ୍କ ଜୀବନ ଆଉ କେତେକେତେ ଜୀବନ ସହ ସଂଶ୍ଳିଷ୍ଟ ତାହା ଜଣାଇ ଦିଅନ୍ତି । ବହିରୁ ଯେତିକି ଶିଖିଥାନ୍ତି ତା’ଠାରୁ ଅଧିକ ଶିଖିଛନ୍ତି ମଣିଷ ସହ ଅନ୍ତରଙ୍ଗ ସମ୍ପର୍କରୁ । ଏହି ସମ୍ପର୍କର ଖିଅ ଲମ୍ବିଯାଇଛି ବାଗଲ୍‌ପୁରରୁ ଡେନମାର୍କ, ସେଠୁ ଚମ୍ପତ୍ତିମୁଣ୍ଡା, ସେଠୁ ଆଉ କେତେ କୁଆଡ଼େ । ଯେଉଁମାନେ ତାଙ୍କୁ ଚିଠି ଲେଖିଛନ୍ତି, ସେମାନେ ଶ୍ରୀ ଦାସଙ୍କ ବ୍ୟକ୍ତିତ୍ୱର ଗୋଟିଏ ଦିଗ ଆଲୋକିତ କରିବା ସଙ୍ଗେ ସଙ୍ଗେ ଅଜାଣତରେ ନିଜ ବ୍ୟକ୍ତିତ୍ୱର ଗୋଟିଏ ଗୋଟିଏ ଦିଗ ପାଠକକୁ ଦେଖାଇ ଦେଇଛନ୍ତି । ପାଠକକୁ ନିଜ ମନର ଗଳି ଉପଗଳି ଭିତରକୁ ବାଟ କଢ଼ାଇ ନେଇ ଯାଇଛନ୍ତି । ଅନ୍ୟ ବିଷୟରେ କହୁ କହୁ ନିଜ ବିଷୟରେ କେତେ କଥା କହି ପକାଇଛନ୍ତି ଯାହା ସେମାନେ ଜାଣତରେ କରିନଥାନ୍ତେ ।

 

ଚିଠିଗୁଡ଼ିକ ପଢ଼ିଲାବେଳେ ଆଉ ଗୋଟିଏ କଥା ମନକୁ ଆସେ । ସ୍ୱାଧୀନତା ପ୍ରାପ୍ତି ପରେ ପରେ ଶ୍ରୀ ଦାସ ଏକ ନୂଆ ସମାଜ ପାଇଁ ନୂଆ ପ୍ରକାର ମଣିଷ ଗଢ଼ିବାର ସ୍ୱପ୍ନ ନେଇ ଶିକ୍ଷକ ହେବାକୁ ଚାହିଁଥିଲେ । ଜୀବନକୁ ଆଉ ଦଶଜଣଙ୍କ ଭଳି ଗୁଳାରେ ପକାଇ ଦେଇନଥିଲେ । ଅଲଗା ବାଟରେ ଆଗକୁ ମାଡ଼ି ଚାଲିଥିଲେ । ତାଙ୍କ ଚାରିପଟେ ଥିବା ବିଭିନ୍ନ ଲୋକ ଏଇ ଆଦର୍ଶବାଦ ଦୃଷ୍ଟିକୋଣକୁ କିଭଳି ଗ୍ରହଣ କରିଥିଲେ, ନିଜର ଜୀବନଦର୍ଶନକୁ ଏଇ ଆଦର୍ଶବାଦର କଷଟିପଥରରେ କିଭଳି ପରଖୁଥିଲେ ସେ ବିଷୟରେ ଏ ଚିଠିଗୁଡ଼ିକ ଆମକୁ ଏକ ଧାରଣା ଦିଏ । ସମାଜରେ ଗୁଳା ଛାଡ଼ି ଅଲଗା ରାସ୍ତାରେ ଆଗକୁ ମାଡ଼ିଯିବାର ଇଚ୍ଛା ଲୋକଙ୍କ ଭିତରେ ଯେତେଦିନ ଥିବ ଏ ଚିଠିଗୁଡ଼ିକ ପ୍ରାସଙ୍ଗିକତା ହରାଇବେ ନାହିଁ ।

 

ଯତୀନ୍ଦ୍ର କୁମାର ନାୟକ

ସଭାପତି, ଶିକ୍ଷାସନ୍ଧାନ

 

ସଙ୍କଳନଟି ବିଷୟରେ

 

ବିଗତ ପ୍ରାୟ ତିରିଶି ବର୍ଷରୁ ଉର୍ଦ୍ଧ୍ୱକାଳ ହେଲା ମୁଁ ମୋ’ ପାଖକୁ ଆସିଥିବା ଚିଠିଗୁଡ଼ିକୁ ସଂଗ୍ରହ କରି ରଖିନାହିଁ । ସମ୍ଭବତଃ ମଣିଷମାନଙ୍କୁ ନିବିଡ଼ତର କରିପାଇଛି ବୋଲି ପତ୍ରଗୁଡ଼ିକର ମାୟା କ୍ରମଶଃ କମିଯାଇଛି । ଏବଂ, ଯଦି ଚିଠିଗୁଡ଼ିକୁ ରଖି ବି ଥାଆନ୍ତି, ତେବେ ସେଗୁଡ଼ିକ ପାଇଁ ଜାଗା ମଧ୍ୟ ଅକୁଳାନ ହୋଇଥାନ୍ତା ।

 

ଏବେ ପୁରୁଣା ବହିମାନଙ୍କୁ ଖେଳାଇ ଦେଖୁ ଦେଖୁ ଏକାଠି ଗୁଡ଼ାଏ ଚିଠି ବନ୍ଧାହୋଇ ରହିଥିବାର ଦେଖିଲି । ପ୍ରାୟ ସବୁଯାକ ୧୯୬୦ ମସିହା ପୂର୍ବର । କେବଳ ବାପା, ବୋଉ ଓ ବଡ଼ଭାଇଙ୍କର ଚିଠି କେତୋଟିକୁ ଛାଡ଼ିଦେଲେ । ହଠାତ୍‌ ଅନୁଭବ କଲି, ପତ୍ରଗୁଡ଼ିକ ଯେଡ଼େ ଅନ୍ତରାଳ ହୋଇ ରହିଯାଇଥିଲେ ମଧ୍ୟ ସୂତାଗୁଡ଼ିକ ତଥାପି ଲାଗିଛି । ଏହି ସୂତାଗୁଡ଼ିକ ଲାଗିଥାଏ ବୋଲି ତ ଜୀବନର ବହୁତକିଛି ଖୁବ୍ ହାଲୁକା ଲାଗେ ! ହାରିଲି କି ଜିତିଲି, ମୋଟେ କୋଉ ଶୁଣ୍ଢିପାଖକୁ ଯାଇ ପ୍ରଶ୍ନ କରିବାକୁ ମନ ହୁଏନାହିଁ ।

 

ଚିଠିଗୁଡ଼ିକ ଆହୁରି ଅନେକଙ୍କୁ ଭଲ ଲାଗିବ । ସବୁ ଚିଠି ସମସ୍ତଙ୍କୁ ନହେଲେ ମଧ୍ୟ କେତେକଙ୍କୁ କେତେ ଚିଠି ନିଶ୍ଚୟ ଭଲ ଲାଗିବ । ଇତି ।

 

ଚିତ୍ତରଞ୍ଜନ ଦାସ

 

ସୂଚୀପତ୍ର

 

(୧)

ପରିବାର

 

ବୋଉ, ବାପା, ବଡ଼ଭାଇ

(୨)

ପ୍ରବାସ

 

ହାଇନ୍‌ତ୍‌ଜ୍‌ ରାମ୍‌ବୋ

 

ଏଲ୍‍ଭି ସା’ରି

 

ମୋଶେ ଖାରିଫ୍

 

ବେଟୀ ଲାଭି

 

ଇନା ହାକ୍‌ସେନ୍‌ ରୋ’ଦ୍‌ ଓ

 

ପିଟର୍‌ ପି.ରୋ’ଦ୍

 

ୟର୍ଗନ୍ ରସନ୍

 

ଜେ’ ଶେଟର୍‌ଲୀ

(୩)

ନିଜ ଦେଶ

 

ଅସିତ୍ କବି

 

କାଳିନ୍ଦୀଚରଣ ପାଣିଗ୍ରାହୀ

 

କୁମାର ମହାନ୍ତି

 

ଜଗଦ୍‌ବନ୍ଧୁ ମହାପାତ୍ର

 

ଦଣ୍ଡୀ ସ୍ୱାମୀ ହଂସାନନ୍ଦ ତୀର୍ଥ ଓ

 

ସ୍ୱାମୀ ସୁନ୍ଦରାନନ୍ଦ

 

ଦିବାକର ମିଶ୍ର

 

ନିରଞ୍ଜନ ମିଶ୍ର

 

ପ୍ରଦୀପ୍ତ କୁମାର ରାୟ

 

ବିଶ୍ୱନାଥ ବାବା, ଅନନ୍ତଚରଣ ବାବା ଓ ମହୀନ୍ଦ୍ର ବାବା

 

ମନୋଜ ଦାସ

 

ମାୟାଧର ମାନସିଂହ

 

ରତନ ଦାସ

 

ଶିବରାମ ପାତ୍ର

 

ସରଳା ଦେବୀ

 

ରାଲ୍‌ଫ୍ ରିର୍ଚାର୍ଡ଼୍‌ କଇଥାନ୍

 

ଚୌଧୁରୀ ହେମକାନ୍ତ ମିଶ୍ର

(୪)

ପରିଶିଷ୍ଟ

 

ସନ୍ଦର୍ଭ : ଜୀବନ ବିଦ୍ୟାଳୟ, ଚମ୍ପତିମୁଣ୍ଡା

 

ଶ୍ରୀମତୀ ମାଳତୀ ଚୌଧୁରୀ

 

ଛାତ୍ରମାନଙ୍କଠାରୁ ପତ୍ର

 

ଶ୍ରୀଯୁକ୍ତ ଜୟନାରାୟଣ ଦାସ

 

ଏବଂ, ସବା ଶେଷରେ

 

ପରିବାର

 

ବୋଉ, ବାପା, ବଡ଼ଭାଇ

 

ମୋ’ ବୋଉ ଚିଠି ଲେଖିବାରେ କେବେହେଲେ ହେଳା କରିନାହିଁ । ବାପାଙ୍କଠାରୁ ବି ବେଳେବେଳେ ଚିଠି ଆସିଛି,–ମାତ୍ର ବୋଉର ଚିଠି ସଂଖ୍ୟାରେ ତାଙ୍କ ଚିଠିଠାରୁ ଅନେକ ଗୁଣ ଅଧିକ । ଏବେ ମଧ୍ୟ ଅଳପ କେତୋଟି ପାଖରେ ଅଛି । ଏଠାରେ ସେଥିରୁ ଦୁଇଖଣ୍ଡ ନମୁନା ସ୍ୱରୂପ ଦେବାପାଇଁ ଖୁବ୍ ଇଚ୍ଛା ହେଲା । ପ୍ରଥମଟି ବୋଉ ଭଦ୍ରକରୁ ଲେଖିଥିଲା ଓ ଦ୍ୱିତୀୟଟି ବାପା ଆମ ଗାଆଁ ବାଗଲପୁରରୁ ଦେଇଥିଲେ ।

 

ଓଁ ଶ୍ରୀ

 

୨୫ । ୦୨ । ୭୦, ଭଦ୍ରଖ

 

ସ୍ନେହର ଚିତ,

 

ମୋର ଆଶୀର୍ବାଦ ନେବୁ । ଉଷାକୁ ମୋର ଆଶୀର୍ବାଦ ଦେବୁ । ମାନୁକୁ ମୋର କଲ୍ୟାଣ ଦେବୁ ।

 

ମାନୁର ଜନ୍ମଦିନ ହେଉଛି ମାର୍ଚ୍ଚ ୨୦ ତାରିଖ ତ୍ରୟୋଦଶୀ ଶୁକ୍ରବାର ମଘା ସିଂହ ପଡ଼ୁଛି-। ତୁ କିପରି ଅଛୁ, ମୁଁ ତୋତେ କେଇଦିନୁ ଦେଖିନାହିଁ-। ତୁ ଗଲାବେଳେ ଏହି ବାଟ ଦେଇ ଯିବୁ । ରାତିରେ ଆସିବୁ, ତହିଁ ଆରଦିନ….ରାତିକି ଚାଲିଯିବୁ । ମୁଁ ଅନାଇଁ ରହିଥିବି ।

 

ତୋ ଚିଠିଖଣ୍ଡିକ ପାଇଲେ ମୋତେ କେଡ଼େ ଖୁସୀ ଲାଗେ । ମାନୁ କିପରି ଅଛି । ବାପା ବୋଉ ଡାକିବଣି । ମୁଁ ତା ଜନ୍ମଦିନରେ କିଛି କରି ପାରିଲିନାହିଁ ନା ଦେଖି ପାରିଲିନାହିଁ । ….ତୁ ଏଥିଭିତରେ କିପରି ଯିବୁ । ମାନୁ ଜନ୍ମଦିନ (ପରେ) ଗଲେ ଭଲ ହୁଅନ୍ତା । ଆଉ କେଇଟା ଦିନ ଯେ ଜନ୍ମଦିନ ଗଲେ ଯିବୁ ।

 

ଏଠି ସମସ୍ତେ ଭଲ ଅଛନ୍ତି । ମୋ ଦେହ ତ ସେହିପରି ଅଛି । ଏବେ କାହିଁକି ବହୁତ ଦୁର୍ବଳ ହୋଇଯାଉଛି । ଚାଲିବାବେଳକୁ ପଡ଼ିଗଲା ପରି ଲାଗୁଛି । ଭାଗବତ ଟିକିଏ ବୋଲୁଥିଲି ଯେ ସେତକ ବି ବୋଲି ହେଉନି । ଏ ନେଇ ଭାରି ଖରାପ ଲାଗୁଛି । ଏତେ ଚୁପ୍‍ ହୋଇ ବସି ବି ବହୁତ କଷ୍ଟ ପାଇଲିଣି । କଣ କରିବି, ରାତିରେ ନିଦ ହେଉନି ।

 

ତୁ ଆସିବୁ–ମୋ ବାବୁ ପରା ମୁଁ ଅନାଇଁ ବସିଚି । ତୋତେ ଦେଖିଲେ ମୋ ଦେହ ଭଲ ଲାଗିବ ।

 

ଯୋଉ ଟୋକାଟି ରୋଷେଇ କରୁଥିଲା ସେ ଅଛି ତ ?

 

ଇତି । ତୋର

ବୋଉ

 

୨୧ । ୮ । ୫୬

ସା. ବାଗଲପୁର

 

ଶ୍ରୀ ହରିଶରଣମ୍

 

କଲ୍ୟାଣୀୟ ଶ୍ରୀ ବାବୁ ଚିତ୍ତରଞ୍ଜନ,

 

ଦୀର୍ଘଜୀବେଷୁ,

 

ବାବୁଜୀଉ, ମୁଁ ହୀରାକୁଦରୁ ଆସିବା ଦିନଠାରୁ ତୋର ହସ୍ତାଙ୍କିତ ପତ୍ର ନପାଇ ଅଶେଷ ଭାବିତ ଅଛି । ଏଥିଭିତରେ–ବାବୁଙ୍କ ଚିଠିରୁ ଶୁଣିଲୁ ତତେ ଏବେ ଜର ହୋଇଥିଲା । ତାର ପର ଚିଠିରୁ ଶୁଣିଲି ଜର କମିଯାଇଅଛି, ମଧ୍ୟ ତୁ ଏହାଭିତରେ ଭୁବନେଶ୍ୱର ଗଲୁ । ଟିକିଏ ଘରକୁ ଆସିଥିଲେ ଆମ୍ଭମାନଙ୍କର ଚକ୍ଷୁ ଟିକିଏ ପ୍ରଚିଷ୍ଟା ହୋଇଥାନ୍ତା । ହଉ ଆମ୍ଭମାନଙ୍କର ଭାଗ୍ୟର ଦୋଷ-। ଆଉ ଅଧିକ କଣ ଲେଖିବି ।

 

ପିରର ଗୋଟିଏ କାଗଜ ତା ୨୭ ରିଖରେ ଆସିଲା । ସେଥିରେ ଲେଖାଥିଲା କି, ତୁମ୍ଭର ପହିଲା ତାରିଖରେ ଏଠାରେ ନାମ ନାମଲେଖା । ସେ ଚିଠି ପାଇ କଟକ ଭାଇ ନିକଟକୁ ପତ୍ର ଦେଇଥିଲା । କିଛି ଉତ୍ତର ନପାଇବାରୁ ସେ ନିଜେ ଗତ ସୋମବାର ଦିନ କଟକ ଯାଇଅଛି । ଯଦି ସୁବିଧା ହୁଏ ଆସିବ, ନଚେତ୍ ସେହି ଆଡ଼େ ଯିବ ।

 

ଗଲା ଗୁରୁବାର ଦିନ ମତେ ବିଶେଷ ଜର ହୋଇଥିଲା । ବର୍ତ୍ତମାନ ଜର କମିଗଲାଣି । ପୂର୍ବେ ଯେପରି ନାଡ଼ାରୁ ରକ୍ତ ଗଡ଼ୁଥିଲା, ଏଥର ସେପରି ନାଡ଼ା ଗଡ଼ିନାହିଁ,–କେବଳ ସେହିଦିନୁ ନାଡ଼ାରୁ ପାଣି ବରାବର ଦେଉଅଛି, ଆଜି ସୁଦ୍ଧା କମିନାହିଁ । ଆଉ ସମସ୍ତେ ଭଲ ଅଛନ୍ତି । ତୋର ମଙ୍ଗଳପତ୍ର ପଠାଇ ସୁଖୀ କରାଇବୁ । ଇତି ।

 

(ଲେ)

ତୋର ବାପା

ଶ୍ରୀ ଖୁସାଲି ଚରଣ ଦାସ

 

ଏ କଲ୍ୟାଣୀୟ ପତ୍ର ଶ୍ରୀ ବାବୁ ଚିତ୍ତରଞ୍ଜନଙ୍କୁ ଦେବ ।

 

। ସା । ଅନୁଗୁଳ ଚମ୍ପତିମୁଣ୍ଡା

 

ଶ୍ରୀଯୁକ୍ତ ଶ୍ରୀଚରଣ ଦାସ

 

[ଆମ ପାଞ୍ଚଜଣଙ୍କ ମଧ୍ୟରେ ସବା ବଡ଼ । ପୁଅ ମାନୁ ଜନ୍ମ ହେବାର ସମ୍ବାଦ ପାଇ ସେହିଦିନ ହିଁ ଲେଖି କାହା ହାତରେ ପଠାଇଥିଲେ :-]

 

ବଙ୍ଗାଳୀସାହି, କଟକ

୧୩ । ୩ । ୬୮

 

କଲ୍ୟାଣୀୟ ଚିତ୍ତ,

 

ତୁ ଓ ଉଷା ଆଜି ଏ ଶୁଭଦିନରେ ମୋ’ର ଅନ୍ତରର ସ୍ନେହ ଓ ଆଶୀର୍ବାଦ ନେବ । ଆଜି ମୋର ବହୁଦିନର ଆଶା ପୂର୍ଣ୍ଣ ହୋଇଛି, କେତେ ବଡ଼ ସୁଖସ୍ୱପ୍ନ ବାସ୍ତବ ରୂପ ପାଇଛି ।

 

ବସନ୍ତ ବିଭାଘର ସମୟରେ ମୁଁ ଖାଲି ତୋ’ରି ଆଡ଼କୁ ଅନାଇ ଆଖିରୁ ଗୋପନରେ ପାଣି ଗଡ଼ଉଥାଏ । କହୁଥାଏ,–‘‘ଭଗବାନ, ଆମ ଭିତରେ ସବୁଠାରୁ ପ୍ରତିଭାବାନ୍ ଭାଇଟିର ଜୀବନ କ’ଣ ଅପୂର୍ଣ୍ଣ ରହିଯିବ, ତା’ଠାରୁ ଆମେ କ’ଣ ଜ୍ୟୋତିର୍ମୟ କୀର୍ତ୍ତିମାନ ଗୋଟିଏ ପାଇପାରିବୁ ନାହିଁ-?’’ ଶେଷରେ ଭଗବାନଙ୍କ ଅଶେଷ କରୁଣାରୁ ତୋ’ର ମନଲାଖି ବୋହୂଟିଏ ପାଇଲୁ । ଭଗବାନ ଆମ୍ଭମାନଙ୍କ ସ୍ୱପ୍ନ ସଫଳ କରି ଉଷା ଗର୍ଭରୁ ଗୋଟିଏ ପୁତ୍ରସନ୍ତାନ ଦେଇଛନ୍ତି ।–ଆଜି ଅତି ଆନନ୍ଦର ଦିନ ।

 

ଅୟମାରମ୍ଭ ଶୁଭାୟ ଭବତୁ । ମୋ’ର ଦୃଢ଼ ଆଶା ସେ ପୁଅ ଆମ ବଂଶ ଆକାଶର ଉଜ୍ଜ୍ୱଳତମ ଜ୍ୟୋତିଷ୍କ ହେବ ।

 

ଭଗବାନ–ତୋ ଦୟା !

 

ଶୁଭାକାଙ୍‍କ୍ଷୀ

ଶିର

 

ଶ୍ରୀଯୁକ୍ତ ହାଇନ୍ତ୍‌ଜ ରାମ୍‌ବୋ

 

(Herr Heinz Rambow ତତ୍କାଳୀନ ପଶ୍ଚିମ ଜର୍ମାନୀର ଗୋଟିଏ ସାନ ଗାଆଁରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଥିଲେ । ୧୯୫୨ ମସିହା ଗ୍ରୀଷ୍ମକାଳରେ ଜର୍ମାନ୍ ଭାଷା ଶିଖିବି ବୋଲି ମୁଁ ଜର୍ମାନ୍ ଗ୍ରାମାଞ୍ଚଳର ଯେଉଁ କେତେଜଣଙ୍କର ପରିବାରରେ ଯାଇ ରହିଥିଲି, ସିଏ ସେହିମାନଙ୍କ ଭିତରୁ ଜଣେ ।)

 

Buehle, ୬ । ୫ । ୧୯୫୫

 

ପ୍ରିୟ ଚିତ୍ତ,

 

ତୁମର ପତ୍ର ଏଠାରେ ଉଡ଼ାଜାହାଜ ଡାକରେ ଗତ ସପ୍ତାହରେ ଆସି ପହଞ୍ଚିଲା । ଘରେ ଆମେ ସମସ୍ତେ ଖୁବ୍ ଖୁସୀ ହୋଇ ଯାଇଥିଲୁ । ପ୍ରମାଣ ମିଳିଗଲା ଯେ ତୁମେ ଆମକୁ ଆଦୌ ଭୁଲି ଯାଇନାହଁ । ମଝିରେ ଏହି କେତେବର୍ଷ ତ କେବଳ ବଡ଼ଦିନ ଉତ୍ସବର ବିଶେଷ ଅଭିନନ୍ଦନ–କାର୍ଡ଼ଟିଏ ପଠାଇବା ବ୍ୟତୀତ ତୁମପାଖକୁ ଆମେ ଆଉ ଅଧିକ କିଛି ଲେଖିନାହୁଁ । ମୁଁ ମଝିରେ କୌଣସି ପତ୍ର ଲେଖିନାହିଁ ବୋଲି ତୁମେ ଆଦୌ ରାଗ ରଖିବ ନାହିଁ । ବର୍ତ୍ତମାନ ମୁଁ ତୁମକୁ ଆମର ଖବରସବୁ ଗୋଟିକପରେ ଗୋଟିଏ ବର୍ଣ୍ଣନା କରି କହିବି : ଗଲା ଶୀତଋତୁରେ ଡିସେମ୍ୱର ମାସ ଛଅ ତାରିଖରେ ଆମର ତୃତୀୟ ସନ୍ତାନଟି ଭୂମିଷ୍ଠ ହେଲା । ଝିଅଟିର ନାଆଁ Elke ରଖାଯାଇଛି । ଚାରି ସପ୍ତାହପରେ ମୋ’ର ସ୍ତ୍ରୀକୁ ପୁଣିଥରେ ଡାକ୍ତରଖାନା ଯିବାକୁହେଲା, କାରଣ କୌଣସି ଅସୁବିଧା ହେତୁ ତା’ର ରକ୍ତସ୍ରାବ ବନ୍ଦ ହେଉନଥିଲା-। ସଙ୍ଗେ ସଙ୍ଗେ ଅପରେଶନ୍ କରାଗଲା ଏବଂ ପରବର୍ତ୍ତୀ ବେଶ୍ କେତେଦିନ ସକାଶେ ତା’ର ବଞ୍ଚିବା ବିଷୟରେ ଖୁବ୍ ସନ୍ଦିହାନ୍ ହୋଇ ରହିବାକୁ ପଡ଼ିଲା । ତିନି ସପ୍ତାହପରେ ପୁନର୍ବାର ଅପରେଶନ୍ ହେଲା । ଏଥର ଯାଇ ସ୍ତ୍ରୀ ବିପଦମୁକ୍ତ ହୋଇ ପାରିଲା । ଏବଂ, ସେତେବେଳେ ମୋତେ ମୋ’ର ବିଭାଗୀୟ ସରକାରୀ ପରୀକ୍ଷା ସକାଶେ ମଧ୍ୟ ପ୍ରସ୍ତୁତ ହେବାକୁ ପଡ଼ୁଥାଏ । ଗତ ଜାନୁଆରୀ ମାସରେ ମୁଁ ସେହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲି । ‘ଉତ୍ତମ’ ବୋଲି ମନ୍ତବ୍ୟଟିଏ ମଧ୍ୟ ପାଇଲି ।

 

ତା’ପରେ ମୋ’ ନିଜର ଦୁଇଜଣ ଦୂରସଂପର୍କୀୟ ଭାଇଙ୍କର ଦାୟିତ୍ୱ ମଧ୍ୟ ବହନ କରିବାକୁ ପଡ଼ିଲା; ସେମାନେ ସୋଭିଏଟ୍‌-ଅଧିକୃତ ସେପାଖରୁ ଏପାଖକୁ ଲୁଚିକରି ଚାଲିଆସିଛନ୍ତି-। ସୋଭିଏଟ୍ ସେନା ସେପାଖକୁ ଦଖଲ କରିନେବା ପରେ ସେମାନେ ନିଜର ପିତାମାତାଙ୍କୁ ହରାଇଲେ ଏବଂ ତା’ପରେ ଏକ ଅନାଥାଶ୍ରମରେ ଯାଇ ରହୁଥିଲେ । ସେହି ଅନାଥାଶ୍ରମର ପରିଚାଳକ ରାଜନୀତିକ କାରଣରୁ ତଥା ନିଜ ଶାରୀରିକ ଅସୁସ୍ଥତା ହେତୁ ମଧ୍ୟ ସେପାଖରୁ ପଳାଇ ଆସିବା ପାଇଁ ବାଧ୍ୟ ହେଲେ ଓ ତାଙ୍କର ସହିତ ମୋ’ର ଏହି ଦୁଇଜଣଯାକ ଭାଇ ମଧ୍ୟ ପଳାଇ ଆସିଛନ୍ତି । ସେମାନଙ୍କର ବୟସ ପନ୍ଦର ଏବଂ ସତର । ସେମାନଙ୍କ ନିମନ୍ତେ ଏପାଖରେ କୌଣସି ବୃତ୍ତିଗତ ତାଲିମ-ବ୍ୟବସ୍ଥା ଖୋଜିଦେବା ପ୍ରକୃତରେ ଅତ୍ୟନ୍ତ କଷ୍ଟସାଧ୍ୟ ହେଲା-। ସାନଟି ପାଖ ସହରରେ ଇଲେକ୍‌ଟ୍ରିକ୍‌ ଉଦ୍ୟୋଗରେ ବିଶେଷ ଯୋଗ୍ୟତା ଲାଭ କରୁଛି ଏବଂ ବଡ଼ଭାଇ ଗତ ଏପ୍ରିଲ ମାସଠାରୁ ଏକ ଟେକନିକାଲ୍ ସ୍କୁଲରେ କାଚ-ବିଶୋଧନ ବିଭାଗରେ ସ୍ଥାନଟିଏ ପାଇଛି-। ଯାହା ହେଉ, ବର୍ତ୍ତମାନ ଆଉ ସେପରି କୌଣସି ଅସୁବିଧା ନାହିଁ ଏବଂ ଆମେ ସେଥିପାଇଁ ଈଶ୍ୱରଙ୍କ ପାଖରେ ନିଜର କୃତଜ୍ଞତା ଜ୍ଞାପନ କରିଛୁ । ଅଶେଷ ଦୟା ବହି ସେ ଆମର ସକଳ ଅସୁବିଧାର ସମାଧାନ କରି ଦେଇଛନ୍ତି ।

 

ଚିତ୍ତ, ଏଠାରେ ଆମ ସ୍କୁଲର ପିଲାଙ୍କ ପାଖକୁ ତୁମ ସେଠା ବିଦ୍ୟାଳୟର ପିଲାମାନେ ଲେଖିଥିବା ଚିଠିଗୁଡ଼ିକୁ ନେଇ ବେଶ୍ ଅସୁବିଧାରେ ପଡ଼ିବାକୁ ହେଲା । ଚିଠିଗୁଡ଼ିକ ତେଣୁ ଇଂରାଜୀ ଭାଷାରେ ଅନୁବାଦ ହୋଇ ଆସିଲା, ଏଠାରେ ସେଗୁଡ଼ିକର ଜର୍ମାନ୍ ଅନୁବାଦ ହେଲା ଏବଂ ସେତେବେଳକୁ ଉଦ୍ଦିଷ୍ଟ ଛୁଆମାନେ ସ୍କୁଲପାଠ୍ୟ ଶେଷ କରି ଭିନ୍ନ ଭିନ୍ନ ତାଲିମ ନେବାପାଇଁ ଅନ୍ୟାନ୍ୟ ଜାଗାକୁ ଚାଲିଯାଇଥିଲେ । ସେମାନଙ୍କ ପାଖକୁ ମୋ’ଦ୍ୱାରା ଅନୁବାଦ କରାଯାଇଥିବା ଚିଠିଗୁଡ଼ିକର ନକଲ ପଠାଇଲି ଓ ଉତ୍ତରମାନେ ଆସିବେ ବୋଲି ଅପେକ୍ଷା କରୁଥିଲି । ଇତିମଧ୍ୟରେ କେତେ ନୂଆ ପିଲା ମଧ୍ୟ ଆଗ୍ରହୀ ହେଲେ ଏବଂ ଚିଠି ଲେଖିଲେ । ଭାବୁଛି, ମୁଁ ସେଗୁଡ଼ିକର ଅନୁବାଦ କରି ଆଗାମୀ ଦୁଇ ସପ୍ତାହ ମଧ୍ୟରେ ତୁମ ଠିକଣାରେ ପଠାଇଦେବି ।

 

ତେଣୁ ଚିତ୍ତ, ମୋର ଅନୁରୋଧ, ତୁମେ ଏହିସବୁ ବ୍ୟତିକ୍ରମ ନିମନ୍ତେ ମୋତେ କ୍ଷମା ଦେବ ଏବଂ ତୁମ ପଟର ତିନି ଛାତ୍ର, ଜଗନ୍ନାଥ, ସ୍ୱରାଜ୍ୟ ଏବଂ ସୀତାନାଥ ମହାନ୍ତଙ୍କୁ ସବୁ ବୁଝାଇ କହିଦେବ । ସେମାନଙ୍କୁ ବହୁ ଦିନ ଅପେକ୍ଷା କରିବାକୁ ପଡ଼ିଲାଣି । ମାତ୍ର, ଅଳ୍ପ ଦିନରେ ଉତ୍ତରଗୁଡ଼ିକ ଅବଶ୍ୟ ମିଳିଯିବ ।

 

ମୋ’ଠାରୁ, ମୋ’ର ପତ୍ନୀ ଗେର୍ଡ଼ା, ପୁଅ ଏକ୍‍ହାର୍ଟ ଓ ଦୁଇ ଝିଅ କାରିନ୍ ଓ ଏଲ୍‌କ,–ସମସ୍ତଙ୍କ ଠାରୁ ତୁମଲାଗି ବହୁତ ବହୁତ ଶୁଭକାମନା–

 

ତୁମର ସ୍ନେହାନୁବଦ୍ଧ

ହାଇନ୍ତ୍‌ଜ୍‍

 

ଶ୍ରୀମତୀ ଏଲ୍‌ଭି ସା’ରି, ଫିନ୍‌ଲାଣ୍ଡ୍

 

(Miss Elvi Saari,–ସମସ୍ତଙ୍କ ତୁଣ୍ଡରେ ସିଏ ଏସ୍କୋ ନାମରେ ପରିଚିତ ଥିଲେ । ଫିନଲାଣ୍ଡର କ୍ୱେକର୍ ବନ୍ଧୁମାନେ ଏକ ସମ୍ମିଳିତ ଉଦ୍ୟମରେ ପ୍ରତିଷ୍ଠା କରିଥିବା Viittakivi ଲୋକ–ବିଦ୍ୟାଳୟରେ ସେ ଅଧ୍ୟକ୍ଷା ଥିଲେ । ସେହି ବିଦ୍ୟାଳୟକୁ ମୁଁ ଉଭୟ ଶିକ୍ଷାର୍ଥୀ ଏବଂ ଶିକ୍ଷକର ଭୂମିକାରେ ଏକାଧିକବାର ଯାଇଛି । ୧୯୯୧ ମସିହା ଆରମ୍ଭରେ ମୁଁ ଯେତେବେଳେ ସର୍ବଶେଷଥର ନିମନ୍ତେ ସେଠାରେ ଯାଇ ପହଞ୍ଚିଲି, ସେତେବେଳେ ଏସ୍କୋ ଆଉ ଜୀବଦ୍ଦଶାରେ ନଥିଲେ)

 

ଭିଇତ୍ତାକିଭି, ୨ । ୨ । ୫୮

 

ପ୍ରିୟ ଚିତ୍ତ,

 

ତୁମର ଚିଠି ପାଇଁ ଅନେକ ଧନ୍ୟବାଦ । ଚିଠିଟିକୁ ପାଠ କରି ମୋତେ କେତେ ନା କେତେ ଆଡ଼କୁ ଅଧିକ ଚିନ୍ତା କରିବାଲାଗି ଚମତ୍କାର ସୁଯୋଗଟିଏ ମିଳିଗଲା । ଆମେ ପରବର୍ତ୍ତୀ ପାଠବର୍ଷଟିର ବିସ୍ତୃତ କାର୍ଯ୍ୟକ୍ରମଟିକୁ ଠିକ୍ କରୁଥିବା ସମୟରେ ହିଁ ତୁମର ପତ୍ରଟି ଆସି ପହଞ୍ଚିଲା । ମୁଁ ଖୁବ୍ ଭଲ ଭାବରେ ବୁଝିପାରୁଛି ଯେ, ତୁମେ ବିଶେଷ ଭାବରେ ଏପରି ଗୋଟିଏ ସ୍ଥାନରେ ଓ ଗୋଟିଏ ମେଳରେ ଯାଇ କାର୍ଯ୍ୟ କରିବାକୁ ଇଚ୍ଛା କରୁଛ ଯେଉଁଠାରେ କି ଆପଣାର ପ୍ରେରଣାକୁ ତଥା ବିଷୟଜ୍ଞାନକୁ ସର୍ବୋତ୍ତମ ଭାବରେ କାର୍ଯ୍ୟରେ ଲଗାଇବାର ଅବକାଶଗୁଡ଼ିକୁ ଲାଭ କରି ପାରିବ । ଆମର ଏଠା ଶିକ୍ଷକଗୋଷ୍ଠୀର ଅନ୍ୟ ସମସ୍ତେ ମଧ୍ୟ ତୁମର ଚିଠିଟିକୁ ପଢ଼ିଛନ୍ତି । ତୁମ କଥା ୟୋହାନ୍ନାଙ୍କର ସମ୍ପୂର୍ଣ୍ଣ ମନେ ରହିଛି । ତୁମେ ଏଠାକୁ ଆସି ଆମ ସମସ୍ତଙ୍କର ଜଣେ ସହକର୍ମୀ ରୂପେ କାର୍ଯ୍ୟ କରିବ, ସେକଥାରେ ଆମ ସସସ୍ତଙ୍କର ସହମତି ପ୍ରକାଶ ପାଇଛି । ମାତ୍ର, କେବଳ ଆମେ କେତେଜଣ ଏହି ବିଷୟରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରିବୁନାହିଁ । ବର୍ତ୍ତମାନ ମୋତେ ଆମ ପରିଚାଳନାବୋର୍ଡ ସହିତ କଥାବାର୍ତ୍ତା କରିବାକୁ ହେବ ଏବଂ ସେମାନଙ୍କର ମତ କ’ଣ ତାହା ଜାଣିବାକୁ ପଡ଼ିବ । ଏଥିସକାଶେ କେତେ ସମୟ ଲାଗିବ, ମୁଁ ସେବିଷୟରେ ବର୍ତ୍ତମାନ ଆଦୌ କିଛି କହି ପାରୁନାହିଁ । ତୁମକୁ ମୁଁ ସବୁକଥା ଚିଠି ଲେଖି ଅବଶ୍ୟ ଜଣାଉଥିବି ।

 

ଏଠାରେ ଭିଇତ୍ତାକିଭିରେ ଆମର ସବୁକାର୍ଯ୍ୟ ଅତ୍ୟନ୍ତ ଭଲଭାବରେ ଚାଲିଛି । ନିଜ ନିଜ କାର୍ଯ୍ୟରେ ଆମ ସମସ୍ତଙ୍କର ଆଗ୍ରହ ଅଛି ଏବଂ ପ୍ରତ୍ୟେକେ ତାହାକୁ ଭଲ ମଧ୍ୟ ଅବଶ୍ୟ ପାଉଛନ୍ତି । ଆଗ ଅପେକ୍ଷା ଆମ ଶିକ୍ଷକଗୋଷ୍ଠୀ ମଧ୍ୟରେ ଅଧିକ ସହଯୋଗ ରହିଥିବା ପରି ଲାଗୁଛି । ପ୍ରଥମରେ ତ ଏଠାରେ ଆମେ କେବଳ ଦୁଇଜଣ ହିଁ ଥିଲୁ । ବର୍ତ୍ତମାନ ଗୋଟିଏ ଗୋଟିଏ ପାଠ୍ୟକ୍ରମରେ ଆମେ ଏକାଧିକ ବ୍ୟକ୍ତି ସଂପୃକ୍ତ ହୋଇପାରୁଛୁ। ଉଦାହରଣ ସ୍ୱରୂପ, ବର୍ତ୍ତମାନ ମୁଁ, ‘ସୁସ୍ଥ ଜୀବନପ୍ରଣାଳୀ’ ବୋଲି ଗୋଟିଏ ପାଠ୍ୟକ୍ରମର ଦାୟିତ୍ୱ ନେଇଛି, ଯେଉଁଥିରେ କି ଆମ ଭିତରୁ ଆହୁରି ଅନେକଙ୍କର ସହଯୋଗିତାର ପ୍ରୟୋଜନ ରହିଛି । ଦୁଇ ତିନିଜଣ ଶିକ୍ଷକ ଏକତ୍ର ମଧ୍ୟ ଗୋଟିଏ ଗୋଟିଏ ପାଠ୍ୟକ୍ରମର ଦାୟିତ୍ୱ ବହନ କରୁଛନ୍ତି । ଏହି ପଦ୍ଧତିଟି ଖୁବ୍ ଉପାଦେୟ ବୋଲି ମନେ ବି ହେଉଛି । ଏଥିରେ ତୁମର ସହକର୍ମୀମାନେ ସବୁବେଳେ କ୍ରିୟାଶୀଳ ପରାମର୍ଶମାନ ଦେଉଥିବେ । ଯେତେବେଳେ ଏହିପରି ଭାବରେ କୌଣସି କାର୍ଯ୍ୟ ଯଥାର୍ଥରେ ସମସ୍ତଙ୍କର କାର୍ଯ୍ୟ ହୋଇ ରହିପାରୁଥିବ, ସେତେବେଳେ ଅନ୍ୟମାନଙ୍କ ସହିତ ଏକତ୍ର ଅଗ୍ରସର ହେବା ମଧ୍ୟ ଅତ୍ୟନ୍ତ ଆନନ୍ଦଦାୟକ ହେବ ହିଁ ହେବ ।

 

ହଁ, ଅନ୍ୟ କେତେଜଣଙ୍କ ସହିତ ଏକାଠି ହୋଇ କାର୍ଯ୍ୟ କରୁଥିବାବେଳେ ନିଜର ଜୀବନଟି ମଧ୍ୟ ନ୍ୟାୟତଃ ଏକ ସାହସଯୁକ୍ତ ସମ୍ମୁଖଯାତ୍ରା ସଦୃଶ ବୋଧ ହୋଇଥାଏ । ମାତ୍ର, ଯଦି ତୁମେ ମୂଳରୁ ହିଁ ନିଜର ଗୋଟିଏ ପ୍ରଣାଳୀ ବାଛିନେଇଥିବ, ଅନ୍ୟମାନେ ମଧ୍ୟ ସେମାନଙ୍କର ସ୍ୱଭାବପ୍ରେରିତ ଛାଞ୍ଚଗୁଡ଼ିକୁ ନେଇ ରହିଥାନ୍ତୁ ବୋଲି ଭାବୁଥିବେ, ତେବେ ତାହା ସମ୍ପୂର୍ଣ୍ଣ ଅନ୍ୟ ପ୍ରକାରର ହିଁ ହେବ ।

 

ଜୀବନରେ ଏହିପରି ଅନେକ କଥା ରହିଛି, ଯାହା ନିଜର ସୁଖଟି ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର ସୁଖକୁ ମଧ୍ୟ ଅପହରଣ କରି ନେଇଯାଏ । ତେଣୁ, ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହେଉଛି ଯେ, ଭଲ ପାଇବା ହିଁ ଆମ ଜୀବନର ଅବଶ୍ୟ ସର୍ବମୂଳ ଭୂମି ହୋଇଥିବ ଓ ତାହା କ୍ରମଶଃ ଅଧିକରୁ ଅଧିକ ଗଭୀର ବି ହେଉଥିବ । ଏହି ଅତିସାଧାରଣ କଥାଟିକୁ ତ ମୁଁ କୋଉ କେତେଦିନରୁ ହିଁ ଜାଣିଛି; ମାତ୍ର, ଆମ ଜୀବନରେ ଏପରି ନାନା ଉପରଠାଉରିଆ କଥାମାନ ଆମକୁ ଏପରି କାବୁକରି ରହିଥାଏ ଯେ, ଆମେ ତାହାକୁ ବାରମ୍ବାର ପାସୋରି ହିଁ ଦେଇଥାଉ ।

 

ମୁଁ ଏବେ ଆମେରିକାର ଜଣେ ବ୍ୟକ୍ତିଙ୍କ ବିଷୟରେ ପଢ଼ୁଥିଲି, ଯିଏକି ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଥିଲେ ଏବଂ ଭୟାବହ କେତେକେତେ କାଣ୍ଡ ଘଟାଇବାରେ ଲାଗିଥିଲେ । ଏବଂ ତା’ପରେ ଅଚାନକ ଅନେକ ଅଭୂତପୂର୍ବ ଅନୁଭବମାନ ଅଙ୍ଗେ ନିଭାଇଥିଲେ ଓ ଜଣେ ନୂତନ ମନୁଷ୍ୟରେ ପରିଣତ ହେଲେ । ସିଏ ହୃଦୟଙ୍ଗମ କରିପାରିଥିଲେ ଯେ, ମୁଖ୍ୟତଃ ପ୍ରୀତିର ଅଭାବ ଘଟିବାଦ୍ୱାରା ହିଁ ଯାବତୀୟ ପ୍ରକାରର ମନ୍ଦ ଜୀବନଟା ଉପରକୁ ମାଡ଼ିଆସେ ଏବଂ ଆମକୁ ଆଚ୍ଛନ୍ନ କରି ରଖିଥାଏ ।

 

ନିଜର ଭାବଗୁଡ଼ିକୁ ଆମେ ନାନାବିଧ ପ୍ରକାରେ ହିଁ ବ୍ୟକ୍ତ କରିଥାଉ ଏବଂ ନିଜ ଜୀବନର ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଘଟଣାବଳୀକୁ ସେଗୁଡ଼ିକର ସ୍ୱାଭାବିକ ଗଭୀରତା ସହିତ ଶବ୍ଦରେ ପ୍ରକାଶ କରିପାରିବା କେବେହେଲେ ବି ସହଜ ହୁଏନାହିଁ ।

 

ଏଥର ମୁଁ ଏହିଠାରେ ହିଁ ଶେଷ କରିବି । ତୁମର ଯଥାଶୀଘ୍ର ସବୁକଥା ନିଶ୍ଚୟ ଜଣାଉଥିବି । ଇତି ।

 

Yours as ever

ଏସ୍କୋ

 

ଭିଇତ୍ତାକିଭି, ୨୪ । ୭ । ୫୮

 

ପ୍ରିୟ ଚିତ୍ତ,

 

ତୁମର ଚିଠି ପାଇଁ ବହୁତ ଧନ୍ୟବାଦ । ମୁଁ ସେଇଟିକୁ ଏଠାରେ ପ୍ରାୟ ପନ୍ଦରଦିନ ତଳେ ପାଇଥିଲି । ତୁମର ଚିଠିରୁ ଏକଥା ଶୁଣି ଟିକିଏ ବିସ୍ମିତ ଲାଗିଲା ଯେ ଆମେ ଏଠାରେ ତମ ସକାଶେ କିଛି ନିର୍ଦ୍ଦିଷ୍ଟ ଭାବରେ ଯୋଗାଡ଼ କରିପାରିବା ପୂର୍ବରୁ ହିଁ ତୁମେ ନିଜର କାର୍ଯ୍ୟକ୍ଷେତ୍ରଟିକୁ ଛାଡ଼ିଦେଇଛ । ଏଠାରେ ସବୁକଥା ତଥାପି ସମ୍ପୂର୍ଣ୍ଣ ଅସ୍ପଷ୍ଟ ଓ ଅନିଶ୍ଚିତ ହୋଇ ରହିଛି । ଭିଇତ୍ତାକିଭିରେ ବର୍ତ୍ତମାନ ଆମର ସହକର୍ମୀ-ଗୋଷ୍ଠୀଟିର ସମ୍ପର୍କରେ ମୁଁ ଆଗଚିଠିରେ ତୁମକୁ କିଛି କହିଥିଲି କି ନାହିଁ, ମୋ’ର ମନେ ପଡ଼ୁନାହିଁ । ପ୍ରଥମେ ସେହି ବିଷୟରେ ହିଁ କିଛି କହିବି । ବାହାର ଦେଶର ଜଣେ ଶିକ୍ଷକ ଏଠାରେ କାର୍ଯ୍ୟ କରିପାରିବେ ବୋଲି ଆମ ବଜେଟରେ ବ୍ୟବସ୍ଥା ରହିଆସିଛି । ବର୍ତ୍ତମାନ ସେହିଭଳି ଶିକ୍ଷକ ଆମ ସହିତ ଜଣେ ଅଛନ୍ତି ଓ ସେ ଆପଣାର ପାରିଶ୍ରମିକ ରାଶିଟିକୁ ଆଉଜଣକ ସହିତ ଭାଗ ବସାଇବେ ବୋଲି ସମ୍ମତ ହୋଇଛନ୍ତି । ଏବଂ, ସେହି ଭାଗଟିକୁ ପାଇବା ସକାଶେ ଆଉଜଣେ କେହି ଶିକ୍ଷକ ମଧ୍ୟ ଏଠାରେ ସର୍ବଦା ରହିଆସିଛନ୍ତି । ତେଣୁ, ଜଣକ ଥାନରେ ସବୁବେଳେ ପ୍ରକୃତରେ ଦୁଇଜଣ ହିଁ ରହିଆସିଛନ୍ତି । ଏବେ ଯିଏ ସେହି ପଦରେ ଗତ ତିନିବର୍ଷ ହେଲା ରହିଥିଲେ, ସିଏ ଏକଦା ଏଠାରେ ଆମର ଜଣେ ଶିକ୍ଷାର୍ଥୀ ବି ଥିଲେ-। ସିଏ ଏହି ଗ୍ରୀଷ୍ମଋତୁରେ ଏଠାରୁ ଅନ୍ୟତ୍ର ଯାଉଛନ୍ତି ଏବଂ ଆମ ବନ୍ଧୁଗୋଷ୍ଠୀର ଜଣେ ଇଂଲିଶ୍‌ ବନ୍ଧୁ ଆଗାମୀ ୧୯୫୯ ବର୍ଷଟି ଏଠାରେ ଆମ ସହିତ ରହିବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି-। ସିଏ ଜଣେ ଫିନିଶ୍‌ ମହିଳାଙ୍କୁ ବିବାହ କରିଛନ୍ତି । ଏଠାରେ ତ ସପରିବାର ବାସ କରିବାଭଳି ସେପରି ଯଥେଷ୍ଟ ଗୃହର ବ୍ୟବସ୍ଥା ନାହିଁ; ତେଣୁ ତାଙ୍କ କ୍ଷେତ୍ରରେ ତାଙ୍କୁ ଏଠାକୁ ଆସନ୍ତୁ ବୋଲି କହିବା ବିଷୟରେ ଆମେ କିଞ୍ଚିତ୍‌ କୁଣ୍ଠିତ ବି ହେଉଥିଲୁ । କାରଣ ତଦ୍ଦ୍ୱାରା ତାଙ୍କର ପରିବାରଟିକୁ ପ୍ରକୃତରେ ବେଶ୍‌ ଅସୁବିଧା ମଧ୍ୟ ହେବ । କିନ୍ତୁ, ସମସ୍ତ ଅସୁବିଧା ସତ୍ତ୍ୱେ ସେମାନେ ଆସିବାଲାଗି ପ୍ରସ୍ତୁତ ଅଛନ୍ତି ଏବଂ ଆମେ ଭାବୁଛୁ, ଯେ ସେମାନଙ୍କୁ ହିଁ ପ୍ରଥମେ ସୁଯୋଗ ମିଳିବା ଉଚିତ ହେବ-। ଅର୍ଥାତ୍‌, ଆଗାମୀ ବର୍ଷଟିରେ ଭିଇତ୍ତାକିଭିରେ ଆଉ କାହାରିପାଇଁ ବ୍ୟବସ୍ଥା ହିଁ ହୋଇପାରିବ ନାହିଁ। ଏହିସବୁ ଚିନ୍ତାକରି ମୁଁ ଇତିମଧ୍ୟରେ କିଛି ଅନ୍ୟ ସମ୍ଭାବନାକୁ ମଧ୍ୟ ପରୀକ୍ଷା କରି ଦେଖିଛି । ଏବେ, ମୁଁ ଆମ ବୋର୍ଡ଼ କେତେଜଣ ସଦସ୍ୟଙ୍କ ସହିତ ମଧ୍ୟ କଥା ହୋଇଥିଲି । ତୁମର ପୂର୍ବ ଚିଠିଟି ଏଠାରେ ପହଞ୍ଚିବା ସମୟରେ ସେମାନେ ସଂଯୋଗବଶତଃ ଭିଇତ୍ତାକିଭିରେ ଥିଲେ । ବର୍ତ୍ତମାନ ଆମେ ତୁମପାଇଁ କୌଣସି ବ୍ୟବସ୍ଥା କରିପାରିବୁ ନାହିଁ ବୋଲି ତୁମକୁ ପତ୍ରଦ୍ୱାରା ଜଣାଇଦେବି କି ବୋଲି ମୁଁ ସେମାନଙ୍କୁ ପ୍ରଶ୍ନ କରିଥିଲି । ତେବେ ତୁମେ ନିଜପାଇଁ ଅନ୍ୟତ୍ର ହୁଏତ କିଛି ଚେଷ୍ଟା କରିପାରିବ । କିନ୍ତୁ, ସେମାନେ କହିଲେ, ନାହିଁ, ତାଙ୍କ ପାଖକୁ ସେପରି କିଛି ଲେଖ ନାହିଁ । ତାଙ୍କୁ ଫିନ୍‍ଲାଣ୍ଡ ଆଣିବା ସକାଶେ ଅନ୍ୟ ଅନ୍ୟକିଛି ତରିକା ଅବଶ୍ୟ ବାହାର କରିବା । ତେଣୁ ଆମେ କିଛି କରିପାରିବୁ ନାହିଁ ବୋଲି ତାଙ୍କ ପାଖକୁ ଲେଖ ନାହିଁ । ଏଥର ମୋ’ ଅବସ୍ଥାଟିକୁ ଜାଣ–ତୁମକୁ ମୁଁ ଆସ ବୋଲି କହିପାରୁ ନାହିଁ କିମ୍ବା ତୁମକୁ ଆସନାହିଁ ବୋଲି ଜଣାଇ ବି ଦେଇପାରୁ ନାହିଁ। ଏହାଫଳରେ ମୁଁ ତୁମକୁ ନେଇ କୌଣସି ଅସୁବିଧାରେ ଯାଇ ପଡ଼ିଯାଇଛି ବୋଲି ତୁମେ ଆଦୌ ବୁଝିବ ନାହିଁ । ତୁମର ସ୍ଥିତିଟିକୁ ମୁଁ ଖୁବ୍‌ ଭଲ ଭାବରେ ବୁଝିପାରୁଛି ସିନା, ତଥାପି ଆସ ବୋଲି କହିପାରୁ ନାହିଁ । ମୁଁ ଆଶା କରୁଛି ଯେ ଯଥାଶୀଘ୍ର ବହୁତ କିଛି ସ୍ପଷ୍ଟ ହୋଇଯାଇ ପାରିବ-। ବର୍ତ୍ତମାନ ବାଧାମାନେ ହିଁ ଦୃଷ୍ଟିଗୋଚର ହେଉଛନ୍ତି । ତେଣୁ ବର୍ତ୍ତମାନ ମୁଁ ଅପେକ୍ଷା କରିବି–କୋଉଠି ନା କୋଉଠି ଏକ ସମ୍ଭାବନାର ଦ୍ୱାର ହୁଏତ ଖୋଲିଯିବ–କିଞ୍ଚିତ୍‌ ଅଗ୍ରସର ହେବା ତଥାପି ସମ୍ଭବ ହେବ ।

 

ବର୍ତ୍ତମାନ ଭିଇତ୍ତାକିଭିର କର୍ମୀମାନଙ୍କର ଏଠାରେ ଗୋଟିଏ କର୍ମଶିବିର ପରିଚାଳନା କରାଯାଉଛି । ଆମ କର୍ମୀମଣ୍ଡଳୀର ଅଧେ ସେଥିରେ ଯୋଗ ଦେଇଛନ୍ତି । ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହିତ ଇଂରାଜୀ ଭାଷାର ଶିକ୍ଷା ମଧ୍ୟ ଦିଆଯାଉଛି । ସମସ୍ତେ ଅତ୍ୟନ୍ତ କାର୍ଯ୍ୟବ୍ୟସ୍ତ । ଆଗାମୀ ସେପ୍ଟେମ୍ବର ବେଳକୁ ହୁଏତ ମୋତେ କିଛି ବିଶ୍ରାମ ମିଳିବ । ଆଗାମୀ ବସନ୍ତ ଋତୁରେ ଯେପରି ବଗିଚାକାମ, ଛବି ଅଙ୍କନ ଓ ମରାମତି ଇତ୍ୟାଦି ପାଇଁ କିଛି ଅଧିକ ସମୟ ବାହାରି ପାରିବ, ସେହି ଉଦ୍ଦେଶ୍ୟରେ ଆମେ କର୍ଯ୍ୟକ୍ରମଗୁଡ଼ିକରେ କିଛି ଆବଶ୍ୟକ ପରିବର୍ତ୍ତନ କରିବାପାଇଁ ମଧ୍ୟ ଚିନ୍ତା କରୁଛୁ । ଏଇଟି ପ୍ରକୃତରେ ଭାରି ଭଲ ଯେ ଆଗରେ ସର୍ବଦା କିଛି ନା କିଛି ନୂଆ କଳ୍ପନା ଓ ନୂଆ ଯୋଜନା ରହିଥିବ; ବିଶେଷତଃ ଆମେ ସମ୍ମୁଖୀନ ହେଉଥିବା ଅସୁବିଧାଗୁଡ଼ିକୁ ଅନ୍ତତଃ କିଛି ପରିମାଣରେ ଦୂର କରିବା ଯଦି ସେହିସବୁ ପ୍ରବର୍ତ୍ତନ ଫଳରେ ସମ୍ଭବ ହେଉଥାଏ, ତେବେ ସେଗୁଡ଼ିକୁ ଅବଶ୍ୟ ସ୍ୱାଗତଯୋଗ୍ୟ ବୋଲି ସ୍ୱୀକାର କରାଯିବ ।

 

ମୁଁ ଆଶା କରୁଛି, ଚିଠିପତ୍ରଦ୍ୱାରା ଆମ ଭିତରେ ନିୟମିତ ସମ୍ପର୍କ ରହିବ । ଏବଂ, ବର୍ତ୍ତମାନ ତୁମେ କେଉଁଠି ଅଛ ଓ କ’ଣ କରୁଛ ?

 

କେଡ଼େ ବଡ଼ ଏବଂ ଆଗ୍ରହ-ଉଦ୍ଦୀପକ କଥାଟିଏ ସମ୍ଭବ ହୁଏ ଯେ କେତେଜଣ ଏକତ୍ର ମିଶି ଗୋଷ୍ଠୀଟିଏ ସମ୍ଭବ କରନ୍ତି ଓ କାର୍ଯ୍ୟ କରୁଥାନ୍ତି,–ସେମାନେ ସମସ୍ତେ ହିଁ ସକ୍ରିୟ ହୋଇ ରହିଥାନ୍ତି । ଆମର ବର୍ତ୍ତମାନର କର୍ମୀସମୂହକୁ ପ୍ରକୃତରେ ସେହିଭଳି ଗୋଷ୍ଠୀଟିଏ ବୋଲି କୁହାଯିବ-। ଏହି ପୃଥିବୀରେ ତ କେତେ ଭଳି ଭ୍ରାନ୍ତି ଏବଂ ଅସ୍ପଷ୍ଟତାମାନ ଭିଡ଼ ବାନ୍ଧି ରହିଛନ୍ତି; ତେଣୁ, ଆପଣାର ସହମନୁଷ୍ୟମାନଙ୍କର ସହାୟତା ଏବଂ ପରିଚର୍ଯ୍ୟା କରି ପାରିବାର ଯଥାର୍ଥ ପନ୍ଥାଗୁଡ଼ିକୁ ଆବିଷ୍କାର କରି ପାରିବା ଏଠି ମୋଟେ ସହଜ ହୁଏନାହିଁ । ସାଧାରଣତଃ ଜଡ଼ବାଦୀ ଦମ୍ଭଯୁକ୍ତ ନାନାବିଧ ଭାବନା ତଥା ବିଚାରରେ ନିତାନ୍ତ ବାହ୍ୟସ୍ତରଗୁଡ଼ାକରେ ପ୍ରାୟ ସବୁକିଛି ଖୁବ୍‌ ଅଡ଼ୁଆ ହୋଇ ରହିଥାଏ । ମୋ’ର ସହକର୍ମୀମାନେ ଯେ ନିଜ ନିଜର ପରିଚ୍ଛନ୍ନ ବିଚାରଦ୍ୱାରା ପରିଚାଳିତ ହୋଇ ମୋତେ ସାହାଯ୍ୟ କରୁଥାଆନ୍ତି ଏବଂ ତଦ୍ଦ୍ୱାରା ମୋତେ ଅଧିକ ଗଭୀରରେ ରହିଥିବା ମୂଳଯାଏ ଯିବାନିମନ୍ତେ ଉତ୍ସାହିତ କରନ୍ତି, ମୁଁ ତାହାକୁ ହିଁ ବହୁତ ମୂଲ୍ୟବାନ୍‌ ବୋଲି ମନେ କରୁଥାଏ-। ତାହାରିଦ୍ୱାରା ତ ଆମେ ଆମ ସମସ୍ତଙ୍କୁ ବାନ୍ଧି ରଖିଥିବା ଯଥାର୍ଥ ଜୀବନ ତଥା ଯଥାର୍ଥ ପ୍ରୀତିଟି ପାଖରେ ଯାଇ ପହଞ୍ଚି ବି ପାରୁ । ଅନେକ ସମୟରେ ବହୁ ବହୁ ପ୍ରଲୋଭନ ଆସେ ଯାହାକି ଆମକୁ ସେହି ଅନ୍ତର୍ଗତ ଶାନ୍ତି ଏବଂ ଈଶ୍ୱରୀୟ କେନ୍ଦ୍ରଟିରୁ ଖସାଇ ନେବାର ପ୍ରୟାସ କରୁଥାଏ-। ଆମେ କ’ଣ କେବେହେଲେ ବି ଆମର ଅନ୍ତର୍ବୋଧୀ ଜୀବନସ୍ପୃହାଗୁଡ଼ିକୁ ଦୈନନ୍ଦିନ ଏହି ବାହ୍ୟ ଜୀବନଟିକୁ ବଞ୍ଚିବା ସହିତ ସନ୍ତୁଳିତ କରି ଆଣିପାରିବା ନାହିଁ ? ମୁଁ ଭାବେ, ଆମେ ଏବେ ମଧ୍ୟ ମନୁଷ୍ୟକୁ ତା’ର ସମଗ୍ର ପରିଚୟରେ ଆବିଷ୍କାର କରିପାରି ନାହୁଁ–ତା’ର ଗୋଟାଏ ପାଖକୁ ନିରନ୍ତର ଅନ୍ୟ ପାଖଟିଠାରୁ ଅଧିକ ଅଥବା ଅଳପ ମୂଲ୍ୟବାନ୍‌ କରି ଦେଖିବାରେ ଲାଗିଛୁ । ମୁଁ ତ ଏହି ଜୀବନରୂପୀ ପଥଟିକୁ ଏକ ଆହ୍ୱାନମୟ ସାହସଯାତ୍ରା ସଦୃଶ ହିଁ ଅନୁଭବ କରେ । ଅନ୍ୟ ମନୁଷ୍ୟମାନଙ୍କର ସଙ୍ଗୀରୂପେ ଏହି ସାହସଯାତ୍ରା ଜଣେ ଯଥାର୍ଥ ମନୁଷ୍ୟକୁ ସମୃଦ୍ଧ କରିଦେଉଥାଏ-। କିନ୍ତୁ, ଯେତେବେଳେ ଜଣେ ବ୍ୟକ୍ତି ବହୁ ବିକ୍ଷୋଭ ତଥା ସଂଶୟଦ୍ୱାରା ସନ୍ତପ୍ତ ତା’ ହୃଦୟଟିକୁ ପ୍ରକୃତରେ ଆସି ମୋ’ ପାଖରେ ଖୋଲିଦିଏ, ସେତିକିବେଳେ ହିଁ ମୁଁ ସବୁଠାରୁ ଅଧିକ ମୂଲ୍ୟବାନ୍‌ ନାନା ଅନୁଭବର ଅଧିକାରୀ ହୁଏ । ସେହି ମୁହୂର୍ତ୍ତଗୁଡ଼ିକରେ ବସ୍ତୁତଃ ଏକ ପବିତ୍ରତା ହିଁ ସବୁକିଛିକୁ ଅନୁସିକ୍ତ କରି ରଖିଥାଏ । ଜଣେ ମନୁଷ୍ୟ ଅନୁଭବ କରିବାକୁ ଲାଗେ, ସତେ ଯେପରି ତା’ଠାରୁ ଅଧିକ ବୃହତ୍‌ କିଛି କ’ଣଟିଏ ପାଇଁ ସିଏ ସେତେବେଳେ ଏକ ଯନ୍ତ୍ରରୂପେ ବ୍ୟବହୃତ ହେଉଛି-। ସେହି ବୃହତ୍ତରଟି ତା’ ନିଜ ଜୀବନ ତଥା ତା’ର ସେହି ସହଯାତ୍ରୀର ଜୀବନକୁ ଏକତ୍ର ହିଁ ସମ୍ଭାରି ଧରିଥାଏ । ଏବର୍ଷର ଗ୍ରୀଷ୍ମକାଳଟି ଆମକୁ ଏହିଭଳି ଏକ ଅନୁଭବଦ୍ୱାରା ଧନବାନ୍‌ କରାଇ ପାରିଛି-। ସେମାନେ ସମସ୍ତେ ଇଂରାଜୀ ଭାଷା ଅଧ୍ୟୟନ କରିବା ସକାଶେ ତ ଏଠାକୁ ଆସିଥିଲେ ଏବଂ ଦେଖ, ସେମାନେ କିପରି ନିଜନିଜ ଜୀବନର ସମ୍ପୂର୍ଣ୍ଣ କେନ୍ଦ୍ରସ୍ଥଳର ପ୍ରଶ୍ନଗୁଡ଼ିକ ବିଷୟରେ ଆଲୋଚନାରତ ହୋଇ ରହିଛନ୍ତି ।

 

Yours as ever

ଏସ୍କୋ

 

ମୋଶେ ଖାରିଫ୍‌

 

[ମୋଶେ ଖାରିଫ୍‌ । ୧୯୫୩ ମସିହାରେ ଇସ୍ରାଏଲ୍‌ରେ ମୋ’ର ପ୍ରଥମ ରହଣି ବେଳେ ମୋଶେ ଓ ତା’ର ବାପା ମୋ’ର ସମସ୍ତ ତତ୍ତ୍ୱ ନେଇଥିଲେ । ଜେରୁଜେଲମ୍‌ରେ ମୁଁ ମୋଶେର ବାପାଙ୍କ ପାଖରେ ରହୁଥିଲି । ମୋଶେ Tsora ନାମକ ଏକ ସମୂହଗ୍ରାମବସତି (Kibbutz) ର ସଦସ୍ୟ ଥିଲା । ପରିପକ୍ୱ ଜୀବନରେ ମୋଶେ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲା ଓ ସ୍ୱପ୍ରତିଭା ତଥା ନିଷ୍ଠାପ୍ରଦର୍ଶନ ବଳରେ ସେଠା ସମାଜବାଦୀ ପାର୍ଟିର (Mapai) ଜଣେ ଶିଖରସ୍ତରୀୟ ନେତାରୂପେ ସ୍ୱୀକୃତି ପାଇ ପାରିଥିଲା । ୧୯୯୦-୯୧ ମସିହାରେ ପୁନର୍ବାର Tsora ଯାଇ ଜାଣିବାକୁ ପାଇଲି, ଗୋଟିଏ ମୋଟରଗାଡ଼ି ଦୁର୍ଘଟଣାରେ କେତେବର୍ଷ ପୂର୍ବରୁ ମୋଶେ ପ୍ରାଣ ହରାଇ ସାରିଥିଲା ।]

 

Tosora, ୧୭ । ୦୪ । ୫୬

 

ସ୍ନେହର ଚିତ୍ତ,

 

ବୋଧ ହେଉଛି, ଆମ ଭିତରେ ଚିଠିର ଆଦାନପ୍ରଦାନର କ୍ଷେତ୍ରରେ ରହୁଥିବା ଦୂରତା ଆମର ଦୁଇଟି ଦେଶ ଭିତରେ ରହିଥିବା ଦୂରତାଟିକୁ ମଧ୍ୟ ପ୍ରତିଫଳିତ କରୁଛି । ଯେତେବେଳେ ମୁଁ ଏହି ଦେଶରେ ହିଁ କାହାପାଖରୁ ଚିଠି ପାଏ, ସେତେବେଳେ ଆଦୌ ଡେରି ନକରି ସଙ୍ଗେ ସଙ୍ଗେ ଉତ୍ତର ଦେଇଥାଏ । ମାତ୍ର, ଦେଶ ବାହାରକୁ ଚିଠି ଲେଖିବା ସମୟରେ ମଝିରେ ରହିଥିବା ଦୂରତାଟିର କଳ୍ପନା କରିକରି ସମ୍ଭବତଃ ଉତ୍ତର ଦେବାରେ ମଧ୍ୟ ବିଳମ୍ବ ହୋଇଥାଏ । ସେପରି କିଛି ମହତ୍ତ୍ୱପୂର୍ଣ୍ଣ କଥା ଯେ ଲେଖିବାକୁ ନଥାଏ, ସେକଥା ନୁହେଁ; କିନ୍ତୁ, ଏବେ ପ୍ରାୟ ସବୁ ସମୟରେ ଏତେ ଏତେ କଥାରେ ବ୍ୟସ୍ତ ରହି ମୋ’ର ବେଳ ଚାଲିଯାଉଛି ଯେ, ମୁଁ କିଛି ଫୁରସତ ସମୟ ଆଦୌ ବାହାର କରିପାରେ ନାହିଁ ଏବଂ ଉତ୍ତର ଦେଇପାରେ ନାହିଁ ।

 

ଆମ ଯୁବ-ଆନ୍ଦୋଳନରେ ମୋତେ ଦିଆ ହୋଇଥିବା  ଦାୟିତ୍ୱଟିର ମିଆଦ ଏବେ ପୂରିଯିବା ପରେ ମୁଁ ପୁଣି ମୋ’ର ଉଦ୍ୟାନକଳାର ଧନ୍ଦାଟିକୁ ଫେରି ଆସିଛି ଏବଂ ବଳକା ସମୟରେ କିଛି କଛି ସେରାମିକ୍‌-ବିଭାଗୀୟ କାର୍ଯ୍ୟ ମଧ୍ୟ କରୁଛି । ଆମର କିବୁତ୍‌ଜ୍‌ କ୍ରମଶଃ ଅଧିକ ଗତିବେଗ ସହିତ ବୃଦ୍ଧି ପାଇଲାଣି ଏବଂ, ତୁମେ ଯଦି ବର୍ତ୍ତମାନ ଏଠାକୁ ଆଉଥରେ ଆସିବ, ତେବେ ଏଠାରେ ବହୁତକିଛିକୁ ହୁଏତ ଚିହ୍ନି ମଧ୍ୟ ପାରିବନାହିଁ ।

 

ଏଠାରେ ବହୁସଂଖ୍ୟକ ନୂଆ ଗୃହ ଓ ଆବାସମାନ ତିଆରି ହେଲାଣି, ନୂଆନୂଆ ଜମି ସୃଷ୍ଟି କରି ଚାଷ କରାହେଲାଣି । ଆମ ବସତିରେ ଯୋଗ ଦେବାକୁ ନୂଆମାନେ ଆସି ପହଞ୍ଚି ଯାଇଛନ୍ତି ଏବଂ ଗୃହମାନଙ୍କରେ ଲାଳିତପାଳିତ ହେଉଥିବା ପିଲାଙ୍କର ସଂଖ୍ୟା ପଚାଶକୁ ଛୁଇଁଲାଣି-

 

କିନ୍ତୁ ଦେଶରେ ଏକ ବିଚିତ୍ର ଅବସ୍ଥା ରାଜତ୍ୱ କରୁଛି । ଗୋଟିଏ ପକ୍ଷରେ ଅତ୍ୟନ୍ତ ବେଗର ସହିତ ବିକାଶ ହୋଇ ଚାଲିଛି : ନୂଆନୂଆ ଜାଗାରେ ବାସଗୃହ ନିର୍ମାଣ ହେଲାଣି, ଏକ ଦୃଢ଼ ମୂଳଦୁଆ ଉପରେ ଦେଶକୁ ତିଆରି କରାଯାଉଛି; ଏବଂ ଅନ୍ୟ ପକ୍ଷରେ ଆମେ ଦେଶବାସୀ ଏକ ଦୁର୍ଭାଗ୍ୟଜନକ ଆସନ୍ନ ଯୁଦ୍ଧର ଆତଙ୍କ ମଧ୍ୟକୁ ବି ଅଧିକରୁ ଅଧିକ ପରିମାଣରେ ଟାଣିହୋଇ ଯାଉଛୁ । ଆରବ ରାଷ୍ଟ୍ରମାନେ ନିଜର ସୈନ୍ୟବାହିନୀଗୁଡ଼ିକୁ ଇସ୍ରାଏଲ୍‌ର ସୀମାକୁ ଲଗାଇ ଠୁଳ କରୁଛନ୍ତି । ଚେକୋସ୍ଲୋଭାକିଆରୁ ବିସ୍ତର ପରିମାଣରେ ଅସ୍ତ୍ରଶସ୍ତ୍ରର ସହାୟତା ଆସି ପହଞ୍ଚିବ ବୋଲି ମିଶରକୁ ପ୍ରତିଶ୍ରୁତି ମିଳିଛି । ଜର୍ଡ଼ାନ୍‌ ଦେଶରୁ ବ୍ରିଟିଶ୍‌ମାନଙ୍କୁ ବାହାର କରି ଦିଆଯାଇଛି । ସାଇପ୍ରସ୍‌ରେ ମଧ୍ୟ ବ୍ରିଟେନ୍‌ର ସ୍ଥିତି ଟଳମଳପ୍ରାୟ ହେଲାଣି । ସମଗ୍ର ଆରବଜଗତ କେବଳ ଇସ୍ରାଏଲ୍‌ ଓ ଇହୁଦୀ ଆତଙ୍କଟାକୁ ହିଁ ସର୍ବତ୍ର ଦେଖିବାରେ ଲାଗିଛି ।

 

ଆମର ନିୟତିଗତ ତିକ୍ତ ଅନୁଭବମାନେ ଆମକୁ ଏହି ସର୍ବପ୍ରଥମ ଶିକ୍ଷା ଦେଇ ଆସିଛନ୍ତି ଯେ, ଆମେ ଇହୁଦୀମାନେ ବସ୍ତୁତଃ କାହାରି ଉପରେ ହିଁ ମୋଟେ ଭରସା ରଖି ପାରିବାନାହିଁ । ଇହୁଦୀବର୍ଗ ସବୁକାଳେ କେବଳ ସବୁକିଛିକୁ ସହ୍ୟ କରିନେବା ଲାଗି ବାଧ୍ୟ ହୋଇଛି ଏବଂ ତେଣୁ କେବେହେଲେ ହିଁ କୌଣସି ସ୍ୱାଧୀନ ଜୀବନ ବଞ୍ଚି ପାରିନାହିଁ । ବିଶେଷ କରି ସାଂପ୍ରତିକ ସମୟର ଏହି ସଂକଟମୟ ସ୍ଥିତିଟି ଭିତରେ ଆମେ ସତେଅବା ସମ୍ପୂର୍ଣ୍ଣ ସଙ୍ଗୀହୀନ ଓ ଏକାକୀ ହୋଇଯିବା ପରି ଅନୁଭବ କରୁଛୁ । ଆମ ରାଜନୀତିକ ପୃଷ୍ଠଭୂମି ଉପରେ ତାହା ହିଁ ଆମଲାଗି ଏକ ବିଶେଷ ସନ୍ତପ୍ତତାର କାରଣ ହୋଇଛି । ଯଦି ଆମ ପାଖରେ ଯଥେଷ୍ଟ ଅସ୍ତ୍ର ରହିଥାନ୍ତା, ତେବେ ଆରବମାନେ କଦାପି ଆମକୁ ଆକ୍ରମଣ କରିବା ନିମନ୍ତେ ଏଭଳି ଭୟ ଦେଖାଇ ପାରୁନଥାନ୍ତେ । ମାତ୍ର, ଯଥେଷ୍ଟ ଅସ୍ତ୍ରଶସ୍ତ୍ର ଆସିବାର କୌଣସି ସମ୍ଭାବନା ଦିଶୁନାହିଁ ଏବଂ ସେଥିପାଇଁ ଆମକୁ ଆକ୍ରମଣ କରିବାଲାଗି ସେମାନଙ୍କର ଇଚ୍ଛା ଆହୁରି ପ୍ରବଳ ହୋଇ ପଡ଼ୁଛି ।

 

ପ୍ରଧାନମନ୍ତ୍ରୀ ବେନ୍‌ ଗୁରିଅନ୍‌ ଆମ ପ୍ରତିନିଧି-ସଭାରେ ଘୋଷଣା କରି କହିଛନ୍ତି ଯେ, ଯଦି ଗୋଟାଏ ଯୁଦ୍ଧ ଅକସ୍ମାତ୍‌ ଲାଗିଯିବ, ତେବେ ତାହା ଆମ ନିମନ୍ତେ ଏକ ଘୋର ବିପର୍ଯ୍ୟୟର କାରଣ ହେବ । ଆମେ ସେହି ଯୁଦ୍ଧରେ ଜୟଲାଭ କଲେ ମଧ୍ୟ ବିପର୍ଯ୍ୟୟ ହିଁ ହେବ, କାରଣ ଆମ ହାତରେ ଏତେ ସଂଖ୍ୟାରେ ଜନବଳ ହିଁ ନାହାନ୍ତି । ଇସ୍ରାଏଲ୍‌ରେ ଆମର ସଂଖ୍ୟା ଆଦୌ ପନ୍ଦର ଲକ୍ଷ । ଦେଶର ଆୟତନଟି ମଧ୍ୟ କେବଳ ଧାପେ ମାତ୍ର ଏବଂ ତେଣୁ, ଯୁଦ୍ଧରେ ଆମେ ଜିଣିଲେ ମଧ୍ୟ ତଦ୍ଦ୍ୱାରା ଯେଉଁ ପ୍ରାକୃତିକ ତଥା ମାନବସମ୍ପଦର ହାନି ଘଟିବ, ତାହା ଅତ୍ୟନ୍ତ ଭୟାନକ ହେବ ଓ ଏଠାରେ ଆମର ଅସ୍ତିତ୍ୱକୁ ହିଁ ବିପନ୍ନ କରିଦେବ ।

 

ତୁମେ ଇସ୍ରାଏଲ୍‌ରେ ଥିବା ସମୟରେ ତ ଖୁବ୍‌ ନିକଟରୁ ହିଁ ଆମ ସମସ୍ୟାଗୁଡ଼ିକୁ ଦେଖିପାରୁଥିଲ ଏବଂ, ତୁମର ମଧ୍ୟ ଏହି କଥାଟିରେ କୌଣସି ସନ୍ଦେହ ନଥିବ ଯେ, ଆମଲାଗି ଆଉ ପଛକୁ ଯିବାର କୌଣସି ପଥ ହିଁ ନାହିଁ; କାରଣ, ପଛକୁ ଗଲେ ଆମେ ପ୍ରକୃତରେ ସମୁଦ୍ରରେ ହିଁ ଯାଇ ପଡ଼ିବୁ । ଏହି ସତ୍ୟଟିକୁ ଅତ୍ୟନ୍ତ ଭଲ କରି ଜାଣିଥିବାରୁ ହିଁ ଆମ ନିଜର ସାମର୍ଥ୍ୟ ଉପରେ ଆମର ବିଶ୍ୱାସ ମଧ୍ୟ କ୍ରମେ ଦୃଢ଼ତର ହୋଇପାରୁଛି । ଯଦି ସଂଘର୍ଷ ଲାଗିବ, ତେବେ ସେଥିରେ ଆମେ ଅବଶ୍ୟ ଜୟଲାଭ କରିବୁ । ତଥାପି, ପରିଣାମ ପ୍ରକୃତରେ କ’ଣ ହେବ, ଭବିଷ୍ୟତର ଦିନଗୁଡ଼ିକ ହିଁ ତାହାର ପ୍ରମାଣ ଦେବ ।

 

ବର୍ତ୍ତମାନ ଇସ୍ରାଏଲ୍‌ରେ ଏକ ଶ୍ରମିକ-ସରକାର ହିଁ କ୍ଷମତାରେ ରହିଛି । ତୁମେ ଏଠାରେ ଥିବାବେଳେ ବିରୋଧ ପକ୍ଷରେ ଥିବା ବହୁତ ବ୍ୟକ୍ତି ବର୍ତ୍ତମାନ ମନ୍ତ୍ରୀ ବି ହୋଇଛନ୍ତି । ଏକ ଶ୍ରମିକଦଳର ସକ୍ରିୟ ସହଯୋଗ ସହିତ ମିଳିତ ସରକାର ଶାସନ କରୁଛି । ସରକାରଟିଏ ଚଳାଇବା ଆଦୌ ଏତେ ସହଜ ନୁହେଁ ବୋଲି ସେମାନେ ଉପଲବ୍ଧି କରିବାକୁ ନିଶ୍ଚୟ ଆରମ୍ଭ କରୁଥିବେ ।

 

ବାପା ତାଙ୍କର ସେହି ପୂର୍ବର କର୍ମସଂସ୍ଥାନଟିରେ ଅଛନ୍ତି । କାମଟି ଭଲ ଲାଗୁଛି । ମୋ’ ଭାଇ ସୈନ୍ୟବାହିନୀରେ ଅଛି । ସେ ଖୁବ୍‌ କ୍ୱଚିତ୍‌ ଘରକୁ ଆସିପାରୁଛି । ତୁମେ ସେବର୍ଷ ‘ଖାଣୁକା’ ପର୍ବଟି ସମୟରେ ତାଙ୍କ ସହିତ ଥିଲ ଓ ପର୍ବ ଉପଲକ୍ଷେ ସେ ନିଜେ ଗୋଟିଏ କେକ୍‌ ପ୍ରସ୍ତୁତ କରି ତୁମକୁ ଖାଇବାକୁ ଦେଇଥିବାର କଥାଟିକୁ ତୁମେ ଏବେ ମଧ୍ୟ ମନେ ରଖିଛ ବୋଲି କହିବାରୁ ବାପା ଅତ୍ୟନ୍ତ ଖୁସୀ ହୋଇ ଯାଇଥିଲେ । ବର୍ତ୍ତମାନ ଆମେ Pass Over ପର୍ବଟିକୁ ପାଳନ କରୁଛୁ । ଏଇଟି ହେଉଛି ଇହୁଦୀ ଜାତିର ବିଭିନ୍ନ ପର୍ବ ମଧ୍ୟରୁ ଗୋଟିଏ ଖୁବ୍‌ ମହତ୍ତ୍ୱପୂର୍ଣ୍ଣ ପର୍ବ । ଇହୁଦୀମାନେ ଆପଣାକୁ ଦାସତ୍ୱରୁ ମୁକ୍ତ କରି ଏକଦା ମିଶର ଦେଶକୁ ପରିତ୍ୟାଗ କରି ପଳାଇ ଆସିଥିଲେ,–ଏହି ପର୍ବଟିରେ ତାହାରି ସ୍ମରଣ କରାଯାଏ । ଏହା ପ୍ରତୀକାତ୍ମକ ଭାବରେ ବସନ୍ତର ପ୍ରାରମ୍ଭକୁ ମଧ୍ୟ ସୂଚାଇ ଦେଇଥାଏ ।

 

ଭାରତବର୍ଷରେ ତୁମର କାର୍ଯ୍ୟ ଖୁବ୍‌ ଭଲ ଭାବରେ ଚାଲିଛି ବୋଲି ଜାଣି ମୋତେ ଅତ୍ୟନ୍ତ ଭଲ ଲାଗିଲା । ମୋତେ ଏ ବିଷୟରେ ତୁମେ ପରବର୍ତ୍ତୀ ପତ୍ରରେ ଆହୁରି ଅଧିକ ଲେଖିବ-। ହଁ, ମୁଁ ତ ଖୁବ୍‌ ଦୃଢ଼ ଭାବରେ ବିଶ୍ୱାସ କରୁଛି ଯେ, ମୁଁ ନିଜେ ଦିନେ ଭାରତ ଯିବି ଓ ନିଜର ଆଖିରେ ହିଁ ସବୁକିଛି ଦେଖିପାରିବି । ମାତ୍ର ସେକଥା ଘଟିବାକୁ ନିଶ୍ଚୟ ବହୁତ ଡେରି ହେବ ହିଁ ହେବ । ସେପର୍ଯ୍ୟନ୍ତ ଚିଠିଦ୍ୱାରା ସବୁ ଜଣାଉଥିବ ।

 

ମୁଁ ଓ ବାପା ତୁମକୁ ଓ ତୁମର ପରିବାରକୁ ଶୁଭକାମନା କରି ପଠାଉଛୁ ।

 

ଶାଲୋମ୍‌,

ତୁମର

ମୋଶେ ।

 

ଶ୍ରୀମତୀ ବେଟୀ ଲାଭି

 

ମା’ ବାରୋଥ୍‌, ଇସ୍ରାଏଲ୍‌, ୨୫ । ୧୨ । ୧୯୫୫

 

Dear Chitta,

 

ତୁମ ପାଖକୁ ଚିଠିଟିଏ ଲେଖିବି ବୋଲି ମୁଁ ବହୁତ ଦିନରୁ ଠିକ୍‌ କରିଛି । ମାତ୍ର, ଇଂରାଜୀ ଭାଷାରେ କିଛି ଲେଖିବା ମୋ’ ଲାଗି ମୋଟେ ଏକ ସହଜ କାମ ନୁହେଁ । ତେଣୁ, ଠିକ୍‌ କରିଥିଲେ ମଧ୍ୟ ଖାଲି ଗଡ଼େଇ ଗଡ଼େଇ ଚାଲିଛି । ଆଉଦିନେ ଲେଖିବି, ଆଉ ଦିନେ ଲେଖିବି,–ସବୁଦିନେ ଏହିପରି ଭାବୁଛି । ଏବର୍ଷ ମୁଁ ନିଜେ ପଢ଼ୁଛି, ପଢ଼ାଇବାର କାର୍ଯ୍ୟଟି ଆପାତତଃ ଛାଡ଼ି ଦେଇଛି । ତେଣୁ, ପୂର୍ବ ଅପେକ୍ଷା ଟିକିଏ ଅଧିକ ଫୁରସତ ସମୟ ପାଇପାରୁଛି ।

 

ଏହି ଚିଠିଟିକୁ ତୁମପାଖକୁ କିଏ ଲେଖୁଛି, ତୁମେ ହୁଏତ ଜାଣି ପାରୁନଥିବ; ତେଣୁ ସର୍ବପ୍ରଥମେ ନିଜର କିଛି ପରିଚୟ ଦେବା ହିଁ ଉଚିତ ହେବ । ଯେତେବେଳେ ତୁମେ ଏହି ମା’ ବାରୋଥ୍‌ କିବୁଟ୍‌ଜ୍‌କୁ ଆସି ଏଠାରେ କିଛିଦିନ ରହିଥିଲ, ସେତେବେଳେ ମୁଁ ଆମ ସ୍କୁଲରେ ଗୋଟିଏ ଶ୍ରେଣୀକୁ ପାଠ ପଢ଼ାଇବାର ଦାୟିତ୍ୱରେ ରହିଥିଲି । ଏଗାର ବର୍ଷର ପିଲାମାନଙ୍କର ଗୋଟିଏ ଶ୍ରେଣୀ । ତୁମେ ଆମ କ୍ଲାସ୍‌କୁ ଆସିଥିଲ ଓ ଭାରତ ବିଷୟରେ ପିଲାମାନଙ୍କୁ କିଛି କହିଲ-। ଭାରତବର୍ଷରେ ଥିବା ତୁମ ଘର ବିଷୟରେ କହିଥିଲ । ପିଲାମାନେ କେତେ ନାହିଁ କେତେ ପ୍ରଶ୍ନ ପଚାରିଥିଲେ ଓ ତୁମେ ସେଗୁଡ଼ିକର ଉତ୍ତର ଦେଇଥିଲ । ମୋ’ କଥାକୁ ନିଶ୍ଚୟ ବିଶ୍ୱାସ କର ଯେ, ସେହିଦିନଠାରୁ ଯେତେବେଳେ ଭାରତବର୍ଷର କଥା ଆଲୋଚନା ମଧ୍ୟକୁ ଆସିଛି, ଆମେ ସେତେବେଳେ ତୁମକୁ ମଧ୍ୟ ମନେ ପକାଇଛୁ । ମୋ’ର ପିଲାଏ ଭାରତବର୍ଷ ତୁଳନାରେ ବରଂ ତୁମକୁ,–ଚିତ୍ତକୁ–ପ୍ରକୃତରେ ଅଧିକ ହିଁ ମନେ ପକାଇଛନ୍ତି, କାରଣ ସେମାନେ ସମସ୍ତେ ବ୍ୟକ୍ତିଗତ ଭାବରେ ତୁମକୁ ଜାଣିଛନ୍ତି ।

 

ମୁଁ ବେଶ୍‌ ଅନୁମାନ କରି ପାରୁଛି, ସେଠାରେ ତୁମେ ଅତ୍ୟନ୍ତ କାର୍ଯ୍ୟବ୍ୟସ୍ତ ହୋଇ ରହିଥିବ । ତଥାପି ମୋ’ର ଅନୁରୋଧ ଯେ ନିଜର କାମ ବିଷୟରେ ତୁମେ ମୋ’ ପାଖକୁ ଅବଶ୍ୟ କିଛି କିଛି ଲେଖିବ । ମୋ’ର ସ୍ପଷ୍ଟ ଭାବରେ ମନେ ଅଛି, ନିଜ ଦେଶକୁ ଫେରି ତୁମେ ନୂଆ ବିଚାରରେ ଶିକ୍ଷାର କ୍ଷେତ୍ରରେ କିଛି କରିବ ବୋଲି ସ୍ଥିର କରିଥିଲ । ସେହି ଦିଗରେ ଇତିମଧ୍ୟରେ କିଛି ଅଗ୍ରସର ମଧ୍ୟ ହୋଇଯିବଣି । ଆରମ୍ଭ କଲ କିପରି ? ଇତି ମଧ୍ୟରେ ପ୍ରକୃତରେ କ’ଣ ହାସଲ କରିପାରିଛ ? ତୁମେ ଯାହା ଲେଖିବ, ମୋ’ର ଅନ୍ତତଃ କିଛି ଧାରଣା ବି ହୋଇଯିବ । ଏଠି ଇସ୍ରାଏଲ୍‌ରେ ମଧ୍ୟ ବହୁତ ବହୁତ କ୍ଷେତ୍ରରେ ପୁରୋଗାମୀ କାର୍ଯ୍ୟମାନ ସବୁବେଳେ ଚାଲିଛି । ଏଠାରେ ଥିଲାବେଳେ ତୁମେ ତ ସେହି ବର୍ଗର ଅନେକ କିଛି ନିଜେ ଦେଖିବାକୁ ପାଇଥିବ । ମାତ୍ର, ତୁମ ଦେଶ ଓ ମୋ’ ଦେଶ ମଧ୍ୟରେ ଭଳିଭଳି ବହୁତ ପ୍ରାର୍ଥକ୍ୟ ସର୍ବଦା ରହିଛି । ତୁମେ ତ ଏଠାରେ ଇସ୍ରାଏଲ୍‌ରେ ଥିଲ ଏବଂ ଆମର ଦୈନନ୍ଦିନ ଜୀବନରେ ଆମକୁ ଭଲ ଭାବରେ ନିଶ୍ଚୟ ଲକ୍ଷ୍ୟ କରି ଦେଖିଥିବ । ନିଶ୍ଚୟ ହୃଦୟଙ୍ଗମ କରିଥିବ ଯେ, ଆମେ ଏଠାରେ ଯାହାସବୁ ସମ୍ଭବ କରିବା ନିମନ୍ତେ ପ୍ରଥମ ପାଦଗୁଡ଼ିକୁ ପକାଇଛୁ, ତାହାକୁ ଅନବଚ୍ଛିନ୍ନ ଭାବରେ ଚଲାଇ ରଖିବା ନିମନ୍ତେ ଏଠାରେ ଆବଶ୍ୟକ ଶାନ୍ତି ଓ ନିରାପତ୍ତା ମଧ୍ୟ ସର୍ବଦା ରହିଥିବା ଏକାନ୍ତ ଆବଶ୍ୟକ ।

 

ଯେଉଁ ଇହୁଦୀମାନେ ପୃଥିବୀଯାକର ଭିନ୍ନଭିନ୍ନ ଦେଶରୁ ଏଠାକୁ ଆସୁଛନ୍ତି, ସେମାନଙ୍କୁ ସମସ୍ତଙ୍କୁ ଗୋଟିଏ ଜାତିର ଗଢ଼ଣ ଭିତରେ ଆଣି ପକାଇବାକୁ ହେବ । ସେମାନେ ଯଥାବଶ୍ୟକ ଶିକ୍ଷାଲାଭ କରିବେ, ନିଜେ ରହିବା ପାଇଁ ଗୃହ ଏବଂ ବସତିମାନ ନିର୍ମାଣ କରିବେ; ଏଠାରେ ଥିବା ଜମିଗୁଡ଼ିକୁ ଜଳସେଚିତ କରିବେ, ମୃତ୍ତିକାକୁ ଆବଶ୍ୟକ ପରିମାଣରେ ଉର୍ବର କରି ଆଣିବେ,–ନାନାବିଧ ଶିଳ୍ପୋଦ୍ୟୋଗର ସ୍ଥାପନା କରିବେ, ଇତ୍ୟାଦି, ଇତ୍ୟାଦି । ଏବଂ, ଏହି ସବୁଯାକ କାର୍ଯ୍ୟ ପ୍ରକୃତରେ କିପରି ସମ୍ପନ୍ନ ହେବ ତଥା ନିର୍ଦ୍ଧାରିତ ସମୟ ମୁତାବକ ହେବ ! ଉଦାହରଣ ସ୍ୱରୂପ, ଏଠାରେ ମା’ ବାରୋଥରେ ମୋ’ ଶ୍ରେଣୀଟି ବର୍ତ୍ତମାନ ତ ଗୋଟାଏ ଅସ୍ଥାୟୀ ଛାତତଳେ ଚାଲି ଆସୁଛି ଏବଂ ଆମକୁ ଏବେ ତା ପରିବର୍ତ୍ତରେ ଗୋଟାଏ ପକ୍କା ବଖରା ତିଆରି କରିବାକୁ ପଡ଼ିବ !

 

ଚିତ୍ତ, ଏହି ଚିଠିଟି ଲେଖିବାକୁ ଆରମ୍ଭ କରିବା ସମୟରେ ମୁଁ ମୋ’ ମଥା ଭିତରେ ଆଦୌ ଚିନ୍ତା କରିନଥିଲି ଯେ, ମୋ’ ନିଜର ଏହି ସାନ ଦେଶଟିର ବହୁତ ବହୁତ ଅସୁବିଧା ବିଷୟରେ ମୁଁ ଚିଠିରେ ବର୍ଣ୍ଣନା କରି ତୁମକୁ କହିବି । ବରଂ, ତୁମଠାରୁ ଅନେକ କଥା ଶୁଣିବି ବୋଲି ଇଚ୍ଛା କରିଥିଲି । ତେଣୁ, ଯଦି ତୁମେ ଭାରତବର୍ଷର ସାମ୍ପ୍ରତିକ ରାଜନୀତିକ ଘଟଣାବଳୀ ବିଷୟରେ ମୋତେ କହିବ, ତେବେ ତୁମପାଖରେ ମୁଁ ବହୁତ କୃତଜ୍ଞ ହୋଇ ରହିବି । ସାଂପ୍ରତିକ ଆନ୍ତର୍ଜାତିକ ସମ୍ପର୍କଗୁଡ଼ିକ ସମ୍ବନ୍ଧରେ ତୁମଦେଶର ଅଧିବାସୀମାନେ କ’ଣସବୁ ଅନୁଭବ କରୁଛନ୍ତି ଓ ଚିନ୍ତା କରୁଛନ୍ତି ? ହଁ, ଖବରକାଗଜଗୁଡ଼ିକ ପଢ଼ି ମୁଁ କିଛି କିଛି ଜାଣିପାରୁଛି ସତ, ମାତ୍ର ତୁମଠାରୁ କିଛି ଶୁଣିଲେ ତାହା ସମ୍ପୂର୍ଣ୍ଣ ଭିନ୍ନ ପ୍ରକାରର ହିଁ ହେବ । କାରଣ, ସମ୍ବାଦପତ୍ରଗୁଡ଼ିକରେ ଯାହାସବୁ ବାହାରେ, ସେଥିରେ ଅନେକ ସମୟରେ ପ୍ରକୃତ ତଥ୍ୟ ଖୁବ୍‌ କମ୍‌ ଥାଏ ଏବଂ ସେଗୁଡ଼ିକ ଉପରେ କେତେ କ’ଣ ରଙ୍ଗ ବୋଳି ଦିଆଯାଇଥାଏ ।

 

ମୋ’ର ଏହି ଚିଠିଟି ବଡ଼ ହୋଇ ଯାଉଛି । ତେଣୁ, ଏଥର ସାରିବାକୁ ପଡ଼ିବ । ତୁମଠାରୁ ଉତ୍ତରଟିଏ ପାଇଲେ ମୁଁ ଯେ କେତେ ଖୁସୀ ହେବି, ତାହା ମୁଁ ବ୍ୟକ୍ତ କରିପାରିବି ନାହିଁ। ମୋ’ର ସବୁ ପ୍ରଶ୍ନର ଯଥୋଚିତ ଉତ୍ତର ଦେବାକୁ ହେଲେ ତୁମକୁ ମଧ୍ୟ ଲମ୍ବ ଚିଠିଟିଏ ଲେଖିବାକୁ ହେବ । ଉତ୍ତର ଯେଡ଼େ ବଡ଼ ବା ସାନ ହେଉ ପଛକେ, ସେଇଟିକୁ ପାଇ ମୁଁ ପ୍ରକୃତରେ ବହୁତ ଆନନ୍ଦ ଅନୁଭବ କରିବି ।

 

ଶାଲେମ୍‌ ଏବଂ ମୋ’ର ଶୁଭତମ କାମନାଗୁଡ଼ିକ ସହିତ,

 

ତୁମର

ବେଟୀ

 

Peter P. Rohde ଏବଂ Ina Haxen Rohde

 

[ପିଟର ଓ ଇନା ମୋ’ର ଡେନ୍‌ମାର୍କ୍‌ର ରାଜଧାନୀ କୋପେନ୍‌ହେଗେନ୍‌ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ସମୟରୁ ହିଁ ପରିଚିତ ହୋଇ ଯାଇଥିଲେ । ପିଟର ଗୋଟିଏ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ, ଏବଂ ଜଣେ ପ୍ରଶ୍ରିତ ଲେଖକ ଥିଲେ । Soeren Kirkegaard ଙ୍କ ଡାଇରିଗୁଡ଼ିକର ସମ୍ପାଦନା କରିଛନ୍ତି । ଇନା ତ ସେହି ପ୍ରବାସରେ ମୋ’ର ମାଆପରି ହୋଇଯାଇଥିଲେ । ଏବେ ଦୁଇବର୍ଷ ତଳେ ୯୬ ବର୍ଷରେ ବିଦାୟ ନେଲେ; ତଥାପି ଶେଷଯାଏ ଠିକ୍‌ ସ୍ୱାଭାବିକ ସବୁଦିନ ପରି ଅତ୍ୟନ୍ତ ସଚେତନ ଓ ସ୍ନେହଶୀଳ ରହିଥିଲେ । ମୋ’ ପାଖକୁ ଗଦାଗଦା ଚିଠି ଲେଖିଛନ୍ତି,–ଠିକ୍‌ ଜଣେ ମାଆ ତା’ ପାଠୁଆ ପୁଅ ପାଖକୁ ଲେଖିଲା ପରି । ଡେନିଶ୍‌ ଭାଷାରେ ସେମାନଙ୍କର ଚିଠିଗୁଡ଼ିକ ମଧ୍ୟରୁ ମୁଁ କେତୋଟିକୁ ଏଠାରେ ଅନୁବାଦ କରିଦେଇଛି ।]

 

କୋପେନ୍‌ହେଗେନ୍‌, ୨୦ । ୯ । ୫୩, ରବିବାର

 

ସ୍ନେହର ଚିତ୍ତ,

 

ତୁ ମୋ’ ଉପରେ ଖୁବ୍‌ ରାଗିଯିବୁଣି, ନୁହେଁ ? ଏବଂ, ମୁଁ ବି ସେହି କଥାଟିକୁ ଖୁବ୍‌ ଭଲ ଭାବରେ ବୁଝିପାରୁଛି । କିନ୍ତୁ ତୁ ବର୍ତ୍ତମାନ ତୋ’ର ଡେନ୍‌ମାର୍କରେ ଥିବା ମାଆଟିକୁ ମାଫ୍‌ କରିବୁ: ସିଏ ଚିଠି ଲେଖିବ ବୋଲି ଜବାବ ଦେଇଥିଲା, କିନ୍ତୁ ଲେଖି ପାରିଲା ନାହିଁ । ମାସ ମାସ ଧରି ତୁନି ହୋଇ ରହିଗଲା । ବିଶ୍ୱାସ କର, ତୋତେ ମୁଁ ମୋଟେ ଭୁଲି ଯାଇନାହିଁ । ତୋ’ର ଫଟୋ ପରା ଏଇଠି ମୋ’ ଆଗରେ ମୋ’ ଲେଖିବା ଟେବୁଲ୍‌ ଉପରେ ଥୁଆ ହୋଇଛି,–ଉଲ୍‌ଫ୍‌ର ଫଟୋ ସହିତ-। ଉଲ୍‌ଫ୍‌ ହେଉଛି ମୋ’ ନିଜ ଗର୍ଭରୁ ଜନ୍ମ ଦେଇଥିବା ପୁଅ ଏବଂ ତା’ ପାଖକୁ ଭାରତବର୍ଷର ଜଣେ ମାଆର ଗର୍ଭରୁ ଜନ୍ମ ହୋଇଥିବା ପୁଅ,–ଦୁହିଁଙ୍କ ଫଟୋ । ଆମେ ଏହି ଦୁଇଜଣଯାକ ମାଆ,–ଯେଉଁମାନଙ୍କର କେତେ ମମତାର ଥଳ ପୁଅ । ପୁଅଦୁଇଟି ସେମାନଙ୍କଠାରୁ କେତେ ନା କେତେ ଦୂରରେ ଯାଇ ରହିଛନ୍ତି ! ଚିତ୍ତ, ତୁ ଆଦୌ ଭୁଲି ଯିବୁନାହିଁ ଯେ ମାଆମାନେ ମଧ୍ୟ ସେମାନଙ୍କର ପୁଅମାନଙ୍କଠାରୁ ସମ୍ବାଦ ପାଇବେ ବୋଲି ସବୁବେଳେ ଚାହିଁ ରହିଥାନ୍ତି । ସେହି ମାଆମାନେ ଅବଶ୍ୟ ପୁଅମାନଙ୍କ ପାଖକୁ ଚିଠି ଦେବାରେ ମଝିରେ ମଝିରେ ଭାରି ହେଳା କରି ପକାଇଥାନ୍ତି-। ହେଳା ପଛରେ କାରଣ ଅନେକ ରହିଥାଏ । ମାଆମାନେ ହୁଏତ ଲେଖି ବି ଜାଣିନଥାନ୍ତି ଅଥବା ଠିକ୍ ବାଗରେ ଆଦୌ କିଛିହେଲେ ଲେଖି ପାରନ୍ତିନାହିଁ । ଭାବନ୍ତି, ପିଲାଏ ତ କେତେ ନା କେତେ ପାରଙ୍ଗମ ହୋଇଗଲେଣି ! ଦିନେ ସିନା ସାନ ଥିଲେ, ଏବେ ତ ସେମାନଙ୍କୁ ଅନାଇ ଦେଖିବା ବେଳକୁ ଆଖି ପାଉନାହିଁ,–ନିଜକୁ ଭାରି ବୋକା ମନେ ହେଉଛି ।

 

ଠିକ୍‌ ଚଉଦଦିନ ପୂର୍ବେ, ଏହିପରି ଗୋଟିଏ ରବିବାର ଦିନ ସକାଳେ ଉଲ୍‌ଫ୍‌ ଏଠାରୁ ଗଲା । ସେଦିନ ବଡ଼ ଖରାପ ଲାଗିଲା; ଘରକୁ ଫେରିଯାଇ ମୁଁ ଏକୁଟିଆଟି ବସି ବେଶ୍‌ କିଛି ସମୟ ଲାଗି ଖୁବ୍‌ କାନ୍ଦିଥିଲି । ତା’ପରେ ଉପରକୁ ଯାଇ ଉଲ୍‌ଫ୍‌ର କୋଠାରୀଟିକୁ ସଫା କଲି, ବିଛଣାପତ୍ର ପବନରେ ଦେଲି । ସେଦିନ ପରା ତୋ’ର ବନ୍ଧୁ ଜିତେନ୍ଦ୍ରନାଥ ମହାନ୍ତିର ଆସିବାର ଥିଲା । ତା’ପାଇଁ ସେହି ଘରେ ରହିବାର ବ୍ୟବସ୍ଥା କରାଯାଇଥିଲା । ସିଏ ଏଠାରୁ କାଲି ଗଲା । ତା’ କଥା ଆମ ହୁହିଁଙ୍କର ଭାରି ମନେ ପଡ଼ୁଛି । ସେ ଏହି ୧୪ଟି ଦିନ ରହି ଆମର ପୂରା ଚିହ୍ନା ହୋଇଗଲା । ସିଏ ଆମ ବିଷୟରେ କ’ଣସବୁ ଧାରଣା ନେଇ ଗଲା କେଜାଣି ? ଆମକୁ ତ କେତେ ନା କେତେ ଭଲ ଲାଗିଲା ! ମୁଁ ତ ବହୁତ ଆଶା କରୁଛି ଯେ, ନିଜ ଦେଶକୁ ଫେରିଯିବା ପୂର୍ବରୁ ସେ ପୁଣିଥରେ ଆସି ଆମପାଖରେ କିଛିଦିନ ପାଇଁ ରହିବ । ହୁଏତ ସିଏ ନିଜେ ମଧ୍ୟ ତୋ’ ପାଖକୁ ଚିଠି ଦେଇ ସାରିବଣି-। ଏଠୁ ଗଲାବେଳେ ତୋ’ର ଇଟାଲି ଠିକଣା ଆମପାଖରୁ ଲେଖି ନେଇଥିଲା । ସିଏ ଏଠାର ଥିବାବେଳେ ମଧ୍ୟ ଆମେ ତୋ’ ପାଖକୁ ଚିଠି ଲେଖିବୁ ବୋଲି ଭାବୁଥିଲୁ–କିନ୍ତୁ ପ୍ରାୟ ପ୍ରତ୍ୟେକ ଦିନ କେତେ ନା କେତେ କାମ ପଡ଼ି ଯାଉଥିଲା । ଜିତେନ୍ଦ୍ର ବହୁତ ଲୋକଙ୍କ ସହିତ ଦେଖାକଲା । ଆମେ ବି ତା’ ସହିତ ବହୁତ ବିଷୟରେ କଥା ହେଉଥିଲୁ । ଭାରି ବୁଦ୍ଧିମାନ୍‌, ମେଧାଯୁକ୍ତ–ଠିକ୍‌ ତୋ’ରି ପରି, କିନ୍ତୁ ତଥାପି ସମ୍ପୂର୍ଣ୍ଣ ଅନ୍ୟପ୍ରକାରର । ଏହି ମଣିଷ ସଂସାରର ଅଧିକ ନିକଟବର୍ତ୍ତୀ । ତୋ’ ସହିତ କଥା କହିବା ସମୟରେ ମୋ’ର ଟିକିଏ ଡରଡର ଭାବ ବି ରହିଥାଏ, ତୋ’ର ଏତେଏତେ ବୁଦ୍ଧିମତ୍ତାରେ ଶଙ୍କି ଯାଉଥିଲା ପରି ଲାଗୁଥାଏ । ତୁ ସବୁବେଳେ ସତେଅବା କ’ଣ ପାଇଁ ବିରକ୍ତ ହୋଇ ରହିଥାଉ । ମାତ୍ର, ତୋ’ର ଏହି ବନ୍ଧୁଟି ସହିତ କଥା ହେବାକୁ ମୋତେ ମୋଟେ ଭୟ ଲାଗିଲାନାହିଁ ଏବଂ ଏହିପରି ଭାବରେ ସେ ମୋତେ କେତେ କଥା ଶିକ୍ଷା ଦେଇ ପାରିଲା । ମୁଁ ମଧ୍ୟ ତାକୁ କେତେ କଥା କହିଦେଇ ପାରିଲି-। ଜଣେ ବିଦେଶୀକୁ ସାଧାରଣତଃ ଯେତେ କଥା କହି ହୁଏନାହିଁ, ତା’ଠାରୁ ଅନେକ ବେଶୀ । (ବିରତି)

 

ହଁ, ଏହି ବିରତି ସମୟରେ ପିଟର୍‌ ଓ ମୁଁ ଖାଇ ବସିଥିଲୁ । ବହୁଦିନ ପରେ ପୁଅକୁ ବାଦ୍‌ ଦେଇ ଆମେ ଦୁଇଜଣ ହିଁ ଖାଇ ବସିଥିଲୁ । ଜିତେନ୍ଦ୍ର ଏଠି ଥିଲାବେଳେ ଆମକୁ କିଛି ଭାରତୀୟ ରନ୍ଧା ମଧ୍ୟ ଶିଖାଇ ଦେଇ ଯାଇଥିଲା । ବହୁତ ମସଲା ସହିତ ସମ୍ପୂର୍ଣ୍ଣ ଅନ୍ୟ ପ୍ରକାରର ଏକ ସୁଆଦିଆ ସାଧା ତରକାରୀ, ଗତ ପନ୍ଦରଦିନ ହେଲା ଘରେ କେବେ ଥରେ ବି ମାଉଁସ ରନ୍ଧା ହୋଇନାହିଁ । ବେଶ୍‌ ଭଲ ବି ଲାଗୁଛି । ପିଟର୍‌ଙ୍କର ଯୋଗସାଧନା ବି ଆଗ ଅପେକ୍ଷା ଅଧିକ ତାକତ ସହିତ ଚାଲିଛି । ସିଏ ତ ଏବେ ଏକ ଘଣ୍ଟାରୁ ଅଧିକ ସମୟ ମୁଣ୍ଡ ଉପରେ ଛିଡ଼ା ହୋଇ ପାରୁଛନ୍ତି । ମୋତେ ଡର ମାଡ଼ୁଛି ତ, ତେଣୁ ମୁଁ ଟିକିଏ ବଢ଼ାଇ କରି କହି ପକାଇଲି !

 

ଏକଥା ଭାବିଲା ବେଳକୁ ଭାରି ଖୁସୀ ଲାଗୁଛି ଯେ ଉଲ୍‌ଫ୍‌ ଓ ତୋ’ର ଆଉ କିଛିଦିନ ପରେ ଇସ୍ରାଏଲ୍‌ରେ ଭେଟ ହେବ । ଉଲ୍‌ଫ୍‌ ଚିଠିରେ ଲେଖିଛି ଯେ ସେଠାରେ ସେ ଖୁବ୍‌ କଠିନ କାର୍ଯ୍ୟମାନ କରୁଛି । ଶୁଣି ମନ ଖୁସୀ ହୋଇ ଯାଉଛି । ସେମାନେ ଗଛ କାଟୁଛନ୍ତି, ମାଟି ଖୋଳୁଛନ୍ତି, ଗୃହପାଳିତ ପଶୁଙ୍କର ଯତ୍ନ ନେଉଛନ୍ତି–ଇତ୍ୟାଦି । ଏବଂ ଉପରଓଳି ହିବ୍ରୁ ଭାଷା ଶିଖୁଛନ୍ତି । ହିବ୍ରୁ ଭାଷାରେ ସେହି ଭାଷାକୁ ‘ଇଭ୍‌ରିତ୍‌’ ବୋଲି କୁହାଯାଏ ।

 

ଚିତ୍ତ, ତୋ’ର ମନେ ଅଛି, ଥରେ ମୁଁ ଇଉରୋପକୁ ନ୍ୟୂନ କରି ଦେଖାଇ ତୋ’ ଆଗରେ ଭାରତବର୍ଷ ଓ ଭାରତବର୍ଷୀୟ ସଂସ୍କୃତିର ପ୍ରଶଂସା କରି କ’ଣ ସବୁ କହିଥିଲି ? ତୁ କହିଥିଲୁ, ଭାରତବର୍ଷ ବିଷୟରେ ଏପରି ବିଶେଷତ୍ୱଗୁଡ଼ିକୁ ଯୋଡ଼ି ଦେଇ କିଛି କହିବା ଏକ ରୋମାଣ୍ଟିକ୍‌ ଖୋଇ ବ୍ୟତୀତ ଆଉ କିଛି ନୁହେଁ । ତଥାପି, ମୋଟେ କୌଣସି ପ୍ରକାରେ ରୋମାଣ୍ଟିକ୍‌ ନ ହୋଇ ମୁଁ ଏହିପରି ହୁଏତ କହିବି: ଯଦି ଏ ପାଖ ପୃଥିବୀରେ ବର୍ତ୍ତମାନ ଏକ ପରମାଣୁ-ଯୁଦ୍ଧ ଲାଗିଯିବ, ତେବେ ତଦ୍ଦ୍ୱାରା ଏହି ପୃଥିବୀର ଏକ ବୃହତ୍ତର ଭାଗ ସମ୍ପୂର୍ଣ୍ଣ ଭାବରେ ଧ୍ୱସ୍ତବିଧ୍ୱସ୍ତ ହୋଇଯିବ । ମଣିଷ ସେମାନଙ୍କ ଦ୍ୱାରା ତିଆରି ହୋଇଥିବା ଯାବତୀୟ ସବୁକିଛି–ନୁହେଁ କି ? ଓ ତା’ପରେ ଇଉରୋପ, ଆମେରିକା ତଥା ଭାରତବର୍ଷରେ ଯେଉଁ ମୁଷ୍ଟିମେୟ ମାତ୍ର କିଛି ମଣିଷ ତଥାପି ରହିଯିବେ–ସେହିମାନେ ହିଁ ସେତେବେଳେ ପୁଣି ନିଜପାଇଁ ନୂଆ ପୃଥିବୀଟିଏ ଗଢ଼ିବାର ପ୍ରାୟସ କରିବେ । ମୁଁ ଭାବୁଛି, ସେତେବେଳେ ମଧ୍ୟ ସେହି ଇଉରୋପୀୟ (ତଥା ଆମେରିକୀୟ) ମୁଷ୍ଟିମେୟଙ୍କର ବୁଦ୍ଧିବୃତ୍ତି ତଥାପି ପୂର୍ବପରି ହିଁ ବର୍ବରତାପୂର୍ଣ୍ଣ ହୋଇ ରହିଥିବ । କାରଣ ମଣିଷ ମଣିଷକୁ ଏକାଠି ଯୋଡ଼ି ରଖିବାଲାଗି ଆଦୌ କିଛି ହେଲେ ନଥିବ, ନୀତି, ସଂସ୍କୃତି, ନୈତିକ ଆଚରଣ, ଧର୍ମ–କୌଣସି କ୍ଷେତ୍ରରେ ହିଁ କିଛି ନଥିବ । ଅରାଜକତା ଓ ବର୍ବରତା ଘୋଟି ରହିଥିବ । ଅପରପକ୍ଷରେ, ଏସିଆରେ ସଂସ୍କୃତିର ଚେରଟି ଏତେ ଗଭୀରକୁ ପ୍ରବେଶ କରି ପାରିଛି ଯେ–ସ୍ୱଭାବ ମଧ୍ୟରେ ଏକ ଦୃଢ଼ ରକ୍ଷଣଶୀଳତା ମଧ୍ୟ ରହିଛି–ଏବଂ ତାହାରି ଭିତ୍ତି ଉପରେ ହିଁ ଏକ ସୁସ୍ଥ ନିର୍ମାଣ ଅବଶ୍ୟ ସମ୍ଭବ ହେବ । ଗୋଟିଏ ଦୃଷ୍ଟାନ୍ତ ହେଉଛି ; ଦୁଇ ହଜାର ବର୍ଷ ଯାବତ୍‌ ଏକ ପ୍ରତିଷ୍ଠିତ ସମୂହରୂପେ ବାସ କରି ଆସିଥିବା ଇହୁଦୀମାନଙ୍କୁ ଯେତେବେଳେ ସେମାନଙ୍କର ଭୂମିରୁ ତଡ଼ି ଦିଆ ତଡ଼ିଦିଆ ଯାଇଥିଲା,–ସେତେବେଳେ ଏକ ରକ୍ଷଣଶୀଳ ଧର୍ମ ହିଁ ସେମାନଙ୍କର ନୈତିକ ଜୀବନଭିତ୍ତିକୁ ତଥାପି ସୁରକ୍ଷିତ ରଖିଥିଲା । ତୁ ଲକ୍ଷ୍ୟ କରିଥିବୁ, ଏଠାରେ ମୁଁ ଇହୁଦୀମାନଙ୍କୁ ସେହି ଏସିଆର ଏକ ଜାତି ବୋଲି ବିଚାର କରୁଛି । ଇଉରୋପର ଖ୍ରୀଷ୍ଟିଆନ୍‌ ଧର୍ମ ମୂଳତଃ ଇହୁଦୀ ନୈତିକତାର ଭୂମି ଉପରେ ତିଆରି ହୋଇଛି ବୋଲି ସିନା କୁହାଯାଏ, କିନ୍ତୁ ଇତି ମଧ୍ୟରେ ସବୁକିଛି ଅତିଶୟ ପରିମାଣରେ ବସ୍ତୁବାଦୀ ହୋଇ ପଡ଼ିଛି–ଏଠି ବର୍ତ୍ତମାନ ତାହାର ବାସ୍ତବ ତାତ୍ପର୍ଯ୍ୟ ବୋଲି ଆଦୌ କିଛି ନାହିଁ । ତୁ ତ ଏହାର ପ୍ରମାଣ ଏହି ଦେଶରେ ତୋ’ର ରହିବା ସମୟରେ ଅବଶ୍ୟ ପାଇଥିବୁ !

 

ତୋ’ ଲାଗି ଆମ ଦୁହିଁଙ୍କର ହଜାରଥର ଶୁଭେଚ୍ଛା ।

 

ତୋ’ର

‘ମାଆ’ ଓ ପିଟର

 

କୋପେନ୍‌ହେଗେନ୍‌, ୨୬ । ୧୦ । ୫୩

 

ସ୍ନେହର ଚିତ୍ତ, ମୋ’ର ବହୁବିଦ୍ୟାବିତ୍‌ ପୁଅ,

 

ବର୍ତ୍ତମାନ ତ ତୁ ଏହି ସାନ ଦେଶଠାରୁ କେତେ ନା କେତେ ଦୂରକୁ ଚାଲି ଗଲୁଣି । କାଲି ଖବର ମିଳିଲା ଯେ ତୁ ବର୍ତ୍ତମାନ ମୋ’ ପବିତ୍ର ପିତୃଭୂମି ଇସ୍ରାଏଲ୍‌ରେ ଯାଇ ପହଞ୍ଚି ଯାଇଛୁ । ଜେରୁଜେଲମ୍‌ ଗଲୁଣି, କିବୁତ୍‌ଜ୍‌ ମଧ୍ୟ ଦେଖିଲୁଣି ।

 

ବସ୍ତୁତଃ ଏକ ଅତ୍ୟନ୍ତ ଅଶାନ୍ତ ସମୟରେ ହିଁ ତୁ ବର୍ତ୍ତମାନ ସେହି ପବିତ୍ର ଦେଶ (Holy Land)ରେ ଯାଇ ପହଞ୍ଚିଛୁ । ଆମ ଏଠାକାର ଖବରକାଗଜମାନଙ୍କରୁ ପ୍ରକୃତରେ କେବଳ ସେହିପରି ଧାରଣା କରାଯାଇ ପାରିବ । ଆମେ ଆଶା କରୁଛୁ ଯେ, ତୁ ମଧ୍ୟ ସେଠାରେ କ’ଣ ସବୁ କିପରି ଦେଖିଲୁ ଓ କିଭଳି ଧାରଣାମାନ କଲୁ, ଆମପାଖକୁ ସେହି ବିଷୟରେ କିଛି ଲେଖିବୁ ।

 

ଆମ ଦୁହିଁଙ୍କର ଜୀବନ ସେଇ ପ୍ରତିଦିନ ପରି ଚାଲିଛି । ପିଟର ସବୁବେଳେ ଖୁବ୍‌ କର୍ମରତ । ଏବଂ, ଖୁବ୍‌ଶୀଘ୍ର କ୍ଳାନ୍ତ ହୋଇ ଯାଉଛନ୍ତି । ଆଜି ସୋମବାର, ରାତି ଦଶଟା ବାଜି ସାରିଲାଣି,–ପିଟର ଏବେ ମଧ୍ୟ ନିଜ ଲେଖିବା ଟେବୁଲ ପାଖରେ ବସି କାର୍ଯ୍ୟ କରୁଛନ୍ତି । କାଲି କ’ଣ ଭାଷଣ ଦେବାର ଅଛି, ସେଇଟିକୁ ତିଆରି କରୁଛନ୍ତି । ବିଷୟ ହେଉଛି : ଷ୍ଟାଲିନ୍‌ଙ୍କ ମୃତ୍ୟୁପରେ ପୂର୍ବ-ଇଉେରାପର ବର୍ତ୍ତମାନ ଅବସ୍ଥା । ହଁ, କାଲି ମୁଁ ମଧ୍ୟ ତାଙ୍କ ସହିତ ତାଙ୍କର ସେହି ଭାଷଣ ଶୁଣିବାକୁ ଯିବି । ଏସବୁ ପ୍ରସଙ୍ଗ ମୁଁ ମୋଟେ କିଛି ବୁଝି ପାରେନାହିଁ । ଏବେ ତ ମୁଁ କିଛି ଲେଖାଲେଖି କରେନାହିଁ, ଭାଷଣ ଦେବାକୁ ବି ଯାଏନାହିଁ । ତେଣୁ ପିଟର ପାଇଁ ଅଧିକ ଅନୁକୂଳ ବେଳ ବର୍ତ୍ତମାନ–ଖୁବ୍‌ ନିଶ୍ଚିନ୍ତ ଓ ବିଘ୍ନଶୂନ୍ୟ ଭାବରେ ତାଙ୍କ କାମଗୁଡ଼ିକର ନିର୍ବାହ ହୋଇପାରୁଛି । ମୁଁ ମସଲା ପକାଇ ଭାରତୀୟ ଖାଇବାମାନ ରାନ୍ଧି ଦେଉଛି, ଭାରି ସୁଆଦ ଲାଗୁଛି ତାଙ୍କୁ । ଏବେ ତ ଦେହରେ ବେଶ୍‌ ମାଉଁସ ବି ଲାଗିଲାଣି ଆଖି ଦୁଇଟାକୁ ଜୁଳୁଜୁଳୁ କରି ଯେତେବେଳେ ଗୋଟାସୁଦ୍ଧା ଧ୍ୟାନସ୍ଥ ହୋଇ ଚେକା ମାଡ଼ି ସେ ବସି ଯାଉଛନ୍ତି, ସେତେବେଳେ ମୁଁ ଖୁବ୍‌ ଚିନ୍ତିତ ହୋଇ ପଡ଼ୁଛି । ମୁଁ ଭାରି ଭୀତ ହୋଇ ଭାବିବାରେ ଲାଗିଯାଉଛି ଯେ ସିଏ ସତେଯେପରି ଦୂର ଶୂନ୍ୟ ମଧ୍ୟରେ ରହିଥିବା ଗୋଟିଏ ଅନ୍ୟ କେଉଁ ସ୍ଥାନକୁ ଅନ୍ତର୍ହିତ ହୋଇ ଯାଉଛନ୍ତି । ମନେ ହେଉଛି, ତାଙ୍କର ଆତ୍ମା କୁଆଡ଼େ କେତେ ଦୂରକୁ ହିଁ ଚାଲିଯାଇଛି ଓ ଆଉ ମୋଟେ ଏଠାରେ ଆମର ଏହି ଘରଟିକୁ ବାହୁଡ଼ି ଆସିବନାହିଁ । ଏ ଘରଟା ଯେପରି ତାଙ୍କୁ ଆଉ ଆଦୌ ଭଲ ଲାଗୁନାହିଁ । ଅବଶ୍ୟ ବର୍ତ୍ତମାନ ସେ କେବଳ କାଲିପାଇଁ ନିଜର ଭାଷଣଟିକୁ ପ୍ରସ୍ତୁତ କରୁଛନ୍ତି ।

 

ପିଟର ଓ ମୁଁ କେତେ ଖୁସୀ ହେଲୁ ତୁ ଇସ୍ରାଏଲରୁ ପଠାଇଥିବା ଚିଠିଟିକୁ ପାଇ । ବିଚରା ସେହି ଚୁଟିଆ ମୂଷାଟି, ଯିଏ ସେପାଖ ଜର୍ଡ଼ାନ ଦେଶରୁ ଆସି କିବୁତ୍‍ଜରେ ରହୁଥିବା ତୋ’ କୋଠରୀଟି ଭିତରେ ଆସି ପଶିଥିଲା ! ହଁ, ମୁଁ ପୁଣି ଥରେ ଦୃଢ଼ତାର ସହିତ କହିବି ଯେ, ଆରବ ଜାତିଟାକୁ ପ୍ରକୃତରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ସମୟ ମଧ୍ୟଦେଇ ଗତି କରିବାକୁ ପଡ଼ୁଛି । ସେହି ଭୂଇଁଟିକୁ ଶାସନ କରିବା ପାଇଁ ହିଁ ଭୂଇଁଟିର ଦୁଇ ପକ୍ଷକୁ ପରସ୍ପରଠାରୁ ଏପରି ବିମୁଖ କରି ରଖାଯାଇ ଆସିଥିଲା । ମୋ’ର ମୋଟେ ବିଶ୍ୱାସ ହୋଇ ପାରୁନାହିଁ ଯେ, ଯେତେଦିନ ପର୍ଯ୍ୟନ୍ତ ଇହୁଦୀମାନେ ନିଜକୁ ଏସିଆ ମହାଦେଶର ଏକ ଜନସମୂହ ବୋଲି ଅନୁଭବ ନକରିଛନ୍ତି, ସେପର୍ଯ୍ୟନ୍ତ ଏହି ସ୍ଥିତିରେ ଆଦୌ କୌଣସି ପରିବର୍ତ୍ତନ ହୋଇ ପାରିବ । ଇହୁଦୀ ଓ ଆରବ, ଦୁହେଁ ଗୋଟିଏ କୁଟୁମ୍ବର, ଜଣେ ଆଉଜଣଙ୍କର ପ୍ରକୃତରେ ଭାଇ । ତୁ ଆବ୍ରାହାମ୍‌ଙ୍କର କାହାଣୀ ବିଷୟରେ ଅବଶ୍ୟ ଜାଣିଥିବୁ । ଯେତେବେଳେ ଆବ୍ରାହାମ ଓ ତାଙ୍କର ପତ୍ନୀ ସାରା ବୃଦ୍ଧ ହୋଇଗଲେ–ତଥାପି ସେମାନଙ୍କର କୋଳରେ ସନ୍ତାନଟିଏ ନଥାଏ–ସେତେବେଳେ ଦାସୀ ହାଗାର୍‍ଙ୍କ ତରଫରୁ ଆବ୍ରାହାମ୍‌ଙ୍କୁ ପୁତ୍ରସନ୍ତାନଟିଏ ମିଳିଥିଲା,–ସେହି ପୁଅଟିର ନାମ ହେଲା ଇସ୍‌ମାଇଲ୍‌ । ଇତ୍ୟବସରରେ ଈଶ୍ୱରଙ୍କର ଦୂତ ଆସି ଦିନେ ଆବ୍ରାହାମ୍‌ଙ୍କୁ କହିଥିଲା ଯେ, ରାଣୀ ସାରାଙ୍କର ଗର୍ଭରୁ ମଧ୍ୟ ଏକ ପୁତ୍ର ଜାତ ହେବ । ମାତ୍ର, ସାରାଙ୍କର ବିଶ୍ୱାସ ହେଉନଥାଏ ଓ ସେ କବାଟ ଏ ପାଖରେ ଠିଆ ହୋଇ ହସିବାରେ ଲାଗିଥାଆନ୍ତି । ଈଶ୍ୱରଦୂତ ଏଥିରେ କ୍ରୋଧ ବ୍ୟକ୍ତ କରି ତାଙ୍କୁ କହିଲେ, ‘‘ସ୍ୱୟଂ ଈଶ୍ୱରଙ୍କର ବାଣୀ ଉପରେ ତୁମେ ସନ୍ଦେହ ପ୍ରକାଶ କରୁଛ କିପରି ?’’ ସାରା ପ୍ରକୃତିସ୍ଥ ହେଲେ, ଦୁଃଖ ମଧ୍ୟ ପ୍ରକାଶ କଲେ ଓ କହିଲେ, ‘‘ମୁଁ ତ ବୁଢ଼ୀ ହୋଇ ଗଲିଣି, ପୁଣି ପୁତ୍ରଟିଏ କିପରି ପ୍ରସବ କରି ପାରିବି ?’’ କିନ୍ତୁ ପ୍ରକୃତରେ ଈଶ୍ୱରଙ୍କର ବାଣୀ ହିଁ ସତ ହେଲା । ସାରାଙ୍କର ଗୋଟିଏ ପୁତ୍ର ଜାତ ହୋଇଥିଲା । ସେହି ପୁଅଟିର ନାମ ଇସାକ୍‌ । ତା’ପରେ ସାରା ଦାସୀଗର୍ଭରୁ ଜନ୍ମିଥିବା ସେହି ଅନ୍ୟପୁଅଟି ପ୍ରତି ବଡ଼ ଈର୍ଷାନ୍ୱିତ ହୋଇ ପଡ଼ିଲେ ଓ ମାଆପୁଅଙ୍କୁ ମରୁଭୂମିକୁ ପେଷି ଦେଇଥିଲେ । ସେମାନେ ସେଠାରୁ କିପରି ଉଦ୍ଧାର ପାଇ ଆସିଲେ, ମୋ’ର ମନେ ପଡ଼ୁନାହିଁ,–ସବୁକଥା ବାଇବେଲ୍‌ରେ ହିଁ ଲେଖା ହୋଇଛି; କିନ୍ତୁ ସତ ଘଟଣାଟି ହେଉଛି ଯେ ଇସ୍‌ମାଇଲ୍‌ ଆଡ଼ୁ ଆରବମାନେ ଜନ୍ମ ହେଲେ ଏବଂ ସାରାଙ୍କର ପୁଅ ଇସାକ୍‌ଠାରୁ ଇହୁଦୀମାନେ । ଏସବୁ ଘଟଣା ସୁନିଶ୍ଚିତ ଭାବରେ ୪୦୦୦ ବର୍ଷ ପୂର୍ବେ ହିଁ ଘଟିଥିଲା । ଏଥର ତୁ ବୁଝିପାରିବୁ, ଥରେ ଜର୍ଡ଼ାନ୍‌ର ରାଜା ଫଇଜାଲ୍‌ ଇସ୍ରାଏଲ୍‌ର ରାଷ୍ଟ୍ରପତିଙ୍କୁ ପାରିସ୍‌ଠାରେ କହିଥିଲେ ଯେ ଇହୁଦୀମାନେ ହେଉଛନ୍ତି ଆରବମାନଙ୍କର ଭାଇ,–ଏକା ବାପାଙ୍କଠାରୁ ସେମାନଙ୍କର ଜନ୍ମ । ଇସ୍ରାଏଲ୍‌ ହେଉଛି ଉଭୟଙ୍କର ହିଁ ପ୍ରାଚୀନ ଭୂମି ଓ ତେଣୁ ଉଭୟେ ଏଣିକି ଏକାଠି ହୋଇ ତାହାକୁ ନୂଆ କରି ଗଢ଼ିବା ହିଁ ଉଚିତ । ଏହି ଘଟଣା ୧୯୨୧ ଖ୍ରୀଷ୍ଟାବ୍ଦରେ ଘଟିଥିଲା । କିନ୍ତୁ ୧୯୪୭ ମସିହାରେ ମିଳିତ ଜାତିସଂଘରେ ଆରବମାନଙ୍କର ପ୍ରତିନିଧି ଇସ୍ରାଏଲ୍‌କୁ ଏକ ରାଷ୍ଟ୍ର ହିସାବରେ ସ୍ୱୀକୃତି ଦିଆ ଯିବାବେଳେ କହିଥିଲେ; ନାଇଁ ନାଇଁ, କେବଳ ଆମେ ହେଉଛୁ ପାଲେଷ୍ଟାଇନ୍‌ର ପ୍ରକୃତ ମାଲିକ,–କାରଣ ଇସ୍‌ମାଇଲ୍‌ ଆବ୍ରାହାମଙ୍କର ଔରସରୁ ପ୍ରଥମେ ଭୂମିଷ୍ଟ ହୋଇଛି । ସେତେବେଳେ ଇହୁଦୀମାନଙ୍କର ମୁଖପତ୍ର ଉତ୍ତର ଦେଇଥିଲେ : ହଁ, ହୋଇପାରେ, କିନ୍ତୁ ଇସାକ୍‌ ହେଉଛି ପିତା ଓ ମାତାଙ୍କର ପ୍ରକୃତ ଜନ୍ମିତ ପୁତ୍ର,–ତେଣୁ ଇତିହାସ ଅନୁସାରେ ଆମେ ହେଉଛୁ ସେହି ଭୂମିଟିର ଅଧିକାରୀ ।

 

ତୋ’ର

ମାଆ

 

କୋପେନହେଗେନ୍‌, ୧୦ । ୧୧ । ୫୩

 

ମୋ‘ର ପ୍ରିୟ ବଡ଼ପାଠୁଆ ପୁଅ,

 

ବର୍ତ୍ତମାନ ତ ତୁ ପ୍ରତିଦିନ କେତେ କଥା ଦେଖୁଥିବୁ ଓ କେତେକେତେ ନୂଆ ଅନୁଭବ ଲାଭ କରୁଥିବୁ; ବହୁସଂଖ୍ୟାରେ ନାନା କିସମର ମଣିଷ, ଇତ୍ୟାଦି, ଇତ୍ୟାଦି । ଏବଂ, ଏହି ସାନ ଦେଶଟିରେ ତୋ’ର ଯେଉଁ ପୁରୁଣା ବନ୍ଧୁ ଓ ପରିଚିତମାନେ ପଛରେ ରହିଗଲେ, ସେମାନଙ୍କର କଥା ଭାବିବା ନିମନ୍ତେ ତୋତେ କଦାପି ବେଶୀ ସମୟ ମିଳୁ ନଥିବ । ସବୁକିଛି ବିଚିତ୍ର ହିଁ ଲାଗୁଥିବ-

 

ତୋ’ର ଏଇ ଚିଠିଟିକୁ ପଢ଼ି ଆମେ ଦୁହେଁ ପ୍ରକୃତରେ କେତେ ଖୁସୀ ହୋଇଗଲୁ ! ଏବଂ, ଆମେ ଉଭୟେ ଏହି ଆଶା ରଖୁଛୁ ଯେ ତୋ’ ପାଖରୁ ଏହିପରି ସବୁବେଳେ ଚିଠି ଆସୁଥିବ,–କେବେହେଲେ ବନ୍ଦ ହେବନାହିଁ । ଚିତ୍ତ, ଏଠି ସତକୁ ସତ ତୋ’ କଥା ସବୁବେଳେ ହିଁ ମନେ ପଡ଼ୁଛି । ଏଠି ତୋ’ର କୁନି ଫଟୋଟିଏ ମୋ’ ଟେବୁଲ ଉପରେ ଥୁଆ ହୋଇଛି,–ମୋ’ ନିଜ ପିଲାଙ୍କ ଫଟୋର ଏକାବେଳେକେ ପାର୍ଶ୍ୱବର୍ତ୍ତୀ ଭାବରେ । ବେଳେବେଳେ ମୋ’ ଭିତରେ କିଞ୍ଚିତ୍ ଚିନ୍ତା ବି ପଶିଯାଉଛି, ଦେଶକୁ ଫେରି ତୁ କେତେ କେତେ କଠିନ କାମଦ୍ୱାରା ଅଣନିଃଶ୍ୱାସୀ ହୋଇ ପଡ଼ିବୁନାହିଁ ତ ? ଭାବୁଛି, ତୋ’ ଭିତରେ ଯଥେଷ୍ଟ ବଳ ରହିଛି ଓ ତୁ କେବେହେଲେ ହଟି ଯିବୁନାହିଁ-। କିନ୍ତୁ, ସମ୍ଭବତଃ ତୁ ତୋ’ର ଏହି ବୟସରେ ଜାଣି ପାରିନଥିବୁ ଯେ ଏହି ପୃଥିବୀରେ ଜଣେ ମଣିଷକୁ ତଳକୁ ଟାଣି ନେବାଲାଗି ମଧ୍ୟ ବହୁସଂଖ୍ୟାରେ ସର୍ବତ୍ର ଲୋକମାନେ ରହିଛନ୍ତି-। ବୁଝୁଛି, ଏହି କଥାଟିକୁ ଶୁଣି ତୁ ମନେମନେ ନିଶ୍ଚୟ ଟିକିଏ ହସି ବି ପକାଉଥିବୁ । କିନ୍ତୁ, ପ୍ରଥମେ ପ୍ରକୃତରେ ମୋଟେ ସନ୍ଦେହ ହୁଏନାହିଁ ଯେ ଚାରିପାଖରେ ରହିଥିବା ଲୋକ, ଏପରିକି ନିଜର ଅତି ନିକଟବର୍ତ୍ତୀ ସହଯୋଗୀ ଓ ସହକର୍ମୀଙ୍କ ଭିତରେ ମଧ୍ୟ ଏପରି ଲୋକ ଥାଆନ୍ତି,–ଯେଉଁମାନଙ୍କ ଉପରେ ସର୍ବଦା ନିର୍ଭର କରିବାକୁ ହୋଇଥାଏ । ହଁ, ଏପରି ବି ଘଟିପାରେ ଯେ, ତୁ ନିଜର ବିଚାର ତଥା ଧାରଣାଗୁଡ଼ିକୁ ନେଇ ନାନାବିଧ ଯୋଜନା କରିଥିବୁ ଏବଂ ଅତି ନିକଟର ସହଗାମୀମାନେ ହିଁ ସେଗୁଡ଼ିକର ପ୍ରତିରୋଧ କରିବାକୁ ବାହାରି ପଡ଼ିବେ । ଯଦି ତୋ’ ଦେଶ ଭାରତବର୍ଷରେ ସମସ୍ତେ ତୋ’ପରି ଏବଂ ଜିତେନ୍ଦ୍ର ପରି ହୋଇଥିବେ, ତେବେ ଭାରତବର୍ଷର ଭବିଷ୍ୟତ ପ୍ରକୃତରେ ଅତ୍ୟନ୍ତ ଉଜ୍ଜ୍ୱଳ ଏବଂ ସେଠାରେ ସବୁକିଛି ଶୀଘ୍ର ଅବଶ୍ୟ ଫଳି ପାରିବ ବୋଲି ନିଶ୍ଚୟ ଆଶା କରି ହେବ ।

 

ମୁଁ ସେଦିନ ମ୍ୟାଞ୍ଚେଷ୍ଟର ଗାର୍ଡ଼ିଆନ୍ କାଗଜରେ ଗୋଟିଏ ଲେଖା ପଢ଼ିଲି, ଯେଉଁଥିରେ ଭାରତବର୍ଷ ଓ ପାକିସ୍ତାନ ବିଷୟରେ ଚର୍ଚ୍ଚା କରା ଯାଇଥିଲା; ଦୁଇ ଦେଶର ନେତା ଯଦି ଏକାଠି ବସି ନିଜ ସମସ୍ୟାଗୁଡ଼ିକର ଆଲୋଚନା କରିବାକୁ ଇଚ୍ଛା କରିବେ, ସେମାନଙ୍କୁ କେହି କଦାପି ନା ବୋଲି କହିପାରିବ ନାହିଁ । ମାତ୍ର, ଅନ୍ୟ ପକ୍ଷରେ, ତେଲ-ଉତ୍ପାଦନରେ ସ୍ୱାର୍ଥ ରହିଥିବା ବୃହତ୍‌ଶକ୍ତିମାନେ ଆରବ ଓ ଇହୁଦୀମାନେ ଏକାଠି ବସି ଆପଣାର ସମସ୍ୟାଗୁଡ଼ିକ ବିଷୟରେ ଆଲୋଚନା କରନ୍ତୁ ବୋଲି କେବେହେଲେ ବାଟ ଛାଡ଼ିଦେବେ କି ? ଆରବ ପକ୍ଷର କୌଣସି ନେତୃସ୍ଥାନୀୟ ବ୍ୟକ୍ତି ଆଲୋଚନା ପାଇଁ ପସ୍ତାବଟିଏ ବାଢୁ ବାଢୁ ଖୁବ୍ ସମ୍ଭବ ତାହାକୁ ଆତତାୟୀ ହାତରେ ପ୍ରାଣ ଦେବାକୁ ପଡ଼ିବ ।

 

ଆମ ଉଭୟଙ୍କ ତରଫରୁ ଶତ ଶତ ଧନ୍ୟବାଦ ।

-ମାଆ

 

କୋପେନ୍‌ହେଗେନ୍, ୧୯ । ୧୧ । ୫୩

 

ମୋ’ର ପ୍ରିୟ ବଡ଼ପାଠୁଆ ପୁଅ,

 

ଗତ ବେଶ୍ କେତେଦିନ ହେଲା ମୁଁ ତୋ’ଠାରୁ ଚିଠି ଆସିବ ବୋଲି ଅପେକ୍ଷା କରି ରହିଛି । ଆଜି–ମୋ’ ପାଖକୁ ଟେଲିଫୋନ୍ କରି ତୋ’ ପାଖରୁ ଚିଠି ପାଇଛି ବୋଲି ଖବର ଦେଲା-। ତା’ଠାରୁ ଜାଣିଲି, ବର୍ତ୍ତମାନ ତୋର ମନ ଭଲ ନାହିଁ ବୋଲି ଚିଠିରୁ ପୂରା ଜଣା ପଡ଼ି ଯାଉଥିଲା-। ଅବଶ୍ୟ କ’ଣ ପାଇଁ ଖରାପ, ସେହି ବିଷୟରେ କିଛି ଜାଣି ହେଉନଥିଲା । ତୁ କେବଳ ଏତିକି ଲେଖିଥିଲୁ ଯେ, ଦୀର୍ଘ ତିନିବର୍ଷ ପରେ ତୋ’ର ବର୍ତ୍ତମାନ ଡେନ୍‌ମାର୍କ ଓ ଭାରତବର୍ଷ ଉଭୟେ ମନେ ପଡ଼ୁଛନ୍ତି ଓ ତୋତେ ବିଷଣ୍ଣ କରି ରଖିଛନ୍ତି । ….ମୋ’ର ଭୟ ହେଉଛି ଯେ, ନିଶ୍ଚୟ ଏପରି କିଛି ଘଟିଛି, ଯେଉଁଥି ସକାଶେ କି ତୁ ଖୁବ୍ ଅଖୁସୀ ଭିତରେ ରହିଛୁ । ସମ୍ଭବତଃ ପଇସାପତ୍ରର ଅଭାବ ଘଟିଛି,–ଏବଂ ଭୋକରେ ସମୟ କାଟିବାକୁ ହେଉଛି । ମୋ’ର ମନେ ପଡ଼ୁଛି, ମୁଁ ଓ ପିଟର ଇସ୍ରାଏଲରେ ଏକଦା ଭ୍ରମଣ କରୁଥିବା ସମୟରେ ଆମକୁ ମଧ୍ୟ ଅନେକ ସମୟରେ ଭୋକରେ ରହିବାକୁ ପଡ଼ୁଥିଲା । ସେଠି ଜିନିଷପତ୍ର ଖୁବ୍ ମହଙ୍ଗା ଓ ଏଣେ ଆମ ପାଖରେ ପଇସା ବି ଯଥେଷ୍ଟ ନଥାଏ । ତଥାପି, ଆମେ ତ ଦୁଇଜଣ ଥିଲୁ ଓ ପରସ୍ପରକୁ ସାନ୍ତ୍ୱନା ଦେଇ ପାରୁଥିଲୁ । ଏବଂ, ଅଚିରେ ଏଣୁ ପଇସା ଯାଇ ପହଞ୍ଚିଗଲା, ଆମେ ପେଟପୂରା ଖାଇପାରିଲୁ,–ସର୍ବୋପରି, କେତେକ ଉତ୍ତମ ମନୁଷ୍ୟଙ୍କ ସହିତ ସାକ୍ଷାତ ହୋଇଥିଲା ଏବଂ ତା’ପରେ ସବୁ ଭୂଲି ହୋଇଗଲା । …ହଁ, ମୋ’ର ଏପରି ଏକ ଆଶଙ୍କା ହୋଇଛି ଯେ, ତୁ ଜଣେ ଆରବ ହୋଇଥିବୁ ବୋଲି କିଏ ହୁଏତ ସନ୍ଦେହ କରିଛି ଏବଂ ତୋ’ ସହିତ ମନ୍ଦ ବ୍ୟବହାର କରିଛି । କିନ୍ତୁ ଏହି ଚିଠି ତୋ’ ପାଖରେ ଯାଇ ପହଞ୍ଚିବା ବେଳକୁ ଉଲଫ୍ ମଧ୍ୟ ସେଠାରେ ପହଞ୍ଚି ଯାଇଥିବ । ଅର୍ଥାତ୍, ତୁମେ ଦୁହେଁ ଜଣେ ଆଉଜଣକୁ ଅବଶ୍ୟ ସାହାଯ୍ୟ କରିପାରିବ ଓ ସେକଥା ଭାବି ମୁଁ ଭାରି ଆଶ୍ୱସ୍ତ ମଧ୍ୟ ହେଉଛି ।

 

ଚିତ୍ତ, ବର୍ତ୍ତମାନ ତୁ ମଧ୍ୟ ଦୁଇମାସ ପରେ, ନିଜ ଦେଶରେ, ନିଜ ଘରେ ଯାଇ ପହଞ୍ଚିଯିବୁ-। ହୁଏତ ଦେଖିବାକୁ ପାଇବୁ ଯେ, ତୁ ଯେତେବେଳେ ଏଣେ ଥିଲୁ, ସେହି ସମୟଟି ମଧ୍ୟରେ ଭାରତବର୍ଷ ମଧ୍ୟ ଖୁବ୍ ବଦଳି ଯାଇଛି । ଏବଂ, ଏକଥାଟି ମଧ୍ୟ ସମାନ ପରିମାଣରେ ସତ ଯେ ଭାରତବର୍ଷ ବି ଦେଖିବାକୁ ପାଇବ ଯେ ସ୍ୱୟଂ ଚିତ୍ତ ମଧ୍ୟ ଏହି କେତେ ବର୍ଷରେ କେତେ ବଦଳି ଯାଇଛି । ଏହି କେତୋଟି ବର୍ଷ ତୁ ଗୋଟିଏ ଅନ୍ୟ ପୃଥିବୀରେ ଥିଲୁ–ଏବଂ ତୋ’ ଉପରେ ତା’ର ପ୍ରଭାବ ବି ଖୁବ୍ ପଡ଼ିଛି । ସେଠି ତୋ’ ଦେଶରେ ତୋ’ ଗାଆଁରେ ଆଦୌ କୌଣସି କୋଳାହଳ ନାହିଁ,–ଗୋଟାଏ ପାଖରେ ପର୍ବତଟିଏ ଠିଆ ହୋଇଛି, ଆଉଗୋଟିଏ ପାଖରେ ଗହନ ଜଙ୍ଗଲଟିଏ, ଏବଂ ମଝିରେ ତୋ’ ଆଗରେ ନଈଟିଏ ବହିଯାଉଛି । ତୁ ମନକଲେ ସେହି ନଦୀରେ ଗାଧୋଇ ବି ପାରିବୁ । ସେଠି ଇଉରୋପୀୟ କେହି ନାହାନ୍ତି,–ସେଠି ସମସ୍ତେ ଶୁଭ୍ର ପରିଚ୍ଛଦ ପିନ୍ଧି କେଡ଼େ ସୁନ୍ଦର ଦେଖା ଯାଉଛନ୍ତି । ଖାଇବା ସମୟରେ କଣ୍ଟା ନାହିଁକି ଚାକୁ ନାହିଁ । ବନ୍ୟ ଜନ୍ତୁ, ସୂର୍ଯ୍ୟାଲୋକ,–ଚାରିଆଡ଼େ ଯୂଥ ଯୂଥ ମଣିଷ ! ତୋତେ ପୁନର୍ବାର ଦେଖି ସେହି ମନୁଷ୍ୟମାନେ କେଡ଼େ ଖୁସୀ ହୋଇ ଯାଉଛନ୍ତି । ତୋ’ ବୋଉ ମଧ୍ୟ କେଡ଼େ ଖୁସୀ ହେଉଛି; ମୁଁ ତ ସବାଆଗ ତାହାରି କଥା ହିଁ ଭାବୁଛି । ମୋ’ ନିଜ ପୁଅଟିକୁ ଘରେ ଆସି ପହଞ୍ଚିବାର ଦେଖିଲେ ମୁଁ ତ ତାକୁ ପାଖକୁ ଟାଣିଆଣି ଯାବୁଡ଼ି ଧରିବି ଓ ମୋ’ ଆଖିରୁ ଧାର ଧାର ଲୁହ ବୋହି ଯାଉଥିବ । ତୁ ଭାବିଲୁ, ତୁ ତୋ’ ଘରପାଖରୁ ଯେତିକି ଦୂରକୁ ଆସିଥିଲୁ, ମୋ’ ପୁଅ ତ ବର୍ତ୍ତମାନ ତାହାର ଅଧେ ଦୂରକୁ ବି ଯାଇନାହିଁ ।

 

ଚିତ୍ତ, ଏକଥା ବେଶ୍ ଭଲ କରି ବୁଝିହେଉଛି ଯେ, ଯେଉଁ ମନୁଷ୍ୟମାନେ ପେଟ ପୂରିବାଭଳି ଖାଇବାକୁ ପାଆନ୍ତିନାହିଁ, ସେମାନେ ନିଜପାଇଁ କିଛି ଅନ୍ନର ଯୋଗାଡ଼ କରିବାକୁ ଯାଇ ଜଣେ ଜଣେ ବ୍ୟକ୍ତି ହିସାବରେ ନିଜର ସ୍ୱାଧୀନତାକୁ ହରାଇ ଦେବାକୁ ଆଦୌ ପଶ୍ଚାତ୍‌ପଦ ହୁଅନ୍ତିନାହିଁ । ଯଦି କମୁନିଷ୍ଟମାନେ ସେମାନଙ୍କୁ ଅନ୍ନର ଭରସା ଆଣି ଦେଇ ପାରିବେ, ତେବେ ସେମାନେ ତୁ ସେମାନଙ୍କୁ ଯେଉଁ ଆତ୍ମିକ ମୂଲ୍ୟଗୁଡ଼ିକ ବିଷୟରେ କହିବୁ ବା ସେମାନଙ୍କ ପାଇଁ ଯେଉଁ ବିଦ୍ୟାଳୟମାନ ଆରମ୍ଭ କରିବାକୁ ଇଚ୍ଛା କରିବୁ, ସେହି କ୍ଷେତ୍ରରେ ସେସବୁ ଆଦୌ କୌଣସି କାମ ଦେବନାହିଁ । ସେମାନେ କହିବେ, ତୁମେ ଆମକୁ ଆଗ ଅନ୍ନ ଆଣି ଦିଅ । ଯେତେବେଳେ ମୁଁ ବର୍ତ୍ତମାନର ନୂଆ ଚୀନ୍ ବିଷୟରେ କିଛି ପଢ଼ୁଛି ଏବଂ ସେହି ଦେଶରୁ ଆସୁଥିବା ସୁନ୍ଦର ସଚିତ୍ରପତ୍ରିକା ଗୁଡ଼ିକୁ ଦେଖୁଛି, ସେତେବେଳେ ମୁଁ ଭାବି ପକାଉଛି, ଯଦି ମୁଁ ଭାରତୀୟ ହୋଇଥାନ୍ତି, ତେବେ ମୁଁ ନିଶ୍ଚୟ ଠିକ୍ ସେହିପରି କରନ୍ତି । ଚିତ୍ରରେ ଦେଖା ଯାଉଥିବା ଚୀନ୍ ଦେଶବାସୀମାନେ ସମସ୍ତେ ସୁସ୍ଥସବଳ ଦେଖା ଯାଉଛନ୍ତି, ଭଲ କପଡ଼ା ପିନ୍ଧିଛନ୍ତି,–କେଡ଼େ ସୁନ୍ଦର ଘରମାନଙ୍କରେ ବାସ କରୁଛନ୍ତି, ସେମାନଙ୍କର ପିଲାମାନେ ମଧ୍ୟ କେଡ଼େ ଥାକୁଲା ଦିଶୁଛନ୍ତି । ହଁ, ଚୀନଦେଶେରେ ମଧ୍ୟ ଜୀର୍ଣ୍ଣଶୀର୍ଣ୍ଣ ପିଲା ଅବଶ୍ୟ ଥିବେ, କିନ୍ତୁ ସେମାନଙ୍କର ଫଟୋ ଏହି ପତ୍ରିକାମାନଙ୍କରେ ବାହାରୁନାହିଁ । ଏବଂ, ଯଦି ବହାରୁ ଥାଆନ୍ତା, ତେବେ ଏହି ପତ୍ରିକାମାନ କଦାପି ଦେଶ ବାହାରକୁ ପଠାଯାଉ ନଥାନ୍ତା । ମୋର’ ହେ ଅତିପ୍ରିୟ ବଡ଼ପାଠୁଆ ପୁଅଟି, ଏହି ପୃଥିବୀକୁ ଅବାଗରୁ ବାଗକୁ ଆଣିବା ପ୍ରକୃତରେ ଏକ ଅତ୍ୟନ୍ତ କଷ୍ଟସାଧ୍ୟ କାର୍ଯ୍ୟ । ଏହା କେଡ଼େ କଷ୍ଟସାଧ୍ୟ ବୋଲି ମୁଁ ଯେତେବେଳେ ଭାବୁଛି, ସେତେବେଳେ ଇଚ୍ଛା ହେଉଛି, ମୁଁ ମଧ୍ୟ ଶ୍ରୀ ଲିନ୍‌-ଉ-ତାଙ୍ଗ୍‌ଙ୍କର ଖୁଡ଼ୁତାମାନଙ୍କ ପରି କୋଉ ନିକାଞ୍ଚନ ଏକ ଥାନକୁ ପଳାଇ ଯାଆନ୍ତି ଏବଂ କାଲିଗ୍ରାଫି (ସୁନ୍ଦର ଅକ୍ଷରଲେଖା,–ଚୀନର ଏକ ଯୁଗଯୁଗରୁ ଅଭ୍ୟାସ କରାଯାଇ ଆସିଥିବା ଏକ କଳା) ରେ ମନ ଦିଅନ୍ତି । ତେବେ ଆଉ ଅଶାନ୍ତି ବୋଲି କିଛି ରହନ୍ତା ନାହିଁ,–କେହି ମୋ’ଠାରୁ କିଛି ଦାବୀ କରନ୍ତାନାହିଁ ଏବଂ ମୁଁ ମଧ୍ୟ ଲିଖନକଳାର କ୍ଷେତ୍ରକୁ ଏକ ମୂଲ୍ୟବାନ ଅବଦାନ ଦେଇପାରନ୍ତି ।

 

ଭଲ ଓ ମନ୍ଦ ସବୁ ଜଣାଇ ଶୀଘ୍ର ଚିଠି ଦେବୁ ।

 

ଇତି

ବହୁତ ବହୁତ ଶୁଭକାମନା,–

ମାଆ ଏବଂ ପିଟର୍‌

 

କୋପେନ୍‌ହେଗେନ୍, ୨୮ । ୧୧ । ୫୩

 

ମୋ’ର ସ୍ନେହର ବଡ଼ପଢ଼ୁଆ ପୁଅ,

 

[ଆଜି ଶନିବାର, ରାତି ବହୁତ ହେଲାଣି । ପ୍ରାୟ ବାରଟା ବାଜିବାକୁ ଯାଉଛି । ପିଟର୍‌ ଟେବୁଲ ପାଖରେ ବସି ପତ୍ରିକା ପାଇଁ କ’ଣ ଲେଖାଟିଏ ଲେଖୁଛନ୍ତି । ଏବଂ, ମୁଁ ଉଲଫ୍ ପାଖକୁ ଚିଠିଟିଏ । ଉଲଫ୍ ବର୍ତ୍ତମାନ ଇସ୍ରାଏଲରେ ଯାଇ ପହଞ୍ଚି ଗଲାଣି । ଭାବୁଛି, ତୁମ ଦୁହିଁଙ୍କର ଇସ୍ରାଏଲ୍‌ରେ ଥରେ ଅଧେ ଦେଖା ବି ହେବଣି ।]

 

ପ୍ରାୟ ଦୁଇହଜାର ବର୍ଷ ହେଲା ଖ୍ରୀଷ୍ଟିଆନମାନଙ୍କର ଇହୁଦୀମାନଙ୍କ ପ୍ରତି ପ୍ରାୟ ଘୃଣା ହିଁ ରହି ଆସିଛି । ସେମାନେ ସେହି ଘୃଣାକୁ ମୋଟେ ବର୍ଜନ କରି ପାରିନାହାନ୍ତି । ଯଦି କେବଳ ଇହୁଦୀ ଏବଂ ଆରବ ପକ୍ଷ ଏକାଠି ବସି ଏକ ସମାଧାନ ବାହାର କରିବାର ସୁଯୋଗ ଲାଭ କରିଥାନ୍ତେ, ତେବେ ପାଲେଷ୍ଟାଇନ୍ ତ ବର୍ତ୍ତମାନ ସେହି ଦୁଇ ଜାତିଙ୍କର ହିଁ ଏକ ଦେଶରେ ପରିଣତ ହୋଇ ସାରନ୍ତାଣି । କିନ୍ତୁ ପିଟର୍ କହନ୍ତି ଯେ ପୃଥିବୀର ବୃହତ୍‌ ଶକ୍ତିମାନେ କଦାପି ସେପରି ଘଟିବାକୁ ବାଟ ଛାଡ଼ି ଦେଲେନାହିଁ । ସେମାନେ ତ ସବୁଦିନ ଭୟ କରୁଥିଲେ ଯେ, ଇହୁଦୀ ଓ ଆରବ ଉଭୟେ ଏକାଠି ହୋଇଗଲେ ମଧ୍ୟପ୍ରାଚ୍ୟରେ ଏକ ଅତ୍ୟନ୍ତ ଶକ୍ତିଶାଳୀ ପକ୍ଷରେ ପରିଣତ ହେବେ । ତେବେ ଉଭୟପକ୍ଷ ଏକତ୍ର ସେମାନଙ୍କର ହିତକୁ ଆଖିରେ ରଖି ତେଲଖଣି ଗୁଡ଼ିକର ପରିଚାଳନା କରିବେ ଓ ଆମେରିକା ଏବଂ ଇଂଲଣ୍ଡକୁ ରିହାତି ମୂଲ୍ୟରେ ତେଲ ମିଳିବା ଆଉ ଆଦୌ ସମ୍ଭବ ହେବନାହିଁ । ସମ୍ଭବତଃ, ଏହି କାରଣରୁ ହିଁ ସେମାନଙ୍କର ସେହି ଏକତା ସ୍ଥାପିତ ହେବାଲାଗି ବାଧା ଦେବାକୁ ପଡ଼ିବ । ଇହୁଦୀ ଓ ଆରବମାନଙ୍କୁ ବନ୍ଧୁ ହେବାଲାଗି ଛାଡ଼ି ଦିଆ ଯିବନାହିଁ ।

 

ତୁ ଲକ୍ଷ୍ୟ କରୁଥିବୁ ଚିତ୍ତ, ଏକ ମନୁଷ୍ୟସମୂହ ରୂପେ ପୃଥିବୀରେ ବାସ କରିବାଲାଗି ଇହୁଦୀମାନଙ୍କର ସଂଗ୍ରାମ ବିଷୟରେ ଚିନ୍ତା କରିବା ମାତ୍ରେ ହିଁ ମୁଁ ନିଜ ଭିତରେ ଖୁବ୍ କ୍ରୋଧୀ ହୋଇ ଉଠେ । …ହଁ, ଭାରି କ୍ରୋଧୀ ହୋଇ ଉଠେ । ସେଥିପାଇଁ ପିଟର ସବୁବେଳେ ମୋତେ କ୍ରୋଧ ନକରିବା ସକାଶେ ପରାମର୍ଶ ଦିଅନ୍ତି । କହନ୍ତି, ମୋ’ର କିଞ୍ଚିତ୍ ଯୋଗ କରିବା ଉଚିତ୍,–ଏବଂ ସିଏ ଏହାକୁ ଆବଶ୍ୟକ ବୋଲି ମଧ୍ୟ ଭାବନ୍ତି । ତା’ହେଲେ ମୁଁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ଅର୍ଜନ କରିପାରିବି ଓ ନିଜକୁ ସ୍ଥିର ରଖିପାରିବି । ମାତ୍ର, ମୁଁ ଭାବୁଛି, ମୁଁ ଏଡ଼େ ବୋକା ମଣିଷଟାଏ ହୋଇ ଜନ୍ମିଛି ଯେ ଯୋଗ କରିବା ମୋ’ ଦ୍ୱାରା ମୋଟେ ସମ୍ଭବ ହେବନାହିଁ । ତେଣୁ କ୍ରୋଧ ଆସିବ ହିଁ ଆସିବ ।

 

ତେଣୁ ଭାବୁଛି, ବର୍ତ୍ତମାନ ରୋଷେଇ ଘରକୁ ଯିବି ଓ ପିଟର୍ ସକାଶେ କପେ କୋକୋ ତିଆରି କରି ଆଣିବି । ପିଟର୍‍ ଖୁବ୍ ବୁଦ୍ଧିମାନ୍,–ସିଏ ମୁଣ୍ଡ ଉପରେ ଠିଆ ହୋଇ ପାରୁଛନ୍ତି ଓ ନିଜର ମନକୁ ନିଶ୍ଚଳ ରଖି ପାରୁଛନ୍ତି । ଏବଂ, ଅଧ ରାତିରେ ଲେଖାଟିଏ ଲେଖୁଥିବା ସମୟରେ କପେ ଗରମ କାକାଓ ପିଇବାକୁ ସେ ପ୍ରକୃତରେ ଖୁବ ଭଲ ପାଆନ୍ତି ।

 

ସୋମବାର, ୩୦ । ୧୧ । ୫୩

 

ସ୍ନେହର ଚିତ୍ତ,

 

ଅଧା ଲେଖା ହୋଇଥିବା ଚିଠିଟିକୁ ମୁଁ ବର୍ତ୍ତମାନ ଯେପରି ହେଲେ ପୂରା କରିବି, ଯେପରିକି ସେଇଟି କାଲି ଡାକରେ ପଠାହୋଇ ପାରିବ । ହଁ, ଏଥିରେ ମୁଁ ଖବରକାଗଜରୁ କାଟି ରଖିଥିବା କିଛି ସାମଗ୍ରୀ ମଧ୍ୟ ତୋ’ ପାଖକୁ ପଠାଇବି । ପଢ଼ିଲା ମାତ୍ରକେ ତୁ ବୁଝି ପାରିବୁ । ବର୍ତ୍ତମାନ ଏକ ଖବରକାଗଜରୁ ପଢ଼ିଲି ଯେ ପାକିସ୍ତାନ ଆମେରିକାକୁ ତା’ ଦେଶରେ ସୈନ୍ୟଛାଉଣି ନିମନ୍ତେ ଅନୁମତି ଦେବ ଓ ସେଥିପାଇଁ ଆମେରିକା ୨୫ କୋଟି ଡଲାର ପୁଞ୍ଜି ଲଗାଇବ । ଏହିସବୁ ଛାଉଣିକୁ ଆମେରିକା ରୁଷିଆ ବିରୁଦ୍ଧରେ ବ୍ୟବହାର କରିବ । ମାତ୍ର, ନେହେରୁ ଆମେରିକା ସରକାରଙ୍କୁ ଏହି ପ୍ରସ୍ତାବଟିକୁ ଗ୍ରହଣ ନକରିବା ସକାଶେ ହିଁ ଅନୁରୋଧ ଜଣାଇଲେ । (କାରଣ, ପାକିସ୍ତାନକୁ ଭାରତ ବିରୁଦ୍ଧରେ ଅଧିକ ଶକ୍ତିଶାଳୀ ହେବାରେ ହିଁ ସାହାଯ୍ୟ କରିବ) ଆମେରିକା ଉକ୍ତ ପ୍ରସ୍ତାବକୁ ଗ୍ରହଣ କରିଲା ନାହିଁ । ଅର୍ଥାତ୍, ନେହରୁଙ୍କ ପ୍ରତି ଆମେରିକାର ଏକ ସମ୍ମାନ ଅବଶ୍ୟ ରହିଛି ।

 

ଆଜି ସହରକୁ ଯାଇ ମୁଁ ମୋ’ ବେହେଲାଟିକୁ ମଧ୍ୟ ଆଣିଲି । ବହୁ ବର୍ଷ ହେଲା ମୁଁ ଏଇଟିକୁ ବଜାଇ ନଥିଲି ଓ ସେଇଟି ଅକାମୀ ବି ହୋଇ ଯାଇଥିଲା । ଯାହା ହେଉ, ବର୍ତ୍ତମାନ ମରାମତି ହୋଇଗଲା । ଏକଦା ମୋ’ ପାଖରେ ଚମତ୍କାର ବେହେଲାଟିଏ ଥିଲା, ଭାରି ଚମତ୍କାର ବାଜୁଥିଲା । ତାହାକୁ ମୁଁ ମୋ’ ବାପାଙ୍କ ଠାରୁ ପାଇଥିଲି । ଖୁବ୍ ଦାମିକା ବେହେଲାଟିଏ । କିନ୍ତୁ, ଯୁଦ୍ଧ ସମୟରେ ନାତ୍‌ସୀମାନେ ଦେଶକୁ ଅଧିକାର କରି ନେଇଥିବା ସମୟରେ ସେଇଟିକୁ ବିକି ଦେବାକୁ ବାଧ୍ୟ ହେଲି ଓ ଗୋଟିଏ ଶସ୍ତା ବେହେଲା କିଣିଥିଲି । ଏଇଟି ବଜାଇବା ପାଇଁ ମୋତେ ଆଦୌ ଭଲ ଲାଗୁନଥିଲା । ତେଣୁ, ସେଇଟି ସେହିପରି ଭାବରେ କେବଳ ପଡ଼ି ରହିଥିଲା ଏବଂ ଆମେ ଦେଶ ଛାଡ଼ି ପଳାଇବା ସମୟରେ ପୂରା ଭାଙ୍ଗି ବି ଗଲା । ଏବଂ, ଏବେ ବେହେଲା ବଜାଇବାକୁ ପୁନର୍ବାର ଇଚ୍ଛା ହେଉଛି ଏବଂ ଯେତେବେଳେ ସକାଳ ଓଳି ପିଟର୍ ତାଙ୍କ ସ୍କୁଲକୁ ଚାଲି ଯାଇଥାନ୍ତି, ସେତେବେଳେ ମନ ହେଲେ ମୁଁ ବେହେଲାଟିକୁ ବଜାଏ । ତାଙ୍କ ଲେଖାଲେଖିରେ ବାଧା ସୃଷ୍ଟି ହେବାର କୌଣସି ପ୍ରଶ୍ନ ନଥାଏ । ଏବଂ, ମୁଁ ଖୁବ୍ ଖୁସୀ ହୋଇ ବଜାଏ ।

 

ମାତ୍ର, ମୁଁ ବେକାଙ୍କ ପରି ତୋ’ ପାଖକୁ ଏମିତି କଥାଟିଏ କାହିଁକି ଲେଖୁଛି କେଜାଣି ? ଆଜି ବୋଧହୁଏ ତୋ’ ପାଖକୁ ଅଧିକ କିଛି ଲେଖିବାର ନାହିଁ ।

 

ତେଣୁ, ତୋ’ ପାଖରୁ ଇସ୍ରାଏଲ୍ ବିଷୟରେ ତୋ’ର ଅନୁଭବଗୁଡ଼ିକ ରହିଥିବା ଏକ ଚିଠି ପାଇବା ନିମନ୍ତେ ଅପେକ୍ଷା କରି ରହିଲି ।

 

ପିଟର୍ ଓ ମୋ’ଠାରୁ ଅନେକ ଅନେକ ଶୁଭକାମନା ।

 

ମୋ’ର

ମାଆ

 

କୋପେନ୍‌ହେଗେନ୍, ୧୩ । ୬ । ୫୪

 

ମୋ’ ସ୍ନେହର ବେଶୀପଢ଼ୁଆ ପୁଅ,

 

ଅନେକ ଅନେକ ଧନ୍ୟବାଦ ତୋ’ର ଏହି ଚିଠିଟି ସକାଶେ । ସେଇଟିକୁ ପଢ଼ି ମୁଁ ପ୍ରକୃତରେ ବହୁତ ଖୁସୀ ହେଲି । ଚିଠିଟିକୁ ପଢ଼ି ସବୁ ମାଆଙ୍କ ପରି, ମୋ’ଆଖିରୁ ମଧ୍ୟ କେତେ ଧାର ଲୁହ ବୋହି ଯାଇଥିଲା । ମାଆମାନେ ମୋଟେ ଧେର୍ଯ୍ୟ ଧରି ରହି ପାରନ୍ତିନାହିଁ । ନିଜ ସନ୍ତାନମାନଙ୍କ ପାଖରୁ ଚିଠି ଆସି ପହଞ୍ଚିବାରେ ବିଳମ୍ବ ହେଲେ ଯାବତୀୟ ଭୟଙ୍କର କଥାଗୁଡ଼ିକୁ ବି ଭାବିବାକୁ ଆରମ୍ଭ କରିଦିଅନ୍ତି ।

 

କିନ୍ତୁ, ତୋ’ ଚିଠି ପଢ଼ି ତଥାପି ମୋତେ ଲାଗିଲା, ତୋ’ର ମନ ଭିତରଟା ଆଦୌ ପୂରା ଖୁସୀ ନାହିଁ । ହଁ, ମୁଣ୍ଡରେ କେତେ ନା କେତେ ପ୍ରକାରର ଯୋଜନା ଭର୍ତ୍ତି ହୋଇ ନିଶ୍ଚୟ ରହିଛି ଏବଂ ସେସବୁର ପୂରଣ ହୋଇ ପାରିବ କି ନାହିଁ, ତୁ ବାରମ୍ବାର ସେହିକଥା ଭାବୁଛୁ ଓ ଅଶାନ୍ତ ହୋଇ ପଡ଼ୁଛୁ । ମୁଁ ଯେତିକି ଯାହା ଜାଣିଛି, ଭାରତବର୍ଷରେ ସବୁ କିଛି ପାଇଁ ସମୟ ଲାଗିବ ଓ ସେଥିପାଇଁ ଧୈର୍ଯ୍ୟ ରଖିବାକୁ ପଡ଼ିବ । ଆମର ଏଠି ତ ସମସ୍ତେ ତରତର ହେଉଥାନ୍ତି, ସତେଅବା ଦଉଡ଼ିବାରେ ହିଁ ଲାଗିଥାନ୍ତି । ସମ୍ଭବତଃ ଏଣେ କେତେଟା ବର୍ଷ ରହି ତୁ ତାହାରି ଗୁଳା ଭିତରେ ପଡ଼ି ଯାଇଛୁ ପଡ଼ିବ । ଏହା ଅବଶ୍ୟ ସବୁବେଳେ ଆଦୌ ସହଜ ହୁଏନାହିଁ । ମୋତେ ଅସ୍ଥିର ନହୋଇ ଥିରି ଥିରି ପାଦ ପକାଇବାକୁ ହିଁ ଭଲ ଲାଗେ; ଅଧୀର ଭାବରେ ଧାଇଁବା ନିମନ୍ତେ ମୋଟେ ମନ ଯାଏନାହିଁ ।

 

ହଁ, ଆଉଏକ ଦୃଷ୍ଟିରୁ ଦେଖିଲେ, ମୁଁ ତୋ’ର ମନର ଅବସ୍ଥାକୁ ଖୁବ୍ ବୁଝି ପାରୁଛି: ଭାରତବର୍ଷରେ ବର୍ତ୍ତମାନ ବହୁତକିଛି ଯଥାସମ୍ଭବ ଯଥାତିଶୀଘ୍ର ହାସଲ କରିବାକୁ ପଡ଼ିବ । ଉଦାହରଣ ସ୍ୱରୂପ, ପିଲାମାନଙ୍କର ଶିକ୍ଷା ବ୍ୟବସ୍ଥା ଏବଂ ସେହିଭଳି ଆଉ ଆଉ କେତେଟା କଥା । ତୁ ବିଚାର କରୁଛୁ ଯେ, ସେସବୁ କ୍ଷେତ୍ରରେ ଯଥେଷ୍ଟ ଶୀଘ୍ରତା ସହିତ ବହୁତ କିଛି ହୋଇ ପାରୁନାହିଁ-। କିନ୍ତୁ ତୋତେ ତଥାପି ଧୈର୍ଯ୍ୟ ଅବଲମ୍ୱନ କରିବାକୁ ହେବ, ଦେଶବାସୀଙ୍କୁ ଉତ୍ତମ ଭାବରେ ବୁଝିବାକୁ ବି ପଡ଼ିବ । ସେମାନେ ସମସ୍ତେ ମୋଟେ ଇଉରୋପ ଆସିନାହାନ୍ତି ଏବଂ ତେଣୁ ଭାବୁଛନ୍ତି ଯେ ତୋ’ର ମୁଣ୍ଡଟା ନିଶ୍ଚୟ କୋଉଁଠି ନା କେଉଁଠି ନିଶ୍ଚୟ ବିଗିଡ଼ି ଯାଇଛି । କିଏ ମନା ବି କରିପାରିବ ଯେ ସେମାନେ ଆଦୌ ଭୁଲ ଅନୁମାନ କରୁନାହାନ୍ତି । ଆମେ ଏଠି ତୋ’ର ପରିଚିତମାନେ ମଧ୍ୟ ତୋ’ ବିଷୟରେ ଅନେକ ସମୟରେ ଚିନ୍ତା କରୁଛୁ, ତୋ’ର ସମସ୍ୟାଗୁଡ଼ିକୁ ବୁଝିବାକୁ ଚେଷ୍ଟା କରୁଛୁ । ତୋତେ ତୋ’ କାମରେ କିଛି ସାହାଯ୍ୟ କରି ପାରିବାର ଉପାୟର ବି ସନ୍ଧାନ କରୁଛୁ । ନିଜ ଭିତରେ ତୋ’ ବିଷୟରେ ଖୁବ୍‍ କଥା ହେଉଛୁ । ସିଧା ତୋ’ ସହିତ କଥାବାର୍ତ୍ତା ଅବଶ୍ୟ କରି ହେଉନାହିଁ ବୋଲି ବେଶ୍ ବିରକ୍ତ ମଧ୍ୟ ଲାଗୁଛି । ତୋ’ର ପ୍ରାତ୍ୟହିକ ମୁଖ୍ୟ ସମସ୍ୟାଗୁଡ଼ିକ କ’ଣ ତାହା ସିଧା ତୋ’ ମୁହଁରୁ ଶୁଣିବାକୁ ଇଚ୍ଛା କରୁଛୁ ।

 

ତେଣୁ, ଚିତ୍ତ, ଥିରି ଥିରି ପାଦ ପକାଇବାକୁ ହେବ, ସମୟ ମଧ୍ୟ ଦେବାକୁ ପଡ଼ିବ । -ର କଥା ଶୁଣି ଭାରି ଅଡ଼ୁଆ ଅଡ଼ୁଆ ଲାଗିଲା । ତଥାପି, ଜଣେ ଯଦି ପ୍ରକୃତରେ ନିଜ ଦେଶକୁ ଫେରିବା ନିମନ୍ତେ ଇଚ୍ଛା କରୁଥିବେ, ତେବେ ତା’ର ଦୀର୍ଘ ବହୁ ବର୍ଷ ଦେଶ ବାହାରେ ରହିବା ମୋଟେ ଉଚିତ ହେବନାହିଁ । ହଁ, ଜୀବନରେ ନିଜର ଚେରଗୁଡ଼ିକ ଛିଡ଼ିଯିବାଟା ପ୍ରକୃତରେ ଏକ ଦୁର୍ଗତି । କୋଉଠି ନା କୋଉଠି ମୋ’ର ଘରଟିଏ ରହିଛି, ଏପରି ଅନୁଭବ କରି ପାରିବା ହେଉଛି ସର୍ବଦା ଅଧିକ ଅଧିକ ଭଲ, ଅଧିକ ସୁସ୍ଥ ।

 

ବର୍ତ୍ତମାନର ଏହି ପୃଥିବୀରେ ପିଟର୍‌ଙ୍କର ଦୃଷ୍ଟିକୋଣଟି କ’ଣ ବୋଲି ତୁ ମୋତେ ପଚାରିଛୁ । ଏ ବିଷୟରେ ସିଏ ସାଧାରଣତଃ ବେଶୀ କିଛି ମୋଟେ କହନ୍ତିନାହିଁ । ଏବେ ତ ସିଏ ସୋଭିଏଟ୍ ଋଷିଆର ବୈଦେଶିକ ନୀତି ବିଷୟରେ ବହିଟିଏ ଲେଖି ଶେଷ କରିଛନ୍ତି । ଯଥାସମ୍ଭବ ନିରପେକ୍ଷ ରହିବାକୁ ଚେଷ୍ଟା କରିଛନ୍ତି,–ବହିଟି ବାହାରିବା ମାତ୍ରକେ ଆମେ ସେଥିରୁ ତୋ’ ପାଖକୁ ମଧ୍ୟ ନିଶ୍ଚୟ ଖଣ୍ଡେ ପଠାଇଦେବୁ । ପିଟର୍ ଭାବୁଥିବା ପରି ମନେ ହୋଇଥାଏ ଯେ, ଯେଉଁସବୁ ସମସ୍ୟା ବିଷୟରେ ଆମେ କୌଣସି ପ୍ରଭାବ ପକାଇ ପାରିବାନାହିଁ, ସେଗୁଡ଼ିକୁ ନେଇ ଦୁଃଖ ପ୍ରକାଶ କରିବା ମଧ୍ୟ ଆମପାଇଁ ଆଦୌ ଉଚିତ ହେବନାହିଁ । ହଁ, ତୁ ଯେପରି ଲେଖିଛୁ, ଯିଏ ଅତି ଗରିବ, ସେଇ ସର୍ବଦା ହାରିବାରେ ହିଁ ଲାଗିଛି । ହଁ, ଆମକୁ ମଧ୍ୟ ଏକଥା ଖୁବ୍ ଭଲ ଭାବରେ ଜଣାଅଛି ଓ ସେଇଥିପାଇଁ ହିଁ ଦିନେ ଆମେ କମ୍ୟୁନିଷ୍ଟ ମଧ୍ୟ ହୋଇଥିଲୁ । କିନ୍ତୁ, ତିରିଶି ବର୍ଷତଳେ କମ୍ୟୁନିଷ୍ଟ ହେବାର ଏକ ନିର୍ଦ୍ଦିଷ୍ଟ ଅର୍ଥ ରହିଥିଲା । ଆଜି ତ ଏହି କଥାଟିର ସବୁଯାକ ଅର୍ଥ ହୁଏତ ଏପରି ହେବ, ଯେ, ଆମେ ତେଣୁ ସୋଭିଏଟ୍ ଋଷିଆର ପରରାଷ୍ଟ୍ର ନୀତିକୁ ମଧ୍ୟ ସମ୍ପୂର୍ଣ୍ଣ ସମର୍ଥନ କରିବା । ମାତ୍ର, ବର୍ତ୍ତମାନ ତ ସୋଭିଏଟ୍‍ ଋଷିଆ ଆପଣାର ସାମ୍ରାଜ୍ୟବାଦୀ ଅଭିପ୍ରାୟରେ ଯୁକ୍ତରାଜ୍ୟ ଆମେରିକାର ବି ସମକକ୍ଷ ହୋଇ ସାରିଲାଣି । ….ପିଟର୍‌ଙ୍କ ମତରେ, ଏକ ସମ୍ଭାବ୍ୟ ପରମାଣୁ ଯୁଦ୍ଧ ବିଷୟରେ ଆମେରିକା ଯେତିକି ଭୟ କରୁଛି ସୋଭିଏଟ୍‍ ଋଷିଆ ମଧ୍ୟ ସେତିକି ଭୟ କରୁଛି । ….ଚିତ୍ତ, ବର୍ତ୍ତମାନ ଆମେ ସମସ୍ତେ ପ୍ରକୃତରେ ଏକ ବିଚିତ୍ର କାଳରେ ବାସ କରୁଛୁ, ଯେତେବେଳେ କି ପୃଥିବୀଯାକର ଜନଗଣ ଏହି ଅସଲ ସତ୍ୟଟିକୁ ଆବିଷ୍କାର କରିବାକୁ ଆରମ୍ଭ କରୁଛନ୍ତି ଯେ ସେମାନେ ସର୍ବତ୍ର ସମସ୍ତେ ସବାଆଗ ମନୁଷ୍ୟ । ଅର୍ଥାତ୍, ସଭିଙ୍କୁ ଏପରି ଗୋଟିଏ ପରିବେଶ ନିଶ୍ଚୟ ମିଳିବା ଉଚିତ୍, ଯେପରି କି ସେମାନେ ଜଣେ ମନୁଷ୍ୟର ମର୍ଯ୍ୟାଦାରେ ଜୀବନଟିଏ ବଞ୍ଚିପାରିବେ । ସେହି ମୂଳଭୂତ ଇଚ୍ଛାଟି ହିଁ ସେମାନଙ୍କ ଭିତରେ କ୍ରମଶଃ ଅଧିକ ଜାଗରୂକ ହୋଇ ଆସୁଛି । ଏହି ପାଶ୍ଚାତ୍ୟ ଜଗତରେ ଆମକୁ ପ୍ରକୃତରେ ଧିକ୍‍ ଯେ, ଆମେ ସେହି ଉଦ୍‍-ବେଳନରେ ଉଲ୍ଲେଖଯୋଗ୍ୟ ଭାବରେ ସହାୟତା କରୁନାହୁଁ ।

 

ଏହାରି ଭିତରେ ମୋ’ର ନାତୁଣୀଟିଏ ହୋଇଛି । ନାତି ମାଦସ୍ ସେତେବେଳେ ଏଠାରେ ମୋ’ ପାଖରେ ହିଁ ରହିଥିଲା । ଜାଣିଲୁ, ମାଦ୍‌ସ୍‌ ଏବେ ମଧ୍ୟ ତୋତେ ପୂରା ମନେ ରଖିଛି-। ମୁଁ ତାକୁ ଭାରତବର୍ଷର ଗପମାନ କହୁଛି ଓ ସିଏ ବହୁତ ଆଗ୍ରହରେ ସବୁ ଶୁଣୁଛି-। ମୁଁ ତାକୁ କହୁଛି, ଭାରତବର୍ଷରେ ନାନା ଆଶ୍ଚର୍ଯ୍ୟମାନ ପରିପୂର୍ଣ୍ଣ ହୋଇ ରହିଛି; ସେଠାରେ ଚିତ୍ତମାନେ ଭର୍ତ୍ତି ହୋଇଛନ୍ତି,–ହାତୀ ଅଛନ୍ତି, ଚାରିଆଡ଼େ କେତେ ପ୍ରକାରର ଫୁଲ ଫୁଟିଛି,–ଗଛମାନଙ୍କରେ ଆମ୍ୱ ପେନ୍ଥା ପେନ୍ଥା ଫଳିଛି । ସେଠି ପୁଅ ପିଲାଙ୍କ ନାଆଁ ଚିତ୍ତରଞ୍ଜନ ଓ ଝିଅଙ୍କ ନାଆଁ ଶକୁନ୍ତଳା । ପିଟର୍‌ଙ୍କର କୋଠରୀକୁ ଯାଇ ଆମେ ଭାରତୀୟ ଚିତ୍ରକଳା ରହିଥିବା ବହିଗୁଡ଼ିକ ଖୋଲି ଦେଖୁଛୁ–ଶିବ ଓ ବୁଦ୍ଧମାନଙ୍କୁ ଦେଖିବାରେ ଲାଗୁଛୁ । ମୁଁ କହୁଛି ଯେ ଭାରତବର୍ଷରେ ବହୁ ମନୁଷ୍ୟ ମାଂସ ଖାଆନ୍ତି ନାହିଁ;–ଥରେ ମାଦସ୍ ଗୋଟାଏ ମାସ ଏଠି ଗ୍ରାମାଞ୍ଚଳରେ ଯାଇ ରହିଥିଲା,–ସେଠି ଗୋଟିଏ ସାନ ବାଛୁରୀ ହଣା ହେବାର ଏ ଦୃଶ୍ୟ ସିଏ ନିଜ ଆଖିରେ ଦେଖିବାକୁ ପାଇଥିଲା । ବର୍ତ୍ତମାନ ମୋ’ କଥା ଶୁଣି ଭାରି ଖୁସୀ ହୋଇଗଲା,–ଭାବିଲା, ତେବେ ସେହି ଦେଶରେ ସାନ ଓ ସୁନ୍ଦର ବାଛୁରୀମାନଙ୍କୁ ଆଉ ମାରିବାକୁ ହିଁ ପଡ଼ୁନଥିବ । ମାତ୍ର, ମାଦସ୍ ଏକଥା ମଧ୍ୟ କହୁଛି ଯେ, ଯଦି ସବୁ ମଣିଷ ଗୋରୁମାଉଁସ ଖାଇବା ଛାଡ଼ିଦେବେ, ତେବେ ପୃଥିବୀଟା ଯାକ ହିଁ ବାଛୁରୀମାନଙ୍କ ଦ୍ୱାରା ପୂର୍ଣ୍ଣ ହୋଇଯିବ ।

 

ଇସ୍ରାଏଲରୁ ଜଣେ ତରୁଣ ଯୁବକ ଏବେ ଆସି ଏଠାରେ ୧୪ ଦିନ ରହିଥିଲେ । ବୟସ ପଚିଶି ବର୍ଷ, ଜଣେ ଚିତ୍ରଶିଳ୍ପୀ । …..ତାଙ୍କର ଜନ୍ମ ରୁମାନିଆରେ; ଏବଂ, ଯେତେବେଳେ ଜର୍ମାନମାନେ ରୁମାନିଆ ଦଖଲ କରିନେଲେ,–ସେମାନଙ୍କର ପରିବାର ସେତେବେଳେ ଇଉକ୍ରେନ୍ ପଳାଇ ଯାଇଥିଲା : ବାପା, ମାଆ, ପୁଅଟିଏ ଏବଂ ଝିଅ । ତା’ପରେ ନାତ୍‌ସୀମାନେ ଇଉକ୍ରେନକୁ ମଧ୍ୟ ଦଖଲ କରି ନେଇଥିଲେ; ବାପା ସେମାନଙ୍କର ଗୁଳିରେ ପ୍ରାଣ ହରାଇଲେ । କାରଣ, ସେ କମ୍ୟୁନିଷ୍ଟ ଥିଲେ, ଜଣେ ଇହୁଦୀ ବି ଥିଲେ । ଦୁଇ ଛୁଆଙ୍କୁ ନେଇ ମାଆ ପୁନର୍ବାର ପଳାଇବାକୁ ଲାଗିଲେ; କିନ୍ତୁ ତିନିଦିନ ପରେ ପୁଣି ରୁମାନିଆରେ ସୈନ୍ୟମାନଙ୍କର ହାବୁଡ଼ରେ ପଡ଼ି ଯାଇଥିଲେ-। ସେତେବେଳେ ଏପରି ଆଦେଶ ଥିଲା ଯେ, ଯଦି କୌଣସି ଇହୁଦୀଙ୍କୁ ତୁମେ ଲୁଚି ପଳାଇ ଯାଉଥିବାର ଦେଖିବ, ତେବେ ତତ୍‍କ୍ଷାଣତ୍‍ ଗୁଳି କରି ମାରି ଦେବାକୁ ହେବ । ବନ୍ଧୁକଧାରୀମାନଙ୍କୁ ମାଆ ଖୁବ୍ ଶାନ୍ତ ମୁଦ୍ରାରେ କିହଲେ: କହିଲ ବାବୁମାନେ, ଯଦି କୌଣସି ଲୋକକୁ ମୃତ୍ୟୁଦଣ୍ଡ ଦିଆ ଯାଇଥାଏ, ତେବେ ତାକୁ ତୋ’ର ଶେଷ ଇଚ୍ଛା କ’ଣ ବୋଲି ପଚରା ମଧ୍ୟ ଯାଏ । ହଉ, ତେବେ କ’ଣ ତୋ’ର ଶେଷ ଇଚ୍ଛା ଆମକୁ କହ,–ନାତ୍‌ସୀ ସୈନ୍ୟମାନେ କହିଥିଲେ । ‘‘ତେବେ ମୋ’ ପାଇଁ ଓ ମୋ’ର ଦୁଇଟିଯାକ ଛୁଆଙ୍କ ପାଇଁ ମୁଁ ଏତିକି ପ୍ରାର୍ଥନା କରୁଛି ଯେ ତୁମେ ରାତି ପାହି ସିନ୍ଦୂରା ଫାଟିବାଯାଏ ଅପେକ୍ଷା କର ।’’

 

ସେତେବେଳେ ପୁଅଟି ବାରବର୍ଷର ହୋଇଥାଏ । ସବୁ କଥା ତା’ର ଏବେ ମଧ୍ୟ ମନେ ଅଛି : ମାଆ ଗୋଟିଏ କାନ୍ଥକୁ ଆଉଜି ସିଧା ହୋଇ ବସି ରହିଲେ,–ଛୁଆ ଦୁହିଙ୍କ ଉପରେ ହାତ ରଖିଥାନ୍ତି । ସେ ତା’ପରେ ତାକୁ ଜଗିଥିବା ରୁମ୍‍ାନିଆର ଜଗୁଆଳି ସୈନ୍ୟଟିକୁ କହିଲେ–ବାବୁ, ମୁଁ ଭାବୁଛି, ତୁମର ମଧ୍ୟ ନିଜର ସ୍ତ୍ରୀ ଥିବ, ପିଲାମାନେ ବି ଥିବେ । ହଁ, ସୈନ୍ୟଟିର ମଧ୍ୟ ସ୍ତ୍ରୀ ଥିଲେ, ପିଲା ବି ଥିଲେ । ‘‘ତୋ ପିଲାଙ୍କୁ କେତେ କେତେ ବର୍ଷ ?’’ ଏତକ ଶୁଣି ସୈନ୍ୟଟି ଏହି ତିନିଜଣଙ୍କ ଆଡ଼କୁ ନିରୀଖି କରି ଅନାଇ ରହିଲା । ‘‘ହଁ, ମୋ’ ପିଲାଙ୍କର ବୟସ ପ୍ରକୃତରେ ତୁମ ପିଲାଙ୍କ ବୟସର ସମାନ ହିଁ ହେବ ।’’ ଅତ୍ୟନ୍ତ ଧୀର ଭାବରେ ଏତକ କହି ସିଏ ସେମାନଙ୍କ ନିକଟକୁ ଆସିଲା ଏବଂ କହିଥିଲା, ‘‘ବର୍ତ୍ତମାନ ମଧ୍ୟ ଅନ୍ଧାର ଅଛି, ତୁମେମାନେ ଯୁଆଡ଼େ ପାରୁଛ ଚାଲିଯାଅ ! ମୁଁ ମଧ୍ୟ ତୁମମାନଙ୍କ ସଙ୍ଗରେ ପଛେ ପଛେ ଯାଉଥିବି ।’’ ଏହିପରି ସେମାନେ ଦୁଇ ରାତି ଚାଲିଲେ-। ଦିନରେ ଲୁଚି ରହନ୍ତି, ରାତି ହେଲେ ଚାଲନ୍ତି । ମାତ୍ର କୁଆଡ଼େ ଯିବେ, ସେବିଷୟରେ ଆଦୌ କିଛି ଜାଣିନଥାନ୍ତି । ଏବଂ, ତୃତୀୟ ଦିନ ପୁଣି ଧରା ପଡ଼ିଲେ । ସେମାନଙ୍କୁ Concentration Campକୁ ଅଣା ଯାଇଥିଲା । ୧୯୪୪ ମସିହାରେ ଯାଇ ଆଉ ୧୦୦୦ ପିଲାଙ୍କ ସହିତ ଏହି ଭାଇଭଉଣୀ ରେଡ଼କ୍ରସ୍‌ର ମଧ୍ୟସ୍ଥତାରେ ହଜାରେ ଜର୍ମାନ ଯୁଦ୍ଧବନ୍ଦୀଙ୍କ ସହିତ ବଦଳ ହୋଇଥିଲେ-। ଛୁଆ ଦୁହିଁଙ୍କୁ ପାଲେଷ୍ଟାଇନ୍ ପଠାଇ ଦିଆ ଯାଇଥିଲା ଓ ସେମାନେ ଆସି ଜେରୁଜେଲମ୍‍ ନିକଟରେ ଥବା ଏକ କିବୁତ୍‍ଜରେ ରହିଲେ । ସେହି ସମୂହଗାଆଁଟି ଗୋଟିଏ ଆରବ ଗାଆଁ ଆବୁ-ଗୋଶ୍‌ର ପାର୍ଶ୍ୱବର୍ତ୍ତୀ ହୋଇ ରହିଥିଲା ।

 

ସେହି ଆରବ ଗାଆଁର ଶେଖ୍‍ ମଧ୍ୟ ଇହୁଦୀମାନଙ୍କର ତତ୍କାଳୀନ ପ୍ରତିଆକ୍ରମଣ ଗୋଷ୍ଠୀ ସହିତ ଜଣେ ସହଯୋଗୀ ହୋଇ ରହିଥିଲେ । ଏବଂ, ପୁଅଟି,–ତା’ ନାଆଁ ଆରିକା–, ର ଗାଆଁଟିରେ ବହୁତ ଉତ୍ତମ ବନ୍ଧୁ ହୋଇଗଲେ ଓ ସେମାନେ ତାକୁ ଆରବୀ ଭାଷା ଶିଖାଇ ଦେଇଥିଲେ । ସେ ପାଞ୍ଚବର୍ଷ କାଳ ପ୍ରତିଦିନ ଆଠ ଘଣ୍ଟା କରି କିବୁତ୍‍ଜ୍‌ରେ ନାନାବିଧ କାମରେ ନିଯୁକ୍ତ ହୋଇଥିଲା ଓ ସନ୍ଧ୍ୟାକୁ ଚିତ୍ରବିଦ୍ୟା ଶିଖିବା ସକାଶେ ଜେରୁଜେଲମ୍ ଯାଉଥିଲା । ବଡ଼ ହୋଇ ପାରିସ୍ ଆସି ଚିତ୍ରବିଦ୍ୟା ମଧ୍ୟ ଶିଖିଥିଲା । ବର୍ତ୍ତମାନ ଜଣେ ଚିତ୍ରକାର ହିସାବରେ ବେଶ୍ ସ୍ୱୀକୃତି ପାଇଛି ଏବଂ ଇଉରୋପର କେତେ ସହରରେ ମଧ୍ୟ ତା’ ଚିତ୍ରଗୁଡ଼ିକର ପ୍ରଦର୍ଶନୀ ହୋଇଛି-। ଆରିକା ମାଆଙ୍କ ପାଇଁ ଅତ୍ୟନ୍ତ ଚିନ୍ତିତ । ମାଆ ରୁମାନିଆରେ,–ଇସ୍ରାଏଲ୍ ଆସିବାପାଇଁ ଅନୁମତି ମିଳୁନାହିଁ ।

 

ରାତି ପ୍ରାୟ ବାରଟା ହେଲାଣି ଓ ମୁଁ ଲେଖୁ ଲେଖୁ କେତେ କଥା ଲେଖି ପକାଇଲିଣି । ତେଣୁ, ଏହିଠାରେ ଶେଷ କରୁଛି ।

 

ମୋ’ର ଅନେକ ଅନେକ ଶୁଭେଚ୍ଛା ସହିତ,

 

-ଆମ ଦୁହିଁଙ୍କ ଠାରୁ । ଇତି

 

ତୋ’ର

ମାଆ

 

କୋପେନ୍‌ହେଗେନ୍, ୨୯ । ୮ । ୫୪

 

ପ୍ରିୟ ଚିତ୍ତ, ପ୍ରିୟ ବହୁପାଠୁଆ ପୁଅ,

 

ତୋ’ ପାଖରୁ ପୁଣି ଚିଠି ଆସି ପହଞ୍ଚିଲା, ଏବଂ ଆମେ ଦୁହେଁଯାକ କେଡ଼େ ଖୁସୀ ନହେଲୁ ! ତୁ ଲାଗ୍‌ଲାଗ୍ ଚିଠି ନଦେଲେ ଯେ ମୁଁ ସେଥିପାଇଁ ରାଗ କରିବି, ତୁ ଏପରି କେବେହେଲେ ଭାବିବୁ ନାହିଁ । କିନ୍ତୁ ଯେତେବେଳେ ତୋ’ ପାଖରୁ ଦୀର୍ଘଦିନ ଆଦୌ କୌଣସି ଚିଠି ନଆସେ, ସେତେବେଳେ ଆମ ଭିତରେ ଡର ପଶିଯାଏ ଓ ଆମେ ଚିନ୍ତିତ ହୋଇପଡ଼ୁ । ଭାବିଲୁ, ଆମ ପାଇଁ ଭାରତବର୍ଷ କୋଉଠି ଯାଇ କେତେ ଦୂରରେ । ସେଠା ପରିସ୍ଥିତିମାନ ଆମକୁ କ’ଣ ବା ଜଣା ଅଛି ? ଆମର ତେଣୁ ଆଶଙ୍କା ହେବାକୁ ଆରମ୍ଭ କରେ ଯେ, ତେଣେ ତୁ ନିଶ୍ଚୟ କିଛି ଅସୁବିଧାରେ ପଡ଼ିଛୁ ଏବଂ ତେଣୁ ଚିଠିପତ୍ର ପଠାଇ ପାରୁନାହିଁ ।

 

ତୋ’ ଚିଠିରେ ଏଥର ଖାଲି ଭଲ ଖବର ହିଁ ଭରି ରହିଥିଲା । ତୋ’ କଳ୍ପନାର ନୂଆ ସ୍କୁଲଟି ଇତିମଧ୍ୟରେ ଆରମ୍ଭ ହୋଇଯାଇଛି ଏବଂ ଏହି ମାସ ୨୬ ତାରିଖରେ ତାହାର ଉଦ୍‍ଘାଟନ ହେବାକୁ ଯାଉଛି । ଅର୍ଥାତ୍, ଏହି ଅଳ୍ପ ସମୟ ମଧ୍ୟରେ ପ୍ରକୃତରେ ବହୁତ ଅଗ୍ରଗତି ହୋଇ ପାରିଛି । ତୋତେ ମୁଁ ପୂରା ସମର୍ଥନ କରୁଛି ଯେ, ତୁମମାନଙ୍କର ଏହି ଶିକ୍ଷାକେନ୍ଦ୍ରଟି କୌଣସି ସରକାର ଉପରେ ନିର୍ଭରଶୀଳ ହୋଇ ରହିବନାହିଁ । ମୁଁ ବର୍ତ୍ତମାନ ଚିନ୍ତା କରୁଛି, ଆମେ ଏଠାରୁ ମଧ୍ୟ ସେହି ଦିଗରେ କିଛି ସାହାଯ୍ୟ କରିପାରିବୁ ! ଅବଶ୍ୟ ସେହି ସାହାଯ୍ୟର ହୁଏତ କୌଣସି ବୃହତ୍ ତାତ୍ପର୍ଯ୍ୟ ରହିବନାହିଁ । କିନ୍ତୁ ତୁ ତ ଜାଣିଛୁ, ଇଉନେସ୍କୋର ଗୋଟିଏ କିସମର କୁପନ–ବ୍ୟବସ୍ଥା ଅଛି,–ଯାହା ସାହାଯ୍ୟରେ କି ଯିଏ କେହି ଇଚ୍ଛା କରୁଥିଲେ କିଛି କୁପନ୍ କିଣି ପାରିବ ଏବଂ ତାହାର ମାଧ୍ୟମରେ କୌଣସି ଅନୁଷ୍ଠାନକୁ ସାହାଯ୍ୟ କରିପାରିବ । ଏଭଳି କରି ସେଠାରେ ଆରମ୍ଭ ହେଉଥିବା ତୁମ ସ୍କୁଲଟିକୁ ସାହାଯ୍ୟ କରି ହେବ କି ନାହିଁ, ମୁଁ ନିର୍ଦ୍ଦିଷ୍ଟ କରି କହି ପାରୁନାହିଁ । କିନ୍ତୁ ଏହି ବିଷୟରେ ପିଟର୍ ଓ ମୁଁ ସଂପୃକ୍ତ ବ୍ୟକ୍ତିମାନଙ୍କ ସହିତ କଥାବାର୍ତ୍ତା କରିବୁ । ଏହାଦ୍ୱାରା କିଛି ପ୍ରକୃତ ବାଟ ଫିଟିଯାଇ ପାରିଲେ ତାହା ନିଶ୍ଚୟ ଏକ ଆନନ୍ଦର କଥା ହେବ ।

 

ଆମେ ପଶ୍ଚିମ ଡେନମାର୍କରେ ପ୍ରାୟ ଗୋଟିଏ ମାସ ଛୁଟି କଟାଇ ଆସିଲୁ; ଅଧିକାଂଶ ସମୟ ଆମର ସାଇକେଲ୍‌-ଯାତ୍ରା ଅଥବା ପାଦରେ ଚାଲିବାରେ ହିଁ ଅତିବାହିତ ହେଉଥିଲା । ସମ୍ପୂର୍ଣ୍ଣ ଭାବରେ ଜନଶୂନ୍ୟ ଏକ ଅଞ୍ଚଳରେ ଗାଡ଼ି, ମୋଟର କିମ୍ବା ମୋଟର-ସାଇକେଲର ଆଦୌ କୌଣସି କୋଳାହଳ ନଥିଲା । ପ୍ରାୟ ପ୍ରତ୍ୟହ ବର୍ଷା ହେଉଥିଲା । ସମସ୍ତେ କହୁଛନ୍ତି, ୧୮୮୨ ପରେ ଡେନମାର୍କରେ କେବେ ଏତେ ବେଶୀ ବର୍ଷା ହୋଇ ନଥିଲା । ଛୁଟିଟା ବେକାର ହେଲା ବୋଲି ବହୁତ ଲୋକ ବିରକ୍ତି ମଧ୍ୟ ପ୍ରକାଶ କରୁଛନ୍ତି । ….ମୁଁ ଆଉ ପିଟର୍‌ ଦିନେ ଦିନେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ସାଇକେଲ କରିଛୁ,–ବର୍ଷା ଓ କାଲୁଆ ପାଗରେ ମଧ୍ୟ ଗୋଟାଏ ଥାନରେ ଅଟକି ଯାଇନାହୁଁ । ପ୍ରକୃତରେ ଖୁବ୍‌ ଆନନ୍ଦରେ ସମୟଗୁଡ଼ିକ କଟିଯାଇଛି ! ପିଟର ବର୍ତ୍ତମାନ ପୁନର୍ବାର ତାଙ୍କ ସ୍କୁଲକୁ ଯିବା ଆରମ୍ଭ କରିବେ, ତାଙ୍କ ପତ୍ରିକା ପାଇଁ ଲେଖା ଲେଖିବେ ।

 

ଚିତ୍ତ, ମୁଁ ମନେ ରଖିଛି, ତୁ ଗୋଟିଏ ଚିଠିରେ ମୋ’ ପାଖକୁ ଲେଖିଥିଲୁ ଯେ, ଇସ୍ରାଏଲ୍‌ରେ ବାସ କରୁଥିବା ଇହୁଦୀମାନେ ଏପର୍ଯ୍ୟନ୍ତ ଭାବି ପାରିନାହାନ୍ତି ଯେ ସେମାନେ ମୂଳତଃ ଇଉରୋପର ଅଧିବାସୀ ନୁହନ୍ତି–ସେମାନେ ହେଉଛନ୍ତି ଏହି ଏସିଆ ଭୂଖଣ୍ଡର । ଆରବ ଏବଂ ଇହୁଦୀ ଉଭୟେ ଗୋଟିଏ ରକ୍ତରୁ ଜାତ ହୋଇଛନ୍ତି, ସେମାନଙ୍କର ଏହି ସତ୍ୟଟିକୁ ଉପଲବ୍ଧି କରିବା ଉପରେ ହିଁ ସେମାନେ ସେମାନଙ୍କର ନୂଆ ଭୂମିଟିରେ ପ୍ରତିବେଶୀ ଆରବମାନଙ୍କ ସହିତ ଶାନ୍ତିରେ ବାସ କରି ପାରିବା ସମ୍ପୂର୍ଣ୍ଣ ଭାବରେ ନିର୍ଭର କରୁଛି । ସେହିପରି ମୋ’ର ଏକଥା ମଧ୍ୟ ମନେ ପଡ଼ୁଛି, ତୁ ସେହି ତରୁଣ ଭାରତୀୟମାନଙ୍କ ବିଷୟରେ ମଧ୍ୟ କହୁଥିଲୁ ଯେ, ସେମାନେ ଏଠି ଇଉରୋପକୁ ୩-୪-୫ ବର୍ଷ ପାଇଁ ପଢ଼ିବା ନିମନ୍ତେ ଆସୁଛନ୍ତି ଏବଂ ତା’ପରେ ନିଜ ଦେଶକୁ ଫେରିଯାଇ ଆପଣାକୁ ପୂରା ବିଦେଶୀ ବୋଲି ଅନୁଭବ କରୁଛନ୍ତି । ସେହି ଭାରତରେ ହିଁ ସେମାନଙ୍କର ଚେର ଅଛି ବୋଲି ଅନୁଭବ କରୁନାହାନ୍ତି । ଏଣେ, ଅପରପକ୍ଷରେ, ଇହୁଦୀମାନେ ମଧ୍ୟ ଇଉରୋପରେ ୩-୪-୫ ବର୍ଷ ନୁହେଁ, ମାତ୍ର ୨୦୦୦ ବର୍ଷ ରହିବା ପରେ ନିଜର ଗୋଡ଼ଗୁଡ଼ିକ ମୂଳତଃ ଏସିଆରେ ହିଁ ରହିଛି ବୋଲି କିପରି ବା ସହଜରେ ଅନୁଭବ କରିପାରିବେ ? ଯଦି ତୁ ୨୫-୩୦ ବର୍ଷ ପରେ ଆଉଥରେ ଇସ୍ରାଏଲ୍‌କୁ ଆସିବୁ, ତେବେ ହୁଏତ ଦେଖିବାକୁ ପାଇବୁ ଯେ ସେଠାରେ ସବୁକିଛି ଅଲଗା ପ୍ରକାରର ହୋଇଯାଇଛି । ଅବଶ୍ୟ ଯଦି ଏହି ନୂଆ ଭୂମିଟିକୁ ସତକୁ ସତ ତିଷ୍ଠି ରହିବାକୁ ଦିଆଯାଏ, ତେବେ ସିନା ମୁଁ ଯାହା ଭାବୁଛି ତାହା ସମ୍ଭବ ହେବ ! ମାତ୍ର, ସେହି କଥାଟି ତ ପୃଥିବୀର ବୃହତ୍‌ ଶକ୍ତିମାନଙ୍କ ଉପରେ ହିଁ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରିବ । ସମ୍ଭବତଃ, ଘଟଣା ଏପରି ହେବ ଯେ ଏହି ଡେନମାର୍କ ନାମକ ଦେଶଟି ମଧ୍ୟ ନିଜର ସ୍ୱାଧୀନ ଇଚ୍ଛା ଅନୁସାରେ ନିଜକୁ ଆଗେଇ ନେବାକୁ ସୁଯୋଗ ପାଇ ପାରିବନାହିଁ । …. ଏହି ଦେଶରେ ଆମେ ତ ମୋଟେ ୪୦ ଲକ୍ଷ ମଣିଷ !

 

ଆମ ଦୁହିଁଙ୍କର ବହୁତ ଶୁଭକାମନା, ତୋ ଲାଗି । ଇତି,

 

Unknown

ତୋ’ର

ମାଆ

 

କୋପେନ୍‌ହେଗେନ୍‌, ୧୪ । ୧୧ । ୫୪

 

ସ୍ନେହର ଚିତ୍ତ, ମୋ’ ସ୍ନେହର ବହୁପଢ଼ୁଆ ପୁଅ,

 

ତୁ ରାଗିଥିବୁ ଏବଂ ଆଶ୍ଚର୍ଯ୍ୟ ବି ହେଉଥିବୁ । କାରଣ ମୁଁ ତୋ ପାଖକୁ ଚିଠି ଦେଇନାହିଁ । ଚିଠି ଲେଖିବି ବୋଲି ତ କେତେ ଦିନରୁ ଭାବୁଛି । ମାତ୍ର, କ’ଣ ପାଇଁ ମୁଁ ଘୋର ଉଦାସୀନତା ମଧ୍ୟରେ ବୁଡ଼ି ରହିଛି,–କିଛି କରିବା ପାଇଁ ମୋଟେ କୌଣସି ଉତ୍ସାହ ହେଉନାହିଁ । ଉଦାସୀନତା ଗୋଟିଏ ରୋଗ । ଇହୁଦୀମାନଙ୍କ ଭିତରେ ତୁ ସଚରାଚର ଏହି ରୋଗଟିକୁ ବେଶ୍‌ ଲକ୍ଷ୍ୟ କରି ପାରିବୁ । ସମ୍ଭବତଃ, ଏପରି ହେବାର ଏକ ସବାଆଗ କାରଣ ହେଉଛି ଯେ,–ସେମାନଙ୍କର ଏହି ଦୁର୍ଦ୍ଦାନ୍ତ ଅସହାୟତାପୂର୍ଣ୍ଣ ଜୀବନଟା ହିଁ ସେମାନଙ୍କୁ ବହୁ ପରିମାଣରେ ସଦାକାତର କରି ରଖିଛି ଏବଂ ନିସ୍ତାର ପାଇବାର କୌଣସି ବାଟ ଅଛି ବୋଲି କ୍ୱଚିତ୍‌ ମନେ ହୋଇଛି । ଅପର ସମସ୍ତେ ଇହୁଦୀମାନଙ୍କୁ ଚିରକାଳ ବଡ଼ ହୀନ କରି ଦେଖିଛନ୍ତି । ମୁଁ ସିନା ବ୍ୟକ୍ତିଗତ ଭାବରେ ସେହି ଦଶା ଭିତରୁ ମୁକୁଳି ଆସିଛି,–କିନ୍ତୁ ଜଣେ ଇହୁଦୀ ହିସାବରେ ମୋ’ ନିଜ ସମୂହଟି ବିଷୟରେ ଆଖି ବୁଜିଦେଇ ପାରିବି ବା କିପରି ?

 

ଚିତ୍ତ, ମୁଁ ବହୁତ ସମୟରେ ଭାବୁଥାଏ ଯେ, ଆଜି ତୋ’ ପାଖକୁ ନିଶ୍ଚୟ ଚିଠି ଲେଖିବି । ତୋ’ ପାଖକୁ ଏଇଟା ଲେଖିବି, ସେଇଟା ଲେଖିବି । କିନ୍ତୁ ସଜବାଜ ହୋଇ ମୁଁ ଯେମିତି ଆସି ଟେବୁଲ ପାଖରେ ବସେ, ସେତେବେଳେ ମୋଟେ କିଛିହେଲେ ମନେ ପଡ଼େନାହିଁ । ସମ୍ଭବତଃ ତାହାର ଗୋଟିଏ କାରଣ ହେଉଛି ଯେ, ସେତେବେଳେ ମୁଁ ଏକ ସମ୍ପୂର୍ଣ୍ଣ ଅସମ୍ଭବ ବ୍ୟାପାରକୁ ସମ୍ଭବ କରିବାଲାଗି ଚେଷ୍ଟା କରୁଥାଏ । ଦୁଇଟାଯାକ କିପରି କରିପାରିବି ? –ଚିଠି ଲେଖିବି ଓ ତେଣେ ଘର ସମ୍ଭାଳିବି, ରାନ୍ଧିବି, ସ୍ୱାମୀର ହେପାଜତ କରିବି,–ପୁଅ, ଝିଅ ଓ ନାତି ନାତୁଣୀଙ୍କର ମଧ୍ୟ ତତ୍ତ୍ୱ ନେବି ।

 

ବର୍ତ୍ତମାନ କେତେଦିନ ହେବ ମାଦ୍‌ସ୍‌ ମଧ୍ୟ ମୋ’ ପାଖରେ ଆସି ରହିଛି । –ସେ ଖେଳୁ ଖେଳୁ କୋଉଠି ଉପରୁ ତଳକୁ ପଡ଼ିଗଲା ଯେ ତା’ର ମୁଣ୍ଡ କଣା ହୋଇଗଲା । ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ଯାଇ ସିଲେଇ କରିବାକୁ ପଡ଼ିଲା । ତା’ଘରେ ତା’ କଥା କେହି ସମ୍ଭାଳିବାକୁ ନାହାନ୍ତି ବୋଲି ମୁଁ ତାକୁ ସାଙ୍ଗରେ ଆମ ଘରକୁ ନେଇ ଆସିଲି । ତା’ ସହିତ ସମୟଗୁଡ଼ିକ କି ସୁନ୍ଦର ଭାବରେ କଟିଯାଇ ପାରିଲା । ଭାରତର ପରିବାରର ଆଈମାନଙ୍କ ବିଷୟରେ ଶୁଣିଲେ ମୋ’ର ସତକୁ ସତ ବଡ଼ ଈର୍ଷା ହୁଏ,–ସେଠି ସେମାନେ କେତେ ଅନ୍ୟପ୍ରକାରେ ସମୟ ଅତିବାହିତ କରି ପାରୁଥିବେ ! ମୋ’ର ଖୁବ୍‌ ଇଚ୍ଛା ବି ହୁଏ, ଗୋଟାଏ କେଡ଼େ ବଡ଼ ଘର ଥାଆନ୍ତା,–ତା’ ଆଗକୁ ବଡ଼ ବଗିଚାଟିଏ ମଧ୍ୟ ରହିଥାନ୍ତା । ତେବେ ମୋ’ ପିଲାମାନେ ଓ ପିଲାଙ୍କ ପିଲାମାନେ ଯେତେବେଳେ ଖୁସୀ ମୋ’ ପାଖରେ ଆସି ରହିପାରନ୍ତେ !

 

ବର୍ତ୍ତମାନ ପିଟର୍‌ ଖୁବ୍‌ ବ୍ୟସ୍ତ,–ଲେଖା ପରେ ଲେଖା ଲେଖି ପାରୁଛନ୍ତି; ସବୁବେଳେ ହିଁ ଅତ୍ୟନ୍ତ ବ୍ୟସ୍ତ ଅଛନ୍ତି । ବେଶ୍‌ ମୋଟା ବି ଦିଶିଲେଣି । ମୁଁ ତାଙ୍କୁ ରାନ୍ଧି ବାଢ଼ି ଉତ୍ତମ ଖାଦ୍ୟ ଯୋଗାଇ ଦେଉଛି । ମାତ୍ର, ସିଏ ଆଉ ଏଣିକି ଉପରେ ଠିଆ ହେବାର ଅଭ୍ୟାସଟିକୁ ଛାଡ଼ିଦିଅନ୍ତୁ ବୋଲି ମୁଁ ତାଙ୍କୁ ଆଦୌ କହି ପାରୁନାହିଁ । ପଣ୍ଡିତ ନେହେରୁ ମଧ୍ୟ ଏହି ଆସନଟିକୁ କରନ୍ତି ବୋଲି ପିଟର୍‌ ସବୁବେଳେ ଉତ୍ତର ଦିଅନ୍ତି । ହଁ, ସମ୍ପୂର୍ଣ୍ଣ ଠିକ୍‌ କଥା,–ମାତ୍ର ପିଟର୍‌ କ’ଣ ନେହେରୁ କି ? ପୁନଶ୍ଚ, ତାଙ୍କ ଓଜନ ତ ନେହେରୁଙ୍କ ଓଜନର ପାଞ୍ଚଗୁଣ ଅଧିକା ମଧ୍ୟ ହେବ !

 

ଆଜି ଖବରକାଗଜରେ ପଢ଼ୁଥିଲି ଯେ, ବର୍ତ୍ତମାନ ଜଣେ ମନ କଲେ ଏଠାରୁ ମଟରଗାଡ଼ିରେ ବସି ସିଧା ଭାରତବର୍ଷ ଯାଇପାରିବ; ମୁଁ ଭାବୁଛି, ଦିନେ ଆମେ ମଧ୍ୟ ଗାଡ଼ି ଚଳାଇ ତୋ’ପାଖରେ ପହଞ୍ଚିଯାଇ ପାରିବୁ । ହଁ, ଏଠି ଆମର ସେହି ଭାରତବର୍ଷୀୟ ପୁଅଟି କଥା ଭାରି ମନେ ପଡ଼ୁଛି । ତୋ’ର ସେଠାରେ କାମ ଓ ତୁମ ବିଦ୍ୟାଳୟଟି ବିଷୟରେ ତୋ’ ମୁହଁରୁ ସିଧା ଶୁଣି ଆମକୁ କେଡ଼େ ଖୁସୀ ନଲାଗିବ ! ଚିତ୍ତ, କେଡ଼େ ବଢ଼ିଆ ହୁଅନ୍ତା, ଯଦି ଏପରି ଏକ ଜଙ୍ଗଲ ଥାଆନ୍ତା, ଯେଉଁଠାରେ କି ଜଣେ ଯାଇ ଇସ୍କୁଲଟିଏ କରି ପାରନ୍ତା ! ଏଠାରେ ତ ଆମେ ଆମ ଜଙ୍ଗଲ ଭିତରକୁ କେବଳ ରବିବାର ଦିନ ହିଁ କିଛି ସମୟ ପାଇଁ ଯାଇ ପାରୁଛୁ ! ହଁ ଚିତ୍ତ, ବର୍ତ୍ତମାନ ତ ତୁ ତୋ’ ଦେଶବାସୀଙ୍କୁ ଶିକ୍ଷାଦାନ କରିବାପାଇଁ ସ୍କୁଲଟିଏ ତିଆରି କରିବାରେ ମନ ଦେଇଛୁ । ଦେଖିବୁ, ସେମାନେ ସେହି ଶିକ୍ଷା ଲାଭକରି ଯେପରି ଆଖର ଏହି ପାଶ୍ଚାତ୍ୟ ପୃଥିବୀରେ ବାସ କରୁଥିବା ଅବିକଳ ଆମ ପରି ତିଆରି ନହୁଅନ୍ତି !

 

ଏବେ ମୋ’ର ଗୋଟିଏ ଲେଖା ମଧ୍ୟ ଖବରକାଗଜରେ ବାହାରିଛି । ବୁଦ୍ଧିଜୀବୀମାନଙ୍କର ଦାୟିତ୍ୱ ବିଷୟରେ ସେଇଟି ଲେଖା ହୋଇଛି । କମ୍ୟୁନିଷ୍ଟଶାସିତ ପୂର୍ବ ଇଉରୋପରେ ଚିନ୍ତନକ୍ଷେତ୍ରରେ ସ୍ୱାଧୀନତା ରହିବା ଉଚିତ ବୋଲି ଆଶା କରାଯାଇଛି ।

 

ରୁଷିଆର ବିଖ୍ୟାତ ଲେଖକ ଶ୍ରୀଯୁକ୍ତ ଇଲିଆ ଇଉରେନ୍‌ବର୍ଗଙ୍କର ଲେଖା ଗୋଟିଏ ଉପନ୍ୟାସରେ ଲେଖକ ବହୁତ ସାହସ କରି ସ୍ଥିତିଗୁଡ଼ିକର ଚର୍ଚ୍ଚା କରିଛନ୍ତି,–ନିଜ ଦେଶର ଅବସ୍ଥା ବିଷୟରେ ସେ ଅତ୍ୟନ୍ତ ତୀକ୍ଷ୍‍ଣ ଭାବରେ ଖୁବ୍ ଟୀକା କରିଛନ୍ତି । ମାତ୍ର, ମୁଁ ତ ତଥାପି ଭାବୁଛି, ତୁ ପୃଥିବୀର ଏପରି ଗୋଟିଏ ଖଣ୍ଡରେ ବାସ କରୁଛୁ, ଯେଉଁଠାରେ କି ଲକ୍ଷ ଲକ୍ଷ ମଣିଷଙ୍କର ପେଟକୁ ଅନ୍ନ ନାହିଁ,–ସେଠାରେ ବୌଦ୍ଧିକ ସ୍ୱାଧୀନତାର ବିଷୟଟି ନିଶ୍ଚୟ ଅପେକ୍ଷାକୃତ ଗୋଟିଏ ଗୌଣ ସମସ୍ୟା ହୋଇ ରହିବ । ତୁ ମଧ୍ୟ ଅଳ୍ପବହୁତ ସେହିପରି ହିଁ ଭାବୁଥିବୁ ।

 

ଆମ ଦୁହିଁଙ୍କର ବହୁତ ବହୁତ ଶୁଭକାମନା । ଇତି

 

ତୋ’ର

ମାଆ

 

କୋପେନ୍‌ହେଗେନ୍‌, ୮ । ୫ । ୫୫

 

ସ୍ନେହର ଚିତ୍ତ, ମୋ’ର ସ୍ନେହର ବହୁପଢ଼ୁଆ ପୁଅ,

 

ତୋ’ର ଚିଠି ଆସି ପହଞ୍ଚିଲା । ଖୁସୀର ଖବରଗୁଡ଼ିକ ପାଇ ଆମେ ବି କେତେ ଖୁସୀ ହେଲୁ । ତୋ’ର ଡାଏରୀ ଖାତାଟି ମଧ୍ୟ ଚୋରି ହୋଇ ଯାଇଛି ବୋଲି ସମ୍ବାଦ ମିଳିଲା । ତା’ ସହିତ ଆହୁରି କେତେ ଜିନିଷ ମଧ୍ୟ ଚୋର ନେଇ ଚାଲିଯାଇଛି । ଆଜି କହିବି, ପିଟର୍‌ଙ୍କର ନିଜ ଲେଖା ଏକ ପାଣ୍ଡୁଲିପି ମଧ୍ୟ ଏକଦା ଏହିପରି ଚାଲି ଯାଇଥିଲା । ଅନେକ ଦିନ ବହୁ ଅଧ୍ୟୟନ କରି ସିଏ ସେହି ପାଣ୍ଡୁଲିପିଟି ପ୍ରସ୍ତୁତ କରିଥିଲେ । ସେତେବେଳେ ଜର୍ମାନ୍‌ମାନେ ଡେନ୍‌ମାର୍କକୁ ଦଖଲ କରି ନେଇଥାନ୍ତି । ସେହିମାନେ ହିଁ ସେହି ପାଣ୍ଡୁଲିପିକୁ ଜବତ କରି ନେଇ ଯାଇଥିଲେ । ତଥାପି ପିଟର୍‌ ସମ୍ପୂର୍ଣ୍ଣ ଭାବରେ ଥିର ହୋଇ ରହିଥିଲେ । ଏବଂ, ପୁନର୍ବାର ମୂଳରୁ ଲେଖି ରଚନାଟିକୁ ସମ୍ପୂର୍ଣ୍ଣ କଲେ । ତେଣୁ, ବ୍ୟସ୍ତ ହୋଇ ପଡ଼ିବାର ଆଦୌ କୌଣସି କାରଣ ନାହିଁ ।

 

ହଁ, ଇତିମଧ୍ୟରେ ଆମେ ବନ୍ଧୁଗୋଷ୍ଠୀ ଭିତରେ କିଛି ଅର୍ଥ ସଂଗ୍ରହ କରି ସେଠାରେ ତୁମ ସ୍କୁଲ ସକାଶେ ଦୁଇଟି ସାଇକେଲ୍‌ କିଣିଛୁ । ସିଲାଇ କଳ ମଧ୍ୟ କିଣା ହୋଇଛି । ଗୋଟିଏ ଅନୁଷ୍ଠାନର ମାଧ୍ୟମରେ ପଠାଯାଇ ସେଗୁଡ଼ିକ ଯଥାସମୟରେ ସେଠାରେ ଯାଇ ପହଞ୍ଚିଯିବ । ହଁ, ଗୋଟିଏ ମହିଳା ଅନୁଷ୍ଠାନ, ତୁ ଏକଦା ଯେଉଁମାନଙ୍କ ଦ୍ୱାରା ଆହୂତ ଗୋଟିଏ ବୈଠକରେ ଭାରତବର୍ଷ ବିଷୟରେ କହିଥିଲୁ, ସେମାନେ ତୋତେ ଏବେ ମଧ୍ୟ ମନେ ରଖିଛନ୍ତି । ସେହି ଅନୁଷ୍ଠାନଟିର ସମ୍ପାଦିକା ମୋତେ କହିଛନ୍ତି ଯେ, ସେମାନେ ଅଳ୍ପଦିନ ମଧ୍ୟରେ ତୋ’ପାଖକୁ ଚିଠି ଲେଖିବେ ଏବଂ ନିୟମିତ ଭାବରେ ବିଦ୍ୟାଳୟ ନିମନ୍ତେ କିଛି ଶୁଖିଲା ଗୁଣ୍ଡକ୍ଷୀର ପଠାଇବା ପାଇଁ ପ୍ରସ୍ତାବ ଦେବେ । ଏହି ଚିଠିରେ ମୁଁ ସେମାନଙ୍କର ଠିକଣା ପଠାଉଛି । ତୁ ସିଧା ଚିଠି ଲେଖି ସେମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିପାରିବୁ । ତୁ ଦେଖୁଥିବୁ, ଅଧିକ ତ୍ୱରାନ୍ୱିତ ଭାବରେ ସ୍କୁଲକୁ ସାହାଯ୍ୟ କରିପାରିବା ଭଳି ଆମେ ବେଶୀକିଛି କରି ପାରୁନାହୁଁ । ତଥାପି କେତୋଟି ଅନୁଷ୍ଠାନକୁ ସଂପୃକ୍ତ କରିପାରିଲେ ଏହି ଦିଗରେ ନିଶ୍ଚୟ ଅନେକ ଅଧିକ ସମ୍ଭବ ହେବ । ଏବଂ, ମୁଁ ଅନେକ ସମୟରେ ଏପରି ମଧ୍ୟ ଭାବୁଛି ଯେ, ଯଦି ସେପରି ଏକ ଶୁଭଦିନ ଆସିବ ଏବଂ ଅସ୍ତ୍ରଶସ୍ତ୍ର ବାବତରେ ହେଉଥିବା ଖରଚମାନ ବନ୍ଦ ହୋଇଯିବ, ତେବେ ତ କୋଟି କୋଟି ଟଙ୍କା ବଞ୍ଚି ପାରିବ ଏବଂ ସେହିସବୁ ଦେଶକୁ ପଠାଯାଇ ପାରିବ, ଯେଉଁଠାରେ କି ସେଗୁଡ଼ିକୁ ଅଧିକ ଉପଯୋଗୀ କ୍ଷେତ୍ରରେ ଖର୍ଚ୍ଚ କରାଯିବ । ତୁ ବିଶ୍ୱାସ କର, ଡେନ୍‌ମାର୍କରେ ବହୁତ, ବହୁତ ଲୋକ ଠିକ୍‌ ମୋ’ରି ପରି ହିଁ ଭାବୁଛନ୍ତି ।

 

ହଁ, ମୁଁ ବର୍ତ୍ତମାନ ତୋତେ ଏଠିକାର କିଛି ଖବର ଦେବାକୁ ମଧ୍ୟ ଇଚ୍ଛା କରୁଛି । ମହାଯୁଦ୍ଧ ପରେ ଡେନ୍‌ମାର୍କ ଜର୍ମାନ୍‌ ଦଖଲକାରୀମାନଙ୍କର କବଳରୁ ଯେବେ ମୁକ୍ତ ହୋଇଥିଲା, ଏବେ ଆମେ ତାହାରି ଦଶମ ବାର୍ଷିକ ଉତ୍ସବ ପାଳନ କରୁଛୁ । ଏହି ଅବସରରେ ଦେଶବାସୀଙ୍କର ଆନନ୍ଦକୁ ବ୍ୟକ୍ତ କରିବା ନିମନ୍ତେ କେତେ କାର୍ଯ୍ୟକ୍ରମ ଲାଗି ରହିଛି । ସେତେବେଳେ ଡେନ୍‌ମାର୍କକୁ ମୁକ୍ତ କରିଥିବା ସୈନ୍ୟବାହିନୀର ସର୍ବୋଚ୍ଚ ଅଫିସର ଜେନେରାଲ୍‌ ଡେଓ୍ୱିଙ୍ଗ୍‌କୁ ଏକ କାର୍ଯ୍ୟକ୍ରମରେ ଏଠାକୁ ନିମନ୍ତ୍ରଣ କରାଯାଇଥିଲା । ଯୁଦ୍ଧରୁ ଫେରି ସେ ଆଉ ସୈନ୍ୟ ବିଭାଗରେ ରହିଲେ ନାହିଁ,–ବଗିଚାରେ ପରିବା ଚାଷ କରି ବିକ୍ରି କରି ଜୀବିକା ନିର୍ବାହ କଲେ । ଜୀବନରେ ଆଉ କେବେହେଲେ ସୈନ୍ୟ ହେବେନାହିଁ ବୋଲି ସେ ଶପଥ ନେଇଛନ୍ତି । ମାଟିରେ କାମ କରିବାଦ୍ୱାରା ତାଙ୍କ ହାତ କିପରି ଲାଲରଙ୍ଗର ହୋଇଗଲାଣି, ଉତ୍ସବରେ ଭାଷଣ ଦେବା ସମୟରେ ସେ ସମସ୍ତଙ୍କୁ ଦେଖାଇଲେ ।

 

ଜର୍ମାନୀର ଦଖଲରେ ରହିଥିବା ସମୟରେ ଗୁପ୍ତ ଭାବରେ ସଂଗଠିତ ରୂପେ ଯେଉଁ ପ୍ରତିରୋଧ ମଧ୍ୟ ଚାଲିଥିଲା, ସେମାନଙ୍କ ତରଫରୁ ସେତେବେଳେ ଗୋଟିଏ କାଗଜ ମଧ୍ୟ ବାହାରୁଥିଲା । ପ୍ରତିଦିନ ହିଁ ବାହାରୁଥିଲା । ମାତ୍ର ଦୁଇ ପୃଷ୍ଠା ଷ୍ଟେନ୍‌ସିଲ୍‌ କାଗଜରୂପେ ପ୍ରକାଶ ପାଉଥିଲା । ସେହି ‘ସ୍ୱାଧୀନ ଡେନ୍‌ମାର୍କ’ କାଗଜର ସମ୍ପାଦନା ପିଟର୍‌ କରୁଥିଲେ । ଯେତେବେଳେ ହିଟଲର୍‌ ରୁଷିଆ ଆକ୍ରମଣ କଲା, ସେତେବେଳେ ଏଠି ପିଟର୍‌ ମଧ୍ୟ ଆହୁରି ବହୁତଙ୍କ ସହିତ ଗିରଫ ହୋଇଥିଲେ ଓ ଦୁଇବର୍ଷ ଜେଲ୍‌ ଭୋଗିଥିଲେ । ୧୯୪୩ ଅଗଷ୍ଟ ମାସରେ ସେ ବନ୍ଦୀଶାଳାରୁ ଅନ୍ୟ କେତେଜଣ ସାଥିଙ୍କ ସହିତ ପଳାଇ ଯାଇଥିଲେ ଓ ଗୁପ୍ତ ଭାବରେ ପୁଣି ସେହି କାଗଜଟିର ସମ୍ପାଦନା କରୁଥିଲେ । ପୁନର୍ବାର ୧୯୪୪ ଡିସେମ୍ବର ମାସରେ ଗିରଫ ହେଲେ । ଜର୍ମାନ୍‌ ଗେଷ୍ଟାପୋ (ଗୁପ୍ତ ସରକାରୀ ପୋଲିସ) ତାଙ୍କୁ ଦୁଇମାସ କାଳ ବହୁତ ଦୈହିକ ଯନ୍ତ୍ରଣା ମଧ୍ୟ ଦେଇଥିଲା । ତାଙ୍କୁ ଜର୍ମାନୀର କୌଣସି Concentration Camp କୁ ପଠାଇବାର ବିଚାର କରାଯାଉଥିବା ସମୟରେ ଯୁଦ୍ଧ ସରିଲା ଓ ହିଟଲ୍‌ରର ଅନ୍ତ ହୋଇଥିଲା । ହିସାବ କରାଯାଉଛି, ସେହି ଭୟଙ୍କର Camp ମାନଙ୍କରେ ପ୍ରାୟ ଦୁଇ କୋଟିରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଛି । ସେଥିରୁ ୬୦ ଲକ୍ଷ ହେଉଛନ୍ତି ଇହୁଦୀ । ପିଟର୍‌ ବର୍ତ୍ତିଗଲେ ।

 

ହଁ, ଇତିମଧ୍ୟରେ ଷ୍ଟାଲିନ୍‌ଙ୍କ ମୃତ୍ୟୁ ପରେ ସୋଭିଏଟ୍‌ ରୁଷିଆରେ କେତେକ ଉପନ୍ୟାସ ଓ ଅନ୍ୟ ପୁସ୍ତକ ଲେଖା ହୋଇ ବାହାରିଛି, ଯେଉଁଗୁଡ଼ିକରେ କି ଜଣେ ସାଧାରଣ ରୁଷିଆବାସୀର ଦୈନନ୍ଦିନ ଜୀବନର କିଛି ବର୍ଣ୍ଣନା ରହିଛି । କିଛି ଲୁଚାଇବାର ଚେଷ୍ଟା କରା ଯାଇନାହିଁ । ପ୍ରାୟ ୩୦ ବର୍ଷ ପରେ ପ୍ରଥମଥର ପାଇଁ ଏପରି ଘଟୁଛି ଯେ ଲେଖକମାନେ ଯାହା ସ୍ୱୟଂ ଦେଖୁଛନ୍ତି ଓ ଅନୁଭବ କରୁଛନ୍ତି, ତାହା ଲେଖି ପାରୁଛନ୍ତି । ସେଥିରୁ ଖୁବ୍‌ ସ୍ପଷ୍ଟ ହୋଇ ଯାଉଛି ଯେ, ଦୀର୍ଘ ଚାଳିଶି ବର୍ଷର ସମାଜବାଦୀ ନାନାବିଧ ଧଡ଼୍‌ଧାଡ଼୍‌ ସତ୍ତ୍ୱେ ସେଠାରେ ମଣିଷ ଯେଉଁପରି ଥିଲା ସେହିପରି ରହିଛି । ଭୟ ବଢ଼ିଛି, ଗୋଇନ୍ଦାଗିରି ବୃଦ୍ଧି ପାଇଛି । ଏପରି ଲେଖିଥିବା ଲେଖକମାନଙ୍କର ତୀବ୍ର ନିନ୍ଦା କରାଯାଇଛି । ଅବଶ୍ୟ ଜଣେ କାହାରିକୁ ଫାଶୀ ଦିଆ ଯାଇନାହିଁ । ମାତ୍ର, ଆମେ ହୁଏତ ଆଶା କରିବା ଯେ ଯଦି ପୃଥିବୀରେ ସାଧାରଣ ଭାବରେ ଭୟଗୁଡ଼ିକର କ୍ଷେତ୍ରରେ ପ୍ରକୃତରେ ହ୍ରାସ ଘଟିବ, ତେବେ ସୋଭିଏଟ ରୁଷିଆରେ ମଧ୍ୟ ନିଶ୍ଚୟ ତାହାର ପ୍ରଭାବ ପଡ଼ିବ ।

 

ହଁ, ବର୍ତ୍ତମାନ ମୁଁ ରୋଷେଇ ଘରକୁ ଯିବି । ସେଇଟା ଭାରି ଅଳିଆ ହୋଇ ପଡ଼ିଛି । ତେଣୁ, ପ୍ରଥମେ ଭଲ କରି ସଫା କରିବାକୁ ହେବ । ତା’ ପରେ ପିଆଜ ଓ ଅନ୍ୟ ମସଲା ଦେଇ ଆଳୁ ଓ ଗାଜର ତରକାରୀ ରାନ୍ଧିବି । ଆଜି ଏଇଠି ଥାଉ ।

 

ଇତି

ବହୁତ ବହୁତ ଶୁଭକାମନା,

ତୋ’ର ମାଆ

 

କୋପେନ୍‌ହେଗେନ୍‌, ୨୬ । ୫ । ୫୫

 

ସ୍ନେହର ଚିତ୍ତ,

 

ଏହି ସାନ ଚିଠିଟିରେ ମୁଁ ମୁଖ୍ୟତଃ ଘର ଖବର କିଛି ଲେଖି ତୋତେ ଜଣାଉଛି । ପୁଅ ଉଲ୍‌ଫ୍‌ ଏହା ଭିତରେ ଇସ୍ରାଏଲ୍‌ରୁ ଘରକୁ ଫେରି ଆସିଲାଣି । ବର୍ତ୍ତମାନ ସେ ତା’ର ଆଗାମୀ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେବା ଆରମ୍ଭ କରି ଦେଲାଣି । ବର୍ତ୍ତମାନ ସେ ତା’ର ଆଗାମୀ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେବା ଆରମ୍ଭ କରି ଦେଲାଣି । ଏବର୍ଷ ଖରାଦିନେ ସେ କୌଣସି ଚାଷୀଘରେ କାମ ବି କରିବ ଓ ନିଜପାଇଁ ନିଜେ ମଧ୍ୟ କିଛି ରୋଜଗାର କରିବ । ଆଜି ସକାଳେ ଭାରି ଭଲ ପାଗ ହୋଇଛି । ଶୀତଳିଆ ପବନ ଦେଉଛି, ମାତ୍ର ସୂର୍ଯ୍ୟକିରଣ ମଧ୍ୟ କେଡ଼େ ତୋରା ହୋଇ ପଡ଼ିଛି । ଉଲ୍‌ଫ୍‌ ସାଇକେଲ୍‌ ଚଢ଼ି ଆମେ ଏବେ କିଣିଥିବା ଆମ ଗ୍ରୀଷ୍ମକାଳୀନ ଘରଟିକୁ ଯାଇଛି । ସେ ସେଠାରେ ଦିନଯାକ ରହିବ ଓ ବଗିଚାରେ କାମ କରିବ । ଏହି କାମଟି ତାକୁ ଖୁବ୍‌ ଭଲ ଲାଗେ-। ମାସକ ପରେ ପିଟର୍‌ଙ୍କର ସ୍କୁଲ ମଧ୍ୟ ଛୁଟି ହୋଇଯିବ–ତା’ପରେ ଆମେ ସମସ୍ତେ ଯାଇ ସେଠାରେ ରହିବୁ । ଏବେ ତ କେବଳ ସେଠାକୁ ବେଳେ ବେଳେ ଯାଇ ହେଉଛି । ସେତେବେଳେ ଆମେ ବି ବଗିଚାର କାମ କରୁଛୁ ଏବଂ ସେଠାରେ ଥିବା ସୁନ୍ଦର ପ୍ରକୃତିକୁ ଖୁବ୍‌ ଉପଭୋଗ କରୁଛୁ-। ଏଡ଼େ ବଡ଼ ଗୋଟାଏ ସହରରେ ମୋଟେ ରହିବା ଉଚିତ ନୁହେଁ । ବଡ଼ ଭୟଙ୍କର ପ୍ରକାର ଜୀବନ ଏ । ଏଠାରେ ଥିବା ମଣିଷମାନଙ୍କର ଉଦାସୀନତା ଓ ମନ୍ଦ ପ୍ରକୃତି ଧୀରେ ଧୀରେ ସବୁ ବରବାଦ କରିଦିଏ । ସମସ୍ତେ କେବଳ ବ୍ୟସ୍ତ ହୋଇ ରହିଥାନ୍ତି, ସତେଅବା ଭୟକାତର ଭାବରେ ସର୍ବଦା ତରତର ହୋଇ ଦଉଡ଼ିବାରେ ଲାଗିଥାନ୍ତି; ପଦ ଓ ପଇସାକୁ ନେଇ ମାଡ଼ଗୋଳ ହୁଅନ୍ତି । ଜୀବନଟା ସବୁବେଳେ ମାତ୍ର ନିତାନ୍ତ ଅଳ୍ପ କେତେଟା ଦିନର ବୋଲି ମନେ ହେଉଥାଏ । ମାତ୍ର, ଏହି ଅନ୍ୟ ଲାପରିବେଶଟିରେ ଗେ, ସତେ ଯେପରି କିଛି ଗୋଟିଏ ମଧ୍ୟ ଆମକୁ ଛାଡ଼ି ଚାଲି ଯିବନାହିଁ,–ସବୁ ଶାଶ୍ୱତ କାଳ ଲାଗି ରହିଥିବ ।

 

ବିଚରା ଏହି ସାନ ପିଲାମାନେ ସେହି ବଡ଼ ସହରମାନଙ୍କରେ ମନଖୁସିରେ କିଛି କରି ପାରନ୍ତିନାହିଁ । ଘରକୁ ଆସିବା ମାତ୍ରକେ ଗାଳି ଖାଆନ୍ତି, କାରଣ ସେମାନେ ପିନ୍ଧିଥିବା ସଫା କପଡ଼ାସବୁ ବାହାରକୁ ଯାଇ ମଇଳା ହୋଇ ଯାଇଥାଏ । ମାଆମାନେ ମଧ୍ୟ ଦିନଯାକ ପିଲାଙ୍କ ମଇଳା କପଡ଼ା କାଚି କାଚି କ୍ଳାନ୍ତ ହୋଇ ରହିଥାନ୍ତି । ହଁ, ଏଠାରେ ତ ଗ୍ରୀଷ୍ମ ଓ ଶୀତ ବରଷସାରା ବର୍ଷା ହେଉଥାଏ ଓ ତେଣୁ ପିଲାଙ୍କର ଧୁଆ କପଡ଼ାଗୁଡ଼ାକ ସହଜରେ ଶୁଖି ମଧ୍ୟ ପାରେନାହିଁ । କହିଲୁ, ତୁ କେବେ ତୋ’ର ସେଠା ଦେଶ ଛାଡ଼ି ଏଠାକୁ ଆସିବାକୁ ମନ କରିବୁ କି ? ମୁଁ ଭାବୁଛି, ମୋଟେ ଆସିବୁନାହିଁ । ଭାରତବର୍ଷ ପରି ଏଡ଼େ ସୁବିସ୍ତୀର୍ଣ୍ଣ ଓ ସୁନ୍ଦର ଦେଶରେ ଜଣେ ନାଗରିକ ହେବାକୁ ନିଶ୍ଚୟ ଏକ ବିଶେଷ ସ୍ଥିତି ବୋଲି କୁହାଯିବ । ପୁଣି ବର୍ତ୍ତମାନ ସେହି ଦେଶରେ କେତେ ନା କେତେ ଭବିଷ୍ୟ ସମ୍ଭାବନା ମଧ୍ୟ ପୂର୍ଣ୍ଣ ହୋଇ ରହିଛି ! ସେହି ଦେଶ ଏବେ ହିଁ ସ୍ୱାଧୀନତା ଲାଭ କରିଛି ଓ ସେଥିଲାଗି ପ୍ରକୃତରେ ପୂର୍ଣ୍ଣ ତାତ୍ପର୍ଯ୍ୟର ସହିତ କିଛି ଆରମ୍ଭ କରିବାର ଗୋଟିଏ ମୁହୂର୍ତ୍ତ ସେଠାରେ ବର୍ତ୍ତମାନ ଉପସ୍ଥିତ ହୋଇଛି । ତୁମ ସ୍କୁଲ ଓ ତାହାକୁ କେନ୍ଦ୍ର କରି ତୋ’ର ସବୁକିଛି କାର୍ଯ୍ୟ ସମ୍ପର୍କରେ ବହୁତ କିଛି ଜାଣିବା ନିମନ୍ତେ ଏଠାରେ ଆମେ ସମସ୍ତେ ଆଗ୍ରହୀ ହୋଇ ରହିଛୁ ।

 

ତୋ’ଲାଗି ଅନେକ ଅନେକ ଶୁଭକାମନା । ଇତି ।

 

ତୋ’ର

ମାଆ

 

କୋପେନ୍‌ହେଗେନ୍‌, ବଡ଼ଦିନ ପର୍ବ, ୧୯୫୫

 

ମୋ’ର ପ୍ରିୟ ଚିତ୍ତ, ମୋ’ କେଡ଼େପାଠୁଆ ପୁଅ,

 

ତୋ’ ପାଖରୁ ଆସିଥିବା ବଡ଼ ଚିଠିଟିକୁ ପଢ଼ି ଆମେ ସମସ୍ତେ ବହୁତ ଖୁସୀ ହେଲୁ । ସେହି ପହଞ୍ଚିବା ଦିନରୁ ହିଁ ଚିଠିଟି ମୋ’ ଟେବୁଲ ଉପରେ ଥୁଆ ହୋଇଛି ଓ ଏଠାରୁ କେତେ ଦୂରରେ ଥିବା ତୋତେ ନିରନ୍ତର ସ୍ମରଣ କରାଇ ଦେଉଛି । ତୋ’ ସେଠି ନିଜ ଦେଶରେ ସର୍ବବିଧ ଉଦ୍ୟମରେ ଆମେ କେତେ ପ୍ରକାର ସାହାଯ୍ୟ କରିବାକୁ ଇଚ୍ଛା କରୁଛୁ, ମାତ୍ର ସଫଳ ହୋଇ ପାରୁନାହୁଁ । ପ୍ରକୃତରେ ଏଇଟା କେତେ ଗୋଟିଏ କଠିନ ବ୍ୟାପାର ଯେ ଆମେ ଏହି ପୃଥିବୀ ଗୋଲାର୍ଦ୍ଧର ଅଲଗା ଅଲଗା ପଟରେ ରହିଛୁ;–ହଁ, ପ୍ରକୃତରେ ବିଶେଷ ଭାବରେ ଆମପାଇଁ କଷ୍ଟକର ଯେ,–ଆମେ ଭାରତ ବିଷୟରେ ସିନା ଏତେ ଏତେ କଥା ପଢ଼ି ପାରୁଛୁ,–ତଥାପି, ଆଦୌ କଳ୍ପନା କରି ପାରୁନାହୁଁ, ତୋ’ ଚତୁର୍ଦ୍ଦିଗରେ ଦୈନନ୍ଦିନ ଜୀବନଟି ପ୍ରକୃତରେ କେଉଁଭଳି ହୋଇଥିବ ! ତେଣୁ ନିଜକୁ ଖୁବ୍‌ ଅସହାୟ ଲାଗୁଛି–ଭାବୁଛୁ, ଏଣେ ଥାଇ ଆମେ ଯାହା କିଛି କରୁଛୁ, ସେସବୁ ତୋତେ କପରି ଲାଗୁଥିବ କେଜାଣି ?

 

ଅଳ୍ପଦିନ ତଳେ ଏଠାରୁ କିଛି ଦୂରରେ ଅବସ୍ଥିତ ଏକ ଲୋକ-ବିଦ୍ୟାଳୟରେ ପିଟର ଭାଷଣ ଦେବାର କାର୍ଯ୍ୟକ୍ରମ ଥିଲା ଏବଂ ମୁଁ ଓ ଉଲ୍‌ଫ୍‌ ମଧ୍ୟ ସାଙ୍ଗରେ ଯାଇଥିଲୁ । ସେହି ଭାଷଣ ଶୁଣିବାକୁ ଶ୍ରୋତାମାନେ ବହୁସଂଖ୍ୟାରେ ଯୋଗ ଦେଇଥିଲେ । ବିଷୟ ଥିଲା, ବର୍ତ୍ତମାନ ବିଭିନ୍ନ ଦେଶରୁ ଇସ୍ରାଏଲ୍‌ ଦେଶକୁ ଆସୁଥିବା ଇହୁଦୀମାନଙ୍କର ସମସ୍ୟା । ଏମାନେ ମରକ୍କୋ, ଇରାନ, ଇରାକ ତଥା ଅନ୍ୟ ଆରବଦେଶମାନଙ୍କରୁ ଆସୁଛନ୍ତି । ୟେମେନ୍‌ରେ ବସବାସ କରୁଥିବା ଇହୁଦୀଙ୍କ ବିଷୟରେ ଆମେ ଗୋଟିଏ ଫିଲମ୍‌ ମଧ୍ୟ ଦେଖିଲୁ । ଉପସ୍ଥିତ ଅନେକେ ଅତ୍ୟନ୍ତ ବିସ୍ମିତ ହୋଇ ଯାଇଥିଲେ । ସେମାନେ ତ ଆଗରୁ ସର୍ବଦା ଏହି କଳ୍ପନା କରି ଆସିଥିଲେ ଯେ ଇହୁଦୀମାନେ ସମସ୍ତେ ଏକାଭଳି ଦିଶୁଥିବେ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନଓରପ୍‌ଙ୍କ ସହିତ କଥାବାର୍ତ୍ତାରେ ତୋ’ ବିଷୟ ମଧ୍ୟ ପଡ଼ିଥିଲା । ତୁ ତ ଚିନ୍ତା କରିଛୁ ଯେ, ସେଠାରେ ତୁମର ବିଦ୍ୟାଳୟ ସରକାରୀ ନିର୍ଭରଶୀଳତାରୁ ମୁକ୍ତ ରହିବ । ବସ୍ତୁତଃ, ସରକାରୀ ସାହାଯ୍ୟ ଗ୍ରହଣ ନକରି କିଛି କରିବା ଅତ୍ୟନ୍ତ କଠିନ । ଏପରି ବି ପୃଥିବୀରେ ଘଟିପାରେ ଯେ ସ୍ୱାମୀ ଗୋଟାପଣେ ବୋକା ଓ ନିର୍ବୁଦ୍ଧିଆ ହୋଇଥିବ ଏବଂ ସ୍ତ୍ରୀକୁ ସବୁକଥାରେ ସେହି ସ୍ୱାମୀର କଥା ମାନି ଚଳିବାକୁ ହେଉଥିବ-

 

ସରକାରଙ୍କ ପାଖରେ ନିର୍ଭରଶୀଳ ହୋଇ ନରହିଲେ ଅନେକ ସମୟରେ ସରକାର ସହିତ ସାମନାସାମନି ହେବାକୁ ମଧ୍ୟ ପଡ଼ିଥାଏ । ସରକାରଙ୍କର ବୋଲ ମାନି ସାହିତ୍ୟ ଲେଖା ହେବ, ଚୀନ୍‌ଦେଶରେ ହୁ ଫେଙ୍ଗ୍‌ଙ୍କୁ ତାହା ବିରୁଦ୍ଧରେ ପ୍ରତିବାଦ କରିବାକୁ ପଡ଼ିଥିଲା । କିଛିଦିନ ପୂର୍ବେ ହଙ୍ଗେରୀ ଦେଶର ତିନି ଜଣ ବିଖ୍ୟାତ କବି ପ୍ରାୟ ସେହିକଥା କହିବାରୁ ସେମାନଙ୍କୁ ଦୀର୍ଘ କାରାବାସର ଦଣ୍ଡ ଭୋଗ କରିବାକୁ ହେଲା । ତେଣୁ, ସର୍ବଦା ସ୍ଥିର ବିଚାର ସହିତ ଅଗ୍ରସର ହେବାକୁ ପଡ଼ିବ ।

 

ଇତିମଧ୍ୟରେ ପିଟର ଖୁବ୍‌ ଅସୁସ୍ଥ ହୋଇ ପଡ଼ିଲେ । ଆଉ ସ୍କୁଲକୁ ଯାଇ ପାରିଲେନାହିଁ,–ଛୁଟି ନେଇ ଘରେ ରହିବାକୁ ପଡ଼ିଲା । ବର୍ତ୍ତମାନ ତାଙ୍କୁ ଦିନେଛଡ଼ା ଦିନେ ଡାକ୍ତର ପାଖକୁ ଯିବାକୁ ହେଉଛି । ସିଏ ପ୍ରାୟ ପୂରା କାଲ ହୋଇ ଯାଇଛନ୍ତି, ପିଲାମାନଙ୍କୁ ପାଠ ପଢ଼ାଇ ପାରୁନାହାନ୍ତି । ତୁ ତ ଜାଣିଛୁ, ଯେତେବେଳେ ସେ ଜର୍ମାନ୍‌ମାନଙ୍କ ହାତରେ ବନ୍ଦୀ ହୋଇଥିଲେ, ସେତେବେଳେ ପିସ୍ତଲର ଗୋବଦ୍ୱାରା ତାଙ୍କର କାନ ଉପରେ ଅନେକ ଆଘାତ ହୋଇଥିଲା,–ତାଙ୍କୁ ଧମକ ଦେଇ କୁହା ହେଉଥିଲା ଯେ, ଯଦି ସେ ତାଙ୍କର ଅନ୍ୟ ସାଥୀମାନଙ୍କ ବିଷୟରେ ଖବର ନଦେବେ, ତେବେ ଏଭଳି ମାଡ଼ ଖାଇବାକୁ ହିଁ ପଡ଼ିବ । ଏବଂ ସେହି ଦିନଠାରୁ ତାଙ୍କର କାନ ଖୁବ୍‌ ଖରାପ ହୋଇ ଯାଇଥିଲା । ବର୍ତ୍ତମାନ ବିଦ୍ୟାଳୟକୁ ଯାଇ ପାଠ ସିନା ପଢ଼ାଉଛନ୍ତି, କିନ୍ତୁ ଖୁବ୍‌ କ୍ଳାନ୍ତ ହୋଇ ପଡ଼ୁଛନ୍ତି । ଛାତ୍ରଛାତ୍ରୀମାନେ ତାଙ୍କୁ ଯାହା କହୁଛନ୍ତି, ସିଏ ଆଦୌ ଭଲ କରି ଶୁଣି ପାରୁନାହାନ୍ତି । ଭାଗ୍ୟକୁ ସେମାନେ ଭାରି ଭଲ ଓ ତାଙ୍କୁ ଖୁବ୍‌ ଶ୍ରଦ୍ଧା ମଧ୍ୟ କରନ୍ତି; ନହେଲେ ସାର୍‌ଙ୍କର ଏହି ଅସହାୟ ଅବସ୍ଥା ଦେଖି ହୁଏତ କେତେ ଭଳି ଥଟ୍ଟାତାମସା କରୁଥାନ୍ତେ । ହଁ, ସ୍କୁଲରୁ ଘରକୁ ଆସିବା ବେଳକୁ ପିଟର୍‌ ପ୍ରକୃତରେ ଭାରି କ୍ଳାନ୍ତ ହୋଇ ପଡ଼ୁଛନ୍ତି । ବର୍ତ୍ତମାନ ସିଏ ନିଜ କୋଠରୀରେ ବସି ଲେଖାଟି ଲେଖୁଛନ୍ତି ।

 

କଥାବାର୍ତ୍ତା ସମୟରେ ଥରେ ତୁ ମତେ ଯାହା କହିଥିଲୁ, ବହୁତ ସମୟରେ ମୁଁ ସେହି ବିଷୟରେ ଚିନ୍ତା କରିଛି । ତୁ କହିଥିଲୁ ଯେ, ଜଣେ ସ୍ତ୍ରୀଲୋକକୁ, ସିଏ ଜଣେ ପୁରୁଷର ପତ୍ନୀ ହୋଇ ରହିବ ଓ ନିଜ ପିଲାମାନଙ୍କର ମାଆ ହୋଇ ରହିବ ଅଥବା ନିଜର ଇଚ୍ଛା ଅନୁସାରେ ଶିକ୍ଷା ଲାଭ କରି ସେହି କ୍ଷେତ୍ରରେ ହିଁ କ୍ରିୟାଶୀଳ ହେବ,–ଦୁଇଟି ମଧ୍ୟରୁ ଗୋଟିକୁ ବାଛିନେବାକୁ ପଡ଼ିବ । ଏବଂ, ଏକାବେଳେକେ ଦୁଇଟାଯାକ କ୍ଷେତ୍ରରେ ରହିବ, ଏହା ମୋଟେ ସମ୍ଭବ ନୁହେଁ । ଏବେ ମୁଁ ତୋ’ର ସେହି କଥାଟି ଉପରେ ବହୁତ ସମୟରେ ଚିନ୍ତା କରୁଛି : ବେଳେବେଳେ ଭାବୁଛି; କିନ୍ତୁ ଯେତେଥର କିଛି ଲେଖିବାକୁ ଆରମ୍ଭ କରିଛି, ଅଚିରେ ଅନୁଭବ କରିଛି ଯେ, ନାହିଁ,–ଏହି କାମଟା ମୋ’ ଦ୍ୱାରା ଆଦୌ ହୋଇ ପାରିବ ନାହିଁ । ଗୋଟିଏ ପକ୍ଷରେ ହୁଏତ ମୁଁ ଖରାପ ବହିଟିଏ ଲେଖିବି କିମ୍ବା ଅପର ପକ୍ଷରେ ଜଣେ ଭାରି ଅସମର୍ଥ ନାରୀଟିଏ ହୋଇ ରହିବି । ଏଇଟି ଆଦୌ ଏକ ଖୁସୀର କଥା ନୁହେଁ; କିନ୍ତୁ ମୁଁ ତଥାପି ଭାବୁଛି ଯେ ତୁ ଠିକ୍‌ କଥାଟି ହିଁ କହିଛୁ । କେବଳ ଭୋଜନ ପ୍ରସ୍ତୁତ କରିବା ଏବଂ ପିଲାଙ୍କର ଯତ୍ନ ନେବା ବ୍ୟତୀତ ଜଣେ କ’ଣ ଆଉ କିଛିହେଲେ କରି ପାରିବନାହିଁ ? ହଁ, ଯଦି ଚାକରବାକର ବହୁତ ରହିଥିବେ ତେବେ ଜଣେ ସ୍ତ୍ରୀଲୋକ ଅବଶ୍ୟ ତାହା କରି ପାରିବ । ଏବଂ, ଏଣେ ପୃଥିବୀର ଏହି ଆମ ଅଂଶଟାରେ ଆଉ ସେପରି ମୋଟେ ନାହିଁ । ତେଣୁ, ନିଜକୁ ବୁଝାଇ ନେବାକୁ ହିଁ ପଡ଼ିବ ।

 

ମୋ’ ଝିଅ ହାରିଏଟ୍‌ ବର୍ତ୍ତମାନ ନିଜ ପିଲାମାନଙ୍କ ସହିତ ରାଜଧାନୀ ବାହାରେ ଗ୍ରାମାଞ୍ଚଳରେ ରହୁଛି । ପ୍ରଶସ୍ତ ସବୁଜ ପ୍ରକୃତି ଭିତରେ । ଜଣେ ସମାଜସେବିକା ହିସାବରେ ସେ ସପ୍ତାହକୁ ତିନିଦିନ କାମ କରିବାକୁ ଯାଏ । ଏଥିପୂର୍ବରୁ ସେ ଏମିତି ସ୍ୱତନ୍ତ୍ର ଅସୁବିଧାମାନ ରହିଥିବା ପିଲାମାନଙ୍କ ମଧ୍ୟରେ କାମ କରୁଥିଲେ, ଯେଉଁମାନେ କି କୌଣସି ନା କୌଣସି କାରଣରୁ ନିଜ ଘରମାନଙ୍କରେ ରହି ପାରିଲେ ନାହିଁ । ସେତେବେଳେ ସିଏ କହୁଥିଲା, ଏଇଟି ପ୍ରକୃତରେ ଏକ ଅତ୍ୟନ୍ତ ଭୟଙ୍କର କାର୍ଯ୍ୟ । ଏବଂ, ସେଠାରେ ସେ ଆଦୌ ବେଶୀ ଦିନ ପାଇଁ ରହି ପାରିଲା ନାହିଁ । ଝିଅ କହୁଥିଲା ଯେ, ତା’ର ନିଜ ପିଲାମାନେ ସାନ ଥିବାବେଳେ ବାହାରେ କାମ କରିବାଦ୍ୱାରା ତା’ ଭିତରଟା ଭାରି ଅଶାନ୍ତ ହୋଇ ରହୁଥିଲା । ବର୍ତ୍ତମାନ ସେ ମଦ ପିଇବାର ଅଭ୍ୟାସରେ ପଡ଼ି ଯାଇଥିବା ଲୋକମାନଙ୍କ ଭିତରେ କାମ କରୁଛି । ସେଠାରେ ମଦ୍ୟପମାନଙ୍କୁ ପୁନର୍ବାର ସୁସ୍ଥ ସାମାଜିକ ଜୀବନକୁ ଫେରାଇ ଆଣିବାଲାଗି ଉଦ୍ୟମ କରାଯାଉଛି । ଏହି କାର୍ଯ୍ୟ ତାକୁ ବେଶ୍‌ ଭଲ ବି ଲାଗୁଛି ଏବଂ ଆହୁରି କେତେ ସଂସ୍ଥା ମଧ୍ୟ ତାକୁ ସେମାନଙ୍କ ସହିତ ଯୋଗ ଦେବାପାଇଁ ଇଚ୍ଛା କଲେଣି । କିନ୍ତୁ, ତା’ର ନିଜର ପିଲାମାନେ ଯେପର୍ଯ୍ୟନ୍ତ ଯଥେଷ୍ଟ ବଡ଼ ହୋଇନାହାନ୍ତି, ସେପର୍ଯ୍ୟନ୍ତ କେବଳ ତିନି ଦିନ ପାଇଁ ସପ୍ତାହରେ ଘରୁ ବାହାରକୁ ଯିବା ସମ୍ଭବ ହେଉଛି । ହଁ, ସେ ସମାଜକଲ୍ୟାଣ-ସମ୍ବନ୍ଧୀ ଗୋଟିଏ ପତ୍ରିକାର ସମ୍ପାଦନା କାର୍ଯ୍ୟ ମଧ୍ୟ କରୁଛି । ମାତ୍ର, ଏହି କାର୍ଯ୍ୟଟି ତ ଘରେ ଥାଇ ସମ୍ଭବ ହୋଇ ଯାଉଛି । ତା’ର କୁନି ଝିଅଟି କେଡ଼େ ସୁନ୍ଦର ଓ କଉତୁକିଆ ଯେ ହୋଇଛି, ତୁ କଳ୍ପନା ମଧ୍ୟ କରି ପାରିବୁନାହିଁ । ଡେନମାର୍କର ଅଧିକାଂଶ ସାନପିଲାଙ୍କ ପରି ଆଦୌ ଗୁରାଏ ମୋଟା ହୋଇନାହିଁ, କିନ୍ତୁ ଖୁବ୍‌ ସୁସ୍ଥ, ଖୁବ୍‌ ଖୁସୀ । ଆଦୌ ମଣିଷ ବାରୁନାହିଁ । ତାକୁ ମୁଁ ଥରେ ହେଲେ ରାହା ଧରି କାନ୍ଦିବାର ଦେଖିନାହିଁ । ମୁଣ୍ଡର ବାଳଗୁଡ଼ିକ କି ସୁନ୍ଦର ନାଲି ବର୍ଣ୍ଣର, ଏବଂ ଆଖି ଦୁଇଟି ନୀଳ ରଙ୍ଗର । ଯଦି ତାକୁ କେହି ଭାରତକୁ ନେଇଯାଏ, ତେବେ ସିଏ ଭାରି ଅନ୍ୟ କୋଉ ଦେଶର ବୋଲି ସେଠି ସମସ୍ତେ ନିଶ୍ଚୟ କହିବେ ।

 

ହଁ, ମନେ ପଡ଼ିଲା: ଆମର ଏଠା ରାଜଧାନୀରେ ଗୋଟିଏ ଭାରି ବଡ଼ ଭାରତ ତିଆରି ନାନା ସାମଗ୍ରୀର ପ୍ରଦର୍ଶନୀ ହୋଇଥିଲା । ଯେଉଁମାନେ ଆସିବେ, ସେମାନେ ବୁଲି ସାମଗ୍ରୀଗୁଡ଼ିକୁ ଦେଖିବେ ଏବଂ ଇଚ୍ଛା କଲେ ଦ୍ରବ୍ୟମାନ କିଣି ବି ପାରିବେ । ଭାରତୀୟ ଦୂତ ସ୍ୱୟଂ ଆସି ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଭାବରେ ତାହାର ଆୟୋଜନ ଓ ଉଦ୍‌ଘାଟନ କରାଇଥିଲେ । ଏବଂ, ବଡ଼ଦିନ ପାଇଁ କିଛି ଉପହାର–ଦ୍ରବ୍ୟ କିଣିବା ପାଇଁ କୋପେନ୍‌ହେଗେନ୍‌ର ବହୁତ ଅଧିବାସୀ ସେହି ପ୍ରଦର୍ଶନୀକୁ ଦେଖି ଯାଉଥିଲେ । ଦିନେ ପିଟର୍‌ ଓ ମୁଁ ମଧ୍ୟ ତେଣେ ଯାଇ ସବୁ ଦେଖି ଆସିଲୁ । ସେଠାରେ କିଛି ପଦାର୍ଥ ଏପରି ଥିଲା, ଯାହାକୁ ଆଦୌ କିଣି ହେବନାହିଁ । ଚକଚକ ଦାମିକା ଶାଢ଼ି, ହାତୀଦାନ୍ତରୁ ତିଆର କେତେ କେତେ ଦ୍ରବ୍ୟ । କିନ୍ତୁ ରାଜଧାନୀର ଧନୀ ମହିଳାମାନେ ଭାରତ ତିଆରି ସେହି ମହଙ୍ଗା ପଦାର୍ଥଗୁଡ଼ିକୁ ଅବଶ୍ୟ କିଣିଲେ । ମୁଁ ଭାବୁଥିଲି, ସେତିକି ଧନୀ ହୋଇଥାଆନ୍ତି କି ! ଦ୍ରବ୍ୟଗୁଡ଼ିକ ପ୍ରକୃତରେ କେଡ଼େ ସୁନ୍ଦର ଓ କେଡ଼େ ଆକର୍ଷକ ମଧ୍ୟ ଥିଲା । ମୁଁ ପୁଣି ଏକଥା ମଧ୍ୟ ଭାବୁଥିଲି ଯେ, ଆମ ଦେଶରେ ପିଲାଙ୍କ ଖେଳନାଗୁଡ଼ିକ ମଧ୍ୟ କେଡ଼େ ଅସୁନ୍ଦର । ଭାବିଲା ବେଳକୁ ଅତ୍ୟନ୍ତ ଖୁସୀ ଲାଗୁଛି ଯେ, ଆମର ପିଲାମାନେ ଏବଂ ପିଲାଙ୍କର ପିଲାମାନେ ସୁନିଶ୍ଚିତ ଭାବରେ ଏପରି ଗୋଟିଏ ପୃଥିବୀରେ ବାସ କରିବେ, ଯେଉଁଠାରେ କି ଆମେ ସମସ୍ତେ ପରସ୍ପରର ଅତି ନିକଟବର୍ତ୍ତୀ ହୋଇ ଯାଇଥିବୁ, ପରସ୍ପରର ଦେଶକୁ ଶସ୍ତାରେ ଯାଇ ପାରିବୁ, ସର୍ବବିଧ ପ୍ରଯୁକ୍ତି ବିଦ୍ୟା ଓ କୌଶଳଗୁଡ଼ିକୁ ଲଗାଇ ପରସ୍ପରର ସହାୟତା କରି ପାରିବୁ । ପରସ୍ପର ସହିତ ଘନିଷ୍ଠ ଭାବରେ ପରିଚିତ ହୋଇପାରିବୁ,–ଏକ ଆରେକୁ ମୋଟେ ମାରି ପକାଇବୁ ନାହିଁ ।

 

ଆଜି ଏହି ଚିଠିଟି ଅଧିକ ବଡ଼ ହେଲାପରି ଆଉ ଦିଶୁନାହିଁ । ମୁଁ ବର୍ତ୍ତମାନ ରୋଷେଇ ଘରକୁ ଯିବି । ସେହି ଘର କାନ୍ଥରେ ନୂଆ ରଙ୍ଗ ଦିଆଯାଇଛି ଓ ତେଣୁ ଘରଟି ବେଶୀ ସଫା ଓ ସୁନ୍ଦର ଦେଖାଯାଉଛି । ହଁ, ଆଜି ବଡ଼ଦିନ ସକାଶେ କେକ୍‌ ତିଆରି କରିବାକୁ ଅଛି । ତାଙ୍କ ପିଲା ସମୟରେ ପିଟର୍‍ଙ୍କୁ ତିନି କିସମର ଭଳି ଭଳି କେକ୍‍ ମିଳୁଥିଲା । ଏବେ ମଧ୍ୟ ପ୍ରତିବର୍ଷ ତିନି ପ୍ରକାରର କେକ୍‌ ତିଆରି କରାଯାଉଛି । ମୁଁ ତ ଯଥାସାଧ୍ୟ ଚେଷ୍ଟା ବି କରେ, ମାତ୍ର ସେକାଳ ପରି ତାହା ମୋଟେ ସୁଆଦ ହୋଇ ପାରେନାହିଁ । ଯେତେହେଲେ ତାଙ୍କ ମାଆ ହିଁ ତାଙ୍କ ସକାଶେ ସେଗୁଡ଼ିକୁ ତିଆରି କରୁଥିଲେ ନା ! ଏବଂ, ମୁଁ ଭାବୁଛି, ଦିନେ ଉଲ୍‍ଫ୍‌ ମଧ୍ୟ ତା’ର ଭାବୀ ପତ୍ନୀକୁ ନିଶ୍ଚୟ କହିବ : ନାଇଁ, ନାଇଁ ମୋ’ ମାଆ ଯେଡ଼େ ବଢ଼ିଆ କେକ୍‌ ତିଆରି କରୁଥିଲେ, ତୁମ ତିଆରି କେକ୍‌ କେବେହେଲେ ସେପରି ହେବନାହିଁ । ସମ୍ଭବତଃ ପୃଥିବୀଯାକର ପତ୍ନୀମାନେ ଚିରକାଳ ଏହିପରି ହିଁ ଶୁଣି ଆସିଛନ୍ତି ଓ ଏପରି ଶୁଣି ଟିକିଏ ମୁରୁକି ହସି ବି ଦେଇଛନ୍ତି । କାରଣ, ଆମେ ସମସ୍ତେ ଖୁବ୍‌ ଭଲକରି ଜାଣିଛୁ ଯେ, ସବୁଠାରେ ସେହି ଏକା କେକ୍‌ଗୁଡ଼ିକ ତିଆରି ହେଉଛି ଏବଂ, ଖାଲି ପିଲାମାନଙ୍କୁ ନୁହେଁ, ସ୍ୱାମୀମାନଙ୍କୁ ମଧ୍ୟ ତାହା ଅନ୍ୟପ୍ରକାରେ ଲାଗୁଛି !

 

ଏବର୍ଷ ପାଗ ବି ଠିକ୍ ବଡ଼ଦିନ ପାଗ ପରି ହୋଇଛି : ଭାରି ହେମାଳ, ଖୁବ୍‌ ବହଳ ତୁଷାରପାତ ହେଉଛି । ରାସ୍ତା, ବଗିଚା ସବୁ ଧଳା ଚକଚକ ଦିଶୁଛି । ଏଠି ସବୁକିଛି ସମ୍ପୂର୍ଣ୍ଣ ଭାବରେ ନିଷ୍ପନ୍ଦ ଲାଗୁଛି । ସତେଅବା କୌଣସି ବନଭୂମିର ନିଶ୍ଚଳତା ହିଁ ରାଜତ୍ୱ କରୁଛି । ଏବଂ, ଯଦି ବଡ଼ଦିନ ଛୁଟିଟାଯାକ ବରଫ ଏହିପରି ରହେ, ତେବେ ଆମେ ନିଜନିଜର SKI ନେଇ ବାହାରିଯିବୁ-। କ୍ଳାନ୍ତ ହେଲେ ଘରକୁ ଫେରିଆସିବୁ ଓ ଗରମ ଚାହା ତିଆରି କରି ପିଇବୁ ।

 

ଆମ ତିନିଜଣଙ୍କର ଅନେକ ଅନେକ ଶୁଭକାମନା ସହିତ । ଇତି ।

 

ମାଆ

 

କୋପେନ୍‌ହେଗେନ୍‌, ୨୦ । ୬ । ୫୭ ।

 

ସ୍ନେହର ଚିତ୍ତ, ସ୍ନେହର ବେଶୀପଢ଼ୁଆ ପୁଅ,

 

ଏବେ ୟୁଗୋସ୍ଲାଭିଆର ଜଣେ ପ୍ରଖ୍ୟାତ ବ୍ୟକ୍ତି ଭ୍ଲାଡ଼ମିର୍‌ ଡେଡ଼ିଅର୍‌ ଆମ ଘରେ ଥିଲେ । ସିଏ ଏଠାରେ ତିନିଦିନ ରହିଲେ । ଏକଦା ସେ ସେଠା ରାଷ୍ଟ୍ରମୁଖ୍ୟ ଟିଟୋଙ୍କର ଜଣେ ଘନିଷ୍ଠ ବନ୍ଧୁ ଥିଲେ,–ନିଜେ ଟିଟୋଙ୍କର ଗୋଟିଏ ଜୀବନୀପୁସ୍ତକ ମଧ୍ୟ ଲେଖିଛନ୍ତି । ତୁ ନିଶ୍ଚୟ ଜାଣିଚୁ, ବର୍ତ୍ତମାନ ଡିଲ୍ୟାସ୍‌ ଏବଂ ଡେଡ଼ିଅର୍‌ଙ୍କ ଉପରେ ନେତା ଟିଟୋ ଅତ୍ୟନ୍ତ ଅପ୍ରସନ୍ନ ହୋଇ ପଡ଼ିଛନ୍ତି । କାରଣ, ସେମାନେ ଇଚ୍ଛା କରୁଛନ୍ତି ଯେ, ଏଣିକି ଯୁଗୋସ୍ଲାଭିଆରେ ଏକରୁ ଅଧିକ ରାଜନୀତିକ ଦଳ ରହନ୍ତୁ ଏବଂ କିଞ୍ଚିତ୍‍ ଅଧିକ ପରିମାଣରେ ଗଣତନ୍ତ୍ର ଶାସନ ପାଇଁ ମଧ୍ୟ ଅନୁମତି ଦିଆଯାଉ । ଡିଲ୍ୟାସ୍‌ ବର୍ତ୍ତମାନ ବନ୍ଦୀଶାଳାରେ ଓ ଡେଡ଼ିଅର୍‌ ନିଜ ଦେଶରେ ବିଶ୍ୱବିଦ୍ୟାଳୟରେ ଥିବା ତାଙ୍କର ପଦଟିକୁ ମଧ୍ୟ ହରାଇବାକୁ ବାଧ୍ୟ ହୋଇଛନ୍ତି । ଡେଡିଅର୍‌ ଜଣେ ଅତ୍ୟନ୍ତ ବିଦ୍ୱାନ୍‌ ବ୍ୟକ୍ତି, ଅତ୍ୟନ୍ତ ସହାନୁଭୂତିଶୀଳ, ଏବଂ ବହୁତ ସାହସୀ । ଆମ ପିଟର୍‌ଙ୍କ ସହିତ ତାଙ୍କର ଖୁବ୍‌ ଭଲ ପରିଚୟ ମଧ୍ୟ ଥିଲା । ଏଥର ମଧ୍ୟ ସେମାନେ ବହୁତ କିଛି କଥାବାର୍ତ୍ତା ହେଲେ । ଏଠାକୁ ଏକା ଆସିଥିଲେ ଏବଂ ଏପର୍ଯ୍ୟନ୍ତ ମଧ୍ୟ ଆପଣାର ବିଶ୍ୱାସ ହରାଇନାହାନ୍ତି । ଉଭୟେ ବର୍ତ୍ତମାନ ଆଖିରେ କମ୍ୟୁନିଷ୍ଟମାନଙ୍କର ପାର୍ଟି ଦରବାରର ଜଣେ ଜଣେ ବିଦ୍ରୋହୀ । କିନ୍ତୁ, ଅବସ୍ଥାଟି ଅତ୍ୟନ୍ତ ଭୟଙ୍କର ହୋଇ ସାରିଲାଣି ବୋଲି ଡେଡ଼ିଅର୍‌ ଭାବୁଛନ୍ତି । ତାଙ୍କ ପାଖରେ ବର୍ତ୍ତମାନ ଜୀବିକାର୍ଜନର କୌଣସି ସାଧନ ବି ନାହିଁ । ଏବଂ, ସିଏ ପାଞ୍ଚଟି ଛୁଆଙ୍କର ବାପ । ତଥାପି ସେ ଏବେ ପାରିସ୍‌ର ଗୋଟିଏ ଖବରକାଗଜକୁ କହିଛନ୍ତି ଯେ ବର୍ତ୍ତମାନ ସିଏ ଯୁଗୋସ୍ଲାଭିଆକୁ ଫେରିବେ । ତାଙ୍କୁ ସାହାଯ୍ୟ କରିବା ନିମନ୍ତେ ଆମେ ସ୍କାଣ୍ଡିନେଭିଆରୁ ନିଶ୍ଚୟ ସାଧ୍ୟ ମୁତାବକ କିଛି କରିବୁ । ଅବଶ୍ୟ, ତାହାର ଅର୍ଥ ହେଉଛି ଯେ, ଏଠିକାର ଖବରକାଗଜରେ ସେ କିଛି ଲେଖା ଲେଖିବେ;–ଇତି ମଧ୍ୟରେ କିଛି ଲେଖି ବି ସାରିଛନ୍ତି । ଏପରି ମତ ଦେଇଛନ୍ତି ଯେ ଏବେ ଟିଟୋ ବି ଆଉ ଟିଟୋଙ୍କ ବାଟରେ ଯାଉନାହାନ୍ତି ।

 

ଭାରତବର୍ଷର ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁ ଏବେ ଡେନମାର୍କ ଆସିଥିଲେ । ଅବଶ୍ୟ ସେ ଏଠାରେ ଥିବା ସମୟରେ ଆମ ଘରୁ ତାଙ୍କୁ ଜଣେ କେହିହେଲେ ଦେଖି ପାରିନାହୁଁ । କିନ୍ତୁ ମୁଁ ଖବରକାଗଜରୁ ନେହରୁ ଏଠାରେ ଥିବାବେଳେ କିଛି ଛବି କାଟି ଏଥିସହିତ ତୋ’ ପାଖକୁ ପଠାଉଛି-। ସମସ୍ତେ କହୁଛନ୍ତି, ଏହି ଦେଶକୁ ଆସିଥିବା ବେଳେ ପଣ୍ଡିତ ନେହରୁ ଖୁବ୍ ଖୁସୀ ଦେଖା ଯାଉଥିଲେ । ପାଗ ମଧ୍ୟ ଖୁବ୍ ଭଲ ଥିଲା । ତୁ ତ ଜାଣିଛୁ, ଡେନମାର୍କର ଲୋକେ ଆଦୌ ସେତେବେଶୀ ଔପଚାରିକ କେବେ ହୁଅନ୍ତିନାହିଁ । ପଣ୍ଡିତ ନେହରୁଙ୍କୁ ସମ୍ଭବତଃ ସେହି କଥାଟି ବେଶ୍ ଭଲ ଲାଗିଲା । ସେ ଲୋକବିଦ୍ୟାଳୟଗୁଡ଼ିକ ବିଷୟରେ ବିଶେଷ ଆଗ୍ରହ ପ୍ରକାଶ କରିଥିଲେ ଏବଂ ସେହି କାରଣରୁ ଭାଲକିଲ ଲୋକବିଦ୍ୟାଳୟରେ ପ୍ରକୃତରେ ବହୁତ ସମୟ କଟାଇଲେ-। ଶୁଣିବାକୁ ପାଉଛି, ସେଠାରେ କେହିଜଣେ ତାଙ୍କୁ ଚିତ୍ତରଞ୍ଜନ ଦାସଙ୍କ ବିଷୟରେ ପ୍ରଶ୍ନ ପଚାରିଥିଲେ-। ଭାରତୀୟ ରାଜନୀତିକ ଇତିହାସରେ ଚିତ୍ତରଞ୍ଜନ ଦାସ ଏକ ବିଖ୍ୟାତ ନାମ ନୁହେଁ କି-?

 

ଏଇ ଶନିବାରଠାରୁ ପିଟରଙ୍କର ଇସ୍କୁଲ ବନ୍ଦ,–ଲମ୍ବା ଗ୍ରୀଷ୍ମଛୁଟି, ଆମେ ପୂରା ଚଉଦ ଦିନ ପାଇଁ ଗୋଟିଏ ସାନ ଦ୍ୱୀପରେ ଯାଇ ଛୁଟି କଟାଇବୁ । ପ୍ରଥମେ ରାଜଧାନୀରୁ ରାତିଏ ପାଣିଜାହାଜରେ ଯାତ୍ରା–ତା’ପରେ ବେଶ୍ କିଛି ଦୂର ବସ୍‌ରେ ଓ ତା’ପରେ ଏକାବେଳେକେ ବକଟେନାକୁ ଗୋଟିଏ ଜାହଜରେ କିଛି ସମୟ ବସି ସେହି ଦ୍ୱୀପରେ ଯାଇ ପହଞ୍ଚିବୁ । ସେଠାରେ ପ୍ରକୃତରେ କେଡ଼େ ଶାନ୍ତିରେ କେତୋଟି ଦିନ କଟିଯିବ । ସେଠି ହୋଟେଲ୍ ଫୋଟେଲ୍ କିଛି ନାହିଁ । ଆମେ ସେଠାରେ କୈବର୍ତ୍ତମାନେ ଖାଇବାକୁ ଆସୁଥିବା ଗୋଟିଏ ଘରେ ବସାଟିଏ ବରାଦ କରି ରଖିଛୁ । ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ସେହି ଆଦିମ କାଳର । ମାତ୍ର, ଏହି ଭୟଙ୍କର ବୃହତ୍‌ସହରର କବଳରୁ ଅନ୍ତତଃ ଦୂରରେ ଯାଇ କିଛିଦିନ କଟାଇ ତ ହେବ । ସାଙ୍ଗରେ ଝିଅ ଓ ତା’ କୁନି ବୁଇଟି ମଧ୍ୟ ଯିବେ । ତା’ପୁଅ ମାଦ୍‌ସ୍ ତ ବର୍ତ୍ତମାନ ବଡ଼ ପିଲାଟାଏ ହୋଇଗଲାଣି–ସେ ଦେଶର ଆଉଗୋଟିଏ ଅଞ୍ଚଳରେ ପାଦରେ ଚାଲିବ । ତା’ପରେ ଆମେ ଏଠୁ ଯାଇ ଗୋଟିଏ କାଠତିଆରି ଘରେ ରହିବୁ । ପିଟର୍‍ ସେଠାରେ ଗୋଟିଏ ବହି ଲେଖିବେ । ପ୍ରାଚୀନ ଗ୍ରୀସ୍‌ର ସଂସ୍କୃତି ବିଷୟରେ-। ସେଥିପାଇଁ ସେ ବର୍ତ୍ତମାନ ପ୍ରାୟ ଫୁରସତ୍ ସବୁଯାକ କ୍ଷଣକୁ ଦେଇ ଗ୍ରୀକ୍ ଭାଷାର ବହିମାନ ପଢ଼ି ପ୍ରସ୍ତୁତ ହେଉଛନ୍ତି ।

 

ଆମ ସମସ୍ତଙ୍କର ଅନେକ ଅନେକ ସ୍ନେହ ସହିତ,

 

ତୋ’ର

ମାଆ

 

କୋପେନ୍‌ହେଗେନ୍, ଜୁନ୍, ୧୯୫୭

 

ସ୍ନେହର ଚିତ୍ତ, ମୋ’ର ସ୍ନେହର ଦୂରଦୂରନ୍ତରେ ଥିବା ପୁଅ,

 

ଏବେ ପିଟର ପଣ୍ଡିତ ନେହରୁଙ୍କ ପାଖକୁ ଯେଉଁ ଚିଠି ପ୍ରେରଣ କରିଥିଲେ, ତାହାର ଏକ ନକଲ ମୁଁ ତୋ’ପାଖକୁ ପଠାଇବି ବୋଲି ତୋତେ ଜବାବ ଦେଇଥିଲି । ଏବଂ ବର୍ତ୍ତମାନ ତ ସବୁଯାକ ଗୁପ୍ତ କଥା ଜଣା ପଡ଼ିଗଲାଣି, ତେଣୁ ଭାବୁଛି, ତୋ’ର ମଧ୍ୟ ସମ୍ପୂର୍ଣ୍ଣ ଘଟଣାଟିକୁ ଜାଣିଯିବା ଉଚିତ ହେବ । କୌଣସି ନା କୌଣସି ଗୋଟିଏ ଅବକାଶରେ ଆମେ କିପରି ନେହରୁଙ୍କ ଯାଏ ପହଞ୍ଚି ପାରିବୁ, ସେହି ବିଷୟରେ ଆମେ ବେଶ୍ ବହୁତ ସମୟ କଥାବାର୍ତ୍ତା ହୋଇଥିଲୁ । ଏକ ସମ୍ଭାବନା ବିଷୟରେ ଚିନ୍ତା କରୁଛୁ ଏବଂ ସର୍ବଦା ଏକଥା ମଧ୍ୟ ଜାଣୁଛୁ ଯେ ତୋତେ ଏସବୁ କଥା ଆଦୌ ଭଲ ଲାଗିବନାହିଁ, ଆମେ ଅଭିପ୍ରାୟଟିକୁ ପ୍ରାୟ ପରିତ୍ୟାଗ ମଧ୍ୟ କରି ଦେଇଥିଲୁ । ସେତିକିବେଳେ ମୁଁ ଖବରକାଗଜରୁ ପଢ଼ିଲି ଯେ ନେହରୁ ତାଙ୍କର ଏକ କାର୍ଯ୍ୟକ୍ରମ ସ୍ୱରୂପ ଆମ ସ୍ୱରାଷ୍ଟ୍ର ଏବଂ ବୈଦେଶିକ ମନ୍ତ୍ରୀଙ୍କ ଘରକୁ ମଧ୍ୟାହ୍ନଭୋଜନ ନିମନ୍ତେ ନିମନ୍ତ୍ରିତ ହୋଇ ଆସୁଛନ୍ତି । ଆମେ ଦୁହେଁ ସେହି ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବରେ ଅଳପ ଅଳପ ବି ଚିହ୍ନିଛୁ । ପିଟର୍ ନେହରୁଙ୍କ ପାଖକୁ ଚିଠିଟିଏ ଲେଖିଲେ ଓ ମୁଁ ଆମ ମନ୍ତ୍ରୀଙ୍କ ପାଖକୁ ମଧ୍ୟ ଲେଖିଲି ଏବଂ ମୁଁ ତା’ପରେ ସାଇକେଲ ଚଢ଼ି ବାହାରିଗଲି । ରାତି ପ୍ରାୟ ଦଶଟା ବାଜିବାକୁ ଯାଉଥିଲା । ମୋଟେ ପାଞ୍ଚ ମିନିଟ୍‌ର ରାସ୍ତା । ମୁଁ ଜାଣିଥିଲି ଯେ ସେଦିନ ରାତିରେ ମନ୍ତ୍ରୀ ଆମ ଦେଶର ରାଜା ଓ ନେହରୁଙ୍କ ସହିତ ଗୋଟିଏ ଔପଚାରିକ ରାତ୍ରିଭୋଜନରେ ଯୋଗ ଦେବାପାଇଁ ଯାଉଛନ୍ତି ।

 

ମନ୍ତ୍ରୀଙ୍କ ଘରେ ପହଞ୍ଚି ଦେଖିଲି ଯେ କବାଟ ବନ୍ଦ ରହିଥିଲା । ଭାବିଲି, ପାଖରେ ହୁଏତ କେହି ପୋଲିସ ଜଗୁଆଳ ଥିବ, ଯିଏକି ମୋତେ ଭିତରେ ପ୍ରବେଶ କରିବାରେ ସାହାଯ୍ୟ କରିପାରିବ । କିନ୍ତୁ ପାଖରେ କାହାକୁ ହେଲେ ଦେଖିଲିନାହିଁ । ସେଇଠି ଏପାଖ ସେପାଖ ହେଉଛି, ଦେଖିଲି ଭିତରେ ଜଣେ ବ୍ୟକ୍ତି ପାହାଚ ବାଟଦେଇ ତଳକୁ ଓହ୍ଲାଉଛନ୍ତି । ସିଡ଼ିବାଟର ଆଲୁଅ ମଧ୍ୟ ଜଳିଲା । ଭାବିଲି, ଏଥର ହୁଏତ କବାଟ ମଧ୍ୟ ନିଶ୍ଚୟ ଖୋଲିଯିବ । ମୁଁ ଡେନିଶ୍‌ ଭାଷାରେ ସେହି ବ୍ୟକ୍ତିଙ୍କୁ କହିଲି ଯେ ମୁଁ ମନ୍ତ୍ରୀଙ୍କ ପାଖକୁ ଗୋଟିଏ ଚିଠି ନେଇ ଆସିଛି ଓ ସିଏ ମୋତେ ଦୟା କରି ଟିକିଏ ସାହାଯ୍ୟ ବି କରନ୍ତୁ । ଭଦ୍ରଲୋକ ସୁଇଡ଼ିଶ୍‌ ଭାଷାରେ ଉତ୍ତର ଦେଲେ । ସୁଇଡ଼େନ୍‌ରେ ତ ମୋ’ର ଜନ୍ମ, ତେଣୁ ମୁଁ ତାଙ୍କୁ ସେହି ଭାଷାରେ ହିଁ ଉତ୍ତର ଦେଲି । ସିଏ ଆମ ମନ୍ତ୍ରୀଙ୍କ ପାଇଁ ପାଚିଲା ଆମ୍ବର ସାନ ଝୁଡ଼ିଟିଏ ଆଣିଥିଲେ, ଯାହାକୁ କି ପଣ୍ଡିତ ନେହରୁ ସୁଇଡ଼େନ୍‌ରେ ଥିବା ଭାରତୀୟ ଦୂତାବାସର ଜରିଆରେ ପଠାଇଥିଲେ । ଏହି କାର୍ଯ୍ୟଟିରେ ମୁଁ ତାଙ୍କୁ ସାହାଯ୍ୟ କରିପାରିବି ଜାଣି ସିଏ ମଧ୍ୟ ଖୁସୀ ହୋଇ କହିଥିଲେ ଯେ ମୋତେ ତହିଁ ଆରଦିନ ନେହରୁଙ୍କୁ ସାକ୍ଷାତ କରିବାର ସୁବିଧା କରିଦେଇ ପାରିବେ ।

 

ମାତ୍ର ଚିତ୍ତ, ମୁଁ ସେପରି ହେଉ ବୋଲି ଇଚ୍ଛା କରୁନଥିଲି । ଅଭ୍ୟର୍ଥନା ସଭାରେ ତ ଶହ ଶହ ମନୁଷ୍ୟ ଯୋଗ ଦେବାକୁ ଆସିବେ । ପଣ୍ଡିତ ନେହରୁ ମଧ୍ୟ ଖୁବ୍ କ୍ଳାନ୍ତ ହୋଇ ପଡ଼ିଥିବେ । ତେଣୁ, ସିଏ ଅନ୍ତତଃ ପିଟରଙ୍କର ଚିଠିଟିକୁ ପଢ଼ନ୍ତୁ, ସେତିକି ଯଥେଷ୍ଟ ହେବ । ତେଣୁ ସେଇଟିକୁ ମୁଁ ମନ୍ତ୍ରୀଙ୍କର ଚିଠି ବାକ୍ସରେ ହିଁ ପକାଇଦେଇ ଆସିଲି । ମାତ୍ର, କେଡ଼େ ନିର୍ବୋଧପଣିଆ ହେଲା ଯେ ଆମେ ଚିଠିଟିରେ ତୋ’ ଭାରତବର୍ଷୀୟ ଠିକଣାଟିକୁ ଲେଖିବାକୁ ଭୁଲି ଯାଇଥିଲୁ ।

 

ଚିତ୍ତ, ବର୍ତ୍ତମାନ ଜିତେନ୍ଦ୍ର ମହାନ୍ତି ଦେଶକୁ ଫେରି କ’ଣ କରୁଛି, ତୁ ମୋତେ ଏ ପର୍ଯ୍ୟନ୍ତ କହିଲୁନାହିଁ । ତା’ ଭିତରେ ସହାନୁଭୂତି ପୂରି ରହିଥିଲା । ସିଏ ଆମକୁ ଭାରତୀୟ ରନ୍ଧା ଶିଖାଇ ଯାଇଛି ଏବଂ ବର୍ତ୍ତମାନ ପିଟର୍‍ ଓ ମୁଁ ଭାରତୀୟ ପ୍ରଣାଳୀରେ ରନ୍ଧା ହୋଇଥିବା ଖାଇବା ବ୍ୟତୀତ ଆଉ କିଛିହେଲେ ଏଡ଼େ ଖୁସୀ ହୋଇ ଖାଇ ପାରୁନାହିଁ । ଏଠାରେ ଥିଲାବେଳେ ସେ ଉଲ୍‍ଫ୍‍ର କୋଠାରୀରେ ରହୁଥିଲା । ଭାରତବର୍ଷକୁ ଫେରି ନିଜ ଦେଶବାସୀଙ୍କ ପାଇଁ କିଛି କରିବା ନିମନ୍ତେ ତା’ର ମଧ୍ୟ କେତେ ବଡ଼ ବଡ଼ ଯୋଜନା ରହିଥିଲା ।

 

ପିଟର୍ ଓ ମୁଁ ତୋ’ ପାଇଁ ଅନେକ ସ୍ନେହ କହି ପଠାଉଛୁ । ଇତି ।

 

ତୋ’ର

ମାଆ

 

(ସେତେବେଳେ ଶ୍ରୀଯୁକ୍ତ ପିଟର୍ ପଣ୍ଡିତ ନେହରୁଙ୍କୁ

ଇଂରାଜୀରେ ଲେଖିଥିବା ଚିଠିର ନକଲ : )

 

June 15, 1957

 

His Excellency the Prime Minister for India

Pundit Jawaharlal Nehru,

 

It is as an old friend of India that I take courage to appeal to your Excellency on the following matter. Among the young Indians, who have visited my wife’s and my house. Chittaranjan Das, who came regularly to see us through two years, has an exceptional position. He left Denmark three years ago in order to establish a school in his homeland, inspired by the Danish folk high school. We are a number of people in this country who feel this experiment with building a folk high school in the midst of the jungle as a genuine Indo-Danish Cooperation, but we know that establishing a school according to a personal conception is a hard task, wherever it takes place. Having the greatest confidence in our Indian “son”, we would very much regret to see this school go down on account of difficulties in the start.

 

Now Chittaranjan Das has always spoken with the greatest admiration and devotion about your Excellency, and I venture to direct your attention to this idealistic and hard-working young man who is such a credit to his country.

 

Yours very respectfully,

Peter P.Rohde.

 

କୋପେନ୍‌ହେଗେନ୍, ୧୮ । ୪ । ୫୮

 

ମୋ’ର ଅତି ସ୍ନେହର ଚିତ୍ତ, ସ୍ନେହର ବହୁପାଠୁଆ ପୁଅ,

 

ତୋ’ ଚିଠି ସକାଶେ ସବାଆଗ ବହୁତ ଧନ୍ୟବାଦ । ତୁ ଜାଣି ପାରୁଥିବୁ, ଏଠି ମୁଁ ମଧ୍ୟ ମୋଟେ କୌଣସି ଡେରି ନକରି ତୋ’ ଚିଠିର ଉତ୍ତର ଲେଖିବାକୁ ଯାଉଛି । ସେହି ଚିଠିର ମାଧ୍ୟମରେ ହିଁ ତୋ’ ସହିତ କିଛି କଥାବାର୍ତ୍ତା କରିପାରିବି । ମୁଁ ପିଟରଙ୍କ ସହିତ କଥା ହେବି, ହୁଏତ ତା’ପରେ ଯାଇ କିଛି କଥାବାର୍ତ୍ତା କରିପାରିବି । ମୁଁ ପିଟରଙ୍କ ସହିତ କଥା ହେବି, ହୁଏତ ତା’ପରେ ଯାଇ କିଛି ଯଥାର୍ଥ ପରାମର୍ଶ ଦେଇ ପାରିବି । ହଁ, ଏହିପରି କିଛି ଘଟିବ ବୋଲି ଆମେ ଅନେକେ ମଧ୍ୟ ଆଶଙ୍କା କରୁଥିଲୁ । ତଥାପି, ଆଶା ଥିଲା ଯେ ସମ୍ଭବତଃ ହଠାତ୍ ଅଲୌକିକ ପରି ଘଟିବ ଓ ଏକ ସମାଧାନ ମିଳିଯିବ । …ମାତ୍ର, ତୁମ ନିଜ ସରକାର ଯଦି ସହାୟତା କରିବନାହିଁ,–ସହାୟତା କରିବନାହିଁ, କାରଣ ତୁ ମଧ୍ୟ ସେମାନଙ୍କର ଗୁଳା ଅନୁସାରେ ଚାଲିବୁ ନାହିଁ–ତେବେ ଆଉ ଅନ୍ୟପ୍ରକାରେ କ’ଣ ବା ହେବ । …ମୋ’ର ମନେ ପଡ଼ୁଛି, ଥରେ ତୁ ମୋତେ କହୁଥିଲୁ ଯେ, ତୁମର ସେଠି ଜଣେ ଧନୀ ବ୍ୟକ୍ତି କିଏ ଅଛନ୍ତି ଏବଂ ସେଇ ତୋ’ କାର୍ଯ୍ୟରେ ସାହାଯ୍ୟ କରୁଥିଲେ । ଏବେ, କୌଣସି ତାତ୍ପର୍ଯ୍ୟପୂର୍ଣ୍ଣ କାର୍ଯ୍ୟ ଲାଗି ପ୍ରାଇଭେଟ୍ ବ୍ୟକ୍ତିମାନଙ୍କ ଉପରେ ଆଦୌ ନିର୍ଭରଶୀଳ ହୋଇ ରହିହେବ ନାହିଁ । ସେମାନଙ୍କ ପାଖରେ ଆଜି ପଇସା ଅଛି, କାଲିକି ନଥିବ, ଅଥବା, ସେମାନେ ଆଜି ସାହାଯ୍ୟ କରୁଛନ୍ତି ଏବଂ ହୁଏତ କାଲିକୁ ମନା ବି କରିଦେବେ । ଅର୍ଥାତ୍, ଯଦି ତୁ ବିଦ୍ୟାଳୟଟିଏ କରିବୁ, ତେବେ ତୁ ନିଜର ନକ୍‍ସାଗୁଡ଼ିକୁ ପରିତ୍ୟାଗ କରିବୁ ଏବଂ ଦପ୍ତରର ହାକିମମାନଙ୍କର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବୁ । ଏବଂ, ତୁ ତ ତାହା କେବେହେଲେ କରିବୁନାହିଁ,–ନୁହେଁ କି ? ଅଥବା, ଆଉ ଯେଉଁମାନଙ୍କର ବିଚାର ତୋ’ ସହିତ ମିଳିଯାଉଛି, ସେମାନଙ୍କ ସହିତ ଏକାଠି ମିଶି ଯାହାକିଛି କରିବୁ । କେବଳ ଭାରତ ପରି ଗୋଟିଏ ଦେଶରେ ସମ୍ଭବତଃ ଏପରି ଘଟିପାରେ ଯେ, କେହି ଧନୀ ଲକ୍ଷପତିଙ୍କ ସହିତ ପରିଚୟ ରହିଥିବ,–ସିଏ ହୁଏତ ତୋ’ର କିମ୍ବା ତୋ’ ଗୋଷ୍ଠୀଟିର କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ କରିବେ ।

 

ଅନେକ ଅନେକ ସ୍ନେହ ଓ ଶୁଭକାମନା ସହିତ,

 

ଆମ ଦୁହିଙ୍କ ଠାରୁ । ଇତି ।

 

ତୋ’ର

ମାଆ

 

କୋପେନ୍‌ହେଗେନ୍, ୨୨ । ୫ । ୫୮

 

ସ୍ନେହର ଚିତ୍ତ, ମୋ’ର ଅତି ସ୍ନେହର ବହୁପଢ଼ୁଆ ପୁଅ,

 

ଏଥର ମୁଁ ସବାଆଗ ଅବଶ୍ୟ ଲେଖିବି ଯେ, ତୋ’ ଚିଠିଟି ପାଇଁ ପିଟର ଓ ମୁଁ ପ୍ରକୃତରେ ବହୁତ ଖୁସୀ ହୋଇଛୁ । ମୋ’ର ଖୁବ୍ ବିଶ୍ୱାସ ହେଉଛି ଯେ ତୁ ସେହି ପୁରୁଣା ଚିତ୍ତର ସ୍ଥିତିକୁ ପୁନର୍ବାର ଫେରି ଆସି ପାରିଛୁ । ଆମେ ଖୁବ୍ ଭଲ ଭାବରେ ବୁଝୁଛୁ ଯେ ଏହି କେତେଟା ମାସ ତୋ’ ପାଇଁ ପ୍ରକୃତରେ ଅତ୍ୟନ୍ତ ଭୟଙ୍କର ଭାବରେ କଟିଛି । ବର୍ତ୍ତମାନ ତେଣୁ ତୋ’ର ଅନ୍ତତଃ କିଛି ସମୟ ଶାନ୍ତିରେ କଟିବା ହିଁ ଉଚିତ । ଶରୀର ଏବଂ ମନ ଉଭୟ କ୍ଷେତ୍ରରେ ଶାନ୍ତି ! ତେଣୁ, ଭାରି ଭଲ କଥା ହେଲା ଯେ ବର୍ତ୍ତମାନ ତୁ ନିଜ ଗାଆଁରେ ଘରେ ଯାଇ ରହୁଛୁ ।

 

ଆମେ ସମସ୍ତେ ବହୁତ ଦୁଃଖିତ ଯେ ତୋ’ ପାଇଁ ଓ ସେହି ବିଦ୍ୟାଳୟଟି ପାଇଁ ଏଠାରୁ ଆମେ ଆଦୌ କିଛି କରି ପାରିଲୁନାହିଁ; ମାତ୍ର, ପ୍ରକୃତ ସତ୍ୟଟି ହେଉଛି ଯେ, ନିଜର ଦେଶରୁ ହିଁ ସବାବଡ଼ ସାହାଯ୍ୟଟି ନମିଳିଲେ ଜଣେ ଏହି କ୍ଷେତ୍ରରେ ପାଦେ ବି ଆଗେଇ ପାରିବନାହିଁ । ତ ନିଶ୍ଚୟ ଜାଣିଥିବୁ ଯେ ଏଠି ଡେନମାର୍କରେ ଟୋର୍ବାନ୍ ବ୍ରିକ୍‌ସ୍ ବୋଲି ଜଣେ ଶିକ୍ଷକ ଥିଲେ, ଯିଏ କି ନିଜର କେତୋଟି କଳ୍ପନା ଅନୁସାରେ ପିଲାଙ୍କ ନିମନ୍ତେ ବିଦ୍ୟାଳୟଟିଏ କରିବେ ବୋଲି ଦୀର୍ଘ ବହୁବର୍ଷ କେତେଭଳି ପାରିପାର୍ଶ୍ୱିକ ଅବସ୍ଥା ସହିତ ଲଢ଼େଇ କରିଥିଲେ । ନିଜର ସେହି ପ୍ରୟାସରେ ବାରମ୍ବାର ପରାଭୂତ ହୋଇଥିଲେ,–ତଥାପି ବାରମ୍ୱାର ପୁଣି ଆରମ୍ଭ କରୁଥିଲେ । ବର୍ତ୍ତମାନ ସିଏ ଖୁବ୍ ବୃଦ୍ଧ ହୋଇ ଯାଇଛନ୍ତି । ନିଜର ଚିତ୍ର ଓ ଯୋଜନାଗୁଡ଼ିକ ବିଷୟରେ ଏତେ ଅଟଳ ଯେ, ଅନ୍ୟମାନଙ୍କ ସହିତ ଏକାଠି ହୋଇ ପ୍ରାୟ କିଛିହେଲେ କରି ପାରନ୍ତିନାହିଁ । ଯାହା କରିବେ, ଏକା କରିବେ । ଏହି ସ୍ଥିତିରେ, ଯେମିତି ଉଲ୍ଲେଖଯୋଗ୍ୟ ଭାବରେ ଡେନମାର୍କରେ ବେଶୀକିଛି ସମ୍ଭବ ହୁଏନାହିଁ, ଭାରତବର୍ଷରେ ମଧ୍ୟ ସର୍ବଦା ତାହାହିଁ ଘଟିବ ।

 

ଅନେକ ସ୍ନେହ ସହିତ । ଇତି ।

ତୋ’ର ମାଆ

 

କୋପେନ୍‌ହେଗେନ୍, ୧୨ । ୭ । ୫୮

 

ସ୍ନେହର ଚିତ୍ତ, ମୋ’ ସ୍ନେହର ବହୁପାଠୁଆ ପୁଅ,

 

ତୋ’ର ଏଇ ଚିଠିଟି ଏବେ ଆସି ପହଞ୍ଚିଲା । ବର୍ତ୍ତମାନ ତୁ ଯାଇ ନିଜ ଗାଆଁର, ଘରର ଅନ୍ୟମାନଙ୍କ ସହିତ ଏକାଠି ରହୁଛୁ ଏବଂ, ତୋ’ ଚିଠିରୁ ବୁଝିହେଉଛି ଯେ ବର୍ତ୍ତମାନ ତୋ’ ମନଟା ବି ଭଲ ଅଛି । ସବୁ ସତ୍ତ୍ୱେ ମନଟା ଭଲ ଅଛି ଏବଂ ଆପଣାର ସ୍ୱାଭାବିକ ଅବସ୍ଥାକୁ ଫେରିଆସି ପାରିଲୁଣି । ତୋ’ ଦେଶ ମୋଟେ ଦଶବର୍ଷ ହେଲା ସ୍ୱାଧୀନ ହୋଇଛି,–ଏବଂ ତୁମେମାନେ ଚାହୁଁ ଚାହୁଁ ସେଠାରେ ସବୁକିଛି ଘଟିଯିବ ବୋଲି କଦାପି ଇଚ୍ଛା କରି ହେବନାହିଁ । ସେଠାରେ କେତେ କେତେ ଅଭାବ, କେତେ ଆବଶ୍ୟକତା,–ଏହି ସବୁକିଛି ଦୈନନ୍ଦିନ ଜୀବନରେ ପ୍ରତ୍ୟହ ଦେଖି ମୋଟେ ଥୟ ଧରି ଯେ ରହି ହେବନାହିଁ, ସେକଥା ମୁଁ ନିଶ୍ଚୟ ବୁଝିପାରୁଛି । ସେଇଥିପାଇଁ ତ ମୁଁ ଦିନେ କମ୍ୟୁନିଷ୍ଟ ବି ହୋଇଥିଲି । ବିଶ୍ୱାସ କରୁଥିଲି, ମୋ’ର ଏହି ଗୋଟାଏ ଜୀବଦ୍ଦଶା ମଧ୍ୟରେ ହିଁ କମ୍ୟୁନିଜ୍‌ମ ସବୁକିଛି ସମସ୍ୟାର ସମାଧାନ ଅବଶ୍ୟ କରିଦେଇ ପାରିବ । ଏହି ଲକ୍ଷ୍ୟଟିକୁ ତ ନେଇ ରୁଷିଆରେ ଗୋଟାଏ ଅର୍ଦ୍ଧଶତାବ୍ଦୀ ଅତିକ୍ରାନ୍ତ ହେବାକୁ ବସିଲାଣି ।

 

….କମ୍ୟୁନିଷ୍ଟ ସମାଜରେ ଖୁବ ଭଲ ଶୃଙ୍ଖଳା ଅବଶ୍ୟ ରହିଛି,–ମୁସୋଲିନିଙ୍କ ଇଟାଲୀ ଏବଂ ହିଟଲର୍ ବେଳର ଜର୍ମାନୀରେ ମଧ୍ୟ ପ୍ରଥମେ ପ୍ରଥମେ ସେହିପରି ଶୃଙ୍ଖଳା ରହିଥିଲା । ସେସବୁ ଦେଶରେ ସହରମାନଙ୍କରୁ ଓ ରାସ୍ତାରୁ ଅସମର୍ଥମାନଙ୍କୁ, ଅଯୋଗ୍ୟ ଏବଂ ଦରିଦ୍ରମାନଙ୍କୁ ନିକାଲି ଦିଆଗଲା । ମୁଁ ତଥାପି କହିବି ଯେ ଲୋକମାନଙ୍କର ଉପକାର କରୁଥିବା ଡିକ୍ଟେଟରୀ ଶାସନ ଉପରେ ମୋ’ର ବିଶ୍ୱାସ ନାହିଁ । ଗଣତନ୍ତ୍ରକୁ ମଧ୍ୟ ଏକ ସୁଯୋଗ ଦିଆଯାଇ ପାରିବା ଉଚିତ-

 

ଆମ ଦୁହିଙ୍କର ଅନେକ ଅନେକ ସ୍ନେହ ସହିତ । ଇତି ।

 

ତୋ’ର

ମାଆ

☆☆☆

 

ସ୍ଥାନ ବା ତାରିଖ ନାହିଁ, ସମ୍ଭବତଃ ୧୯୫୪ ମସିହା ଆରମ୍ଭର

ମୋ’ର ସବୁଠାରୁ ପ୍ରିୟ ଚିତ୍ତ, ମୋ’ର ପ୍ରିୟ କେତେପାଠୁଆ ପୁଅ,

ତୋ’ର ଚିଠି ନିମନ୍ତେ ସହସ୍ରବାର ଧନ୍ୟବାଦ । ସେଇଟି ଆଜି ସକାଳେ ଆସି ଏଠି ପହଞ୍ଚିଲା । ଏହି ଚିଠିଟି ଆସି ପହଞ୍ଚିବ ବୋଲି ଆମେ ବହୁଦିନରୁ ଅପେକ୍ଷା କରି ରହିଥିଲୁ । ମୁଁ ତ ପ୍ରତ୍ୟେକ ଦିନ ହିଁ ତୋ’ ବିଷୟରେ ଭାବୁଥିଲି । ବର୍ତ୍ତମାନ ତ ତୁ ନିଜର ଜଗତଟିରେ ଯାଇ ପହଞ୍ଚିଲୁଣି–ସମ୍ପୂର୍ଣ୍ଣ ଭାବରେ ଗୋଟିଏ ଅଲଗା ଜଗତ । ସେଠାରେ ଥାଇ ଆମର ଏ ପାଖଟା ସମ୍ୱନ୍ଧରେ ବର୍ତ୍ତମାନ ତୁ ପ୍ରକୃତରେ କ’ଣ ଭାବୁଥିବୁ କେଜାଣି ? ତୁ ହୁଏତ ଭାବୁଥିବୁ, ଏଠି ଆମେ ସମସ୍ତେ କେଡ଼େ ବିଚିତ୍ର, ଦୂର, ବିଦେଶୀଗୁଡ଼ାଏ,–ସକଳ ପ୍ରକାରେ ଅନ୍ୟ ମାର୍କାର । ଆମେ ବାସ୍ତବରେ ମଧ୍ୟ ଠିକ୍ ସେହିପରି ।

ଏଠାରେ ଆମେ ଯେଉଁ ମାଆମାନେ ତୋତେ ପୁଅଟି ପରି ସ୍ୱୀକାର କରି ନେଇଥିଲୁ ଓ ତୋତେ ମାଧ୍ୟମ କରି ପରସ୍ପରର ପରିଚୟରେ ଆସିଥିଲୁ, ବହୁତ ସମୟରେ ଟେଲିଫୋନ୍‌ରେ ଆମର କଥାବାର୍ତ୍ତା ହେଉଛି ଏବଂ ସେତେବେଳେ ପ୍ରାୟ ଗୋଟାସୁଦ୍ଧା ତୋ’ରି କଥା ହିଁ ପଡ଼ୁଛି । କାଲି ତ ସେହିପରି ଜଣେ ମୋତେ କହିଲେ ଯେ, ଦୂରରେ ଥିବା ତୋ’ ନିଜ ବେଶରେ ଯାଇ ପହଞ୍ଚିବା ପରେ, ସ୍କାଣ୍ଡିନେଭିଆର ଏହି ଦରବୁଢ଼ୀ ସ୍ତ୍ରୀଲୋକମାନେ ପ୍ରକୃତରେ କେତେ ବିଚିତ୍ର ଓ କେଡ଼େ ଅଦଭୂତ, ତୁ ନିଶ୍ଚୟ ସେହି କଥା ହିଁ ଭାବୁଥିବୁ । ଆଉଜଣେ ତ ଆଶଙ୍କା କରୁଥିଲେ ଯେ, ଯଦି ଆମଭିତରୁ ଜଣେ କେହି ସେଠାରେ ତୁମଘରେ ଯାଇ ପହଞ୍ଚି ଯାଆନ୍ତି, ତେବେ ତୁ ହୁଏତ ତାଙ୍କୁ ମୋଟେ ଘର ଭିତରକୁ ଯିବାପାଇଁ କହିବୁନାହିଁ,–ବାହାରେ ବାହାରେ ହିଁ ଠିଆ କରାଇ ରଖିବୁ-। ତୁ ଜାଣିଛୁ, ରକ୍ଷଣଶୀଳ ହିନ୍ଦୁ ଓ ରକ୍ଷଣଶୀଳ ଇହୁଦୀଙ୍କ ମଧ୍ୟରେ କେତେକ ସାମଞ୍ଜସ୍ୟ ମଧ୍ୟ ରହିଛି । ଉଦାହରଣ ସ୍ୱରୂପ, ସେମାନେ ଉଭୟେ କେତେ ମନୁଷ୍ୟଙ୍କୁ କେବଳ ‘ଅଶୁଦ୍ଧ’ ବୋଲି ହିଁ ବିଚାର କରନ୍ତି । ତେଣୁ, ଯଦି ମୁଁ କେବେ ଓଡ଼ିଶାକୁ ଯାଏ ଏବଂ ତୋ’ର ମାଆ ରକ୍ଷଣଶୀଳ ହୋଇଥିବାରୁ ମୋତେ ତୁମ ଘରେ ପଶିବାଲାଗି ଆଦୌ ଅନୁମତି ଦେବେନାହିଁ ବୋଲି ଯଦି ତୁ ସେତେବେଳେ କହୁ, ତେବେ ସେହି କଥାଟି ମୋତେ ଆଦୌ ବିଚିତ୍ର ମନେ ହେବନାହିଁ-। କିନ୍ତୁ ଅବଶ୍ୟ ଏପରି ସମ୍ଭବ ହୋଇପାରେ ଯେ, ତୋ’ର ସ୍କୁଲରେ ଯାଇ ପହଞ୍ଚିଲେ, ଘଟଣା ନିଶ୍ଚୟ ଅନ୍ୟ ପ୍ରକାରର ହେବ । ନୁହେଁ ?

ଚିତ୍ତ, ତୁ ଭଲରେ ଘରେ ଯାଇ ପହଞ୍ଚି ପାରିଲୁ, ଏହି ସଂବାଦଟି ପାଇ ଆମେ ସମସ୍ତେ ପ୍ରକୃତରେ ଖୁବ୍ ଆଶ୍ୱସ୍ତ ଏବଂ ଆନନ୍ଦିତ ହୋଇଛୁ । ଆମେ ସମସ୍ତେ ଏତେଦିନ ଯାଏ ବେଶ୍ ଶଙ୍କିତ ହୋଇ ରହିଥିଲୁ ଓ ତୋ’ଠାରୁ ଅସଲ ଖବରଟିକୁ ପାଇବୁ ବୋଲି ଅପେକ୍ଷା କରୁଥିଲୁ । ଆମ ନିଜର ପୁଅଟି ଯେତେବେଳେ ଘରୁ ଆମମାନଙ୍କ ପାଖରୁ ଏକ ଦୂର ଯାତ୍ରାରେ ଅନ୍ୟତ୍ର କେଉଁଠାକୁ ଯାଇଥାଏ, ମାଆମାନଙ୍କର ଚିତ୍ତ ଠିକ୍ ଏହିପରି ଭାବରେ ଶଙ୍କିତ ହୋଇ ରହିଥାଏ । ବର୍ତ୍ତମାନ ତ ତୋ’ର ମାଆ ଘରେ ଥିବେ, ଘରର ସବୁ ଅନ୍ୟମାନେ ମଧ୍ୟ ଥିବେ ଓ ସେମାନେ ତା’ର ଯାବତୀୟ ଯତ୍ନ ନେବେ । ତୋ’ର ମାଆ ତ ଦୀର୍ଘ ଏତେବର୍ଷ ପରେ ତୋତେ ଦେଖି କେଡ଼େ ଖୁସୀ ହୋଇ ଯାଇଥିବେ । ବୃହତ୍ତର ପୃଥିବୀରେ କେତେ କ’ଣ ସବୁ ଦେଖି ତୁ ପୁନର୍ବାର ଘରକୁ ଫେରି ଆସିଲୁ, କେତେ କ’ଣ ଜାଣିଲୁ ଓ ଶିଖିଲୁ–ପୃଥିବୀର ଏହି ଅଂଶଟିରେ ବାସ କରୁଥିବା ମନୁଷ୍ୟମାନଙ୍କ ବିଷୟରେ ବହୁତ କଥା ଶିକ୍ଷା କଲୁ । ସେଦିନ ଗୋଟିଏ ପତ୍ରିକାରେ ମୁଁ ଇସ୍ରାଏଲ୍‌ର ଖାଇପାଂ ବନ୍ଦରରେ ଟାକ୍‌ସି ଚଳାଉଥିବା ଜଣେ ଆରବ ଡ୍ରାଇଭର ସହିତ ଲେଖକ କରିଥିବା ଏକ କଥାବାର୍ତ୍ତା ବିଷୟରେ ପଢ଼ୁଥିଲି । ସେଠାରେ ଇହୁଦୀମାନେ ତାଙ୍କୁ ନିମ୍ନ ନଜରରେ ଦେଖୁଛନ୍ତି ବୋଲି ଡ୍ରାଇଭର୍ ଜଣକ ଦୁଃଖ କରି କହୁଥିଲେ । ଚିତ୍ତ, ଏହିପରି ବିଷୟମାନଙ୍କୁ ନେଇ ଆଜିକାଲି ବହୁତ ଆଲୋଚନା ଯେ ଚାଲିଛି, ତୁ ମଧ୍ୟ ସେକଥା ଦେଖି ପାରୁଥିବୁ । ଆମର ଏହି ପୃଥିବୀଟା କ୍ରମେ ଭାରି ଅସୁନ୍ଦର ହୋଇଯିବାରେ ଲାଗିଛି । ଏଠାରେ ବେଶୀ ଭାଗ ମନୁଷ୍ୟ ଜଣେ ଆଉଜଣକୁ ଘୃଣା କରୁଛନ୍ତି, ସେମାନେ ପରସ୍ପରକୁ ଖୁବ୍ ଭୟ କରୁଛନ୍ତି । ଏଥିରୁ ମୁକୁଳି ଆସିବାପାଇଁ ତେବେ କ’ଣ ସବୁ କରାଯିବ ? ଡେନମାର୍କରେ ଜଣେ ନିଜର ଲେଖାମାନଙ୍କରେ କହୁଛନ୍ତି ଯେ, ଏଥିପାଇଁ କେବଳ ଗୋଟିଏ ରାସ୍ତା ରହିଛି: ଆମର ପିଲାମାନଙ୍କୁ ତଥା ତରୁଣମାନଙ୍କୁ ଆମେ ସେହି ମୁତାବକ ଶିକ୍ଷା ଦେଲେଯାଇ ବାଟ ଖୋଲିଯିବ । ଏଥିସହିତ, ପୃଥିବୀର ପ୍ରାଚ୍ୟ ଓ ପାଶ୍ଚାତ୍ୟ ଉଭୟ ଖଣ୍ଡରେ ହିଁ ସୁଦୂରପ୍ରସାରୀ ସାମାଜିକ ପରିବର୍ତ୍ତନମାନ କରିବାକୁ ପଡ଼ିବ ।

କାଲି ମୁଁ ଏଠାରୁ ସମୁଦ୍ର ସେପାରିରେ ଥିବା ସୁଇଡ଼େନରେ ମୋ’ ବାପାଙ୍କ ପାଖକୁ ଯିବି-। ମୁଁ ଚାଲିଗଲେ ପିଟର୍‍ଙ୍କୁ ନିଜର ସବୁଯାକ ବ୍ୟବସ୍ଥା ନିଜେ କରିବାକୁ ପଡ଼ିବ ସିନା, କିନ୍ତୁ ବାପାଙ୍କ ପାଖକୁ ମଧ୍ୟ ଯିବାକୁ ହେବ । ତାଙ୍କର ବୃଦ୍ଧାବସ୍ଥା,–ବୟସ ଛଅସ୍ତରି । ଯେତେବେଳେ ମାଆ ଚାଲିଗଲେ, ସେତେବେଳେ ମୋ’ର ଭାଇକୁ ଏବଂ ମୋତେ ଆଠ ଓ ନଅ ବର୍ଷ । ଏବଂ, ବାପା ଆଉ ଦ୍ୱିତୀୟ ବିବାହ କଲେନାହିଁ । ସମ୍ଭବତଃ ସ୍ଥିର କରିଥିଲେ, ଘରକୁ ତାଙ୍କର ନୂତନ ପତ୍ନୀ ହୋଇ ଯିଏ ଆସିବେ ସିଏ ନିଜର ଏହି ପିଲା ଦୁହିଙ୍କୁ ତାଙ୍କ ହାତରେ କଦାପି ଛାଡ଼ିଦେଇ ପାରିବେ ନାହିଁ-। ଘରର ସକଳ କଥା ତୁଲାଇବାକୁ ଜଣେ ବୟସ୍କା ପରିଚାରିକା ରହିଲେ, ତାଙ୍କ ସାହାଯ୍ୟ କରିବା ସକାଶେ ଆଉ ଗୋଟିଏ ସାନ ଝିଅ । ସେତେବେଳେ ମୁଁ କେବଳ ମୋ’ର ଭାଇ ଓ ତା’ର ସାଙ୍ଗମାନଙ୍କ ସହିତ ଯାହା ଖୋଳାଖେଳି କରି ପାରୁଥିଲି । ଏହିଭଳି ଗୋଟିଏ ବିଚିତ୍ର ଗୃହରେ ହିଁ ମୋ’ର ସେହି ପିଲାଦିନଟି କଟିଛି ।

ପିଟର୍ ଏ ବର୍ଷ ମଧ୍ୟ ଖୁବ୍ କ୍ଳାନ୍ତ,–ସତେ ଯେପରି ଏତେ କାମକୁ ଦେହ ଆଉ ଆଦୌ ପାରୁନାହିଁ । ଠିକ୍ ଗତବର୍ଷ ପରି । ଏବେ ଆଉ ଶୀର୍ଷାସନ କରୁନାହାନ୍ତି । ତାଙ୍କ ମୁଣ୍ଡ ଭିତରଟା ଖୁବ୍ ବଥାଇବାକୁ ଆରମ୍ଭ କଲା । ଏବଂ ଜଣେ ଡାକ୍ତର କହିଲେ ଯେ ତାଙ୍କର ଆଉ ଶୀର୍ଷାସନ କରିବା ଉଚିତ ହେବନାହିଁ । ଏବେ ଖୁବ୍, ମୋଟା ବି ହୋଇଗଲେଣି,–ଖାଇବା ପିରମାଣ ବେଶ୍ ବଢ଼ିଲାଣି । ଏବେ ତ ମୁଁ ପ୍ରାୟ ସବୁବେଳେ ତାଙ୍କ ଲାଗି ଭାରତର କିଛି ନା କିଛି ଖାଦ୍ୟ ରାନ୍ଧି ଖାଇବାକୁ ଦେଉଛି । ଏସବୁ ମୋତେ ଜିତେନ୍ଦ୍ର ଶିଖାଇଥିଲା । …..ଏଥର ଗ୍ରୀଷ୍ମ ଋତୁରେ ଆମେ ଫିନ୍‌ଲାଣ୍ଡ ଯାଉଛୁ । ସେଠାରେ ଗୋଟିଏ କର୍ମଶାଳାରେ କେତେକ ଆଲୋଚନାର ପରିଚାଳନା କରିବା ନିମନ୍ତେ ପିଟର୍ ନିମନ୍ତ୍ରଣ ପାଇଛନ୍ତି । ସେଠାରେ ଆମେ ନିଶ୍ଚୟ ଚଉଦ ପନ୍ଦର ଦିନ ରହିବୁ ।

ଆଉ ମାସର ଆମ ନାତିର ଭାଇ କି ଭଉଣୀଟିଏ ଘରକୁ ଆସିବାର ଅଛି । ନାତି ମାଦ୍‌ସ୍ କହୁଛି, ଭଉଣୀଟିଏ ପାଇଲେ ସିଏ ପ୍ରକୃତରେ ଅଧିକ ଖୁସୀ ହେବ । ଭଉଣୀଟିର ଯତ୍ନ ନେବ, ପିଲାଙ୍କ ଗାଡ଼ିରେ ବସାଇ ତାକୁ ବୁଲାଇ ନେବ । ହଁ, ସିଏ ଏବେ ଏଠାକୁ ଯେତେ ଥର ଆସୁଛି, ‘‘ଚିତ୍ତ କାହିଁ ?’’ ବୋଲି ମୋତେ ପଚାରୁଛି । ମୋ’ ଟେବୁଲ ଉପରେ ରଖା ହୋଇଥିବା ତୋ’ର ଫଟୋଟିକୁ ଯାଇ ଦେଖୁଛି ।

ଏହି ଚିଠିଟିକୁ ମୁଁ ସାଙ୍ଗରେ ନେଇଯିବି ଓ ସୁଇଡ଼େନ୍‌ରେ ହିଁ ଡାକରେ ପକାଇବି । ତେବେ ଚିଠି ସହିତ ସୁଇଡ଼େନର କିଛି ଡାକଟିକେଟ ମଧ୍ୟ ପଠାଇ ଦିଆଯାଇ ପାରିବ ।

ଅନେକ, ଅନେକ ଶୁଭକାମନା ସହିତ,

ତୋ’ର

ମାଆ

 

(ତାରିଖ ନାହିଁ, ସ୍ଥାନର ମଧ୍ୟ ନାଆଁ ଦିଆଯାଇ ନାହିଁ ।)

 

ସ୍ନେହର ଚିତ୍ତ,

 

ମୁଁ ଭାବୁଛି, ମୋ’ଠାରୁ ଖଣ୍ଡେ ଚିଠି ପାଇବୁ ବୋଲି ତୁ ନିଶ୍ଚୟ ଅପେକ୍ଷା କରି ରହିଛୁ । ମୁଁ ତୋତେ ଜବାବ ଦେଇ ଆସିଥିଲି ଯେ, ଆମ ରେଡ଼ିଓରେ ତୁ ଦେଇଥିବା ଦୁଇଟିଯାକ ଭାଷଣକୁ ଏକାଠି ମିଶାଇ ମୁଁ ଗୋଟିଏ ଲେଖା ଆକାରରେ ପ୍ରସ୍ତୁତ କରିବି । ମୁଁ ସେହି ଦୁଇଟିଯାକକୁ ଇତିମଧ୍ୟରେ ପଢ଼ି ସାରିଲିଣି ଏବଂ ଏବେ ମଧ୍ୟ ବିଶ୍ୱାସ କରୁଛି ଯେ ଉଭୟଙ୍କୁ ମିଶାଇ ଗୋଟିଏ ଲେଖା ପ୍ରସ୍ତୁତ ମଧ୍ୟ କରାଯାଇ ପାରିବ । ମାତ୍ର, ଏଠାରେ ମୁଁ ବର୍ତ୍ତମାନ ଯେଉଁପରି ଭାବରେ ରହିଛି, ସେଭଳି ଏକ ସ୍ଥିତିରେ ସେହି କାର୍ଯ୍ୟଟିକୁ କରିପାରିବା ଭଳି ମାନସିକ ଅବସ୍ଥାଟିଏ ମୋତେ ସମ୍ଭବ ହେଲାଭଳି ଦିଶୁନାହିଁ ।

 

ବର୍ତ୍ତମାନ ତ ତୁ ଡେନମାର୍କରୁ ଭାରତବର୍ଷ ଫେରି ଯିବାଲାଗି ସଜ ହେଉଥିବୁ ଏବଂ ଆମକୁ ଭାରି ଖରାପ ଲାଗୁଛି ଯେ ବର୍ତ୍ତମାନ ଆମେ କୋପେନ୍‌ହେଗେନ୍‌ର ବାହାରେ ରହିବାକୁ ବାଧ୍ୟ ହେଉଛୁ । ଅବଶ୍ୟ ଏକଥା ମଧ୍ୟ ଠିକ୍ ଯେ ତୁ ଯେଉଁଦିନ ସତକୁ ସତ କୋପେନ୍‌ହେଗେନ୍ ଛାଡ଼ିବୁ, ସେଦିନ ରେଲଷ୍ଟେସନ୍‌ରେ ତୋତେ ବିଦାୟ ବୋଲି କହିବା ମଧ୍ୟ ମୋଟେ କମ୍ ଯନ୍ତ୍ରଣାଦାୟକ ହେବନାହିଁ । ସେପରି ଏକ ଅନୁଭୂତିକୁ ମୁଁ ପ୍ରକୃତରେ ଆତ୍ମସ୍ଥ କରି ପାରିବି ତ ? ଏବଂ, ତୁ ଡେନମାର୍କରୁ ଚାଲିଯିବା ପରେ ଆମ ପାଇଁ ଭାରତବର୍ଷ ମଧ୍ୟ ବହୁଦୂର ହୋଇଯିବ ଏବଂ ତା’ପରେ କେବେହେଲେ କଳ୍ପନା ବି କରି ହେବନାହିଁ ଯେ, ନିଜ ଦେଶରୁ ତୁ ଦିନେ ଆମ ସହିତ ଟେଲିଫୋନ୍‌ରେ କଥାବାର୍ତ୍ତା କରିବୁ ଏବଂ ଅଳ୍ପଦିନ ପରେ ତୁ ପୁଣି ଡେନମାର୍କ ଆସୁଛୁ ଓ ଖୁବ୍ ଅଳ୍ପଦିନ ପାଇଁ ଆସୁଥିଲେ ମଧ୍ୟ ସେତେବେଳେ ତୋ’ ସହିତ ନିଶ୍ଚୟ ସାକ୍ଷାତ ହେବ ବୋଲି ଭରସାଟିଏ ଦେଇପାରିବୁ ।

 

ଏଠାରେ, ଆମର ଏହି ସ୍ୱେଚ୍ଛା-ନିର୍ବାସନର ସ୍ଥାନଟିରେ ଆମେ ସମ୍ପୂର୍ଣ୍ଣ ଏକାକୀ, ସତେଯେପରି ଶିକ୍ଷାର୍ଥୀମାନଙ୍କର ଏକ monastery ରେ ହିଁ ବନ୍ଦୀ ହୋଇ ରହିଛୁ । କେଉଁ କାଳର ଗୋଟିଏ କୃଷକ ଘରଟିଏ,–ବେଶ୍ ଢିପଟିଏ ପରି ଦିଶୁଥିବା ଗୋଟିଏ ଜାଗାରେ ଅବସ୍ଥିତ ରହିଛି । ଦୂରକୁ ଅନାଇଲେ ସମୁଦ୍ରର ପାଣି ଦେଖା ବି ଯାଉଛି–ଚାରିପାଖଯାକ ଅନାବାଦୀ ପ୍ରାନ୍ତରଗୁଡ଼ିକ ବିସ୍ତାରିତ ହୋଇ ରହିଛି । ଘରଗୁଡ଼ାକ ମଧ୍ୟ ଭାଙ୍ଗିରୁଜି ଗଲାଣି, ଆଖି ବୁଲାଇବା ବେଳକୁ ବେଶ୍ ଭୟ ବି ଅନୁଭବ ହେଉଛି । ଚଟାଣଯାକ କେତେ କିସମ କୀଟ ଓ ପୋକ ତିଆରି କରିଥିବା ଗାତରେ ପୂର୍ଣ୍ଣ ହୋଇ ରହିଛି–ପିଟର୍‍ ପୁଣି ଖାଲି ପାଦରେ ସେଇଟି ଉପରେ ଯା’ ଆସ ବି କରୁଛନ୍ତି । ନାଲି ରଙ୍ଗ କରା ଯାଇଥିବା ବାହାରର କାନ୍ଥମାନଙ୍କରେ ହୋଇଥିବା ମୂଷାଗାତଗୁଡ଼ିକୁ ଆଦୌ ଗଣନା କରି କହି ହେବନାହିଁ । ଅବଶ୍ୟ ଏପର୍ଯ୍ୟନ୍ତ ଆମକୁ ଗୋଟିଏ ବି ମୂଷା ଦୃଷ୍ଟିଗୋଚର ହୋଇନାହାନ୍ତି । ସମ୍ଭବତଃ, ତାହାର କାରଣ ହେଉଛି ଯେ ଏଠାରେ ଚାରିଆଡ଼େ ପଲେ ଭୁଆବିରାଡ଼ି ବୁଲିବାରେ ଲାଗିଛନ୍ତି । ସେମାନଙ୍କ ସକାଶେ ଗୋଟିଏ ଗିନାରେ କିଛି କ୍ଷୀର ସଜ କରି ଆମେ ବାହାରେ ନେଇ ରଖିଦେଉଛୁ । ମୋଟେ ଗୁଡ଼ାଏ ନୁହେଁ, କାରଣ କ୍ଷୀର ବହୁତ ହୋଇଗଲେ ସେମାନଙ୍କୁ ଆଉ ଭୋକ କରିବନାହିଁ ଓ ସେମାନେ ମୂଷା ଖାଇବାକୁ ମନ କରିବେ ନାହିଁ । ତେଣୁ ଅଳପ କ୍ଷୀର ଦିଆ ଯାଉଥିବ, ଯେପରିକି ସେମାନେ ତାହାର ଆନନ୍ଦ ପାଇ ପାରୁଥିବେ ଓ ଏଠା ଛାଡ଼ି ଆଉ ଅନ୍ୟତ୍ର ଚାଲି ଯିବେନାହିଁ । ହଁ, ମୂଷାଙ୍କ ପରେ ମାଛି,–ଭଗବାନଙ୍କୁ ଗୋଚର ସେମାନଙ୍କର ସଂଖ୍ୟା କେତେ ହେବ,–ନିଶ୍ଚୟ ଦଶହଜାରରୁ ଅଧିକ । ଏତେ ମାଛି କେଉଁଠାରୁ ଆସିଛନ୍ତି କେଜାଣି ? ପିଟର ତ ପ୍ରତିଦିନ ସନ୍ଧ୍ୟାବେଳେ ହାତରେ ଖଣ୍ଡେ ଖବରକାଗଜ ଧରି ମାଛି ଶିକାର କରି ବାହାରି ପଡ଼ୁଛନ୍ତି । ସେତେବେଳେ ତାଙ୍କର ସେହି ବେଶ ଦେଖି ତୁ ମୋଟେ ତାଙ୍କୁ ଚିହ୍ନି ପାରିବୁନାହିଁ । ମୁଁ ସ୍ୱଭାବତଃ ଲଢ଼ୁଆ ପ୍ରକୃତିର ମନୁଷ୍ୟଟିଏ ହୋଇଥିଲେ ମଧ୍ୟ ମାଛି କିମ୍ୱା ଅନ୍ୟ କୌଣସି ପ୍ରାଣୀଙ୍କୁ ଏପରି ଶିକାର କରା ଯାଉଥିବାର ଦେଖିଲେ ଆଦୌ ଖୁସୀ ହୋଇ ପାରେନାହିଁ ଏବଂ ତେଣୁ, ମୁଁ ମୁଣ୍ଡରେ ଗୋଟିଏ ନୀଳବର୍ଣ୍ଣର କପଡ଼ା ଗୁଡ଼ାଇ ହୋଇ ବସେ ଏବଂ ମାଛିମାନେ ମୋତେ ଆଉ ବିରକ୍ତ କରି ପାରନ୍ତିନାହିଁ ।

 

ଆମ ରହିବା ଥାନଟିର ପ୍ରାୟ ଦଶମିନିଟ ଚଲାବାଟର ଦୂରରେ ମଇଳା ପାଣି ବହି ଯାଉଥିବା ଜୋରଟିଏ ଅଛି । ସେଥିରେ ନାନା ରୋଗର ଜୀବାଣୁ ଭରି ରହିଛନ୍ତି ଓ ସେହି ଜଳରେ ଗାଧୋଇବା ସ୍ୱାସ୍ଥ୍ୟ ଦୃଷ୍ଟିରୁ ଖୁବ୍ ବିପଜ୍ଜନକ ବୋଲି ସୁଇଡ଼େନ୍‌ର ସମ୍ବାଦପତ୍ରମାନଙ୍କରେ ବହୁବାର ବାହାରିଲାଣି ଓ ସେଗୁଡ଼ିକୁ ଆମେ ଅବଶ୍ୟ ପାଠ କରୁଛୁ । (ଯଦିଓ ପିଟର୍‍ ପ୍ରଥମେ ଶପଥ କରି ରହିଥିଲେ ଯେ ଛୁଟି କଟାଉଥିବା ସମୟରେ ସିଏ କସ୍ମିନ୍‌କାଳେ ସମ୍ୱାଦପତ୍ର ପାଠ କରିବେ ନାହିଁ) ….ଏବେ ଥରେ ଷ୍ଟକ୍‌ହଲମ୍‌ ରେଡ଼ିଓରେ ଜଣେ ସ୍ୱାସ୍ଥ୍ୟବିଶେଷଜ୍ଞ ବକ୍ତା ସତର୍କ କରାଇ ଦେଇ କହୁଥିଲେ ଯେ, ଏସବୁ ଆବର୍ଜନା ଏବଂ ଜୀବାଣୁମାନଙ୍କ ଦ୍ୱାରା ପୂର୍ଣ୍ଣ ହୋଇ ରହିଥିବା ଜଳାଧାରମାନଙ୍କରେ ସ୍ନାନ କରିବା ସ୍ୱାସ୍ଥ୍ୟ ପକ୍ଷରେ ଅତ୍ୟନ୍ତ ବିପଦପୂର୍ଣ୍ଣ । ଆମର ଏହି ଅଞ୍ଚଳଟି ବିଷୟରେ ସେ ବିଶେଷ ଭାବରେ ସାବଧାନ କରି ଦେଉଥିଲେ । ଏସବୁ ପରେ ଏଠାରେ ଗାଧୋଇବା ବିଷୟରେ ଆମ ଭିତରେ ଏତେ ଟିକିଏ ମଧ୍ୟ ଆଉ ଆଗ୍ରହ ନଥିଲା । ପୁନଶ୍ଚ, ଏଠାରେ ଥଣ୍ଡା ବି ପଡ଼ିଲାଣି, ପ୍ରତ୍ୟହ କିଛି ବର୍ଷା ମଧ୍ୟ ହେଉଛି । ତଥାପି ଏହି ସ୍ଥାନଟିରେ ରହଣିଟିକୁ ବେଶ୍ ଉପଭୋଗ କରିପାରୁଛୁ । ଅବଶ୍ୟ ପ୍ରତିଦିନ ଚାରିଘଣ୍ଟା କାଳ ଜେଟ୍ ଲଢ଼ୁଆ ବିମାନମାନେ ଅଳ୍ପ ଉଚ୍ଚତାରେ ଉଡ଼ି ଯେତେବେଳେ କାନକୁ ବଧିରା କରି ପକାଉଛନ୍ତି, ସେତେବେଳେ ଅତ୍ୟନ୍ତ ବିରକ୍ତିକର ହିଁ ଲାଗୁଛି ।

 

ଯେଉଁ ଭଦ୍ରଲୋକ ଆମକୁ ଏହି ଗୃହଟିକୁ ଭଡ଼ାରେ ଦେଇଛନ୍ତି, ଆମକୁ କହିବାକୁ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଥିଲେ ଯେ ଏଠାରୁ ମୋଟେ ୩ କିଲୋମିଟର ଦୂରରେ ହିଁ ଜେଟ୍-ବିମାନଚାଳକମାନଙ୍କ ଲାଗି ଗୋଟିଏ ପ୍ରଶିକ୍ଷଣ-କେନ୍ଦ୍ର ରହିଛି । ଆମେ ତାଙ୍କୁ ମୂଳରୁ ହିଁ ଅନୁରୋଧ କରି କହିଥିଲୁ ଯେ, ଆମେ ଏପରି ଗୋଟିଏ ସ୍ଥାନରେ ଯାଇ ରହିବାପାଇଁ ଚାହୁଛୁ, ଯେଉଁଠାରେ ପାରିପାର୍ଶ୍ୱିକ ବାତାବରଣ ସମ୍ପୂର୍ଣ୍ଣ ଭାବରେ ଶାନ୍ତ ହିଁ ହୋଇଥିବ । ମାତ୍ର, ସିଏ ଏପରି ଜଣେ ଉତ୍ତମ ମନୁଷ୍ୟ ଯେ, ତାଙ୍କ ଉପରେ ପ୍ରକୃତରେ କେବେ ରୋଷ ମଧ୍ୟ କରି ହେବନାହିଁ । ବୟସ ୭୩ ବର୍ଷ ଏବଂ ଏଠାରୁ ଅଳ୍ପ ଦୂରରେ ଏହିପରି ଆଉ ଗୋଟିଏ ଆବାସଗୃହରେ ସମ୍ପୂର୍ଣ୍ଣ ଏକା ହୋଇ ବାସ କରୁଛନ୍ତି । ଆମେ ଭଡ଼ାପଇସା ଦେବାଲାଗି ତାଙ୍କର ସେହି ଆବାସକୁ ଯାଇଥିବା ସମୟରେ ସିଏ ତାଙ୍କ ବୈଠକଖାନାରେ ବସିଥିଲେ । ଖୁବ୍ ଅସଜଡ଼ା ହୋଇ ସବୁ ପଡ଼ିଛି । ଭଦ୍ରବ୍ୟକ୍ତି ଅଧାପ୍ୟାଣ୍ଟ୍‍ଟିଏ ପିନ୍ଧିଥିଲେ ଓ ନିଜର ନାତି ନିମନ୍ତେ କିଛି ଭୋଜନ ପ୍ରସ୍ତୁତ କରୁଥିଲେ । ମୋଟେ ଏଗାର ମାସର କେଡ଼େ ଡଉଲଡାଉଲ ଛୁଆଟି,–ତା’ର ସବୁକିଛି ହେପାଜତ ତାଙ୍କୁ ହିଁ ନେବାକୁ ପଡ଼େ । ପିଲାଟିର ମାଆ କୌଣସି ନାଟକସଂସ୍ଥାରେ ଅଭିନୟ କରନ୍ତି ଏବଂ ଗ୍ରୀଷ୍ମକାଳୀନ ଏକ କାର୍ଯ୍ୟକ୍ରମରେ ମାସକ ପାଇଁ ଅନ୍ୟତ୍ର ଯାଇଛନ୍ତି । ଆମେ ଦେଖିଛୁ, ଅଜା ବେଳେବେଳେ ଛୁଆଟିକୁ ତା’ର ବିଶେଷ ଯାନଟିରେ ବସାଇ ଆମର ଏହି ପାଖରାସ୍ତା ଦେଇ ଯାଆନ୍ତି–ପାଖଗାଆଁଟିକୁ ଖାଦ୍ୟସାମଗ୍ରୀ କ୍ରୟ କରିବାକୁ ଯାଆନ୍ତି । ଏବଂ ପିଲାଟି ମୋଟେ ଗୋଳ କରେନାହିଁ, ଥିରି ହୋଇ ନିଜର ଯାନଟି ଭିତରେ ରହିଥାଏ; ସତେଅବା ସିଏ ଖୁବ୍ ଭଲ ଭାବରେ ବୁଝୁଥାଏ ଯେ ନିଜର ବୁଢ଼ା ଅଜାଙ୍କ ପ୍ରତି ତାକୁ ଅତ୍ୟନ୍ତ ଉଦାର ହୋଇ ରହିବାକୁ ପଡ଼ିବ ଏବଂ ଅଝଟ ହେଲେ ଆଦୌ ଚଳିବ ନାହିଁ । ଏଠି ଏହି ସୁଇଡ଼େନ୍ ଦେଶରେ ଗୃହରେ ସାହାଯ୍ୟ କରିବା ନିମନ୍ତେ ପରିଚାରିକାଟିଏ ପାଇବା ଆଦୌ ସେତେ ସହଜ ବି ନୁହେଁ । ସୁଇଡ଼େନ୍ ହେଉଛି ଗୋଟିଏ ଧନୀ ଦେଶ ଏବଂ ଏଠାରେ ଲୋକଙ୍କୁ ଖୁବ୍ ସହଜରେ କାମ ମଧ୍ୟ ମିଳିଯାଇ ପାରିବ । ଏହି ଦେଶରେ ଲୋକମାନଙ୍କର ସଂଖ୍ୟାରେ ମଧ୍ୟ ଆଦୌ ଅତିବେଶୀ ବୃଦ୍ଧି ହୁଏନାହିଁ ଯାହାଫଳରେ ଅବସ୍ଥାଗୁଡ଼ିକୁ ଆଉ କଦାପି ସମ୍ଭାଳି ହୁଏନାହିଁ । ପାରିଶ୍ରମିକ ବି ଭଲ ମିଳେ ଓ ତେଣୁ ସ୍ତ୍ରୀଲୋକମାନଙ୍କୁ ବାହାରକୁ ଯାଇ ଆଉ କାହାଘରେ ପରିଚାରିକା ହେବାର କୌଣସି ପ୍ରୟୋଜନ ନଥାଏ ।

 

ଆମର ଏହି ବୃଦ୍ଧ ଗୃହମାଲିକଙ୍କୁ ସ୍ୱୟଂ ଘର ଓଳାଇବାକୁ ପଡ଼େ, ବାସନ ମାଜିବାକୁ ହୁଏ, ନାତିପିଲାଟିର ଆହାର ପ୍ରସ୍ତୁତ କରିବାକୁ ଓ ତା’ର କପଡ଼ାଗୁଡ଼ିକୁ ବି ସଫା କରିବାକୁ ହୋଇଥାଏ । ମୋ’ର ମତରେ ଏଇଟି ପ୍ରକୃତରେ ଏକ ଭଲ ବ୍ୟବସ୍ଥା । ଏବେ ଦିନେ ଆମେ ବୃଦ୍ଧଙ୍କ ନିବାସକୁ ଯାଇ ତାଙ୍କୁ କହିଲୁ ଯେ ଆମ ଘରଟିକୁ ଉତ୍ତପ୍ତ କରି ରଖୁଥିବା ଚୁଲିଟି ଭଲ ଜଳୁନାହିଁ ଓ ସେଥିରୁ ଧୂଆଁ ବି ବାହାରୁଛି । ସେତେବେଳେ ସିଏ ଟୁଲ୍‍ ଉପରେ ବସି ନାତିର ଚମଡ଼ା ପେଣ୍ଟରେ ଛିଡ଼ି ଯାଇଥିବା ବୋତାମଟିଏ ଲଗାଉ ଥାଆନ୍ତି । …ସେ ତା’ପରେ ନିଜ ଅଧାପ୍ୟାଣ୍ଟଟିକୁ ମଧ୍ୟ ସିଲାଇ କରିଦେଲେ । ମୋତେ ଲାଗିଲା, ତାଙ୍କର ନିଜ ପିନ୍ଧିବା ସକାଶେ କେବଳ ସେହି ଗୋଟିଏ ପରିଧାନ ହିଁ ରହିଥିଲା । ହୁଏତ ସିଏ ସ୍ୱଭାବତଃ ହିଁ ନିଜଲାଗି ବେଶୀଗୁଡ଼ାଏ ଦ୍ରବ୍ୟ ଗଚ୍ଛିତ ରଖିବାଲାଗି କେବେ ଇଚ୍ଛା କରୁନଥିଲେ । ଏକ ପୁରୁଣା ସୁଇଡ଼ିଶ୍ ଇହୁଦୀ ବଂଶରେ ତାଙ୍କର ଜନ୍ମ ହୋଇଥିଲା,–ଅର୍ଥାତ୍ ତାଙ୍କର ପୂର୍ବପୁରୁଷମାନେ ବିଗତ ୫-୬ ପୁରୁଷ ହେଲା ସୁଇଡ଼େନ୍‌ର ନାଗରିକରୂପେ ହିଁ ବାସ କରି ଆସିଛନ୍ତି । ସିଏ ନିଜେ ମଧ୍ୟ ଯଥାର୍ଥ ଓ ସମ୍ପୂର୍ଣ୍ଣ ଭାବରେ ନିଜକୁ ଜଣେ ସୁଇଡ଼େନ୍‌ବାସୀ ଭାବରେ ତିଆରି କରିବାକୁ ମନସ୍ଥ କଲେ ଏବଂ ଯୁବାବସ୍ଥାରେ ଆଇସ୍‌ଲାଣ୍ଡ ଯାତ୍ରା କରିଥିଲେ । ଭିତରେ ଦୃଢ଼ ବାସନାଟିଏ ଥିଲା ଯେ ସିଏ ନିଜକୁ ଜଣେ ସମ୍ପୂର୍ଣ୍ଣ ଭାବରେ nordic (ଏହି ଉତ୍ତରାଞ୍ଚଳବାସୀ) ଭାବରେ ତିଆରି କରି ପାରିବେ । ସେଠାରେ କିଛି ବର୍ଷ ରହିଲେ, ଆଇସ୍‌ଲାଣ୍ଡର ଭାଷା ଶିଖିଲେ,–ଆମର ଏହି ଉତ୍ତରପଟର ପୂର୍ବପୁରୁଷମାନେ ଏକଦା ସେହି ଭାଷାରେ ହିଁ କଥାବାର୍ତ୍ତା କରୁଥିଲେ । ସେଠାରେ ସେ ଆପଣାର ସମ୍ପୂର୍ଣ୍ଣ ଇଚ୍ଛାକୁ ଖଟାଇ ଆଇସ୍‌ଲାଣ୍ଡର ସମ୍ପୂର୍ଣ୍ଣ ଆଦିମ ଜୀବନଶୈଳୀଗୁଡ଼ିକୁ ନିଜସ୍ୱ କରି ନେଉଥିଲେ ଏବଂ ସେ ତା’ପରେ ଯାଇ ସୁଇଡ଼େନ୍‌ ଫେରିଲେ ।

 

ଭିତରେ ଖୁବ୍‌ ଇଚ୍ଛା ଯେ ସୁଇଡ଼େନ୍‌ରେ ଗୋଟିଏ ସ୍କୁଲ ଆରମ୍ଭ କରିବେ । ପୂର୍ଣ୍ଣ ମୁକ୍ତ ପରିବେଶଟିଏ ରହିଥିବା ବିଦ୍ୟାଳୟଟିଏ ଆରମ୍ଭ କରିବେ । ସେଥିରେ ପରୀକ୍ଷା ରହିବନାହିଁ, ଅଥବା ସେହି କାଟର କୌଣସି କିଛି ବି ନଥିବ । ସୁଇଡ଼େନ୍‌ରେ ସେତେବେଳ ଯାଏ କେହି ସେହିଭଳି କୌଣସି ପ୍ରୟୋଗ କରିନଥିଲେ । ମାତ୍ର, ଏପରି ଗୋଟିଏ ଅଲଗା ମତଲବର ସ୍କୁଲ ବିଷୟରେ ତାଙ୍କର ଚାରିପାଖର ପରିବେଶରେ ହୁଏତ କୌଣସି ଅନୁକୂଳତା ଦେଖା ଗଲାନାହିଁ । ସିଏ ଆଦୌ ଆଗେଇ ପାରିଲେନାହିଁ । ସୁଇଡ଼େନବାସୀ ସମ୍ଭବତଃ ଭାବିଲେ : ଜଣେ ଇହୁଦୀ ପୁଣି ଏଠାରେ ଆସି ଗୋଟାଏ ଇସ୍କୁଲ ତିଆରି କରିବେ ଏବଂ ଆମର ଏଡ଼େ ଭଲ ଭାବରେ ଚାଲିଥିବା ଶିକ୍ଷାବ୍ୟବସ୍ଥାରେ ପୁଣି ସଂସ୍କାରସବୁ କରିବେ । ପରିଣାମ ସ୍ୱରୂପ, ବର୍ତ୍ତମାନ ବୁଢ଼ା ସମ୍ପୂର୍ଣ୍ଣ ଏକା ଭାବରେ ନିଜର ସଦନଟିରେ ବସି ରହିଛନ୍ତି ଓ ନିଜ ନାତିଟିର ଯତ୍ନ ନେଉଛନ୍ତି । ସିଏ ପ୍ରକୃତରେ କିଛି ବି କରି ପାରିନଥିଲେ । ଏବଂ, ନାତିଟି ନିମନ୍ତେ ବି ଯାହା କରୁଛନ୍ତି, ପ୍ରକୃତରେ ଅତ୍ୟନ୍ତ ଅନୁକରଣୀୟ ଭାବରେ ହିଁ ତାହା କରୁଛନ୍ତି । ଅତ୍ୟନ୍ତ ସ୍ପଷ୍ଟ ସତ୍ୟକଥାଟି ହେଉଛି ଯେ ମାଆମାନେ ପୂର୍ଣ୍ଣ ପ୍ରାଣୀସ୍ତରର ସେହି ସର୍ବପ୍ରଥମ କାର୍ଯ୍ୟଟିକୁ ସମ୍ପନ୍ନ କରିଦିଅନ୍ତି, ଛୁଆଟିକୁ ଜନ୍ମ ଦେଇ ପୃଥିବୀକୁ ଆଣନ୍ତି ଏବଂ ତା’ପରେ ସମ୍ପୂର୍ଣ୍ଣ ଭାବରେ ସର୍ବତୋଭାବେ ସେହି ଉପର ମାମୁଲି ସ୍ତରଟାରେ ହିଁ ରହିଯାଆନ୍ତି ।

 

ଚିତ୍ତ, ଆଜି ଏତିକି ଥାଉ । ମୁଁ ଆଉ ଅଧିକ କିଛି ଲେଖିବିନାହିଁ । ଚିଠିଟିକୁ ପଢ଼ି ତୋ’ର ଆଖିଗୁଡ଼ିକ ଖୁବ୍ ଥକି ବି ଯିବେଣି । ଏବଂ ନିଶ୍ଚୟ ଚିଠିଟିକୁ ବନ୍ଦ କରି ଥରୁଟିଏ ହାଇ ମାରିବାକୁ ବି ଅଥୟ ହୋଇ ଆସିବୁଣି ।

 

ଆମ ଦୁହିଁଙ୍କର ବହୁତ ବହୁତ ଶୁଭକାମନା ସହିତ,

 

ତୋ’ର

ମାଆ

 

କ୍ଳାମ୍ପେନ୍‌ବର୍ଗ, ଡେନମାର୍କ୍

 

ତାରିଖ ନାହିଁ (୧୯୫୬ ବେଳେ ?)

 

ସ୍ନେହର ଚିତ୍ତ,

 

ସେଠାରେ ତୋ’ର କ’ଣ ହୋଇଛି କହିଲୁ । ତୋ’ ଦେହ ଖରାପ ହେବା କଥା ନୁହେଁ ଏବଂ ତେଣୁ ତୁ ପ୍ରକୃତରେ ଅସୁସ୍ଥ ନଥିବୁ । କ’ଣ ଗୁଡ଼ାଏ ପରିମାଣରେ ନୈରାଶ୍ୟର ସମ୍ମୁଖୀନ ହେବାକୁ ପଡ଼ୁଛି, ଯାହାଫଳରେ କି ଚିଠି ଦେବାକୁ ଆଉ ଇଚ୍ଛା କରି ପାରୁନାହୁଁ ? ….ତୋ ବିଷୟରେ ମୁଁ ଇତିମଧ୍ୟରେ ଖୁବ୍ ଭାବିଛି; କେବଳ ପ୍ରତିଦିନ ନୁହେଁ, ଗୋଟିଏ ଗୋଟିଏ ଦିନ ବହୁତ ବାର ମଧ୍ୟ ଭାବିଛି । ତୁ ଥରେ ଲେଖିଥିଲୁ ଯେ ତୋ’ ସ୍କୁଲର ପିଲାମାନେ ଅନେକ ସମୟରେ ତଥାକଥିତ ନ୍ୟୂନ କାର୍ଯ୍ୟଗୁଡ଼ିକୁ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଶୁଣ୍, ଏଠି ମୁଁ ପିଟର ଦିନମାନ କରୁଥିବା ଭିନ୍ନ ଭିନ୍ନ କାମର ଫଟୋ ଉଠାଇଛି : ୧) ବାସନ ଧୋଇବାବେଳେ, ୨) ବଗିଚାରେ ଘାସ ବାଛିବାବେଳେ ୩) ନୂଆ ହୋଇ ଲାଗିଥିବା ଗଛମାନଙ୍କରେ ପାଣି ଦେଲାବେଳେ, ୪) ବୁଦାମୂଳମାନଙ୍କରେ ମଳ ନେଇ ପୋତିବାରେ, ୫) ଟେବୁଲ୍‍ ସଜାଇବାରେ, ୬) ଟାଇପ୍ କରିବାବେଳେ, ୭) ପୁସ୍ତକ ଅଧ୍ୟୟନ କରୁଥିବା ସମୟରେ–ଏମିତି ବିଭିନ୍ନ ସମୟର ଛବିମାନ । ସେଗୁଡ଼ିକ ତୋ’ ପାଖକୁ ମୁଁ ପଠାଇଦେବି ଓ ସେଗୁଡ଼ିକୁ ତୁ ସେଠାରେ ତୋ’ର ପିଲାମାନଙ୍କୁ ଦେଖାଇବୁ । ଏହି ଛବିଗୁଡ଼ିକୁ ଦେଖି ସେମାନେ କ’ଣ କହିବେ ? କହିବେ, ଇଏ ସେପରି ଜଣେ ବିଶେଷ ବ୍ୟକ୍ତି ନୁହନ୍ତି, ଜଣେ ଖୁବ୍‍ ବିଖ୍ୟାତ ଲେଖକ ନୁହନ୍ତି ବୋଲି କହିବେ ? ଅଥବା, ତାଙ୍କର ପତ୍ନୀ ଆଦୌ ଜଣେ ଭଲ ମନୁଷ୍ୟ ନୁହନ୍ତି ବୋଲି ମନେ କରିବେ ?

 

ଆମେ ତୋ’ ପାଇଁ କିଛି କରି ପାରୁନାହୁଁ ବୋଲି ତୁ ଆଦୌ ଦୁଃଖିତ ହୋଇ ପଡ଼ିବୁ ନାହିଁ-। ହଁ, ପ୍ରକୃତରେ କିଛି କରି ପାରିଲୁନାହିଁ ବୋଲି ବେଳେ ବେଳେ ନିଜ ଭିତରେ ଝଗଡ଼ା ମଧ୍ୟ ଖୁବ୍ କରୁଛୁ । କିନ୍ତୁ ଚିତ୍ତ, ସମ୍ଭବତଃ ଏହି ଚିଠି ତୋ’ ପାଖରେ ଯାଇ ପହଞ୍ଚିବା ବେଳକୁ ତୋ’ର ମନର ଅବସ୍ଥା ବଦଳି ଯାଇଥିବ,–କିଛି ନୂଆ ଆଶାର ଆଭାସ ହୁଏତ ଦେଖା ଯାଉଥିବ । ଏବଂ ଏପରି କିଛି ହୋଇନଥିଲେ ମଧ୍ୟ ତୁ ଗୋଟିଏ କଥା କେବେହେଲେ ଭୁଲି ଯିବୁନାହିଁ : ଅବସ୍ଥାଚକ୍ରରେ ପଡ଼ିଲେ ଆମେ ଗୋଟିଏ ପରାଜୟକୁ ମଧ୍ୟ ସ୍ୱୀକାର କରିନେବା ଏବଂ ତା’ପରେ ପୁନର୍ବାର ଝାଡ଼ିଝୁଡ଼ି ହୋଇ ଛିଡ଼ା ହେବା । ଥରେ ଶ୍ରୀ ନଓରପ୍ ବିଶ୍ୱନାଥନ ଓ ତୋ’ ବିଷୟରେ ମୋ’ ଆଗରେ ଯାହା କହୁଥିଲେ, ସେକଥା ତୋ ପାଖକୁ କେବେ ଆଗରୁ ତୋ’ ପାଖକୁ ଲେଖିଥିବା ପରି ଲାଗୁଛି: ସେମାନେ ଦୁଇଜଣଯାକ କେଡ଼େ ନିଷ୍ଠାପର ଓ କେତେ ସମର୍ଥ । ମୋ’ର ତ ଖୁବ୍‍ ଆଶଙ୍କା ହେଉଛି ଯେ, ଯେତେବେଳେ ନିଜ ନେଶକୁ ଫେରିବେ, ହୁଏତ ସେତେବେଳେ ସେମାନଙ୍କୁ ବହୁ ସଂଖ୍ୟାରେ ନାନା ନୈରାଶ୍ୟର ସମ୍ମୁଖୀନ ହେବାକୁ ପଡ଼ିବ । ଏହିଭଳି ମଣିଷଙ୍କର ଭାରତବର୍ଷରେ ବହୁତ ପ୍ରୟୋଜନ ରହିଛି । ହଁ, ଏହିପରି ଆହୁରି କେତେ କଥା ମଧ୍ୟ କହିଥିଲେ ।

 

ଆମର ଏଠାରେ କ୍ରମେ ଲାଗୁଛି ଯେ, ପିଟର ବର୍ତ୍ତମାନ ତାଙ୍କର ଗୋଟିଏ ବହି ଲେଖିବାରେ ଖୁବ୍ ଗମ୍ଭୀର ଭାବରେ ବ୍ୟସ୍ତ ଅଛନ୍ତି ଏବଂ ତେଣୁ ଏଠାକୁ ଆମ ଘରକୁ ବାହାରୁ କାହାରି ଆସିବାକୁ ପୂରା ବନ୍ଦ କରି ଦିଆଯାଇଛି । ମୋ’ର ନିଜର ପରିଚିତ ଅନ୍ୟ ମହିଳାମାନେ ନୁହନ୍ତି, ଆମ ନିଜର ପିଲାମାନେ ନୁହନ୍ତି କିମ୍ବା ସେମାନଙ୍କର ପିଲାମାନେ ମଧ୍ୟ ନୁହନ୍ତି । ଲୋକମାନେ ଆସିଲେ ତାଙ୍କର କାମଟି ବାଧାପ୍ରାପ୍ତ ହେବ, ଅର୍ଥାତ୍‍ ସେ ଅନ୍ୟମନସ୍କ ହୋଇ ପଡ଼ିବେ । ନିଜର ପୁଅଝିଅମାନଙ୍କୁ ଠୋ’ ଠୋ’ କରି ଏପରି କହିଦେବା ଆଦୌ ଗୋଟିଏ ପ୍ରୀତିକର କଥା ନୁହେଁ; ବର୍ତ୍ତମାନ କିଛିଦିନ ପାଇଁ ତୁମେମାନେ ଏଠାକୁ ଆସିବନାହିଁ । ଏଥିରେ ପିଲାମାନଙ୍କ ମନରେ ଅବଶ୍ୟ କ୍ରୋଧ ହେବ, ସେମାନଙ୍କର ମନଟା ଭାରି ଭାଙ୍ଗି ବି ଯିବ । ଚିତ୍ତ, କହିଲୁ ଏହି କଥାଟା ତୋତେ କିପରି ଲାଗୁଛି ? ଜଣେ ମନୁଷ୍ୟ ସବାଆଗ ଜଣେ ଭଲ ମାଆ ହେବ ନା ନିଜର ସ୍ୱାମୀଲାଗି ଭଲ ପତ୍ନୀଟିଏ ହେବ ? ଏପରି ପରିସ୍ଥିତିରେ ମୋତେ ମଧ୍ୟ ଖୁବ୍ ଆଶ୍ୱସ୍ତି ଲାଗୁଛି । କିନ୍ତୁ, ପ୍ରତ୍ୟେକ ମନୁଷ୍ୟକୁ ତ ସର୍ବଦା ଏହିପରି ବାଛିନେବାକୁ ପଡ଼ିଥାଏ ।

 

ଆଜି ପୁଅ ଉଲଫ୍‌କୁ ତେଇଶି ବର୍ଷ ହେଲା । ସିଏ ଆଜି ମୋ’ ବାପାଙ୍କ ପାଖରେ ସୁଇଡ଼େନରେ ଅଛି, ତା’ ପିଲାମାନେ ଓ ପତ୍ନୀ ମଧ୍ୟ ସାଙ୍ଗରେ ଯାଇଛନ୍ତି । ଏବଂ ଏଠାରେ ପିଟର୍‌ ଏବଂ ମୁଁ ଆମ କିରାସିନି ବତିଟିକୁ ଜଳାଇ ଆମ କାଠତିଆରି ଏହି ଗ୍ରୀଷ୍ମକୁଟୀରଟିରେ ବସିଛୁ,–ଦୁହେଁ ନିଜ ନିଜ ମେସିନରେ ଟାଇପ୍ କରୁଛୁ । ପିଟର୍ ଦିନତମାମ ବଗିଚାରେ ବସନ୍ତି ଓ ବହିଲେଖାରେ ବ୍ୟସ୍ତ ରହିଥାନ୍ତି । କେବଳ ସ୍ନାନକାଳୀନ ପରିଚ୍ଛଦଟି ଦେହରେ ଅଛି । ଖରାରେ ବାହାରେ ବସି ବସି ପ୍ରାୟ ତୋ’ରି ପରି ସାବନା ଦିଶୁଛନ୍ତି । ସମ୍ଭବତଃ ଆହୁରି ଅଧିକ ସାବନା । ଏବଂ ମୋତେ ତାଙ୍କର ଏହି ରଙ୍ଗଟା ଖୁବ୍ ଭଲ ଲାଗୁଛି ।

 

ଆଉ କ’ଣ ସବୁ ଲେଖିବି କହ । ତୋତେ ନିଜର ପୁଅ ପରି ଦେଖୁଥିବା ଶ୍ରୀମତୀ–ମଧ୍ୟ ତୋ’ ବିଷୟରେ ଅତ୍ୟନ୍ତ ଭାବିତ ଅଛନ୍ତି । ତୁ ଅବଶ୍ୟ ବୁଝି ପାରୁଥିବୁ । କିନ୍ତୁ ତାଙ୍କ ମନରେ ବେଶ୍ ରାଗ ବି ରହିଛି, କାରଣ ତୁ ଭାରତବର୍ଷକୁ ଫେରି ରାଜନୀତିରେ ଯୋଗ ଦେଲୁନାହିଁ । ଗୋଟାଏ ଇସ୍କୁଲକୁ ନେଇ ତୁ ଜୀବନଯାକ ପଡ଼ିରହିବୁ, ଏହି କଥାଟାକୁ ସେ ଆଦୌ ଗ୍ରହଣ କରି ପାରୁନାହାନ୍ତି-। କିନ୍ତୁ ରାଜନୀତିରେ ରହିଲେ ମଣିଷ କ୍ରମେ ମୁଖ୍ୟତଃ ପରଛିଦ୍ରଅନ୍ୱେଷଣକାରୀ ଗୋଟିଏ ବିଶେଷ ଧନ୍ଦା ଭିତରେ ଯାଇ ବାନ୍ଧି ହୋଇଯିବ ଓ ସମ୍ଭବତଃ ଶେଷକୁ ଜଣେ cynic ରେ ପରିଣତ ହେବ-। ଏହି ସାମ୍ପ୍ରତିକ ସମୟଟାରେ ତ କେତେ କେତେ ଉତ୍ତେଜିତ କରି ରଖିବାଭଳି ଘଟଣାମାନ ଘଟି ଚାଲିଛି । ଏଗୁଡ଼ିକ ବିଷୟରେ ତୁ ପ୍ରକୃତରେ ବିଶଦ ହିସାବମାନ ରଖୁ କି ? ହଁ, ବର୍ତ୍ତମାନ ଆମେ ପ୍ରକୃତରେ ଗୋଟିଏ ବିଚିତ୍ର ଯୁଗାବ୍ଧି ଭିତରେ ବାସ କରୁଛୁ,–ଆମେ ବୟସ୍କମାନେ, ଯେଉଁମାନେ କି ଦୁଇଟିଯାକ ବିଶ୍ୱଯୁଦ୍ଧକୁ ଅଙ୍ଗେ ନିଭାଇଛୁ । ….ବର୍ତ୍ତମାନ ତ ଏପରି ବେଳଟିଏ ଆସି ଉପସ୍ଥିତ ହୋଇଛି, ଯେତେବେଳେ କି ଶୋଷିତମାନେ ଜାଗୃତ ହୋଇ ଉଠୁଛନ୍ତି ତଥା ଗୋଟିଏ ଗୋଟିଏ ମନୁଷ୍ୟସମୂହ ହିସାବରେ ପୃଥିବୀଠାରୁ ପୂର୍ଣ୍ଣ ସ୍ୱୀକୃତି ଦାବି କରୁଛନ୍ତି । ଏବଂ, ଅପର ପକ୍ଷରେ, ବେଶ୍ ବିଚିତ୍ର ବି ମନେ ହେଉଛି ଯେ, ସୋଭିଏଟ୍ ଋଷିଆର ସହାୟତା ତଥା ଅନୁକମ୍ପା ଦ୍ୱାରା ସୃଷ୍ଟ ଏବଂ ପ୍ରତିପାଳିତ ପୂର୍ବ ଇଉରୋପର ଦେଶମାନଙ୍କରେ ବର୍ତ୍ତମାନ ଶ୍ରମିକମାନେ ହିଁ ‘‘ସର୍ବହରାର ଡିକ୍ଟେଟର୍‌ ରାଜତ୍ୱ’’ ପ୍ରତିଷ୍ଠା କରିଥିବା ସେହି ରୁଷିଆ ବିରୋଧରେ ହିଁ ପ୍ରତିବାଦ କରି ବାହାରୁଛନ୍ତି-

 

ପିଟର ଆସି କହିଲେଣି ଯେ ତାଙ୍କୁ ଭାରି ଭୋକ ହେଲାଣି,–କିଛି ଭୋଜନ ଅତ୍ୟାବଶ୍ୟକ । ବର୍ତ୍ତମାନ ସମୟ ରାତି ଦଶଟା । ମାତ୍ର, ସିଏ ତ ଋଷି ଏବଂ ମହାଜ୍ଞାନୀମାନଙ୍କ ପରି ସେପରି କୌଣସି ସାଧନା କରିନାହାନ୍ତି ଯେ ଭୋକ କରୁଥିଲେ ମଧ୍ୟ ସଂଯମଦ୍ୱାରା ତାହାକୁ ଏଡ଼ାଇଦେଇ ପାରିବେ । ତେଣୁ, ତାଙ୍କୁ ବସ୍ତୁତଃ ସକଳ ଅର୍ଥରେ ତାଙ୍କଲାଖି ଭୋଜନ ଯୋଗାଇ ଦେବାକୁ ପଡ଼ିବ । ଏବଂ ତେବେଯାଇ ତାଙ୍କର ଉଦରଶାନ୍ତି ହେବ । ବର୍ତ୍ତମାନ ଆମ ଏହି ଖରାଦିନିଆ ଘରର ବଗିଚାରେ ଚେରି ଗଛରେ କୋଳିମାନେ ପାଚିଲେଣି,–ଭୂଇଁରେ ମଧ୍ୟ ବ୍ଲାକ୍‌ବେରୀ ଓ ଷ୍ଟ୍ରବେରୀ ପ୍ରଭୃତି ପ୍ରସ୍ତୁତ ହୋଇ ଆସୁଛନ୍ତି । ହଁ, ସବୁ ଅଛି,–ଆମ୍ୱ ଛଡ଼ା ସବୁ ଅଛି । ଏହି କେତେଦିନ ସେଥିଲାଗି ଆମକୁ ସେପରି କିଛି ରାନ୍ଧିବାକୁ ବି ପଡ଼ିନାହିଁ । ଆଉ ପାଞ୍ଚ ଛଅ ସପ୍ତାହ ପରେ ସେଉ ବନିଯିବ, ପ୍ଲମ ବି ପାଚିବ । ବଡ଼ ସହରଟାରୁ କିଛିଦିନ ପାଇଁ ବାହାରି ଆସି ଏଣେ କିଛିଦିନ ରହିବାର ଯେଉଁ ଆନନ୍ଦ, ତାହାର କୌଣସି ତୁଳନା ହିଁ ନାହିଁ । ପିଟର୍ ତ କହିବେ ଯେ ବର୍ଷଟା ସାରା ଏଠାରେ ଆସି ରହିଲେ ତାଙ୍କୁ ବରଂ ଅଧିକ ଭଲ ଲାଗିବ । କିନ୍ତୁ, ସେଥିଲାଗି ଏଠାରେ ଘରଟାକୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଅନ୍ୟ କାଇଦାରେ ତିଆରି କରିବାକୁ ହିଁ ପଡ଼ିବ, ଯେପରିକି ଶୀତଦିନରେ ଏଠାରେ ରହିବାଟା ବି ସହ୍ୟ ହୋଇ ପାରୁଥିବ । ଏବଂ, ତଥାପି, କିଛିଦିନ ପରେ ସହରଟାକୁ ଝୁରିହେବା ଆରମ୍ଭ ହୋଇଯିବ । ହଁ, ହଁ–ସବୁବେଳେ ମଣିଷମାତ୍ରେ ସମସ୍ତଙ୍କୁ ବାଛିନେବାକୁ ହିଁ ପଡ଼େ । ଏବଂ, ସମ୍ଭବତଃ, ଗୋଟାଏ ବିଷୟରେ ଅଭ୍ୟସ୍ତ ହୋଇଗଲେ ତାହାର ପୂରା ବିପରୀତ ଆଉଗୋଟାଏ ଆସି ଚିତ୍ତକୁ ଚଞ୍ଚଳ କରିପକାଏ ।

 

ମାତ୍ର, ପିଟର୍ ତେଣେ ଭୋକରେ ଆଉଟି ପାଉଟି ହେବେଣି । ବର୍ତ୍ତମାନ ମୁଁ କିରାସିନି ବତିଟିକୁ ନେଇ ଏଠାରେ ଥିବା ଆମର କୁନି ରୋଷେଇ ବଖରାଟିକୁ ଯିବି । ତେଣୁ, ବର୍ତ୍ତମାନ ଏହିଠାରେ ବନ୍ଦ ରହୁ । ଶୀଘ୍ର ଚିଠି ଲେଖିବୁ ଓ ତୋ’ର ସବୁ ବିଷୟ ଜଣାଇବୁ ।

 

ଆମ ଦୁହିଁଙ୍କଠାରୁ ଅନେକ ଅନେକ ସ୍ନେହପୂର୍ଣ୍ଣ ଶୁଭେଚ୍ଛା,

 

ତୋ’ର

ମାଆ

 

ରୋମ୍ (ଇଟାଲୀ), ୩ । ୫ । ୫୯

 

ପ୍ରିୟ ଚିତ୍ତ,

 

ତୁ ତ ସମ୍ଭବତଃ ଜାଣିଛୁ ଯେ, ମୁଁ ଓ ଇନା ବର୍ତ୍ତମାନ ଏହି ଛୁଟିଦିନଗୁଡ଼ିକୁ କଟାଇବା ପାଇଁ ବାହାରକୁ ଆସିଛୁ । ପ୍ରଥମେ ଆମେ ସିଧା ଇସ୍ରାଏଲ ଗଲୁ । ତା’ପରେ ଗ୍ରୀସ୍‌ ଏବଂ ସେଠାରୁ ବର୍ତ୍ତମାନ ଇଟାଲୀ । ପ୍ରଥମେ ଦକ୍ଷିଣ ଇଟାଲୀ ଅଞ୍ଚଳର କେତୋଟି ପାହାଡ଼ପର୍ବତ ରହିଥିବା ସ୍ଥାନରେ ଆମେ କିଛିଦିନ ରହିଲୁ ଏବଂ ତା’ପରେ ଉତ୍ତରମୁଖା ହୋଇ ବର୍ତ୍ତମାନ ରାଜଧାନୀ ରୋମ୍‌ ଯାଏ ଆସି ପହଞ୍ଚିଛୁ । ସବୁ ତ ଖୁବ୍‌ ଖୁସୀରେ ହିଁ କଟି ଯାଉଥିଲା ; ମାତ୍ର ହଠାତ୍‌ ଖବରଟିଏ ଆସି ପହଞ୍ଚିଲା ଇନାର ଜଣେ ସମ୍ପର୍କୀୟାଙ୍କର ଏକ ମୋଟରଗାଡ଼ି ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଦୁର୍ଘଟଣାଟି ଆଫ୍ରିକାର ଏକ ଦେଶରେ ଘଟିଲା । ସେଠାରେ ସେହି ସମ୍ପର୍କୀୟା ଦୀର୍ଘ ୧୧ ବର୍ଷ ରହିଥିଲେ ଓ ଆମ ସହିତ ଦେଖା କରିବେ ବୋଲି ଡେନ୍‌ମାର୍କ ଆସିବା ବାଟରେ ଦୁର୍ଘଟଣାଟି ଘଟିଲା । ସମ୍ବାଦଟି ଶୁଣି ଆମେ କେତେ ଦୁଃଖରେ ଅଭିଭୂତ ହୋଇ ପଡ଼ିଥିଲୁ, ତୁ ସେକଥା ନିଶ୍ଚୟ ଅନୁମାନ କରି ପାରିବୁ ।

 

ଇନା ଅତିଶୟ ଦୁଃଖରେ ଅଛି ଓ ସେହି କାରଣରୁ ହିଁ ଏଥର ସେ ସ୍ୱଂୟ ତୋ’ ନିକଟକୁ ଚିଠି ଲେଖି ପାରିଲାନାହିଁ । ଘଟଣାଟିକୁ ବର୍ଣ୍ଣନା କରି ତୋ’ପାଖକୁ ଲେଖିବା ପାଇଁ ବର୍ତ୍ତମାନ ତା’ର କୌଣସି ଧୈର୍ଯ୍ୟ ହିଁ ସମ୍ଭବ ହେଉନାହିଁ । ତଥାପି ମୁଁ ଭାବୁଛି, ତୋତେ ମଧ୍ୟ ଘଟଣାଟି ଜଣାଥିବା ଅବଶ୍ୟ ଉଚିତ, କାରଣ ଇନାଠାରୁ ଦୀର୍ଘକାଳ କୌଣସି ଚିଠିପତ୍ର ନପାଇ କାହିଁକି ଚିଠି ଆସୁନାହିଁ ବୋଲି ତୁ ମଧ୍ୟ ବହୁତ ବ୍ୟସ୍ତ ହୋଇ ପଡ଼ିବୁ । ଆମେ ବର୍ତ୍ତମାନ ଏଇଠି ରୋମରେ ଅଛୁ ଏବଂ ଏଠାରେ ବେଶ୍‌ କିଛିଦିନ ରହିବୁ । ମୁଖ୍ୟତଃ ଏଠାରେ ପ୍ରାଚୀନ ଅଟ୍ଟାଳିକାଗୁଡ଼ିକୁ ବୁଲି ଦେଖି ଖୁସୀ ହେବାପାଇଁ ଯେତେ ନୁହେଁ,–ବର୍ତ୍ତମାନ ଏହିପରି ବିଷାଦପୂର୍ଣ୍ଣ ମନଗୁଡ଼ିକୁ ନେଇ ଘରେ ଯାଇ ପହଞ୍ଚିବାକୁ ଆମର ଇଚ୍ଛା ହେଉନାହିଁ ବୋଲି ହିଁ ଆମେ ଏଠାରେ କିଛିଦିନ ରହିଯିବୁ ।

 

ଏକଥା ଶୁଣି ମୋତେ ଖୁବ୍‌ ଭଲ ଲାଗିଲା ଯେ, ଅନ୍ୟାନ୍ୟ ଭାଷାରୁ ନିଜର ଭାଷାକୁ କିଛି ସାହିତ୍ୟର ଅନୁବାଦ କରିବାର କାର୍ଯ୍ୟଟିରେ ତୁ କିଛି ଅଗ୍ରଗତି କରିଛୁ ଓ ସେହି କାର୍ଯ୍ୟଟି ତୋତେ ଭଲ ମଧ୍ୟ ଲାଗୁଛି । ଏଥିରେ ତୋ’ର ନିଶ୍ଚୟ ଆଗ୍ରହ ବୃଦ୍ଧି ପାଇବ ବୋଲି ମୁଁ ଆଶା ବି କରୁଛି । କାର୍ଯ୍ୟଟିର ସର୍ବଦା ଏକ ବିଶେଷ ତାତ୍ପର୍ଯ୍ୟ ମଧ୍ୟ ରହିଛି । ଶ୍ୱାଇତ୍‌ଜର୍‌ କିମ୍ବା ପାସ୍ତର୍‌ନାକ୍‌ଙ୍କର ରଚନାକୁ ଅନୁବାଦ କରିବାର ସର୍ବଦା ହିଁ ମହତ୍ତ୍ୱ ଅବଶ୍ୟ ରହିବ । ଏବଂ, ଏହି ମାର୍ଗରେ ଆମେ ଦୁହେଁ ପରସ୍ପରର ସହଯାତ୍ରୀ ବୋଲି ମଧ୍ୟ କୁହାଯିବ । ବର୍ତ୍ତମାନ ତୋ’ ପାଖରେ ନିଜର ଆଗ୍ରହ ଅନୁସାରେ କ’ଣସବୁ କରିବା ସକାଶେ ଯଥେଷ୍ଟ ଫୁରସତ୍‌ ସମୟ ନାହିଁ ବୋଲି ତୁ କଦାପି ନିରାଶ ବା ବିଚଳିତ ହୋଇ ପଡ଼ିବୁ ବୋଲି ମୁଁ ଆଦୌ ଆଶା କରୁନାହିଁ । ପ୍ରତ୍ୟେକ ଦିନ ଆପେ ଆଦରି ନେଇଥିବା କେତେକ କର୍ତ୍ତବ୍ୟକାର୍ଯ୍ୟ ରହିଥିଲେ ମଧ୍ୟ ତଥାପି କିଛି ସର୍ଜନାତ୍ମକ କାର୍ଯ୍ୟ ନିମନ୍ତେ ଅବଶ୍ୟ ସମୟ ବାହାର କରାଯାଇ ପାରିବ । ମୋ’ ଜୀବନରେ ତ ମୁଁ ସର୍ବଦା ହିଁ ସେହିଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛି, ମାତ୍ର ତଥାପି ବେଶ୍‌ କିଛି ପରିମାଣରେ ସମାଧାନ ମଧ୍ୟ ହୋଇଯାଇ ପାରିଛି । ହଁ, ଆଉଗୋଟିଏ ପ୍ରକାରେ ମଧ୍ୟ ଏହି ସମସ୍ୟାଟି ଭିତରୁ ବାହାରି ଆସିବା ସମ୍ଭବ ହୋଇପାରେ; ଅର୍ଥାତ୍‌ ଜଣେ ଆର୍ଥିକ କ୍ଷେତ୍ରରେ ସମୟ ଦେବାକୁ ବାଧ୍ୟ ହେବନାହିଁ ଏବଂ ତେଣୁ ପ୍ରାତ୍ୟହିକ ଜୀବନରେ ଅନ୍ନର ଚିନ୍ତା କରିବା ସକାଶେ ତା’ ପାଇଁ ଆଉ କୌଣସି ପ୍ରୟୋଜନ ହିଁ ନଥିବ ! ଏବଂ, ଏପରି ବହୁତ ତଥାକଥିତ ଅନ୍ନସମସ୍ୟାମୁକ୍ତ ମନୁଷ୍ୟ ମଧ୍ୟ ଅଛନ୍ତି, ଯେଉଁମାନଙ୍କ ପାଖରେ ଆଦୌ କୌଣସି କର୍ତ୍ତବ୍ୟକର୍ମ ନଥାଏ ସିନା, ଅଥଚ ସେହିମାନେ ହିଁ ଅନେକ ସମୟରେ ଅପେକ୍ଷାକୃତ ଅଧିକ ଅଳ୍ପ ମୁକ୍ତ ହୋଇ ରହିଥାଆନ୍ତି । ତା’ର କାରଣ ହେଉଛି ଯେ, ସେମାନେ ନିରନ୍ତର କେତେ ନା କେତେ ପଛରେ ଧାଇଁବାରେ ଲାଗିଥାନ୍ତି । କେତେ କ’ଣ ବିରକ୍ତିକର କର୍ମଜଞ୍ଜାଳ ଭିତରେ ବ୍ୟସ୍ତ ହୋଇ ରହିଥାନ୍ତି । ଏବଂ, ସେମାନେ ଏପରି ବହିସବୁ ଅନୁବାଦ କରୁଥାନ୍ତି,–ଯାହାପାଇଁ ସେମାନଙ୍କ ଚିତ୍ତରେ ଆଦୌ ଆଗ୍ରହ ନଥାଏ,–ଉପନ୍ୟାସମାନ ଲେଖନ୍ତି, ଖବରକାଗଜକୁ ଲେଖା ଯୋଗାଇଥାନ୍ତି,–ସାଧାରଣ ମଣିଷମାନଙ୍କ ନିମନ୍ତେ ସହଜଚୋଷ୍ୟ କଥାଗୁଡ଼ିକୁ ହିଁ ଲେଖୁଥାନ୍ତି । କୁଆଡ଼େ କୁଆଡ଼େ ବୁଲି ସମ୍ପାଦକମାନଙ୍କ ପାଖରେ ଯାଇ ଅଳି କରନ୍ତି ଯେ ସେମାନେ ସେହିମାନେ ଲେଖିଥିବା ସାମଗ୍ରୀଗୁଡ଼ିକୁ ଅବଶ୍ୟ ଗ୍ରହଣ କରନ୍ତୁ । ଏପରି କରିବାରେ ବଡ଼ କ୍ଳାନ୍ତ ଓ ଅସମର୍ଥ ହୋଇ ଯାଆନ୍ତି । ଆଦୌ କୌଣସି ସର୍ଜନାତ୍ମକ ଆଦୌ କିଛି ସମ୍ଭବ କରିପାରନ୍ତି ନାହିଁ ।

 

ତେଣୁ, ତୁ ମୋଟେ ବିରକ୍ତ ହୋଇ ପଡ଼ିବୁନାହିଁ ଓ ସାହସ ହରାଇବୁ ନାହିଁ । ମୋ ନିଜର ତିରିଶ ବର୍ଷର ଅଭିଜ୍ଞତାରୁ ମୁଁ ନିଶ୍ଚୟ କହିବି ଯେ, ବାଧା ତଥା ସୀମା ଯେତେ ଯାହା ରହିଥାଉ ପଛକେ, ଯେକୌଣସି ପରିସ୍ଥିତିରେ ମଧ୍ୟ ସର୍ଜନାତ୍ମକ ଭାବରେ ଅବଶ୍ୟ କିଛି ଲେଖିହେବ । ମାତ୍ର, ପ୍ରଥମ କେତେ ବର୍ଷ ଅତ୍ୟନ୍ତ କଷ୍ଟକର ହେବ, ଖୁବ୍‌ ଥକା ଲାଗୁଥିବ । ଜଣେ ଶିକ୍ଷକକୁ ମଧ୍ୟ ବହୁତ ସମୟରେ ସେହିପରି ଏକ ଅନୁଭବର ସମ୍ମୁଖୀନ ହେବାକୁ ପଡ଼ିଥାଏ; ପ୍ରଥମ ବର୍ଷେ ଦୁଇବର୍ଷର ପାଠ ପଢ଼ାଇବାର କାମଟା ଭାରି କ୍ଳାନ୍ତ କରି ପକାଏ । କାରଣ, ବହୁତ ନୂଆ ନୂଆ ବିଷୟରେ ପଢ଼ାଇବାକୁ ପଡ଼େ,–ଠିକ୍‌ ପ୍ରଣାଳୀଗୁଡ଼ିକ ଜଣା ନଥାଏ, ରୁଟିନ୍‌ ମୁତାବକ ପ୍ରସ୍ତୁତ ହୋଇ ବି ହୁଏନାହିଁ । କିନ୍ତୁ, ଧୀରେ ଧୀରେ ସବୁକିଛି ସତେଅବା ଏକାବେଳେକେ ସମ୍ଭବ ହୋଇ ଆସନ୍ତି ଏବଂ, ଆଖର ସବୁଟି ସହିତ ପୂରା ପରିଚୟଟିଏ ହୋଇଗଲେ ବେଶ୍‌ ଆବିଷ୍କାର କରିହୁଏ ଯେ, ପ୍ରତିକୂଳତା ଯେତେ ଯାହା ରହିଥାଉ ପଛକେ, ଅଳ୍ପବହୁତ ଖୁବ୍‌ ସହଜରେ ଏଣିକି ଜୀବନର ଭରଣପୋଷଣ ଲାଗି ନିଶ୍ଚୟ ଗୋଟିଏ ବାଟ ମିଳିଯିବ । ବର୍ତ୍ତମାନ ତୁ ସପ୍ତାହକୁ କେତେ ଘଣ୍ଟା ପାଠ ପଢ଼ାଉଛୁ, କ’ଣ ବିଷୟସବୁ ପଢ଼ାଉଛୁ, ତୋ ଛାତ୍ରମାନେ କେତେ ବୟସର,–ଏଗୁଡ଼ିକ ବିଷୟରେ ମୋତେ ଲେଖିବୁ, ଯେପରିକି ତୋ’ର କାମ ବିଷୟରେ ମୋତେ ସ୍ପଷ୍ଟଭାବରେ କିଛି ଧାରଣା ମିଳିଯାଇ ପାରିବ ।

 

ମୁଁ ବର୍ତ୍ତମାନ ମୋ’ ଅଧ୍ୟାପନା-କାର୍ଯ୍ୟରୁ ଛଅମାସ ବିଶେଷ ଛୁଟି ନେଇଛି; ବୟସ ବେଶ୍‌ ଅଧିକ ହୋଇ ଆସିଲାଣି, ତେଣୁ ଛୁଟି ନେବା ଆବଶ୍ୟକ ମଧ୍ୟ ହେଲା । ଏବଂ, ଗ୍ରୀକ୍‌ ସଂସ୍କୃତି ବିଷୟରେ ମୋ’ର ଯେଉଁ ନୂଆ ବହିଟିଏ ଲେଖିବାକୁ ଅଛି, ବର୍ତ୍ତମାନ ସେଥିଲାଗି କିଛି ସାମଗ୍ରୀ ସଂଗ୍ରହ କରିବାକୁ ହେବ, ଯେପରିକି ଘରକୁ ଫେରି ଲେଖାଟିକୁ ଆରମ୍ଭ କରି ଦେଇ ପାରିବି । ବର୍ତ୍ତମାନ ତ ମଥାରେ କେତେ କେତେ ସରଞ୍ଜାମ ଭର୍ତ୍ତି ହୋଇ ରହୁଥିଲା ପରି ଲାଗୁଛି, ପ୍ରତ୍ୟେକ ଦିନ ହିଁ କେତେ ନା କେତେ ବିଚାର ଓ ଧାରଣା ମୁଣ୍ଡ ଭିତରେ ଟଳମଳ ହେବାରେ ଲାଗିଛି ।

 

ଏଠି ରୋମ୍‌ ସହରରେ ସଂଗ୍ରହାଳୟଗୁଡ଼ିକ ମଧ୍ୟ ବୁଲି ଦେଖୁଛି ଏବଂ ସେଥିରୁ ଢେର ପ୍ରେରଣା ମିଳୁଛି । କିନ୍ତୁ ରୋମାନ୍‌ ଦ୍ରବ୍ୟଗୁଡ଼ିକର ଗ୍ରୀକ୍‌ ନମୁନାଗୁଡ଼ିକ ସହିତ ମୋଟାମୋଟି ବେଶୀ ତୁଳନା ଆଦୌ କରି ହେବନାହିଁ । ସେହି ଗ୍ରୀସ୍‌ରେ ହିଁ ଅସଲି ମୌଳିକ ନମୁନାଗୁଡ଼ିକ ରହିଛି । ସେଗୁଡ଼ିକୁ ତେଣୁ ସେହିଠାରେ ହିଁ ଦେଖିବା–ସେହି ଅନୁଭୂତିର ପ୍ରକୃତରେ କୌଣସି ତୁଳନା ହିଁ ହେବନାହିଁ । ଯଦି ତୁ କେବେ ପୁନର୍ବାର ଇଉରୋପ ଆସିବୁ, ସେତେବେଳେ ଗ୍ରୀସ୍‌ ଏବଂ ରୋମ୍‌ ଦେଖିବା ସକାଶେ ଅବଶ୍ୟ ସମୟ ରଖିଥିବୁ । ଡେନ୍‌ମାର୍କ୍‌ ଯିବା ପୂର୍ବରୁ ଅଥବା ପରେ ଏଗୁଡ଼ିକୁ ନିଶ୍ଚୟ ଦେଖିବୁ । ଏହି ଦୁଇଟି ଦେଶକୁ ଓ ସେମାନଙ୍କର ସୌଷ୍ଠବପୂର୍ଣ୍ଣ ଅତୀତଟିକୁ ନିଜ ଆଖିରେ ନଦେଖିଥିବା ପର୍ଯ୍ୟନ୍ତ କେହି ଇଉରୋପକୁ ସତକୁ ସତ ଜାଣିଛି ବୋଲି କେବେହେଲେ ନ୍ୟାୟ ସହିତ କହି ପାରିବନାହିଁ ।

 

ଆମ ଦୁହିଁଙ୍କର ଅନେକ ଅନେକ ଶୁଭକାମନା,

 

ତୋ’ର

ପିଟର୍‌

 

Joergen Rossen

 

[ୟର୍ଗନ୍‌କୁ ଏହି ପତ୍ର ସଂକଳନର ନକ୍ସାଟି ଭିତରେ ମୁଁ କିପରି ଉପସ୍ଥାପିତ କରିପାରିବି-? ମୋ’ର ସର୍ବପ୍ରଥମ ଇଉରୋପ-ରହଣି ସମୟରେ ସେଇ ମୋ’ର ସବାଆଗର ସୁହୃତ୍‌ ହୋଇ ରହିଥିଲା । ସେ ଇଞ୍ଜିନିୟର୍‌ ହେଲା, ଅନ୍ତରୀକ୍ଷ-ବିଜ୍ଞାନ ବିଷୟରେ ଡେନିଶ୍‌ ଭାଷାରେ ବହି ଲେଖିଲା । ବହୁତ ଧନ ମଧ୍ୟ କମାଇଲା ଏବଂ ସେହି ଧନର ଏକ ମୁଖ୍ୟ ଅଂଶକୁ ଲଗାଇ ପୃଥିବୀଯାକ ଖ୍ୟାତ ହୋଇ ରହିଥିବା Hans Christian Andersenଙ୍କ ସମ୍ପର୍କରେ ଗୋଟିଏ ସଂଗ୍ରହାଳୟ ମଧ୍ୟ ପ୍ରତିଷ୍ଠା କଲା । ବୟସରେ ମୋ’ଠାରୁ କିଛି ବର୍ଷ ସିନା ସାନ,–ତେଣୁ ବେଶ୍‌ ଶୁଭ୍ରକେଶ ହୋଇଗଲାଣି । ଗୋଟିଏ ପୁଅ ଓ ଗୋଟିଏ ଝିଅର ବାପା,–ବେଳେ ବେଳେ ସେମାନଙ୍କ ପାଖକୁ ଯାଇ ବି କିଛି ଦିନ କଟାଇଆସେ ।]

 

ଏଠାରେ ଥିବା ପ୍ରଥମ ଚିଠିଟିକୁ ସିଏ ତାଙ୍କ ଦେଶର ବାଧ୍ୟତାମୂଳକ ସୈନିକ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲା ବେଳେ ଲେଖିଥିଲା : (ତା’ ଭାଷା ଡେନିଶ୍‌ରୁ ଓଡ଼ିଆ ଅନୁବାଦ ।)

 

ଅ’ ହୁସ୍‌, ୨୨ । ୧୧ । ୧୯୫୩

 

ପ୍ରିୟ ଚିତ୍ତ,

 

ଏହି ଏଡ଼େ ବଡ଼ ପୃଥିବୀରେ ତୁ ବର୍ତ୍ତମାନ ପ୍ରକୃତରେ କେଉଁଠାରେ ଅଛୁ ? ବହୁତ ଦିନ ହେଲାଣି, ଆମେ ପରସ୍ପରଠାରୁ କୌଣସି ଖବର ପାଇ ପାରିନାହୁଁ । ହଁ, ପ୍ରାୟ ମାସକ ତଳେ ସ୍ପେନ୍‌ର ବିଲ୍‌ବାଓଠାରେ ମୁଁ ତୋ’ ଠାରୁ ଶେଷ ଚିଠି ପାଇଥିଲି । ତା’ ପରେ ତୋ’ ଇସ୍ରାଏଲ୍‌ ଠିକଣାରେ ଉତ୍ତର ଦେଇଥିଲି । ତୋ’ ଡାକଟିକେଟ ସଂଗ୍ରହ ଭିତରେ ରହି ପାରିବ ବୋଲି ଚିଠି ଉପରେ ଭିନ୍ନ ଭିନ୍ନ ପ୍ରକାରର ବିଶେଷ ଟିକେଟମାନ ମଧ୍ୟ ଲଗାଇ ଦେଇଥିଲି । ତୁ ସେହି ଚିଠି ନିଶ୍ଚୟ ପାଇଥିବୁ ।

 

ସୈନ୍ୟ-ପ୍ରଶିକ୍ଷଣ ଅଭ୍ୟାସ-ଶିବିରରେ ମୋତେ ଆଦୌ ଭଲ ଲାଗୁ ନଥିଲା ଏବଂ ତେଣୁ ବର୍ତ୍ତମାନ ସୌଭାଗ୍ୟବଶତଃ ମୋତେ ସେମାନେ ଏଠାରେ ଥିବା ସେମାନଙ୍କର ଅଫିସ୍‌କୁ ନେଇ ଆସିଛନ୍ତି । ତୁ ଖୁବ୍‌ ବୁଝିପାରୁଥିବୁ, ସମରାଭ୍ୟାସର ସେହି ନାରକୀୟ ପରିସ୍ଥିତିଟା ଭିତରୁ ଚାଲି ଆସିଥିବାରୁ ମୋତେ ଅପେକ୍ଷାକୃତ କେତେ ଅଧିକ ସହଜ ଏବଂ ସରଳ ବି ଲାଗୁଛି । ଏଠାରେ ଆମେ ଅଫିସ୍‌ରେ ତିନିଜଣ–ପରସ୍ପରର ସମାନ ଭଳି ଚଳୁଛୁ । କମାଣ୍ଡର୍‌ମାନେ ଏଠି କେହି ନାହାନ୍ତି । ଆମେ ନିଜନିଜର ବ୍ୟକ୍ତିଗତ ସମସ୍ୟାଗୁଡ଼ିକୁ ପକାଇ କଥା ହୋଇ ପାରୁଛୁ, ମନ ହେଲେ ଏକାଠି ଚାହା ପିଉଛୁ । ଏଠାରେ ମୋ’ର ପ୍ରଶିକ୍ଷଣକାଳଟି ଆଗାମୀ ଜୁଲାଇମାସରେ ହିଁ ଶେଷ ହୋଇଯିବ ।

 

ତା’ପରେ ମୋ’ର ଅଧ୍ୟୟନଟିକୁ ମୁଁ ସମ୍ପୂର୍ଣ୍ଣ କରିବି, ଯେପରିକି ଯେଉଁଠାକୁ ଗଲେ ମଧ୍ୟ ମୁଁ ପ୍ରକୃତରେ କାମରେ ଲାଗିବାଭଳି କିଛି କରିପାରିବି । ବେଳେ ବେଳେ ଗୋଟିଏ ଭାବନା ଆସୁଛି ଯେ, ସିଧା ଆମେରିକା ଯିବି ଓ ସେଠାରେ ଜୈବ-ରସାୟନଶାସ୍ତ୍ରରେ ନୋବେଲ୍‌ ପୁରସ୍କାର ପାଇଥିବା ପ୍ରଫେସର୍‌ ଡାମ୍‌ଙ୍କର ମାର୍ଗଦର୍ଶନରେ ଅଧ୍ୟୟନ କରିବି । ମାତ୍ର, ସେହି କ୍ଷେତ୍ରରେ ମୁଁ ମୋ’ ଗବେଷଣା ତଥା ଅଧ୍ୟୟନର ଗୁମ୍ଫାଟି ଭିତରେ ହିଁ ରହିଯିବ ଏବଂ ବୃହତ୍ତର ପୃଥିବୀଟିରେ ମନୁଷ୍ୟମାନଙ୍କର ଜୀବନ କିଭଳି ଚାଲିଚି ବା ନ ଚାଲିଛି, ସେହି ବିଷୟରେ ଆଉ ଭାବିବାକୁ ବେଳ ନଥିବ । ସବୁଯାକ ଧ୍ୟାନ ଏବଂ ସଂପୃକ୍ତି ସେହି ଲାବୋରେଟରିଟା ଭିତରେ ହିଁ ସୀମାବଦ୍ଧ ହୋଇ ରହିବ ।

 

ଏହିଠାରେ ବନ୍ଦ କରୁଛି । ଶୀଘ୍ର ଚିଠି ଲେଖି ତୋ’ର ସବୁଯାକ ବିଷୟ ଜଣାଇବୁ ।

 

ନମସ୍ତେ,

ୟର୍ଗନ୍‌

 

କୋପେନ୍‌ହେଗେନ୍‌, ୨୪ । ୧୨ । ୧୯୫୩

 

ପ୍ରିୟ ଚିତ୍ତ,

 

ଏତେଦିନକେ ଯାଇ ତୋ’ର ଚିଠି ଆସି ପହଞ୍ଚିଲା, ଏବଂ ଜେରୁଜେଲମ୍‌ରୁ । ତୁ ଇଟାଲୀ ଛାଡ଼ିବାପରେ ଏଇଟି ହେଉଛି ତୋ’ର ପ୍ରଥମ ଚିଠି । ତେଣୁ, ଆମେ ଆଉ ପରସ୍ପର ଉପରେ ମୋଟେ ରାଗ କରିବାନାହିଁ । କିନ୍ତୁ, ସୁନ୍ଦର ସୁନ୍ଦର ଡାକଟିକେଟଗୁଡ଼ିକ ମରା ହୋଇଥିବା ମୋ’ର ସେହି ଚିଠିଟିକୁ ତୁ ପାଇଲୁ ତ ? ତୁ ରୋମ୍‌, ଆସିସି ଓ ନେପ୍‌ଲ୍‌ସ୍‌ଠାରୁ ଲେଖିଥିବା ଚିଠି ଓ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକ ଏଠାରେ ଆସି ପହଞ୍ଚି ଯାଇଛି ।

 

ବର୍ତ୍ତମାନ ସମୟ ଅପରାହ୍ନ ଦୁଇଟା । ତୁ ଜାହଜରେ ଯାଇ ପୋର୍ଟ ସୟଦ ବନ୍ଦରରେ ଯାଇ ପହଞ୍ଚିଥିବୁ । ବର୍ତ୍ତମାନ ବାପା ମଧ୍ୟ ଏଠୁ ଗଲେ ଜେଜେମାଆଙ୍କୁ ଏଠାକୁ ନେଇଆସିବେ । ତା’ପରେ ସମସ୍ତେ ଏକାଠି ମିଶି ଜେଜେବାପାଙ୍କର ସମାଧିରେ ଫୁଲ ଦେବାପାଇଁ ଶ୍ମଶାନ ଯିବେ । ବୋଉ ତ ଖାଇବା ତିଆରି କରିବାରେ ଦିନତମାମ ବ୍ୟସ୍ତ ରହିଛନ୍ତି । ଆଜି ବଡ଼ଦିନ ପର୍ବ ପାଳିତ ହେବ ବୋଲି ତ ତୁ ଭଲ କରି ଜାଣିଛୁ । ବଡ଼ଦିନ ପର୍ବର ବୃକ୍ଷଟି ସଜାହେବାରେ ଲାଗିଛି । ଭଉଣୀ ବିଗତ ଦୁଇମାସ ଗୋଟିଏ ବହିଦୋକାନରେ କାମ କରି ଇତିମଧ୍ୟରେ ୮୦୦ କ୍ରାଉନ୍‌ ଉପାର୍ଜନ କରିଛି । ଏହି ଦିନଗୁଡ଼ିକରେ ପ୍ରତିଦିନ ରାତିରେ ସିଏ ବଡ଼ କ୍ଳାନ୍ତ ହୋଇ ଘରକୁ ଫେରୁଥିଲା । କିନ୍ତୁ ବର୍ତ୍ତମାନ ସେହି ସମୟଟି ଶେଷ ହୋଇଯାଇଛି । ଆଜି ସିଏ ଦିନଯାକ ନିଜର କୋଠରୀରେ ବସି ବଡ଼ଦିନ ପର୍ବର ଉପହାରଗୁଡ଼ିକୁ ପ୍ୟାକେଟ୍‌ କରି ବାନ୍ଧିବାରେ ହିଁ କଟାଇଛି । ବଡ଼ ଦୁଃଖର ବିଷୟ ଯେ ଆମେ ପରିବାରର ଏହି ପାଞ୍ଚଜଣ ହିଁ ଏବର୍ଷ ବଡ଼ଦିନ ପର୍ବ ପାଳନ କରୁଛୁ । ମୁଁ ସୈନିକ-ଶିବିରରୁ ୧୪ଦିନ ଛୁଟି ପାଇ ଘରକୁ ଆସିଛି । ଏହା ଭିତରେ କିଛି ଭଲ ବହି ପଢ଼ିବାରେ ଅବସର ବି ମିଳିଯାଇଛି ।…

 

ପୂର୍ବ ଚିଠିରେ ତୋତେ ମୁଁ ମୋ’ ଭବିଷ୍ୟତର ଯୋଜନାଗୁଡ଼ିକ ବିଷୟରେ କିଛି ଲେଖିଥିଲି ନା ? ମୋ’ର ମଥା ଭିତରେ ସବୁକିଛି ମୁହୁର୍ମୁହୁଃ ଖାଲି ବଦଳି ଯିବାରେ ଲାଗିଛି । ତୁ କେମିତି ନିଜପାଇଁ ବାଟଟିଏ ସ୍ଥିର କଲୁ, ମୁଁ ଥରେ ଜାଣି ପାରନ୍ତି କି ? ମୋ’ର ତ ସେଇ ପୁରୁଣା ଅଡ଼ୁଆଟା,–ଗୋଟାସୁଦ୍ଧା ବିଜ୍ଞାନ-ଗବେଷଣାରେ ରହିବି ନା ମନୁଷ୍ୟସମାଜର କାର୍ଯ୍ୟରେ ଲାଗିଲା ଭଳି କିଛି ଅନ୍ୟ କ୍ଷେତ୍ରଟିଏ ଗ୍ରହଣ କରିନେବି ! ସମ୍ଭବତଃ ମିଳିତ ଜାତିସଂଘ ଅଥବା ବିଶ୍ୱ ଖାଦ୍ୟ ଓ କୃଷି ସଂଗଠନ ଭିତରେ ନିଜପାଇଁ ସ୍ଥାନଟିଏ ସନ୍ଧାନ କରିବି ଯେପରିକି ସେଥିରେ ଆନ୍ତର୍ଜାତିକ ମାନବୀୟ କୌଣସି କ୍ଷେତ୍ରରେ ମୋତେ ସ୍ଥାନଟିଏ ଅବଶ୍ୟ ମିଳିଯିବ । ସେତେବେଳେ ମୁଁ ଭାରତବର୍ଷ ମଧ୍ୟ ଯାଇପାରିବି । କିନ୍ତୁ, ଦୃଢ଼ନିଶ୍ଚିତ ଭାବରେ ବର୍ତ୍ତମାନ ଆଦୌ କିଛି ବି କହି ହେବନାହିଁ । ସୁତରାଂ ଏହି ପ୍ରଶିକ୍ଷଣ-ସମୟଟି ସରିବା ପରେ ପରେ ମୋତେ ଡେନ୍‌ମାର୍କ୍‌ର କିଛି ଏଭଳି ସଂଗଠନ ସହିତ ସମ୍ପର୍କ ସ୍ଥାପନ କରିବାକୁ ହେବ, ଯେଉଁମାନେ କି ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକ ସହିତ ସହଯୋଗ ରକ୍ଷା କରି କେତେଭଳି କାର୍ଯ୍ୟ କରୁଛନ୍ତି । ଏ ବିଷୟରେ ତୁ କ’ଣ ଭାବୁଛୁ ନଭାବୁଛୁ, ମୋତେ ଲେଖିବୁ ।

 

ଆଉ ଅଳ୍ପ କେତେଟା ଦିନରେ ତ ପୁଣି ଘରେ ଯାଇ ପହଞ୍ଚିବୁ ।

 

ବାପା, ମାଆ, ଭଉଣୀ Grethe ଓ ମୋ’ ତରଫରୁ ଅନେକ ଶୁଭେଚ୍ଛା ।

 

ନମସ୍ତେ ।

 

ଲିସଲାଇ, ଡେନମାର୍କ, ୨୬ । ୬ । ୧୯୫୪

 

ପ୍ରିୟ ଚିତ୍ତ,

 

ଆଗ ଆଜି ତୋ’ ସହିତ କିଛି ଝଗଡ଼ା ହିଁ କରିବି । କାରଣ ତୋତେ ଖୁବ୍‌ ଭଲ ଭାବରେ ଜଣା । ତୁ ତ ଯୁକ୍ତିମାନ ବାଢ଼ିଦେଇ କହିଛୁ ଯେ ଭାରତବର୍ଷ ହେଉଛି ଏକ ବଡ଼ ଦରିଦ୍ର ଦେଶ ଏବଂ ସେଥିରେ ମୋ’ର ଆଦୌ କୌଣସି ଦ୍ୱିମତ ମଧ୍ୟ ନାହିଁ । ମୁଁ ଖୁବ୍‌ ଭଲଭାବରେ ବୁଝୁଛି ଯେ ଉଡ଼ାଜାହାଜ ଡାକରେ ଏତେଗୁଡ଼ାଏ ପଇସା ଖର୍ଚ୍ଚ କରିବାକୁ ସେହି ଦେଶରେ ବହୁତ ଲୋକଙ୍କର ଆଦୌ କୌଣସି ସାମର୍ଥ୍ୟ ନାହିଁ । କିନ୍ତୁ, ଜଣେ ମଣିଷ ପାଖରେ ଯେତେବେଳେ ପଇସା କମ୍‌ ଥାଏ, ସେତେବେଳେ ଭଲ ପାଇବାର ଗୁଣଟି ମଧ୍ୟ ଅଧିକ ପରିମାଣରେ ଅବଶ୍ୟ ରହିଥାଏ । ତେଣୁ, ସିଏ ପତ୍ରର ଉତ୍ତର ଦେବାରେ ମୋଟେ କୌଣସି ଡେରି କରେନାହିଁ । ତେବେ, ଚିଠିଟି ଆସିବାଲାଗି ବାଟରେ ଅଢ଼େଇ ମାସ ଲାଗେନାହିଁ, କେବଳ ମାସଟିଏ ଲାଗେ ।

 

ତୋ’ ଚିଠି ପାଇ ଖୁବ୍‌ ଖୁସୀ ହେଲି । ଏଠାରେ ତୁ ଗଲାପରେ ସବୁଠାରୁ ଯେଉଁ ଅଭାବଟି ମୁଁ ସଦାସର୍ବଦା ଅନୁଭବ କରୁଛି, ସେଇଟି ହେଉଛି ଯେ, ଆମେ ଦୁହେଁ ଏକାଠି ଥାଆନ୍ତେ, ଏକତ୍ର କୌଣସି କାର୍ଯ୍ୟ କରୁଥାନ୍ତେ, ଆଲୋଚନା କରୁ କରୁ ଝଗଡ଼ା ମଧ୍ୟ କରନ୍ତେ;–ମାତ୍ର, ସବୁଠାରୁ ଅଧିକ ଭଲ ଲାଗୁଥାନ୍ତା ଯେ, ଆମେ ଏକାଠି ବସି ବଡ଼ପାଟିରେ କୌଣସି ଭଲ ବହିଟିଏ ବା ଭଲ କବିତାମାନ ପଢ଼ୁଥାନ୍ତେ । ସେତେବେଳକୁ ଦିନମାନର କାର୍ଯ୍ୟବ୍ୟସ୍ତତା ସରି ଯାଇଥାଆନ୍ତା ଓ ତେଣୁ କେଡ଼େ ଭଲ ଲାଗୁଥାନ୍ତା ! ତୋ’ର ଚିଠିରୁ ବେଶ୍‌ ଅନ୍ଦାଜ କରି ହେଉଛି ଯେ ତୁ ମଧ୍ୟ ପୂରା ସ୍ଥିରତା ମଧ୍ୟରେ ମୋଟେ ନାହୁଁ;–ନିଜର ବିଦ୍ୟାଳୟଟି ବିଷୟରେ ଏବଂ ଭବିଷ୍ୟତ ବିଷୟରେ ବହୁତ ଚିନ୍ତାରେ ରହିଛୁ । ଭାବୁଛୁ, ମୁଁ ଯଦି ଏତିକିବେଳକୁ ସେଠାରେ ଯାଇ ପହଞ୍ଚିଯାଇ ପାରନ୍ତି, ତେବେ ହୁଏତ ଆମେ ଦୁହେଁ ମିଶି ଅସୁବିଧାଗୁଡ଼ିକର ସମାଧାନ ବାହାର କରି ପାରନ୍ତେ । ହଁ, ବୁଝିପାରୁଛି, ନିଜର ବିଚାରଗୁଡ଼ିକ ଅନୁସାରେ କିଛି କରିବାକୁ ଆରମ୍ଭ କଲେ ଜଣେ ବ୍ୟକ୍ତିକୁ ଅବଶ୍ୟ ବହୁତ ସଂଗ୍ରାମ ମଧ୍ୟଦେଇ ଯିବାକୁ ପଡ଼ିବ । କାରଣ, ‘ପୁରାତନ’ମାନେ ଯାହା ହେଉ ବୋଲି ଇଚ୍ଛା କରୁଥିବେ, ତା’ ସହିତ ମୋଟେ ମତ ମିଳୁନଥିବ । ଚିତ୍ତ, ତୋ’ ଯୋଜନାଗୁଡ଼ିକର କ୍ଷେତ୍ରରେ ଇତିମଧ୍ୟରେ ବାସ୍ତବତଃ କ’ଣ କେତେଦୂର ହେଲାଣି ନ ହେଲାଣି, ତୁ ସେହି ବିଷୟରେ ଆଦୌ କୌଣସି କଥା ଲେଖିନାହୁଁ । ପର ଚିଠିରେ ନିଶ୍ଚୟ ଲେଖିବୁ । ସେଠାରେ ସବୁ ଏକୁଟିଆ କରୁଛୁ ନା ଅନ୍ୟ ବନ୍ଧୁମାନେ ମଧ୍ୟ ସାଙ୍ଗରେ ଅଛନ୍ତି ।

 

ବର୍ତ୍ତମାନ କୋପେନ୍‌ହେଗେନ୍‌ ଠାରୁ କିଛି ଦୂରରେ ଆମେ ସମୁଦ୍ରତଟରେ ଅବସ୍ଥିତ ଆମ ଗ୍ରୀଷ୍ମକାଳୀନ ଘରଟିରେ ଅଛୁ । ମାଆ ଓ ବାପା ଏଠାରେ ପୂରା ଖୁସୀ–ଆଦୌ କୌଣସି ଚିନ୍ତା ନାହିଁ । ବର୍ତ୍ତମାନ ସେମାନେ ଖଣ୍ଡେ ଦୂରରେ ବସି ତାଆସ ଖେଳୁଛନ୍ତି ।

 

ଏହିଠାରେ ହିଁ ସାରିବି । ଆମ ସମସ୍ତଙ୍କର ଶୁଭକାମନା କହି ପଠାଉଛି ।

 

ଇତି ।

ନମସ୍ତେ

 

(‘ନମସ୍ତେ’ ଶବ୍ଦଟିକୁ ୟର୍ଗନ୍‌ ହିନ୍ଦୀରେ ଲେଖି ଶିଖି ଯାଇଥିଲା)

 

ୟେଲୋ ସ୍ପ୍ରିଙ୍ଗ୍‌ସ୍‌, U.S.A, ୧୫ । ୮ । ୧୯୫୪

ପ୍ରିୟ ଚିତ୍ତ,

ଏଥର ମୁଇଁ ଡେରି କରିଦେଲିଣି । ବହୁତ ଦିନ ହେଲା ତୋ ପାଖକୁ ଚିଠି ଦେଇନାହିଁ । କିନ୍ତୁ, ଗଲା ମାସଟି ମୋ’ର କିପରି କଟିଥିବ, ତୁ ନିଶ୍ଚୟ ବୁଝି ପାରୁଥିବୁ । କୋପେନ୍‌ହେଗେନ୍‌ରୁ ପରିଚିତ ସଭିଙ୍କଠାରୁ ବିଦାୟ ନେବା ଓ ଏଠାରେ ନୂତନମାନଙ୍କ ସହିତ ପରିଚୟ ସ୍ଥାପନ କରିବା । ଏଠାରେ ଯେଉଁମାନଙ୍କୁ ଯାଇ ଭେଟିଛି, ସେମାନଙ୍କର ନାଆଁଗୁଡ଼ିକ ମଧ୍ୟ ମନେ ରଖି ପାରିନାହିଁ । ହଁ, ସମସ୍ତେ କେବଳ glad to meet you, glad to meet you ଓ are there many communists in your country ? are there many Communists in your country ? –ମୋତେ ଏହି ଦୁଇଟି ପ୍ରଶ୍ନ ହିଁ ପଚାରିଛନ୍ତି । କିନ୍ତୁ ଆଜି ରବିବାର,–ମୁଁ ସକାଳେ ଶ୍ରୀଯୁକ୍ତ ମର୍‌ଗାନ୍‌ଙ୍କର ବଗିଚାରେ ଥିବା ଘାସକୁ ମେସିନ୍‌ ଦେଇ କାଟିଛି । ତା’ପରେ ଗାଧୁଆପାଧୁଆ କରି ଏଠି ମୋ’ ସାନ କୋଠରୀରେ ବେଶ୍‌ ଶାନ୍ତ ହୋଇ ବସିଛି । ଏବଂ ଭାରତବର୍ଷ ନାମକ ସେହି ରହସ୍ୟ-ପରିପୂର୍ଣ୍ଣ ଦେଶରେ ତୁ କିପରି ଥିବୁ, ସେହିକଥା ଚିନ୍ତା କରୁଛି । ଏଠାରେ ବହୁତ କାର୍ଯ୍ୟବ୍ୟସ୍ତ ରହିବାକୁ ପଡ଼ିଛି । ପ୍ରଥମ ମାସଟି ମୋତେ କୌଣସି କାମ ମିଳି ନଥିଲା । ଏବଂ ତେଣୁ କୌଣସି ରୋଜଗାର ନଥିଲା । ମୋ’ ସକାଶେ କିଛି କାମ ଠିକ୍‌ କରି ଦେବାକୁ ଶ୍ରୀ ମର୍ଗାନ୍‌ ପ୍ରାୟ ଅଧ ଡଜନେ ଲୋକଙ୍କ ପାଖକୁ ଚିଠି ଲେଖିଥିଲେ । ମୋତେ ସାହାଯ୍ୟ କରିବାକୁ ତାଙ୍କ ଭଳି ଅନ୍ୟ କୌଣସି ବ୍ୟକ୍ତି କଦାପି ଏତେ ବେଶୀ ଉଦ୍ୟମ କରିନଥାନ୍ତେ-। ଏଥିରେ ମୁଁ ଖୁସୀ ସିନା ହେଉଥିଲି, ମାତ୍ର ତାଙ୍କର ଏତେଗୁଡ଼ାଏ ସମୟ ମୋ’ ପାଇଁ ଦେଉଛନ୍ତି ବୋଲି ମୋତେ ଖରାପ ବି ଲାଗୁଥିଲା । ବର୍ତ୍ତମାନ ମୁଁ ଦୁଇ ଜାଗାରେ–କାମ କରୁଛି । ଗୋଟିଏ ଖୁବ୍‌ ପାଖରେ ଅବସ୍ଥିତ ଏକ ଡେଆରିରେ–ସେଠାରେ ସକାଳ ସାତଟାରୁ ଅପରାହ୍ନ ତିନିଟା ପର୍ଯ୍ୟନ୍ତ । ଆର କାମଟି ହେଉଛି ଏପରି ଏକ କାରଖାନାରେ, ଯେଉଁଠାରେ ପାଣିରେ ରହିଥିବା ଶିଉଳିରୁ ପ୍ରୋଟିନ୍‌-ଉପାଦାନ ବାହାର କରିବାକୁ ପ୍ରୟୋଗମାନ ହେଉଛି । ଏହି କାମଟି ସନ୍ଧ୍ୟା ପରେ । ଏଇଥିରୁ ଜାଣି ପାରୁଥିବୁ, ବିଚରା ଡେନମାର୍କ୍‌ରୁ ଆସିଥିବା ଏହି ଯୁବକଟିର ଆଉ କିଛିହେଲେ ସମୟ ନାହିଁ । ଶ୍ରୀ ମର୍ଗାନ୍‌ଙ୍କର ଗ୍ରନ୍ଥାଗାରରେ ବହି ଭର୍ତ୍ତି ହୋଇ ରହିଥିଲେ ମଧ୍ୟ ସେଥିରୁ ମୁଁ ଗୋଟିଏ ବି ପଢ଼ି ପାରୁନାହିଁ ।

ଭାବୁଛି, ଏଠାରେ ମୁଁ ଦେଢ଼ବର୍ଷ ଯାଏ ରହିବି ଓ ଏହି ଅବଧିଟି ମଧ୍ୟରେ ଖାଦ୍ୟ ପ୍ରସ୍ତୁତ କରୁଥିବା କୌଣସି ଉତ୍ତମ ସଂସ୍ଥାର ଅଧୀନରେ ରହି କାର୍ଯ୍ୟ କରିବି । ଅଥବା, ଜୈବସାର କିମ୍ବା ଔଷଧ ଉତ୍ପାଦନ କରୁଥିବା କୌଣସି କୋମ୍ପାନିରେ । ଅର୍ଥାତ୍‌, ଯେତେବେଳେ ମୁଁ ତୋ’ ସହିତ କାର୍ଯ୍ୟ କରିବା ନିମନ୍ତେ ଭାରତବର୍ଷ ଆସିବି, ସେତେବେଳେ ତୁ ଜଣେ ଇଞ୍ଜିନିୟର୍‌କୁ ନିଜର ସହକର୍ମୀ ହିସାବରେ ପାଇପାରିବୁ, ଯିଏକି ତଦ୍‌ବ୍ୟତୀତ ଆହୁରି ଏପରି କେତେକ କର୍ମକୌଶଳ ମଧ୍ୟ ଜାଣିଥିବ, ଯାହାକି ଏକ ବିଦ୍ୟାଳୟକୁ ସମ୍ଭବ କରି ଆଣିବାରେ ଖୁବ୍‌ ପ୍ରୟୋଜନରେ ଆସିବ । ପୁନଶ୍ଚ, ଗୋଟିଏ ସରକାରଠାରୁ ଆର୍ଥିକ ସହାୟତା ଲାଭ କରିବା ଗୋଟିଏ ଶିକ୍ଷାକେନ୍ଦ୍ର ପକ୍ଷରେ ସବୁବେଳେ ଆଦୌ ସେତେ ଶୁଭଙ୍କର ମଧ୍ୟ ନହୋଇପାରେ; ଅର୍ଥରାଶି ହାସଲ କରିବାଟା ମୁଖ୍ୟ ଉତ୍ସ ହୋଇ ରହିଥିଲେ ଅନେକ ସମୟରେ ମନୁଷ୍ୟମାନେ ସେଇଟି ସହିତ ଅଧିକରୁ ଅଧିକ ଅକଳ ଭାବରେ ବାନ୍ଧିହୋଇ ବି ଯାଆନ୍ତି । ତେଣୁ, ଯଦି ଶିକ୍ଷାଳୟଟିକୁ ଅନ୍ତତଃ କେତେକ ମାତ୍ରାରେ ଅର୍ଥନୈତିକ ଦୃଷ୍ଟିରୁ ସ୍ୱୟଂନିର୍ଭରଶୀଳ କରା ଯାଇପାରେ–ଏଥିଲାଗି ସ୍ଥାନୀୟ ପରିସ୍ଥିତିଟି ଅନୁସାରେ କିଛି ଶିଳ୍ପୋଦ୍ୟୋଗ ତଥା କୁଟୀରଜାତ ଦ୍ରବ୍ୟର ଉତ୍ପାଦନ ଯଦି ଖୋଲା ଯାଇପାରେ–ତେବେ ଶିକ୍ଷାପ୍ରୟୋଗର ଅସଲ କାର୍ଯ୍ୟଟିକୁ ମଧ୍ୟ ଏକ ଦୃଢ଼ ଆତ୍ମପ୍ରତ୍ୟୟ ଆଣି ଦେବାରେ ତାହା ବହୁ ପରିମାଣରେ ଅବଶ୍ୟ ସହାୟତା କରିପାରିବ । ଏ ବିଷୟରେ ତୁ କିପରି କ’ଣ ଭାବୁଛୁ ଲେଖିବୁ । ଏଠାରେ ମୂଳ ଅନୁଷ୍ଠାନରୂପେ କାର୍ଯ୍ୟ କରୁଥିବା ଆଣ୍ଟିଓକ୍‌ କଲେଜ ପ୍ରାୟ ସେହିପରି ଗୋଟିଏ ଧାରାରେ ଆପଣାକୁ କ୍ରମଶଃ ଗଢ଼ିଆଣିଛି । ଏହି ଗାଆଁଟିର ନାମ ହେଉଛି ୟୋଲୋ ସ୍ପ୍ରିଙ୍ଗ୍‌ସ୍‌,–ଯେଉଁଠାରେ କି ଅର୍ଥାଗମର ଏକାଧିକ ଉପାୟ କ୍ରମବିକଶିତ ହୋଇ ଆସିଛି । ଏଠାରେ ୫/୬ଟି କ୍ଷୁଦ୍ର ଶିଳ୍ପର ସଂସ୍ଥା କାର୍ଯ୍ୟ କରୁଛନ୍ତି ଏବଂ ଶିକ୍ଷା-କାର୍ଯ୍ୟକ୍ରମଟିକୁ ମଝିରେ ରଖି ସେମାନେ ସବୁଗୁଡ଼ିକ ଏକ ସମବାୟଭିତ୍ତିରେ ପରିଚାଳିତ ହୁଅନ୍ତି ।…

ହଁ, ଚିତ୍ତ, ରୋମ୍‌ ସହର ମୋଟେ ଗୋଟାଏ ଦିନରେ ତିଆରି ହୋଇଯାଇ ନଥିଲା । ତୁ ଇଚ୍ଛା କରୁଥିବା ଇସ୍କୁଲଟି ମଧ୍ୟ ଆଦୌ ସେପରି କୌଣସି ହଠାତ୍‌ ଓ ଅଲୌକିକ କଥାମାନ ଘଟିବାଦ୍ୱାରା କେବେହେଲେ ଗଢ଼ିହୋଇ ଯିବନାହିଁ । ଏବଂ, ଆରମ୍ଭର ପର୍ଯ୍ୟାୟଟା ସମ୍ପୂର୍ଣ୍ଣ ଅକଳ୍ପନୀୟ ଭାବରେ ଶହେଗୁଣ ଅଧିକ କଷ୍ଟକର ହେବ ହିଁ ହେବ । କିନ୍ତୁ, ଆମେ ପରସ୍ପରର ଉଦ୍‌ବେଗ ଏବଂ ଆୟାସଗୁଡ଼ିକର କ୍ଷେତ୍ରରେ ନିଶ୍ଚୟ ସହଭାଗୀ ହୋଇ ରହିଥିବା । ଏବଂ, ତେବେ ଯାଇ, ଯେତେ ପ୍ରତିକୂଳତାର ସମ୍ମୁଖୀନ ହେବାକୁ ପଡ଼ିଲେ ମଧ୍ୟ ଯାତ୍ରାଟି ତଥାପି ଆନନ୍ଦଦାୟକ ହେବ ।

ଏଠାରେ ଖାଲି କାମ ଓ କାମ । ଗୋଟାଏ ପରେ ଆଉଗୋଟାଏ । କାହା ସହିତ ଖୁସୀ ହୋଇ କିଛି ସମୟ କଥାବାର୍ତ୍ତା ହେବ, ସେଥିପାଇଁ କେହି ନାହାନ୍ତି । ଭାରି ଏକାକୀ ମନେ ହେଉଛି । ତେଣୁ, ତୁ ଶୀଘ୍ର ଚିଠିର ଉତ୍ତର ଦେବୁ ।

ନମସ୍ତେ,

ୟର୍ଗନ୍‌

 

ନିଉୟର୍କ୍‌, ୯ । ୧୦ । ୧୯୫୫

 

ପ୍ରିୟ ଚିତ୍ତ,

 

ଆଜି ରବିବାର, ଉପରବେଳା ସମୟ,–ମୁଁ ଏଠା ନଦୀକୂଳ ଆଡ଼େ ଟିକିଏ ବୁଲି ବାହାରି ଆସିଛି । ଖୁବ୍‌ ଭଲ ପାଗ ହୋଇଛି,–ଶରତ ସମୟ, କିଞ୍ଚିତ୍‌ କାଲୁଆ କାଲୁଆ ମନେ ହେଉଛି ଏବଂ ଗାଢ଼ନୀଳ ଏହି ଆକାଶଟାରୁ ସୂର୍ଯ୍ୟର ସଫା କିରଣ ତଳକୁ ଅଜାଡ଼ି ହୋଇ ପଡ଼ୁଛି । ପୃଥିବୀର ଏହି ଭାଗରେ ଏଭଳି ପାଗକୁ Indian Summer ବୋଲି କୁହା ଯାଇଥାଏ । ଭିତରୁ କିଏ ସତେଅବା ବହୁ ଲାଳସା ସହିତ କହୁଛି, ମୁଁ ସବୁବେଳେ ଯେକୌଣସି ସହରରେ ରହିଥିବା ଉଚ୍ଚ କାନ୍ଥଗୁଡ଼ିକର ବାହାରେ ହିଁ ରହିଥାନ୍ତି କି ! ଏଠାରେ ଚଢ଼େଇ ନାହାନ୍ତି, ମଟରଗାଡ଼ିମାନଙ୍କର ଯା’ଆସ କରିବା ଶବ୍ଦରେ କାନ ଅତଡ଼ା ପଡ଼ିଯାଉଛି । ଖାଲି ଧୂଳି ହିଁ ଧୂଳି,–ସବୁଜ, ନାଲି ଓ ହଳଦିଆ ପତ୍ରବିଶିଷ୍ଟ ଗୋଟିଏ ବି ଗଛ ନାହିଁ । ଖାଲି ପେଟ୍ରୋଲ୍‌ ଗନ୍ଧ,–ଅରଣ୍ୟର ସେହି କୋମଳ ଓ ତଟକା ସୁଗନ୍ଧ ଏଠାରେ ସ୍ୱପ୍ନ ହୋଇ ରହିଛି । ମନେ ହେଉଛି, ଏହି ଭୟଙ୍କର ପରିବେଶଠାରୁ ମୁଁ ଇଚ୍ଛା କଲା ମାତ୍ରକେ କୁଆଡ଼େ ଦୂରକୁ, ଦୂରକୁ ଚାଲିଯାଇ ପାରୁଥାନ୍ତି କି !

 

ଆଉ ଦୁଇ ସପ୍ତାହ ପରେ ଆଉ ଦୁଇ ଜଣ ସାଙ୍ଗଙ୍କ ସହିତ ଗୋଟିଏ ମଟରଗାଡ଼ିରେ ମୋ’ର Vermont ଯିବାର ଅଛି । ସମସ୍ତେ କହୁଛନ୍ତି, ସେହିଠାରେ ହିଁ ସାରା ପୃଥିବୀର ସବୁଠାରୁ ଅଧିକ ସୁନ୍ଦର ଶରତକାଳୀନ ଦୃଶ୍ୟଗୁଡ଼ିକ ପ୍ରକୃତରେ ଦୃଷ୍ଟିଗୋଚର ହୋଇଥାଏ । ମୁଁ ଭାବୁଛି, ଡେନମାର୍କ ସମେତ ଆହୁରି ଅନେକ ଦେଶର ଲୋକମାନଙ୍କ ପରି ଏହି ଆମେରିକାନ୍‌ମାନେ ମଧ୍ୟ ନିଜ ଦେଶର କଥାଗୁଡ଼ିକୁ ଅତିରଞ୍ଜିତ କରି କହିବାକୁ ଭାରି ଭଲ ପାଉଥିବେ ।

 

ଚିତ୍ତ, ଏହି ଯେତେ ଯାହା ସୁନ୍ଦର, ଯାହାକିଛି ଆମର ସମ୍ମୁଖରେ ପୃଥିବୀ ରୂପେ ବିଦ୍ୟମାନ ରହିଛି,–ଏତେ ଏତେ ପ୍ରକାରେ ଆମର ମନୋହରଣ କରୁଛି ଏବଂ ସତେଅବା ଗୋଟିଏ ବୃହତ୍‌ ଗୃହଭିତରେ ଆମକୁ ଅନୁକ୍ଷଣ ଏତେ ଆହ୍ଲାଦିତ କରି ରଖିଛି,–ଏସବୁ କ’ଣ କେବଳ ଗୋଟିଏ ଉଦ୍ଦେଶ୍ୟହୀନ ଶୂନ୍ୟ ବା ସମଷ୍ଟିମାତ୍ର ? ବହୁକାଳ ସେହି ପ୍ରଶ୍ନଟି ଭିତରେ ଘାରି ହୋଇ ରହିବାପରେ ଏବେ ଅନୁଭବ କରୁଛି, ନାଇଁ,–ଏହି ପ୍ରତ୍ୟେକଟିର ସଂଚାଳନକାରିଣୀ ଶକ୍ତି ରୂପେ ଗୋଟିଏ ବୀଜ ଅବଶ୍ୟ ରହିଛି । ସତତ ବିକାଶଲାଭ କରୁଛି; ଗୋଟିଏ କେନ୍ଦ୍ରସ୍ଥ କ’ଣ ରୂପେ ଏହି ସବୁକିଛିକୁ, ସବୁଗୁଡ଼ିକୁ ପ୍ରତିଭାତ ଏବଂ ପ୍ରକାଶିତ କରିବାରେ ଲାଗିଛି । ଯାବତୀୟ ରୂପ, ରଙ୍ଗ ତଥା ସୃଜନ ପଛରେ ହିଁ ରହିଛି । ପ୍ରତ୍ୟେକ କ୍ଷୁଦ୍ରାଦପି କ୍ଷୁଦ୍ର କଣଟି ମଧ୍ୟରେ ସେହି ଅନୁକ୍ଷଣ-ବିକାଶର ଲୀଳାଟି ଲାଗି ରହିଛି । ଅଭିବୃଦ୍ଧି ଲାଭ କରିବାର ସେହି ଅପ୍ରତିରୋଧ ଶକ୍ତି, ଆପଣାର ସକଳ ସମର୍ଥତା ତଥା ସମ୍ଭାବନାକୁ ଯଥାସମ୍ଭବ ଅଧିକ ଭାବରେ ବିକଶିତ କରିନେବା,–ସେହି ନିତ୍ୟପ୍ରକ୍ରିୟାରେ ପୃଥିବୀ ଆସି ସଂପ୍ରତି ମନୁଷ୍ୟର ଗାରଟି ପାଖରେ ପହଞ୍ଚିଛି । ସେହି ମୂଳ ବ୍ରତ ଓ ମୂଳ ଧର୍ମଟି ଆମ ସଭିଙ୍କୁ ହିଁ ଅଗ୍ରସର କରାଇ ନେଉଛି ।

 

ଜଣେ ଜଣେ ମନୁଷ୍ୟ ହିସାବରେ ଆମ ନିଜ ନିଜର ଜୀବନରେ ମଧ୍ୟ ସେହି ପ୍ରକ୍ରିୟାଟି ଲାଗି ରହିଛି କି ? ତାହାରି ମାଧ୍ୟମରେ ହିଁ ଆମେ କ୍ରମଶଃ ଅଭିବୃଦ୍ଧି ଲାଭ କରୁଛୁ ଓ ଅଧିକ ପରିପକ୍ୱ ହେଉଛୁ । ସହରର ଜୀବନ ଆମକୁ ଅତ୍ୟନ୍ତ ଛୋଟ କରି ପକାଉଛି,–ଆମ ପଛରେ ଯେ ଦୀର୍ଘ ତଥା ମହିମାମୟ ଇତିହାସଟିଏ ରହିଛି, ଆମକୁ ସେଇଟି ବିଷୟରେ ଭୁଲାଇ ଦେଉଛି । ଆମେ ନିଜେ ବୃଦ୍ଧିଲାଭ କରିବା ଓ ଅନ୍ୟମାନଙ୍କୁ ମଧ୍ୟ ବୃଦ୍ଧିଲାଭ କରିବାରେ ବାଟ ଛାଡ଼ିଦେବା, ସେହି ଦାୟିତ୍ୱଟି ବିଷୟରେ ଆମକୁ ବିସ୍ମୃତ କରି ରଖିଛି ।

 

ଆଜି ଏତିକିରେ ଶେଷ କରିବି–ଅନେକ ଶୁଭକାମନା ସହିତ ।

 

ନମସ୍ତେ

 

ନିଉୟର୍କ, ୨୬ । ୧୧ । ୧୯୫୫

 

….ଏଥର ମୁଁ କେଉଁଠାରୁ ଆରମ୍ଭ କରିବି ଓ କେଉଁଠାରେ ଶେଷ କରିବି, କିଛି ଠିକ୍‌ କରି ପାରୁନାହିଁ । ନିଜକୁ ନେଇ ମୁଁ ଏଠାରେ ଇତିମଧ୍ୟରେ କେତେ କ’ଣ ଚିନ୍ତା କରିଛି ଏବଂ ସେହି ମୁତାବକ କେତେଟା କଥା ନିଷ୍ପତ୍ତି ବି କରିଛି । ତୁ ପାଖରେ ଥିଲେ ସେଗୁଡ଼ିକୁ ବର୍ଣ୍ଣନା କରି ଅବଶ୍ୟ କହି ପାରିଥାନ୍ତି । ହଁ, ଏହି ଦେଶରେ ମୋ’ର ତିନିମାସର ରହଣି ମଧ୍ୟରେ କେତେ କେତେ ଭାବନା ମୋତେ ଦିନରାତି ଅତିଶୟ ମାତ୍ରାରେ କବଳିତ କରି ରଖିଛି,–କିଛି ସ୍ଥିର ସିଦ୍ଧାନ୍ତରେ ପହଞ୍ଚିବା ନିମନ୍ତେ ମୋତେ ସର୍ବଦା ବ୍ୟସ୍ତ କରି ପକାଇଛି । ଜଣେ ଇଞ୍ଜିନିୟର୍‌ ହିସାବରେ ମୋ’ର କାମଟି ମୋତେ କଦାପି ଯଥେଷ୍ଟ ସନ୍ତୋଷ ଆଣି ଦେବନାହିଁ, ମୋର ସବୁଯାକ ଆଗ୍ରହ ଓ ସାମର୍ଥ୍ୟକୁ ଆଦୌ ତୁଷ୍ଟ କରି ପାରିବନାହିଁ । ହଁ, ଆହୁରି ଏକାଧିକ ଧନ୍ଦା ପରି ଇଞ୍ଜିନିୟରିଂ ନାମକ ଏହି ବିଦ୍ୟା ତଥା କୌଶଳଟିର ସମାଜରେ ଅବଶ୍ୟ ଏକ ଆବଶ୍ୟକ ସ୍ଥାନ ରହିଛି ଓ ତାହାର ଗୁରୁତ୍ୱକୁ କେବେହେଲେ ଅନ୍ୟ କୌଣସି ଧନ୍ଦା ତୁଳନାରେ ନ୍ୟୂନ କରି ଦେଖି ହେବନାହିଁ ସତ, ମାତ୍ର ତଥାପି ମୋତେ ତାହା ଆଦୌ ଯଥେଷ୍ଟ ବୋଲି ଲାଗିବନାହିଁ । ମୁଁ ତ ନିଜ ଜୀବନର ସମସ୍ତ ଯୋଗ୍ୟତା ଏବଂ ସମସ୍ତ ସମର୍ଥତାକୁ ନେଇ ଏଭଳି ଗୋଟିଏ କ୍ଷେତ୍ରରେ ଯାଇ ପ୍ରବେଶ କରିବା ସକାଶେ ଇଚ୍ଛା କରୁଛି, ଯେଉଁଠାରେ କି ଜ୍ଞାନ ଅଜ୍ଞାନ ସହିତ ସଂଗ୍ରାମ କରୁଛି, ପ୍ରକୃତିର ଏବେ ମଧ୍ୟ ଗୂଢ଼ ହୋଇ ରହି ଯାଇଥିବା ରହସ୍ୟଗୁଡ଼ିକ ସହିତ ଲଢ଼ିବାରେ ଲାଗିଛି । ମୁଁ ଏପରି ଏକ ନାନା ଉଦ୍ୟମର କ୍ଷେତ୍ରରେ ମୋ’ର ସହମନୁଷ୍ୟମାନଙ୍କ ସହିତ ବାସ କରିବାକୁ ଇଚ୍ଛା କରୁଛି, ସେମାନଙ୍କୁ ଆପଣାର ବୋଲି ଗ୍ରହଣ କରିନେଇ ସେମାନଙ୍କୁ ମୋର ସାଧ୍ୟ ଅନୁସାରେ ସାହାଯ୍ୟ କରିବାକୁ ଚାହୁଛି , ସେମାନଙ୍କର ଯାବତୀୟ ପାରଙ୍ଗମତା ତଥା ଅପାରଙ୍ଗମତା ସହିତ ହିଁ ସେମାନଙ୍କୁ ଭଲ ପାଇବାକୁ ଚାହୁଛି , ଯେପରିକି କୌଣସି ଗୋଟିଏ ମନୁଷ୍ୟସୁଲଭ ଗୁଣ ମୋତେ କଦାପି ଛାଡ଼ି ଚାଲିଯିବ ନାହିଁ-। ମୁଁ ଆଦୌ ସହଜ ରାସ୍ତାଟିଏ ଦେଖି ସେଇଟିକୁ ଗ୍ରହଣ କରିନେବି ନାହିଁ । ସଂକ୍ଷେପରେ କହିଲେ, କେବଳ ଅଧ୍ୟୟନ କରିଥିବା ମୋ’ର ଏହି ପ୍ରଯୁକ୍ତିକୌଶଳକୁ ଆବୋରି ଧରି ଆଦୌ ସନ୍ତୁଷ୍ଟ ହୋଇ ରହିଯିବି ନାହିଁ । ହଁ, ତାହା ମୁଁ ଶିକ୍ଷା କରିଥିବା ଏକ କୌଶଳ ହୋଇ ରହିବ ସିନା, ମାତ୍ର ମୋ’ର ସମସ୍ତ ଜୀବନରେ କଦାପି ପରିଣତ ହୋଇ ଯିବନାହିଁ । ଜୀବନର ବହୁବିଚିତ୍ରତାର ସମ୍ମୁଖୀନ ହୋଇ ମୁଁ ନିରନ୍ତର ଉଲ୍ଲସିତ ଅନୁଭବ କରିପାରୁଥିବି, ଜୀବନର ଅପରିମିତ ରହସ୍ୟମାନେ ମୋତେ ସଦା ଆକର୍ଷିତ କରି ପାରୁଥିବେ ଏବଂ ଜଣେ ମନୁଷ୍ୟ ହିସାବରେ ମୁଁ ସେଗୁଡ଼ିକୁ ଗୋଟିଏ ଗୋଟିଏ ଚ୍ୟାଲେଞ୍ଜରୂପେ ଗ୍ରହଣ କରି ପାରୁଥିବି ।

 

ମୁଁ ସ୍ଥିର କରିଛି ଯେ ୧୯୫୫ ମସିହା ସେପ୍ଟେମ୍ବର ଠାରୁ ମୁଁ ମନୋବିଜ୍ଞାନ ଅଧ୍ୟୟନ କରିବା ଆରମ୍ଭ କରିବି । ମୋ’ର ଏକାନ୍ତ ଅନୁରୋଧ, ମୋ’ର ଏହି ନିଷ୍ପତ୍ତିଟି ବିଷୟରେ ତୁ ନିଜର ମତାମତ ନିଶ୍ଚୟ ଦେବୁ । ମୁଁ ସ୍ଥିର ହୋଇ ଏହି ନିଷ୍ପତ୍ତି କରିନାହିଁ ବୋଲି ଯେ ଏ ବିଷୟରେ ତୋ’ର ମତାମତ ଜାଣିବାକୁ ଇଚ୍ଛା କରୁଛି, ସେକଥା ଆଦୌ ନୁହେଁ; ମାତ୍ର, ମୋ’ର ସାମର୍ଥ୍ୟ ଓ ସମ୍ଭାବନାଗୁଡ଼ିକ ବିଷୟରେ ତୁ ମୋ’ ତୁଳନାରେ ଅଧିକ ହିଁ ଜାଣିଛୁ ବୋଲି ମୁଁ ତୋତେ ଏପରି ଅନୁରୋଧ କରୁଛି । କୌଣସି ନିଯୁକ୍ତି ଗ୍ରହଣ ନକରି ତିନି ବର୍ଷ ଚଳିଯାଇ ପାରିବାକୁ ମୁଁ ଯଥେଷ୍ଟ ଅର୍ଥ ମଧ୍ୟ ସଂଗ୍ରହ କରି ରଖିଛି । ଭାବୁଛି, ଏଠାରେ ନିଉୟର୍କରେ ଶ୍ରୀଯୁକ୍ତ ଏରିକ୍‌ ଫ୍ରମ୍‌ଙ୍କର ମାର୍ଗଦର୍ଶନରେ ମୁଁ ମନୋବିଜ୍ଞାନ ଅଧ୍ୟୟନ କରିବି, ତା’ପରେ ଡେନମାର୍କ୍‌ ଯାଇ ଆଉ କିଛି କାଳ ପଢ଼ିବି ଓ ତା’ପରେ ଗୋଟିଏ ଗାଡ଼ି କିଣି ନିଜେ ଚଳାଇ ୧୯୫୭ ଅଧାଅଧି ବେଳକୁ ଓଡ଼ିଶାରେ ଯାଇ ପହଞ୍ଚିବି ।

 

ହଁ, ମୋ’ର ଏହି ମନୋବିଜ୍ଞାନ ଅଧ୍ୟୟନ କରିବା ବିଷୟରେ ମୁଁ ଆଜି ମାଆ ଓ ବାପାଙ୍କ ପାଖକୁ ମଧ୍ୟ ଚିଠି ଲେଖିବି । ହଁ, ବର୍ତ୍ତମାନ ଏକଥା ଅନୁଭବ କରି କେତେ ହାଲୁକା ଲାଗୁଛି ଯେ ମୁଁ ନିଜପାଇଁ ଏକ ନିଷ୍ପତ୍ତି ଗ୍ରହଣ କରି ପାରିଛି । ସତେଅବା ମୋ’ ହୃଦୟ ଉପରେ ଗୋଟାଏ ପଥର ଲଦିହୋଇ ରହିଥିଲା ଓ ମୁଁ ସେଇଟିକୁ ଦୂର କରିଦେଇ ପାରିଛି । ମୁଁ ଜାଣେ, ଏକତା ଶୁଣିଲେ ମୋ’ ବାପା ଅତ୍ୟନ୍ତ ଦୁଃଖିତ ହୋଇଯିବେ, ତଥାପି….

 

ତୁମ ଘରେ ସମସ୍ତେ ଭଲ ଥିବେ । ଶୀଘ୍ର ଚିଠି ଦେବୁ ।

 

ନମସ୍ତେ

☆☆☆

 

ହୋବୋକେନ୍‌, ନିଉ ଜର୍ସି, ୩ । ୯ । ୧୯୫୫

 

ପ୍ରିୟ ଚିତ୍ତ,

 

ଏଇଟା ଗୋଟିଏ ଅତ୍ୟନ୍ତ ବିରକ୍ତିକର କଥା ଯେ, ସବୁଥର ମୋ’ର ଚିଠିଗୁଡ଼ିକୁ ଖାଲି କ୍ଷମାପ୍ରାର୍ଥନାଗୁଡ଼ିକରୁ ଆରମ୍ଭ କରୁଥିବି । ବହୁତ ଦିନରୁ ତୋ’ ପାଖକୁ ଚିଠି ଦେଇନାହିଁ ବୋଲି କ୍ଷମାପ୍ରାର୍ଥନା କରି । ତୁ ଭଲ କରି ଜାଣୁ ଯେ ମୁଁ କେବେହେଲେ ଚିଠି ଲେଖିବାରେ ଡେରି କରିବାକୁ ଇଚ୍ଛା କରିବି ନାହିଁ । ବର୍ତ୍ତମାନ କାମଗୁଡ଼ିକ ବେଶ୍‌ କଠିନ ହୋଇ ଯାଇଛି ଓ ସେଥିପାଇଁ ବହୁତ ଦୂର ବି ଯିବାକୁ ପଡ଼ୁଛି । ଚିତ୍ତ, ମୁଁ ସେଇ ଆଗର ସେଇ ୟର୍ଗନ ହୋଇ ରହିଛି ଓ ତୁ ମଧ୍ୟ ମୋ’ ପାଇଁ ଆଗର ସେଇ ଚିତ୍ତ ହୋଇ ହିଁ ରହିଛୁ ।

 

ହଁ, ସାଙ୍ଗରେ ଆଉ ପ୍ରାୟ କେହି ନଥାଇ ସଂଗ୍ରାମ ଲଢ଼ିବା ପ୍ରକୃତରେ ଏକ ଅତ୍ୟନ୍ତ କଠିନ ସ୍ଥିତି ଅବଶ୍ୟ ହେବ । କିନ୍ତୁ, ଆମେ ତ ଉଭୟେ ଖୁବ୍‌ ଭଲ କରି ଜାଣିଛୁ ଯେ, ଏହିପରି ନାନା ପ୍ରତିବନ୍ଧକର ମଧ୍ୟଦେଇ ଯାଉଥିବାଦ୍ୱାରା ହିଁ ଆମେ ତିଆରି ବି ହେବାର ଲାଗିଥିବା । କଠିନ ସମୟଗୁଡ଼ିକ ହିଁ ଆମକୁ ଟାଣ କରି ନେବ। ବେଳେ ବେଳେ ସବୁ କେବଳ କଳା ହୋଇ ଦିଶୁଥିବା ସମୟରେ ହିଁ ତଥାପି ସାନ୍ତ୍ୱନାଟିଏ ବି ମିଳି ଯାଉଥିବ ।

 

ତୁ ଲେଖିଛୁ ଯେ–ର ମାଆ ଏଠାରେ କିଛି ଅର୍ଥ ସଂଗ୍ରହ କରି ପଠାଇଛନ୍ତି; ଉଦ୍ଦେଶ୍ୟ, ତୁମେମାନେ ସେହି ପଇସାରେ ଗୋଟିଏ ଗାଈ କିଣି ପାରିବ । ମୁଁ ଭାବୁଛି, ସମ୍ଭବତଃ ଏଠାରେ ମୁଁ ମଧ୍ୟ ସେହି ଧରଣର କିଛି ନା କିଛି କରିପାରିବି; ତୁମର ସେଠା ନୂଆ ଉଦ୍ୟମଟି ବିଷୟରେ ସଭାଟିଏ ଡାକି କିଛି କହିପାରିବି,–ତୋ’ ବିଷୟରେ, ଭାରତବର୍ଷ ବିଷୟରେ କଲେଜମାନଙ୍କୁ ଯାଇ ଭାଷଣ ଦେଇପାରିବି । ତେବେ ସେଥିରୁ ମଧ୍ୟ କିଛି ଅର୍ଥାଗମର ସମ୍ଭାବନା ଅବଶ୍ୟ ସୃଷ୍ଟି ହୋଇପାରିବ ।

 

ବର୍ତ୍ତମାନ ମୁଁ ସାନ ବାସଗୃହଟିଏ ନେଇ ନିଉୟର୍କ ସହରର ପୂରା ମଝିରେ ରହୁଛି । ଚାରିଆଡ଼େ ଧୂଳି, ଚାରିଆଡ଼େ ମଇଳା ଏବଂ ଅସନା । କେଉଁଠାରେ ଗଛଟାଏ କି ପାର୍କଟିଏ ନାହିଁ, ଯେଉଁଠି ଦଣ୍ଡେ ବସିଗଲେ କିଞ୍ଚିତ୍‌ ପ୍ରକୃତିସ୍ଥ ଓ ଭଲ ଲାଗିବ । ଏପରି ଗୋଟିଏ ପରିବେଶରେ ବାସ କରିବା ଜଣେ ମନୁଷ୍ୟ ପାଇଁ ବଡ଼ କଷ୍ଟ–କିନ୍ତୁ ସେହି କାରଣରୁ ତ ମୁଁ ଏଠାରେ ଟିକିଏ ଘାସ, ପଡ଼ିଆଟିଏ, ସମୁଦ୍ର ଏବଂ ପାହାଡ଼ର ଅଭାବକୁ ଅଧିକ ପରିମାଣରେ ଅନୁଭବ କରିପାରୁଛି ! ଏଠି ସକାଳେ ଉଠିବା ସମୟରେ ଚଢ଼େଇମାନଙ୍କର କିଚିରିମିଚିରି ଶୁଣା ଯାଉନାହିଁ, ଘାସର ସୁଗନ୍ଧଟି ମଧ୍ୟ ଆସି ନାକରେ ବାଜୁନାହିଁ !

 

ବର୍ତ୍ତମାନ ଏଠାରେ କେତୋଟି ଦିନ ଏକୁଟିଆ କଟିଯାଉଛି । ଏଠାରେ ମୋ’ ସହିତ ରହୁଥିବା ଅନ୍ୟମାନେ ଛୁଟିରେ ଯାଇଛନ୍ତି । ତେଣୁ ମୁଁ ନିଜେ ସ୍ଥିର ହୋଇ କିଛି ଚିନ୍ତା କରିବାପାଇଁ ସମୟ ପାଇଛି, କିଛି ବହି ମଧ୍ୟ ପାଇଛି । ଶ୍ରୀଯୁକ୍ତ ମର୍ଗାନ୍‌ଙ୍କ (Arther E, Morgan,–୧୯୪୯ ମସିହାର ରାଧାକୃଷ୍ଣନ୍‌ ଶିକ୍ଷା କମିଶନ୍‌ରେ ଶ୍ରୀ ମର୍ଗାନ୍‌ ମଧ୍ୟ ଜଣେ ସଦସ୍ୟ ରହିଥିଲେ) ସହିତ ମୋ’ର ହୋଇଥିବା ସାକ୍ଷାତ ତଥା କଥାବାର୍ତ୍ତାଗୁଡ଼ିକ ବି ମନେ ପଡ଼ିଛି । ମର୍ଗାନ୍‌ ଅନେକ ସମୟରେ କହୁଥିଲେ, ବଡ଼ ମଣିଷଙ୍କ ବିଷୟରେ କହୁଥିଲେ ଏବଂ ସାନ ମଣିଷମାନଙ୍କ ବିଷୟରେ ମଧ୍ୟ କହୁଥିଲେ । କିନ୍ତୁ, ବିଶେଷ ଭାବରେ ବହୁବାର ଏଭଳି ମଣିଷମାନଙ୍କ ସହିତ ତାଙ୍କର ଭେଟ ହୋଇଥିବା ବିଷୟରେ କହୁଥିଲେ, ଯେଉଁମାନଙ୍କର ଜୀବନରେ ଉଚ୍ଚ ଆଶାମାନ ରହିଥିଲା–ଯେଉଁମାନେ ସର୍ବଦା ଆଗକୁ ଯିବାକୁ ଇଚ୍ଛା କରୁଥିଲେ, ବହୁତ କିଛି କାର୍ଯ୍ୟ କରି ବହୁତ କିଛି ହାସଲ କରିବାକୁ ଚାହୁଁଥିଲେ । ସିଏ ମୋ’ ଭିତରକୁ ମଧ୍ୟ ଅନେକ ଗଭୀର ଯାଏ ଅନାଇ ଦେଖିଛନ୍ତି । ମୋ’ର ସମ୍ପୂର୍ଣ୍ଣ ଅଜାଣତରେ ହିଁ ସିଏ ତାହା କରିଛନ୍ତି । ତାଙ୍କର ଅନୁଭବ ଅନୁସାରେ, ସେ ମୋ’ ଭିତରେ ଏପରି ଭିନ୍ନ ଭିନ୍ନ ଦୁଇ ପ୍ରକାରର ମନୁଷ୍ୟଙ୍କୁ ପ୍ରତ୍ୟକ୍ଷ କରିଛନ୍ତି;–ଯାହାଙ୍କ ମଧ୍ୟରୁ ଜଣେ ଅଧିକରୁ ଅଧିକ ଶକ୍ତି ଅର୍ଜନ କରିବା ନିମନ୍ତେ ଇଚ୍ଛା କରୁଛି,–ଶକ୍ତି ପାଇଁ ହିଁ ଶକ୍ତି ହାସଲ କରିବା ନିମନ୍ତେ । ଆରଟି କାର୍ଯ୍ୟ କରିବାକୁ ଚାହୁଛି, ଅଧ୍ୟୟନ କରିବାକୁ ଇଚ୍ଛା କରୁଛି । ଗୋଟିଏ ଖାଲି ଉଚ୍ଚ ଏବଂ ଆହୁରି ଉଚ୍ଚ ଆଶାଦ୍ୱାରା ଆପଣାକୁ କେଡ଼େ ବଡ଼ ଏବଂ କେତେ କଅଣ ବୋଲି କଳ୍ପନା କରିବାରେ ଲାଗିଛି ଏବଂ ଆରଟି ସ୍ୱପ୍ନ ଦେଖୁଛି, ଦର୍ଶନ ବୁଣିବାରେ ନିମଗ୍ନ ହୋଇ ରହିଛି । ହଁ, ତଥାପି ଦୁଇଟିଯାକ ହେଉଛନ୍ତି ମୁଁ,–ଦୁଇଟିଯାକ ସେଇ ମୋ’ରି ଭିତରେ । ଏଇଟି ଆରଟିକୁ ବାଦ୍‌ ଦେଇ ଶକ୍ତିମାନ୍‌ ହେବାପାଇଁ ଇଚ୍ଛା କରୁଛି ଓ ଆରଟି ଏଇଟିକୁ ବାଦ୍‌ ଦେଇ ଶକ୍ତିମାନ ହେବାପାଇଁ ଇଚ୍ଛା କରୁଛି ଓ ଆରଟି ଏଇଟିକୁ ବାଦ୍‍ ଦେଇ ସେହିପରି ସ୍ୱୟଂ କେତେ ସାମର୍ଥ୍ୟବାନ୍‌ ହେବ ବୋଲି ମନସ୍ଥ କରିବାରେ ଲାଗିଛି । କିନ୍ତୁ, ଉଭୟେ ଏକତ୍ର ଧରାପରା ହେଉଥିବାରୁ ମୋତେ ଦୁର୍ବଳ କରି ପକାଉଛନ୍ତି,–ଗୋଟାଏ ହାମ୍‌ଲେଟ୍‌ରେ ପରିଣତ କରି ରଖିଛନ୍ତି ଏବଂ ମୋ’ର ମନୋଭୂମିଗତ ମୂଳଟିକୁ ମୁଖ୍ୟତଃ ଏକ ବିଷାଦଦ୍ୱାରା ହିଁ ଆଚ୍ଛନ୍ନ କରି ପକାଇଛନ୍ତି । ଏଥିରୁ ତୁ ମଧ୍ୟ ମୋତେ ବୁଝି ପାରୁଛୁ ତ ? ଦର୍ଶନ ଭିତରେ ପ୍ରାୟ ଚିନ୍ତାଶୂନ୍ୟ ହୋଇ ବିଚରଣ କରି ପାରୁଥିବାରୁ ବେଶ୍‌ ଭଲରେ ମୋ’ର ସମୟ କଟିଯାଉଛି ।

 

ଶୀଘ୍ର ଚିଠି ଦେବୁ ।

 

ନମସ୍ତେ

ତୋ’ର ୟର୍ଗନ୍‌

 

(ଆମେରିକା), ୧୨ ।୪ ।୧୯୫୭

 

ପ୍ରିୟ ଚିତ୍ତ,

 

ଚିଠି ସକାଶେ ବହୁତ ଧନ୍ୟବାଦ । ଏଇ ମାତ୍ର ସେଦିନ ପାଇଲି । ସେଇଟିକୁ ସମ୍ଭବତଃ କିଛି ତାଡ଼ନା ପାଇ ପୁଣି ତୋ’ ପାଖକୁ କିଛି ଲେଖିବାପାଇଁ ବାହାରିଛି । ଖାଲି ତୋ’ର ଚିଠି ନୁହେଁ, ଗତ କେତେଟା ଦିନ ତୋ’ ପାଖକୁ ଆଦୌ କିଛି ନଲେଖି ମୋ’ର ଯେତେ ଦିନ ଅତିବାହିତ ହୋଇଯାଇଛି, ସର୍ବଦା କିଞ୍ଚିତ୍‌ ଥିର ହୋଇ ବସି ତୋ’ ପାଖକୁ ଲେଖିବା ଲାଗି ତାଡ଼ନା ବି ପାଇଛି । ପରିଶେଷରେ ଆଜି ଉପରବେଳା ଏଠି ତଥାପି ଆସି ବସିଛି, ଏଠାରେ ମୋ’ ସଂସାରରେ ଇତିମଧ୍ୟରେ ଯାହାସବୁ ଘଟିଛି, ସେଥିରୁ କିଛି ଲେଖି ତୋତେ ଜଣାଇବା ପାଇଁ ଏକ ପ୍ରୟାସ କରିବା ନିମନ୍ତେ ।

 

ଚିତ୍ତ, ବିଗତ ଗୋଟା ବର୍ଷଟା ମୋ’ ପାଇଁ ଆଦୌ ସହଜ ହୋଇ ପାରିନାହିଁ । ତୋ’ ପାଖକୁ ଲେଖିବି ବୋଲି ଏକାଧିକ ବାର ଚେଷ୍ଟା କରିଛି, କିନ୍ତୁ ପୁଣି ସେହି ଚେଷ୍ଟାରୁ ବିରତ ରହିଛି: ଆବଶ୍ୟକ ବଳ ପାଇନାହିଁ, ବିଶ୍ୱାସ ମଧ୍ୟ ଏକତ୍ର କରି ପାରିନାହିଁ । ମନେ ହେଉଥିଲା, ସତେ ଯେପରି ମୁଁ ଗୋଟାଏ ଅମୁହାଁ କ’ଣ ଭିତରେ ବନ୍ଦ ହୋଇ ରହିଯାଇଛି–ତୁଚ୍ଛା ନାନା ସ୍ୱପ୍ନଦ୍ୱାରା ବିକ୍ଷୁବ୍ଧ ହୋଇ ରହିଥିବା ଅମୁହାଁ କ’ଣଟିଏ–ବାହାରକୁ ବାହାରି ଆସିବା ଲାଗି ମୋଟେ ବାଟ ହିଁ ନଥିଲା ! ତାହାରି ଭିତରେ କେତେ କେତେ ସ୍ୱପ୍ନ, ଭଳିକି ଭଳି ତୁଚ୍ଛା କଳ୍ପନାମାନ,–ଆତ୍ମଭର୍ତ୍ସନା,–ଆଶଙ୍କା ତଥା ଅନୁମାନ ଓ ଅପରାଧବୋଧ । ମୁଁ ବାଟ ହିଁ ପାଉନଥିଲି, ଛନ୍ଦି ହୋଇ ରହିଥିଲି,–ଆଗରେ ବସ୍ତୁତଃ କୌଣସି ଲକ୍ଷ୍ୟ ବା ଗନ୍ତବ୍ୟ ରହିଛି ବୋଲି ମୋଟେ ମନେ ହେଉନଥିଲା । ଯେତେବେଳେ ତୁ ଡେନମାର୍କ୍‌ରେ ଥିଲୁ, ସେତେବେଳେ ତୋ’ ନିଜଦ୍ୱାରା ମୋତେ ପ୍ରକୃତରେ ଅତ୍ୟନ୍ତ ପରିମାଣରେ ପ୍ରଭାବିତ କରି ପକାଇଥିଲୁ: ତୁ ମୋ’ ଭିତରୁ ସତକୁ ସତ କେତେ କ’ଣ ଉତ୍ସାରିତ ଏବଂ ଉତ୍‌ପ୍ରେରିତ କରି ଆଣି ପାରୁଥିଲୁ । ଏପରି ବହୁତ କିଛି, ଯାହାସବୁ ମୋ’ ଭିତରେ ପ୍ରକୃତରେ ରହିଛି ବୋଲି ମୁଁ କେବେ ଜାଣି ନଥିଲି । ମୋ’ର ଅନୁଭବ ଓ ସ୍ୱୟଂସଜ୍ଞାନତାର ଭୂମିରେ ତୁ ସତେଅବା ଜାଗରଣଟିଏ ସମ୍ଭବ କରି ଆଣିଲୁ । ସେଯାଏ ମୁଁ ଯେଉଁଭଳି ଜୀବନଟିଏ ବଞ୍ଚି ଆସୁଥିଲି, ତୁ ତାହାଠାରୁ ଏକ ଅଧିକ ଶକ୍ତିମନ୍ତ ଜୀବନଲାଗି ମୋ’ ଭିତରେ ଆସ୍ପୃହା ସୃଷ୍ଟି କଲୁ । ପୃଥିବୀର ପ୍ରଖ୍ୟାତ ବ୍ୟକ୍ତିତ୍ୱଗଣ, ପୃଥିବୀର ଶୋଷିତ ବର୍ଗ ଏବଂ ଦରିଦ୍ର ବହୁକୋଟି ମଣିଷଙ୍କ ପାଇଁ ମୋ’ ଭିତରେ ଏକ ଆକର୍ଷଣୀୟ ଅନୁଭବ ସମ୍ଭବ କଲୁ । ମୋ’ ଭିତରେ ସେହି ଅନୁଭବଗୁଡ଼ିକର ପ୍ରତିନିଧ୍ୱନିଟିଏ ମଧ୍ୟ ଶୁଭି ପାରିଲା । ସେପର୍ଯ୍ୟନ୍ତ ମୁଁ ସତେଅବା ମୋ’ ଶୈଶବକାଳଟି ମଧ୍ୟରେ ହିଁ ଗଣ୍ଠି ପଡ଼ି ରହି ଯାଇଥିଲି ।

 

ସେକାଳର ଡାଏରୀଗୁଡ଼ିକରେ ମୁଁ ଦେଖିବାକୁ ପାଉଛି, ମୁଁ ନିଜ ଭିତରେ କିପରି ନିଜ ବଡ଼ କଠୋର ବାପାଙ୍କ ବିରୋଧରେ ନିତ୍ୟବିଦ୍ରୋହୀଟିଏ ହୋଇ ବାସ କରୁଥିଲି, ମୁଁ ତାଙ୍କର ଯାବତୀୟ କଥାକୁ ଆଡ଼େଇ ଓ ଟାଳି ଦେଉଥିଲି । ଏକାଧିପତ୍ୟର ଏକ ଆତ୍ମଶ୍ଳାଘାପୂର୍ଣ୍ଣ ମନୋଭାବ, କିସମ କିସମର ମିଛ, ନୀତିହୀନତା–ଏଗୁଡ଼ିକ ସହିତ ନିଜ ଭିତରେ ଲଢ଼ାଇ କରୁଥିଲି ଏବଂ ଦୁର୍ଭାଗ୍ୟବଶତଃ ସେହି ଉତ୍ସାହରେ ବାପାଙ୍କଠାରେ ସେହିଗୁଡ଼ିକ ଖୁବ୍ ଦେଖିବାକୁ ମିଳୁଥିଲା ବୋଲି ସର୍ବବିଧ କର୍ମଠତା, ପ୍ରଯୁକ୍ତିମୂଳକ ବୁଦ୍ଧି ଓ କୌଶଳ ତଥା କର୍ମଗତ ଓଜସ୍ୱିତା,–ଏଗୁଡ଼ିକ ପ୍ରତି ମଧ୍ୟ ବେଶ୍ ନାକ ଟେକିବାକୁ ଆରମ୍ଭ କରିଦେଲି । ମୋ’ର ସଦାକଠୋର ବାପା ଅତ୍ୟନ୍ତ ଉଗ୍ରତା ସହିତ ଅବଜ୍ଞା ପ୍ରଦର୍ଶନ କରୁଥିବା ମୋ’ର ସଦା-ଦୁର୍ବଳ ମାଆଙ୍କ ନିମନ୍ତେ ମୋ’ ଭିତରେ ଏକ ସହାନୁଭୂତିର ଭାବ ମଧ୍ୟ ସଦା ସଚଳ ହୋଇ ରହିଥିଲା । ମୁଁ ମନେ ମନେ ମାଆଙ୍କ ପକ୍ଷରେ ରହି ହିଁ ସଂଗ୍ରାମ କରୁଥିଲି,–ଅତ୍ୟାଚାରିତଙ୍କ ପଟେ ରହି ବଳବାନ୍ ପଟଟିକୁ ଭର୍ତ୍ସନା କରୁଥିଲି । ଏବଂ, ସେହି ପ୍ରକ୍ରିୟାରେ ନିଜର ସକାରାତ୍ମକ କର୍ମସାମର୍ଥ୍ୟଗୁଡ଼ିକୁ ସତେଅବା ହରାଇ ଦେଉଥିଲି । ଅସମର୍ଥ ହୋଇ ରହିଥିଲି ।

 

ତା’ପରେ ତୋ’ ସହିତ ପରିଚୟ ଘଟିଲା । ଆମେ ପରସ୍ପରର କେତେ ନିକଟରେ ଦୀର୍ଘ କେତେ ଦିନ ଅତିବାହିତ କରିପାରିଲେ । ସବୁ ଠିକ୍ ଚାଲୁଥିଲା,–କାରଣ ତୋ’ ଜୀବନରେ ଏକ ସ୍ଥିର ସମ୍ମୁଖଲକ୍ଷ୍ୟ ରହିଥିଲା । ତାହାରି ସଂସ୍ପର୍ଶ ମୋତେ ମଧ୍ୟ ଗତିଶୀଳ କରି ନେଲା । ମୋତେ ବଳର ସଞ୍ଚାର ହେଲା । ମାତ୍ର, ମୁଁ ଏକ ଭ୍ରମପୂର୍ଣ୍ଣ ଆତ୍ମବିଶ୍ୱାସ ମଧ୍ୟରେ ତଥାପି ରହିଥିଲି; କାରଣ ମୋ’ ଭିତରେ ତଥାପି ନିଜର ଭୂମିଟିଏ ତିଆରି ହୋଇ ନଥିଲା । ବର୍ତ୍ତମାନ ମୁଁ ଆସି ଏଠି ବହୁ ଦୂରରେ,–ତୁ ଯାଇ ସେଠି ତୋ’ ନିଜର କ୍ଷେତ୍ରଟିରେ,–ଏବଂ ନିଜର ଗୋଟିଏ ମୂଳଦୁଆ ଉପରେ ଛିଡ଼ା ହେବାକୁ ଚେଷ୍ଟା କରୁଛି । ଇହାଦେ ଯାଇ ଆବିଷ୍କାର କରିପାରୁଛି ଯେ, ପ୍ରକୃତରେ ମୋ’ ପାଦତଳେ ନିଜର ମୂଳଦୁଆଟିଏ ବୋଲି ସେପରି କିଛି ହେଲେ ନାହିଁ । ମୁଁ କ’ଣ ତେବେ ତୁଚ୍ଛା ଉପରେ ଏହି ଯାବତୀୟ ଅଟ୍ଟାଳିକାକୁ ଗଢ଼ିବାରେ ଲାଗିଛି କି ? ତୁ ଇଂରେଜଶାସନ ବିରୁଦ୍ଧରେ ଭାରତବର୍ଷରେ ହେଉଥିବା ଏକ ସଂଗ୍ରାମରେ ଯୋଗ ଦେଲୁ, ଜେଲ୍ ଗଲୁ,–ଅନ୍ୟାୟ କ’ଣ ତାହା ନିଜେ ଅଙ୍ଗେ ନିଭାଇ ପାରିଲୁ । ମୁଁ ବାପାମାଆଙ୍କ ଯତ୍ନରେ ଗୋଟିଏ ପରିବାରରେ ରହିଥିଲି ଓ ବାହାରର କୌଣସି ଘଟଣା ସେହି ପରିବାରର ଜୀବନକୁ ସ୍ପର୍ଶ କରି ପାରୁନଥିଲା । ଭିତରେ ଯାହା ନିଜ ବାପାଙ୍କର କର୍ତ୍ତୃତ୍ୱଟାକୁ ଧିକ୍କାରିବାରେ ଲାଗିଥିଲି, ମାତ୍ର ସେତିକି । କିନ୍ତୁ କେବେହେଲେ କୌଣସି ବିଦ୍ରୋହ କରିନାହିଁ ତ । ତୁ ଇଂରେଜଶାସନ ବିରୁଦ୍ଧରେ ପ୍ରଚାରପତ୍ର ଲେଖୁଥିଲୁ, ଆପଣାକୁ କେତେ ପ୍ରକାରେ କ୍ରିୟାଶୀଳ ରଖିଥିଲୁ । ମୁଁ ସ୍ୱପ୍ନ ହିଁ ଦେଖିବାରେ ବ୍ୟସ୍ତ ଥିଲି, ବାପାଙ୍କ ପ୍ରତି ରହିଥିବା ମୋ’ର ଘୃଣାଭାବକୁ ସତେଅବା ଢୋକିବାକୁ ବାଧ୍ୟ ହେଉଥିଲି । କେବେହେଲେ ସେହି ଘୃଣାକୁ ବ୍ୟକ୍ତ କରି ପାରୁନଥିଲି । କ୍ରମେ ନିଜ ଭିତରେ ବନ୍ଦୀଟିଏ ହୋଇ ରହି ଯାଉଥିଲି, ମଣିଷ ପାଖରେ ବେଶ୍ ଲାଜକୁଳା ହୋଇ ବି ରହିଗଲି । ନିଜର ଆବେଗଗୁଡ଼ିକ ସତେ ଯେପରି ବରଫ ପାଲଟି ରହିଯିବାରେ ଲାଗିଥାଏ । ବାପା ଉପସ୍ଥିତ ଥିବା ସମୟରେ ମୁଁ ଏହିପରି ଅସ୍ୱାଭାବିକ ଭାବରେ ହିଁ ନିଜର ପ୍ରତିକ୍ରିୟାମାନଙ୍କୁ ପ୍ରକାଶ କରି ପାରୁଥିଲି ଏବଂ, ପ୍ରକୃତରେ ବଡ଼ ଦୁଃଖପୂର୍ଣ୍ଣ ଭାବରେ ହିଁ ମୋ’ର ସକାରାତ୍ମକ ସକଳ ଆଗ୍ରହ ଏବଂ, ପ୍ରକୃତରେ ବଡ଼ ଦୁଃଖପୂର୍ଣ୍ଣ ଭାବରେ ହିଁ ମୋ’ର ସକାରାତ୍ମକ ସକଳ ଆଗ୍ରହ ଏବଂ ସାମର୍ଥ ବସ୍ତୁତଃ ଜଡ଼ବତ୍ ହୋଇ ରହିଗଲା-

 

ସେତିକିବେଳେ ତୁ ଡେନମାର୍କରେ ଆସି ପହଞ୍ଚିଲୁ ଓ ଆମର ପରିଚୟ ହେଲା । ମୁଁ ମଧ୍ୟ ମୋ’ର ଚତୁର୍ଦ୍ଦିଗରେ ରହିଥିବା ପୃଥିବୀଟି ଉପରେ ଅଧିକ ଗଭୀର ଭାବରେ ଦୃଷ୍ଟିପାତ କରି ପାରିଲି । ଅନ୍ୟ ମନୁଷ୍ୟମାନଙ୍କର ଜୀବନ, ସେମାନଙ୍କର ଆନନ୍ଦ ଏବଂ ନିରାନନ୍ଦଗୁଡ଼ିକୁ ନିରେଖି ମଧ୍ୟ ପାରିଲି । ସତରେ ଚିତ୍ତ, କେଡ଼େ ଅଦ୍ଭୁତ ଓ କେଡ଼େ ଅପୂର୍ବ,–ମୋତେ ତୁ ଏହି ଯେଉଁସବୁ କଥାକୁ ଦେଖାଇଦେଇ ପାରିଲୁ ଓ ଶିଖାଇଦେଇ ପାରିଲୁ । ଆମେ ଏକାଠି କେତେ କେତେ ବହି ପଢ଼ିଲେ,–କେତେ ନା କେତେ ଦୀର୍ଘ ସମୟ କେତେ କେତେ ବିଷୟରେ ଏକତ୍ର କଥାବାର୍ତ୍ତା ବି ହେଲେ । ମୋ’ ଜୀବନ ଉପରେ ସେଗୁଡ଼ିକର ଅତ୍ୟନ୍ତ ଗଭୀର ଓ ସ୍ଥାୟୀ ପ୍ରଭାବ ମଧ୍ୟ ଖୁବ୍ ପଡ଼ିଲା-। କିନ୍ତୁ, ଏସବୁ ସତ୍ତ୍ୱେ ମୋ’ ବ୍ୟାଧିଗ୍ରସ୍ତ ଆତ୍ମାର କ୍ଷତଗୁଡ଼ିକ ତଥାପି ନିଜର ସେହି ଅନ୍ଧାରଭରା ଅତୀତଟାର କବଳରୁ ବାହାରି ଆସି ଆରୋଗ୍ୟ ଲାଭ କରି ପାରିଲେ କି ? ମୋ’ ଆଖିଗୁଡ଼ିକୁ ଖୋଲି ଦିଆ ଯାଇଥିଲା ସତ, ମାତ୍ର ତଥାପି ସେହି ବ୍ୟାଧିତ ପ୍ରବୃତ୍ତିଗୁଡ଼ିକୁ ପ୍ରଭାବହୀନ କରିପାରିବା ନିମନ୍ତେ ଯଥାର୍ଥ ବେଳଟିଏ ଆସି ପହଞ୍ଚି ନଥିଲା । ତା’ ବଦଳରେ ଏକ ସକାରାତ୍ମକ ଭୂମି ଉପରେ ନିଜକୁ ଗଢ଼ି ପାରିବାର ବେଳଟା ଆସିବାକୁ ତଥାପି ବିଳମ୍ୱ ଥିଲା । ତୁ ତ ଜଣେ ଶିକ୍ଷକ, ତୁ ମନୁଷ୍ୟମାନଙ୍କୁ ଶ୍ରଦ୍ଧା କରୁ । ମୁଁ ଇଞ୍ଜିନିଅର ଏବଂ ମୁଁ ମନୁଷ୍ୟମାନଙ୍କୁ ଶ୍ରଦ୍ଧା ବି କରେ, ମାତ୍ର ଜଣେ ଇଞ୍ଜିନିୟରର ବୃତ୍ତିଟିକୁ ଘୃଣା କରେ । ତେଣୁ ବେଶ୍ ଦେଖି ପାରୁଥିବୁ, ମୋ’ ଭିତରେ କେଉଁଠି ନା କେଉଁଠି ଢିଙ୍କିଆଟାଏ ନିଶ୍ଚୟ ପଡ଼ିଛି, ମୋତେ ଆଗକୁ ଯିବାକୁ ମୋଟେ ଦେଉନାହିଁ ।

 

ତେଣୁ, ବର୍ତ୍ତମାନ ଏହି ଉପସ୍ଥିତ ମୁହୂର୍ତ୍ତଟିରେ ମୁଁ ମୋ’ ନିଜ ମଧ୍ୟକୁ ପ୍ରକୃତ ବାଟଟିଏ ପାଇ ଅଗ୍ରସର ହେବାକୁ ପ୍ରୟାସ କରୁଛି,–ଏପରି ଜଣେ ୟର୍ଗନ୍ ପାଖରେ ଯାଇ ପହଞ୍ଚିବା ନିମନ୍ତେ ଚେଷ୍ଟା କରୁଛି, ଯିଏକି ଜୀବନରେ ସତକୁ ସତ ଗୋଟିଏ ଭୂଇଁ ଉପରେ ଠିଆ ହୋଇ ପାରିଛି, ଯେଉଁ କାମଟିକୁ କରୁଛି ତାକୁ ପ୍ରକୃତରେ ଭଲ ପାଉଛି, ଯାହାକୁ ପତ୍ନୀ ବୋଲି ପାଇଛି, ତାକୁ ଭଲ ପାଉଛି; ହଁ, ପ୍ରକୃତରେ ଜୀବନଟିଏ ବଞ୍ଚୁଛି । ଗୋଟିଏ ଦୃଷ୍ଟିରୁ ଦେଖିଲେ ମୁଁ ସିନା ମୋ’ ବାପାଙ୍କର ଜୀବନଦାଣ୍ଡିଟିକୁ ଧରି ଯେନତେନ ଭାବରେ ଆଗକୁ ଯିବାଲାଗି ଚେଷ୍ଟା କରୁଛି ଏବଂ ମୋ’ ମାଆଙ୍କ ଜୀବନଟି ସହିତ ନିଜକୁ କେତେଟା ଆବେଗଫାଶରେ ବାନ୍ଧି କିଛି ସଂଗ୍ରାମ ମଧ୍ୟ କରିବାରେ ଲାଗିଛି-। ତୋତେ ଲାଗୁଥିବ, ମୁଁ ଆଉ ପାଗଳଙ୍କ ପରି ଏସବୁ କଥା କହୁଛି କି ! ମୁଁ ଯାହା କହିବାକୁ ଇଚ୍ଛା କରୁଛି, ସେଇଟି ହେଉଛି, ମୁଁ ମୋ’ ମାଆଙ୍କର ନକାରାତ୍ମକ ଜୀବନଟା ଭିତରୁ ବାହାରକୁ ବାହାରି ଆସିବାପାଇଁ ଇଚ୍ଛା କରୁଛି । କାରଣ, ବର୍ତ୍ତମାନ ତ ମୁଁ କେବଳ ସେଇଟାକୁ ନକଲ କରିବାରେ ଲାଗିଛି । ମୋ’ ନିଜ କାର୍ଯ୍ୟଟି ମୋତେ ସମ୍ପୂର୍ଣ୍ଣ ରସହୀନ ଲାଗୁଛି,–ମୁଁ ଯାହାକୁ ବାହା ହେଲି, ତାକୁ ବାହା ନହୋଇ ସେହି ଅମୁକକୁ ବାହା ହୋଇଥାନ୍ତି–ଏହିପରି ନାନା ନକାରାତ୍ମକତା ଭିତରେ ମୁଁ ଘାଣ୍ଟି ହେବାରେ ଲାଗିଛି । ଚିତ୍ତ, ପହଁରି ପହଁରି ମୁଁ କେତେ କୁଆଡ଼େ ମାଡ଼ିଗଲିଣି ଏବଂ ତଥାପି କୂଳରେ ପହଞ୍ଚିବା ପାଇଁ ଦୀର୍ଘ ପଥ ବାକୀ ମଧ୍ୟ ରହିଛି । ଏବଂ, ତଥାପି ଗୋଟିଏ ଆଶା ରହିଛି ଯେ, ଦିନେ ମୁଁ ଜଣେ ପରିପକ୍ୱତା ଲାଭ କରିଥିବା ମନୁଷ୍ୟ ପରି ଉଠି ଛିଡ଼ା ହେବି ଏବଂ ଜୀବନଟିଏ ବଞ୍ଚିବାକୁ ଆରମ୍ଭ କରିବି । ଜୀବନଯାକ ତ ମୁଁ ସେହି ସ୍ୱପ୍ନଟିକୁ ଦେଖି ଆସିଛି । ମାତ୍ର, ଏକାବେଳେକେ ପୁଣି ମୂଳରୁ ହିଁ ଆରମ୍ଭ କରିବାର ପ୍ରୟୋଜନ ରହିଛି । ଖାଲି ଗୁଡ଼ାଏ ବିଚାର, ଖାଲି ଭାବନା ଓ ଖାଲି ସ୍ୱପ୍ନ,–ତୁଚ୍ଛା ଫସ୍‌କା ବାଲିଟା ଉପରେ ଏହି ସବୁକିଛି । ବାସ୍ତବାୟନ ଆଦୌ କିଛିହେଲେ ନାହିଁ, କର୍ମପ୍ରୟାସ ମଧ୍ୟ ନାହିଁ ।

 

ତୁ ଖୁବ୍‍ ବୁଝି ପାରିବୁ, ବର୍ତ୍ତମାନ ସ୍ଥିତିଟିରେ ମୁଁ ଆଉ କାହାର କେଉଁ କାମରେ ବି ଲାଗି ପାରିବି ? ଯେଉଁଦିନ ଦୁଇଟାଯାକ ଗୋଡ଼ ଭୂଇଁ ଉପରେ ମଜବୁତ ହୋଇ ପ୍ରକୃତରେ ଛିଡ଼ା ହେବ,–ଯେଉଁଦିନ ସେତିକି ଖୁସୀରେ ଜୀବନଟିଏ ବଞ୍ଚିବା ସମ୍ଭବ ହେବ,–ସେଦିନ ଯାଇ କ’ଣ ଅବଶ୍ୟ ହେବ, ତା’ ପୂର୍ବରୁ ଆଦୌ ନୁହେଁ ।

 

ହଁ, ସମ୍ପୂର୍ଣ୍ଣ ଠିକ୍ କଥା, ଚିଠି ଲେଖିବା ଅବ୍ୟାହତ ରହିବ । ଆଜି ତୋ’ ପାଖକୁ ଏସବୁ ଏପରି ଲେଖିପାରିଲି ବୋଲି ବହୁତ ଉଶ୍ୱାସ ବୋଧ ହେଉଛି । ମୁଁ ଭଲ କରି ବୁଝୁଛି ଯେ ସେଠାରେ ତୋ’ ଲାଗି ମୋଟେ ସହଜରେ ସବୁ ଘଟୁନାହିଁ । କିନ୍ତୁ, ଗୋଟିଏ କଥା ମୋତେ ଅବଶ୍ୟ ଜଣାଅଛି ଯେ, କୌଣସି କାର୍ଯ୍ୟରେ ଯେତେ ପ୍ରତିବନ୍ଧକ ଆସୁ ବା ଯେତେ କଷ୍ଟକର ହୋଇଥାଉ ପଛକେ, ତୁ କେବେହେଲେ ହାତରୁ ସୂତାଗୁଡ଼ିକ ଆଦୌ ଛାଡ଼ି ଦେବୁନାହିଁ । ତୁ ନିଜ ପାଇଁ ଉଚିତ ବାଟଟିକୁ ବାଛିଛୁ ।

 

ହଁ, ପ୍ରତିକୂଳ ପରିସ୍ଥିତି ଆସୁଛି ଏବଂ ଧୈର୍ଯ୍ୟ ରହୁନାହିଁ । ମାତ୍ର ତୋ’ର ପଥଟି ତୋତେ ନିଶ୍ଚୟ ପରିଷ୍କାର ହୋଇ ଦେଖାଯାଉଛି…ତୋତେ କୌଣସି ନିଷ୍କ୍ରିୟତା କେବେହେଲେ ଆସି ଗ୍ରାସ କରି ପକାଇବ ନାହିଁ ।

 

ଆମେ ଏଣିକି ପରସ୍ପର ପାଖକୁ ଆହୁରି ଅଧିକ ଲେଖିବା । ଆମେ ନିଜ ଭିତରେ ଏହି ଯେଉଁ ମିତ୍ରତାଟିକୁ ଆରମ୍ଭ କରିଛୁ, ସେଇଟି ପ୍ରତି ନିଜନିଜର ଜୀବନରେ ଅବଶ୍ୟ ବିଶ୍ୱସ୍ତ ରହିବା । ସେହି ମିତ୍ରତାର ସୂତ୍ରଟି କଟିଗଲେ ଆମଲାଗି ପ୍ରକୃତରେ ଖୁବ୍ ମହଙ୍ଗା ପଡ଼ିବ ।

 

ନମସ୍ତେ,

ସସ୍ନେହ

ୟର୍ଗନ

 

ଆମେରିକାରୁ, ୧୭ । ୧୧ । ୫୭

 

ପ୍ରିୟ ଚିତ୍ତ,

 

ତୋ’ର ଚିଠିଟିକୁ ମୁଁ ବହୁତ ଥର ପଢ଼ିଛି । କେଡ଼େ ଅଙ୍ଗୀକାରବଦ୍ଧ ଭାବରେ ଏଇଟିକୁ ତୁ ନଲେଖିଛୁ ଏବଂ ତେଣୁ ପଢ଼ିବାପାଇଁ କେଡ଼େ ଭଲ ନ ଲାଗୁଛି । ମୋ’ ଭିତରେ କେତେ ନା କେତେ ସ୍ମୃତିକୁ ତାହା ଜାଗୃତ ବି କରିଦେଇଛି । ଆମେ ଏକଦା ଏହି ଦେଶରେ କେତେ ସମୟ ଅତିବାହିତ କରିଛୁ ଏବଂ କେତେ କେତେ କର୍ତ୍ତବ୍ୟର ଡୋରରେ ମଧ୍ୟ ପରସ୍ପର ପାଖରେ ବାନ୍ଧିହୋଇ ଯାଇଛୁ । ଏହି ବିରଳ ଲାଭଟିକୁ ଆମେ କଦାପି ଫୋପାଡ଼ି ଦେଇ ପଳାଇ ଯିବାନାହିଁ । ଡେନମାର୍କରେ ଥିବା ବେଳର ଆମ ଦୁହିଁଙ୍କର ମେଳଟିକୁ ମୁଁ ଖୁବ୍ ଭଲ ଭାବରେ ବୁଝିପାରୁଛି । ମୁଁ ତା’ପରେ ଆମେରିକାରେ ଆସି ତିନିବର୍ଷ ରହି ସାରିଲିଣି, କିନ୍ତୁ ଏଠାରେ ମୋତେ କାହିଁ କେହିଜଣେ ଚିତ୍ତ ଏବେ ମଧ୍ୟ ମିଳିଲାନାହିଁ ତ !

 

ଚିତ୍ତ, କିନ୍ତୁ ଆମେ ଏତେ ଶୀଘ୍ର କ’ଣପାଇଁ ହାତରୁ ଲଗାମଗୁଡ଼ିକୁ ଛାଡ଼ି ଦେବା ? ଆମେ ବର୍ତ୍ତମାନ ଆମ ତାରୁଣ୍ୟର ସମୟଟିକୁ ତଥାପି ଅତିକ୍ରମ କରିନାହୁଁ ଏବଂ ଆମ ଆଗରେ ସାରା ଜୀବନଟା ତ ପଡ଼ିଛି । ମାସ, ମାସ, ବର୍ଷ ବର୍ଷ ଅପେକ୍ଷା କରି ରହିଛି । ତଥାପି, ଆମେ ବଡ଼ ଧୈର୍ଯ୍ୟହୀନ ହୋଇ ପଡ଼ୁଛୁ ଓ ଏକ, ଦୁଇ, ତିନି ଗଣିଲା ପରି ଆମର ସ୍ୱପ୍ନଗୁଡ଼ିକ ପଛକୁ ପଛ ବାସ୍ତବରେ ହିଁ ପରିଣତ ହୋଇଯିବ ବୋଲି ପ୍ରତ୍ୟାଶ୍ୟା କରି ପକାଉଛୁ । ଇଞ୍ଜିନିଅର ମହାଶୟ ତାଙ୍କୁ ତିରିଶ ବର୍ଷ ବି ନପୂରୁଣୁ ଗୋଟାକପରେ ଗୋଟାଏ ପୋଲ ଏବଂ ବନ୍ଧ ପୂରା ତିଆରି କରି ଥୋଇଦେବେ ବୋଲି ଆକୁଳ ହେଲେଣି ଏବଂ, ଶିକ୍ଷକ ମହାଶୟ ସତେ ଯେପରି କୌଣସି କିମିଆ ବଳରେ ଗୋଟାଏ ପୂରା ଇସ୍କୁଲ ଗଢ଼ି ଠିଆ କରିଦେବେ ବୋଲି ଅଧୀର ହୋଇ ଉଠୁଛନ୍ତି ! ବସ୍ତୁତଃ, ରାସ୍ତାଟିଏ ଧରି ବାଟ ଚାଲିବା ହେଉଛି ଅସଲ କଥା,–କେଉଁଠି କୌଣସି କୋଣଜାଗା ଦେଖି ତିଆରି ହୋଇ ରହିଥିବା ସରାଇଖାନାରେ ଯାଇ ବସିଯିବାଟା ପ୍ରକୃତରେ ଭାରି ସହଜ । ଜୀବନ ହେଉଛି ଏକ ରାସ୍ତା; ଏକ ନଦୀ ପରି, ଯାହାକି ଆପଣାର ପ୍ରବାହଟିକୁ ନିରନ୍ତର ବଦଳାଇବାରେ ଲାଗିଛି ।

 

ଏକଥା ଠିକ୍‌ ଯେ ଇଞ୍ଜିନିଅର ହେବା ନିମନ୍ତେ ମୋ’ର ଜନ୍ମ ହୋଇନାହିଁ, ତଥାପି, ଜଣେ ଇଞ୍ଜିନିଅର ହୋଇ ହିଁ ମୋତେ ସାରା ଜୀବନ ରହିବାକୁ ହେବ । ଆମ କାର୍ଯ୍ୟଟା ହେଉଛି ଆମ ଅଙ୍ଗଉପରେ ରହିଥିବା ବସ୍ତ୍ରପରି,–ସେଇଟି ବାଦାମୀ ରଙ୍ଗର ହୋଇପାରେ, ମାଟିଆ ରଙ୍ଗର ହୋଇପାରେ ଧଳା ହୋଇପାରେ କିମ୍ୱା ଗାରଗାରିକିଆ ମଧ୍ୟ ହୋଇପାରେ । ମାତ୍ର, ଅସଲ ମଣିଷଟି ସେହି ଆଭରଣଟିର ତଳେ ଯାଇ ରହିଥାଏ । ସେହି ମଣିଷଟି ହିଁ ଯାହାକିଛି କହେ ତଥା ଅନୁଭବ କରେ,–ପରିଧାନଗୁଡ଼ିକ ଆଦୌ କିଛି କହନ୍ତିନାହିଁ କି କରନ୍ତିନାହିଁ । ଏହି ଜୀବନର ନାନା ଗୁଳାରେ ଆମ ପ୍ରତ୍ୟେକଙ୍କର ଅବଶ୍ୟ କିଛି ପ୍ରୟୋଜନ ଥାଏ,–ଜଣେ ଇଞ୍ଜିନିଅର ହିସାବରେ ମୋ’ର ଓ ଜଣେ ଶିକ୍ଷକ ହିସାବରେ ତୋ’ର । କିନ୍ତୁ, ଜଣେ ଜଣେ ମନୁଷ୍ୟ ହିସାବରେ ପ୍ରତ୍ୟେକଙ୍କର ସବୁଠାରୁ ଅଧିକ ପ୍ରୟୋଜନ ଥାଏ ।

 

ରବିନ୍ଦ୍ରନାଥ ଠାକୁର,–ସିଏ ଜଣେ କବି ଥିଲେ, ନାଟ୍ୟକାର ଥିଲେ, ଶିକ୍ଷକ ହୋଇଥିଲେ, ନାନା ଅନୁଷ୍ଠାନର ବ୍ୟବସ୍ଥାମାନ ବୁଝୁଥିଲେ, ବୈଜ୍ଞାନିକ ଥିଲେ ଓ ଆହୁରି କେତେ କ’ଣସବୁ ଥିଲେ-। ଶ୍ରୀଯୁକ୍ତ ମର୍ଗାନ୍‌,–ନଦୀବନ୍ଧଗୁଡ଼ିକର ନିର୍ମାତା, ବିଦ୍ୟାଳୟମାନଙ୍କର ପ୍ରତିଷ୍ଠାତା, ଶିକ୍ଷାଦାତା, ଉଦ୍ଭିଦ-ବିଜ୍ଞାନୀ, ସମାଜଶାସ୍ତ୍ରୀ,–ଏହିପରି ଆହୁରି କେତେ କ’ଣ । କିଏ କହିଲା ଯେ ମୁଁ କେବଳ ଇଞ୍ଜିନିଅରଟିଏ ହୋଇ ରହିବି । କିଏ କହିଲା ଯେ ତୁ କେବଳ ଜଙ୍ଗଲ ଭିତରର ସେହି ସ୍କୁଲଟିର ଜଣେ ଶିକ୍ଷକହୋଇ ରହିବୁ ? ଆଉ କିଛି ହେବୁନାହିଁ ଅଥବା କିଛିହେଲେ କରିବୁନାହିଁ ? ତୋ’ ଭିତରେ ଗୋଟିଏ ସ୍ୱପ୍ନ ମଧ୍ୟ ରହିଛି ଯେ, ତୁ ସେଠାରେ ମନୁଷ୍ୟମାନଙ୍କର ଜୀବନରୁ ରୋଗ, ଅଶିକ୍ଷା ଏବଂ ଦାରିଦ୍ର୍ୟ ଦୂର କରିବାରେ ମଧ୍ୟ ଗୋଟିଏ ନିମିତ୍ତ ହୋଇ କାର୍ଯ୍ୟ କରିବୁ । ହଁ, ଗୋଟିଏ ସ୍ୱପ୍ନ ରହିଛି ଏବଂ ତେଣୁ ଜୀବନରେ ଗୋଟିଏ ବ୍ରତ ମଧ୍ୟ ରହିଛି । ବ୍ରତଟି ହେଲା, ସେହି ସ୍ୱପ୍ନଟିକୁ ବଞ୍ଚିବୁ ଓ ତାହାକୁ ସାକାର କରି ଆଣିବୁ । ତୋ’ ଭିତରେ ଏକ ଜିଜ୍ଞାସା ମଧ୍ୟ ରହିଛି । ତୁ ଜଣେ ଶିକ୍ଷକ ହିସାବରେ ନିଜର କାର୍ଯ୍ୟ କରୁଥିବୁ ଏବଂ ତେଣେ ନିଜର ଜିଜ୍ଞାସାଗୁଡ଼ିକୁ ମଧ୍ୟ ଅଗ୍ରସର କରାଇ ନେଉଥିବୁ । ତାହାର ଅର୍ଥ ହେଉଛି ଯେ, ନିଜର ଅସଲ ଆହ୍ୱାନଗୁଡ଼ିକୁ ମାନି ତୋତେ ଉଠି ଉଠି ବହୁତ ବାଟ ଯିବାକୁ ପଡ଼ିବ । ମାତ୍ର, ଶ୍ରୀଯୁକ୍ତ ଶ୍ୱାଇତ୍‌ଜର୍‌ ତାହାହିଁ କରି ନଥିଲେ କି ?

 

ଆମେ ତ ପ୍ରତ୍ୟେକେ ସେହିପରି ନିଜ ନିଜର ସ୍ୱପ୍ନଗୁଡ଼ିକୁ ବହନ କରି ପୃଥିବୀକୁ ଆସିଥିବା । ମୋଜାର୍ଟଙ୍କର ଆଖି ନେଇ ହୁଏତ ବହୁ ମନୁଷ୍ୟ ପୃଥିବୀରେ ଜନ୍ମଗ୍ରହଣ କରିଥିବେ, ମାତ୍ର, ସେମାନଙ୍କ ମଧ୍ୟରୁ କେବଳ ଜଣେ ହିଁ ତ ମୋଜାର୍ଟ ରୂପେ ଆମମାନଙ୍କ ପାଖରେ ପରିଚିତ ହୋଇ ରହିଲା । ତେବେ, ଜଣେ କାହିଁକି ଶ୍ୱାଇତ୍‍ଜର ହେଲା, ଜଣେ ମାତ୍ର ବି ମୋଜାର୍ଟ୍‌ ହେଲା ? ତେଣୁ, ପରିବେଶ ବୋଲି ମଧ୍ୟ ଅନ୍ୟ ଉପାଦାନଟିଏ ସବୁବେଳେ ଅବଶ୍ୟ ରହିଥାଏ । ଶ୍ରୀଯୁକ୍ତ ମର୍ଗାନ୍‌ଙ୍କର ନିଜ ସହରଟିରେ ୧୯୧୨ ମସିହାରେ ପ୍ରବଳ ବନ୍ୟାବିପର୍ଯ୍ୟୟ ଘଟିଥିଲା ଏବଂ ସେହି ଅଞ୍ଚଳଟି ଯାକରେ କେବଳ ସେଇ ଜଣେ ଇଞ୍ଜିନିଅର ରହିଥିଲେ । ସେଇ ଏକୁଟିଆ ବିପର୍ଯ୍ୟୟଟିର ସାମନା କଲେ । ୧୯୧୨ରେ ଯଦି କୌଣସି ବନ୍ୟାବିପଦ ଘଟି ନଥାନ୍ତା, ତେବେ ୧୯୧୬ରେ ବି ଟେନିସି ନଦୀ ଉପରେ କୌଣସି ବନ୍ଧ ବନ୍ଧାଯାଇ ନଥାନ୍ତା ଓ ବର୍ତ୍ତମାନର ଆମ ପରିଚିତ ଶ୍ରୀ ମର୍ଗାନ୍‌ ମଧ୍ୟ ସମ୍ଭବ ହୋଇ ନଥାନ୍ତେ । ଡାର୍‌ଉଇରନ୍‌ଙ୍କ ବେଳକୁ ମଧ୍ୟ ଠିକ୍‌ ସେହିପରି । ତାଙ୍କ ପାଖରେ ଅପରିମିତ ଧନ ରହିଥିଲା ଓ ତାହାକୁ ସେ ନିଜ ବୈଜ୍ଞାନିକ ଗବେଷଣାରେ ଆଣି ଖଟାଇ ପାରିଲେ । ଯଦି ତାଙ୍କ ପାଖରେ ସେତେ ଧନ ନଥାନ୍ତା, ତେବେ ବିବର୍ତ୍ତନର ବୈଜ୍ଞାନିକ ସିଦ୍ଧାନ୍ତଟି ସମ୍ଭବ ହୋଇ ନଥାନ୍ତା । … ତେଣୁ, ଆମେ ବାଟଟିକୁ ହିଁ ଚାଲୁଥିବା,–ବାଟରେ ସରାଇଘରଟାଏ ଦେଖି ଅଟକି ଯିବାନାହିଁ ।

 

ମୋ’ର ଅନେକ ଅନେକ ଶୁଭକାମନା ସହିତ,

 

ୟର୍ଗନ୍‌

 

ଆମେରିକାରୁ, ୬ । ୧ । ୫୮

 

ପ୍ରିୟ ଚିତ୍ତ,

 

ତୁ ପ୍ରକୃତରେ କିଭଳି କ’ଣ ନିଷ୍ପତ୍ତି କଲୁ, ସେବିଷୟରେ କିଛି ଜାଣି ପାରିଲି ନାହିଁ । ବୁଝିପାରୁଛି, ତୁ ବର୍ତ୍ତମାନ ସେଠାରେ ଏକ ଅତ୍ୟନ୍ତ ପ୍ରତିକୂଳ ପରିବେଶରେ ଯାଇ ପଡ଼ିଯାଇଛୁ । କିନ୍ତୁ ତଥାପି ନିୟମିତ ଭାବରେ ଚିଠି ଲେଖୁଥିବୁ । ଯାହାକିଛି ବି ଘଟୁ ପଛକେ, ଏଠାରେ ମୁଁ ତୋ’ର ସବୁକଥା ଶୁଣିବାପାଇଁ ଅପେକ୍ଷା କରି ରହିଛି ଏବଂ ଯେତେବେଳେ ଯେପରି ହେଉ ପଛକେ, ତୋତେ ସାହାଯ୍ୟ କରିବାଲାଗି ପ୍ରସ୍ତୁତ ଅଛି ।

 

ମୁଁ ଏଠାରୁ ତୋ’ ପାଖକୁ କିଛି ଅର୍ଥରାଶି ଅବଶ୍ୟ ପଠାଇ ପାରିବି, ମାତ୍ର ସେଠି ସମସ୍ତ ପ୍ରୟୋଜନକୁ ମେଣ୍ଟାଇ ପାରିବାଭଳି ଯଥେଷ୍ଟ ଅର୍ଥ କଦାପି ପଠାଇ ପାରିବିନାହିଁ । ତୁ ସେଠାରୁ ଲେଖିଛୁ ଯେ, ଏଠି ଆମେରିକାରେ ଅର୍ଥର ସଂଗ୍ରହ କରିବା ମୋ’ ପାଇଁ ବେଶ୍‌ ସହଜ ମଧ୍ୟ ହେବ । କିନ୍ତୁ, ତୁ କେବେ ଅନ୍ୟ ଦିଗଟିରୁ କଥାଟିକୁ ବିଚାର କରିଛୁ କି ? କଳ୍ପନା କଲୁ, ଯଦି ଏଠାରେ ଆମେରିକାର ଲୋକେ କୌଣସି ବୃହତ୍‌ ବିପଦର ସମ୍ମୁଖୀନ ହୁଅନ୍ତେ, ତେବେ ଭାରତବର୍ଷର ଧନୀମାନେ ସେମାନଙ୍କୁ ସାହାଯ୍ୟ କରିବା ସକାଶେ ପ୍ରକୃତରେ କୌଣସି ଅର୍ଥ ପଠାନ୍ତେ କି ? ମୁଁ ତ ବେଳେବେଳେ ଏପରି ଶୁଣିଛି ଯେ ଧନୀ ଭାରତୀୟମାନେ ଆସି ସୁଇଜରଲାଣ୍ଡରେ ବହୁ ବିଳାସ ମଧ୍ୟରେ ଅବସରମାନ ଅତିବାହିତ କରନ୍ତି ଏବଂ ତେଣେ ଭାରତବର୍ଷରେ ଭୟଙ୍କର ଦୁର୍ବିପାକଗୁଡ଼ିକ ଲାଗି ରହିଥାଏ । ଆମେରିକାରେ ଏତେ ଧନୀ ବ୍ୟକ୍ତି ରହିଛନ୍ତି ବୋଲି ଆମେ ସେମାନଙ୍କୁ କଦାପି ଘୃଣା କରିବାନାହିଁ । ପୃଥିବୀରେ ନାନା ଦୁଃଖରେ ରହିଥିବା ଅନ୍ୟ ମନୁଷ୍ୟଙ୍କ ପାଇଁ ସେମାନଙ୍କର ଆଖି ଖୋଲା ବି ରହିଛି ।

 

କ’ଣ ନା କ’ଣ ସମାଧାନର ବାଟ ଅବଶ୍ୟ ବାହାରିବ । ତଥାପି, ଯାହା ହେଉ ବା ନହେଉ ପଛକେ, ତୁ କଦାପି ନିଜଉପରେ ବିଶ୍ୱାସ ହରାଇବୁ ନାହିଁ । ମୁଁ ତ ଖୁବ୍‌ ଦେଖିପାରୁଛି ଯେ, ବର୍ତ୍ତମାନ ବର୍ଷେ, ଦୁଇବର୍ଷ ବା ଏପରିକି ତିନିବର୍ଷ ପାଇଁ ଭାରତରୁ ବାହାରକୁ ଚାଲିଆସିବା ତୋ’ ପାଇଁ ସବୁଠାରୁ ଭଲ ହେବ । ଏହାଦ୍ୱାରା ତୋ’ ଭିତରେ କିଛି ନୂତନ ସାହସର ମଧ୍ୟ ସଞ୍ଚାର ହେବ । ବାହାରକୁ ଆସି ତୁ ହୁଏତ କୌଣସି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବୁ ଓ ଡିଗ୍ରୀଟିଏ ହାସଲ କରିବୁ । ପରେ ଭାରତକୁ ଫେରିଯାଇ ତଦ୍ଦ୍ୱାରା ତୋ’ପାଇଁ ବହୁତ କଥା ସହଜ ମଧ୍ୟ ହୋଇଯିବ । ଭାରତବର୍ଷରେ ତ କେବଳ ଡିଗ୍ରୀଗୁଡ଼ାକୁ ମୂଲ୍ୟ ଦିଅନ୍ତି, ମନୁଷ୍ୟଟାକୁ କୌଣସି ମୂଲ୍ୟ ଦିଅନ୍ତି ନାହିଁ-। ପୃଥିବୀର ଅଧିକାଂଶ ଦେଶରେ ମୋ’ ଜାଣିବାରେ ତ ସେହି ରୀତିଟିରେ ସବୁ ଚାଲିଛି ।

 

ହଁ, ତୋ’ର ବଢ଼ିଆ ଚିଠିଟା ଇହାଦେ ଆସି ପହଞ୍ଚିଲା । ସେଇଟିକୁ ପଢ଼ି ମୁଁ ପ୍ରକୃତରେ କେତେନା ଖୁସୀ ହୋଇ ପାରିଲି ।

 

ତୋ’ ଲାଗି ଅନେକ ଶୁଭକାମନା ସହିତ,

 

ତୋ’ର

ୟର୍ଗନ୍‌

 

କୁଏର୍ନାଭାକା, ମେକ୍ସିକୋ, ୨୩ । ୮ । ୧୯୫୮

 

ପ୍ରିୟ ଚିତ୍ତ,

 

ଏହି ଯେଉଁ କ୍ଷୁଦ୍ର ସହରଟିରେ ଶ୍ରୀଯୁକ୍ତ ଏରିକ୍‌ ଫ୍ରମ୍‌ ରହୁଛନ୍ତି, ତାହାର ନାମ ହେଉଛି କୁଏର୍ନାଭାକା । ଗତ ଦୁଇଟିଯାକ ଦିନ ମୁଁ ଏହି ସହରଟିରେ କଟାଇଛି । ଚାରିଆଡ଼େ ବୁଲୁଛି, ଅରଣ୍ୟ ପଥଗୁଡ଼ିକୁ ଧରି ବେଶ୍‌ ଦୂରଯାଏ ଚାଲି ଚାଲି ଯାଇଛି । ବେଳେ ବେଳେ ପାହାଡ଼ଗୁଡ଼ିକ ଉପରକୁ ମଧ୍ୟ ଉଠିଛି ।

 

ମୁଁ ଭଲ କରି ଜାଣେ ତୁ ସବାଆଗ ଶ୍ରୀ ଫ୍ରମ୍‌ଙ୍କ ବିଷୟରେ ହିଁ ସବୁକଥା ମୋ’ଠାରୁ ଶୁଣିବା ନିମନ୍ତେ ଇଚ୍ଛା କରୁଥିବୁ । ତେଣୁ, ମୁଁ ମଧ୍ୟ ଆଉ କୌଣସି ବିଳମ୍ବ କରିବିନାହିଁ ଏବଂ ତୋତେ ସିଧା ତାଙ୍କରି ବିଷୟରେ ହିଁ କହିବି । ଆଜି ଉପରବେଳା ମୁଁ ତାଙ୍କୁ ଦେଖା କରିବାକୁ ଯାଇଥିଲି; ପ୍ରାୟ ତିନିଟାରୁ ସାଢ଼େ ଚାରିଟା ପର୍ଯ୍ୟନ୍ତ ଦେଢ଼ଘଣ୍ଟା ତାଙ୍କ ସହିତ ଥିଲି । କୁଏର୍ନାଭାକା ସହରର ଟିକିଏ ବାହାରେ ସିଏ ଗୋଟିଏ ଘରେ ରହୁଛନ୍ତି । ଏକ ଅତ୍ୟନ୍ତ ସୁଦୃଶ୍ୟ ଓ ସୁନ୍ଦର ନିବାସଟିଏ । ଦୃଷ୍ଟି ପକାଉ ପକାଉ ମୋ’ର ପ୍ରକୃତରେ ସେହିପରି ହିଁ ଧାରଣାଟିଏ ହେଲା । ପ୍ରଥମ ମହଲା ଉପରେ ସାନ ଓ ଶୀତଳ ଟ୍ୟାରେଟ୍‌ଟିଏ ରହିଛି । ସେଠାରେ ଆଦୌ କୌଣସି ତୁଣ୍ଡଗୋଳ ନଥାଏ-। ଆଖି ଆଗରେ ଏକ ପାର୍ବତ୍ୟ ଉପତ୍ୟକା ବିସ୍ତୃତ ହୋଇ ଦେଖାଯାଉଛି । ଦିଗ୍‌ବଳୟରେ ଦୂର ପର୍ବତଗୁଡ଼ିକର ରେଖା କେଡ଼େ କମନୀୟ ବି ଲାଗୁଛି । ହଁ, ପହଁରିବାର ଗୋଟିଏ ପ୍ରଶସ୍ତ ପୁଷ୍କରିଣୀ–ଉଜ୍ଜ୍ୱଳ ହରିତ୍ ରଙ୍ଗର ଗୋଟିଏ ଘାସପଡ଼ିଆ । ତା’ ସହିତ ବହୁତ ଗଛ ଏବଂ ଫଳଗଛ-। ସେହି ଘରେ ସିଏ ଗତ ଦେଢ଼ବର୍ଷ ହେଲା ରହିଲେଣି । ଏକଦା ସ୍ୱାସ୍ଥ୍ୟଗତ କାରଣରୁ ମେକ୍ସିକୋ ଆସିଥିଲେ–ସମ୍ଭବତଃ ଶ୍ୱାସ ନା ସେହିପରି କ’ଣ ପୀଡ଼ା ଦ୍ୱାରା ଆକ୍ରାନ୍ତ ହୋଇଥିଲେ । ଏପର୍ଯ୍ୟନ୍ତ ମେକ୍ସିକୋରେ ମୋଟ ନଅବର୍ଷ କଟାଇ ସାରିଲେଣି ।

 

ଆମେ ସେହି ଟ୍ୟାରେଟ୍‌ରେ ଯାଇ ବସିଲୁ । ସିଏ କଫି ପିଆଇଲେ । କିଛି ଫଳ ମଧ୍ୟ ଖାଇବାକୁ ମିଳିଲା । ତା’ପରେ ପ୍ରାୟ ଦେଢ଼ଘଣ୍ଟା କଥାବାର୍ତ୍ତା ହେଲା । ତୋ’ କଥା ମଧ୍ୟ ପଡ଼ିଲା । ମୁଁ ତୋତେ କିପରି ଜାଣିଲି, ସେକଥା ବି ସିଏ ପ୍ରଶ୍ନ କରିଥିଲେ । ହିଁ, ତାଙ୍କର ସବୁଯାକ କଥୋପକଥନରୁ ସ୍ପଷ୍ଟ ଭାବରେ ଜାଣିହେଲା ଯେ ତୁ ମଧ୍ୟ ଏଠାକୁ ଆସନ୍ତୁ ଏବଂ ବରଷେ ଅଥବା ତତୋଽଧିକ କିଛି ସମୟପାଇଁ ତାଙ୍କ ପାଖରେ ଅଧ୍ୟୟନ କରନ୍ତୁ ଓ ସେ ନିଜ ତତ୍ତ୍ୱାବଧାନରେ ଏଠାରେ କରାଉଥିବା କାର୍ଯ୍ୟରେ ମଧ୍ୟ ସହଯୋଗ କରି ପାରନ୍ତୁ । ଠୋ’ କରି ଏପରି ଗୋଟିଏ ନିଷ୍ପତ୍ତି ଗ୍ରହଣ କରିବା ତାଙ୍କ ସକାଶେ ଆଦୌ ସହଜ ନୁହେଁ, କାରଣ ସିଏତ କେବଳ ତୁ ତାଙ୍କ ପାଖକୁ ଲେଖିଥିବା ଚିଠିଗୁଡ଼ିକରୁ ହିଁ ଯାହା ତୋତେ ଜାଣିଛନ୍ତି । ପୁନଶ୍ଚ, ତାଙ୍କର ମନୋବିଶ୍ଳେଷଣମୂଳକ କାର୍ଯ୍ୟଗୁଡ଼ିକରେ ସେ ସାଧାରଣତଃ ନିଜର ସହଯୋଗୀ ହିସାବରେ ଡାକ୍ତରମାନଙ୍କୁ ହିଁ ନିୟୋଜିତ କରି ଥାଆନ୍ତି । ତେଣୁ, ତାଙ୍କର ପ୍ରଶ୍ନସବୁ ହେଉଛି ! ଏଠାରେ ତୁ ଠିକ୍ କେଉଁଭଳି କ୍ଷେତ୍ରରେ କାର୍ଯ୍ୟ କରି ପାରିବୁ । ଏତେଦୂରରୁ ଏତେ ଖରଚ କରି ମୁଖ୍ୟତଃ କ’ଣପାଇଁ ଏଠାକୁ ଆସିବୁ । ନିଜପାଇଁ ନିର୍ଦ୍ଦିଷ୍ଟ ଭାବରେ କି ଲକ୍ଷ୍ୟ ରଖି ତୁ ଏଠାରେ ଅଧ୍ୟୟନ ତଥା ଗବେଷଣା କରିବୁ ?

Unknown

 

ନିଜର ଏଠା ଖର୍ଚ୍ଚଗୁଡ଼ିକୁ ତୁଲାଇ ପାରିବା ସକାଶେ ତାଙ୍କର କହିବା ଅନୁସାରେ ତୋ’ପାଇଁ କୋତୋଟି ସମ୍ଭାବନା ରହିଛି: ପାଖରେ ଗୋଟିଏ ଗାଆଁରେ ଶ୍ରୀଯୁକ୍ତ ଫ୍ରମ୍ ଯେଉଁ ସର୍ବେକ୍ଷଣ କାର୍ଯ୍ୟଟି କରାଉଛନ୍ତି, ତାହାରି ଭିତରେ ତୁ କିଛି କାମର ଦାୟିତ୍ୱ ନେଇପାରିବୁ, କୌଣସି ଛାତ୍ରବୃତ୍ତିର ଯୋଗାଡ଼ କରି ସ୍ଥାନୀୟ ବିଶ୍ୱବିଦ୍ୟାଳୟରେ ପଢ଼ି ପାରିବୁ–ମାତ୍ର ଏପରି କ୍ଷେତ୍ରରେ ତୋ’ର ତାଙ୍କର ସଂସର୍ଗ ଲାଭ କରିବାର ଆଦୌ ସେତେ ଅବସର ରହିବନାହିଁ । ଗ୍ରାମ ସମ୍ପର୍କୀୟ ସର୍ବେକ୍ଷଣ-ଯୋଜନାଟି ବର୍ଷେ ହେଲା ଆରମ୍ଭ ହୋଇଛି ଓ ଆହୁରି ଦୁଇବର୍ଷ ଚାଲିବାର ଅଭିପ୍ରାୟ ରହିଛି । ମୁଁ ଭାବୁଛି, ପ୍ରଥମ ଦୁଇଟିର କାର୍ଯ୍ୟକୁ ତୁ ଏକାବେଳେ ହିଁ କରିପାରିବୁ । ଶ୍ରୀଯୁକ୍ତ ଫ୍ରମ୍‌ଙ୍କ ସହିତ ସହଯୋଗୀ ଭାବରେ କାର୍ଯ୍ୟ କରିବାଦ୍ୱାରା ତୁ ହୁଏତ ତାହାକୁ ଅବଲମ୍ୱନ କରି ଏକ ଉଚ୍ଚତର ନିବନ୍ଧ ନିମନ୍ତେ ମଧ୍ୟ ସାମଗ୍ରୀ ସଜ କରିନେଇ ପାରିବୁ । ତେଣୁ, ଶୀଘ୍ର କିଛି ସ୍ଥିର କରିବାକୁ ପଡ଼ିବ ।

 

ହଁ, ଶ୍ରୀଯୁକ୍ତ ଫ୍ରମ୍ ଏକଥା ମଧ୍ୟ କହୁଥିଲେ ଯେ, ନିଜର ବ୍ୟକ୍ତିଗତ ଗବେଷଣା ଆଦି କାର୍ଯ୍ୟ ନିମନ୍ତେ ସିଏ ଜଣେ ବ୍ୟକ୍ତିଗତ ସହକାରୀ ମଧ୍ୟ ଆବଶ୍ୟକ କରୁଛନ୍ତି, ଯିଏ କି ତାଙ୍କର ପ୍ରସ୍ତାବିତ ନୂତନ ପୁସ୍ତକ ଓ ଲେଖାଗୁଡ଼ିକ ସକାଶେ ତାଙ୍କ ଲାଗି ଆବଶ୍ୟକ ସାମଗ୍ରୀଗୁଡ଼ିକ ପ୍ରସ୍ତୁତ କରି ଦେଉଥିବ । ଏଇଟି ତୋ ଲାଗି ନିଶ୍ଚୟ ଖୁବ୍ ଚମତ୍କାର କାର୍ଯ୍ୟଟିଏ ହେବ ଏବଂ ତାଙ୍କ ସହିତ ସେହି ନିକଟ ସମ୍ପର୍କଗୁଡ଼ିକରୁ ଭଲ ବହୁତ ବହୁତ ଶିକ୍ଷା କରିପାରିବୁ । ଅବଶ୍ୟ ଏଥିଲାଗି ସେ ତୋତେ ବହୁତ ପାରିଶ୍ରମିକ ଦେବାଲାଗି ମୋଟେ ସମର୍ଥ ହେବେ ନାହିଁ; ମାତ୍ର ଯେତିକି ମାସିକ ଦେବେ, ସେତେକିରେ ତୁ ଏହି ସହରରେ ଓ ଏହି ଦେଶରେ ଯେନ ତେନ ଭାବରେ ଚଳିଯାଇ ପାରିବୁ । ମୁଁ ମଧ୍ୟ ଭାବୁଛି, ଏତିକିରେ ତୁ ନିଜର ରହିବା ସକାଶେ ମାସିକ ଭଡ଼ାରେ କୋଠରୀଟିଏ ପାଇଯିବୁ, ଆହାର ଯୋଗାଡ଼ କରିପାରିବୁ ଏବଂ ନିଜର ଅନ୍ୟାନ୍ୟ ହାତଖର୍ଚ୍ଚ ପାଇଁ ତଥାପି କିଛି ବଳି ଯାଉଥିବ ।

 

ଯଦି ଏହିପରି କୌଣସି ପଦକ୍ଷେପ ନେବାପାଇଁ ତୁ ସକାରାତ୍ମକ ଭାବରେ କିଛି ନିଷ୍ପତ୍ତି କରିବୁ, ତେବେ ସବାଆଗ ଶ୍ରୀଯୁକ୍ତ ଫ୍ରମ୍‍ଙ୍କ ନିକଟକୁ ପତ୍ର ଦେବାକୁ ହେବ । ଫ୍ରମ୍ ସମ୍ପୂର୍ଣ୍ଣ ଖୋଲା ଭାବରେ କହୁଥିଲେ ଯେ, ସିଏ ଏହି କାର୍ଯ୍ୟ ନିମନ୍ତେ ଏପରି ଜଣେ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରନ୍ତୁ ବୋଲି ଭାବୁଛନ୍ତି, ଯାହାର କି ନିଜ ଜୀବନରେ ଏକ ଲକ୍ଷ୍ୟ ରହିଥିବ, ଏକ ଯୋଜନା ମଧ୍ୟ ଥିବ । ଭାବପ୍ରବଣ ଜଣେ ବ୍ୟକ୍ତି, ଯିଏକି ତାଙ୍କ ସହିତ ଜଡ଼ିତ ହୋଇ ରହିବାକୁ ଇଚ୍ଛା କରୁଥିବ–ସେଥିରେ ଆଦୌ କାମ ଚଳିବନାହିଁ । ତେଣୁ, ଆଗାମୀ ପାଞ୍ଚବର୍ଷ ସକାଶେ ତୁ ନିଜପାଇଁ କ’ଣ ଯୋଜନାସବୁ କରିଛୁ ଏବଂ ତାଙ୍କ ସହିତ ତୋ’ର ସହାକାରିତା ତୋ’ର ନିଜ ଯୋଜନାରେ ମଧ୍ୟ କିପରି ସାହାଯ୍ୟ କରିବ, ନିଜର ଚିଠିରେ ତାଙ୍କ ପାଖକୁ ନିଶ୍ଚୟ ଲେଖିବୁ । ମୁଁ ତୋତେ ଏହି କଥାଗୁଡ଼ିକୁ କରିବାକୁ ଗୋଟିଗୋଟି କରି ଲେଖୁଛି ବୋଲି କଦାପି ଅନ୍ୟଥା ଭାବିବୁନାହିଁ । ତୁ ଆଦୌ ଭୁଲି ଯିବୁନାହିଁ ଯେ ସିଏ ତୋ’ ବିଷୟରେ କିଛିହେଲେ ଜାଣିନାହାନ୍ତି,–ତୋ’ର ଜିଜ୍ଞାସା, ତୋ’ର କର୍ମନିଷ୍ଠା, ଜଣେ ବ୍ୟକ୍ତି ହିସାବରେ ତୋ’ର ବିଶେଷ ବିଶେଷ ଗୁଣ, ଇତ୍ୟାଦି, ଇତ୍ୟାଦି ।

 

ଚିତ୍ତ, ଏହି ଚିଠିଟିକୁ ତୋ’ପାଖକୁ ଲେଖୁଥିବାବେଳେ,–ଏବଂ ଆଗରୁ ମଧ୍ୟ ବହୁତ ଥର ତୋ’ ବିଷୟରେ ମୁଁ ଗୋଟିଏ କଥା ସର୍ବଦା ହିଁ ଭାବିଛି । ପରୀକ୍ଷା ଦେଇ ଡିଗ୍ରୀ ହାସଲ କରିବାର କ୍ଷେତ୍ରରେ ତୋ’ ଭିତରେ ବହୁତ ଘୃଣା ରହିଆସିଛି ଏବଂ ତୋ’ ସହିତ ମୁଁ ଏଥିରେ ମୋଟେ ଏକମତ ହୋଇ ପାରିନାହିଁ ।

 

ମୁଁ ଭାବୁଛି, ତୋ’ର ମଧ୍ୟ ଗୋଟିଏ ଡିଗ୍ରୀ ହାସଲ କରିବା ଉଚିତ, ଔପଚାରିକ ଭାବରେ ତୁ ଲାଭ କରିଥିବା ଶିକ୍ଷା ବିଷୟରେ କିଛି ପ୍ରମାଣିକ ସନ୍ତକ ମଧ୍ୟ ଥିବା ଆବଶ୍ୟକ । ଏହି ବୃହତ୍ ପୃଥିବୀରେ ତୋତେ ଆଦୌ କେହି ଜାଣି ନାହାନ୍ତି । ମାତ୍ର, ଯଦି ତୋ’ ପାଖରେ ଗୋଟିଏ ଡିଗ୍ରୀ ଥିବ, ତେବେ ସମସ୍ତେ ସେଇଥିରୁ ଅନ୍ତତଃ ଜାଣି ବି ପାରିବେ ଯେ, ହଁ, ତୁ ଉଚିତ ଶକ୍ତିକୁ ଖଟାଇ ନିଜେ କିଛି ବିଦ୍ୟାକୌଶଳ ଅର୍ଜନ କରିଛୁ ଏବଂ ତାହାରି ଫଳରେ ନିବନ୍ଧଟିଏ ଲେଖି ପାରିଛୁ । ନହେଲେ, ତୋ’ର ଯୋଗ୍ୟତାଗୁଡ଼ିକ ବିଷୟରେ ଏକ ସ୍ପଷ୍ଟ ଧାରଣା ଦେଇ ପାରିବାଭଳି କାହାକୁ କିଛି କହିବା ପ୍ରକୃତରେ ଅତ୍ୟନ୍ତ କଷ୍ଟକର ମନେ ହେଉଛି । ଅଥଚ, ପାଖରେ ନିର୍ଦ୍ଦିଷ୍ଟ ପ୍ରମାଣପତ୍ରଟିଏ ରହିଥିଲେ ସେହି ଅସୁବିଧା କେବେହେଲେ ରହନ୍ତା ନାହିଁ । ବହୁତ କିଛି ସହଜ ହୋଇ ଯାଆନ୍ତା ।

 

ନମସ୍ତେ,

ୟର୍ଗନ୍

 

ହ୍ୱାଇଟ୍ ପ୍ଲେନ୍‌ସ୍‌, ନିଉୟର୍କ୍, ୧୫ । ୩ । ୧୯୫୮

 

ପ୍ରିୟ ଚିତ୍ତ,

 

ତୋ’ଠାରୁ ଆସି ପହଞ୍ଚିଥିବା ବିଗତ କୋତୋଟି ଚିଠି ବିଷୟରେ ମୁଁ ପ୍ରକୃତରେ କେତେ କ’ଣ ଭାବିଛି, ଏବେ ମଧ୍ୟ ଆଦୌ କମ୍ ଭାବୁନାହିଁ । ସେହି ଚିଠିଗୁଡ଼ିକୁ ବାରମ୍ୱାର ପାଠ କରିଛି । ସେଗୁଡ଼ିକରେ ଏପରି କିଛି ରହିଛି, ଯାହାକି ବେଶ୍ କେତେଦିନ ହେଲା ମୋତେ ମଧ୍ୟ କେତେ ନା କେତେ ଭାବନାରେ ମଗ୍ନ କରି ରଖିଛି । ଏବଂ, ସେଥିରେ ତା’ଭଳି ମୁଁ ମଧ୍ୟ ଗୁନ୍ଥା ହୋଇ ରହିଥିବା ପରି ଅନୁଭବ ହେଉଛି । ବର୍ତ୍ତମାନ ସେଗୁଡ଼ିକୁ ଶବ୍ଦଦ୍ୱାରା ପ୍ରକାଶ କରିବାକୁ ଚେଷ୍ଟା କରିବି;–ପ୍ରକୃତରେ କେତେ ଦୂର ପାରିବି କେଜାଣି । ବା ମୋ’ ପାଇଁ ତଦ୍ଦ୍ୱାରା ଅନ୍ତତଃ କିଛି କିଛି କିଞ୍ଚିତ୍ ଅଧିକ ସ୍ପଷ୍ଟ ହୋଇଯିବ,–ସମ୍ଭବତଃ ତୋ’ ପାଇଁ ମଧ୍ୟ ।

 

ତୁ ଏବଂ ମୁଁ,–ଆମେ ସର୍ବଦା ହିଁ ବଡ଼ ବଡ଼ ସ୍ୱପ୍ନମାନ ଦେଖି ଆସିଛୁ; ନିଜର ଜୀବନକୁ ଆମେ କିପରି ଭାବରେ ବଞ୍ଚିବୁ, ଆମର ସ୍ୱତନ୍ତ୍ର ବିଚାରଗୁଡ଼ିକୁ କିପରି ଏହି ପୃଥିବୀରେ ବାସ୍ତବରେ ପରିଣତ କରିପାରିବୁ, ଇତ୍ୟାଦି, ଇତ୍ୟାଦି । ସେଗୁଡ଼ିକ ସହିତ ଅନ୍ୟମାନଙ୍କୁ ପରିଚିତ ମଧ୍ୟ କରିପାରିବୁ । ସମ୍ଭବତଃ ଖୁବ୍ କମ୍‌ସଂଖ୍ୟକ ଲୋକ ଆମ ଭିତରେ ରହିଥିବା ଏହି ଦ୍ୱିବିଭାଜନକୁ ବୁଝି ପାରିଛନ୍ତି: ଗୋଟିଏ ପଟେ ଏହି ପୃଥିବୀରେ ଆମେ ବଞ୍ଚୁଥିବା ନିତ୍ୟନୈମିତ୍ତିକତାର ପ୍ରାଣୀଗତ ଜୀବନ ଓ ଅନ୍ୟପଟେ ଆମର ଅଧ୍ୟାତ୍ମ-ପ୍ରେରିତ ଜୀବନକୁ । ତୁ ହେଉଛୁ ଗୋଟାଏ ବଡ଼ ଆଦର୍ଶବାଦୀ–ଏବଂ ମୁଁ ମଧ୍ୟ କିଛି ମାତ୍ରାରେ ତାହାହିଁ । କିନ୍ତୁ ଚିତ୍ତ, ଯଦି ପ୍ରକୃତରେ ଜଣେ ଆଦର୍ଶବାଦୀର ଜୀବନଟିଏ ବଞ୍ଚିବାକୁ ହୁଏ, ତେବେ ଆମକୁ ଏପରି ଏକ ଜୀବନ ନିମନ୍ତ ଆବଶ୍ୟକ ପ୍ରସ୍ତୁତିଗୁଡ଼ିକୁ ମଧ୍ୟ କରିବାକୁ ପଡ଼ିବ, ଯେପରିକି ତୁମ ନିଜ ଚିତ୍ରଟି ଅନୁସାରେ କଳ୍ପନା କରା ଯାଉଥିବା ଜୀବନକୁ ତୁମ ପରିବେଶଟି ମଧ୍ୟରେ ବି ସାକାର କରାଯାଇ ପାରୁଥିବ । ନିଜର ବିଚାରଗୁଡ଼ିକୁ ନେଇ ଏହି ପୃଥିବୀ ଉପରେ ବଞ୍ଚି ପାରିବାର ଯାବତୀୟ ଉଦ୍ୟମରୁ ହିଁ ମନୁଷ୍ୟ ଖୁବ୍ କଷ୍ଟ ପାଉଥାଏ । ଉପସ୍ଥିତ ମୁହୂର୍ତ୍ତଟିରେ ତୁ ମଧ୍ୟ ସେହି କଷ୍ଟଗୁଡ଼ିକୁ ପାଉଛୁ । ଏହି କଷ୍ଟ ପାଇବାଟି ନଥିଲେ ଜଣେ ଆଦର୍ଶବାଦୀର ଜୀବନ ବସ୍ତୁତଃ କିପରି ହୋଇଥାନ୍ତା କହିଲୁ । ଯଦି ଲୋକମାନେ ତା’ କଥାକୁ ଶୁଣୁଥାନ୍ତେ ଓ ତା’ର ଅନୁଗାମୀମାନେ ମଧ୍ୟ ଥାଆନ୍ତେ, ତେବେ ତ ସିଏ ପ୍ରାୟ ଗୋଟାପଣେ ଉପସ୍ଥିତ ପୃଥିବୀର ସଫଳମାନଙ୍କ ଭଳି ହିଁ କାଳଯାପନ କରୁଥାନ୍ତା ! ସବୁକଥାରେ ହଁଟିଏ ଭରିଦେଇ ସିଏ ତ ସମସ୍ତଙ୍କୁ ନିଜର ଅନୁଗମନକାରୀ ରୂପେ ବହୁତ ସହଜରେ ପାଇ ପାରୁଥାଆନ୍ତା । ଏହି ପୃଥିବୀରେ ଜଣେ କେଡ଼େ ସଫଳ ହିରୋ ହୋଇ ରହିଥାନ୍ତା । ଜଣେ ଆଦର୍ଶବାଦୀର ଅଦୃଷ୍ଟଟା ତ ଏହାର ଠିକ୍ ଓଲଟା ହୋଇ ରହିଥାଏ; ସିଏ ଏକ ଅନ୍ୟଭଳି ବାଟର ସନ୍ଧାନ ପାଇଥାଏ ଏବଂ, ନିଜ ଜୀବନରେ ଯାହାକିଛି ଭୋଗ କରିବାକୁ ହେଉ ପଛକେ, ସିଏ ସେହି ବାଟଟିରେ ରହିବ ଓ ଚାଲିବ ବୋଲି ସ୍ଥିର କରି ସାରିଥାଏ । ଯଦି ଅନ୍ୟମାନେ ମଧ୍ୟ ତାହାରି ବାଟରେ ଆସନ୍ତୁ ବୋଲି ସିଏ ସେହି ମୁତାବକ କିଛି ଚେଷ୍ଟା କରେ, ତେବେ ଅଚିରେ ବୁଝି ପାରିବ ଯେ, ତା’ର କଥାଟି ପ୍ରକୃତରେ କେହି ମଧ୍ୟ ଶୁଣିବେ ନାହିଁ । ହଁ, ପୃଥିବୀ ତା’ ନିଜ ବାଟରେ ଯାଉଥିବେ, ଏବଂ ଆଦର୍ଶବାଦୀ ତା’ ନିଜ ବାଟରେ । ଏହି ସତକଥାଟିକୁ ମୁଁ ନିଶ୍ଚୟ ମାନୁଛି । କିନ୍ତୁ, ଜଣେ ଆଦର୍ଶବାଦୀ ଯେତେବେଳେ ବହୁ ଚିତ୍ତ କିମ୍ୱା ବହୁ ରାଜନୀତିକ କ୍ଷମତାରେ ଧନୀ ଜଣେ ଆଉ କାହାଭଳି ସାଂସାରିକ ଖ୍ୟାତିଟିଏ ଅର୍ଜନ କରିବାକୁ ଇଚ୍ଛା ପୋଷଣ କରିବ, ସେତେବେଳେ ସିଏ ଅପେକ୍ଷାକୃତ ଅଧିକ ସହଜ ବାଟଟିକୁ ଧରି ବରଂ କାହିଁକି ସେହି ଖ୍ୟାତିକୁ ହାସଲ ନକରିବ ! ଖୁବ୍ ଅଳ୍ପସଂଖ୍ୟକ ବ୍ୟକ୍ତି ହିଁ ଦୁଇଟିଯାକ ବାଟକୁ ମନ କରି ପାରିବେ ଏବଂ ଦୁଇଟିଯାକ ବାଟରେ ମଧ୍ୟ ଯିବେ ।

 

ସମ୍ଭବତଃ, ଗାନ୍ଧୀ ସେହି ବିରଳମାନଙ୍କ ଭିତରୁ ଜଣେ ଥିଲେ । ଏହି ବିଂଶ ଶତାବ୍ଦୀରେ ସିଏ ନିଶ୍ଚିତ ଭାବରେ ଏକମାତ୍ର ଆଦର୍ଶବାଦୀ ଥିଲେ,–ତଥାପି ଅନ୍ୟ ପକ୍ଷରେ ବାସ୍ତବ କ୍ଷେତ୍ରରେ ମଧ୍ୟ ପୂର୍ଣ୍ଣ ଅଭିଜ୍ଞ ଥିଲେ, ପୃଥିବୀର ନାଡ଼ିଟିକୁ ଖୁବ୍ ଭଲ ଭାବରେ ଚିହ୍ନିଥିଲେ । ଜଣେ ସମର୍ଥ ଆଇନଜୀବୀ ଥିଲେ, ଦକ୍ଷ ରାଜନୀତିଜ୍ଞ ବି ଥିଲେ : ସମ୍ଭବତଃ, ତାଙ୍କ ସମୟର ସବୁଠାରୁ ଅଧିକ କୌଶଳଯୁକ୍ତ ତଥା ବୁଦ୍ଧିମାନ ରାଜନୀତିଜ୍ଞ ଥିଲେ । ପୁନଶ୍ଚ, ଅତ୍ୟନ୍ତ ଦକ୍ଷ ତଥା ବାସ୍ତବବୁଦ୍ଧିଯୁକ୍ତ କେତେକେତେ ବ୍ୟକ୍ତିଙ୍କୁ ଗାନ୍ଧୀ ନିଜ ସାଙ୍ଗକୁ ବାହାର କରି ଆଣି ପାରିଥିଲେ । ଏହି ପୃଥିବୀର ବିଶ୍ୱବିଦ୍ୟାଳୟମାନଙ୍କରୁ ଡିଗ୍ରୀ ନେଇ ସର୍ବଦା ଏହି ପୃଥିବୀର ହୋଇ ରହିଥିଲେ । ରୋଗୀମାନଙ୍କର ଶୁଶ୍ରୂଷା କଲେ, ଗଦା ଗଦା ପୁସ୍ତକ ଲେଖିଲେ । ଏବଂ, ଅନ୍ୟ ପକ୍ଷରେ ଜଣେ ଆନ୍ତରିକତାଯୁକ୍ତ ଆଦର୍ଶବାଦୀ ହୋଇ ରହିଲେ । ଉପସ୍ଥିତ ପୃଥିବୀ ଏବଂ ଇପ୍‍ସିତ ଆଉଏକ ପୃଥିବୀକୁ ସେ ନିଜ ଜୀବନରେ ଏକତ୍ର ଗଣ୍ଠି ପକାଇ ରଖିଥିଲେ ।

 

ତେଣୁ, ବିଚାର କରିବାକୁ ହେବ ଚିତ୍ତ, ନିଜ ସ୍ୱପ୍ନଗୁଡ଼ିକୁ ଦେଇ ତିଆରି ହୋଇଥିବା ଶୁଦ୍ଧ ଜୀବନଟିକୁ ଯଦି ତୁ ବଞ୍ଚିବାକୁ ଇଚ୍ଛା କରୁଥିବୁ, ତେବେ ତୁ ଅବଶ୍ୟ ସେହି ପଥଟିକୁ ଗ୍ରହଣ କରିପାରିବୁ । ମାତ୍ର ସେଥିପାଇଁ ତୋତେ ଏହିପରି ନାନା କଟୁ ଅନୁଭବର ଶିକାର ହେବାକୁ ମଧ୍ୟ ପଡ଼ୁଥିବ । ଅର୍ଥାତ୍ ନିଜର ଦୃଷ୍ଟିଭଙ୍ଗୀଟିକୁ ବଦଳାଇବାକୁ ହେବ ଓ ମୁଁ ଏହିପରି ଜୀବନଟିଏ ବଞ୍ଚିବାକୁ ଇଚ୍ଛା କରୁଛି ବୋଲି ନିଜ ପାଖରେ ପରିଷ୍କାର ହେବାକୁ ପଡ଼ିବ । ଏଇଟି ନିଜର ମନୋମତ ଜୀବନ ବୋଲି ସ୍ୱୀକାର କରିନେବାକୁ ହେବ । ତେବେ, ତୁ ଯାହାକିଛି କରିବୁ ଏବଂ ଯେତେ ଯାହା ଦୁଃଖର ସମ୍ମୁଖୀନ ହେବୁ, ସେଥିରୁ ତୋତେ ସନ୍ତୋଷ ବି ମିଳିବ । କିନ୍ତୁ, ତା’ହେଲେ ଜଣେ ବିତ୍ତଶାଳୀ ବ୍ୟକ୍ତି ଇଚ୍ଛା କରୁଥିବା ସୁଖଭୋଗର ଲାଳସାକୁ ପରିହାର କରିବାକୁ ହେବ ।

 

ଅବଶ୍ୟ ମୁଁ ଅନ୍ୟ ପକ୍ଷରେ ତଥାପି କହିବି ଯେ, ଚାଲ ଆମେ ସକଳ ବିଷୟରେ ବରଂ କିଞ୍ଚିତ୍ ବ୍ୟାବହାରିକ ବୁଦ୍ଧିସମ୍ପନ୍ନ ହେବା ନିମନ୍ତେ ମନ କରିବା; ଅର୍ଥାତ୍ ଟିକିଏ ମୁଣ୍ଡ ନୁଆଁଇବା ଏବଂ କେତେକ କ୍ଷେତ୍ରରେ ସାଲିଶ୍‌ଟିଏ କରିବା । ନିଜର ଏବଂ ନିଜ ସଂସାରର ମୂଳଭୂତ ପ୍ରୟୋଜନଗୁଡ଼ିକୁ ମେଣ୍ଟାଇ ପାରିବା ଲାଗି ଆମ ପାଖରେ ଯଥେଷ୍ଟ ସମ୍ୱଳ ରହିଥିବ । ତୋ’ ପାଖରେ ତୁ ଲାଭ କରିଥିବା ଶିକ୍ଷାର ଏକ ପ୍ରମାଣପତ୍ର ଥିବ, ଯେପରିକି ସଂପୃକ୍ତ ଲୋକମାନେ ସହଜରେ ଏକ ସ୍ୱୀକୃତି ତୋତେ ପ୍ରଦାନ କରିବେ, ଉଚିତ କଦର ଦେଖାଇ ପାରିବେ ।

 

ତୋ’ର ଆଉ ମୋ’ର–ଉଭୟଙ୍କର ଜୀବନଗତ ସନ୍ତାପଗୁଡ଼ିକର ତଳକୁ ଭେଦ କରି ମୁଁ ଏସବୁ କଥା ଲେଖିଲି । ଏହି ଗୋଟିଏ କଥା ହିଁ ମୁଁ ତୋତେ କହୁଛି, ମୋତେ ମଧ୍ୟ କହୁଛି । ଅସଲ ସତ୍ୟଟିକୁ ଉପଲବ୍ଧି କରିବାର ଆମର ପ୍ରୟାସଗୁଡ଼ିକରେ ଆମେ ଯେପରି ଆହୁରି ଅଧିକ ଭେଦି ଭିତରକୁ ଯାଇପାରିବା, ସେହି ଦୃଷ୍ଟିରୁ ତୋ’ପାଖକୁ ଏତେସବୁ ଆଜି ଲେଖିଲି । ତୁ ସେଗୁଡ଼ିକୁ ସେହି ଭାବରେ ହିଁ ଗ୍ରହଣ କରିବୁ ।

 

ଶୀଘ୍ର ମୋ’ ଚିଠିର ଉତ୍ତର ଦେବୁ ।

 

ଅନେକ ଅନେକ ଶୁଭେଚ୍ଛା,

ୟର୍ଗନ୍

 

ନିଉୟର୍କ, ୧୧ । ୮ । ୧୯୫୮

 

ପ୍ରିୟ ଚିତ୍ତ,

 

ତୋ’ର ୨୫ ତାରିଖର ଚିଠିଟି ଏଠାରେ ଆସି ପହଞ୍ଚିଛି । ମୂଳରୁ ଶେଷଯାଏ ସବୁ ଡେନିଶ୍ ଭାଷାରେ ହିଁ ତୁ ଚିଠିଟିକୁ ଲେଖିଛୁ । ଏବେ ମଧ୍ୟ ମୋ’ଠାରୁ ତୁ ଅନେକ ଅଧିକ ଭଲ ଡେନିଶ୍ ଲେଖିପାରୁଛୁ । ମୋ’ ଡେନିଶ୍ ଭାଷା ତ ଏଠାରେ ଇଂରାଜୀ ସହିତ ମିଶି ସାଂଘାତିକ ଭାବରେ ଗୋଟାଏ ଖେଚୁଡ଼ି ହୋଇ ସାରିଲାଣି ! ଶବ୍ଦଗୁଡ଼ିକର ବନାନ୍‌ରେ ମଧ୍ୟ ବହୁତ ଭୁଲ୍ ଆସି ପଶିଗଲାଣି । ସେହି କାରଣରୁ ମୁଁ ଏଥର ଇଂଲିଶ୍‌ରେ ହିଁ ତୋ’ ପାଖକୁ ଲେଖିବି ।

 

ମେକ୍ସିକୋ ଆସି କିଛି ଅଧ୍ୟୟନ ଏବଂ ଗବେଷଣା ବିଷୟରେ ତୋ’ର ଯେ ବିଶେଷ ଉତ୍ସାହ ହେଉନାହିଁ, ତୋ’ ଚିଠିରୁ ମୁଁ ତାହା ବୁଝିପାରୁଛି । ବର୍ତ୍ତମାନ ସ୍ଥିତିରେ ତୋ’ ଲାଗି ନିଜ ଦେଶରୁ ଯେକୌଣସି ମତେ ଯେ ବାହାରକୁ ଚାଲି ଆସିବାକୁ ହେବ, ସେହି କଥାଟିର ମଧ୍ୟ ଆଦୌ ଅତିଗୁଡ଼ାଏ ଗୁରୁତ୍ୱ ନାହିଁ ।

 

ଭାରତବର୍ଷର ଗୋଟିଏ ସାନ ଗାଆଁରେ କିଛିଦିନ ରହି ନିଜପାଇଁ ବ୍ୟକ୍ତିଗତ ଭାବରେ କିଛି ଅଧ୍ୟୟନ କରିବା, ସେଇଟି ମଧ୍ୟ ଆଦୌ ଏକ ମନ୍ଦ ପ୍ରସ୍ତାବ ନୁହେଁ । ଏବଂ, ତୋ’ର ଆଗ୍ରହ ମୁତାବକ ମୁଁ ନିୟମିତ ଭାବରେ ତୋ’ ପାଖକୁ ପୁସ୍ତକ ଏବଂ ପତ୍ରିକାମାନ ବି ପଠାଉଥିବି । ହଁ, ବର୍ତ୍ତମାନ ତୁ, ‘ଡକ୍ଟର ଜିଭାଗୋ’ ଉପନ୍ୟାସଟିକୁ ମଧ୍ୟ ତୋ’ ନିଜ ଭାଷାରେ କାହିଁକି ଅନୁବାଦ ନ କରିବୁ । ଇତିମଧ୍ୟରେ ସେଇଟିର ଲେଖକଙ୍କୁ ତ ସାହିତ୍ୟରେ ନୋବେଲ୍ ପୁରସ୍କାର ମଧ୍ୟ ମିଳିଛି ।

 

ଅନେକ ଅନେକ ସ୍ନେହ ଓ ଶୁଭେଚ୍ଛା,

 

ତୋ’ର

ୟର୍ଗନ

 

ଶ୍ରୀଯୁକ୍ତ ଜେ ଶେଟର୍‌ଲୀ

 

ଆଗ୍ରାରେ ଆମ ଶିକ୍ଷାନୁଷ୍ଠାନକୁ ଯୁକ୍ତରାଜ୍ୟ ଆମେରିକାରୁ Peace Corps ସ୍ୱେଚ୍ଛାସେବକ ହୋଇ ଆସିଥିଲେ । ସେହି ସମୟରେ ମୋ ସହିତ ଥରେ ଓଡ଼ିଶା ମଧ୍ୟ ବୁଲି ଆସିଲେ । ଭାରତବର୍ଷରୁ ଇରାନ୍ ଏବଂ ଲିବିୟା ଗଲେ । ଏଥର (୧୯୯୮) ଆମେ ଆମେରିକାରେ ମଧ୍ୟ ଆମ ଘରେ ଓଳିକ ପାଇଁ ମିଶିଥିଲୁ । ସମ୍ପର୍କ ଅବ୍ୟାହତ ରହିଛି । Jay Shetterly ଏବେ ବୋଷ୍ଟନ୍ ସହରର ଉପକଣ୍ଠରେ ରହନ୍ତି–ଜଣେ ଆଇନ୍‌ଜୀବୀ ଭାବରେ କାର୍ଯ୍ୟ କରନ୍ତି ।

 

ଟୋବ୍ରୁକ୍, ଲିବିୟା, ୧୮ । ୩ । ୬୯

 

ପ୍ରିୟ ଚିତ୍ତ ଭାଇ,

 

ତୁମର ଏମାସ ୬ ତାରିଖରେ ଲେଖା ଚିଠି ମୁଁ ବର୍ତ୍ତମାନ ପାଇଲି ଏବଂ ଆଦୌ କୌଣସି ବିଳମ୍ୱ ନକରି ଉତ୍ତରଟିଏ ଲେଖି ପଠାଉଛି । ଏହି ଦେଶର ସରକାରଙ୍କ ମାଧ୍ୟମରେ ହିଁ ମୋ’ ଉତ୍ତରଟି ତୁମ ପାଖକୁ ଲେଖି ପଠାଉଛି । ଏହି ଦେଶର ସରକାରଙ୍କ ମାଧ୍ୟମରେ ହିଁ ମୋ’ ଉତ୍ତରଟି ତୁମ ପାଖକୁ ପଠାଯିବ । ତୁମ କଟକରୁ ଖଣ୍ଡେ ଚିଠି ଆସି ପହଞ୍ଚିବାକୁ ୧୨ ଦିନ ଲାଗିଛି-। ବଡ଼ ଆଶ୍ଚର୍ଯ୍ୟର କଥା ପ୍ରକୃତରେ । କାରଣ, ଏଠାରୁ ଆମେରିକା ସାନ୍‌ଫ୍ରାନ୍‌ସିସ୍କୋ ପ୍ରାୟ ସେତିକି ରାସ୍ତା ହେବ; ଅଥଚ ସେଠାରୁ ମୋଟେ ପାଞ୍ଚଦିନ ଲାଗୁଛି ଏଠାରେ ଚିଠି ଆସି ପହଞ୍ଚିବାରେ-। ମୁଁ ଭାବୁଛି, ଏଠାରୁ ଭାରତବର୍ଷରେ ଯାଇ ପହଞ୍ଚିବା ଲାଗି ଗୋଟିଏ ଚିଠିକୁ ହୁଏତ ଆହୁରି ଅଧିକ ଡେରି ଲାଗିବ ।

 

ବର୍ତ୍ତମାନ ଆଡ଼ୁସାଡ଼ୁ କଥା ନ ଲମ୍ୱାଇ ମୁଁ ବର୍ତ୍ତମାନ ତୁମକୁ ଗୋଟିଏ ବିଶେଷ କଥା କହିବି, ଯାହା ଜାଣିଲେ ତୁମେ ଏକାବେଳେକେ ତାଟକା ହୋଇଯିବ । ମୁଁ ଏଠାରୁ କିଛିଦିନ ସକାଶେ ବାହାରକୁ ଯାଇଥିଲି, ଏବେ ଏହି ଜାଗାକୁ ଫେରିଲି । ଏହି ସାନ ଦେଶଟିର ତିନୋଟିଯାକ ରାଜଧାନୀ–ତ୍ରିପଲି, ବେଂଘାଜୀ ଏବଂ ବେଇଡ଼ାରେ ଆମେ ଏଥର କୋତୋଟି ବୈଠକରେ ମୋତେ ଉପସ୍ଥିତ ରହିବାକୁ ପଡ଼ିଥିଲା । ଏହି ଅଞ୍ଚଳରେ Peace Crops ତରଫରୁ ନିଯୁକ୍ତ ହୋଇ ରହିଥିବା ଆମ ନିର୍ଦ୍ଦେଶକ ଆମକୁ ଏଥିପାଇଁ ଡାକି ପଠାଇଥିଲେ; ଅଭିପ୍ରାୟ ହେଉଛି ଯେ, କାର୍ଯ୍ୟକ୍ରମଟି ଏହି ଅଞ୍ଚଳରେ କିପରି ଚାଲିଛି, ସେହି ବିଷୟରେ ସିଏ ଏକ ଧାରଣା କରି ପାରିବେ । ଏହାପରେ, ଆବଶ୍ୟକ ହେଲେ ସେ ଆଗାମୀ ବର୍ଷକୁ ଅଧିକ ସ୍ୱେଚ୍ଛାସେବୀ ଶିକ୍ଷକଙ୍କୁ ଏଣେ ନିୟୋଜିତ କରି ପାରିବେ କି ନାହିଁ, ସେହି ବିଷୟରେ ଏକ ନିଷ୍ପତ୍ତି ବି ଗ୍ରହଣ କରିପାରିବେ । ପ୍ରଥମ ବୈଠକଟି ତ୍ରିପଲିରେ ହେଲା ଏବଂ ସେଠାରୁ କର୍ତ୍ତାଙ୍କୁ ବଂଘାଜୀଠାରେ ହେଉଥିବା ବୈଠକକୁ ନେଇଯିବାର ଦାୟିତ୍ୱ ମୋ’ ଉପରେ ନ୍ୟସ୍ତ କରା ଯାଇଥିଲା । ଯେଉଁମାନେ ନିୟମିତ ଶିକ୍ଷଣ କାର୍ଯ୍ୟରେ ଅଛନ୍ତି, ସେମାନଙ୍କୁ ନିଜ ନିଜ ସ୍ଥାନ ଛାଡ଼ି ଅନ୍ୟତ୍ର ଯିବାକୁ କୁହାଯିବା ଉଚିତ ନୁହେଁ ବୋଲି ବିଚାର କରି ଆମ ପରି ଇନ୍‌ସ୍‌ପେକ୍ଟରଙ୍କ ସେହି କାର୍ଯ୍ୟଟି କରିବାଲାଗି କୁହାଗଲା । ଏହି କର୍ତ୍ତାଙ୍କର ନାମ ହେଉଛି ରବର୍ଟ ଷ୍ଟାଇନ୍‌ର ଏବଂ ଏକ ବୃହତ୍ତର ଅଞ୍ଚଳ (ଉତ୍ତର ଆଫ୍ରିକା, ମଧ୍ୟ ପ୍ରାଚ୍ୟ ଓ ଦକ୍ଷିଣ ଏସିଆ)ର Peace Corps ଗୁଡ଼ିକର କର୍ମର ତଦାରଖ ତଥା ତତ୍ତ୍ୱାବଧାନ କରିବାର କାର୍ଯ୍ୟରେ ତାଙ୍କୁ ନିଯୁକ୍ତ କରାଯାଇଛି । ଏହିପରି ଭାବରେ ଉଡ଼ାଜାହାଜରେ ଯାଉଥିବା ସମୟରେ ଆମେ ଏକ ଦୀର୍ଘ-ସମୟ କଥୋପକଥନର ଭଲ ଅବସରଟିଏ ଲାଭ କରି ପାରିଲୁ । କଥାବାର୍ତ୍ତାରେ ଭାରତବର୍ଷର ମଧ୍ୟ କଥା ଆସିଲା ଏବଂ ସିଏ ଏକଦା ଆଫଗାନିସ୍ତାନରେ Peace Corps ର ନିର୍ଦ୍ଦେଶକ ଥିବା ସମୟରେ ଭାରତବର୍ଷରେ ମଧ୍ୟ କିଛି କିଛି ବୁଲି ଦେଖି ସାରିଥିଲେ । ଶ୍ରୀଯୁକ୍ତ ଷ୍ଟାଇନର୍‌ ନିଜର କୁଳଜୀବିକା ଅନୁସାରେ କୃଷକ ଥିଲେ, ତା’ପରେ କୌଣସି କଲେଜରେ ଇଂରାଜୀ ପଢ଼ାଇଥିଲେ–ଓ ଶାନ୍ତିବାଦୀ ଥିଲେ । କଥୋପକଥନ ବେଳେ ସେ ମୋତେ କହିଲେ ଯେ, Peace Corpsର କାର୍ଯ୍ୟକ୍ରମ କ’ଣ ହେବା ଉଚିତ, ସେ ବିଷୟରେ ତାଙ୍କ ମୁଣ୍ଡକୁ ଗୋଟାଏ ନୂଆ ବିଚାର ଏବେ ଆସିଛି । ଏପର୍ଯ୍ୟନ୍ତ ହାତକୁ ନିଆ ଯାଇଥିବା ଆର୍ଥିକ ସହାୟତାର ସକଳ କାର୍ଯ୍ୟକ୍ରମ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ନୈତିକତାଶୂନ୍ୟ ବୋଲି ପ୍ରମାଣିତ ହୋଇଛି; ଆମେରିକା ସରକାରଙ୍କ ଅଧିକାଂଶ ବୈଦେଶିକ ନୀତି ସଦୃଶ ସେଗୁଡ଼ିକ କୌଣସି ବିକାଶଶୀଳ ଦେଶପାଇଁ ଗ୍ରହଣ କରା ଯାଉଛନ୍ତି ସିନା,–ସଂପୃକ୍ତ ହିତାଧିକାରୀ ଦେଶମାନଙ୍କର ଲୋକମାନେ ପ୍ରକୃତରେ କ’ଣସବୁ ଆବଶ୍ୟକ କରୁଛନ୍ତି, ସେଥିପ୍ରତି ଦୃଷ୍ଟି ନଦେଇ ଆବଶ୍ୟକତାଗୁଡ଼ିକ ବିଷୟରେ ଏମାନେ ନିଜେ କ’ଣସବୁ ଭାବୁଛନ୍ତି, ତାହାରି ଅନୁସାରେ ହିଁ ନିଷ୍ପତ୍ତିମାନ ନିଆଯାଉଛି । ହଁ, ଏହିପରି ଭାବରେ ନିଷ୍ପତ୍ତିମାନ ଗ୍ରହଣ କରି ଅତ୍ୟନ୍ତ ଉଦ୍ଧତ ଭାବର ହିଁ ଏଭଳି ନାନା କାର୍ଯ୍ୟକ୍ରମକୁ ପୂରା ଆମେରିକୀୟ ଢଙ୍ଗରେ ହିଁ କାର୍ଯ୍ୟକାରୀ କରିବା ନିମନ୍ତେ ସେମାନେ ବାହାରି ପଡ଼ୁଛନ୍ତି । ସେମାନେ ଆମେରିକା ତରଫରୁ ନିର୍ଦ୍ଦିଷ୍ଟ କରିଦିଆ ଯାଇଥିବା ଲକ୍ଷ୍ୟଗୁଡ଼ିକୁ ହାସଲ କରିବାରେ ଲାଗି ଯାଉଛନ୍ତି-। ଶ୍ରୀଯୁକ୍ତ ଷ୍ଟାଇନର୍ କହିଥିଲେ ଯେ ଏହି ଶୈଳୀଟାକୁ ଦେଖି ଦେଖି ତାଙ୍କର ପୂରାପୂରି ବିରକ୍ତି ଆସିଗଲାଣି । ମୁଁ ଏସବୁ କଥା ଶୁଣୁଥାଏ ଏବଂ ବେଶ୍ ଚକିତ ହେବାରେ ଲାଗିଥାଏ ଯେ, ଏହି ବ୍ୟକ୍ତିଜଣକ ଜଣେ ଉଚ୍ଚ ହାକିମ ହିସାବରେ ଏଡ଼େ ଉଚ୍ଚରେ ରହିଛନ୍ତି ଏବଂ ସିଏ Peace Corps ର ଏହି କ୍ରିୟାପ୍ରଣାଳୀଟିକୁ ପ୍ରକାଶ୍ୟ ଭାବରେ ନିନ୍ଦା କରିବାକୁ ମଧ୍ୟ ଇଚ୍ଛା କରୁଛନ୍ତି । ଜଣେ ଇଚ୍ଛା କଲେ ମୁକ୍ତ ଭାବରେ ନିଜର ପ୍ରକୃତ କଥା କହିପାରିବ ତଥା ସ୍ୱକୀୟ ସ୍ୱତନ୍ତ୍ର ମତ ମଧ୍ୟ ଦେଇପାରିବ,–Peace Corps ଏଥିପାଇଁ ଅବଶ୍ୟ ପ୍ରୋତ୍ସାହନ ଦେଉଛି ଏବଂ ପ୍ରକୃତ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସେହିପରି ହୋଇ ପାରୁଛି । ଜଣେ ସ୍ୱେଚ୍ଛାସେବୀ ସଂସ୍ଥାରେ ୫ ବର୍ଷରୁ ଅଧିକ ସମୟ ରହି ପାରିବନାହିଁ ବୋଲି ଏଥିରେ ନିୟମଟିଏ ରହିଛି ଓ ସେହି ଅନୁସାରେ ଶ୍ରୀ ଷ୍ଟାଇନ୍‌ରଙ୍କର ଏଇଟି ହେଉଛି ଶେଷ ବର୍ଷ । ତେଣୁ, ଆପଣାର ଅନ୍ତିମ ବର୍ଷର ବକ୍ତବ୍ୟ ରୂପେ ସେ ଏହି ଏସୀୟ ଅଞ୍ଚଳରେ ‘ଶାନ୍ତି-ବାହିନୀ’ର ଦୃଷ୍ଟିକୋଣକୁ ମୁଖ୍ୟତଃ ଆର୍ଥିକ ବିକାଶରୁ ଶାନ୍ତି ତଥା ବୁଝାମଣା ଆଡ଼କୁ ମୁହାଁଇ ଦେବାକୁ ଇଚ୍ଛା କରୁଛନ୍ତି । ଅବଶ୍ୟ, ଏକଥା ଠିକ୍ ଯେ, Peace Corps ର ସ୍ୱେଚ୍ଛାସେବୀମାନେ ପୂର୍ବପରି କିଛି ନା କିଛି କାର୍ଯ୍ୟକ୍ରମ ମଧ୍ୟ ଚାଲୁ ରଖିବେ ମାତ୍ର, ଯେଉଁ ଲୋକମାନଙ୍କ ସହିତ ରହି ସେମାନେ କର୍ମରତ ଅଛନ୍ତି, ସେମାନଙ୍କ ମନରେ ଭାତୃତ୍ୱ ଏବଂ ପ୍ରୀତିର ଏକ ଭାବାନୁଭବ ଜାଗ୍ରତ କରି ଆଣିବା ଏଣିକି ପ୍ରାଥମିକ ଲକ୍ଷ୍ୟ ହୋଇ ରହିବ । ମୋଟେ କୌଣସି ସନ୍ଦେହ ନାହିଁ ଯେ, ଏହି କଥାଗୁଡ଼ିକ ଅତ୍ୟନ୍ତ ପରିମାଣରେ ଅସ୍ପଷ୍ଟ ଲାଗୁଛି ସତ, ମାତ୍ର ସତକୁ ସତ କାର୍ଯ୍ୟକ୍ରମଟି ମୂଳତଃ ସେହିପରି ହିଁ ରହିପାରିବା ଉଚିତ ହେବ । ଗୋଟିଏ କଥାରେ ମୁଁ ଏକାନ୍ତ ସୁନିଶ୍ଚିତ ଯେ, ଶ୍ରୀଯୁକ୍ତ ଷ୍ଟାଇନରଙ୍କର ନିଜର ଉକ୍ତି ବିଷୟରେ ପୂର୍ଣ୍ଣ ଆନ୍ତରିକତା ରହିଛି ଏବଂ ଆପଣାର ଏହି ବିଚାରକୁ କାର୍ଯ୍ୟକାରୀ ରୂପଟିଏ ଦେବା ନିମନ୍ତେ ସେ ନିଶ୍ଚୟ ଆବଶ୍ୟକ ସକଳ ଚେଷ୍ଟା କରିବେ । କିନ୍ତୁ ପ୍ରଶ୍ନଟି ହେଉଛି, ଏଥିପାଇଁ ଜଣଙ୍କୁ କ’ଣ ସବୁ ପଦକ୍ଷେପ ନେବାକୁ ପଡ଼ିବ ? ସମଗ୍ର Peace Corps ସଂସ୍ଥାଟି ଏକ ଅମଲାତାନ୍ତ୍ରିକ ବିଧିରେ ହିଁ କାର୍ଯ୍ୟ କରିଥାଏ ଓ ତେଣୁ ଏଠି ଯାହାକିଛି କଥାର ପ୍ରବର୍ତ୍ତନ କରାଇବାକୁ ହେଲେ, ତାହା କିପରି ଭାବରେ କାର୍ଯ୍ୟକାରୀ ହେଉଛି ଓ ମୂଳ ଉଦ୍ଦେଶ୍ୟଟି ସହିତ କେତେ ସଙ୍ଗତି ରଖି ବା ନରଖି ସବୁକିଛି କ୍ରିୟାଶୀଳ ହେଉଛି, ତାହା ତଦାରଖ କରି ଦେଖିବାପାଇଁ ମଧ୍ୟ ଉପରୁ ସର୍ବଦା କଟକଣା ମଧ୍ୟ ରହିବ-

 

ନିଜର ଏହି ନୂଆ କାର୍ଯ୍ୟକ୍ରମଟି ପାଇଁ ଅନୁକୂଳ ଏକ ଭୂମି ପ୍ରସ୍ତୁତ କରିବା ସକାଶେ ଶ୍ରୀ ଷ୍ଟାଇନର୍ ଆକଳନ ତଥା ମୂଲ୍ୟାୟନର କାର୍ଯ୍ୟଟିକୁ ମଧ୍ୟ ନୂଆ ଶୈଳୀଟିଏ ଦେବାକୁ ଇଚ୍ଛା କରୁଛନ୍ତି-। ସିଏ ଭାବୁଛନ୍ତି, ଏଥିପାଇଁ ଜଣେ ପ୍ରମୁଖ ଭାରତୀୟ ସମାଜଶାସ୍ତ୍ରୀଙ୍କୁ ନିଯୁକ୍ତି ଦିଆଯିବ, ଯିଏକି ଆମେରିକାର ଜଣେ ସମାଜଶାସ୍ତ୍ରୀଙ୍କ ସହିତ ସହଯୋଗୀ ଭାବରେ କାର୍ଯ୍ୟ କରିବେ । ଆମେରିକାନ୍‍ ସମାଜଶାସ୍ତ୍ରୀ ଜଣକ ମଧ୍ୟ ସେହି କ୍ଷେତ୍ରରେ ଅତ୍ୟନ୍ତ ପରିଚିତ ଥିବେ ଏବଂ ଆମେରିକା ବାହାରେ ମଧ୍ୟ ଉତ୍ତମ ପ୍ରତିଷ୍ଠା ଲାଭ କରିଥିବେ । ସିଏ Peace Corps ସ୍ୱେଚ୍ଛାସେବକ କାର୍ଯ୍ୟ କରୁଥିବା ଭାରତର ସବୁଯାକ ଅଞ୍ଚଳକୁ ନିଜେ ଯିବେ । ଏହି ସ୍ୱେଚ୍ଛାସେବୀ ବାହିନୀଟି ଗ୍ରାମବାସୀଙ୍କ ସହିତ କରୁଥିବା କାର୍ଯ୍ୟଗୁଡ଼ିକର କ୍ଷେତ୍ରରେ ପ୍ରକୃତରେ କ’ଣସବୁ କରୁଛି, ସିଏ ପ୍ରତ୍ୟକ୍ଷ ଭାବରେ ଦେଖିବେ-। ଏହାଦ୍ୱାରା ସମ୍ପର୍କ ଓ ଭାବପରିଚୟ ବଢ଼ିବ, ଲୋକମାନଙ୍କ ସହିତ ବୁଝାମଣା ଘନିଷ୍ଠ ହେବ । ଅପର ପକ୍ଷରେ କ’ଣସବୁ କରୁଥିବାରୁ ସଂପୃକ୍ତ କୌଣସି ଗ୍ରାମସହିତ ହୁଏତ ଏକ ଦୂରତା ମଧ୍ୟ ସୃଷ୍ଟି ହେଉଛି, ସେହି କଥାଟିକୁ ମଧ୍ୟ ସିଏ ଜାଣିବାକୁ ସମର୍ଥ ହେବେ । ସେମାନେ ଏପରି କିଛି ଅନୁଚିତ ଦୃଷ୍ଟିଭଙ୍ଗୀର ପରିଚୟ ଦେଲେ କି, ଯାହାଫଳରେ ସେମାନଙ୍କର ସ୍ୱେଚ୍ଛାସେବୀମାନଙ୍କ ପ୍ରତି ମନୋଭାବକୁ ତିକ୍ତ କରିଦେଲା; ତେଣୁ, ଆମେରିକାନମାନଙ୍କୁ ବସ୍ତୁତଃ ଯେଉଁ ନୂଆପ୍ରକାରେ ପ୍ରଶିକ୍ଷଣ ଦିଆଯିବ, ଯାହା କି ଏହି ନୂତନ ଲକ୍ଷ୍ୟଗୁଡ଼ିକ ବିଷୟରେ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସହାୟକ ହେବ,–ଏହିଭଳି ଏକାଧିକ ବହୁ ସ୍ଥିତି ତଥା ପରିସ୍ଥିତିଗୁଡ଼ିକ ସମ୍ପର୍କରେ ସମାଧାନ ବାହାର କରି ପାରିବେ । ହଁ, ଉପରଠାଉରିଆ ହୋଇ କିଛି କରିଦେଲେ ଏଥିପାଇଁ ମୋଟେ ଯଥେଷ୍ଟ ହେବନାହିଁ । ଦୁଇ ସମାଜବିଜ୍ଞାନୀ ଯଥାସମ୍ଭବ ଅଧିକ ସମୀକ୍ଷାତ୍ମକ ଦୃଷ୍ଟିରେ ସବୁଟିର ଆକଳନ କରିବେ । ପୁରାତନ ଦୃଷ୍ଟିକୋଣଟିକୁ ମଧ୍ୟ ମୋହରହିତ ଭାବରେ ଓଜନ କରି ପାରୁଥିବେ ଏବଂ ଅବାଞ୍ଛିତ ଦୃଷ୍ଟିଭଙ୍ଗୀମାନଙ୍କୁ ବଦଳାଇବାରେ ମଧ୍ୟ ଅଧିକ ସହାୟକ ହେବାକୁ ପ୍ରୟାସ କରିବେ ।

 

ଶ୍ରୀଯୁକ୍ତ ଷ୍ଟାଇନର ମୋତେ ନିଜର ଏହିସବୁ ବିଚାରଗୁଡ଼ିକ ବିଷୟରେ ବୁଝାଇ ଦେଇ କହିବାପରେ ମୁଁ ଉତ୍ତରରେ କହିଥିଲି, ଏଇଟି ପ୍ରକୃତରେ କେଡ଼େ ବଡ଼ ସଂଯୋଗର କଥା ଯେ ସିଏ ଯେଉଁଭଳି ଜଣେ ବ୍ୟକ୍ତିକୁ ଏଥିନିମନ୍ତେ ପାଇବେ ବୋଲି ଇଚ୍ଛା କରୁଛନ୍ତି, ମୁଁ ପ୍ରକୃତରେ ସେହି ବ୍ୟକ୍ତିଟିକୁ ଖୁବ୍ ଭଲ ଭାବରେ ଜାଣିଛି । ମୁଁ ତୁମ ବିଷୟରେ ଯେତିକି କଥା ଜାଣିଥିଲି, ସଂକ୍ଷେପରେ ତାଙ୍କୁ କହିଦେଲି । ଏବଂ, ତୁମ ସମ୍ପର୍କରେ ତାଙ୍କୁ କଥାଗୁଡ଼ିକ ସବୁଠାରୁ ଅଧିକ ଆକର୍ଷକ ମନେ ହୋଇଥିଲା, ସେଗୁଡ଼ିକ ହେଉଛି : ତୁମେ ଏଡ଼େ ଭଲ ଭାବରେ ଏତେଗୁଡ଼ିଏ ଭାରତୀୟ ଭାଷା ଜାଣିଛ, ନିଜ ଦେଶରେ ପ୍ରାୟ ସବୁ ଅଞ୍ଚଳକୁ ଯାଇ ପ୍ରତ୍ୟକ୍ଷ ଅନୁଭୂତି ଅର୍ଜନ କରିଛ । ଭାରତବର୍ଷ ସାରା ଏତେ ଲୋକଙ୍କ ସହିତ ତୁମର ସମ୍ପର୍କ ରହିଛି, ଯେଉଁମାନେ କି ଆମେରିକାର ଏହି Peace Corps ବାହିନୀର କାର୍ଯକଳାପରେ ଏହି ନୂତନ ଧାରାରେ ଉନ୍ନତିସାଧନ କରିବାରେ ନିଜର ପ୍ରସ୍ତାବମାନ ଦେବାରେ ପ୍ରକୃତରେ ଆଗ୍ରହ ପ୍ରକାଶ କରିବେ । ହଁ, ଏହି ସ୍ୱେଚ୍ଛାସେବୀ କେତେକଙ୍କ ବିଷୟରେ ମଧ୍ୟ ତୁମର କିଛି ସିଧା ଅନୁଭବ ରହିଛି,–କେତେକ ଭଲ ଏବଂ କେତେକ ମନ୍ଦ ସ୍ୱେଚ୍ଛାସେବୀଙ୍କର କାର୍ଯ୍ୟ ବିଷୟରେ । ଏବଂ, ଏହି କ୍ଷେତ୍ରରେ ଅଠିକ୍ ତଥା ଅହିତକାରୀ ଦୃଷ୍ଟିଭଙ୍ଗୀ ବିଷୟରେ ତୁମର କିଛି ନିଜର ଧାରଣା ମଧ୍ୟ ରହିଛି । ତୁମେ ବିଦେଶରେ ଶିକ୍ଷାଲାଭ କରିଛ, ସାଂପ୍ରତିକ ସମାଜ–ବୈଜ୍ଞାନିକ ପ୍ରାୟ ସବୁଯାକ ସାହିତ୍ୟ ସହିତ (ଅନ୍ତତଃ ମୁଁ ସେହିଭଳି ଅନୁମାନ କରିଛି) ତୁମର ଘନିଷ୍ଠ ପରିଚୟ ରହିଛି । ଏହିପରି ତୁମ ସମଗ୍ର ପଶ୍ଚାଦଭୂମି ଏବଂ ଆଗ୍ରହଗୁଡ଼ିକ ତାଙ୍କୁ ବିଶେଷ ଭାବରେ ଉପଯୁକ୍ତ ବୋଲି ଲାଗିଥିଲା । ସିଏ ତ ସେହିଭଳି ଜଣେ ବ୍ୟକ୍ତିଙ୍କୁ ପାଇବେ ବୋଲି ଚିନ୍ତା କରୁଥିଲେ । ସିଏ ତୁମ ସମ୍ପର୍କରେ ମୋତେ ଆହୁରି କେତେଗୁଡ଼ିଏ ପ୍ରଶ୍ନ ବି ପଚାରିଥିଲେ ଏବଂ ତୁମର ନାଆଁ ଓ ଠିକଣା ଟିପି ନେଇଥିଲେ ।

 

ସେହି ବିଷୟରେ ଆମେ ଆହୁରି କିଛି ବି କଥା ହୋଇଥିଲୁ ଏବଂ ଶେଷକୁ ତାଙ୍କୁ ସବୁଠାରୁ ଅଧିକ ଉଲ୍ଲେଖଯୋଗ୍ୟ ଲାଗିବା ପରି ବୋଧ ହେଉଥିଲା ଯେ, ତୁମେ ଭାରତବର୍ଷର ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲ ଏବଂ ଗାନ୍ଧୀ ତଥା ବିନୋବାଙ୍କର କିଛି କାର୍ଯ୍ୟରେ ମଧ୍ୟ ନିଜକୁ ସଂପୃକ୍ତ କରିଥିଲ । ଶ୍ରୀ ଷ୍ଟାଇନର୍ ସେହିସବୁ କାର୍ଯ୍ୟକ୍ରମ ସହିତ ସ୍ୱୟଂ ସୁପରିଚିତ ଥିଲେ । ହଁ, ତୁମେ ଓଡ଼ିଶାରେ ନିଜର ଯେଉଁ ବିଦ୍ୟାଳୟଟି ଆରମ୍ଭ କରିଥିଲ, ସେକଥାଟି ମଧ୍ୟ ତାଙ୍କୁ ଅତିଶୟ ଆକର୍ଷଣ କଲା । କାରଣ, ଏହି Peace Corps ସହିତ ତାଙ୍କର ନିଯୁକ୍ତିକାଳ ସମ୍ପୂର୍ଣ୍ଣ ହୋଇଯିବା ପରେ ସିଏ ମଧ୍ୟ ଆମେରିକା ଫେରି ସେହିଭଳି କୌଣସି ପ୍ରୟୋଗରେ ମନୋନିବେଶ କରିବେ ବୋଲି ଇଚ୍ଛା ରଖିଛନ୍ତି । ମୁଁ ଭାବୁଛି, ଏପରି ଏକ ଯୋଜନାରେ ତୁମର ନାଆଁକୁ ପ୍ରସ୍ତାବ କରି ମୁଁ ମୋ’ ସ୍ୱାଧୀନତାର ସୀମାଟିକୁ ଅତିକ୍ରମ କରି ପକାଇଲି ନାହିଁ ତ ? ମାତ୍ର, ମୁଁ ଅନୁମାନ କରୁଛି, ଏପରି ଗୋଟିଏ ସୁଯୋଗ ତୁମକୁ ମଧ୍ୟ ବେଶ୍ ଆକର୍ଷଣୀୟ ଲାଗିବ । ଅତୀତରେ ତୁମେ Peace Corps ବିଷୟରେ ଅତ୍ୟନ୍ତ ତୀକ୍ଷ୍‍ଣ ସମୀକ୍ଷାତ୍ମକ ଦୃଷ୍ଟିରେ ନାନା କଥାର ବିଚାର କରିଛ ଏବଂ ମନ୍ତବ୍ୟମାନ ଦେଇଛ,–ଏହା ସତ୍ତ୍ୱେ ବା ଏହି କାରଣରୁ ହିଁ ମୁଁ ତୁମ ବିଷୟରେ ପ୍ରସ୍ତାବଟି ଦେଇଛି । ଏଥିପାଇଁ କିଛି ସମୟ ତ ଲାଗିବ ହିଁ ଲାଗିବ,–ଏହି ସମଗ୍ର ନୂଆ ଯୋଜନାଟି ଆଗ ଓ୍ୱାଶିଂଟନର ସମ୍ମତି ମଧ୍ୟ ଲାଭ କରିବ । ….ଏହି ସମସ୍ତଟି ବିଷୟରେ ତୁମ ନିଜର ପ୍ରତିକ୍ରିୟା ଜାଣିବା ନିମନ୍ତେ ମୁଁ ଅପେକ୍ଷା କରି ରହିଲି । ତେବେ, ତୁମର ଆଗ୍ରହ ଅଛି ଜାଣିଲେ ମୁଁ ଶ୍ରୀ ଷ୍ଟାଇନରଙ୍କ ସହିତ ସିଧା ସମ୍ପର୍କ ମଧ୍ୟ କରାଇ ଦିଅନ୍ତି ।

 

ବର୍ତ୍ତମାନ ସ୍ଥାନୀୟ ରାତିସ୍କୁଲରେ ମୁଁ ସପ୍ତାହକୁ ଚଉଦଟି କ୍ଲାସ ନେଉଛି । ଦିନରେ ମଧ୍ୟ ମୋ’ ଲାଗି କେତୋଟି ନିର୍ଦ୍ଦିଷ୍ଟ କାର୍ଯ୍ୟ ରହିଛି । ଏବେ ନିଜର ଅଧ୍ୟୟନ ନିମନ୍ତେ ମୋତେ ଆଦୌ ବେଶୀ ସମୟ ମିଳୁନାହିଁ । ତଥାପି ଆରବୀ ଭାଷା ଶିକ୍ଷା କରିବାରେ କିଛି ଅଗ୍ରଗତି ଅବଶ୍ୟ ହେଉଛି-

 

ଆଗାମୀ ଗ୍ରୀଷ୍ମଛୁଟିରେ ମୁଁ କ’ଣସବୁ କରିବି, କିଛି ଚୂଡ଼ାନ୍ତ ଭାବରେ ଠିକ୍ ହୋଇନାହିଁ । ତଥାପି ଭାବୁଛି, କୃଷ୍ଣ ଆଫ୍ରିକା ବିଷୟ କିଛି ପ୍ରତ୍ୟକ୍ଷ ଅଭିଜ୍ଞତା ନିଶ୍ଚୟ ଅର୍ଜନ କରିବି । ଏଠାରେ ସୁଡ଼ାନର କେତେଜଣ ବନ୍ଧୁଙ୍କ ସହିତ ପରିଚୟ ହେଲାଣି ଯେଉଁମାନେ ସେମାନଙ୍କର ଦେଶଟିକୁ ବୁଲି ଦେଖିବାରେ ମୋତେ ସାହାଯ୍ୟ କରିବେ । ସେଠାରେ କେତେକ ଦୂର ଆଭ୍ୟନ୍ତରୀଣ ସ୍ଥାନକୁ ଯିବାର କଳ୍ପନା ରହିଛି । ସୁଡ଼ାନରୁ ଉଗାଣ୍ଡା ଯିବାପାଇଁ ଚେଷ୍ଟା କରିବି, ତା’ପରେ କେନିଆ; ସେଠାରୁ ସମୟ ଥିଲେ ଆଫ୍ରିକାର ପଶ୍ଚିମ ଉପକୂଳ ।

 

ଶୀଘ୍ର ଚିଠିର ଉତ୍ତର ପାଇବି ।

 

ଇତି

ତୁମର

ଜେ

 

 

 

 

 

 

 

 

 

 

 

 

 

ନିଜ ଦେଶ

 

ଶ୍ରୀଯୁକ୍ତ ଅସିତ୍ କବି

 

[ଓଡ଼ିଶା ଭାଷା ଓ ସାହିତ୍ୟର ଅଧ୍ୟାପକ ଡକ୍ଟର ଅସିତ୍‍ କବି କଟକ ରେଭେନ୍ସା କଲେଜରେ ଥିବା ସମୟରୁ ତାଙ୍କ ସହିତ ପରିଚୟ । ସେହି ପରିଚୟ କ୍ରମଶଃ ଅଧିକରୁ ଅଧିକ ଆକର୍ଷକ ହିଁ ହୋଇ ଆସିଥିଲା । ପ୍ରବନ୍ଧ ଓ ସମାଲୋଚନାର କ୍ଷେତ୍ରରେ ତାଙ୍କର ସମୀକ୍ଷାତ୍ମକ ଶ୍ରଦ୍ଧାଦୃଷ୍ଟିଟି ସର୍ବଥା ବାରି ହୋଇ ପଡ଼ୁଥିଲା । ସିଏ ଏଡ଼େ ଚଞ୍ଚଳ ସଂସାରରୁ ଚାଲିଗଲେ କାହିଁକି କେଜାଣି ?]

 

କଟକ, ୪ । ୨ । ୭୮

 

….ଆପଣଙ୍କର ପତ୍ର ପାଇ ବିଶେଷ ଆନନ୍ଦିତ ହେଲି । ପତ୍ରର ପ୍ରତିଟି ପଦ ସ୍ନେହ ଓ ମମତାସିକ୍ତ ହୋଇ ମୋ’ର ଚକ୍ଷୁ ଅଶ୍ରୁସିକ୍ତ କରିଛି । ମୋ’ର ସ୍ତ୍ରୀଙ୍କର ବିୟୋଗ ପରେ ଜୀବନ ଏକ ଅଭିଶାପ ପ୍ରତୀତ ହୋଇଛି । ଛୋଟ ଛୋଟ ପିଲାମାନଙ୍କୁ ମଣିଷ କରିବା ପାଇଁ ଏତେ ଦୁଃଖରେ ବି ବଞ୍ଚିବାରେ ଚେଷ୍ଟା କରିଛି । ଆପଣ ମୋ’ ଜାତିର, ମୋ’ ସାହିତ୍ୟର ଗୌରବ । ଆପଣଙ୍କଠାରୁ ଚିଠି ପାଇବାର ସୌଭାଗ୍ୟ ମୋ’ ପ୍ରତି ଦେବତାର ଆଶୀର୍ବାଦ ।

 

ମୌଳିକ ପ୍ରବନ୍ଧ ସମ୍ପର୍କିତ ଆଲୋଚନାରେ ମୁଁ ଯଥାସମ୍ଭବ ନିରପେକ୍ଷ ରହିଛି; କିନ୍ତୁ ସମାଲୋଚନା ସଂପର୍କିତ ଆଲୋଚନାରେ ମୁଁ ନିର୍ଭୀକ ହୋଇ ପାରିନି । ସ୍ଥଳବିଶେଷରେ କେତେକ ଅଧ୍ୟାପକଙ୍କର ଅଯଥା ସ୍ତୁତିଗାନ କରିଛି । ତେଣୁ ସେହି ଆଲୋଚନାଗୁଡ଼ିକ ଯଥାର୍ଥ ଆଲୋଚନା ନୁହେଁ….ଗୋଟାଏ ଭୀରୁ ମନର ଦୟନୀୟ ଅଭିବ୍ୟକ୍ତି । ଏ କଳଙ୍କ ସପ୍ତସାଗରର ଜଳରେ ଧୋଇ ହେବନି । ମୋ ପ୍ରକାଶକ ବହିର ବାଣିଜ୍ୟିକ ମୂଲ୍ୟ ଉପରେ ଗୁରୁତ୍ୱ ଦେଲେ….ଆଉ ମୁଁ ତେଣୁ ସ୍ଥଳବିଶେଷରେ ନିର୍ଭୀକ ହୋଇ ପାରିଲିନି….ଉଜ୍ଜ୍ୱଳ ହୋଇ ପାରିଲିନି….ଇତିହାସ ଏଥିପାଇଁ ମୋତେ କ୍ଷମା ଦେବନାହିଁ । ପରିଶିଷ୍ଟରେ ଦେବା ପାଇଁ ପ୍ରତ୍ୟେକ ପ୍ରାବନ୍ଧିକଙ୍କର ପୁସ୍ତକର ସୂଚୀ ପ୍ରସ୍ତୁତ କରିଥିଲି; ଏହା ମାତ୍ର ୨୦ ପୃଷ୍ଠା ହୋଇଥାଆନ୍ତା । ମାତ୍ର ବହିଟି ଶୀଘ୍ର ଆଲୋକକୁ ଆଣିବା ପାଇଁ ପ୍ରକାଶଙ୍କର ବ୍ୟସ୍ତତା ଓ ମୂଲ୍ୟବୃଦ୍ଧିର ଆଶଙ୍କା ମୋର ସେହି ସ୍ୱପ୍ନକୁ ବ୍ୟର୍ଥ କଲା । ଯଦି ଆପଣମାନଙ୍କର ଆଶୀର୍ବାଦରୁ ବହିଟିର ଦ୍ୱିତୀୟ ସଂସ୍କରଣ ସମ୍ଭବ ହୁଏ, ତେବେ ନିଶ୍ଚୟ ତାହା ସନ୍ନିବିଷ୍ଟ ହେବ ।

 

ଦିନେ ମୁଁ ଭାବୁଥିଲି ଆମ ପ୍ରବନ୍ଧ ସାହିତ୍ୟ ଦରିଦ୍ର; କିନ୍ତୁ ଯେତେବେଳେ ଆପଣଙ୍କର ଲେଖା ପଢ଼ିଲି, ସେତେବେଳେ ଆନନ୍ଦରେ ଅଧୀର ହୋଇ ପଡ଼ିଲି । ଯେଉଁ ଦେଶର ସାହିତ୍ୟରେ ‘ଜୀବନ ବିଦ୍ୟାଳୟ’ ଅଛି, ସେ ଦେଶର ସାହିତ୍ୟରେ ସବୁ ଅଛି । ଆପଣଙ୍କର ଲେଖା ପଢ଼ି ଜଣେ ଓଡ଼ିଆ ହିସାବରେ ମୁଁ ଗର୍ବ ଅନୁଭବ କରିଛି…. ମୋ’ର ଆଶା ସମଗ୍ର ଓଡ଼ିଆ ଜାତି ଦିନେ ଆପଣଙ୍କର ସାହିତ୍ୟ ପାଇଁ ଗର୍ବ ଅନୁଭବ କରିବ । ଏ ଜାତି ଅଳସୁଆ ହୋଇ ପଡ଼ିଛି….ପଢ଼ିବାର ଅଭ୍ୟାସ ନାହିଁ । ତେଣୁ ନିଜ ସାହିତ୍ୟର ମାଣିମାଣିକ୍ୟ ସମ୍ପର୍କରେ ଅନଭିଜ୍ଞ । ଆଜି ବିଧର୍ମୀର ଭିଡ଼ରେ ସମଗ୍ର ବିଶ୍ୱ ଯେତେବେଳେ ଗଭୀର ହତାଶାରେ ମ୍ରିୟମାଣ, ଶତଦ୍ରୁ ତଟର ଋଷି ପରି ଆପଣ ମଣିଷସମାଜରେ ଜୀବନରେ ଅମୃତର ସନ୍ଧାନ ଦେଇଛନ୍ତି । ଆପଣଙ୍କର ସମସ୍ତ ବହି ଏ ଭିତରେ ସଂଗ୍ରହ କରି ରଖିଛି; କେବଳ ‘ଡେନ୍‌ମାର୍କ୍‌ ଚିଠି’ ପାଇନି । କେଉଁଠାରେ ମିଳିବ ଦୟା କରି ଲେଖିବେ । ଆପଣଙ୍କ ସାହିତ୍ୟର ଯଥାର୍ଥ ମୂଲ୍ୟାୟନ ପାଇଁ ମୋ’ ଅପେକ୍ଷା ଯୋଗ୍ୟତାର ବ୍ୟକ୍ତି ଲୋଡ଼ା । ଆପଣଙ୍କର ଅଧ୍ୟୟନର ପରିସର ଏତେ ବ୍ୟାପକ ଯେ ତାହା ଲକ୍ଷ୍ୟ କଲେ ବିସ୍ମିତ ନହୋଇ ରହି ହୁଏନା ।

 

ରହିଲି । ଆଶୀର୍ବାଦ କରନ୍ତୁ ମୁଁ ଉଜ୍ଜ୍ୱଳ ହୁଏ, ନିର୍ଭୀକ ହୁଏ ।

 

ସ୍ନେହର

ଅସିତ

 

ଶ୍ରୀଯୁକ୍ତ କାଳିନ୍ଦୀଚରଣ ପାଣିଗ୍ରାହୀ

 

[ଶ୍ରୀ କାଳିନ୍ଦୀଚରଣଙ୍କର ପ୍ରାୟ ସବୁ ରଚନା ମୁଁ ମୋ’ର ସେହି ଛାତ୍ରାବସ୍ଥାଟିରୁ ହିଁ ପାଠ କରିଛି । ମୋ’ ’ଗଞ୍ଜାମ ମାଳରେ ସାତଦିନ’ ବହିରେ ସିଏ ଆଦ୍ୟମନ୍ତବ୍ୟଟିଏ ଦେଇଛନ୍ତି । ସ୍ନେହପରିଚୟଟି ମୋତେ ସବୁବେଳେ ଅତ୍ୟନ୍ତ ନିବିଡ଼ ଲାଗିଛି ।]

 

କଟକ, ୧୦ । ୧୧ । ୪୯

 

ସ୍ନେହାସ୍ପଦେଷୁ,

 

ଶ୍ରୀମତୀ ସରଳା ଦେଈଙ୍କଠାରୁ ଆପଣଙ୍କ ରଚିତ ‘ନେପାଳ ପଥେ’ ବହି ଖଣ୍ଡି ପାଇଥିଲି-। ଅଶେଷ ଧନ୍ୟବାଦ । ବର୍ଣ୍ଣନାଟି ଯେପରି ଚିତ୍ତାକର୍ଷକ ହୋଇଛି ଭାଷା ମଧ୍ୟ ସେହିପରି ମାର୍ଜିତ । ଆପଣଙ୍କର ଏହା ପ୍ରଥମ ଲେଖା ହୋଇଥିଲେ ଆହୁରି ଅନେକ ଆପଣଙ୍କ ଠାରୁ ଆଶା କରାଯାଏ ।

 

ଶୁଭାକାଂକ୍ଷୀ

କାଳିନ୍ଦୀଚରଣ ପାଣିଗ୍ରାହୀ

 

କଟକ, ୨୭ । ୮ । ୫୪

ଶ୍ରଦ୍ଧେୟ ଚିତ୍ତରଞ୍ଜନ ବାବୁ,

ଏଥର ଅନୁଗୋଳରୁ ଫେରି କେତୁଟା କଥା ମନଭିତରେ ଉଙ୍କିମାରୁଛି । ଶ୍ରେଣୀହୀନ, ଶୋଷଣହୀନ ଅହିଂସକ ସମାଜ ଗଢ଼ିବା ହେଉଛି ବର୍ତ୍ତମାନ ଅସଲ ଲକ୍ଷ୍ୟ । ଏହାରି ଉପରେ ଆମ ମୌଳିକଶିକ୍ଷା-ଯୋଜନା ଏବଂ ଦାନଯଜ୍ଞ, ଆଭ୍ୟନ୍ତରୀଣ ଓ ବୈଦେଶିକ ନୀତି ନିର୍ଭର କରୁଚି । ମୌଳିକ ଶିକ୍ଷା ମାଧ୍ୟମରେ ଶ୍ରେଣୀହୀନ, ଶୋଷଣହୀନ ଓ ଅହିଂସକ ସମାଜ କିପରି ଗଠନ କରାଯିବ, ତାହା ଆଜି ଭାବିବାର କଥା । ଦୈହିକ କର୍ମଦ୍ୱାରା ତାହା ଯେଉଁସବୁ ଉପାୟରେ ହାସଲ କରିହେବ, ସେଥିଲାଗି ଅବଶ୍ୟ ବାଜିରାଉତ ଛାତ୍ରାବାସରେ ଉଦ୍ୟମ ଚାଲିଛି ଓ ଚାଲିବ । ବୌଦ୍ଧିକ ଦିଗଟା ମଧ୍ୟ ବାଦ୍‌ ଯାଇନାହିଁ । ତଥାପି ଏ ଦିଗରେ ଆଉକିଛି କରିବାକୁ ହେବ ବୋଲି ମୁଁ ଭାବୁଚି । ମୌଳିକ ଶିକ୍ଷାର ପାଠ୍ୟ ତାଲିକା କିଭଳି ହେବା ଲୋଡ଼ା ଏବଂ ତାହା ଭିତରେ ଏଇ ଶ୍ରେଣୀହୀନ, ଶୋଷଣହୀନ ଓ ଅହିଂସକ ସମାଜର ଚିତ୍ର କିପରି ଫୁଟାଇବାକୁ ହେବ, ତାହା ଅବଶ୍ୟ ଦେଶର ଶିକ୍ଷାବିତ୍‌ମାନେ ଠିକ୍‌ କରିଦେବେ । ସେ ବିଷୟରେ ଆମକୁ ବେଶି ମୁଣ୍ଡ ଖଟେଇବାକୁ ବୋଧହୁଏ ପଡ଼ିବନି ।

ମୁଁ କେବଳ ଜଣେ ସାହିତ୍ୟିକ ଆପଣଙ୍କୁ ବନ୍ଧୁ ରୂପେ ସାହିତ୍ୟ ବିଷୟରେ ପଦେ ଅଧେ କହୁଛି । ଏବେ ଆମ ସାହିତ୍ୟରେ ଅବସ୍ଥା ମଧ୍ୟ ଯାହା ହୋଇଚି, ତାହାପାଇଁ ବାଜିରାଉତ ଛାତ୍ରାବାସର କ’ଣ କିଛି କର୍ତ୍ତବ୍ୟ ନାହିଁ ? ଦୁଇ ଚାରିଜଣ ବନ୍ଧୁଙ୍କୁ ଘେନି ସେଠାରେ ଗୋଟିଏ ଛୋଟ ସାହିତ୍ୟବିଭାଗ କଲେ କିପରି ହୁଅନ୍ତା ? ନାଟକ, କବିତା, ଗଳ୍ପ, ଉପନ୍ୟାସ ତ ଓଡ଼ିଶାରେ ଖୁବ୍‌ ବଢ଼ି ଚାଲିଛି । ମାତ୍ର ସେସବୁର ଲକ୍ଷ୍ୟ ବା ଉଦ୍ଦେଶ୍ୟ କୁଆଡ଼େ ଗତି କରୁଛି କିଏ କହିବ ! ସେଥିପାଇଁ ଛାତ୍ରାବାସର କେତେକ ବନ୍ଧୁଙ୍କୁ ଘେନି ଖୁବ୍‌ ସାନ ଆକାରରେ ଗୋଟିଏ ସାହିତ୍ୟବିଭାଗ କରିବାକୁ ମୋର କାହିଁକି କେଜାଣି ଗୋଟାଏ ଖିଆଲ ଉଠିଚି । ଆପଣଙ୍କୁ ବିଶ୍ୱାସରେ ପଚାରିଲି । ଆଉ କାହାରିକି ନକହି ମୋତେ କେବଳ ଆପଣଙ୍କ ମତାମତ ଜଣାଇବେ । ଛାତ୍ରାବାସରୁ ଖଣ୍ଡେ ହାତଲେଖା ପତ୍ରିକା ବାହାରୁଥିଲା ପରା ? ନ ଥିଲେ ଆଗ ସେମିତି ଖଣ୍ଡେ ପତ୍ରିକା କାଢ଼ିଲେ ଭଲ ହୁଅନ୍ତା । ଚିତ୍ର ଯୋଗାଇବାକୁ ତ ଜଗନ୍ନାଥ ବାବୁ ଅଛନ୍ତି । ଆମେ କିଛି କିଛି ଲେଖି ନିଜେ ଆଗ ପରଖି ନିଅନ୍ତେ, ଲେଖାସବୁ ଠିକ୍‌ ବାଟରେ ହେଉଛି କି ନାହିଁ । ଛାତ୍ରାବାସରୁ ଓ ଅନୁଗୋଳ ସ୍କୁଲ ପ୍ରଭୃତିରୁ ଲେଖକ ଅଭାବ ହେବେନି । ବାହାରୁ ମଧ୍ୟ ଲେଖକ ମିଳିବେ ।

କିନ୍ତୁ ରଚନାସବୁ ଭଲରୂପେ ତନଖି କରି ପତ୍ରିକାସ୍ଥ କରାଯିବ । ଏପରିକି ପ୍ରାଚୀନ ଓ ଆଧୁନିକ ସାହିତ୍ୟର ଗବେଷଣାମୂଳକ ପୁଣି ଐତିହାସିକ ବା ବୈଜ୍ଞାନିକ ପ୍ରବନ୍ଧ ସୁଦ୍ଧା ମୌଳିକ ଦୃଷ୍ଟିକୋଣରୁ ଲେଖା ହେବ । ଏହା ଅବଶ୍ୟ ଭାରି କଠିନ କାମ, ଏବଂ ଏକ୍ଷଣି ଆମକୁ ତାହାର ପୂରା ରୂପରେଖ ହୁଏତ ଦେଖା ଯାଉନାହିଁ । ମାତ୍ର ଲେଖା ଆରମ୍ଭ ହୋଇଗଲେ କ୍ରମେ ତାହା ପରିଷ୍କାର ହୋଇ ଉଠିବ । ଆପଣ ଏ କାମପାଇଁ ମୋ’ଠାରୁ ଯେଉଁ ସାହାଯ୍ୟ ଲୋଡ଼ିବେ, ମୁଁ ଖୁସି ହୋଇ ତହିଁରେ ସହଯୋଗ କରିବି । ତେବେ ଓଡ଼ିଆ ସାହିତ୍ୟର ଆଧୁନିକ ଆଭିମୁଖ୍ୟକୁ ପୂରାପୂରି ବଦଳାଇବା କାମରେ ଏକା ମୋ’ରି ସାହାଯ୍ୟ ଯଥେଷ୍ଟ ହେବନାହିଁ । ଅନ୍ୟମାନଙ୍କୁ ବି ରଖିବା । ଏ ବିଷୟରେ ଆପଣ ସଙ୍ଗେ ସଙ୍ଗେ କିଛି କରି ନ ପାରିଲେ ଭବିଷ୍ୟତ ପାଇଁ କୌଣସି ଚିନ୍ତା କରିବାକୁ ଅନୁରୋଧ । ମୋ’ ମନ ଭିତରେ ଗୋଟାଏ ଅହେତୁକ ଉତ୍ସାହ ଆସିବାରୁ ଆପଣଙ୍କୁ ଜଣାଇଲି ।

ଆପଣଙ୍କର

କାଳିନ୍ଦୀଚରଣ ପାଣିଗ୍ରାହୀ

 

କଟକ, ୪ । ୯ । ୫୪

 

ଶ୍ରଦ୍ଧେୟ ଚିତ୍ତରଞ୍ଜନ ବାବୁ,

 

ଆପଣଙ୍କ ଚିଠି ପାଇ ଆନନ୍ଦିତ ହେଲି । ଆପଣ ବିଦେଶରୁ ଫେରି ନିଜ ସକାଶ ଯେଉଁ କର୍ମଭୂମି ବାଛି ନେଇଛନ୍ତି, ତାହାଠାରୁ ଉତ୍କୃଷ୍ଟତର କ୍ଷେତ୍ର ଓଡ଼ିଶାରେ ଅନ୍ତତଃ ନାହିଁ ବୋଲି ମୋ’ର ବିଶ୍ୱାସ । ବାଜିରାଉତ ଛାତ୍ରାବାସକୁ ମୁଁ ବ୍ୟକ୍ତିଗତ ଭାବରେ ଏକ ତୀର୍ଥସ୍ଥାନ ବୋଲି ଜ୍ଞାନ କରେଁ । ଆପଣଙ୍କ ନିମନ୍ତ୍ରଣ ନ ପାଇଥିଲେ ମଧ୍ୟ ସବୁବେଳେ ମୋର ସେଠାକୁ ଯିବାର ଇଚ୍ଛା । ପିଲାମାନଙ୍କୁ କିଛି କହିବାର ଧୃଷ୍ଟତା ମୋ’ର ନାହିଁ । କେବଳ ଦେଖିବା ଓ ଶିଖିବାକୁ ମୁଁ ଲୋଡ଼େଁ ।

 

ଆପଣଙ୍କ ନିର୍ଦ୍ଦେଶ ପାଇଲେ ଯେକୌଣସି ମୁହୂର୍ତ୍ତରେ ମୁଁ ଅନୁଗୋଳ ଯାଇପାରେଁ । ମୋହର ଯାତାୟତ ଆଦି କୌଣସି ଖର୍ଚ୍ଚ ଆପଣଙ୍କୁ ଦେବାକୁ ପଡ଼ିବନାହିଁ । କାରଣ ମୁଁ ସେଠାରୁ ନିଜେ ଉପକୃତ ହେବି । ସେଥିଲାଗି ଆପଣଙ୍କୁ ଖଣ୍ଡେ ‘‘ହାତଲେଖା’’ ପତ୍ରିକା ବାହାର କରିବାକୁ କହୁଥିଲି । ସେଥିଲାଗି ଆପାତତଃ ଛାପାଖର୍ଚ୍ଚ ଦରକାର ନାହିଁ ।

 

ମୋହର ଅସଂଖ୍ୟ ତ୍ରୁଟି ଓ ଦୁର୍ବଳତା ମଧ୍ୟରେ ‘‘ସତ୍ୟବାଦୀ’’ ବନ୍ଦ ହୋଇଯିବା ଅବଶ୍ୟ ଗୋଟାଏ ତ୍ରୁଟି । କିନ୍ତୁ ‘‘ସତ୍ୟବାଦୀ’’ର ପରିଚାଳନାରେ ମୋର କିଛିହେଲେ ହାତ ନଥିଲା । ପ୍ରଥମ ସଂଖ୍ୟା ବାହାରିବା ପରଠାରୁ ଏହାର ପ୍ରକାଶ ଅନିୟମିତ ହୋଇ ପଡ଼ିଲା । ସେଥିପାଇଁ ମୁଁ ନାଚାର୍‌-। ପୁଣି ସେଇଥିପାଇଁ ମୁଁ ନାଚାର୍‌ । ପୁଣି ସେଇଥିପାଇଁ ପ୍ରଚାର ‘ଝିଂଝଟ’ ନାହିଁ । ପ୍ରଥମେ ଛାତ୍ରାବାସ ଭିତରେ ହିଁ ଏହା ଆବଦ୍ଧ ରହୁ । ସେଥିରେ କିଛି ସୁବାସ ଥିଲେ ଆପେ ତାହା ପଦାକୁ ଫୁଟି ବାହାରିବ । ଆମକୁ ସେଥିପାଇଁ ବ୍ୟସ୍ତ ହେବାକୁ ପଡ଼ିବନାହିଁ ।

 

ସାହିତ୍ୟ ସମ୍ପର୍କରେ ଆମର ଯେଉଁ ବିଚାରଭ୍ରମ ଘଟୁଛି ବୋଲି ଆପଣ ଲେଖିଛନ୍ତି, ସେଥିରେ ମୋର ମତଭେଦ ନାହିଁ । କେତେଜଣ ସମଧର୍ମୀ ବନ୍ଧୁ ଏକତ୍ରିତ ହୋଇ ପ୍ରାରମ୍ଭିକ ବିଚାର କରିବାକୁ ମଧ୍ୟ ମୁଁ ପ୍ରସ୍ତୁତ । ଆପଣ ସମୟ ଜଣାଇଲେ ମୁଁ ଉପସ୍ଥିତ ହେବି ।

 

ସ୍ନେହାଧୀନ

କାଳିନ୍ଦୀଚରଣ ପାଣିଗ୍ରାହୀ

 

କଟକ, ୫ । ୧୦ । ୫୪

 

ସ୍ନେହାସ୍ପଦ ଚିତ୍ତରଞ୍ଜନ ବାବୁ,

 

ଆପଣ ନିଶ୍ଚୟ ଆଜନ୍ମ ଶିକ୍ଷକ ଓ ଆଜନ୍ମ ଶିଳ୍ପୀ । ମୁଁ କିନ୍ତୁ ଚିରକାଳ ଶିକ୍ଷକର ଆସନକୁ ସମ୍ଭ୍ରମରେ ଦେଖି ଆସିଛି ଏବଂ ସେଠାରେ ଦୂରରେ ଛିଡ଼ା ହେବାକୁ ଅଭ୍ୟାସ କରିଛି । ଆପଣଙ୍କ ଚିଠି ପଢ଼ି ମୋ ମନରେ ସେହିଭଳି ଏକ ସମ୍ଭ୍ରମ ଜାଗିଉଠିଛି । ଶିଳ୍ପୀ ହେବାକୁ ଇଚ୍ଛା କରି ଅନେକ ସମୟରେ ଶିଳ୍ପୀସୁଲଭ ଖାମଖେୟାଲି କଥା ତୁଣ୍ଡରୁ ବାହାରିପଡ଼େ । ସେମିତି ହୁଏତ କେତେ କ’ଣ ଆପଣଙ୍କ ପାଖକୁ ଲେଖି ପକାଇଥିଲି । କିନ୍ତୁ ଏବେ ଦେଖୁଛି, ସେ କଥାଗୁଡ଼ାକ ଶିକ୍ଷକର ଶାସନଦଣ୍ଡ ତଳକୁ ରୀତିମତ ଆସିଗଲାଣି । ସେଇ ଯୋଜନା ଓ ବିଚାରକୁ ଆପଣ ଯେତେ ଦୂର ପ୍ରଶସ୍ତ କରି ପକାଇଛନ୍ତି, ତାହାଭିତରୁ ବାହାରିବାର ଆଉ କାହିଁ ବାଟ ଦିଶୁନାହିଁ ।

 

ସତ କଥା, ଆପଣଙ୍କ ଚିଠି ଖଣ୍ତି ପଢ଼ି ସାରି କେଉଁଠିହେଲେ ଅମତ ହେବାର ରାସ୍ତା ପାଇଲି ନାହିଁ । ଅନୁଗୋଳରେ ଛାତ୍ରାବାସ ଆରମ୍ଭ ହେବା କାଳରୁ ମୁଁ ତେଣିକି ବରାବର ଚାହିଁ ରହିଛି । ଆଜିର ସହରୀ ସାହିତ୍ୟକୁ ଜଙ୍ଗଲର ପରିକଳ୍ପିତ ସାହିତ୍ୟମଣ୍ଡପରେ ପରଖ କରି ଦେଖିବାର ବେଳ ଆସିଛି । ସେଥିସଙ୍ଗେ ଦେଶ ଓ ଜାତିର ପ୍ରାଣକୁ ସ୍ପର୍ଶ ଏବଂ ଆଲୋଡ଼ନ କଲାଭଳି ସାହିତ୍ୟ, ପୁଣି ସହର ଓ ଜଙ୍ଗଲରେ ପ୍ରଭାବ ପକେଇଲା ଭଳି ସାହିତ୍ୟ ସୃଷ୍ଟି କରିବା ପାଇଁ ଉଦ୍ୟମ ହେବ । ଆମେ ଆଗ ପ୍ରାଥମିକ ଆଲୋଚନା କରି ଏକ ଅସ୍ଥାୟୀ ଯୋଜନା ତିଆରି କଲେ ଭଲ ହେବ । ମୁଁ ଦଶହରା ପରେ ଅନୁଗୋଳ ଯିବାକୁ ଆପଣ ଲେଖିଥିଲେ । ୨୦ / ୨୧ ତାରିଖ ବେଳକୁ ଗଲେ ଚଳିବ କି ? ଆମ କଥାବାର୍ତ୍ତା ଭିତରେ କିଛି ପରାମର୍ଶ ଦରକାର ହେଲେ ଶ୍ରୀମତୀ ମାଳତୀ ଦେବୀଙ୍କ ଉପସ୍ଥିତି ଲୋଡ଼ା ହୋଇପାରେ । ସେତେବେଳକୁ ସେ ଅନୁଗୋଳରେ ଥିବାର ସମ୍ଭାବନା ଅଛି କି ? ନହେଲେ ତାଙ୍କ ସୁବିଧା ଦେଖି ଆପଣ ସମୟ ସ୍ଥିର କରି ମୋତେ ଲେଖନ୍ତୁ ।

 

ଆପଣଙ୍କର

କାଳିନ୍ଦୀଚରଣ ପାଣିଗ୍ରାହୀ

 

ଶ୍ରୀଯୁକ୍ତ କୁମାର ମହାନ୍ତି

 

[ଯେତେବେଳେ ଭିତରୁ ସତକୁ ସତ କିଛି ମିଳିଥାଏ, ସେତେବେଳେ ବାହାରେ ଜଣେ ମଣିଷ ସିଧା ଜଣା ପଡ଼ିଯାଏ । ଶ୍ରୀଯୁକ୍ତ କୁମାର ମହାନ୍ତି କବିତାଟିଏ ଲେଖି ପଢ଼ୁଥା’ନ୍ତି ପାଖରେ ଛିଡ଼ା ହୋଇ କଥା ହେଉଥାନ୍ତୁ ଓ ଏପରିକି ମୋଟେ କିଛି ନକହି ତୁମ ଆଡ଼କୁ ଅନାଇ ଥାଆନ୍ତୁ ପଛକେ, ତାଙ୍କୁ ଏକାବେଳେକେ ଅଲଗା ପ୍ରକାରେ ଜାଣିହୁଏ, ଛୁଇଁ ହୁଏ । ତାଙ୍କର ଏହି ପୃଥିବୀର ମେଳରୁ ଚାଲିଯିବା ଏତେଗୁଡ଼ାଏ ବର୍ଷ ହୋଇଗଲାଣି, ତଥାପି ତାଙ୍କର ସେହି ପରିଚୟଟି ଅମଳିନ ହୋଇ ରହିଛି ।]

 

ବୋରିଗୁମ୍ମା, ୩୦ । ୧୧ । ୭୨

 

ଆପଣ ‘ନବରବି’ ପୂଜାସଂଖ୍ୟାରେ ‘ସାହିତ୍ୟଭୂମି’ ନାମକ ଯେଉଁ ସନ୍ଦର୍ଭ ଲେଖିଛନ୍ତି, ସେଥିରେ ଆପଣଙ୍କ ନିକଟରେ ମୁଁ କୃତଜ୍ଞ । ତା’ର କାରଣ, ଠିକ୍ ଏଇ ପ୍ରକାରର ଚିନ୍ତାଧାରା ନେଇ ମୁଁ ଦିନେ ‘ଅନାମ ଗୋଷ୍ଠୀ’ ଆରମ୍ଭ କରିଥିଲି । ଯାହା ମୁଁ ସାଂପ୍ରତିକ ସାହିତ୍ୟ ସହ ଏକ ବାକ୍‍ଯୁଦ୍ଧ କରୁଥିଲି, ତା’ର ଦାର୍ଶନିକ ତତ୍ତ୍ୱ ଆପଣ ଏଇ ପ୍ରବନ୍ଧରେ ପ୍ରତିପାଦିତ କରିଛନ୍ତି । ଆପଣଙ୍କର ଏଇ ପ୍ରବନ୍ଧ ମତେ ପୁଣି ଥରେ ‘ଅନାମ’ ସାହିତ୍ୟ ଆନ୍ଦୋଳନକୁ ପୁନର୍ଜୀବିତ କରିବାପାଇଁ ଉତ୍ସାହିତ କରିଛି ।

 

ଆଶା ଭବିଷ୍ୟତରେ ସମ୍ପର୍କ ରଖିବା ଏବଂ ମତେ ଭୁଲିବେନି । ଯଦି ସମୟ ଓ ସୁବିଧା ହୁଏ, ତା’ହେଲେ ମୋ’ର କିଛିଦିନ ଅତିଥି ହୋଇ ପାରିବେ ? ଆମର ସାରା ଗୋଷ୍ଠୀ ଅଳ୍ପଦିନରେ ଏପଟକୁ ଆସିବାର ଅଛି । ମଧୁ ମହାନ୍ତି–କଟକର Ranjit Mohanty Barrister ଙ୍କ ବାପା,–ଯାହାଙ୍କୁ ବର୍ତ୍ତମାନ ଆମେ ସକ୍ରେଟିସ୍ ବୋଲି କହୁ, ସିଏ ଆପଣଙ୍କୁ ଏତେ ପ୍ରଶଂସା କରି ମତେ ଲେଖିଛନ୍ତି ଯେ,–ମୁଁ ଭାବୁଛି ତାଙ୍କ ଜ୍ୱାଇଁ ସୁରେନ୍ଦ୍ର ମହାନ୍ତି (ନୀଳଶୈଳ) ମଧ୍ୟ ଈର୍ଷା କରିବେ-

 

ବୋରିଗୁମ୍ମା, ୧୯ । ୧୨ । ୭୨

 

ଆପଣଙ୍କ ପତ୍ର ପାଇ ଅଶେଷ ଖୁସୀ ହେଲି । ମଧୁବାବୁଙ୍କ କଥାରେ ପଡ଼ି ଯେ ମୁଁ ଆପଣଙ୍କୁ ଲେଖିଥିଲି, ସେକଥା ନୁହେଁ । କିନ୍ତୁ ଆମେ ଆପୋଷରେ ଯେଉଁ ଚିଠିପତ୍ର ଲେଖାଲେଖି କରୁ, ସେଥିରେ ଏହିପରି ଜଣେ ଅପରକୁ ଜଣେଇଥାଉ,–ଯଦି କୌଣସି ଜିନିଷ ଭଲ ଲାଗେ । ଆପଣ ଏକା ଏକା କୌଣସି ସମୟରେ ଆକାଶରେ ସଂଧ୍ୟାର ଶୋଭା ବା ସୂର୍ଯ୍ୟୋଦୟ–ବା ବଉଦବିଛୁଡ଼ା ଚାନ୍ଦିନୀଭରା ଆକାଶକୁ ଚାହିଁ ହଠାତ୍ ଶିହରିଥିବେ କି ? ମନେ ପକାନ୍ତୁ; ସେତେବେଳେ ଇଚ୍ଛା ହୁଏନି–ସବୁ ଲୋକଙ୍କୁ ଡାକି ସେଇସବୁ ଦେଖେଇବାକୁ ? ହୁଏତ ତା’ ବର୍ଣ୍ଣନା କରିବାକୁ ଆମର ଭାଷା ପାଏନି, ‘ଅନାମ’ର ପ୍ରତ୍ୟେକ ଲେଖକକୁ ଯଦି କେତେବେଳେ କିଛି ଭଲ ଲାଗେ,–ସେ ତାକୁ ଅପରକୁ ବାଣ୍ଟିଦବାକୁ ହେଳା କରେନି–and that is due to love;–ଆମର ସମ୍ପର୍କ ରକ୍ତଗତ ଯେତେଟା ନୁହେଁ, ତା’ଠୁ ନିଶ୍ଚିତଭାବେ ବେଶୀ ‘ରୁଚିଗତ’ । ମଧୁବାବୁ ମତେ ଲେଖିବା ପୂର୍ବରୁ ମୁଁ ‘ସାହିତ୍ୟଭୂମି’ ପଢ଼ିଥିଲି । ହୁଏତ ଆମ ଓଡ଼ିଆଙ୍କ ସାଧାରଣ passiveness attitude ନେଇ ମୁଁ ଲେଖିବି ଲେଖିବି ଭାବି ମଧ୍ୟ ଲେଖି ପାରିନଥିଲି । ସେଇଟା ମୋ’ର ଭୁଲ । ତାଙ୍କ ଚିଠିଟା ଗୋଟେ conscience ଚାବୁକ ପରି ଆସିଲା ଏବଂ ମୁଁ ସାଙ୍ଗେ ସାଙ୍ଗେ ଲେଖିଲି ।

 

ମୁଁ ଏଥର ଯୁବଲେଖକ ସମ୍ମେଳନର ସ୍ମରଣିକା ପାଇଁ ଯେଉଁ ପ୍ରବନ୍ଧ ଦେଇଛି (ତାଙ୍କ ଅନୁରୋଧରୁ ଅବଶ୍ୟ) ସେଥିରେ ଆପଣଙ୍କ ପ୍ରବନ୍ଧ କେଇଟି ଧାଡ଼ି ମଧ୍ୟ quote କରିଛି–ତା ହେଲା ‘‘ଯେଉଁ ସମାଜରେ ଶୋଷଣକୁ ହିଁ ଭିତ୍ତି କରି ମଣିଷ ମଣିଷର ସମ୍ୱନ୍ଧମାନ ନିରୂପିତ ହୋଇଥାଏ, ଯେଉଁଠି ମଣିଷକୁ ହତାଦର କରି କ୍ଷମତା, ଆସନ ଓ ପ୍ରତିପତ୍ତିର ପୂଜା ହେଉଥାଏ, ସେଠି ସାହିତ୍ୟ ମଧ୍ୟ ଅଧିକାଂଶ ସମୟରେ ସେହି କ୍ଷମତା ପାଖରେ ମୁଣ୍ଡ ନୁଆଁଇ ପଡ଼ିଥାଏ, ସେହି ଶୋଷଣକୁ ସତ୍ୟ ବୋଲି ମାନି ନେଇଥାଏ ଏବଂ ସେହି ସାହିତ୍ୟର ପରିବେଷଣ କରୁଥିବା ସାହିତ୍ୟିକମାନେ ମଧ୍ୟ ପ୍ରାୟ କ୍ଷମତାର ପିଣ୍ଡାତଳେ ତିରଣ କାମୁଡ଼ି ପଡ଼ିଥାନ୍ତି ।’’ ବାଃ I salute you, ଚିତ୍ତବାବୁ !

 

….ମୂଳତଃ ମୁଁ କବିତା ହିଁ ଲେଖେ । ୧୯୬୧ରୁ ଆଜିଯାଏଁ ସାଧନା କରୁଛି । ୧୯୬୯ରେ Airforce ଚାକିରି ଛାଡ଼ି ଓଡ଼ିଶା ଫେରିବା ପରେ ମୁଁ ପୁରୀଠାରେ ‘ଅନାମଗୋଷ୍ଠୀ’ ଆରମ୍ଭ କରେଇଥିଲି–ଏବଂ ଏ ଗୋଷ୍ଠୀର ବର୍ତ୍ତମାନ ସୁଦ୍ଧା ୭ଟି ସଂଖ୍ୟା ମାତ୍ର ପ୍ରକାଶ କରାହୋଇଛି-। ଲେଖା ନହେଲେ ଛାପୁନି । ଆମେ ପତ୍ରିକା ଛପଉନି–ସଂକଳନ ଛପଉ । ମଧୁବାବୁ, ଗୋକୁଳୀ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ହରି ମିଶ୍ର, ଚିତ୍ତ ମିଶ୍ର, ଚିତ୍ରଲେଖା ରଥ, ନାରାୟଣ ପ୍ରସାଦ ଏବଂ ସରୋଜିନୀ ପଟ୍ଟନାୟକ, କେଓ୍ୱଲ୍ ଗୋସ୍ୱାମୀ, ଦେବୀ ମୁଖର୍ଜୀ, ପ୍ରମୋଦ ପଣ୍ଡା, ଜୀବନାନନ୍ଦ ପାଣି, ଶିଶିର ମହାପାତ୍ର, ବଂଶୀ ଷଡ଼ଙ୍ଗୀ ଇତ୍ୟାଦି ଏଥିରେ ବିଭିନ୍ନ ସମୟରେ ଲେଖିଛନ୍ତି-। ଆଉ ଅନ୍ୟାନ୍ୟ ଅନେକ ଅଛନ୍ତି । ଏବେ ନବରାଜ୍, ଗୌରୀ ପଟ୍ଟନାୟକ, ସୁଧୀର ଜେଠୀ, ସତ୍ୟ ସିଂ ଇତ୍ୟାଦି ଯୋଗ ଦେଇଛନ୍ତି । ଅନାମ–୮ ଏଇ ମାସରେ ପ୍ରକାଶିତ ହେଉଛି । ଯେଉଁଥିପାଇଁ ମୁଁ ଆପଣଙ୍କଠୁ ଲେଖା ଚାହିଁଥିଲି ।

 

ଆମକୁ ପ୍ରଥମେ ‘ଅଶ୍ଳୀଳ’–ତା’ପରେ ‘ଓଡ଼ିଆତ୍ୱର ସଂକୀର୍ଣ୍ଣତା’ ଏବଂ ‘ସାଂପ୍ରତିକତା’ର ଦ୍ୱାହି ଦେଇ ଚପେଇବାର ବହୁତ ଚେଷ୍ଟା ହୋଇଛି । ଯଦି ଚାହାନ୍ତି,–ମଧୁବାବୁଙ୍କ ପାଖରୁ issue ତକ ନେଇ ଦେଖିପାରିବେ । ଆମ ସଂକଳନରେ ସଂପାଦକ ନାହିଁ, କିମ୍ୱା କୌଣସି ଲେଖକର ନାମ ଲେଖା ସହିତ ଦିଆଯାଏନି । କୌଣସି ରଚନାର ଯେ ବିଶେଷ କରି ସୃଷ୍ଟିଧର୍ମୀ ଲେଖାର ନାମକରଣ କାହିଁକି ହେବ ?–ଏଇ ପ୍ରଶ୍ନ କରି ଆମେ ଆମ ରଚନା ଉପରେ ନାମକରଣ କରୁନୁ ।

 

ଆମେ ଲେଖିଛୁ–‘ଦ୍ୱୈତ ବ୍ୟକ୍ତିତ୍ୱ, ଦ୍ୱୈତ ନୈତିକତା, ଭାଣ୍ଡ ଧର୍ମ, ଅସାମାଜିକ ସମାଜ, ବେଶ୍ୟାବାଦୀ ରାଜନୀତି, ଅଜଣା ମୂଲ୍ୟବୋଧରେ ମନୁଷ୍ୟର ମାନସିକ, ଅର୍ଥନୈତିକ ଓ ଦୈହିକ ସମ୍ୱଳହୀନତା,–ଆଜି ଆମ ଚକ୍ଷୁ ସମକ୍ଷରେ ଏକ ଏକ ବିରାଟ ପ୍ରଶ୍ନବାଚୀ । କଣ୍ଠ ଅବରୋଧ କରି ବାତାବରଣରେ ମର୍ମନ୍ତୁଦ କ୍ରନ୍ଦନ ଜାତ କରାଉଥିବା ଏଇ ଅସୁମାରି ପ୍ରଶ୍ନବାଚୀ ହିଁ ଆମର ଜନ୍ମଦାତା-। ନୋହିଲେ ଭାଷା ପାଇଁ ଆମେ ଚିତ୍କାର କରି ଜାଣୁନା–ଆମର ପୁରସ୍କାର ପାଇଁ ଭୋକ ନାହିଁ–ଆମେ ‘ପଦ୍ମଶ୍ରୀ’ ପାଇଁ ଲାଳାୟିତ ନୋହୁ ।

 

ଅଜଣା ମୂଲ୍ୟବୋଧର ପ୍ରାଣାନ୍ତକ ପ୍ରତିଯୋଗିତାରେ ମନୁଷ୍ୟର ପରିଚୟ ପାଇବା ହିଁ ଆମର ଉଦ୍ୟମ । ଆମେ ଆମର ସମ୍ପୂର୍ଣ୍ଣ ଚେତନା ଓ ଭାଷାକୁ ମାନବିକତାର ଅନ୍ୱେଷଣରେ ପ୍ରୟୋଗ କରିବାର ସାହସ କରୁଛୁ ।’’ (ଅନାମ-୧)

 

ଏଇ ସଂଖ୍ୟାଲାଗି ଆମକୁ Naxalite ଏବଂ ପରେ ଅଶ୍ଳୀଳ ବୋଲି କୁହାହେଲା । ଆମେ କିନ୍ତୁ ଆମ ରାସ୍ତାରେ ପରୀକ୍ଷା, ନିରୀକ୍ଷା ଏବଂ ଜୀବନର ଚଳଣିରେ ‘ଅନାମ’ ହେବାର ଚେଷ୍ଟା କରି ଅନାମ-୫ରେ ଲେଖିଲୁ (୧୯୭୦-ଫେବ୍ରୁଆରୀ)–‘‘ସମାଜର ବେଦନା ଆମକୁ ଯେପରି ବାଧେ, ଅନ୍ୟ ସମସ୍ତ ସାଧାରଣଙ୍କୁ ସେଇପରି ବାଧେ ବୋଲି ଆମର ବିଶ୍ୱାସ । ବାକି ଚୁମୁଟିଲେ ବି ଯାହାକୁ ନକାଟେ, ସେ ତ ବଧିର । ବେଦନାର ଏଇ ସଂବେଦନକୁ ସାହିତ୍ୟ କରେ ରୂପାୟିତ । ଏଇ ମାଧ୍ୟମରେ ଲେଖକ କରେ ସମାଜକୁ ଆତ୍ମୀୟ ଓ ପ୍ରତିଦାନରେ ନିଜେ ହୁଏ ସମାଜରେ ଆତ୍ମଲୀନ । ସାହିତ୍ୟ ବାଣିଜ୍ୟର ସାମଗ୍ରୀ ନୁହେଁ ବା ସମ୍ଭ୍ରାନ୍ତର ରୂପସଜ୍ଜା ନୁହେଁ । ଆଜି ସାହିତ୍ୟର କର୍ତ୍ତବ୍ୟ ଓ ଧର୍ମ ହେଲା କୋଟି କୋଟି ମୂକଙ୍କୁ ମୁଖର କରିବା ।’’

 

ଏଇ କ୍ରମରେ ବଢ଼ି ବର୍ତ୍ତମାନ ଆମେ Fraternity first, ମୈତ୍ରୀଦେବ ଉପାସନାର ଜୀବନ୍ତ ପ୍ରାମାଣିକ ଭାବେ ସମାଜକୁ ‘ସାମ୍ୟବାଦ’ର ସ୍ୱପ୍ନରେ ଭସେଇବାର ଆଶାୟୀ । ଆପଣ ସାଥୀ ହେବେ ? ଲେଖିବାକୁ ବହୁତ ଥିଲା–କାଗଜ ସରିଗଲା ।

 

ଶ୍ରୀଯୁକ୍ତ ଜଗଦ୍‌ବନ୍ଧୁ ମହାପାତ୍ର

 

(ଶ୍ରୀ ମହାପାତ୍ର ୧୯୫୦ ଦଶକରେ ଓଡ଼ିଶା ସରକାରଙ୍କର ଉଚ୍ଚତମ ସ୍ତରର ଜଣେ ଅଫିସର ଥିଲେ । ଜଣେ ଉପନ୍ୟାସକାର ଓ ଅନୁବାଦକ ରୂପେ ମୁଁ ତାଙ୍କର ଦୂରରୁ ପରିଚୟ ପାଇଥିଲି । ମୁଁ ବିଦେଶରୁ ଅଧ୍ୟୟନ ସାରି ଓଡ଼ିଶାକୁ ଫେରିବାପରେ ଯେଉଁ କିଞ୍ଚିତ୍ ସରକାରୀ ଉଦ୍ୟମ ମୋତେ କିଛି ବିଭାଗୀୟ ଚାକିରିରେ ନେବା ଲାଗି ହୋଇଥିଲା, ସେହି ସଂକ୍ରାନ୍ତରେ ଜଗଦ୍‌ବନ୍ଧୁ ବାବୁ କେତେଥର ମୋ’ ସହିତ କଥାବାର୍ତ୍ତା କରିବାକୁ ଆସିଥିଲେ । ମୁଁ ତ ଜଣେ ଶିକ୍ଷକ ହେବାକୁ ସ୍ୱଧର୍ମ ବୋଲି ବାଛି ନେଇଥିଲି, ତେଣୁ ସେ ଶେଷକୁ ଆଉ ଆସିଲେ ନାହିଁ ଏବଂ ମୋ’ ପାଖକୁ ଏହି ଚିଠିଟି ଲେଖିଥିଲେ । ମୋତେ ଖୁବ୍ କୃତଜ୍ଞ କରି ରଖିଲେ ।)

 

ଭୁବନେଶ୍ୱର, ୩୦ । ୩ । ୫୪

 

ପ୍ରିୟ ଚିତ୍ତବାବୁ,

 

ଆପଣଙ୍କ ପତ୍ର ବହୁଦିନରୁ ପାଇଲେ ମଧ୍ୟ ଉତ୍ତର ଦେବି ଦେବି ଭାବି ଦେଇ ପାରିନାହିଁ-। କ’ଣ ବା ଉତ୍ତର ଦେବି । ଦେଶର ମଙ୍ଗଳକାମନାରେ ଆପଣ ଆତ୍ମୋତ୍ସର୍ଗ କରିବାକୁ ଭାବିଛନ୍ତି-। ଏହାଠାରୁ ବେଶି ଉନ୍ମାଦକର ପବିତ୍ର ମନୋବୃତ୍ତି ଜଗତରେ ନାହିଁ । ଗାଈ ଗୋରୁ ପରି ଜନ୍ମ ହୋଇ କେତେ ଲୋକ କିଛି ନ କରି ପୁଣି ମରୁଛନ୍ତି । ସଂସାର ତାର ଖବର ରଖୁନାହିଁ । ଯେଉଁ କୃତୀ ମହାପୁରୁଷଗଣ ଦେଶର କଲ୍ୟାଣ ପାଇଁ ଆତ୍ମୋତ୍ସର୍ଗ କରୁଛନ୍ତି, ସେମାନେ ଧନ୍ୟ । ଆପଣଙ୍କର ଆଶା ଫଳବତୀ ହେଉ, ଏହା ମୋର କାମନା ।

 

ଆପଣଙ୍କର

ଜଗଦ୍‌ବନ୍ଧୁ ମହାପାତ୍ର

 

ଦଣ୍ଡୀ ସ୍ୱାମୀ ହଂସାନନ୍ଦ ତୀର୍ଥ

ସ୍ୱାମୀ ସୁନ୍ଦରାନନ୍ଦ

 

(ଦଣ୍ଡା ସ୍ୱାମୀ ହସାଂନନ୍ଦ ତୀର୍ଥ ଗଙ୍ଗା-ଭାଗିରଥି ନଦୀର ଉତ୍ପତ୍ତିଥଳ ଗୋମୁଖରେ ତପଶ୍ଚାରଣା କରୁଥିଲେ । ସ୍ୱାମୀ ସୁନ୍ଦରାନନ୍ଦ ଗଙ୍ଗୋତ୍ରୀତୀର୍ଥର ତପୋବନ କୁଟୀରରେ । ୧୯୬୦ ମସିହା ଖରାଛୁଟିରେ ମୁଁ ତେଣେ ଯାଇଥିବା ସମୟରେ ସେହିମାନେ ମୋତେ ଆତିଥ୍ୟ ଓ ଆଶ୍ରୟ ଦେଇଥିଲେ । ତା’ପରେ ମଧ୍ୟ ପତ୍ରର ଆଦାନପ୍ରଦାନ ଲାଗି ରହିଥିଲା । ସ୍ୱାମୀ ସୁନ୍ଦରାନନ୍ଦଜୀ ମଧ୍ୟ ୧୯୭୫ ମସିହାରେ ଓଡ଼ିଶାର ଏଣେ ଆସି ପୁରୀ ଭୁବନେଶ୍ୱର ଦର୍ଶନ କରିଥିଲେ ।)

 

ଗୋମୁଖ, ଗଙ୍ଗୋତ୍ରୀ

୧୧ । ୮ । ୬୪

 

ଶ୍ରୀ ଚିତ୍ତରଞ୍ଜନ ଦାସ

ବିଚପୁରୀ (ଆଗ୍ରା)

ପ୍ରିୟ ଆତ୍ମନ୍ ! ନାରାୟଣ ଆଶୀଷ ।

ଆପକା ୩୧ ।୭ ।୬୪ କା ପତ୍ର

ଅବଗତ

 

ପାଶ୍ଚାତ୍ୟ ଜର୍ମାନୀ ମେଁ ଅଧ୍ୟାପକୀ ସଫଲତା କେ ଲିଏ ଧନ୍ୟବାଦ । କର୍ମଯୋଗୀ କୋ କର୍ମକୀ ଦୃଷ୍ଟିକୋ ଲେଜର୍ ଜର୍ମନୀ ଜୈସେ ସୁଦୂର ପ୍ରାନ୍ତମେଁ ଜାନା ଔର୍ ସଫଲତା କେ ସାଥ୍ ଆନନ୍ଦକୀ କୋଟୀ ମେଁ ଆନା ସମ୍ଭବ ହୈ । ହିମାଲୟ ଭାରତକା ହୈ ।

 

ଆପ୍‌କା ସର୍ବବିଧି ମଙ୍ଗଲ୍ ହୋ ।

 

ସସ୍ନେହ ଓଁ କେ ସାଥ

ଦଣ୍ଡୀ ସ୍ୱାମୀ ହଂସାନନ୍ଦ ତୀର୍ଥ ।

 

ତପୋବନ କୁଟୀର, ୯ । ୮ । ୬୪

ପ୍ରିୟ ଅଭିନ୍ନ ପ୍ରେମାତ୍ମନ୍,

ସାଦର-ସପ୍ରେମ-ଶୁଭ ଓଁ ନମୋ ନାରାୟଣାୟ !!

ଆଶା ହୈ ଆପ୍ ପ୍ରଭୁକୃପାସେ ସାନନ୍ଦ ହୀ ହୋଂଗେ । (ଅସ୍ତୁ) ଆପକୀ ଜର୍ମାନୀ ୟାତ୍ରା ତଥା ସକୁଶଲ ପୁନଃ ଭାରତ ଆନେକା ସନ୍ଦେଶବାହକ ପତ୍ରପୁଷ୍ପ କଲ୍ ହି ହସ୍ତଗତ କୀ । ତଦର୍ଥ ବହୁଶଃ ଧନ୍ୟବାଦ । ଏବଂ, ୟହ ଜାନକର୍‌ ବହୁତ ହି ହାର୍ଦ୍ଦିକ ପ୍ରସନ୍ନତା ହୁଈ କି ଆପକା ୟାତ୍ରା ସାନନ୍ଦ ଔର ସମ୍ପନ୍ନ ରହା । ୟହି କାମନା କରୁଣେଶ ଦୀନାନାଥସେ ବିନମ୍ର କରଯୋଡ଼ ନତମସ୍ତକ ପ୍ରାର୍ଥନା କରତା ହୁଁ କି ଭବିଷ୍ୟମେଁ ଭି ଆପ୍‌କା ଜୀବନ କଳା ସମ୍ମୁଜ୍ଜ୍ୱଳ…..ସମ୍ପନ୍ନ ବନା ରହେ । କଭି ପରସ୍ପର ମିଲନ୍ ହୋନେ ପର୍‌ ଆପକା ଅପନି ଜର୍ମନୀ ୟାତ୍ରା–ବିବରଣ ଅବଗତ କରେଂଗେ ହି ।

ଆପ୍‌କୀ ଜବ୍ କଭି ଇଚ୍ଛା ହୋ ଗଙ୍ଗୋତ୍ରୀ ଅବଶ୍ୟ ପଧାରେଁ ଔର୍ ତପୋବନ କୁଟୀରମେଁ ଆପ୍‌କା ସୁସ୍ୱାଗତମ ହୋଗା । ଶେଷ କୁଶଲ । ଈଶ୍ୱର ଆପ୍‌କୋ କଲ୍ୟାଣ ପ୍ରଦାନ କରେଁ ।

ପୁନଃ ଓଁ–

ଭୟଦୀୟ ଶୁଭେଚ୍ଛୁ

ସ୍ୱାମୀ ସୁନ୍ଦରାନନ୍ଦ ।

 

ତପୋବନ କୁଟୀର, ପୋ. ଗଙ୍ଗୋତ୍ରୀ, ଜି.ଉତ୍ତରକାଶୀ, ଉତ୍ତର ପ୍ରଦେଶ

୨୦ । ୮ । ୭୦

 

ଆତ୍ମଦେବ ଶ୍ରୀମାନ୍ ଚିତ୍ତରଞ୍ଜନ ଜୀ,

 

ଆଶା ହୈ ଆପ ଈଶାନୁଗ୍ରହସେ ସ୍ୱସ୍ଥ ଏବଂ ପ୍ରସନ୍ନ ହୋଂଗେ । ପତ୍ର ବିଳମ୍ୱମେଁ ଲିଖ୍ ରହା ହୂଁ ମନ୍‌ମେଁ ଖେଦ ନକରେଁ, କ୍ୟୋଁ କି ମୈଁ ଜାପାନ୍ ସେ ଏକ ବହନ୍ ଆନେସେ ଉନ୍‌କୋ ହିମାଳୟ ମେଁ ଜୁନ୍‌ସେ ଲେକର୍ ଅଗସ୍ତ ୬ ତାରିଖ ତକ୍ ଘୁମାତେ ରହେ । ଜବ୍ ମୈଁ ଗଙ୍ଗୋତ୍ରୀ ପହୁଁଚା, ତବ୍ ଆପକା ପତ୍ର ମେରି ପ୍ରତୀକ୍ଷା କର ରହି ଥି । ଇସି କାରଣବଶତଃ ପତ୍ର ଲିଖନେମେଁ ଦେରି ହୁଈ ।

 

ହାଁ, ହିମାଲୟ କା ପୂର୍ଣ୍ଣ ଆକର୍ଷଣ ଏକ ମାତ୍ର ପ୍ରେରଣା ହି ନହିଁ, ବଲ୍‍କି ଉସ୍ ଅଦୃଶ୍ୟ ଚେତନା ଶକ୍ତି କା ଦିଗ୍‌ଦର୍ଶନ ହୈ ଭି । ଏକ୍‌ ମହାନ୍ ଅଦ୍ୱିତୀୟ ଶିକ୍ଷା ଭି ପା ସକତେ ହୈଁ, ଯଦି କ୍ଷମତା ଏବଂ ସାହସ ହୋ ତୋ, ହିମାଳୟକି ସାଙ୍ଗୋପାଙ୍ଗ ବର୍ଣ୍ଣନ କୌନ କର ସକା ? ୟେ ତୋ ନିତ୍ୟ ନୂତନ ଏବଂ ନବୀନତମ ରୂପସେ ବସେ ଅବତଲକ ଅଚଲ ଖଡ଼ା ହୈ । ….ହିମାଲୟକୀ ସ୍ମରଣମାତ୍ର ସେ ହି ଚଞ୍ଚଲ ମନ ସ୍ଥିର ହୋ ସ୍ୱସ୍ୱରୂପ କି ଅନୁଭୂତି କରନେ ଲଗଜାତି ହୈ ତଥା ହିମାଲୟମେଁ ପର୍ଯ୍ୟଟନ ଓ ୟାତ୍ରୀନିବାସ ସଚମୂଚ ହି ସୁସଂସ୍କାରୋଁକା ଫଲସ୍ୱରୂପ ହୈ ହି ।

 

…ଶରୀର କିତନେ ହି ଦୂର କ୍ୟୋଁ ନ ହୋ, ଐସା ଆଭାସ ହୋ ରହା ହୈ କି, ଜବ କଭି ଆପକେ ବାରେମେଁ ସୋଚତା ହୁଁ ଅଥବା ପତ୍ର ଲିଖତା ହୁଁ, ତୋ ଆପ ମେରେ ସାମନେ ନହିଁ ହୃଦୟସ୍ଥଲ ପର ବିରାଜମାନ ଜୈସେ ଦିଖତେ ହୈଁ । ହିମାଲୟକେ ପ୍ରତି ଆପକା ଆକର୍ଷଣ ସ୍ୱାଭାବିକ ହୈ ଔର ସୂକ୍ଷ୍ମ ହୈ । ମାନବକା ଶରୀର କ୍ଷଣଭଙ୍ଗୁର ନହିଁ; ଏକ ମହାନ ଜ୍ଞାନବିଜ୍ଞାନମୟ ଏକ ମହାନତମ ଆଶ୍ଚର୍ଯ୍ୟରୂପ ହୈ । ଇସ୍ ଶରୀର ମେଁ କ୍ୟା ନହିଁ ସମୟା ହୁଆ ହୈ ? ଖୋଜେ କୌନ୍ ? ସବକୁଛୁ ପାସ୍ ହୋତେ ହୁଏ ଭି ଦୂସରେକୀ ଓର୍ ଆକର୍ଷିତ ହୋତେ ହେଁ । ଅପନେ ଆପ୍‌କୋ ଖୋଜେଁ ଔର ଅପନେ ହୃଦୟସେ ଏବଂ ଜୋ କୁଛ ଭି ଅନ୍ତରଗତ ହୋ କର୍ ହାର୍ଦ୍ଦିକ ପ୍ରାର୍ଥନା କରତେ ହି ସାରେ ବିଘ୍ନ ତଥା କହାଁ କା କହାଁ ତିରୋହିତ ହୋ ଗୟେ ହୈଁ,–ଆୟାସ ତକ ନହିଁ ହୋ ପାତା । ମୈଁ ଆପସେ ଅନୁରୋଧକେ ସାଥ ଆଗ୍ରହ କରତା ହୁଁ କି ମନୋବଲ କେ ସାଥ ଅପନେ ହୃଦୟସ୍ଥ ଈଶ୍ୱରସେ ପ୍ରାର୍ଥନା କର୍‌କେ ସଂକଟସେ ଭୂଲ ମସ୍ତ ବନେ ରହେଁ ।

 

ମୈଁ ଈଶ୍ୱରସେ ହାର୍ଦ୍ଦିକ କାମନା ଏବଂ ପ୍ରାର୍ଥନା କରତା ହୁଁ କି ଆପ ସର୍ବ ବିଘ୍ନବାଧାଓଁ ସେ ମୁକ୍ତ ହୋ କର ସର୍ବପ୍ରକାର ସେ ଆନନ୍ଦିତ ରହେଁ । କବିକୁଲ ଗୁରୁବର ଶ୍ରୀ କାଳିଦାସଜୀ ‘‘….ତଦେବ ରୂପ ରମଣୀୟ କାୟ’’ ଉଦ୍ଧରଣ ଦେ କର ହିମାଲୟକୀ ନବୀନତା କା ବର୍ଣ୍ଣନ କିୟେ ଥେ ।

 

ଔର ସବ ଆନନ୍ଦ ହୈ କୁଶଲ ପତ୍ର ଲିଖତେ ରହେ

ମନୋକାମନା ଆପକା ଈଶ୍ୱର ପୂର୍ଣ୍ଣ କରେଁ, ଇସି

କାମନାଓଁ କେ ସାଥ,

 

ପୁନଃ ଓଁ…..

 

ଆପକା ଅପନା ହି

ନିଜାତ୍ମା–

 

ଶ୍ରୀଯୁକ୍ତ ଦିବାକର ମିଶ୍ର

 

(ଓଡ଼ିଆ ମୁଦ୍ରଣ-ଶିଳ୍ପର କ୍ଷେତ୍ରରେ ସୁପରିତ ଗୋସ୍ୱାମୀ ପ୍ରେସ୍‌ର ପ୍ରତିଷ୍ଠାତା ଓ ପରିଚାଳକ । ଏକାଠି ହାଇସ୍କୁଲରେ ପାଠ ପଢ଼ୁଥିଲେ । ଏକଦା ସେହି ସମୟରେ ସନ୍ନ୍ୟାସଦୀକ୍ଷା ନେଇ ଚାଲି ଯାଇଥିଲେ । ପୁନର୍ବାର ଗୁରୁଙ୍କର ଅନୁମତି ନେଇ ସଂସାରକୁ ଫେରି ଆସିଲେ, ସଂସାର କଲେ । ବର୍ତ୍ତମାନ ତ ନିଜର ପିଲାମାନଙ୍କୁ ମଧ୍ୟ ସେହି ଶିଳ୍ପରେ ନିୟୋଜିତ କରି ରଖିଛନ୍ତି-।)

 

ଗୋସ୍ୱାମୀ ପ୍ରେସ୍, କଟକ

୧ । ୨ । ୭୧

 

ଭାଇ ଚିତ୍ତ,

 

ତୁମର ତା ୨୭ ।୧୧ ।୭୦ ଚିଠି ଆଜି ପାଇଲି । ଅବଶ୍ୟ ଡାକବିଭାଗର ଦୋଷ ନାହିଁ-। ମୁଁ କାର୍ବାଙ୍କଲ୍‌ରେ ପଡ଼ିଥିବାରୁ ଅଫିସକୁ ଆସୁନଥିଲି । ଅଫିସ୍ ଆସି ତୁମ ଚିଠି ଦେଖିଲି-

 

ଉତ୍ତର ଦେବାକୁ ଡେରି ହେଲା ବୋଲି ନିଶ୍ଚୟ ମନଦୁଃଖ କରିଥିବ । କିନ୍ତୁ ମୁଁ ତ ଦୈବଦଣ୍ଡ ଭୋଗ କରୁଥିଲି, ଆଉ ଉପାୟ ନଥିଲା । ..ମୁଁ ସୁସ୍ଥ ହେଲିଣି କିନ୍ତୁ ଘରେ ପିଲାଏ ସବୁ କାଛୁକୁଣ୍ଡିଆ ଓ ବିଇଁଚି ଆଦି ଚର୍ମରୋଗରେ ପଡ଼ିଛନ୍ତି । ଏତେ ଖାଦ୍ୟକଟକଣା ଥାଇ ମଧ୍ୟ ଆମଘରେ ଯେ କିପରି ଏସବୁ ରୋଗ ପଶିଲା । ଏହା ଚିନ୍ତାର କଥା । ତେଣୁ କହୁଛି ଏହା ପ୍ରାରବ୍ଧ କର୍ମର ଫଳ ପାଇଁ ଦଣ୍ଡ । ଏସବୁ ପ୍ରଭୁଙ୍କର ପରୀକ୍ଷା । ପଥର ହୋଇ ଏସବୁ ମୁଣ୍ଡ ପୋତି ସହିଯାଇ ଏହି ଅବସ୍ଥାରେ ହେଉ, ଏହାଠାରୁ ଆହୁରି ଖରାପ ଅବସ୍ଥା ବି ହେଉ ବା ଯେକୌଣସି ଅବସ୍ଥାରେ ରହି ମଧ୍ୟ ଏସବୁ ବିପଦକୁ ତାଙ୍କର କୃପା ମଣି ନିରନ୍ତର ତାଙ୍କୁ ସ୍ମରଣ କରିବା ହିଁ ଆମର କର୍ତ୍ତବ୍ୟ । ବିପଦରେ ବିଚଳିତ ହୋଇଗଲେ ପରୀକ୍ଷାରେ ଅକୃତକାର୍ଯ୍ୟ ହେଲୁ ବୋଲି ବିଚାରିବାକୁ ହେବ ।

 

‘‘ଅଲବ୍ଧେ ବା ବିନଷ୍ଟେ ବା ଭକ୍ଷ୍ୟାଚ୍ଛାଦନସାଧନେ

ଅବିକ୍ଳବମତିର୍ଭୂତ୍ୱା ହରିମେବ ଧିୟା ସ୍ମରେତ୍ ।’’

 

କୁନ୍ତୀ ଦେବୀଙ୍କ ଆନୁଗତ୍ୟରେ ‘‘ବିପଦ-ବର’’ ମାଗିନେଇ ପାରିବାଟା ସବୁଠାରୁ ସୌଭାଗ୍ୟର କଥା । ‘‘କ୍ଳେଶଭୋଗ ଭାଗ୍ୟେ ଯତ୍ର ଭୋଗ ମୋ’ର ହଉ ତତ, କିନ୍ତୁ ଏକ ମମ ନିବେଦନ । ଯେ ଯେ ଦଶା ଭୋଗି ଆମି, ଆମାରେ ନ ଛାଡ଼ ସ୍ୱାମୀ ଭକ୍ତିବିନୋଦେର ପ୍ରାଣଧନ ।’’ ନିଷ୍କପଟରେ ଏହି ପ୍ରାର୍ଥନା କରିପାରିଲେ ଜୀବନ ସାର୍ଥକ ହେଲା ବୋଲି ଜାଣିବା । ଅନ୍ତରଙ୍ଗ ବନ୍ଧୁ ବୋଲି କେତେ କ’ଣ ପ୍ରକାଶିଲି କିଛି ଦୋଷ ଦେବ ନାହିଁ ।

 

ଇତି

ତୁମର

ଦିବାକର

 

ଶ୍ରୀଯୁକ୍ତ ନିରଞ୍ଜନ ମିଶ୍ର

 

(ଶ୍ରୀ ମିଶ୍ରଙ୍କ ସହିତ ଏକଦା ଏକ ପତ୍ରବିନିମୟର କିଛି ସୁଯୋଗ ମିଳିଥିଳା,–ସିଏ ଶାନ୍ତିନିକେତନରେ ଓ ମୁଁ ଆଗ୍ରାରେ ଥିବା ସମୟରେ । ଏବର ଦାଣ୍ଡହାଓ୍ୱାଟା ସମ୍ଭବତଃ ଅନେକଙ୍କୁ କହୁଥିବ ଯେ ସେତେବେଳେ ସ୍ୱପ୍ନ ଦେଖି କିଛି କରିବେ ବୋଲି ବାହାରିଥିବା କିଛି ଅବଶ୍ୟ ଥିଲେ, ଏକାଳକୁ ସେମାନେ କଦାପି ନଥିବେ । ମିଛ କଥା,–ଏବେ ମଧ୍ୟ ଅଛନ୍ତି । ପୃଥିବୀଟା, ଓଡ଼ିଶାଟା, ସେଇଥିପାଇଁ ସିନା ଧୈର୍ଯ୍ୟ ଧରି ରହିଛି । ଇତିମଧ୍ୟରେ ଶ୍ରୀ ମିଶ୍ରଙ୍କ ଖବର ମୁଁ ଆଉ କିଛି ବି ରଖି ପାରିନାହିଁ ।)

 

ଶାନ୍ତିନିକେତନ, ୯ । ୪ । ୭୧

 

ଜାଣେ ନା, ମୋ’ର ଏ ଚିଠି ଆପଣ ପାଇବେ କି ନାହିଁ । ତଥାପି, ଆପଣଙ୍କର ଅସାଧାରଣ ପ୍ରତିଭା ଏବଂ ମହାନ୍ ବ୍ୟକ୍ତିତ୍ୱର ଯେଉଁ ପ୍ରତିଫଳନ ମୁଁ ଆପଣଙ୍କ ପୁସ୍ତକ ‘‘ସମାଜ : ପରିବର୍ତ୍ତନ ଓ ବିକାଶ’’ ରେ ଦେଖିବାକୁ ପାଇଛି, ସେହି ପ୍ରତିଭା ଏବଂ ସେହି ବ୍ୟକ୍ତିତ୍ୱକୁ ମୋ’ର ସମ୍ମାନ ଜଣାଇବାକୁ ଏ ଚିଠି ପ୍ରଥମ ମାଧ୍ୟମ ବୋଲି ମୁଁ ମନେକରେ । ….ଗ୍ରାମବହୁଳ ଭାରତର ଉନ୍ନତି ଗ୍ରାମର ସର୍ବାଙ୍ଗୀନ ଉନ୍ନତି ଯୋଗୁଁ ହିଁ ସମ୍ଭବପର । ଏହା ଅନେକ ଚିନ୍ତାଶୀଳ ବ୍ୟକ୍ତି ବିଚାର କଲେ ସୁଦ୍ଧା ପ୍ରକୃତ ପଥ ଖୋଜି ପାଇ ପାରୁନାହାନ୍ତି । ଆପଣ ଏ ଦିଗରେ ପ୍ରଥମ ଦିଗ୍‌ଦର୍ଶନ ଦେଇଥିବାରୁ ଓଡ଼ିଶାର ଚିନ୍ତାଶୀଳ ବ୍ୟକ୍ତି ବିଚାର କଲେ ସୁଦ୍ଧା ପ୍ରକୃତ ପଥ ଖୋଜି ପାଇ ପାରୁନାହାନ୍ତି । ଆପଣ ଏ ଦିଗରେ ପ୍ରଥମ ଦିଗ୍‍ଦର୍ଶନ ଦେଇଥିବାରୁ ଓଡ଼ିଶାର ଚିନ୍ତାଶୀଳ ପାଠକଗୋଷ୍ଠୀ ଆପଣଙ୍କ ନିକଟରେ ଋଣୀ । କିନ୍ତୁ ବର୍ତ୍ତମାନ Theoretical ଜ୍ଞାନ ଅପେକ୍ଷା Practical କାର୍ଯ୍ୟ ଆରମ୍ଭ କିରବା ଖୁବ୍ ଦରକାର ବୋଲି ମୁଁ ମନେ କରୁଛି । କିନ୍ତୁ ଭାରତ, ବିଶେଷ କରି ଓଡ଼ିଶାର ଗ୍ରାମଗୁଡ଼ିକର ଅର୍ଥନୈତିକ ମାନ ଏତେ ନିମ୍ନସ୍ତରର ଯେ ବ୍ୟକ୍ତିଗତ ବା ସାମୂହିକ ଉଦ୍ୟମରେ ମଧ୍ୟ ଗ୍ରାମର ଉନ୍ନତି କରି ପାରିବାଭଳି କୌଣସି ଦିଗ ଦେଖା ଯାଉନାହିଁ । ବର୍ତ୍ତମାନର ସରକାର ମଧ୍ୟ ଉତ୍ସାହୀ ବ୍ୟକ୍ତିଙ୍କୁ ଏ ଦିଗରେ କୌଣସି ପ୍ରକାର ସାହାଯ୍ୟ କରୁନାହାନ୍ତି ।

 

ଆମ ଦେଶର ଅଧିକାଂଶଙ୍କର ଧାରଣା ଯେ ବର୍ତ୍ତମାନର ଯୁବଶକ୍ତି ଦୁର୍ନୀତିଗ୍ରସ୍ତ ଓ ଭଗ୍ନମନୋରଥ; ତେଣୁ ତାଙ୍କଦ୍ୱାରା କୌଣସି ପ୍ରକାର କାର୍ଯ୍ୟ ହୋଇ ପାରିବନାହିଁ । କିନ୍ତୁ ମୁଁ ଏହାକୁ ସମ୍ପୂର୍ଣ୍ଣ ଭ୍ରାନ୍ତ ବିଚାରଧାରା ହିସାବରେ ଗ୍ରହଣ କରେ । …..ମୁଁ ଏଠାରେ Economics (Hons.) ନେଇ ପଢ଼ୁଛି । ଗ୍ରାମର ଉନ୍ନତିକଳ୍ପେ ବ୍ୟକ୍ତିଗତ ତଥା ସାମୂହିକ ଉନ୍ନତିର ସମସ୍ତ ଦିଗ ବନ୍ଦ ହୋଇଥିବାର ଦେଖି ଏବଂ Orissa Govt.ଙ୍କୁ ଏ ବିଷୟ ନେଇ ଆର୍ଥିକ ସାହାଯ୍ୟ ମାଗି ନିଷ୍ଫଳ ହେବା ପରେ ମୁଁ ନିଜେ ନିଜେ ଗ୍ରାମର ଅର୍ଦ୍ଧଶିକ୍ଷିତ ଟାଉଟରଙ୍କ ଦ୍ୱାରା କିପରି ନିଷ୍ପେଷିତ ହେଉଛନ୍ତି, ତାହା ମୁଁ ନିଜ ଅଙ୍ଗେ ନିଭାଇଛି । ମୁଁ ଲକ୍ଷ୍ୟ କରି ପାରିଛି, ଗ୍ରାମର ସରଳ ଜନସାଧାରଣଙ୍କୁ ସାମାନ୍ୟ ଅର୍ଥ ସାହାଯ୍ୟରେ ଏକତ୍ରିତ କରି ପ୍ରଥମେ ଆମ ଗାଁ’ରେ କୌଣସି ପ୍ରକାର ଉନ୍ନତିମୂଳକ କାର୍ଯ୍ୟ କରିବି । ଏଥିପାଇଁ ଆମେ ୫ଜଣ ଅନ୍ତରଙ୍ଗ ବନ୍ଧୁ ଗତ ୨ ବର୍ଷ ଧରି ମାସରେ ୪ଟି Meal ବନ୍ଦ କରି Tiffin ଖର୍ଚ୍ଚ ଅଧା କରି ଏବଂ ନିଜର Scholarship ରୁ କିଛି ଟଙ୍କା ଜମା କରି ଅର୍ଥ ଜମା କରି ପାରିଛୁ । ଗତବର୍ଷ ଏ ଟଙ୍କାରୁ କିଛି ଦେଇ ଗ୍ରାମରେ ଗୋଟିଏ ସମବାୟ ସମିତି ଆରମ୍ଭ କରିଥିଲୁ ।

 

କିନ୍ତୁ ଆମେ ୫ ଜଣ ଯାକ ଗାଁ’ରୁ ଦୂରରେ ରହିବା (ଫଳରେ) ସେ ଅର୍ଥ ବିଶ୍ୱାସଘାତକ ଆତ୍ମସାତ୍‍ କରିଦେଲେ । ଏହାର ଅନ୍ୟ ଉପାୟ ନଦେଖି ଆମ ୫ ଜଣଙ୍କ ମଧ୍ୟରୁ ଜଣେ ଏବର୍ଷ ନିଜ ଇଚ୍ଛାରେ ପଢ଼ା ଛାଡ଼ିବାକୁ ସ୍ଥିର କରିଛନ୍ତି । ସେ ଜୀବନସାରା ପ୍ରଥମ ଶ୍ରେଣୀରେ ପାସ୍ କରି Scholarship ପାଇ ଆସିଛନ୍ତି । କୌଣସି ବିଶ୍ୱସ୍ତ ଲୋକ ନ ପାଇବା ଫଳରେ ଆମେ ଏପରି ପନ୍ଥା ବାଧ୍ୟ ହୋଇ ଅବଲମ୍ୱନ କରୁଛୁ । ଆମେ ବୁଝିପାରିଛୁ ଯେ ଆମେ ଖାଲି କରିବୁ କରିବୁ କହିଲେ କିଛି କରି ପାରିବୁନାହିଁ । ଏଥିପାଇଁ ତ୍ୟାଗ ଏବଂ ସାହସ ଦରକାର । ଆମର ଏ ଲକ୍ଷ୍ୟପୂରଣ ପାଇଁ ଦରକାର ହେଲେ ଆମେ ୫ଜଣ ଯାକ ପଢ଼ା ଛାଡ଼ିଦେବୁ । …ସହଯୋଗ ପ୍ରାର୍ଥନା କରୁଛୁ ।

 

ପ୍ରଦୀପ୍ତ କୁମାର ରାୟ

 

(ଇଂରାଜୀ ଅଧ୍ୟାପକ ପ୍ରଦୀପ୍ତ ସହିତ ମୋ’ର ପରିଚୟ ସିଏ ହାଇସ୍କୁଲରେ ପାଠ ପଢ଼ୁଥିବା ସମୟରୁ । ସେତେବେଳେ ମୋ’ ସମ୍ପାଦନାରେ କଟକରୁ ‘ବିଶ୍ୱଶିଶୁ’ ନାମରେ ମାସିକ ପତ୍ରିକାଟିଏ ବାହାରୁଥିଲା । ସେହି ସମୟରୁ ପରିଚୟ କ୍ରମେ ଅଧିକ ସମୃଦ୍ଧ ହୋଇ ଆସିଛି । ଏବଂ, ସେହି ମାଧ୍ୟମରେ ତାଙ୍କ ପୂରା ଘରଟି ସହିତ ଏକ ସ୍ନେହପୂର୍ଣ୍ଣ ସମ୍ପର୍କରେ ବାନ୍ଧି ହୋଇ ରହିଯାଇଛି-।)

 

ଭଦ୍ରକ, ୧୩ । ୮ । ୭୧

 

….‘ବିଶ୍ୱଶିଶୁ’ର ୨ୟ ସଂଖ୍ୟା ସ୍ୱାଧୀନତା-ଦିବସ ସଂଖ୍ୟା ହୋଇଥିବାରୁ ସ୍ୱାଧୀନତା ବିଷୟରେ ଆପଣ ସମ୍ପାଦକୀୟରେ ଲେଖିଛନ୍ତି । ‘ବିଶ୍ୱଶିଶୁ’ର ଏ ସଂଖ୍ୟାଟି ମୋର ଯେତେବେଳେ ହସ୍ତଗତ ହୁଏ, ଅସୀମ ଉତ୍କଣ୍ଠାର ସହିତ ମୁଁ ବହିଟିର ଆମୂଳଚୂଳ ଦେଖିନିଏ । ସମ୍ପାଦକୀୟ ଲେଖାଟି ମୂଳରୁ ଶେଷ ପର୍ଯ୍ୟନ୍ତ ପାଠ କରିପାରିବା ଉତ୍ତାରୁ ମନେହୁଏ ଏତେବେଳଯାଏ ମୁଁ ଚିତ୍ତଭାଇଙ୍କ କଥା ବସି ଶୁଣୁଥିଲି । ସେଇ ଏକା କଥା, ଯାହା ବହୁବାର ମୁଁ ଆପଣଙ୍କ ପାଖରେ ବସି ଶୁଣିଛି । ଏକଥା ସହ ଅତ୍ୟନ୍ତ ନିବିଡ଼ ଭାବରେ ମୁଁ ପରିଚିତ, ତେଣୁ ଏଥିରେ ଅନ୍ୟମାନଙ୍କ ପାଇଁ ନୂତନତା ଥାଇପାରେ କିନ୍ତୁ ମୋ’ପାଇଁ କିଛି ନୂତନତା ନାହିଁ । ଏଥିରେ ଆପଣ ଲେଖିଛନ୍ତି ଗୋଟାଏ ପୂରା ଦିନ ମଉଜ ମଜଲିସରେ ବିତାଇ ଦେବାକୁ ଗୋଟିଏ ଦେଶ ସ୍ୱାଧୀନ ହୁଏନାହିଁ । ଆପଣାକୁ ଓ ଆପଣାର ଘରଟିକୁ ସୁନ୍ଦର କରି ଗଢ଼ିବାଲାଗି ଦେଶଟିଏ ସ୍ୱାଧୀନତା ପାଏ । ଏକଥାଟି ମୋତେ ଭାରି ଭଲ ଲାଗିଛି । ପୁଣି, ଏ ଦେଶପରି ଦରଗଢ଼ା ଦେଉଳର ମୁଣ୍ଡି କିଏ ପାରିବ ? ଯେ ଭୟ କରିବ, ସେ ପାରିବନି, ଯେ ନିର୍ଭୀକ ହୋଇ ପବ ପବ କରି ନିଜକୁ ଗଢ଼ୁଥିବ, ସେଇ କେବଳ ପାରିବ । ମୋତେ ଆପଣଙ୍କର ଏକଥାଟି ଉଦ୍‍ବୁଦ୍ଧ କରିଛି ।

 

ଭଦ୍ରକ, ୨୬ । ୧୦ । ୭୧

 

…..‘ବିଶ୍ୱଶିଶୁ’ର ବାପୁଜୀ ସଂଖ୍ୟା ପଢ଼ିଲି । ବାପୁଜୀଙ୍କ ବିଷୟରେ ଲିଖିତ ଆପଣଙ୍କ ସମ୍ପାଦକୀୟ ଅଗ୍ରଲେଖାଟି ମୋତେ ଗଭୀର ଭାବରେ ପ୍ରଭାବିତ କଲା । ଯଥାର୍ଥରେ ଯେଉଁମାନେ ନିର୍ଭୀକ ମଣିଷ ହୋଇ ପାରନ୍ତିନି, ସେହିମାନେ ଗାନ୍ଧୀକୁ ‘ମହାତ୍ମା’ ‘ଦେବତା’ ନାମରେ ଅଭିହିତ କରିଥାନ୍ତି । ସେମାନଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କଲେ ବି ସେମାନେ କେଭେ ସ୍ୱୀକାର କରିବେନି ଯେ, ‘ଗାନ୍ଧୀ ମଣିଷ, ଆମରି ଭଳି ହାଡ଼ ମାଂସର ମଣିଷ; ସେ ଜନ୍ମରୁ ବଡ଼ ହୋଇ ନଥିଲେ, ନିଜ ଚେଷ୍ଟାରେ ବଡ଼ ହୋଇଥିଲେ, ଜୀବନ ତମାମ ସେ ମଣିଷପରି ମଣିଷଟିଏ ହେବାପାଇଁ ଚେଷ୍ଟା କରିଛନ୍ତି । ମଣିଷ ହେବାକୁ ଯିଏ ଚେଷ୍ଟା କରୁଥିବ, ସେ ଚେଷ୍ଟା କଲେ ତାଙ୍କ ପରି ହୋଇ ପାରିବ ।’ ଏକଥା ମୁଁ ମୋ’ର ବହୁ ବନ୍ଧୁଙ୍କୁ ବୁଝାଇବାକୁ ଚେଷ୍ଟା କରିଛି; କେତେକ ମୋ ସହ ଏକମତ ହୋଇଛନ୍ତି, ଆଉ କେତେକ ଏହାକୁ ସ୍ୱୀକାର କରିନାହାନ୍ତି । ଗାନ୍ଧିଜୀଙ୍କ ମୃତ୍ୟୁସମ୍ୱାଦ ଶୁଣି ଫ୍ରାନସ୍‌ର ଯେଉଁ ସାମ୍ୟବାଦୀ ନେତା କହିଥିଲେ, ମୁଁ ଗାନ୍ଧୀଙ୍କୁ କେଭେ ଦେଖିନାହିଁ, ତାଙ୍କ ଭାଷା ମୋତେ ଜଣାନାହିଁ, ତାଙ୍କ ଦେଶକୁ ମୁଁ କେଭେ ଯାଇନାହିଁ । ତଥାପି, ତାଙ୍କ ମୃତ୍ୟୁରେ ମୋତେ ଲାଗୁଛି ଯେପରି ମୁଁ ମୋର ଜଣେ ନିଜ ଲୋକଙ୍କୁ ହରାଇଲି । (ସମ୍ପାଦକୀୟରେ ଲେଖା ଅଛି) ତାଙ୍କ ନାମ ଲିଓଁ ବ୍ଲୁମ । ଜୀବନକୁ ଭଲ ପାଇ ସାହସର ସହିତ ଖୁସୀରେ କିପରି ମଣିଷ ହେବାକୁ ହୁଏ, ସମ୍ପାଦକୀୟରୁ ଏହାକୁ ମୁଁ ନିବିଡ଼ ଭାବରେ ଅନୁଭବ କରି ପାରିଛି । ଛଦ୍ମବେଶୀ ଲେଖକ ‘ମିତୁଭାନୁ’ଙ୍କର ‘ଜଣେ ଅଭିନବ ବିପ୍ଳବୀ’ ମୋ’ ଅନୁଭବ କରିବାର ଶକ୍ତିକୁ ଟିକିଏ ବଢ଼ାଇଛି । ବହୁଦିନ ହେଲା ଯେପରି ଶିଶୁ-ପତ୍ରିକାଟିଏ ପାଇଁ ମୋର ତୃଷା ରହି ଆସିଥିଲା, ‘ବିଶ୍ୱଶିଶୁ’ ସେହି ତୃଷା ନିବାରଣ କରିଛି ।…

 

ଭଦ୍ରକ, ୨୧ । ୦୧ । ୭୨

 

……‘ବିଶ୍ୱଶିଶୁ’ର…..ସମ୍ପାଦକୀୟ ଲେଖା ନବବର୍ଷ ପାଇଁ ‘ବିଶ୍ୱଶିଶୁ’ର ସାହସୀ ବନ୍ଧୁମାନଙ୍କୁ ଯଥାର୍ଥ ବାର୍ତ୍ତା ଦେଇପାରିଛି । ‘ସେଇମାନେ ନିଶ୍ଚୟ ସାହସ କରି ବିପଦସଙ୍କୁଳ ମନ୍ଦିର ଭିତରେ ପ୍ରବେଶ କରି ମନ୍ଦିରର ପ୍ରତିଷ୍ଠା ଆଣିଦେବେ ।’ ନୈରାଶ୍ୟବାଦୀମାନେ ପ୍ରକୃତରେ ସଂସାରରେ ଗୁଡ଼ାଏ ସମସ୍ୟା ସୃଷ୍ଟି କରୁଛନ୍ତି । ସୁନ୍ଦର ଜୀବନ ଓ ସରସ ପୃଥିବୀକୁ ସେହିମାନେ ବିବର୍ଣ୍ଣ ଓ ହତଶ୍ରୀ…..କରୁଛନ୍ତି । ସଂସାରକୁ ମିଛମାୟା ଅସତ୍ୟ ଓ ଜୀବନକୁ ଦୁଃଖପୂର୍ଣ୍ଣ କହି ସେମାନେ କେଡ଼େ ଭୁଲ କରୁଛନ୍ତି ସତେ !’’

 

ଭଦ୍ରକ, ୧୬ । ୦୨ । ୭୨

 

…..ଭାବିବାରେ ଯଥାର୍ଥରେ ଆନନ୍ଦ ମିଳେ । ….ଆପଣାକୁ ଗଢ଼ିବା ବିଷୟରେ ମନ ଭିତରେ କେତେ କଳ୍ପନାର ଚିତ୍ର ଆଙ୍କିବାକୁ ଲାଗିଲି । ମୁଁ ସ୍ୱୀକାର କରୁଛି, ମୋର ଯାତ୍ରାପଥରେ ମୋର ସ୍ୱାସ୍ଥ୍ୟ ପ୍ରତିବନ୍ଧକ ହୋଇ ଛିଡ଼ାହେବ । ସୁତରାଂ ତା’ ପ୍ରତି ଆଉ ଔଦାସୀନ୍ୟ ପ୍ରଦର୍ଶନ କରିବିନି ବୋଲି ପ୍ରତିଜ୍ଞାବଦ୍ଧ ହେଲି । ଆଲବର୍ଟ ସ୍ୱାଇତଜର୍‌ଙ୍କର ଆତ୍ମଜୀବନୀ ପଢ଼ିଲି; ତାଙ୍କର ସାଧନାପୂର୍ଣ୍ଣ ଜୀବନାଦର୍ଶ ମୋ’ ପାଇଁ ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ । ସ୍ୱାଇତ୍‌ଜରଙ୍କର ଜୀବନବ୍ୟାପୀ ସାଧନାରେ ତାଙ୍କର ସୁନ୍ଦର ସ୍ୱାସ୍ଥ୍ୟର ଅବଦାନ ଅନସ୍ୱୀକାର୍ଯ୍ୟ । ଜୀବନ-ବିଦ୍ୟାଳୟ ପଢ଼ିଲି । ….ବହିଟି ପଢ଼ି ଆଖି ଖୋଲିଗଲା ପରି … ଅନୁଭବ କଲି । ଏତେଦିନ ଧରି କିପରି ନିଶ୍ଚିନ୍ତରେ ଶୋଇଥିଲି, ଭାବି ଲଜ୍ଜିତ ହେଲି । ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି, ମୁଁ କିନ୍ତୁ ଏ ସମାଜର ସୁନାପୁଅ ହେବିନି । ହୃଦୟରେ ଅମାପ ସାହସ, ସଂକଳ୍ପ ନେଇ ରୁଗ୍‌ଣ ସମାଜକୁ ସୁନ୍ଦର କରିବାପାଇଁ ଆଗେଇଯିବି ।

 

ଭଦ୍ରକ, ୩୦ । ୦୩ । ୭୨

 

….ଆଗ ଚିଠିରେ ଲେଖିଥିଲି ‘ବିଶ୍ୱଶିଶୁ’ର ନବମ ସଂଖ୍ୟା ପାଠ କରି ମତାମତ ଦେବି । ସେହି ଅନୁଯାୟୀ ସଂଖ୍ୟାଟିକୁ ମନୋଯୋଗ ସହିତ ପାଠ କରି ଏହି ପତ୍ରରେ ମତାମତ ଲେଖି ପଠାଇଲି । ଆପଣଙ୍କର ପରାମର୍ଶ ଅନୁସାରେ ଆପଣଙ୍କ ମାୟାରେ ନିଜକୁ ଏତେବେଶୀ ଛନ୍ଦି ନଦେଇ କିଞ୍ଚିତ ମୁକ୍ତ ହୋଇ ସମୀକ୍ଷା କରିଛି । ….ସମ୍ପାଦକୀୟ ଲେଖାଟି ମୋତେ ସବୁଠାରୁ ଭଲ ଲାଗିଥିଲା । ଆପଣଙ୍କର ପ୍ରତ୍ୟେକ ବାକ୍ୟ ଏତେ ହୃଦୟସ୍ପର୍ଶୀ ଯେ, ତାହା ମନକୁ କିଣି ନେଉଛି । ଅନ୍ଧ ଓ ଉଗ୍ର ଜାତୀୟତାବୋଧରୁ ନିଜକୁ ଭିନ୍ନ କରି ଆପଣ ପ୍ରତ୍ୟେକ ବର୍ଣ୍ଣ, ଧର୍ମ, ଗୋଷ୍ଠୀର ଲୋକଙ୍କଠାରେ ଯେଉଁ ନୂତନତ୍ୱର ଆଲୋକ ଦେଖି ପାରୁଛନ୍ତି, ତାହା ବିସ୍ମୟାଭିଭୂତ କରିଦିଏ । ……କିନ୍ତୁ ଆଜିକାଲି ଏହି ଉଗ୍ର ଜାତୀୟତାବୋଧ ଏତେ ଉତ୍କଟ ହୋଇଗଲାଣି ଯେ ଓଡ଼ିଆ ଓଡ଼ିଶା ବ୍ୟତୀତ ଅନ୍ୟ କୌଣସିଠାରେ ସବୁ ଦେଖି ବି କିଛି ନଦେଖିଲା ପରି ଛଳନା କରୁଛି । ବିଶ୍ୱକବି ରବୀନ୍ଦ୍ରନାଥ ଏହି ଘୃଣା ଓ ହୀନମନ୍ୟତାର ଉର୍ଦ୍ଧ୍ୱରେ ରହି ବିଶ୍ୱପ୍ରେମରେ ନିଜକୁ ବିହ୍ୱଳ କରି ଦେଇଥିଲେ । ଆପଣାର ବହୁ କାବ୍ୟ କବିତାରେ ଆମକୁ କେବଳ ଅନ୍ଧ ଉଗ୍ର ଜାତୀୟତାବୋଧରେ ଭାସି ନଯାଇ ସାରା ସଂସାରଟାକୁ ଆଖି ଖୋଲି ଦେଖିବାକୁ (ସେ) ଆହ୍ୱାନ କରିଛନ୍ତି ।

 

ଭଦ୍ରକ, ୧୨ । ୫ । ୭୨

 

ମୁଁ ଯେତେବେଳେ ନିଜକୁ ଯେତିକି ମୁକ୍ତ ଆଉ ସ୍ୱାଧୀନ ମନେ କରେ, କେବଳ ସେତିକିବେଳେ ମୋର ଜୀବନବହିର କେତେ ପୃଷ୍ଠା ପଢ଼ି ଅନ୍ୟକୁ ଶୁଣାଇ ଦେବାକୁ ଆନନ୍ଦ ପାଏ । ବିଶେଷତଃ ଆପଣଙ୍କ ନିକଟରେ ନିଜକୁ ସ୍ୱଚ୍ଛ କରିଦେବାର ସୁଯୋଗ ଦେଇଥିବାରୁ ମୋ’ର ସମସ୍ତ କଥା ଅବଶ୍ୟ ଆପଣ ଜାଣିବେ । ଆପଣଙ୍କ ଆଗରେ ମୁଁ ନିଜକୁ ଯେତେ ଯେତେ ଉନ୍ମୋଚନ କରୁଥିବି, ଆପଣ ମୋ’ ହୃଦୟ ଆଉ ମନରେ ସେତେସେତେ ସ୍ଥାନ ଅଧିକାର କରୁଥିବେ । ସେଦିନ ଏକ ବୃନ୍ତଚ୍ୟୁତ ଫୁଲଟିକୁ ଆପଣ ଚିହ୍ନି ତୋଳି ନେଇଥିଲେ ନିଜପାଖକୁ, ତାର ସୌନ୍ଦର୍ଯ୍ୟହୀନ ଓ ବିବର୍ଣ୍ଣ ପାଖୁଡ଼ାଗୁଡ଼ିକରେ କେତେ ରଙ୍ଗ ବୋଳି ଦେଇଥିଲେ । ତା’ର ଫୁଟି ଉଠିବାରେ କେତେ ସହୃଦୟତା ନେଇ ସାହାଯ୍ୟ କରିଥିଲେ । ତା’ର ସୁପ୍ତ ମଣିଷପିଲାକୁ ଜଗାଇ ତା’ର ରୁଦ୍ଧ ଦୁଆର ଖୋଲି ତାକୁ ଯଥାର୍ଥରେ ଜୀବନ୍ୟାସ ଦେବାକୁ ଆରମ୍ଭ କରିଥିଲେ । ସେହିଦିନୁଁ ଶ୍ରଦ୍ଧା ଓ ବିଶ୍ୱାସର ସହିତ ଆପଣଙ୍କର ଅନୁଗାମୀ ହୋଇଛି । ଏହି ଗୋଟିଏ ବର୍ଷ ମଧ୍ୟରେ ନିଜକୁ ମୁଁ ଅଧିକ ଜାଣିପାରିଛି । ସଂଖ୍ୟାହୀନ ହତାଶାର ତିମିର ଭିତରେ ମୁଁ ଆଜି ଆଶାର ସବିତାକୁ ଦେଖିପାରିଛି । ମୋ’ର ଜୀବନୋଦ୍ୟମ ପାଇଁ ଏଇ ବୟସରୁ ନିଜକୁ ତିଆରି କରିବାକୁ ଶିଖିଛି ।

 

…ଆଜିର ଏହି ତରୁଣ ବୟସରେ ମୁଁ ସତରେ ଈଶ୍ୱରଙ୍କର ଏହି ସୃଷ୍ଟିକୁ ଆହୁରି ସରସ କରିବାପାଇଁ କେତେ ସ୍ୱପ୍ନ ଦେଖୁଛି । କିନ୍ତୁ ଭିତରୁ ଗୋଟାଏ ଦୁଷ୍ଟ ପ୍ରବୃତ୍ତି ମୋତେ ବାଧା ଦେଇ କହେ, ‘‘ତୁ ପରିସ୍ଥିତିର ରୁକ୍ଷ ବାସ୍ତବତାର ଆଘାତ ପାଇ ଯୁଗୋପଯୋଗୀ ହୋଇଯିବୁ । ତୋର ସବୁ ସ୍ୱପ୍ନ ଭାଙ୍ଗିଯିବ ।’’ କିନ୍ତୁ ମୋ’ର ହୃଦମନ୍ଦିରର ସଜାଗ ମଣିଷ ଠିକ୍ ତା’ର ପରମୁହୂର୍ତ୍ତରେ ମୋତେ ଶତସିଂହର ବିକ୍ରମ ଆଉ ଶକ୍ତି ଦିଏ । ପରିସ୍ଥିତି ମୋତେ ମୋ’ ସଂକଳ୍ପରୁ ଖସାଇ ଦେଇ ପାରିବନି । ଶତ ଦୁର୍ଯୋଗର ଅମା ଅନ୍ଧକାରରେ ମୁଁ ଦିଗହଜା ହୋଇ ନପାରେ । ଶେଷରେ ଆମେ ହିଁ ସଫଳ ହେବା, ଆମେ ଆସନ୍ତା କାଲିର ବାର୍ତ୍ତାବହ ।

 

ବେଳେବେଳେ ମୁଁ ତ୍ରୁଟି କରିପକାଏ । ସେହି ଅନିଚ୍ଛାକୃତ ତ୍ରୁଟି ପାଇଁ ମୁଁ ବେଶୀ ବିଚଳିତ ନୁହେଁ । ମୁଁ ଜାଣେ ସେହି ତ୍ରୁଟିର ଅନୁତାପରୂପକ ଆତ୍ମାନୁଶୀଳନ ମୋତେ ଆହୁରି ମାର୍ଜିତ କରିବ, ମୋତେ ମୋ’ର ଲକ୍ଷ୍ୟଦିଗରେ ଆହୁରି ଉଜ୍ଜ୍ୱଳ ଓ ସ୍ପଷ୍ଟ କରି ତୋଳିବ । ଏତେ କମ୍ ବୟସରେ ଏତେ ବଡ଼ ବଡ଼ ବିଷୟରେ ମୁଁ ଭାବି ପାରୁଥିବାରୁ ଓ ଅନୁଭବ କରି ପାରୁଥିବାରୁ ମୋ’ ନିଜ ଉପରେ ବିଶ୍ୱାସ ଦିନକୁଦିନ ଦୃଢ଼ ହେଉଛି ।

 

ଦିନେ ଉଗ୍ର ଜାତୀୟତାବାଦରେ ମୁଁ ବିଶ୍ୱାସୀ ଥିଲି ଏବଂ ସେଇଟାକୁ କେବଳ ମୁଁ ନୁହଁ, ଆମଭିତରୁ ଅନେକେ ‘ଦେଶପ୍ରେମ’ ବୋଲି ମାରାତ୍ମକ ନାଆଁରେ ଅଭିହିତ କରନ୍ତି । ମୁଁ କିନ୍ତୁ …..ସବୁ ଦେଶକୁ, ସବୁ ଦେଶର ମଣିଷକୁ ଭଲ ପାଇ ଶିଖିଛି । ସବୁ ଦେଶର ମଣିଷଙ୍କୁ ଗୋଟିଏ ସାର୍ବଜନୀନ ପ୍ରେମର ରଜ୍ଜୁରେ ବାନ୍ଧିଦେବାର ସ୍ୱପ୍ନ ମୁଁ ଦେଖିଛି । ଦିନେ ମୁଁ ଧ୍ୱଂସକୁ ପସନ୍ଦ କରୁଥିଲି-। ଏବେ କିନ୍ତୁ ମୋ’ ଆଖିରେ ପ୍ରତ୍ୟେକ ସୃଷ୍ଟିକୁ ବଡ଼ କରି ଦେଖିବାକୁ ଆରମ୍ଭ କରି ଚାଲିଛି-। ସେଇ ଲକ୍ଷ୍ୟରେ ମୁଁ ମାଡ଼ି ଚାଲିଛି ।

 

ଏଥର ପରୀକ୍ଷାରେ ମୁଁ ବୀର ଭଳି ଅବତୀର୍ଣ୍ଣ ହୋଇଥିଲି । ବୀରର ସାହସ ଓ ଉତ୍ସାହ ନେଇ ତାହାକୁ ଅତିକ୍ରମ କରି ପାରିଛି । ତେଣୁ ଫଳ ମଧ୍ୟ ଆଶାନୁରୂପ ହେବ । ଜୀବନର ସକଳ ପରୀକ୍ଷାକୁ ମୁଁ ଆହ୍ୱାନ ଭାବରେ ଗ୍ରହଣ କରିବି ଓ ସେଥିରୁ ଉଜ୍ଜ୍ୱଳ ହୋଇ ବାହାରିବି ।

 

ଭଦ୍ରକ, ୨୨ । ୫ । ୭୨

 

….ସେଦିନ ଏଠି ପ୍ରାଚୀ ଗଗନକୁ ରଞ୍ଜିତ କରି ଆତ୍ମପ୍ରକାଶ କରୁଥିବା ପ୍ରଭାତର ଉଦୟସୂର୍ଯ୍ୟକୁ ମୁଁ ଗଭୀର ଭାବରେ ନିରୀକ୍ଷଣ କଲି । ହଠାତ୍ ସେଇ ସୂର୍ଯ୍ୟ ତା’ର ଦୀପ୍ତ କିରଣରେ ମୋ’ ଭିତରର ଜଡ଼ତାକୁ ଅପସାରଣ କରି ଯେପରି ମୋ’ର ସମସ୍ତ ଦୁଆର ଖୋଲିଦେଲା, ମୁଁ କେବଳ ସେଇଆ ଅନୁଭବ କଲି । ସକାଳର ସୁଶାନ୍ତ ପରିବେଶରେ ଏହି ଉଦୟସୂର୍ଯ୍ୟର ଉପସ୍ଥିତି ମୋ’ ଭିତରେ କେତେ ଆକାଙ୍‍କ୍ଷା ଭରିଦେଲା । ଅପଲକ ନୟନରେ ସେଇ ନୟନାଭିରାମ ଓ ହୃଦୟାଭିରାମ ଦୃଶ୍ୟ ଦେଖୁ ଦେଖୁ ମୁଁ ନିଜକୁ ମଧ୍ୟ ଆବିଷ୍କାର କରି ପାରିଲି ।

 

….ଇତ୍ୟବସରେ ମୁଁ ଜୀବନ ବିଦ୍ୟାଳୟ’ର ୨ୟ ଖଣ୍ଡ ଓ ‘ସାଗରପଥ’ ପଢ଼ି ଶେଷ କରିଦେଇଛି । ସତରେ ମଣିଷ ଓ ତା’ର ଜୀବନ ସମ୍ପର୍କରେ ଆପଣ କେତେ ଗଭୀର ଚିନ୍ତା କରି ପାରୁଛନ୍ତି । ‘ସାଗରପଥ’ ମୋତେ ଆଲୋଡ଼ିତ କରିଛି । ଏହାର ବର୍ଣ୍ଣନା କି ହୃଦୟସ୍ପର୍ଶୀ ହୋଇଛି । ଜାହାଜ ‘ସିଡ଼ନି’ର ବିଭିନ୍ନ ଯାତ୍ରୀ, ମିଶର, ସୁଏଜ୍‍ କେନାଲ, ସିସିଲି ଦ୍ୱୀପ ପ୍ରଭୃତି ବିଷୟରେ ଆପଣ ଯେଉଁ ଅନୁଶୀଳନ କରିଛନ୍ତି, ତାହା ପ୍ରାଣବନ୍ତ ହୋଇପାରିଛି । ଏହି ବହିର ଲେଖା ମନରେ ଏକ ସ୍ଥାୟୀ ପ୍ରଭାବ ପକାଇଛି ଓ ପଢ଼ିବାପରେ ସ୍ତବ୍ଧ ହୋଇଯିବାକୁ ପଡ଼ିଛି । ‘ସାଗରପଥ’ର ବର୍ଣ୍ଣନା ଓ ଆପଣଙ୍କର ଜୀବନଦୃଷ୍ଟି ମୋ’ ଭିତରଟାକୁ ଆହୁରି ପରିବର୍ତ୍ତିତ ଓ ସ୍ପନ୍ଦିତ କରିପାରିଛି । ଆପଣଙ୍କର ସେଇ ବିଶ୍ୱତୋମୁଖ ଜୀବନଦୃଷ୍ଟି ପାଇଁ ମୁଁ ଆପଣଙ୍କୁ ଅନେକ ସାଧୁବାଦ ଜଣାଉଛି । ବହିଟିରୁ ଆପଣଙ୍କ ନିଜ ଜୀବନଦର୍ଶନ କେତେ ପରିମାଣରେ ପ୍ରକାଶିତ ହୋଇଯାଇଛି ।

 

‘ଜୀବନ ବିଦ୍ୟାଳୟ’ ବହିଟିକୁ ମୁଁ ଅତି ଆଗ୍ରହ ଓ ଆନନ୍ଦର ସହ ପଢ଼ି ଶେଷ କରିଛି । ଏହି ବହି ମୋର ଚିନ୍ତା ଓ ଭାବନାକୁ ଦିନେ ପୂରାପୂରି ବଦଳାଇ ଦେଇଥିଲା । ଏ ବହିଟି ମଧ୍ୟ ବିଭିନ୍ନ ସାମାଜିକ ସମସ୍ୟା ସମ୍ପର୍କରେ ମୋତେ କେତେ ପ୍ରେରଣା ଦେଇଛି । ଏହି ବହିଟି ଏତେ ପ୍ରଭାବଶାଳୀ ଯେ, ସହଜରେ ପଢ଼ିଦେଇ ହେଉନାହିଁ । ସେଥିପାଇଁ ମନଭିତରେ ଚିନ୍ତା କରିବାକୁ ପଡ଼ୁଛି । ଚମ୍ପତିମୁଣ୍ଡା ସ୍କୁଲ ଆପଣଙ୍କର ସ୍ୱପ୍ନ ଆଉ ସାଧନାର ପୀଠ ହିଁ ଥିଲା । ଠିକ୍ ରବୀନ୍ଦ୍ରନାଥ, ଗୋପବନ୍ଧୁଙ୍କ ପରି । ସେଇଠି ଯଥାର୍ଥ ମଣିଷ ଗଢ଼ିବାର ସାଧନା କରା ଯାଉଥିଲା । ପ୍ରକୃତ ଶିକ୍ଷିତ ହୋଇ ମଣିଷ ହେବାକୁ ପ୍ରେରଣା ଦିଆ ଯାଉଥିଲା । ଏ ବିଷୟରେ ଆପଣ ଯାହା ଭାବିଥିଲେ ଓ ଯାହା ଯାହା କରୁଥିଲେ ତାହା ପଢ଼ି କେତେ ଆନନ୍ଦ ଆଉ ସନ୍ତୋଷ ଲାଭ କଲି । କିନ୍ତୁ ଆଧୁନିକ ଭାରତୀୟ ଶିକ୍ଷାବ୍ୟବସ୍ଥା–ତା’ସହିତ ତୁଳନା କରି ମର୍ମାହତ ହେଲି । ଏ ବ୍ୟବସ୍ଥାକୁ ଆମ ଭିତରୁ କିଏ ବଦଳାଇବ ?

 

ଭଦ୍ରକ, ୯ । ୬ । ୭୨

 

….ଆପଣଙ୍କର ଆଗ ଚିଠିଟି ପଢ଼ି ସ୍ୱର୍ଗୀୟ ଆନନ୍ଦ ଅନୁଭବ କଲି । ଥରେ ନୁହେଁ, ବହୁବାର ଆନନ୍ଦ ଓ ବିସ୍ମୟରେ ଚିଠିଟିକୁ ମୁଁ ପଢ଼େ; ଯେତେ ବେଶୀ ପଢ଼େ, ସେତେ ଅଧିକ ଆଶ୍ଚର୍ଯ୍ୟ ହୁଏ । ଆପଣଙ୍କ ଚିଠିଗୁଡ଼ାକ ମୋ’ର କେତେ ଆନନ୍ଦ ଆଉ ଉତ୍ସାହର ଉତ୍ସ, ଆପଣ କେବଳ ବୁଝିପାରିବେ । ସେ ଚିଠି ପଢ଼ୁଥିବା ବେଳେ କାଗଜକଲମ ଉପରେ କାଳିରେ ଲେଖା ଯାଇଥିବା କେତେଟା ଅକ୍ଷର ପଢ଼ୁଥିଲା ପରି ମୋ’ର ମନେ ହୁଏନାହିଁ । ମୁଁ ଅନୁଭବ କରେ, ଆପଣ ମୋ’ ପାଖରେ ଥାଇ କେତେ କ’ଣ ଯେପରି କହୁଛନ୍ତି । ସେ ଚିଠିଗୁଡ଼ିକ ଆପଣାକୁ ଉନ୍ମୋଚିତ କରିବାରେ ମୋତେ ସାହାଯ୍ୟ କରେ । ମୋ’ ଆଡ଼କୁ ମୁଁ ଅନାଇ ଖୁସୀ ହୁଏ ।

 

ଭଦ୍ରକ, ୯ । ୧୦ । ୭୨

 

…..ପାଠପଢ଼ାରେ ଯେଉଁମାନେ ସର୍ବଶ୍ରେଷ୍ଠ କୃତିତ୍ୱ ଅର୍ଜନ କରୁଛନ୍ତି, ମୁଁ ସେମାନଙ୍କ କଥା ସମୟ ସମୟରେ ଭାବେ । କିନ୍ତୁ ମୋ’ର ମତ ଆପଣାର ପ୍ରତିଭାକୁ ସେମାନେ ନିଜର ଯଶ ବା ଆର୍ଥିକ ଉନ୍ନତି ପାଇଁ ନିୟୋଜିତ କରିବା ପରିବର୍ତ୍ତରେ ଦେଶପାଇଁ ଯଦି ଲଗାଇ ପାରନ୍ତେ, ତେବେ ଏ ଦେଶର ରୂପ ବଦଳି ଯାଆନ୍ତା । କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ସେପରି କାର୍ଯ୍ୟ କେଭେ କରି ପାରିବେନାହିଁ । ଜ୍ଞାନ ବା ବୁଦ୍ଧିର ଗୋଟିଏ ଗୋଟିଏ ପିଣ୍ଡ ହେଲେ ମଧ୍ୟ ନିଜ ଜୀବନରେ ପ୍ରକୃତ ପ୍ରତିଭାବାନ୍ ମଣିଷର ଗୁଣକୁ ପ୍ରତିଫଳିତ କରିପାରିବାର ସାହସ ସେମାନଙ୍କର ନାହିଁ ।

 

ଦିନକୁଦିନ ମୁଁ ଯେତେ କଥା ଜାଣୁଛି, ମୋତେ ଏ ଜୀବନ ଓ ମୋ’ର ଚାରିପଟରେ ଥିବା ବିରାଟ ମାନବଜଗତ ଭଲ ଲାଗୁଛି । ପୃଥିବୀର କେଉଁକେଉଁ ନିଭୃତ କୋଣରେ ରହି ମଧ୍ୟ ମୋ’ପରି ଏକ କ୍ଷୁଦ୍ର ମଣିଷ ପୃଥିବୀର ସବୁ ଘଟଣା ପ୍ରତି ସଜାଗ ଦୃଷ୍ଟି ରଖିଛି । ବହୁ ବିଷୟ ଅନୁଭବ କରି ପାରୁଥିବାରୁ ମୁଁ ଆନନ୍ଦସାଗରରେ ନିମଜ୍ଜିତ ହେଲା ପରି ମନେ କରୁଛି ।

 

ଭଦ୍ରକ, ୯ । ୫ । ୭୩

 

….ଆଜି, ସକାଳେ ‘ଶିଳାତୀର୍ଥ’ ଶେଷହେଲା । ସପ୍ତାହବ୍ୟାପୀ ଯେଉଁ ଅସୀମ ଆନନ୍ଦ ଓ ମଗ୍ନତା ଓ ସର୍ବୋପରି ତନ୍ମୟତା ଭିତରେ ‘ଶିଳାତୀର୍ଥ’ ପଢ଼ୁଥିଲି, ବହି ସରିବାପରେ ମୋ’ ଭିତରେ କୋଟି ସୂର୍ଯ୍ୟର ଆଲୋକ ଜଳିଉଠିଲା ପରି ଅନୁଭବ କଲି । ଅନେକ ଦେଖିବାର ଓ ଅନୁଭବ କରିବାର ଦୃଷ୍ଟି ଅର୍ଜନ କଲି । ଜୀବନପଥରେ ଖୁସୀ ଓ ସହାସ୍ୟ ହୋଇ ଚାଲିବାର ଅନେକ ପ୍ରେରଣା ଓ ଉତ୍ସାହ ପାଇଲି । ମଣିଷ ମଣିଷକୁ ଜାଣିବ, ମଣିଷ ମଣିଷର ଅତି ଆପଣାର ହେବ,–ବୁଦ୍ଧି ଦେଇ ନୁହଁ, ହୃଦୟ ଦେଇ ଓ ମମତା ଦେଇ । ବୁଦ୍ଧି ଓ ମସ୍ତିଷ୍କ ଦେଇ ଅସଲ ପ୍ରକୃତିଟିକୁ ଦେଖିବା ହୁଏନାହିଁ । ଦେଖି ହୁଏ ହୃଦୟ ଦେଇ । ‘ଶିଳାତୀର୍ଥ’ରେ ଯେଉଁ ଜୀବନମୟତା ଭିତରେ ଆତ୍ମହରା ହୋଇ ଆପଣ ନିଜର ଅନ୍ତରତମ ଆଗ୍ରହର ରସରେ (ଅଭିବ୍ୟକ୍ତିଗୁଡ଼ିକୁ) ରସାଣିତ କରିଛନ୍ତି, ଏହାର ନିଦର୍ଶନ ଅନ୍ୟ କେଉଁ ବହିରେ ଏତେବେଶୀ ମିଳି ନଥିଲା । ‘ଶିଳାତୀର୍ଥ’ର ପ୍ରେରଣା, ଆବେଦନ ମୋ’ ଜୀବନର ମନ୍ଦିରରେ ଦେବତା ହୋଇ ରହିବ, ମୋ’ ଜୀବନର ବିଶାଳ ଲକ୍ଷ୍ୟପଥରେ ମୋତେ ସବୁଠୁ ବେଶୀ ବାଟ ବତାଇଦେବ, ଏଥିପାଇଁ ମୁଁ ମୋ’ର ଅନ୍ତରର ଗଭୀରତମ ଶ୍ରଦ୍ଧାଞ୍ଜଳି ଜଣାଉଛି ।

 

ଭଦ୍ରକ, ୨୩ । ୫ । ୭୩

 

….ଆପଣଙ୍କ ସାମନାରେ ମୁଁ ମୋ’ର ଅନ୍ତରର ଦୁଆରଟିକୁ ଖୋଲି ଦେଇ ସବୁକଥା କହେ । ଗତ ଦୁଇବର୍ଷ ଭିତରେ ଆପଣ ମୋତେ ଯେଉଁ ଜୀବନର ସନ୍ଧାନ ଦେଇଛନ୍ତି, ମୋ’ ଭିତରେ ଯେଉଁ ଦୀପଟିକୁ ଜଳାଇ ଦେଇଛନ୍ତି, ମୋ’ ମନ ଓ କଳ୍ପନାର ରଥରେ ଯେପରି ସାରଥି ହୋଇ ବାହାରିଛନ୍ତି, ସେଥିପାଇଁ ଆପଣଙ୍କୁ ମୋ’ର ଶ୍ରଦ୍ଧାଞ୍ଜଳି ଓ ଭକ୍ତିପୂତ ସମ୍ମାନ ଜଣାଉଛି । କିନ୍ତୁ ଆପଣଙ୍କୁ ମୁଁ ଅନୁକରଣ କରୁନାହିଁ, ଗୋଟାଏ ଚିତ୍ତରଞ୍ଜନ ଦାସର ଛାଞ୍ଚରେ ଅବିକଳ ହୋଇ ପଡ଼ିଯିବାକୁ ଚେଷ୍ଟା କରୁନାହିଁ । ସେଥିରେ ଆପଣ ହିଁ ଖୁବ୍‌ବେଶୀ ଦୁଃଖ ପାଇବେ, ମୁଁ ଏହା ବୁଝିଛି । ଆପଣଙ୍କ ପଥ ଓ ମୋ’ର ପଥ ଭିନ୍ନ । ଦୁଇଟି ମଣିଷ ପରସ୍ପରର ବନ୍ଧୁ ହୋଇ ପାରନ୍ତି । ଅତି ଆପଣାର ହୋଇ ହୃଦୟର ବିନିମୟ କରିପାରନ୍ତି । ପରସ୍ପରକୁ ଖୁବ୍ ନିକଟତର ହୋଇ ବୁଝିପାରନ୍ତି-। କିନ୍ତୁ ସେମାନେ ଏକ ହୋଇପାରିବେ ନାହିଁ । ତେଣୁ, ଆପଣ ମୋତେ ଯେତେ ଯାହା କହିଛନ୍ତି, ଲେଖିଛନ୍ତି, ମୁଁ ସବୁ ବେଶ୍ ବୁଝିପାରିଛି; ମୋ’ ଭିତରେ ସେହି ଦିବ୍ୟ ଆନନ୍ଦର ରସ ବଢ଼ି ବଢ଼ି ଚାଲିଛି । ସବୁ କ୍ରମଶଃ ଶାନ୍ତ ହୋଇ ଯାଉଛି । ମୋ’ ବୟସର କୈଶୋର ଓ ତାରୁଣ୍ୟ ପାଇଁ ଯଥେଷ୍ଟ ଖୋରାକ ଆସିଛି । ତେଣୁ ସନ୍ଦେହର ପ୍ରଶ୍ନ ଉଠେନା, ଅବିଶ୍ୱାସ ମଧ୍ୟ କରାଯାଇ ନପାରେ-। ମୁଁ ଆପଣଙ୍କ ଭାଷାରେ ବନ୍ଧୁ ହେବା ପାଇଁ ଚେଷ୍ଟା କରିବି । ମୁଁ ଆଉ ନିଜକୁ ହୀନ ମନେ କରୁନାହିଁ-। ଆପଣଙ୍କୁ ଅତି ନିଜର ବୋଲି ଅନୁଭବ କରି ପାରୁଛି ।

 

ଗତ ଚିଠିରେ ଲେଖିଥିଲି, ମୁଁ ଏବେ ଶାରୀରିକ ପରିଶ୍ରମ କରୁଛି । ପାଣି ଦେବା, ମାଟି ହାଣିବା, କୋଡ଼ିବା,–ଯାବତୀୟ କାମ ମୋତେ ଭଲ ଲାଗୁଛି । ଯେକୌଣସି କାମକୁ ମୁଁ ଅତି ଆଗ୍ରହର ସହିତ କରୁଛି । ମୋ’ର ସ୍ୱାସ୍ଥ୍ୟର କ୍ରମୋନ୍ନତି ଓ ଶକ୍ତିବର୍ଦ୍ଧନ ମୁଁ ଅନୁଭବ କରୁଛି । କାମ କରୁଛି । ….ଏବେ କୌଣସି ଖାଇବା ଜିନିଷ ପ୍ରତି ମୋ’ର ଘୃଣା ନାହିଁ । ଯେକୌଣସି ଖାଇବା ଜିନିଷକୁ ମୁଁ ଅତି ଆଗ୍ରହରେ ଓ ବିକାରମୁକ୍ତ ଭାବରେ ଖାଇ ପାରୁଛି । ମୋ’ର ଦୃଢ଼ ବିଶ୍ୱାସ, ଖୁବ୍ ଶୀଘ୍ର ମୁଁ ମୋ’ର ଆବଶ୍ୟକ ସ୍ୱାସ୍ଥ୍ୟ ଫେରି ପାଇବି । ….ମୁଁ ସ୍ୱାସ୍ଥ୍ୟବାନ୍ ହୋଇ ପାରିଲେ ମୋ’ ଭିତରେ ମନୋବଳ ଓ ସାହସ ଖୁବ୍‍ ବଢ଼ିଯିବ । ମୋ’ ମନର ଉତ୍ସାହଶକ୍ତି ତ ବର୍ତ୍ତମାନ ଶୀର୍ଷସୀମା ଧାରଣ କଲାଣି । ଏପରିକି ପ୍ରତି ପ୍ରଦକ୍ଷେପରେ ମୁଁ ଉତ୍ସାହର ପଦଧ୍ୱନି ଶୁଣିବାକୁ ପାଉଛି ।

 

….ଆପଣଙ୍କର ‘ଗଞ୍ଜାମ ମାଳରେ ସାତଦିନ’ ବହି ମୁଁ ଅଧା ପଢ଼ି ସାରିଲିଣି । ବହିଟି ମୋତେ ଖୁବ୍ ଭଲ ଲାଗୁଛି । ଆପଣ ବାସ୍ତବତା ଉପରେ ଯାହା ହୋଇପାରିବ ବୋଲି ସ୍ୱପ୍ନ ଦେଖିଛନ୍ତି, ତାହା ମୋ’ ମନରେ ଅନେକ ସାହସ ଓ ଶକ୍ତି ଭରି ଦେଇଛି । ଜୀବନରେ ମୁଁ ବି ଭଲ ପାଠ ପଢ଼ି ପ୍ରତିଷ୍ଠିତ ହୋଇ ପଇସାର ଏକ machine ହୋଇପାରିବି ନାହିଁ ।

 

ଦୁଧ ମୁଁ ପ୍ରତିଦିନ ପିଉଛି । ବୋଉକୁ ନକହି ଠିକ୍ ସମୟରେ ନିଜେ ଦୁଧ ଆଣି ପିଇ ଦେଉଛି ।

 

ଭଦ୍ରକ, ୯ । ୭ । ୭୩

 

…..‘ରାଜକୁମାର’ ବହି ପୁଣିଥରେ ପଢ଼ିଛି । ଯେତେଥର ପଢ଼ିଲେ ବି ସେହିପରି ନୂଆ ଲାଗୁଛି । ପ୍ରତ୍ୟେକ ଥର ପଢ଼ିବାବେଳେ ମନକୁ ପୂର୍ଣ୍ଣ କରି ଦେଉଛି । ଜୀବନ ପାଇଁ ବା ଜୀବନକୁ ଗୋଟିଏ ପିଲାର ଦୃଷ୍ଟିରେ ଦେଖିବାକୁ ହେବ, ବୟସ ହେଲେ ବି ପିଲାର ଆଗ୍ରହ ଓ ଉତ୍ସାହ, ପିଲାର ସୁନ୍ଦର ମନରେ ସଂସାରକୁ ଦେଖିବାକୁ ପଡ଼ିବ,–ମୁଁ ଏହି ଶିକ୍ଷା ଓ ପ୍ରେରଣା ପାଇଲି । ବୟସ ହେଲେ ସାଧାରଣତଃ ସମସ୍ତେ ଜଟିଳ ଓ ଗମ୍ଭୀର ହୋଇଯାଆନ୍ତି । ପିଲାମାନେ କିନ୍ତୁ ସୁନ୍ଦର ମଣିଷ । ମୁଁ କିନ୍ତୁ ଗମ୍ଭୀରତା ବା ବୟସ୍କର ଦୁର୍ଗୁଣମାନ କେବେ ଅନୁକରଣ କରିବିନାହିଁ ।

 

ଭଦ୍ରକ, ୧ । ୯ । ୭୩

 

….ଗତ ୨୩ ତାରିଖ ଗୁରୁବାର ଦିନ ଆମ କଲେଜରେ କ୍ଲାସ ହେଲା । ତିନିଦିନ ନିୟମିତ ଓ ସବୁଗୁଡ଼ିକ Period ପାଠ ପଢ଼ା ଯାଉଥିଲା । ମାତ୍ର ୨୭ ତାରିଖ ଦିନ ପ୍ରିନ୍ସିପାଲ ଓ କେତେକ ପିଲାଙ୍କ ମଧ୍ୟରେ ବଚସା ହେଲା ଓ ପ୍ରିନ୍ସିପାଲଙ୍କ ବ୍ୟବହାରକୁ କେନ୍ଦ୍ର କରି ପିଲାମାନେ ଉତ୍ତ୍ୟକ୍ତ ହେଲେ । ସେମାନେ ପ୍ରିନ୍ସିପାଲ୍‌ଙ୍କୁ ଏଥିପାଇଁ କ୍ଷମା ମାଗାଇବା ପାଇଁ ବଳପୂର୍ବକ ଆକ୍ରମଣ କରିଦେଲେ । ଟେକାମାଡ଼ରେ ଲେକ୍‌ଚରର୍‍ମାନେ ଆହତ ହେଲେ । ତା’ପରେ ଯାହା ହୋଇଥିବ ଅନୁମାନ କରି ପାରୁଥିବେ । ବର୍ତ୍ତମାନ କଲେଜ ଏରିଆରୁ ୧୪୪ ଉଠାଇ ନିଆଗଲାଣି । ଛାତ୍ରନେତାମାନଙ୍କ ଭିତରେ ବୁଝାମଣା ହୋଇଗଲାଣି । ପ୍ରିନ୍ସିପାଲ ମଧ୍ୟ ଦୁଃଖିତ । ପାଠପଢ଼ା ବନ୍ଦ ହୋଇ ଯାଇଥିଲେ ମଧ୍ୟ କଲେଜ ଅଫିସ୍ ଖୋଲା ଅଛି । ୪ ତାରିଖ ମଙ୍ଗଳବାର କଲେଜ ଖୋଲିବ-। ପିଲାମାନେ ଲେକ୍‌ଚରର୍ ଷ୍ଟାଫ୍‌ଙ୍କ ପାଖରେ କ୍ଷମା ମାଗିବେ । ସ୍ୱାଭାବିକ ଅବସ୍ଥା ଫେରିଆସିବ ବୋଲି ଆଶା କରାଯାଉଛି । ସ୍ଥାନୀୟ କେତେଜଣ ବିଶିଷ୍ଟ ଲୋକମାନଙ୍କ ଅଦମ୍ୟ ଚେଷ୍ଟା ଫଳରେ ଗୋଟିଏ ବୁଝାମଣା ହୋଇ ପାରିଲା ।

 

କଲେଜ ଜୀବନର ଅନୁଭୂତି, ବିଶେଷତଃ ପାଠପଢ଼ା, ଛାତ୍ର-ଶିକ୍ଷକ ସମ୍ବନ୍ଧ, ଶିକ୍ଷାସମ୍ବନ୍ଧୀୟ ଆଇନ-କାନୁନ ଭାରି ନୂଆ ଲାଗୁଛି ।

 

ବେଳକୁବେଳ ମୁଁ ନିଜ ଜୀବନ ପୁସ୍ତକର ଗୋଟିଏ ଗୋଟିଏ ନୂତନ ଅନାବିଷ୍କୃତ ଅଧ୍ୟାୟ ଆବିଷ୍କାର କରୁଛି । ନାନା ଭୁଲ, ବିଭ୍ରାନ୍ତି, ଦ୍ୱନ୍ଦ୍ୱ ଭିତରେ ମୁଁ ନିଜକୁ ପରଖି ନେଉଛି । ନାନା ଆଘାତ ଭିତରେ ଆହତ ନହୋଇ ମୁଁ ନିଜକୁ ଏକ ଭିନ୍ନ ଭାବରେ ଅନୁଭବ କରିପାରୁଚି ।

 

ଶ୍ରୀଯୁକ୍ତ ବିଶ୍ୱନାଥ ବାବା,

ଅନନ୍ତଚରଣ ବାବା, ମହୀନ୍ଦ୍ର ବାବା

 

(ବିଶ୍ୱଭାରତୀ ଶାନ୍ତିନିକେତନରେ ଓଡ଼ିଶାର ମହିମାଧର୍ମ ବିଷୟରେ ଗବେଷଣା କରୁଥିବାବେଳେ ଜୋରନ୍ଦା ମହିମାଗାଦି ସହିତ ପରିଚିତ ହେବାର ସୁଅବସର ପାଇଥିଲି । ସେହି ସମୟର କେତୋଟି ଚିଠି ।)

 

କଟକ, ୨୪ । ୦୨ । ୫୦

 

ଅଲେଖ ବ୍ରହ୍ମଣେ ନମଃ

ପରମ କଲ୍ୟାଣୀୟ ।

 

ଶ୍ରୀମାନ୍ ଚିତ୍ତରଞ୍ଜନ ବାବୁଙ୍କୁ ଶୁଭାଶୀର୍ବାଦ ସୁକଲ୍ୟାଣ ବିଶେଷ । …ଗତ ମାଘ ପୂର୍ଣ୍ଣିମା ମହିମାଗାଦି ଉତ୍ସବ ପର ଅବସର ସମୟେ ବାବୁଙ୍କୁ ଅନୁସନ୍ଧାନ କରି ବୁଝିଲୁଁ ଯେ ବାବୁ ବାହାରି ଯାଇଛନ୍ତି । ଅନନ୍ତ ଚରଣ ବାବାଙ୍କ ସହ ସାକ୍ଷାତ ହୋଇଥିଲା ବୋଲି ସେ ବାବା କହୁଥିଲେ । ତୁମ୍ଭର ଲିଖିତ ପ୍ରଶ୍ନଗୁଡ଼ିକର ସାର ସଂକ୍ଷିପ୍ତଭାବେ ଉତ୍ତର ଦେଉଅଛୁଁ ।

 

୧. ଗୁରୁ ମହିମାସ୍ୱାମୀଙ୍କ ଆଦ୍ୟ ଖେଳକୁ ବାଲ୍ୟଲୀଳା କୁହାଯାନାହିଁ । ସେହି ଗୁରୁଙ୍କ ଆଦେଶାନୁସାରେ ବାଲ୍ୟଲୀଳା କରାଯାଇଅଛି । ଗୁରୁ ସ୍ୱାମୀଙ୍କ ଧର୍ମପ୍ରଚାର ପ୍ରାରମ୍ଭରୁ ବାଲ୍ୟଲୀଳା ହୋଇ ଆସୁଅଛି । ପ୍ରତି ମାସ ମହା ପ୍ରଭୁପୂର୍ଣ୍ଣିମା ପ୍ରାତଃ ବ୍ରାହ୍ମମୁହୂର୍ତ୍ତ ସମୟେ ମହିମାଗାଦି ପୀଠରେ ବା ଦେଶ ଆଶ୍ରମସ୍ଥାନମାନଙ୍କରେ ବାଲ୍ୟଲୀଳା କରାଯାଏ । ଗାଦିରେ ପ୍ରତି ନିତ୍ୟ ଓ ଦେଶରେ ସାମୟିକ ଏହାର ଅନୁଷ୍ଠାନ ହୁଏ । ଗାଦି ପୀଠ କୌଣସି ମନ୍ଦିରଠାରେ ତାହାର ଅର୍ପଣ କରା ଯାଏନାହିଁ । ସେଥିନିମିତ୍ତ ଆଶ୍ରମ-ମଣ୍ଡଳର ଐଶାନ୍ୟ କୋଣରେ ଗୋଟିଏ ଉତ୍ତମ (ପକ୍କା) ଛାତଶୂନ୍ୟ ମଣ୍ଡପ ବିସ୍ତୀର୍ଣ୍ଣ ଆକାରରେ ହୋଇଅଛି । ସେହିଠାରେ ବାଲ୍ୟଲୀଳାର ସୁମିଷ୍ଟାଦି ଖାଦ୍ୟପଦାର୍ଥ ନୂତନ ମୃତ୍ତିକା ଧୌତ ଭାଣ୍ଡରେ ଅଲେଖ ପରମବ୍ରହ୍ମଙ୍କ ନାମରେ ଉର୍ଦ୍ଧ୍ୱକୁ ଉତ୍ତୋଳନ କରାଯାଇ ଆବାଳ ବୃଦ୍ଧ ନରନାରୀଙ୍କୁ ବିତରଣ କରାଯାଏ । ପ୍ରଥମେ ଏ ପ୍ରସାଦ ବାଳକମାନଙ୍କୁ ଦିଆଯାଇ ତା’ପରେ ଅନ୍ୟମାନଙ୍କୁ ଦିଆଯାଏ । ବାଳକମାନଙ୍କୁ ପ୍ରଥମେ ଦିଆଯିବା ବିଶେଷତ୍ୱ ହେତୁ ପରଂବ୍ରହ୍ମଙ୍କର ମହିମା ପ୍ରସାଦ ବାଲ୍ୟଲୀଳା ନାମରେ ମହିମା ସମାଜରେ ଖ୍ୟାତ ହୋଇଅଛି-। ଜଗନ୍ନାଥ ମନ୍ଦିରର ବାଲ୍ୟଭୋଗ ସହିତ ଏହାର କିଛି ସମ୍ବନ୍ଧ ନାହିଁ ।

 

୨. ବ୍ରାହ୍ମ ବିଦ୍ୟାର (?) ବୈଦିକ ଆଚାର ସହିତ କେତେକ ସାମଞ୍ଜସ୍ୟ ଅଛି ଓ ଆମ ଧର୍ମନିୟମ ବିଶିଷ୍ଟ ଆଚାର ନୀତିର କେତେକ ବିଶେଷତ୍ୱ ଅଛି ।

 

୩. ‘ମହିମା’ ଶବ୍ଦ–ନିର୍ଗୁଣ ଅଲେଖ ପରଂବ୍ରହ୍ମଙ୍କ ‘ମହିମା’ରୁ ସର୍ବ ବିଶ୍ୱ ଜୀବଜଗତ ଉତ୍ପନ୍ନ ହୋଇଅଛି ଓ ସେହି ମହିମା ବଳରେ ଧାରଣ ହୋଇ ଚଳୁଅଛି । ଏ ହେତୁ ସତ୍ୟ-ମହିମାଧର୍ମ ନାମକରଣ ହୋଇ ସେହି ଏକ ଚିତ୍‌ସ୍ୱରୂପ ପରଂବ୍ରହ୍ମଙ୍କ ଶରଣ ଭଜନ ନିମିତ୍ତ ଗୁରୁ ମହିମାସ୍ୱାମୀଙ୍କ ଉପଦେଶ ରହିଅଛି । ଆଉମଧ୍ୟ ଧର୍ମପ୍ରଚାରକର୍ତ୍ତାଙ୍କ ନାମ ଧର୍ମ ନାମାନୁସାରେ ‘ମହିମା’ ସ୍ୱାମୀ ନାମରେ ଖ୍ୟାତ । ଅନ୍ୟାନ୍ୟ ମତବାଦରେ ଯେପରି ପୁରୁଷ ପ୍ରକୃତି ଓ ମାୟାଗୁଣାନୁସାରେ ସୃଷ୍ଟିତତ୍ତ୍ୱର ପ୍ରାରମ୍ଭ ବୋଲି ବିଶ୍ୱାସ କରନ୍ତି, ତଦ୍ରୂପ ପୁରୁଷ ପ୍ରକୃତିକୁ ମାୟାଦିକୁ ଆଦିକାରଣ ରୂପେ ବିଶ୍ୱାସ କରାଯାଏ ନାହିଁ । ଏହାର ବିଶଦ ବିବରଣ ବର୍ତ୍ତମାନ ଲିଖିତ ‘ଅଲେଖ ପରଂବ୍ରହ୍ମ ଦର୍ଶନ’ ଗ୍ରନ୍ଥରେ ପର୍ଯ୍ୟାଲୋଚିତ ।

 

୪. ସତ୍ୟ-ମହିମାଧର୍ମରେ ପ୍ରଥମେ ଦୀକ୍ଷିତ ହେବାକୁ ହେଲେ ଦୀକ୍ଷିତ ଦିନଠାରୁ ୨୧ ଦିନ ପର୍ଯ୍ୟନ୍ତ ସ୍ଥୂଳ ଶରୀର ଶୋଧନାର୍ଥେ ବତ୍ସତରୀର ଗୋମୟ ଅଙ୍ଗରେ ମାର୍ଜନ କରି ସ୍ନାନ କରିବାକୁ ହୁଏ । ତତ୍ପରେ ଉକ୍ତ ଗୋମୟ, ଗୋମୂତ୍ର ଜଳ ଓ ରେଣୁ ସହ ଏକତ୍ର କରି ପରିମିତ ଭାବେ ପାନ କରାଯାଏ । ଏହା ଶରୀର ବାହ୍ୟ-ଶୌଚ ବିଧାନ ଅଟେ । ୨୧ ଦିନ ପରେ ଆବଶ୍ୟକ ବା ଇଚ୍ଛାମତେ ଉକ୍ତ ପବିତ୍ର ଶୌଚ ବିଧାନ ସାଧୁ ଭକ୍ତମାନେ ଆଚରଣ କରିଥାନ୍ତି । ଏହା ବ୍ୟବହାରଦ୍ୱାରା ଶରୀରର ଦୂଷିତାଂଶ ସମସ୍ତ ବିନଷ୍ଟ ହୁଏ ।

 

ପାତଞ୍ଜଳ ବ୍ୟାସଭାଷ୍ୟରେ ଏହାର ବିଶେଷ ବିବରଣ ଦ୍ରଷ୍ଟବ୍ୟ ।

 

୫. ଜୀବାତ୍ମା ପରମାତ୍ମାର ଧ୍ୟାନ ନୀରବରେ ଅବିଚଳିତ ରହିଲେ ଧ୍ୟାନଯୋଗ ହୁଏ । ଯେ ଜୀବାଂଶ ନୁହନ୍ତି, ଯୋଗେଶ୍ୱର ସ୍ୱରୂପରେ ଆବିର୍ଭାବ ହୋଇ ସ୍ୱଚିନ୍ମୟାତ୍ମା ସ୍ୱରୂପରେ ସମାଧିସ୍ଥ ରହିଥାନ୍ତି । ଏପରି ସମାଧିକୁ ଆତ୍ମଯୋଗ ସମାଧି କହନ୍ତି । ସମସ୍ତ ଯୋଗସମାଧି ଶ୍ରୁତ୍ୟାଦିରେ ବର୍ଣ୍ଣିତ ଅଛି । ଆତ୍ମଯୋଗ ସମାଧି ମହିମାସ୍ୱାମୀ ଅଦ୍ଭୁତ ଭାବେ ଅବଲମ୍ୱନ କରିଥିଲେ । ଏହାର ବିଶେଷ ପ୍ରମାଣ ସତ୍ୟ-ମହିମାଧର୍ମ ଇତିହାସରୁ ବୁଝି ପାରିବେ ।

 

୬. ସତ୍ୟ-ମହିମାଧର୍ମରେ ନାରୀମାନଙ୍କୁ ଗୃହସ୍ଥ ଦାମ୍ପତ୍ୟ ଭାବେ ରହି ଧର୍ମପାଳନ କରିବାକୁ ଆଦେଶ ରହିଅଛି । ପୁରୁଷର ଉପାସନାପ୍ରଣାଳୀରେ ଯେତିକି ଅଧିକାର ସ୍ତ୍ରୀମାନଙ୍କର ମଧ୍ୟ ସେତିକି ଅଧିକାର ଅଛି । କିନ୍ତୁ ପୁରୁଷ ସାଧୁସନ୍ନ୍ୟାସୀମାନଙ୍କର ସ୍ପର୍ଶ ସେବାଶୁଶ୍ରୂଷାରେ ଯେପରି ଅଧିକାରୀ, ତଦ୍ରୂପ ସ୍ତ୍ରୀ ସାଧୁସନ୍ନ୍ୟାସୀଙ୍କୁ ସ୍ପର୍ଶ କରିବାର ବିଧାନ ନାହିଁ । ଆଉମଧ୍ୟ ସ୍ତ୍ରୀ ସନ୍ନ୍ୟାସିନୀ ହେବା ମହିମା-ସମାଜର ନିୟମବିରୁଦ୍ଧ ଅଟେ । ସ୍ୱଗୃହରେ ବା ସ୍ୱଗ୍ରାମରେ ବ୍ରହ୍ମଚାରିଣୀ ହୋଇ ରହିପାରନ୍ତି ।

 

ଆମେ ଏଠାରୁ ପୁରୀ, ଗଞ୍ଜାମ ଅଞ୍ଚଳ ଭ୍ରମଣାର୍ଥେ ଯିବା ନିମିତ୍ତ ସ୍ଥିର କରିଛୁଁ । ଆଗାମୀ ବୈଶାଖ ପୂର୍ଣ୍ଣିମା ପରେ ମହିମାଗାଦିକୁ ଯିବାର କଳ୍ପନା କରାଯାଇଅଛି । ତୁମ୍ଭର ମହତ୍ ଉଦ୍ଦେଶ୍ୟ ପ୍ରଭୁ ପୂରଣ କରାନ୍ତୁ । ଆବଶ୍ୟକ ମତେ ଶୁଭସମାଚାର ପତ୍ରାଦି ପାଇପାରିବୁଁ । ତଦନୁସାରେ ତୁମ୍ଭେ ଆସି ମଧ୍ୟ ସାକ୍ଷାତ ମହିମାଗାଦି ଢେଙ୍କାନାଳରେ ହୋଇ ପାରିବ । ଆଉ ସମସ୍ତ ବିବରଣ ତୁମ୍ଭର ଶୁଭ ସମାଚାର ପରେ ବା ସାକ୍ଷାତରେ । ଇତି ।

 

ବାବୁଙ୍କର ମଙ୍ଗଳାଭିଳାଷୀ

ଅବଧୂତ ବିଶ୍ୱନାଥ ବାବା

 

ମହିମାଗାଦି, ୭ । ୮ । ୫୦

 

ଅଲେଖପରଂବ୍ରହ୍ମେ ଶରଣମ୍

 

ପରମକଲ୍ୟାଣୀୟ ଶ୍ରୀମାନ ଧର୍ମପ୍ରାଣ ଚିତ୍ତରଞ୍ଜନ ବାବୁଙ୍କୁ ଶୁଭାଶୀର୍ବାଦ ସୁକଲ୍ୟାଣ ବିଶେଷ । ଲେଖାଭିପ୍ରାୟ ଏହି ଯେ, ଏବେ ଆସି ଆମେ ମହିମାଗାଦିରେ ରହିଛୁ । ତୁମ୍ଭର ସୁପ୍ରିୟ ଭକ୍ତିଭାଜନ ଆମ ମହିମା ସମାଜ ଓ ମହିମାଗାଦିର ପ୍ରଧାନ ଅଧ୍ୟକ୍ଷ ସିଦ୍ଧ ସାଧୁ ଅବଧୂତ ଦୀନବନ୍ଧୁ ବାବା ମହୋଦୟ ଗତ ୨ ତାରିଖ ବୁଧବାର ପ୍ରାତଃ ବ୍ରହ୍ମମୁହୂର୍ତ୍ତ ସମୟେ ଅଲେଖ ପରଂବ୍ରହ୍ମଙ୍କୁ ଶରଣ ଦର୍ଶନ ପୂର୍ବକ ତତ୍ ସଙ୍ଗେ ସଙ୍ଗେ ପୂର୍ବାଭିମୁଖ ହୋଇ ପଦ୍ମାସନରେ ଉପବେଶନ କରି ପରଂବ୍ରହ୍ମ ସ୍ମରଣ ଭଜନରେ ନିମଜ୍ଜିତ ରହିଲେ । କିୟତ୍‍କ୍ଷଣ ପରେ ୭ ବାର ମହିମା ଅଲେଖ ନାମଧ୍ୱନି କରି ଦେଇ ଇହଧାମରୁ ଅଭୟ ପରଂବ୍ରହ୍ମଧାମକୁ ଗମନ କଲେ । ଶରୀରରେ କୌଣସି ପ୍ରକାର ରୋଗାକ୍ରାନ୍ତ ହୋଇନଥିଲା । ଏତେ ବୃଦ୍ଧ ବୟସରେ ମଧ୍ୟ ଘଟାନ୍ତରେ ଶରୀର ଅଙ୍ଗ ମ୍ଳାନ ଓ ବିକାରର ଚିହ୍ନ ପ୍ରକାଶ ପାଇନଥିଲା । ଏପରି ଅଲୌକିକ ଭାବେ ଦେହତ୍ୟାଗ କରିବାର ପଟାନ୍ତର ନାହିଁ । ସେ ବାବା ବଡ଼ ସିଦ୍ଧ ଯୋଗୀନ୍ଦ୍ର ଭାବେ ଇହଧାମରୁ ବିଦାୟ ନେଲେ । ମହିମାଗାଦି ପ୍ରାରମ୍ଭରେ ସେ ବାବା ପ୍ରଥମ ଶ୍ରେଣୀ ସନ୍ୟାସର ପ୍ରଥମ ଥିଲେ । ଆଜକୁ ପ୍ରାୟ ତିରିଶ ବର୍ଷ ହେବ ମହିମାଗାଦିର ଯାବତୀୟ ଭାର ଗ୍ରହଣ କରି ଗାଦିର ସୁପରିଚାଳନା କରୁଥିଲେ । ଆଉ ମଧ୍ୟ ଗାଦିର ମାରଫତ୍‍ଦାର ଏବଂ, ଟ୍ରଷ୍ଟିବୋର୍ଡ଼ର ପ୍ରେସିଡେଣ୍ଟ ହୋଇଥିଲେ । ଆବାଲ୍ୟ ସମୟରୁ ବୈରାଗ୍ୟ ଅବଲମ୍ୱନ କରି ତ୍ୟାଗୀ ହୋଇ ଆସିଥିଲେ । ସନ୍ନ୍ୟାସୀ ହୋଇ ନାନା ସ୍ଥାନ ଭ୍ରମଣପୂର୍ବକ ସତ୍ୟମହିମା-ଧର୍ମର ମାହାତ୍ମ୍ୟ ପ୍ରଚାର କରି ମହିମାଗାଦିର ବହୁ ଉନ୍ନତିକାର୍ଯ୍ୟ କରାଇଥିଲେ । ଆଉ ଅନ୍ୟାନ୍ୟ ସାଧୁତାର ଗୁଣ ବାବୁ ତ ସାକ୍ଷାତରେ ପ୍ରତ୍ୟକ୍ଷ କରି ଅଛନ୍ତି । ଏସବୁ ମହତ୍ ଗୁଣବିଷୟ ସହ ବାବାଙ୍କର ଅଭୟଧାମ ପ୍ରାପ୍ତ ହେବା ବୃତ୍ତାନ୍ତ ବଙ୍ଗଳା ଓ ଇଂରାଜୀ ପତ୍ରମାନଙ୍କରେ ପ୍ରକାଶ କରାଇଦେବା ସମୁଚିତ । ଆଉ ସମସ୍ତ ବିବରଣ ବାପାଙ୍କର ଶୁଭସମାଚାର ପରେ । ଇତି ।

 

ବାବୁଙ୍କର ମଙ୍ଗଳାଭିଳାଷୀ

ଅବଧୂତ ବିଶ୍ୱନାଥବାବା

ଅନନ୍ତ ଚରଣ ବାବା

 

ମହିମାଗାଦି, ୨୩ । ୭ । ୫୪

 

ଅଲେଖ ପରଂବ୍ରହ୍ମଣେ ଶରଣମ୍

 

ପରମ କଲ୍ୟାଣୀୟ ଶ୍ରୀମାନ୍ ଧର୍ମପ୍ରାଣ ଚିତ୍ତରଞ୍ଜନ ବାବୁଙ୍କୁ ଶୁଭାଶୀର୍ବାଦ ସୁକଲ୍ୟାଣ ବିଶେଷ । ବାବୁ ! ଆମେ ଗତ ୧୭ ତାରିଖରେ ମହିମାଗାଦିରେ ଆସି ପହଞ୍ଚିଅଛୁଁ । ବାବୁଙ୍କ ସଂଗୃହୀତ ଓଡ଼ିଶାର ମହିମାଧର୍ମ ଓଡ଼ିଆ ଓ ଇଂରାଜୀ ଦୁଇଖଣ୍ଡ ପୁସ୍ତକ ପାଇଅଛୁଁ । ଇତିପୂବୁଁ କଟକ ଅଞ୍ଚଳର ଭକ୍ତଠାରୁ ଉକ୍ତ ଧର୍ମପୁସ୍ତକ ପ୍ରାପ୍ତ ହୋଇ ତାହା ପାଠ କରି ବିଶେଷ ଆନନ୍ଦିତ ହୋଇଅଛୁଁ । ଏପର୍ଯ୍ୟନ୍ତ ଏ ଧର୍ମ ବିଷୟ ଲେଖିବାକୁ ଯେତେ ଲେଖକ ଲେଖିଥିଲେ, ତନ୍ମଧ୍ୟରେ ବାବୁଙ୍କ ଲେଖା ସର୍ବୋତ୍ତମ ନିରପେକ୍ଷ ବୋଲି ମହିମା-ସମାଜରେ ବିବେଚିତ ହେଲା । ଯତ୍‍କିଞ୍ଚିତ୍ ଯେକୌଣସିଠାରେ ବାକିରହିଛି, ତାହା ଦ୍ୱିତୀୟ ସଂସ୍କରଣରେ ସଂଶୋଧିତ ହୋଇଯିବ ବୋଲି ଆଶା କରାଯାଏ । ବାବୁଙ୍କୁ ପ୍ରଭୁ ସର୍ବ ମଙ୍ଗଳରେ ରଖିଥାନ୍ତୁ । ମହିମାଗାଦି ଆଶ୍ରମ ମଣ୍ଡଳ ଦକ୍ଷିଣ ଦର୍ଜା ସମ୍ମୁଖସ୍ଥ ବିସ୍ତୀର୍ଣ୍ଣ ଭୂମି ମଧ୍ୟରେ ମହିମା ପ୍ରଭୁଙ୍କ ସ୍ଥାୟୀ ଧ୍ୱନିମନ୍ଦିର ନିର୍ମିତ ହେଉଅଛି । ଏ ହେତୁ ଆଗାମୀ ଭାଦ୍ରବ ପୂର୍ଣ୍ଣିମା ପର୍ଯ୍ୟନ୍ତ ମହିମାଗାଦି ମଣ୍ଡଳରେ ରହିବାକୁ ହେବ । ବାବୁଙ୍କ ଶୁଭସମାଚାର ପତ୍ର ଲେଖିବେ । ଇତି ।

 

ବାବୁଙ୍କ ମଙ୍ଗଳାଭିଳାଷୀ

ଅବଧୂତ ବିଶ୍ୱନାଥ ବାବା

 

କୌପୀନଧାରୀ ମହିମା ସମାଜ

ମହିମାଗାଦି, ଢେଙ୍କାନାଳ

୨୦ । ୦୧ ।୫୮

 

ସୁଲେଖକ–

 

ଧର୍ମପ୍ରାଣ ଶ୍ରୀଯୁକ୍ତ ବାବୁ ଚିତ୍ତରଞ୍ଜନ ଦାସ !

 

ବାବୁ ! ଡଗର ଏକବିଂଶ ବର୍ଷ ସପ୍ତମ ସଂଖ୍ୟାରେ ଆପଣଙ୍କ ଲେଖା–‘‘ଓଡ଼ିଆ ସାହିତ୍ୟ ଓ ବୌଦ୍ଧଧର୍ମ’’ ବିଷୟଟି ପାଠ କରିଛି । ଧର୍ମପ୍ରାଣ ଗୃହସ୍ଥ ମହାତ୍ମା ଭୀମ ଭୋଇଙ୍କ କାବ୍ୟକବିତା ହିଁ ସତ୍ୟ ମହିମାଧର୍ମର ଧର୍ମଶାସ୍ତ୍ର । ସେହି କାବ୍ୟକବିତା ମାଧ୍ୟମରେ ହିଁ ସତ୍ୟମହିମାଧର୍ମ ପ୍ରଚାର ହୋଇଆସିଛି । ଯୋଗେଶ୍ୱର ମହିମାପ୍ରଭୁଙ୍କ ଉପଦେଶକୁ ମହାତ୍ମା ଭୀମ ଭୋଇ କବିତା ଛଳରେ ଅମର କରି ଯାଇଅଛନ୍ତି । ତାଙ୍କରି କବିତା ହିଁ ସତ୍ୟ ମହିମାଧର୍ମର ଗୁରୁଆଜ୍ଞା । ଆପଣଙ୍କ ଲେଖା କହୁଛି, ‘ପ୍ରାଚୀନ ଓଡ଼ିଶାର ସନ୍ଥଧର୍ମ ବି ମହିମାଧର୍ମ’ । ଏହା ସର୍ବବାଦୀସମ୍ମତ । ଏହାକୁ ହିଁ କେହି କେହି କହିଥାଆନ୍ତି,–‘‘ବିଶୁଦ୍ଧ ହିନ୍ଦୁଧର୍ମ ହିଁ ସତ୍ୟମହିମାଧର୍ମ ।’’ ଭୋଇଙ୍କ କାବ୍ୟକବିତା ଯେପରି ପ୍ରାଚୀନ ଧର୍ମଶାସ୍ତ୍ର ଉପନିଷଦ ସହିତ ସାମଞ୍ଜସ୍ୟ ରଖିଛି, ତାହାର ନିଗୂଢ଼ାର୍ଥ ମହିମାଗାଦି ବା ମହିମାଧର୍ମୀମାନେ ଏପର୍ଯ୍ୟନ୍ତ ବୁଝି ପାରିନାହାନ୍ତି । ଆପଣଙ୍କ ଯେଉଁ ଆଲୋଚନା ତାହାର ମର୍ମାର୍ଥ ବୁଝିବାପାଇଁ ଆମେମାନେ ଅକ୍ଷମ, କାରଣ–ମହିମାଧର୍ମର ପୀଠ ମହିମାଗାଦିରେ ସେପରି କୌଣସି ଅନୁଷ୍ଠାନ ନାହିଁ ଯାହାକି ଆପଣମାନଙ୍କ ମହତ ଉଦ୍ଦେଶ୍ୟକୁ ମହିମାଧର୍ମୀମାନଙ୍କୁ ବୁଝାଇବ-

 

ଆପଣମାନେ ହିଁ ଓଡ଼ିଶାର ମହିମାଧର୍ମ ବା ପ୍ରାଚୀନ ସନ୍ଥଧର୍ମର ମହତ୍ତ୍ୱ ଏବଂ ବିଶେଷତ୍ୱକୁ ଧର୍ମପିପାସୁମାନଙ୍କ ଆଗରେ ଉପସ୍ଥାପିତ କିରବେ । ଯେଉଁମାନେ ମହିମାଧର୍ମର ପ୍ରଧାନ ପୃଷ୍ଠପୋଷକ ରୂପେ ମହିମାଗାଦିରେ ଅଧିକାରୀ, ଏମାନେ ପ୍ରକୃତ ମହିମାଧର୍ମୀ ନୁହନ୍ତି । ସତ୍ୟମହିମାଧର୍ମ ବା ପ୍ରାଚୀନ ସନ୍ଥଧର୍ମର ମୌଳିକ ନୀତି ନିୟମକୁ ଯେପରି ଏମାନେ ଲଂଘନ କରିଛନ୍ତି ଏବଂ କରୁଛନ୍ତି, ଏହା ଅନୁତାପର ବିଷୟ । କେବେ ବାବୁଙ୍କ ସହିତ ସାକ୍ଷାତ ହେଲେ ସେବିଷୟ ଆଲୋଚନା କରିବି ।

 

ମହାତ୍ମା ଭୀମ ଭୋଇ ମହିମାଧର୍ମକୁ ସତ୍ୟସନାତନ ରୂପେ ପ୍ରମାଣିତ କରି ତାଙ୍କ ଅମର ଗ୍ରନ୍ଥ ‘ସ୍ତୁତି ଚିନ୍ତାମଣି’ ରେ ଯେଉଁ ଉକ୍ତି ଦର୍ଶାଇଛନ୍ତି, ତାହା ହିଁ ସତ୍ୟମହିମାଧର୍ମ ତଥା ଧର୍ମପିପାସୁମାନଙ୍କର ଧ୍ୟେୟ । ଭୋଇଙ୍କ ନାମତତ୍ତ୍ୱ ବିଷୟ ସମଗ୍ର ଉପନିଷଦରେ ସୁପ୍ରମାଣିତ । ବିଶେଷ କରି କଠ, ପ୍ରଶ୍ନ ଏବଂ ମାଣ୍ଡୁକ୍ୟ ଆଉ ମଧ୍ୟ ଯୋଗଦର୍ଶନରେ ଏକଥା ଦେଖିବାକୁ ମିଳେ । ‘‘ଓଁକାର ପରମ ପାଦୁ, ପିଅ ମକରନ୍ଦ ମଧୁ … ବିଖ୍ୟାତ ନିଷ୍କାମଧର୍ମ ଭଜନ ଏକା ଅକ୍ଷର । …ଓମ୍ ବେନିକ୍ଷର ଜ୍ଞାନୀଜନେ ବିଚାର …. ଏକା ଅକ୍ଷରକୁ ହୃଦେ ନିରତେ ଜପ …. ଧୂନିକୁଣ୍ଡ ସ୍ଥାପିଛନ୍ତି ମହାମାୟୀ ଉପରେ–ଓଁକାର ଶ୍ରୁବ ଧରିଣ ପକାନ୍ତି ଆହୂତିରେ …ଏକାକ୍ଷର କଞ୍ଚିକୋଲପ ହୋଇଛି…(ଭଜନମାଳା) ।

 

ବ୍ରହ୍ମ ଓଁକାର ମନ୍ତ୍ର ସାର, ଯେଜନ ଜାଣେ ନିର୍ବେଦର (ପଦ୍ମକଳ୍ପ) । ଆଉ ମଧ୍ୟ ‘ନିର୍ବେଦସାଧନ’ରେ ଏବିଷୟ ଆଲୋଚନା କରାଯାଇଛି । ଏହାହିଁ ପ୍ରାଚୀନ ସନ୍ଥଧର୍ମର ମୂଳତତ୍ତ୍ୱ । ଆଉ ମଧ୍ୟ ଭାରତ ଧର୍ମରାଜ୍ୟରେ ଏକତାର ଏକମାତ୍ର ପ୍ରତୀକ ।

 

ଏଣୁ, ମୋର ଅନୁରୋଧ ସତ୍ୟମହିମାଧର୍ମର ନାମତତ୍ତ୍ୱ ବିଷୟରେ ଆପଣ ଗୋଟିଏ ଲେଖା ଦୈନିକ ‘ସମାଜ’ରେ ପ୍ରକାଶ କରି ଚିରବାଧିତ କରିବା ହେବେ ।

 

ସେହି ଲେଖାକୁ ଅପେକ୍ଷା କରି ରହିଲି ।

 

ଓଁ ଶାନ୍ତିଃ,

ଶୁଭଚିନ୍ତକ

ସନ୍ନ୍ୟାସୀ ମହୀନ୍ଦ୍ରବାବା

 

Unknown

ଶ୍ରୀଯୁକ୍ତ ମନୋଜ ଦାସ

 

(ଶ୍ରୀ ମନୋଜ ଦାସ କଟକରେ ସେ ‘ଦିଗନ୍ତ’ ପତ୍ରିକାର ସମ୍ପାଦନା କରୁଥିବା ସମୟରୁ ହିଁ ଘନିଷ୍ଠ ବନ୍ଧୁ । ସବାଆଗର ସୂତ୍ରଟି ହେଉଛି ବ୍ୟକ୍ତିଗତ, ଅନ୍ତର୍ଗତ । ୧୯୬୨ ମହିହାରେ ମୁଁ ଜର୍ମାନୀ ଗଲାବେଳେ ସିଏ କଟକରେ ଥିଲେ । ତେଣୁ ଫେରିବାବେଳକୁ ସେ ଆଶ୍ରମବାସୀ । ସେହି ସମୟର ତାଙ୍କର ଏହି ପତ୍ରଟି ।)

 

ଶ୍ରୀ ଅରବିନ୍ଦ ଆଶ୍ରମ, ପଣ୍ଡିଚେରୀ–୨

୨୬ । ୭ । ୬୫

 

ଚିତ୍ତରଞ୍ଜନ ବାବୁ,

 

ମାନନୀୟେଷୁ,

 

ପ୍ରଣାମ ଗ୍ରହଣ କରନ୍ତୁ । ଆପଣଙ୍କର ଚିଠି ପାଇଛି । ମୋର ମନରେ ଗଭୀର ପ୍ରତିକ୍ରିୟା ଯାହା ହେବାର କଥା, ତାହା ଗଭୀରତମ ଭାବରେ ହିଁ ହୋଇଛି । ବାସ୍ତବିକ ମୋର ଅପରାଧର ମାତ୍ରା କେତେ ବେଶୀ, ସେ ବିଷୟରେ ଆପଣଙ୍କ ଚିଠି ମୋତେ ଦାରୁଣ ଭାବରେ ସଚେତନ କରିଦେଇଛି । ପ୍ରକୃତରେ, ଆପଣଙ୍କ ପ୍ରତି ତଥା ମୋ’ର ଅନ୍ୟ କେତେଜଣ ବନ୍ଧୁଙ୍କ ପ୍ରତି ମଧ୍ୟ ମୁଁ ଅକ୍ଷମଣୀୟ ଅନ୍ୟାୟ କରିଛି ସେହି ସମୟରେ । ସାଧାରଣତଃ ମୁଁ ଏପରି କରୁନଥିଲି । କିନ୍ତୁ ଆଶ୍ରମକୁ ଚାଲି ଆସିବାର ପୂର୍ବବର୍ତ୍ତୀ ଗୋଟିଏ ବର୍ଷ ବା ତହିଁରୁ କିଞ୍ଚିତ୍ ଅଧିକ କାଳ ମୁଁ ଯେପରି ଏକ ସ୍ୱପ୍ନ-ଚାଳିତ ଜୀବନଯାପନ କରୁଥିଲି । ଚିତ୍ତବାବୁ, ଆପଣଙ୍କ ସହିତ ବହୁତ ଘନିଷ୍ଠ ଭାବରେ ନମିଶିଥିଲେ ମଧ୍ୟ ପ୍ରଥମରୁ ହିଁ ଆପଣଙ୍କୁ ମୋ’ର ଅଗ୍ରଜ ଭାବରେ ମୁଁ ଦେଖିଛି । ଆପଣଙ୍କ ଆଗରେ ମୁଁ ଟିକେ ବି ଅତିରଞ୍ଜନ କରୁନାହିଁ । ସେହି ସମୟତକ ମୁଁ ଯେପରି ମୋ ନିଜର self ହୋଇ ନଥିଲି । କ’ଣ କରୁଥିଲି, କ’ଣ ନକରୁଥିଲି, ସେ ସମ୍ପର୍କରେ ମୁଁ ମୋଟେ ଅବହିତ ନଥିଲି । ଯେପରି ଏକ ଆଦିଗନ୍ତ ପ୍ରହେଳିକା ଭିତରେ Somnambulist ଟିଏ ଭଳି ମୁଁ ଆତ୍ମବିସ୍ମୃତ ହୋଇ କାମ କରି ଚାଲିଥିଲି । ଏହାହିଁ ସେ ସମୟର ଯଥାଯଥ ଅନୁଭୂତି । ଆଜି ସେ Stage ଅତିକ୍ରମ କରି ଆସ ମୁଁ ହୃଦୟଙ୍ଗମ କରୁଛି ଯେ ମୁଁ ଆପଣଙ୍କ ପ୍ରତି ବହୁତ ଅନ୍ୟାୟ କରିଛି । ମର୍ମାହତ ହୋଇ କ୍ଷମା ଭିକ୍ଷା କରିବା ଛଡ଼ା ମୋ’ର ଅନ୍ୟକିଛି ଉପାୟ ନାହିଁ । ଆପଣ ମହାନୁଭବ । ମୋର ଅସହାୟତା ବୁଝିବେ ବୋଲି ମୋର ପ୍ରାର୍ଥନା । ଆପଣଙ୍କର ଯେଉଁ ଲେଖା କୋତୋଟି ‘ଦିଗନ୍ତ’ରେ ପ୍ରକାଶ ପାଇ ପାରିନଥିଲା, ତାହା ‘ଦିଗନ୍ତ’ର ପ୍ରକାଶନରେ ଅନିୟମତା ହେତୁ । ଆପଣଙ୍କୁ କ’ଣ କହିବି–‘ଦିଗନ୍ତ’ ସକାଶେ ହଜାର ହଜାର ଟଙ୍କା କ୍ଷତି ଦେଇ ମଧ୍ୟ–ଅର୍ଥାତ୍ ମୋର ସାଧ୍ୟାତୀତ କ୍ଷତି ଦେଇ ମଧ୍ୟ ମୁଁ ତାକୁ ନିୟମିତ କରି ପାରିନଥିଲି । ଏକ ହିଁ କାରଣ । ମୋର ସମସ୍ତ କାର୍ଯ୍ୟତତ୍ପରତା ଭିତରେ ବି ଗୋଟାଏ ମୌଳିକ ବିତୃଷ୍ଣା ମୋର କାର୍ଯ୍ୟକଳାପରେ ପ୍ରତିଫଳିତ ହୋଇ ଉଠୁଥିଲା । A sense of futility......

 

ବାରମ୍ୱାର ଆପଣଙ୍କୁ କ୍ଷମା ମାଗିଲେ ମଧ୍ୟ ମୋ’ର ହୃଦୟ ଶାନ୍ତ ହେବନାହିଁ । Of all persons, ଆପଣଙ୍କ ମନରେ ମୁଁ ଯେଉଁ ଦୁଃଖ ଦେଇଛି, ତା’ର ପ୍ରାୟଶ୍ଚିତ୍ତ ବହୁ ଭାବରେ ମୋତେ କରିବାକୁ ପଡ଼ିଛି । ବର୍ତ୍ତମାନର ଅନୁତାପ ମଧ୍ୟ ସେହି ପ୍ରାୟଶ୍ଚିତ୍ତ ।

 

କ୍ଷମା କରନ୍ତୁ ।

 

ଡକ୍ଟର ମାୟାଧର ମାନସିଂହ

 

(ଏକ ଆଦ୍ୟ ପର୍ଯ୍ୟାୟରେ ମୁଁ ଶ୍ରୀ ମାନସିଂହଙ୍କର ରଚନାଗୁଡ଼ିକୁ ମାଧ୍ୟମ କରି ଦୂରରୁ ହିଁ ତାଙ୍କୁ ଚିହ୍ନିବା ଓ କଳିବାଲାଗି ଚେଷ୍ଟା କରୁଥିଲି । ପରିଚୟ ବଢ଼ିବା ସହିତ ଏପରି ଏକ ପର୍ଯ୍ୟାୟ ମଧ୍ୟ ଆସିଲା, ଯେତେବେଳେ କି ତାଙ୍କୁ ମାଧ୍ୟମ କରି ତାଙ୍କର ରଚନାଗୁଡ଼ିକର ଆକଳନ ନିମନ୍ତେ ଅଧିକ ମନ ହେଲା । ସେହି ପରିଚୟ ସକଳ ଅର୍ଥରେ ଏକ ସ୍ନେହପୂର୍ଣ୍ଣ ପରିଚୟ–ସିଏ ସଂସାରରୁ ବିଦାୟ ନେଇ ଚାଲିଯିବା ପର୍ଯ୍ୟନ୍ତ । ଅତ୍ୟନ୍ତ କାର୍ପଣ୍ୟରହିତ ପରିଚୟଟିଏ ।)

 

ସମ୍ୱଲପୁର, ୨୨ । ୦୨ । ୫୫

 

ପ୍ରିୟ ଚିତ୍ତରଞ୍ଜନ ବାବୁ,

 

ଆପଣଙ୍କର ଲେଖାଟି ମୋ’ର ହସ୍ତଗତ ହୋଇଛି ।

 

କିନ୍ତୁ ବର୍ତ୍ତମାନ ଅନ୍ୟକାମରେ ବ୍ୟସ୍ତ ଥିବାରୁ, ତାକୁ ରଖି ଦେଇଛି, ପରେ ପଢ଼ିବି ବୋଲି-। ବାଲେଶ୍ୱରରେ ବିନୋବାଜୀଙ୍କର ସାହିତ୍ୟିକମାନଙ୍କୁ ନେଇଥିବା ଉପଦେଶ ମୁଁ କାଗଜରେ ପଢ଼ିଛି-। ଉପଦେଶଗୁଡ଼ିକ ତୀକ୍ଷ୍ଣ ଦୃଷ୍ଟିରେ ପୂର୍ଣ୍ଣ । କିନ୍ତୁ ଆନ୍ଦୋଳନ ତ ଏକପ୍ରକାର ସଫଳ ହେଉଛି-। ସିହାଇ-ଜୀବୀ ସାହିତ୍ୟିକ ଶିଆର-ଜୀବୀ କୃଷକକୁ ଆଉ କି ଅଧିକା ସାହାଯ୍ୟ କରିପାରେ-? ଏ ଏକ ଜଟିଳ ଅର୍ଥଶାସ୍ତ୍ରୀକ ସମସ୍ୟା । ମୁଁ ମନେ କରୁନି ଯେ ଏହାର ସମାଧାନ ଏତେ ସହଜ ଓ ସୁକର । ଯେପର୍ଯ୍ୟନ୍ତ ଆମ ମାଟିରେ ଅନାକାଂକ୍ଷୀତ ବୁଭୁକ୍ଷୁ ଉଦରର ସଂଖ୍ୟା ନକମୁଛି, କୌଣସି ଆର୍ଥିକ ଯୋଜନା ସଫଳ ହୋଇ ପାରେନା । କୃଷକର ପ୍ରକୃତ ଅଭ୍ୟୁଦୟ ହେବ ସେହିଦିନ ଯେବେ ଆଗଦ୍ୱାର ବାଟେ ପଶିବେ, ଯେମିତି ସେ ପୂର୍ବେ ଆସୁଥିଲେ । ପୁଣି ସେଇ ଲକ୍ଷ୍ମୀ ଅଚଳା ରହିବେ କେବଳ ଯଦି କାନୁନଦ୍ୱାରା ପୈତୃକ ସମ୍ପତ୍ତିକୁ ଗୋଟିଏ ନିର୍ଦ୍ଦିଷ୍ଟ ସ୍ତରରୁ ତଳକୁ ଦିଆଯିବ ନାହିଁ; ପୁଣି, ଶ୍ରାଦ୍ଧ, ବିବାହ ପ୍ରଭୃତି ସାମାଜିକ ମୂର୍ଖତାରେ ଲକ୍ଷ୍ମୀଙ୍କି ଉଚ୍ଛନ୍ନ ହେବାକୁ ଦିଆ ନଯାଏ । ….ତଥାପି, ବିନୋବାବାଣୀର ପରମାସାର୍ଥକତା ଏଇଠାରେ ଯେ ତାହା ସମଗ୍ର ଜାତିର ଦୃଷ୍ଟିକୁ ଚାଷୀ ଓ ଚାଷରୂପକ ଜାତିର ପ୍ରଧାନତମ ସମସ୍ୟା ପ୍ରତି ଜାଗ୍ରତ ଓ ଆକୃଷ୍ଟ କରାଇ ରଖିଛି । ସନ୍ଥ ବିନୋବା ଆଜି କୋଟି କୋଟି ଚିରବିପନ୍ନ ହାଳିକଙ୍କର ଦେବତା । ସେ ହଳଧର, ବଳରାମ–ଭୂହୀନ କୃଷକର ପରମ ବଳ । ଏଇ ପୁରୁଷୋତ୍ତମଙ୍କର ସଖ୍ୟ ‘କିଛି କାଳ’ ଭୋଗ ପାଇଁ ମୁଁ ଉତ୍ସୁକ । ….ଆଶ୍ୱାସନା ଏହି ଯେ ବିନୋବାଜୀ ଆମର ସମ୍ବଲପୁରକୁ ଦିନେ ଆସିବେ ।

 

ମୋ’ର ଆଶୀର୍ବାଦ ନେବ ।

 

ଇତି ।

ମୟାଧର ମାନସିଂହ

 

ଥୋରିଆ ସାହି, କଟକ

୫ । ୮ । ୫୭

 

ପ୍ରିୟ ଚିତ୍ତରଞ୍ଜନ,

 

ଏ ମାସ ‘ଡଗର’ରେ ତମର ‘ଓଡ଼ିଶାରେ ଆସ୍ଥାନ କାହିଁ’ ଲେଖାଟି ମୋ’ର ଚିତ୍ତ ସ୍ପର୍ଶ କଲା । ତମର ଦେଶପାଇଁ ଏହି ସାଂସ୍କୃତିକ ସ୍ୱପ୍ନ ଜୟଯୁକ୍ତ ହେଉ, ଏହାହିଁ ମୋ’ର ପ୍ରାର୍ଥନା । ତେବେ ତମେ ତ ଯାଇ ଜଙ୍ଗଲରେ ପଶିଲ, କରିବାର ଭାର ଆଉ କିଏ ବୋହିବ ବୋଲି ଆଶା କରୁଛ ? ପୁଣି ଆମେ ଯେତେବେଳେ ଜନକଲ୍ୟାଣ ପ୍ରତିଷ୍ଠିତ ଗାଣତାନ୍ତ୍ରିକ ଶାସନ ତଳେ ରହିଲୁଣି, ସେତେବେଳେ ଆଉ ବେସରକାରୀ ଉଦ୍ୟମ ଏପରି ନିତାନ୍ତ ଦରକାର କି ଯେପରି ଥିଲା ୪୦ ବର୍ଷ ତଳେ ? ସେଦିନ ବନ୍ୟା ହେଲେ ଗୋପବନ୍ଧୁ ବାହାରୁଥିଲେ ଚୁଡ଼ା ବାଣ୍ଟିବାକୁ ସିନା, କାରଣ କମିସନର୍‌ ତା’ ଚୌକି ଛାଡ଼ି କାଦୁଅରେ ପଶିବାକୁ ନାରାଜ ଥିଲା । ଏବେ ତ ବନ୍ୟା ହେଲେ ଜବହର୍‌ଲାଲ ନେହୁରୁ ଦଉଡ଼ି ଆସୁଛନ୍ତି, ଆମ ମନ୍ତ୍ରୀଙ୍କ କଥା ଛାଡ଼ !

 

ସେହିପରି ଭାବରେ ମୋର ମନେ ହୁଏ, ସେତେବେଳେ ସତ୍ୟବାଦୀ ସ୍କୁଲର ଶାନ୍ତିନିକେତନର, ସାବରମତୀର ରାଜନୈତିକ ଆବଶ୍ୟକତା ଥିଲା । ସମୟ ଓ ପରିସ୍ଥିତିର ପରିବର୍ତ୍ତନରେ କେହି ରହି ପାରିବେନି ।–ଶାନ୍ତିନିକେତନର ନାମଟା କେବଳ ଅଛି ସିନା । ସତ୍ୟବାଦୀ ମଧ୍ୟ ସେୟା ହୋଇଥାନ୍ତା ଯେ ! ତେବେ ଆମର ସତ୍ୟରେ ଏକ ଆହ୍ୱାନ ଦରକାର ଏବଂ ତାହା କେବଳ ସାହିତ୍ୟ ମାଧ୍ୟମରେ ସମ୍ଭବ ବୋଲି ମୋର ବିଶ୍ୱାସ । ଉତ୍କଳ ସାହିତ୍ୟ ସମାଜକୁ ଗଢ଼ି ପାରିଲେ, ଏ ଦିଗରେ କିଛି ହୋଇ ପାରନ୍ତା ବୋଲି ମୋର ବିଶ୍ୱାସ । ତମେ ଏ ଦିଗରେ ଆହୁରି ଚିନ୍ତା କର । ଇତି ।

 

ମାୟାଧର ମାନସିଂହ

 

କଟକ, ୨୭ । ୫ । ୬୪

 

ପ୍ରିୟ ଚିତ୍ତରଞ୍ଜନ

 

ତମର ସୁନ୍ଦର ହସ୍ତାକ୍ଷର ଏତେ ଦିନ ପରେ ପୁଣି ଦେଖିପାରି ଭାରି ଖୁସୀ ହେଲି । କଟକ ଆସିଲ, ଦେଖା କଲନି । ଦୟା କରି, ଆଗ୍ରା ଫେରିବା ପୂର୍ବରୁ ଦେଖା ହୁଏ ଯେପରି ।

 

ଓଡ଼ିଆ ସାହିତ୍ୟର ଇତିହାସ ଉପରେ ସ୍ପଷ୍ଟ ଭାବରେ ମତ ବ୍ୟକ୍ତ ଯାହା କରିଛ, ତାହା ତମର ଜର୍ମାନୀ-ଡେନ୍‌ମାର୍କ୍‌-ସହବାସର ଫଳ । ଆଶା କରେ ଯାହା ଘରୋଇ ପତ୍ରରେ ଲେଖିଛ, ପତ୍ରପତ୍ରିକାରେ ପ୍ରକାଶ୍ୟରେ ତାହା କରିବାର ସାହସ ତୁମେ ହରାଇବ ନାହିଁ । ଏ ବହି ଉପରେ ଓଡ଼ିଶାରେ ଏପର୍ଯ୍ୟନ୍ତ ଆଲୋଚନା ହିଁ ହୋଇନାହିଁ । ଯାହା ହୋଇଛି ତାହା କେବଳ କୁତ୍ସା ଓ ମିଥ୍ୟା ଅପପ୍ରଚାର । ଏ ଦେଶରେ ଯାହା ହାତରେ ଖବରକାଗଜ ଅଛି, ସେ ଭାବୁଛି, ଏଦେଶଠାରୁ ସାଲ୍ୟୁଟ୍‌ ତାର ଏକାନ୍ତ ପ୍ରାପ୍ୟ । ମୁଁ ମୋ ବହିରେ ପ୍ରତିଭାକୁ ସାଲ୍ୟୁଟ୍‍ ଦେଇ ଚାଲିଛି, ପ୍ରଭାବଶାଳୀଙ୍କି ଅନାଇନି । ତା’ ଫଳରେ କିଛି କ୍ରୁଶିଫିକ୍‌ସନ୍‌ ଭୋଗ କରୁଛି । କିନ୍ତୁ ସତ୍ୟ ଯେ ଦିନେ ପ୍ରକାଶ ପାଇବ, ତମ ପତ୍ର ହିଁ ତାର ପ୍ରମାଣ । କୁତ୍ସା ସେହିମାନଙ୍କ ମୁଖ ଓ ଲେଖନୀରୁ ଉଦ୍‌ଗୀର୍ଣ୍ଣ ହୋଇଛି ଯେଉଁମାନେ ଧରି ନେଇଥିଲେ ଯେ ସେମାନେ ପ୍ରତିଭାବାନ୍‌ ସ୍ରଷ୍ଟା, କାରଣ ସେମାନେ ସୁବିଧା ସ୍ଥାନରେ ଆସନ ରଖି ପାରିଛନ୍ତି ଓ ତାହା ହିଁ ତାଙ୍କର ପ୍ରତିହିଂସା ଜାଗ୍ରତ କରିଛି, ଯେତେବେଳେ ସେମାନେ ସେମାନଙ୍କର, ବା ପିତା, ବା ଜାମାତା ବା ସଂପୃକ୍ତ ଅନ୍ୟ କାହାର ନାମ ମୋ ବହିର ଦେଖିନାହାନ୍ତି । ଜଣେ ବହି-ଦୋକାନୀର ତୈଳଚିତ୍ର ଯେତେବେଳେ ତମ ଦେଶର ସାହିତ୍ୟ-ସମାଜ-ଭିତ୍ତିରେ ମରାଯିବାର ଜାତୀୟ ସମ୍ମାନ ପାଉଛି (ଖଣ୍ଡିଏ ସୁଦ୍ଧା ବହି ନଲେଖି) ସେତେବେଳେ ତମ ଦେଶରେ ସାହିତ୍ୟିକ ମୂଲ୍ୟବୋଧ କ’ଣ ଯେ, ସ୍ପଷ୍ଟ ମତ ଦେଇଥିବା ଖଣ୍ଡିଏ ବହିକି, ଆହତ-ଅହମିକ ପ୍ରଭାବଶାଳୀଗଣ, ଆକ୍ରମଣ ନକରିବେ ? ଏ ବହି କିନ୍ତୁ ପ୍ରାୟ ସକଳ ଭାରତୀୟ ପ୍ରବନ୍ଧ ପତ୍ରିକାରେ ଉଚ୍ଚପ୍ରଶଂସିତ ହୋଇଛି । କିନ୍ତୁ ତାକୁ ‘ସମାଜ’ ଭଳି କାଗଜ ‘ଅଜ୍ଞ’ ଲୋକର ମତ ବୋଲି କହି ଉଡ଼େଇ ଦେଇଛି । (ଟୁଉକୁମୂଷୀ ଓ ଟମକକାଙ୍କ କୁଟୀରର ଲେଖକ ମୋ ବହିରେ ସ୍ଥାନ ପାଇନାହାନ୍ତି । ତେଣୁ ବହିର ଲେଖକ ଓ ପାଠକ ଯେ ‘ଅଜ୍ଞ’ ହେବେ ଏଥିରେ ସନ୍ଦେହ କ’ଣ ?) ନିକଟରେ ଜଣେ ଆମେରିକାନ୍‌ ଲେଖକଙ୍କ ଅଯାଚିତ ଅଭିମତ (ସେ ଏହି ବର୍ଷ ବିଷୁବମିଳନକୁ କଟକ ଆସିଥିଲେ ଓ ମୋ ବହି ବିରୁଦ୍ଧରେ ଯଥେଷ୍ଟ କୁତ୍ସା ଶୁଣିଥିବା ସତ୍ତ୍ୱେ) ପଠାଇଲି । ବାହାରର ଅଧିକାଂଶ ଅଭିମତ ଏହିପରି–ତମ ପତ୍ର ମଧ୍ୟ ସେହି ଶ୍ରେଣୀର;–ଏକ ‘ଅଜ୍ଞ’ ଶ୍ରେଣୀର ।

ଜୀବନାନନ୍ଦ ପାଣିଙ୍କର କୌଣସି ବହି ମୁଁ ଏପର୍ଯ୍ୟନ୍ତ ଦେଖିନାହିଁ । ତାଙ୍କ କଥା ଆଉଜଣେ ବିଦଗ୍ଧ ପାଠକ ମଧ୍ୟ କହୁଥିଲେ । ତାଙ୍କର ଠିକଣା ଇତ୍ୟାଦି ବୁଝି ଓ ବହି କ’ଣ ବାହାରିଛି ମତେ ଲେଖିବ ଦୟାକରି । ଯେହେତୁ ମୋ’ ବହି ହେଉଛି ବାସ୍ତବରେ ଓଡ଼ିଆ ସାହିତ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ଇତିହାସ, ଅର୍ଥାତ୍‌ ପାଇଓନିଅର୍‌–ଓ୍ୱାନ୍‌, ଛାଡ଼ିଯିବା ଅନେକ କଥା ସ୍ୱାଭାବିକ । ସଚ୍ଚିଦାନନ୍ଦ ଦେବ ଗ୍ରନ୍ଥାବଳିର ମୁଁ ଭୂମିକା ଲେଖିଛି, ଅଥଚ ସେହି ରାଜକବିଙ୍କ ସମ୍ବନ୍ଧରେ କହିବାକୁ ଭୁଲିଯାଇଛି-

ଆଶା କରେ ଭଲ ଥିବ । ଇତି ।

ଶୁଭାନୁଧ୍ୟାୟୀ,

ମାୟାଧର ମାନସିଂହ

 

ବର୍‌ହମ୍‌ପୁର, ୨୩ । ୬ । ୧୯୬୫

 

ପ୍ରିୟ ଦାସ୍‌,

 

ବହୁ ଦିନ ପରେ ତମର ହସ୍ତଲିପି ଦେଖି ଓ ପଢ଼ି ଏହି ଦୂର ପ୍ରବାସରେ ଯତ୍‌ପରୋନାସ୍ତି ଆନନ୍ଦିତ ହେଲି । ଶିକ୍ଷାବିତ୍‌ର ଗାଥା ଉପରେ ନିଜର ଅକୁଣ୍ଠିତ ମତ ଯେ ବ୍ୟକ୍ତ କରିଛି, ଅତ୍ୟନ୍ତ ଧନ୍ୟବାଦ । ପ୍ରଶସ୍ତିସୂଚକ ଅଂଶଟା ବହିର ଜ୍ୟାକେଟ୍‌ ଉପରେ ରହିପାରେ ବୋଲି, ଉତ୍ତାରି, କଟକ ପଠାଇଲି । ବାକୀ ଅଂଶର ସମାଲୋଚନାର ଉତ୍ତର ତମୁକୁ ଦେବିନିତ, କାହାକୁ ଦେଇ ତଜ୍ଜନିତ ସୁଖ ପାଇବି ?

 

ପ୍ରଥମ ପ୍ରଶ୍ନ, କାହିଁକି ଶିକ୍ଷକତ୍ୱ ଛାଡ଼ି ଶିକ୍ଷାପ୍ରଶାସକ ହେଲି । ବହିରେ କୌଣସି ସ୍ଥାନରେ ଲେଖା ଅଛି ବୋଧହୁଏ ଯେ, ମୋ ଜୀବନରେ କୌଣସି ପ୍ଲାନ୍‌ କେବେ କାମ କରିନି । ଜୀବନଟାଯାକ ଅକଳ୍ପିତ, ଅସମ୍ଭବ ଓ ଅଯୋଜିତ ଘଟଣାବଳିରେ ପୂର୍ଣ୍ଣ । ମୁଁ ଇଂରାଜୀ ସାହିତ୍ୟ ଓ ମଡ଼ର୍ଣ୍ଣ ଇଉରୋପୀୟ ଇତିହାସର ଅନୁପ୍ରାଣିତ ଛାତ୍ର ଥିଲି । ଫଳରେ ସେହି ସଂପୃକ୍ତ ମାଟିକି ଦେଖି ଆସିବାକୁ ଇଚ୍ଛା ଜାଗ୍ରତ ହେଲା । ଗଲି । କିନ୍ତୁ ଫେରିଲାବେଳକୁ ସେ ପୂର୍ବରୁ ମାନସିଂ ଆଉ ନାହିଁ । ତାର ସି-ଚେଞ୍ଜ ଘଟିଗଲା । ଅଧିକାଂଶଙ୍କର ହୁଏନି । ମୋରି ଘଟିଛି ଓ ସେଥିଲାଗି ମୁଁ ଆଦୌ ଦୁଃଖିତ ନୁହେଁ । ନୂତନ ବ୍ୟକ୍ତିତ୍ୱ ଓ ନୂତନ ପରିବେଶରେ ନୂତନ ପ୍ରଚେଷ୍ଟା ଦେଖାଦେଲା । ନିଜକୁ ଆସର୍ଟ୍‌ କରିବାର ବୀରତ୍ୱ ମୁଁ ସଂଗ୍ରହ କରିପାରିନି କେବେ । ଘରେ ହେମଲତାଙ୍କଦ୍ୱାରା ଚାଳିତ, ବାହାରେ ଘଟଣାପ୍ରବାହଦ୍ୱାରା । ଯାହା କିଛି ସ୍ୱାତନ୍ତ୍ର୍ୟ ଚିନ୍ତା ରାଜ୍ୟ ବା କଳ୍ପଲୋକରେ ।

 

ଦ୍ୱିତୀୟ ପ୍ରଶ୍ନ, ଓଡ଼ିଆ ନେତା ଓ ଲୋକେ ଓଡ଼ିଆ ଜାଣିଥିବା ଓ କହି ପାରୁଥିବା ବଙ୍ଗାଳୀଙ୍କୁ ମଧ୍ୟ ବଙ୍ଗଳାରେ କହିବାକୁ ଚେଷ୍ଟା କରିବାକୁ ମୋର ତୀବ୍ର ନିନ୍ଦା ।

 

ଓଡ଼ିଆ,….. ହୁଅନ୍ତୁ, ଏହା ମୁଁ ନଚାହିବି କିପରି ? ବହୁ ଭାଷା ଯେଉଁ ଓଡ଼ିଆ ଜାଣିବାକୁ ଯିବ, ସେ ବଙ୍ଗଳା ଶିଖିବା ଓ କହି ଜାଣିବାରେ କି ଆପତ୍ତି ଥାଇପାରେ ? ତେବେ କୋଡ଼ିଏ ଜଣ ଲୋକ ଜମା ଥିବା ସଭାରେ, ଯେଉଁଠି ମାତ୍ର ଦୁଇଜଣ ବଙ୍ଗାଳୀ ଓ ସେ ଦୁହେଁ ଉତ୍ତମ ଓଡ଼ିଆ ଜାଣନ୍ତି ଓ କହି ପାରନ୍ତି, ସେଠି ତମ ଦେଶର ଏକଦା ମୁଖ୍ୟମନ୍ତ୍ରୀ ନବ ଚୌଧୁରୀ ଓ ତାଙ୍କର ଭୂଦାନନେତା ପୁତୁରା, ବଙ୍ଗଳାରେ ବକ୍ତୃତା ଦେବାକୁ ବିଦେଶାଗତ ଓଡ଼ିଆ-ଅନଭିଜ୍ଞ ଲୋକଙ୍କ ପ୍ରତି କରୁଣା ବା ନିଜ ମେରୁଦଣ୍ଡଶୂନ୍ୟତା ସୂଚିତ କରେ ? ଓଡ଼ିଆମାନଙ୍କ ପରି ଜାତୀୟତାବୋଧହୀନ ଏକ ଜାତି, ଧରାପୃଷ୍ଠରେ ଦ୍ୱିତୀୟ ଥିବାର ମୁଁ ଜାଣିନି । ବହିରେ ମୋ ଐତିହାସିକ ଜାତିର ଇଦାନୀନ୍ତନ ଚରିତ୍ରର ଏହି ବୀଭତ୍ସତମ ଘା’ଟାକୁ ଏକାଧିକ ସ୍ଥାନରେ ଖୋଲି ଦେଖାଇ ଦେବାକୁ ଯାଇଛି ଜାତୀୟ କର୍ତ୍ତବ୍ୟ ଅନୁରୋଧରେ । ଯେଉଁ ଲୋକ ସହିତ କଥା କହୁଛି ତା’ ଭାଷାରେ କହିବାକୁ ଚେଷ୍ଟା କରିବା, ମାନବିକତା ନିଶ୍ଚୟ । କିନ୍ତୁ ଏ ମାନବିକତା କେବଳ ଓଡ଼ିଆଙ୍କଠୁ ତୁମେ ଆଶା କର ! ପଡ଼େଶୀ ବଙ୍ଗାଳୀଙ୍କଠୁ ଆଶା କରିବାର ସାହସ ତମେ ଯୋଗାଡ଼ କରିପାରୁନା ? ମୋ ଜାତି ଅନ୍ୟ ଜାତିର ସମାନର ସମ୍ମାନ ପାଉ, ଏହାହିଁ ଲକ୍ଷ୍ୟ ରହି ଆସିଛି ମୋର । ରେସିପ୍ରୋକାଲିଟି ଓ ପାରିଟି–ଜାତି ଜାତି ଭିତରେ ଲକ୍ଷ୍ୟ ରହି ଆସିଛି ମୋର । ରେସିପ୍ରୋକାଲିଟି ଓ ପାରିଟି–ଜାତି ଜାତି ଭିତରେ ସମ୍ବନ୍ଧ ଏହି ବେସିସ୍‌ ଉପରେ ହୁଏତ ? ନା ଅନ୍ୟ କିଛି ମହତ୍ତର ପନ୍ଥା ଅଛି ?

 

ତୃତୀୟ ପ୍ରଶ୍ନ, ତୃତୀୟ ଜନ୍ମ । ବହିର ଶେଷତମ ଅଂଶ ହିଁ ତୃତୀୟ ଜନ୍ମ । ପୂର୍ବାଂଶରେ, ଶାନ୍ତି ପୂର୍ବରୁ ଝଟିକାର ବର୍ଣ୍ଣନା କରାଯାଇଛି ମାତ୍ର । ଅଭିଜ୍ଞତା ବର୍ଣ୍ଣିତ ହୋଇଛି । ବ୍ୟକ୍ତିଗତ ହିଂସା ବା ଅସୂୟା ମୋ’ଠି ଅତିମାତ୍ରାରେ କେବ ନଥିଲା ବା ନାହିଁ । ତେବେ ପ୍ରଚୁର ପରିମାଣରେ ରାଇଚିଅସ୍‌ ଇଣ୍ଡିଗ୍ନେଶନ୍‌ ରହିଆସିଛି । କେଉଁ କେଉଁ ବ୍ୟକ୍ତିକୁ ଜୀବନରେ ଆକ୍ରମଣ ଯାହା କରିଛି, ତାହା ସେହି ପୂତକ୍ରୋଧଜନିତ ଉଷ୍ମାରୁ, ବିଶେଷ କରି କପଟାଚାରୀ ଓ ଦୁରାଚାରୀ ଅଥଚ ତଥାକଥିତ ଭି.ଆଇ.ପି, ବୋଲି ଫୁଲମାଳ ପାଆନ୍ତି ଯେଉଁମାନେ ସାଂପ୍ରତିକ ସଂସାରରେ ସେହିମାନଙ୍କୁ । ଏଥିପାଇଁ ମୁଁ ଅନୁତପ୍ତ ନୁହେଁ । ମନେକରି ଆସିଛି ଯେ ଏହା ବୁଦ୍ଧିଜୀବୀର କର୍ତ୍ତବ୍ୟ-। ଯେଉଁ ଫ୍ରେଞ୍ଚ୍‌ କୋଟେଶନ୍‌ ଦେଇଛ, ତାକୁ ମୁଁ ଲାଟିନ୍‌ ଉଇଟିସିଜ୍‌ମ୍‌ର ଏକ ଦୃଷ୍ଟାନ୍ତରୂପେ ନେଇଯାଉଛି । ସେଥିରେ ସତ୍ୟ ନାହିଁ, ଚତୁର ପ୍ରକାଶନ ଅଛି । ରିଅଲିଟିର ରିଅଲାଇଜେଶନ୍‌ ଆସିଲେ ସବୁ ଭୁଲି ହୋଇଯିବ, ରହିବ କେବଳ ବିଶୁଦ୍ଧ ଚିତ୍‌ । ତା ପୂର୍ବରୁ forgetfulness ମାନେ ପାଗଳାମି । ଇତି ।

 

ଶୁଭାନୁଧ୍ୟାୟୀ

ମାୟାଧର ମାନସିଂ

 

ଶ୍ରୀଯୁକ୍ତ ରତନ ଦାସ

 

(ଶ୍ରୀ ରତନ ଭାଇ ସର୍ବୋଦୟ ଆନ୍ଦୋଳନର ଜଣେ ସ୍ୱତନ୍ତ୍ର ପରିଚିତି ରହିଥିବା ଜଣେ ଆଖି ଥିବା ବ୍ୟକ୍ତି । ଇାରାଜୀରେ କବିତା ଲେଖି ଏକାଧିକ ସଂକଳନ ପ୍ରକାଶ କରିଛନ୍ତି । ଗାନ୍ଧୀ-ଦୃଷ୍ଟି ତଥା ସାମାଜିକ ପରିବର୍ତ୍ତନର ଗାନ୍ଧୀବିଚାର ସମ୍ପର୍କରେ ନିୟତ କ୍ରିୟାଶୀଳ,–ଇଂରାଜୀ ଭାଷାରେ ଏହି କ୍ଷେତ୍ରରେ ମଧ୍ୟ ପୁସ୍ତକ ଲେଖିଛନ୍ତି, ଲେଖୁଛନ୍ତି ।)

 

ରାୟଗଡ଼ା, ୩୧ । ୦୧ । ୭୦

 

…‘ସଂକ୍ରମଣର ଟେକ୍‌ନିକ୍‌’ ପ୍ରକାଶିତ ହେବ । ‘‘ସ୍ୱାଗତ କମିଟିମାନଙ୍କରେ ଯୁବକମାନଙ୍କୁ ନିଆ ଯାଉନାହିଁ’’–ଏହି ବାକ୍ୟ ଥିବା ଲେଖା ଏଥର ତ ନିଶ୍ଚେ ପ୍ରକାଶ ହେବ । ଆପଣଙ୍କର ଏ ଆକ୍ଷେପ ଯଥାର୍ଥ ବୋଲି ମୁଁ ମନେ କଲି । କିନ୍ତୁ ତରୁଣମାନେ ଯଦି ବୟସ୍କମାନଙ୍କ ଠାରୁ ଏହି ଦାୟିତ୍ୱଗୁଡ଼ିକ ଝଡ଼େଇ ଆଣନ୍ତେ, ତେବେ ଆମେ ଆହୁରି ଖୁସୀ ହୁଅନ୍ତେ । ଆପଣମାନେ ଲେଖନୀରେ ଇନ୍ଦ୍ରଜାଲ ସୃଷ୍ଟି କରି ପାରନ୍ତି । ଏ ସମାଜର secured ଗୁମ୍ଫା ଭିତରୁ କେତେକ ଯୁବକ ଯଦି ଆପଣଙ୍କର ଲେଖନୀ ବଳରେ ବାହାରକୁ ଆସି ଯାଆନ୍ତେ, ତେବେ ଏ ଦେଶରେ ଗୋଟିଏ ନୂଆ ଚେତନାର ଅଭ୍ୟୁଦୟ ହୁଅନ୍ତା । ମୁଁ ଲେଖନୀଚାଳନା ବା ପରିଚାଳନାରେ ଅକିଞ୍ଚନ,–କିନ୍ତୁ ଆପଣଙ୍କୁ ନିବେଦନ କରିବାର ଧୃଷ୍ଟତା ରଖୁଛି ।

 

ରତନର ପ୍ରାଣାମ

 

ଶ୍ରୀଯୁକ୍ତ ଶିବରାମ ପାତ୍ର

 

(ଭାଇ ଶିବରାମ ପାତ୍ର ଓଡ଼ିଆ ଭାଷା ଓ ସାହିତ୍ୟର ଅଧ୍ୟାପକ । ଗତ ତିରିଶ ବର୍ଷର ଏକ ଶ୍ରଦ୍ଧାପୂର୍ଣ୍ଣ ପରିଚୟ ତାଙ୍କ ସହିତ । ଏବେ ତ ତାଙ୍କର ପୂରା ପରିବାରଟିରେ ମଧ୍ୟ ମୁଁ ଜଣେ ଚିହ୍ନା ଲୋକ । ଏବେ କର୍ମକ୍ଷେତ୍ରରୁ ଅବସର ନେଇ ରାଜଧାନୀରେ ରହୁଛନ୍ତି ।)

 

ବ୍ରହ୍ମପୁର, ୫ । ୬ । ୭୩

 

….ନୂଆ ନୂଆ ଲେଖାସବୁ ଲେଖା ହେଉଥିବ ।

 

‘ଜଙ୍ଗଲ ଚିଠି’ରୁ ଚବିଶିଟି ଚିଠି ପଢ଼ିଲି । ମୋ’ ବଡ଼ଭାଇମାନଙ୍କ ଦୌରାତ୍ମ୍ୟରୁ ରକ୍ଷା ପାଇବାକୁ ଭାଇଭାଗ କାରାବାରରେ ମୋ’ର ପ୍ରାପ୍ୟରୁ ଅଧା ଦେଇ ସନ୍ତୋଷ ହେବାକୁ ହାତ କାଟି ଚୁକ୍ତିନାମାରେ ସ୍ୱାକ୍ଷର କରିଆସିବା ପରେ ବଡ଼ କିଲିବିଲି ହେଉଥିଲି । ନିଜର ଦୁର୍ବଳତା ଉପରେ ଚିଡ଼ୁଥିଲି । ଅନାଗତ ଭବିଷ୍ୟତରେ ଅନିଶ୍ଚିତତା ପ୍ରତି ଭୟ,–ଏମିତି ଅନେକ କଷ୍ଟ,–ଗୁରେଇ ତୁରେଇ ହେଉଥିଲି । ଏମ୍‌.ଏ, ପାସ୍‌ କରି ନିଜ ଶିକ୍ଷାର ବିନିଯୋଗ ପାଇଁ କ୍ଷେତ୍ର ନାହିଁ–ଚାକିରି ନାହିଁ-। ଓ.ଆର୍‌.ଟି. କମ୍ପାନୀର ଅଧିକାଂଶ ଲୋକ, ଯେଉଁମାନଙ୍କ ଚିନ୍ତାଧାରା ଜୀବନଯାତ୍ରା ସହ ମୁଁ ନିଜକୁ ସାମିଲ କରି ପାରୁନି । ଏକୁଟିଆ ବୋଧ କହୁଛି । ସେପରି ଘରେ, ବାହାରେ । କେବଳ ‘ଜଙ୍ଗଲ ଚିଠି’ ମୋତେ ପ୍ରଚୁର ବଳ ଦେଇଛି । କିଛି ନଥାଇ ବି ମଣିଷ ଖୁସିରେ ବଞ୍ଚିପାରିବ । ଏକୁଟିଆ ବି ଯେକୌଣସି ସ୍ଥାନରେ ସ୍ୱଚ୍ଛନ୍ଦରେ ରହିପାରିବ । ନିଜ ଚେଷ୍ଟାରେ ଉତ୍ତମ ବ୍ୟକ୍ତି ହୋଇପାରିବ-। ତେବେ ବେଳେ ବେଳେ ମନରେ ପ୍ରଶ୍ନ ଉଙ୍କି ମାରିଛି ଯେ, ଜଙ୍ଗଲ ବିଦ୍ୟାଳୟରେ ପରୀକ୍ଷିତ ହେଉଥିବା ଶିକ୍ଷାପ୍ରଣାଳୀ ଓ ପ୍ରୟୋଗ ହେଉଥିବା ସମସ୍ତ ଧନ୍ଦା, ଅନ୍ୟ ଭାଷାରେ, ସେଠାର ଜୀବନଯାତ୍ରାର ସଫଳତା କେତେଦୂର ହେଲା ? ଜାଣିହେଲାନି । ହେବା କଥା, କିନ୍ତୁ ବୋଧେ ହୋଇ ନଥିବ । ସମୟ ପାଇନଥିବ । ଆଉ ଗୋଟିଏ କଥା । ଜଙ୍ଗଲ ଚିଠିର ଭାଷା । ନିତ୍ୟ ଲୋକମାନେ, ଯେଉଁମାନେ ଗାଁଗହଳରେ ଅଛନ୍ତି ସମାନଙ୍କ ଭାଷା ପ୍ରତି ଆମ ମନରେ ଏକ ବୀତସ୍ପୃହ ଭାବକୁ ସ୍ଥାନ ଦିଆ ଯାଇଅଛି । ସେମାନଙ୍କ ଭାଷା ପ୍ରତି ଆମର ଆଗ୍ରହ ନାହିଁ ଶ୍ରଦ୍ଧା ନାହିଁ ସରାଗ ନାହିଁ । ସେମାନେ ଇତର ଜଗତର ଲୋକ । ସେମାନଙ୍କ ଭାଷା ଆମର ନୁହଁ । ଆମକୁ ତଥାକଥିତ ସାହିତ୍ୟିକ ଭାଷାରେ ହିଁ କାରବାର କରିବାକୁ ହେବ । ଯେଉଁ ଭାଷାରେ ଆମର ଦକ୍ଷତା ସୀମିତ । ଏବଂ ଆମର ଶବ୍ଦ ସଂଖ୍ୟା ୨୦୦ କି ୩୦୦ ! ଫଳତଃ ସବୁ କଥା ଆମେ କହିପାରୁନୁ-। ମୋର ଧାରଣା ଥିଲା ଫକୀରମୋହନଙ୍କ ପରେ ଗୋପୀନାଥଙ୍କ ଭାଷାର ଶକ୍ତି ସବୁଠାରୁ ବେଶୀ-। କିନ୍ତୁ ଏବେ ବୋଧ ହେଉଛି ଯେ ଗୋପୀବାବୁଙ୍କ ଭାଷାରେ କୃତ୍ରିମତା ମଧ୍ୟ ଅଛି । ଏବଂ ତାଙ୍କ ଭାଷାକୁ ଅନ୍ୟ କେହି ଆଦର୍ଶରୂପେ ଗ୍ରହଣ କରି ପାରିବନି । କିନ୍ତୁ ଜଙ୍ଗଲ ଚିଠିର ଭାଷା, ଯାହାକି ଲୋକଙ୍କ ଶବ୍ଦସାଗରରେ ସମୃଦ୍ଧ ଏବଂ ଯେଉଁ ଭାଷାରେ କି ସବୁକଥା କୁହାଯାଇ ପାରିବ,–ସମସ୍ତଙ୍କର ଆଦର୍ଶ ହେବାକୁ ଯୋଗ୍ୟ । ଯୁବଲେଖକମାନଙ୍କ ଆମ ଭାଷାର ସେହି ଦିଗ ପ୍ରତି ଦୃଷ୍ଟି ପଡ଼ିଲେ ଆମ ସାହିତ୍ୟର ଭାଷା ଓ ଆମ ଲୋକଙ୍କ ଭାଷା ଏକାଠି ହୋଇପାରନ୍ତା । ସାରଳା, ଫକୀରମୋହନ, ନୀଳକଣ୍ଠ ପ୍ରଭୃତି ଅମର ସ୍ରଷ୍ଟାମାନେ ଯେଉଁ ରାସ୍ତା ପକେଇ ଯାଇଛନ୍ତି, ସେ ରାସ୍ତା ପ୍ରତି ଆଉ ବେଶୀ ଦିନ ହେଳା କରାଯିବା ଉଚିତ ନୁହଁ । ଭାଷା ଯଦି ଆମର ନୁହ, ଭାବ ଆମର କିପରି ହେବ ? ଆମର ଭାବ ପରିବେଷଣ କରିବାକୁ ହେଲେ ଆମ ଭାଷାକୁ ହିଁ ସମ୍ମାନ ଦେବାକୁ ହେବ । ଜଙ୍ଗଲ ଚିଠି ଏ ବିଶ୍ୱାସ ମୋତେ ଦେଇଛି । ଯଦିଓ ଆଗରୁ ମୁଁ ଚେଷ୍ଟା କରୁଥିଲି ମୋ’ ଲୋକଙ୍କ ଭାଷାରେ ହିଁ ସବୁ କିଛି କାରବାର କରିବାକୁ, କିନ୍ତୁ ବେଳେ ବେଳେ କମ୍ପ୍ଲେକ୍ସିଟି ଦେଖା ଯାଉଥିଲା । ଏବେ ନୈତିକ ସାହାସ ଆସିଛି । କିନ୍ତୁ ଲୋକଙ୍କ ଭାଷାକୁ ଆୟତ୍ତ କରିବା ହିଁ କଷ୍ଟ ହେଉଛି । ଭାଷାରେ ଭାରସାମ୍ୟ ରହୁନି । ଗୁରୁ ଚଣ୍ଡାଳ ଦୋଷ ରହିଯାଉଛି । ଏ ଚିଠିର ଭାଷା ତା’ର ପ୍ରମାଣ ।

 

୧୭ । ୮ । ୭୩

 

ନମସ୍କାର । ୧୧ରେ ଆସି ଏଠେ ଯଇନ୍‌ ହେଲି । (ଗୁଣୁପୁର କଲେଜରେ) ତିନୋଟି ମାତ୍ର କ୍ଲାସ୍‌ ନେଇଛି । ସତରେ ଅଧ୍ୟାପନା ପାଇଟିରେ ଏତେ ଆନନ୍ଦ ! ମୋତେ ସବୁ ଅପୂର୍ବ ଲାଗୁଛି । ସ୍ଥାନଟି ସମ୍ପୂର୍ଣ୍ଣ ନୂଆ ହେଲେ ବି ପିଲାମାନେ ଖୁବ୍‌ ପରିଚିତ ପରି ଲାଗୁଛନ୍ତି । ଲୋକେ ବି କ୍ରମଶଃ ପରିଚୟ ହୋଇଗଲେ,–ନିଜର ହୋଇ ଯାଉଛନ୍ତି । ଭବିଷ୍ୟତ ଯାହା ହେଉ ପଛେ ବର୍ତ୍ତମାନଟି ବଡ଼ ସୁଖକର, ଆନନ୍ଦଦାୟକ । ଏବଂ ବିଶ୍ୱାସ କରୁଛି କିଛି ବର୍ଷ କଟେଇ ହେବ ।

 

ଗୁଣୁପୁର, ୨୮ । ୦୩ । ୭୪

 

….ଆପଣଙ୍କ ପୋଥିରେ ମୁଁ ରାହା ପାଉଛି । ‘ଜୀବନ ବିଦ୍ୟାଳୟ’ର ଅନେକ ଦିନଲିପି ଗୋଟେ ଗୋଟେ ସ୍ୱୟଂସମ୍ପୂର୍ଣ୍ଣ ମୌଳିକ ପ୍ରବନ୍ଧ । ଶିରୋନାମା ଦେଇ କେଉଁ ସଂକଳନରେ ଛାପି ହେବ । ମୁଁ ଦେଖୁଛି ଆପଣଙ୍କ ଲେଖାର ତାରିଫ ବହୁ ସଂକଳକ କରନ୍ତି । କିନ୍ତୁ ସଂକଳନ କଲା ସମୟରେ ଭୁଲିଯାନ୍ତି ।

 

ଆପଣଙ୍କ ସାହିତ୍ୟ ପଢ଼ିଲାପରେ ଏବେ ମୁଁ ଏହି ସିଦ୍ଧାନ୍ତରେ ପହଞ୍ଚିଲି ଯେ କେବଳ ଆନନ୍ଦ ନୁହ, ବଳ ମଧ୍ୟ ଯେଉଁ ସାହିତ୍ୟ ଦେବ, ତାହାହିଁ ଉତ୍କୃଷ୍ଟ ସାହିତ୍ୟ, ପ୍ରଥମ ଶ୍ରେଣୀର ସାହିତ୍ୟ-

 

ଏଠାକୁ ଆସିବାପରେ ବହୁ କାମରେ ହାତ ଦେଇଛି । ବହୁ ଗ୍ରନ୍ଥ ପଢ଼ା ଆରମ୍ଭ କରିଛି–ସମାଜ: ପରିବର୍ତ୍ତନ ଓ ବିକାଶ, ବାଇବେଲ, ଶଙ୍କରାଚାର୍ଯ୍ୟ ଗ୍ରନ୍ଥାବଳୀ, ଅର୍ନ୍ତଭାରତୀର ଗ୍ରନ୍ଥମାଳା, ଗୀତା ଇତ୍ୟାଦି । କିନ୍ତୁ ସବୁ ଦରଖଣ୍ଡିଆ । ସମୟର ବିଶେଷ ଅଭାବ ନାହିଁ । ଖାଲି ମନ ଅଭାବ । ଆଳସ୍ୟ ଓ ଔଦାସୀନ୍ୟ ମାଡ଼ି ବସିଛି । ପିଲାଙ୍କ ପାଇଁ କିଛି prepare ହୋଇଯାଇ କୌଣସି ପ୍ରକାରେ ପିତୃଦତ୍ତ ଶରୀରର ରକ୍ଷଣ ଓ ବୃଦ୍ଧିରେ ହିଁ ସମୟ ଯାଉଛି । ବେଳେ ବେଳେ ଆପଣଙ୍କ ପତ୍ର ଓ ଲେଖା ପଢ଼ି ମନକୁ ଦୃଢ଼ କରି ଭିଡ଼ାଭିଡ଼ି ହୋଇ କାମରେ ଲାଗୁଛି ।

 

କିନ୍ତୁ ଗୋଟେ ବଡ଼ ପ୍ରଶ୍ନ ବହୁବର୍ଷ ହେଲା ମୋତେ ବଡ଼ କଷ୍ଟ ଦେଉଛି । ପ୍ରଶ୍ନଟି ଏଡ଼େଇ ହେଉନି । ପ୍ରଶ୍ନ ହେଉଛି, ମଣିଷ ବଞ୍ଚିବ କାହିଁକି ? ମଣିଷର କୋଉ ଦରକାରରେ ଆସୁଛି ? ଏହି ବଞ୍ଚି (?) ଲାଭ କ’ଣ ?

 

କୌଣସି ମୂଲ୍ୟବୋଧକୁ ଗ୍ରହଣ କରି ହେଉନି କି ଫୋପାଡ଼ି ହେଉନି । ନୂଆ ମୂଲ୍ୟବୋଧ ସୃଷ୍ଟି କରିବାର ତାକତ ନାହିଁ । ପଶ୍ଚିମୀଙ୍କ ପରି ସୃଷ୍ଟିଛଡ଼ା (?) ହେବା ସମ୍ଭବ ହେଉନି-। ଭଗବାନଙ୍କ ଅସ୍ତିତ୍ୱକୁ ସ୍ୱୀକାର କି ଅସ୍ୱୀକାର କରିହେଉନି । ମନ୍ଦିରକୁ ଯାଇ ଦେଖୁଛୁ, ଦିଅଁଦର୍ଶନ କରି ହେଉନି । ଏମିତି କେତେ ବର୍ଷ ଚାଲିବ ? ଆଜିକି ପ୍ରାୟ ସାତବର୍ଷ ହେଲା । ଘର ଲୋକ ପର ପରି ଲାଗୁଛନ୍ତି । ପର ଲୋକ କଥା ବିଚାରକୁ ଆସୁଛି କୋଠେ । ଏମିତି ଅବସ୍ଥାରେ କି କାମ କରିହେବ ? ସୁସ୍ଥ ମନ ନାହିଁ । ସ୍ୱାଦ ନାହିଁ…

 

ହଁ, ଆଜିକାଲି ଦରଦାମ୍‌ ବୃଦ୍ଧି ବଡ଼ ବାଧୁଛି । ଦରମା ୧୫୦/-ରେ ଚଳିବା ବଡ଼ କଷ୍ଟ । ପରିବାରର ଦାରିଦ୍ର୍ୟ ଅସହ୍ୟ ହେଉଛି ଦିନକୁ ଦିନକୁ । ଦାରିଦ୍ର୍ୟ ଭାଇକୁ ଭାଇଠାରୁ, ପୁଅକୁ ମାଆଠାରୁ, ସ୍ୱାମୀକୁ ସ୍ତ୍ରୀଠାରୁ ଦୂରରେ ରଖୁଛି । ଅଭାବ ସିନା ଭାବ ବଢ଼େଇବା କଥା ।

 

ଶ୍ରୀମତୀ ସରଳା ଦେବୀ

 

(ଶ୍ରୀମତୀ ସରଳା ଦେବୀଙ୍କ ପୁଅ ଅମିତାଭ ମୁଁ ଏକା ହାଇସ୍କୁଲରେ ଗୋଟିଏ ଶ୍ରେଣୀରେ ପାଠ ପଢ଼ୁଥିଲୁ । ତେଣୁ ତାଙ୍କ ଘର ସହିତ ସେହି ସମୟରୁ ହିଁ ନିକଟ ପରିଚୟ ଥିଲା । ସରଳା ଦେବୀଙ୍କ ଦେହାନ୍ତ ଯାଏ ମଧ୍ୟ ମୁଁ ତାଙ୍କ ପାଖକୁ ବିଭିନ୍ନ ଅବସରରେ ଯାଉଥିଲି । ଅମିତାଭ ତ ପୂର୍ବରୁ ହିଁ ଚାଲି ଯାଇଥିଲା !)

 

କଟକ, ୧୫ । ୦୩ । ୪୯

 

ସ୍ନେହର ଚିତ୍ତ;

 

ନାଚ ପୋଥି କି ଯୋଉ ପୋଥି ହଉ, ଟଙ୍କା ନପଠାଇଲେ ମୁଁ କିପରି କାମ କରାଇବି ? ଲୋକ ଅଛି । କିନ୍ତୁ ପଇସା ନପଠାଇଲେ ସେସବୁ କାମ ହୋଇ ପାରିବ ନାହିଁ । ତୁ ଟଙ୍କା ପଠାଇବୁ ବୋଲି କହିଗଲୁ, ପୁଣି ଟଙ୍କା ନପଠାଇ ଲେଖିଛୁ କିପରି ? ଚୈତନ୍ୟ ଭାଗବତ କଥା ହୋଇ ପାରିବ, କଷ୍ଟ ନାହିଁ । ତୁ ମାସକୁ କେତେ ଟଙ୍କା ଦରମା ଦବୁ ନା ପୋଥି ତାଳପତ୍ର ୨ ପଟ copy କୁ କ’ଣ ଦବୁ ଲେଖି ସେ ହିସାବରେ ଟଙ୍କା ପଠାଇବୁ ମୋତେ ।

 

ସଂସାର ନକରି ବନ୍ଧୁ ଆତ୍ମୀୟଙ୍କ ସଂଘର୍ଷରେ ନଆସି ସାହିତ୍ୟ ଓ ଆଦର୍ଶବାଦ ନେଇ ପଡ଼ିଲେ ସୁଖ ଓ ଶାନ୍ତି ଅଛି, କିନ୍ତୁ ବୀରତ୍ୱ ନାଇଁ । ତୁ escapist ! ଭୀରୁ । ରବୀନ୍ଦ୍ର ଠାକୁର ସଂସାର କରି ସାହିତ୍ୟ ଓ ଆଦର୍ଶବାଦ ପାଇଁ ସାଧନା କରି ନିଜର ଚିତ୍ତପ୍ରସାଦ ପାଇବା ପୌରୁଷ ଓ କର୍ତ୍ତବ୍ୟ । ମାତ୍ର ତୁ ଡରୁ କିଆଁ ମୁଁ ଜାଣେ । ଯୁବକ ଦିନେ ନବ ଚୌଧୁରି ମଧ୍ୟ ବଡ଼ ବଡ଼ ଚିନ୍ତା ଓ ଆଦର୍ଶବାଦ, ସାଧନା, ସତ୍ୟ, ସ୍ୱାଧୀନତା ପୋଥିବାଇଗଣ ପଛରେ ଗୋଡ଼ାଇ ସେଠିକୁ ଯାଇଥିଲେ, ସୌନ୍ଦର୍ଯ୍ୟ ଓ ସାହିତ୍ୟର ଉପାସକ ଓ ସତ୍ୟର ପୂଜାରୀ ହେବେ ବୋଲି । ଜୀବନର ଶେଷ ପରିଣତି କିମିତି ହେଲା ଓ କ’ଣ ହେଲା, ତା’ପରେ ସମସ୍ତେ ଜାଣନ୍ତି । ସଂଗ୍ରାମ, ସଂଘର୍ଷକୁ ଆସି ନିଜତ୍ୱ ରଖିଲ ଓ ଶତ୍ରୁମ୍‍ତ୍ରରେ ସମବୁଦ୍ଧି କରି ସ୍ୱାର୍ଥତ୍ୟାଗ କରି ପାରିଲ ତେବେ ସିନା କହିବା ତମର କୃଷ୍ଟି, ବିଦ୍ୟା, ବୁଦ୍ଧି ପରଖା ହୋଇ M.G.Pass କରିଛି ? ତୋ’ ପରି ହେଲେ କ’ଣ ହେବ ନା ତାଙ୍କ ପରି ବିଡ଼ମ୍ୱନା ଜୀବନର ପରାଜିତ ଆଦର୍ଶକୁ ଦେଖିଲେ ଦେଶର କି ସମାଜର କି ତମର ନିଜର କିଛି ହେବ ? ତୁ ଶାନ୍ତିରେ ରହ–ଦିନକେତେ ସ୍ୱପ୍ନବିଳାସ ମଧ୍ୟ କର । ଖରାପଡ଼ି ତାତ କାଟିଲେ ଜାଣିବୁ ।

 

ଗୌରାଙ୍ଗ ଉପରେ ମୋ’ର ଶ୍ରଦ୍ଧା ଅଛି, କିନ୍ତୁ ସେ ଏତେ ଅଳସ, ଭୋଗସ୍ପୃହୀ ଓ ଅହଂକାରୀ ଅବିଗୁଣିଆ ଯେ ତା’ ଉପରେ ମୋ’ର ଆସ୍ଥା ନାହିଁ । କିନ୍ତୁ ତା’ର ଚରିତ୍ର ଭଲ ଏଥିରେ ସନ୍ଦେହ ନାଇଁ । ମୁଁ ତାକୁ ଭଲ ପାଏ ।

 

ତୋ’ ବହି ପଢ଼ି ମୁଗ୍ଧ ହେଉଛି । ଭ୍ରମଣକାହାଣୀ ଏଡ଼େ ରୋଚକ ଭାବରେ ଆଉ କାହାରି ପଢ଼ିନାହିଁ । କେବଳ ସୁରୁ, ପୌନେ; ସଓ୍ୱା, ପଥଚଲା ଆଦି ବଙ୍ଗଳା ଶବ୍ଦ ଓ ବଙ୍ଗାଳୀ tone ଶବ୍ଦ ଛଡ଼ା ବହିଟି ପାଠ୍ୟପୁସ୍ତକ ହେବା ଉପଯୁକ୍ତ ଭଳି ଲେଖା ହୋଇଛି । ତୋ’ର ସାମାଜିକ ରାଜନୀତିକ ଦର୍ଶନଗୁଡ଼ିକ ସୁନ୍ଦର ହୋଇଛି । ମୁଁ ପଢ଼ି ତୋ’ର ଲେଖନୀକୁ କଲ୍ୟାଣ କରୁଅଛି ।

 

ତୋ’ର

ସରଳା ଦେବୀ

 

କଟକ, ୨୦ । ୩ । ୪୯

 

ସ୍ନେହର ଚିତ୍ତ,

 

ଚିଠି ପାଇଲି । ସେ ଲୋକ ଅଧେ ଲେଖି advance ମାଗୁଛି । ମୁଁ କ’ଣ କରିବି ?

 

ଗୋଟେ କଥା । ଚୈତନ୍ୟ ଭାଗବତ ଯଦି ମୁଁ ଦେବି, ତେବେ ମୋ’ର ମୁଖବନ୍ଧ ଲେଖା ତହିଁରେ ବାଗଚୀ ଛାପିବାକୁ ରାଜି କି ନା ଓ ଗ୍ରହଣ କରିବେ କି ନା । ଆଉ କେବେ ଅର୍ଥାତ୍‌ ଏବର୍ଷ ଛାପିବେ କି ନା ? ଏ ଦୁଇଟିର ଜବାବ favourable ଯଦି ହୁଏ, ମୁଁ ସେଇ condition ରେ ବହି ଦବାକୁ ରାଜି ଅଛି । ନତୁବା ଏତେ ମେହେନ୍ତ କରିବା ମୋର ବୃଥା । ମୋର introduction ରହିବା ହେଲା ମୂଳ କଥା ।..

 

ଟଙ୍କା ୨୦ advance ନଦେଲେ କାମ ଆଗେଇ ପାରୁନି । ସେ ଲୋକ ହାତରୁ ଖାଇ କାମ କରିବାକୁ ବଡ଼ କୁଣ୍ଠିତ । ସିଦ୍ଧେଶ୍ୱର ହୋତା । M.A ଶାନ୍ତିନିକେତନ ପ୍ରହ୍ଲାଦବାବୁ ଜାଗାରେ ରହିବାକୁ ଇଚ୍ଛୁକ । ଖୁବ୍‌ ଯୋଗ୍ୟ / ବାଲେଶ୍ୱର କଲେଜ ପ୍ରଫେସର । ତାଙ୍କୁ ନବାକୁ ବାଗଚୀଙ୍କୁ କହିବୁ । ସେ ଖୁବ୍‌ ପାଲି, ସଂସ୍କୃତ, ଓଡ଼ିଆ ସାହିତ୍ୟ ଅଭିଜ୍ଞ । ଇତି ।

 

ତୋର

ସରଳା ଦେବୀ

 

ଶ୍ରୀ ରାଲ୍‌ଫ୍‌ ରିଚାର୍ଡ଼ କଇଥାନ୍‌

 

[Rev. Ralph Richard Keithahn ଆମେରିକାରୁ ଜଣେ ପାଦ୍ରୀ ହୋଇ ଭାରତବର୍ଷ ଆସିଥିଲେ, ଭାରତବର୍ଷରେ ହିଁ ରହିଗଲେ । ୧୯୭୮ ମସିହାରେ ମୁଁ ଶେଷଥର ପାଇଁ ସପରିବାର ତାଙ୍କ ସହିତ ଗୋଟିଏ ମାସ ଅତିବାହିତ କରିଥିଲି । ତାଙ୍କୁ ଅନ୍ନନ୍‌ ବୋଲି ଡାକୁଥିଲି । ତାମିଲ ଭାଷାରେ ‘ଅନ୍ନନ୍‌’ର ଅର୍ଥ ହେଉଛି ‘ବଡ଼ଭାଇ’]

 

ଗାନ୍ଧୀଗ୍ରାମ, ଦଷିଣ ଭାରତ, ୨୨ । ୬ । ୪୮

 

Dear Friend,

 

How good to have yours on 17th inst. In 2 more days, we have our wedding of Udayajni and Sundari. All of G.G, will be happy that day. Wish you could be with us. I suppose you will return to Santiniketan soon.

 

I am glad you received good marks. I hope they were the best. I am glad you have made your own defence. The fact that you reacted somewhat strongly makes me feel that there may be some truth in my own estimation. Or was it because of our close friendship and you were convinced that a friend should think so ! Whatever it is, fortunately you need not be judged by many Keithahns but your own conscience.–The Lord will be your own guide and judge. When you have satisfied your own conscience, you can be satisfied.

 

All of us are going through terrific stress and we must be patient with one another. I want you to be your best, for I do love you and expect much of you. But I did feel that you did not rise quite to the height of responsibility that I would have expected. May you grow in your selfless service to humanity.

 

You are right–The future alone can be the test for your integrity today, yet each must also live abundantly each day.

 

Full understanding comes only from abundant living. Ever be witness to the fact that we are one great Humanity and that there is but one God of Love and Truth over us all.

 

‘Blessed are the poor’, said Jesus. We shall also be poor for the sake of man.

 

May this year be full of blessings for you,

 

Sincerely,

annan

 

ପ୍ରିୟ ମିତ୍ର,

 

ଏହି ମାସ ୧୭ ତାରିଖରେ ଲିଖିତ ତୁମର ଚିଠିଟି ପାଇ ଅତ୍ୟନ୍ତ ଖୁସୀ ହେଲି । ଏଠାରେ ଆଉ ଦୁଇଦିନ ପରେ ଉଦୟନ୍‌ଜୀ ଓ ସୁନ୍ଦରୀଙ୍କର ବିବାହ-ଉତ୍ସବ ହେବାକୁ ଯାଉଛି । ସେହି ଦିନଟି ଗାନ୍ଧୀଗ୍ରାମର ସବୁ ଅନ୍ତେବାସୀଙ୍କ ପାଇଁ ଗୋଟିଏ ଆନନ୍ଦର ଦିନ ହେବ । ମୁଁ ଭାବୁଛି, ତୁମେ ମଧ୍ୟ ସେଦିନ ଏଠାରେ ଉପସ୍ଥିତ ଥିଲେ ଖୁବ୍‌ ଭଲ ହୋଇଥାଆନ୍ତା । ତୁମେ ଖୁବ୍‌ ଶୀଘ୍ର ଶାନ୍ତିନିକେତନ ଫେରିଯିବ ବୋଲି ମୁଁ ଅନୁମାନ କରୁଛି ।

 

ଭାରି ଖୁସୀର କଥା ଯେ ନିବନ୍ଧର ପରୀକ୍ଷାରେ ତୁମକୁ ଭଲ ନମ୍ବର ମିଳିଲା । ନିଶ୍ଚୟ ସର୍ବୋଚ୍ଚ ନମ୍ବର ହୋଇଥିବ । ଆହୁରି ଖୁସୀର କଥା ଯେ ତୁମେ ନିଜେ ହିଁ ପରୀକ୍ଷକମାନଙ୍କର ପ୍ରଶ୍ନର ଉତ୍ତର ଦେଲ । ତୁମେ ଯେ ଉତ୍ତର ଦେବାବେଳେ ନିଜର ତୀବ୍ର ପ୍ରତିକ୍ରିୟାଗୁଡ଼ିକୁ ପ୍ରକାଶ କରିଛ, ସେଥିରୁ ମୁଁ ଅନୁମାନ କରୁଛି ଯେ, ମୋ’ ନିଜର ଆକଳନଟିରେ ମଧ୍ୟ କିଛି ସତ୍ୟ ଅବଶ୍ୟ ରହିଥିଲା । ଅଥବା, ଆମ ଉଭୟଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଛି ଓ ଜଣେ ବନ୍ଧୁ ସର୍ବଦା ଏହିପରି ହିଁ ନିଶ୍ଚୟ ଚିନ୍ତା କରିବ ବୋଲି ତୁମର ଦୃଢ଼ ପ୍ରତ୍ୟୟ ରହିଥିବାରୁ ଏଭଳି ଘଟିଲା । ଯାହା ହୋଇଥାଉ ପଛକେ, ସୌଭାଗ୍ୟବଶତଃ କୌଣସି କଇଫତ ତୁମର ଚୂଡ଼ାନ୍ତ ବିଚାର କରିବେନାହିଁ,–ତୁମର ବିବେକ ହିଁ ସର୍ବଶ୍ରେଷ୍ଠ ବିଚାର କରିବ । ସ୍ୱୟଂ ଈଶ୍ୱର ତୁମକୁ ପଥ ଦେଖାଇବେ ଓ ତୁମର ବିଚାର କରିବେ । ନିଜର ବିବେକକୁ ସନ୍ତୁଷ୍ଟ କରି ପାରିଲେ ଯାଇ ତୁମେ ଯଥାର୍ଥରେ ସନ୍ତୁଷ୍ଟ ହେବ ।

 

ଆମେ ସମସ୍ତେ ସମ୍ପ୍ରତି ଅତ୍ୟନ୍ତ ଭୟଙ୍କର ନାନା ବାଧ୍ୟତା ମଧ୍ୟଦେଇ ଗତି କରୁଛୁ । ଏବଂ ତେଣୁ ଆମକୁ ପରସ୍ପର ପ୍ରତି ଅତୁଳ ଧୈର୍ଯ୍ୟ ଅବଲମ୍ବନ କରି ଅଗ୍ରସର ହେବାକୁ ପଡ଼ିବ । ମୋ’ର ଇଚ୍ଛା ଯେ ତୁମେ ନିଜର ସର୍ବୋତ୍ତମ ପରିଚୟ ହିଁ ହେବ, କାରଣ ତୁମପ୍ରତି ମୋ’ର ବହୁତ ଶ୍ରଦ୍ଧା ରହିଛି ଓ ତୁମଠାରୁ ମୁଁ ବହୁତ କିଛି ଆଶା କରୁଛି । ମାତ୍ର, ମୁଁ କାହିଁକି ଅନୁଭବ କଲି ତୁମେ ତଥାପି ଦାୟିତ୍ୱବୋଧର ମୋ’ର ଆଶାନୁରୂପ ସେହି ସ୍ୱକୀୟ ଉଚ୍ଚତାଟିକୁ ତଥାପି ଉଠି ପାରିନାହି । ମନୁଷ୍ୟଜାତିର ନିଃସ୍ୱାର୍ଥପର ସେବାର ସେହି ଉଚ୍ଚତାଟି ନିମନ୍ତେ ତୁମେ ଯଥାର୍ଥ ଅଭିବୃଦ୍ଧି ଲାଭ କର, ମୋ’ର ତାହାହିଁ ପ୍ରାର୍ଥନା । ତୁମେ ଠିକ୍‌ କଥା କହିଛ, କେବଳ ଭବିଷ୍ୟତ ହିଁ ତୁମର ବର୍ତ୍ତମାନର ନିଷ୍ଠାର ପ୍ରମାଣ ଦେଇପାରିବ । ତଥାପି, ପ୍ରତ୍ୟେକ ମନୁଷ୍ୟକୁ ଉପସ୍ଥିତ ପ୍ରତ୍ୟେକ ଦିବସଟିରେ ହିଁ ପୂର୍ଣ୍ଣ ଅକୃପଣତାରେ ବଞ୍ଚିବାକୁ ହେବ ।

 

କେବଳ ପୂର୍ଣ୍ଣ ଅକୃପଣତା ସହିତ ବଞ୍ଚିବାଦ୍ୱାରା ହିଁ ପରିପୂର୍ଣ୍ଣ ବୁଝାମଣା ସମ୍ଭବ ହୋଇଥାଏ । ତୁମେ ପ୍ରତ୍ୟହ ହିଁ ଜଣେ ପ୍ରତ୍ୟକ୍ଷ ସାକ୍ଷୀ ହୋଇ ରହିଥାଅ ଯେ, ଆମେ ସମସ୍ତେ ଅତ୍ୟନ୍ତ ଅବିଭାଜିତ ଭାବରେ ସେହି ଗୋଟିଏ ମାତ୍ର ମନୁଷ୍ୟଜାତିର ପ୍ରତିନିଧିତ୍ୱ କରୁଛୁ ଏବଂ, ଆମ ସମସ୍ତଙ୍କ ଉପରେ ସେହି ଏକ ଈଶ୍ୱର-ପ୍ରେମର ଈଶ୍ୱର ତଥା ସତ୍ୟର ଈଶ୍ୱର–ସଦାବିରାଜିତ ହୋଇ ରହିଛନ୍ତି ।

 

ଯୀଶୁ କହିଥିଲେ, ‘‘ଦରିଦ୍ରମାନେ ହିଁ ଈଶ୍ୱର-କରୁଣାର ଅଧିକାରୀ ।’’ ଆମେ ମଧ୍ୟ ସେହି ମହନୀୟ ମାନବସତ୍ତାଟି ନିମନ୍ତେ ସ୍ୱେଚ୍ଛାରେ ଦାରିଦ୍ର୍ୟର ବରଣ କରିବା ।

 

ଏହି ବର୍ଷଟି ତୁମ ସକାଶେ ସକଳ ଈଶ୍ୱରକରୁଣାକୁ ବହନ କରିଆଣୁ !

 

ତୁମର

ଅନ୍ନନ୍‌

 

ଚୌଧୁରୀ ହେମକାନ୍ତ ମିଶ୍ର

 

[ଶ୍ରୀଯୁକ୍ତ ଚୌଧୁରୀ ହେମକାନ୍ତ ମିଶ୍ର ଶିକ୍ଷା-ବିଜ୍ଞାନର ପ୍ରଫେସର ହିସାବରେ ଅଳ୍ପ କେତେ ବର୍ଷ ପୂର୍ବେ ଦିଲ୍ଲୀର NCERT ରୁ ଅବସର ଗ୍ରହଣ କରିଛନ୍ତି । ଓଡ଼ିଆ ସାହିତ୍ୟର ସାଟାୟାର୍‌ ବିଭାଗରେ ତାଙ୍କ ରଚନାଗୁଡ଼ିକର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ସାଟାୟାର୍‌ ଯେ ଆମକୁ ହେଁ ହେଁ ହୋଇ ହସାଇ ପାରୁଥିବା କୌଣସି ବ୍ୟଙ୍ଗ ଆଦୌ ନୁହେଁ, ତାଙ୍କର ଲେଖା ପଢ଼ିଲେ ଯାଇ ସେହି କଥାଟିର ଧରଣା କରିହୁଏ ।]

୨୨.୧୨.୭୭

ପରମପ୍ରିୟ ଚିତ୍ତଭାଇ,

କାହିଁକି ଆପଣଙ୍କ ପାଖୁ ଏ ଯାକେ ଚିଠି ଲେଖିନାହିଁ, ଯଦ୍ୟପି ‘ସମାବେଶ’ରେ ଆପଣଙ୍କ ଲେଖା ପଢ଼ିବା ପରଠାରୁ ଲେଖିବାକୁ ସ୍ଥିର କରିଥିଲି, କହିପାରୁନାହିଁ । ଏହି ପ୍ରଭାବଶାଳୀ ରଚନାଟି, ଆଶାକରେ ବିଦଗ୍ଧ ପାଠକଙ୍କର ଦୃଷ୍ଟି ଆକର୍ଷଣ କରିଛି ଏବଂ ତଥାକଥିତ ‘ସାହିତ୍ୟିକ’ ପରିସରରେ ଆଲୋଡ଼ନ ସୃଷ୍ଟି କରିଛି । ମୁଁ ଚିରକାଳ ଆପଣଙ୍କର ଗୁଣମୁଗ୍ଧ, ତେଣୁ ଏ ରଚନା ମୋତେ ସମ୍ମୋହିତ କରି ଦେବାରେ ବୈଚିତ୍ର୍ୟ କିଛି ନାହିଁ । ଯେଉଁ କେତେକ ଗମ୍ଭୀର ବିଷୟ ପ୍ରତି ମୋର ଚେତନା ଆକୃଷ୍ଟ ହୋଇଛି, ତନ୍ମଧ୍ୟରୁ ସମସାମୟିକ ଓଡ଼ିଆ ସାହିତ୍ୟର ଅଦୂର ଓ ସୁଦୂର ଭବିଷ୍ୟତ ପ୍ରଧାନ । ଯେଉଁ ସାହିତ୍ୟ କେବଳ ‘‘ସୌଖିନ୍‌’’ କବି ଓ ଲେଖକଙ୍କ ଉପରେ ନିର୍ଭର କରି ଆସିଛି, ସେ ଯେ ଏତେଗୁଡ଼ାଏ ଦିନ କପରି ବଞ୍ଚିଲା ତାହା ଭାବିବାର କଥା । ପୁନଶ୍ଚ ଏଠାକାର ଅଧିକାଂଶ ପ୍ରଥମ ଶ୍ରେଣୀର ଲେଖକ ଦୈହିକ ଓ ମାନସିକ ଭାବରେ ନିଜର ସହର ବା ଜିଲ୍ଲା ପାରିହୋଇ ଯାଇ ନଥିବାରୁ ସୃଷ୍ଟିକର୍ମର ବ୍ୟାପକ ସଂକୀର୍ଣ୍ଣତା ଦେଖା ଦେଉଅଛି । ଏହା ଉପରକୁ ବିଚାର୍ଯ୍ୟ ସୂଚନାର ବ୍ୟବଧାନ । ଓଡ଼ିଶାର ପୁସ୍ତକାଗାର ଓ ପୁସ୍ତକ ବିପଣିର ଦାରିଦ୍ର୍ୟ ତାହାର ତଥାକଥିତ ବୁଦ୍ଧିଜୀବୀ ଶ୍ରେଣୀର ମାନସିକତା ଉପରେ ସମାନୁପାତରେ ପ୍ରତିଫଳିତ ହୋଇଛି । ମଝିରେ ମଝିରେ ଓଡ଼ିଶା ଯିବାର ସୁଯୋଗ ପାଇ ବ୍ୟଥିତ ହୃଦୟରେ ଏହି ବ୍ୟବଧାନ ଲକ୍ଷ୍ୟ କରିଛି-। ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନଙ୍କ ହସ୍ତରେ ସଗର୍ବେ ଶୋଭିତ ଦଶବର୍ଷ ତଳର ଆଲୋଡ଼ନକାରୀ ପୁସ୍ତକମାନ ଏହାର ଲକ୍ଷଣ । ବୌଦ୍ଧିକସ୍ତରର ଦାରିଦ୍ର୍ୟ ଯେ ଧନଗତ ଦାରିଦ୍ର୍ୟକୁ ବଳିଯାଇଛି, ଏହାର ପ୍ରମାଣ ସମସାମୟିକ ପତ୍ରପତ୍ରିକାର ଛତ୍ରେ ଛତ୍ରେ ରହିଛି ।

ଏହା ଛଡ଼ା ଆପଣଙ୍କର ରଚନାର ପ୍ରତିପାଦ୍ୟ ବିଷୟ ମଧ୍ୟରୁ ସାହିତ୍ୟ ଉପରେ ରାଜନୈତିକ (କୁ) ପ୍ରଭାବ ପ୍ରକୃତରେ ଚିନ୍ତନୀୟ ବିଷୟ । ଶାସକବର୍ଗଙ୍କର ଚାଟୁକାରିତା ବ୍ୟତୀତ ସାହିତ୍ୟର ପ୍ରଚାରଧର୍ମୀ, ମତବାଦଧର୍ମୀ ବିଭାବ ପ୍ରତି ଆପଣ ମୋତେ ଆକୃଷ୍ଟ କରିପାରିଛନ୍ତି । ଗୁନ୍ଥର ଗ୍ରୀସ୍ ଜର୍ମାନୀର ସୋସାଲ୍ ଡିମୋକ୍ରାଟାସ୍‌ଙ୍କ ସପକ୍ଷରେ ବଳିଷ୍ଠ ରଚନା ଲେଖିବାକୁ ଯାଇ ଲମ୍ୱା ସଫେଇ ଦେଇଥିଲେ, ସ୍ମରଣ ଥିବ । ପୁନଶ୍ଚ ମନେ ପଡ଼ିଗଲା ଟଲଷ୍ଟୟଙ୍କ ପାଖୁ ଗୋଗଲ୍‌ଙ୍କର ସେହି ବିଖ୍ୟାତ ପତ୍ରଟି କଥା, ଯହିଁରେ ସେ ଅଭିଯୋଗ କରିଥିଲେ, ଋଷିଆ ରକ୍ତସ୍ନାନ କରିଛି, ଜାର୍‌ଙ୍କ ସୈନ୍ୟମାନେ ନିର୍ଦ୍ଦୋଷ ନାଗରିକମାନଙ୍କୁ ହତ୍ୟାକରି ରାସ୍ତାରେ ପକାଇ ଚାଲିଯାଇଛନ୍ତି । ସେମାନଙ୍କର ମୃତଦେହ ମଧ୍ୟ ସଂଗ୍ରହ କରିବାକୁ ଆତ୍ମୀୟମାନଙ୍କୁ ଅନୁମତି ଦିଆଯାଉନାହିଁ, ଏତେବେଳେ ଋଷିଆର ପ୍ରିୟ ଲେଖକ ଟଲଷ୍ଟୟ ବସି ମନୁଷ୍ୟର ଆଧ୍ୟାତ୍ମିକ ପବିତ୍ରତା ବିଷୟରେ କାହାଣୀ ରଚନା କରୁଛନ୍ତି । ଏଣେ, ସତେକଣ ଚାକିରି କରୁନଥିଲେ ଜରୁରୀ ସ୍ଥିତିର ତୋଷାମଦକାରୀ ଲେଖକମାନେ ନିର୍ଭୟରେ ସବୁ ପଦାରେ ପକାଇଥାନ୍ତେ ? କେବଳ ଚାକିରି କରୁଥିବାରୁ ଏହି ଦାସତ୍ୱ ଦେଖା ଦେଲା ? ନା ରେଡ଼ିଓ ଓ ଖବରକାଗଜର ପ୍ରଚାର ହିଁ ଏସବୁ ସୃଷ୍ଟି କଲା ? ଜର୍ମାନୀର ଇତିହାସରେ ହିଟ୍‌ଲର ଆବିର୍ଭୂତ ହେଲେ, ତାଙ୍କର କ୍ଷମତାଲାଳସାର ତାଣ୍ଡବଲୀଳା ରଚନା କଲେ, ଏବଂ ଲକ୍ଷ ଲକ୍ଷ ବୁଦ୍ଧିଜୀବୀ, ବୈଜ୍ଞାନିକ, ସାହିତ୍ୟିକ ଓ କିଏ ନୁହେଁ, ଏହି ରାଜଶକ୍ତିର ପୋଷକତା କଲେ ଅଥବା ନିହତ ହେଲେ । ସଲଜେନେତ୍‍ସିନ୍‍ଙ୍କ ବର୍ଣ୍ଣନାରେ ଷ୍ଟାଲିନ୍‌ଙ୍କ ଋଷିଆ ଏହିପରି ହେଲା । ଜରୁରୀ ସ୍ଥିତି ମଧ୍ୟରେ ଯେଉଁ କବି ସମ୍ମେଳନମାନ ଦିଲ୍ଲୀରେ ଘରେ ବସି ଟେଲିଭିଜନ୍ ଯୋଗେ ଶୁଣୁଥିଲି, ତାହାର ନିର୍ଲଜ୍ଜତା ଦେଖି ପ୍ରବଳ ବାନ୍ତି ମାଡ଼ିଥିଲା ଏବଂ ପ୍ରକୃତରେ ବାନ୍ତି କରିଥିଲି । ପରେ ଓଡ଼ିଶାକୁ ଆସି ଶୁଣିଲି, ଏ ମଧ୍ୟରେ ନନ୍ଦିନୀ ଦେବୀ ଜଗନ୍ନାଥଙ୍କର ଭଉଣୀ ହୋଇଛନ୍ତି । ସେଭଳି କବିତାର ଶ୍ରଦ୍ଧେୟ କବି ମୋତେ କହିଥିଲେ, ମୋର ସେଇ କନ୍‌ଭିକ୍‌ସନ୍‌, ତୁ କ’ଣ ବୁଝିଛୁ ? ମୁଁ ନିର୍ଦ୍ଦୋଷ ଭାବରେ ଜାଣିବାକୁ ଚାହିଥିଲି, ଭାଇନା, ଯେଉଁ କନ୍‌ଭିକସନ୍ ଶ୍ରୀ ଅରବିନ୍ଦଙ୍କର ‘‘ଭୂମା’’ ଉପରେ ରହିଛି, ସେଇ ସ୍ତରରେ ଏଇଟା-? ଅନ୍ୟ କବିଙ୍କୁ ପଚାରିବାର ସୁଯୋଗ ପାଇନାହିଁ । ତାଙ୍କର ବି ସେଇ କନଭିକ୍‌ସନ୍‌ ଥିବ । ଏଥରକ କୁହନ୍ତୁ । ରାଜନୀତିକୁ ନେଇ କଣ କରାଯିବ ?

ଶାସନବର୍ଗ ନିଷ୍କ୍ରିୟ ଓ ନିସ୍ପୃହା, ଅଧିକାଂଶ ସାଧାରଣ ପାଠକ ସାହିତ୍ୟ ପ୍ରତି ଉଦାସୀନ, କେବଳ ଏକାଡେମୀ ପୁରସ୍କାର ଓ ଅନ୍ୟାନ୍ୟ ସମ୍ମାନ ଭାବରେ ହାସ୍ୟକର ଲକ୍ଷ୍ୟ ରଖି ଲେଖକଗଣ ମଧ୍ୟ ସାହିତ୍ୟ ବିଷୟରେ ପୂରାପୂରି ନିଷ୍କର୍ମା । ଏ ସାହିତ୍ୟ ରହିବ ତ ? ଯେଉଁ ଶ୍ରଦ୍ଧେୟ ସହକର୍ମୀ ସାହିତ୍ୟିକମାନେ ନିଜର ଲୋକପ୍ରିୟତାର ବାହୁସ୍ଫୋଟ ମାରୁଥାନ୍ତି ସେମାନଙ୍କ ମଧ୍ୟରୁ ଜଣକୁ ପଚାରିଥିଲି, ମହାଶୟ, ଆପଣ ମଲେ କେତେଜଣ ଲୋକ କାନ୍ଧେଇବାକୁ ଆସିବେ ମନେ କରୁଛନ୍ତି-? ସେ ଭୟାନକ ରାଗିଗଲେ । ମୁଁ ତ ସହଜେ ‘‘ବୁଦ୍ଧିଜୀବୀ’’ଙ୍କ ପାଇଁ ଲେଖୁଛି, ମୋ ଲାଗି ବୋଧହୁଏ ପ୍ରବାସରେ ସତ୍‍କାର ସମିତି । ଆପଣ ଏଇଠି ଗତ ହେବେ । ‘‘ଲୋକପ୍ରିୟ’’ ଲେଖକ, କେଇଜଣ ମଡ଼ାସାଙ୍ଗିଆ ଅବା ମିଳିଲେ ମିଳି ପାରନ୍ତି । ଲୋକପ୍ରିୟତାର ପ୍ରକୃତ ହିସାବ କ’ଣ-? ନିରକ୍ଷର, ସାହିତ୍ୟପ୍ରତି ଉଦାସୀନ, ଚୋରଚଣ୍ଡାଳ ପ୍ରକାଶକବର୍ଗ ତିନିହଜାର ଛପାଇ ହଜାରକର ରୟାଲ୍ଟି ମଧ୍ୟ ଦିଅନ୍ତି ନାହିଁ ଏବଂ ଅଜସ୍ର ଭୁଲ ଭଟକା କରି (ମୋର ଗତ ବହିଟିରେ ଫାଳେ ଗପ ଗାଏବ, ଉତ୍ସର୍ଗପତ୍ର ନାହିଁ, ପରିଚୟ ନାହିଁ ଏବଂ ହାସ୍ୟରସ ଥିବା ଶବ୍ଦମାନଙ୍କ ଉପରେ ବୁଲଡୋଜର୍ ଚଳାଇ ଦିଆଯାଇଛି) ପୁସ୍ତକ ମୁଦ୍ରଣ କରି ଲେଖକମାନଙ୍କୁ ଉଦ୍ଧାର କରନ୍ତି । ସ୍ଥାନୀୟ ଭଦ୍ରଲୋକମାନେ ପଚାରିଲେ ଦଶଜଣ ଓଡ଼ିଆ ଲେଖକଙ୍କର ନାମ ସ୍ମରଣ କରିପାରନ୍ତି ନାହିଁ, କି ଦଶଟି ବିଖ୍ୟାତ ଓଡ଼ିଆ ଗ୍ରନ୍ଥର ନାମ କହି ପାରନ୍ତି ନାହିଁ । ଏହି ଭଦ୍ରଲୋକମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର ପ୍ରଫେସର ମଧ୍ୟ ଅଛନ୍ତି । ଅବସ୍ଥା ବଡ଼ ଦୟନୀୟ ଚିତ୍ତଭାଇ । ଆମେ ଆଉ କେତେଦିନ ନିଜର ଚେତନାର ‘ମେରୁ’ ଚାରିକଡ଼େ ବେଙ୍ଗଳା ବୁଲିବା, ପଥଶ୍ରମ ଅଛି କିନ୍ତୁ ଲକ୍ଷ୍ୟ ନାହିଁ, ଏବଂ ତାହା ଉପରେ ପାଞ୍ଚଣ ମାଡ଼ ମଧ୍ୟ ଅବ୍ୟାହତ ରହିଛି ? ତଥାକଥିତ ସମ୍ପାଦକମାନଙ୍କ କଥା ଆହୁରି ଶୋଚନୀୟ–କେବଳ ଅଶିକ୍ଷିତ ଅର୍ଥାତ୍ କୁଶିକ୍ଷିତମାନେ ହିଁ ଏହି ଦାୟିତ୍ୱ ନେଇଛନ୍ତି ଏବଂ ମୋ ମତରେ ବରମାଦ୍ୟ ନଚାନ୍ତିମଃ, କି ଦୁଃଖ କହିବ ଭାଇ, କହିଲେ ସରିବ ନାଇ । ଶୁଣନ୍ତୁ ଓଡ଼ିଶାର ସର୍ବପୁରାତନ ସାହିତ୍ୟିକଦ୍ୱୟ ସମ୍ପାଦିତ ‘ଡଗର’ ପତ୍ରିକା କଥା । ଏହି ପତ୍ରିକା ପ୍ରତି ପ୍ରଧାନତଃ ନିତ୍ୟାନନ୍ଦ ବାବୁ ଓ ଫତୁରାନନ୍ଦଙ୍କ ପ୍ରତି ଭକ୍ତି ହେତୁ ଏବଂ ମୁଁ ନିଜେ ସେହିଠାରୁ ରଚନା ଆରମ୍ଭ କରିଥିବା ହେତୁ ମୋର ଗୋଟିଏ ଦୁର୍ବଳତା ରହିଛି । ଅନେକଦିନ ଧରି କିଛି ତାଙ୍କୁ ଦେଇନଥିବାରୁ ଫତୁରାନନ୍ଦ ଲେଖିଲେ ଶୀଘ୍ର ଡଗର ଲାଗି କଲମଧର, ‘‘ତାହାର ଚେହେରା ବଦଳିଯାଆନ୍ତା’’, ସେଠାରୁ ବାହାରିଲା ‘‘ଫାଳିକା ସଞ୍ଚୟନ’’ ନାମକ କେତୋଟି ଲାଳିକା-। ଯେତେବେଳେ ତାହା ଡଗରରେ ବାହାରିଲା, ତହିଁରେ ମୋର ନାମ ପର୍ଯ୍ୟନ୍ତ ଛପା ହୋଇନାହିଁ, ଦୁଇଟି ସଂସ୍କୃତ ଲାଳିକା ଗାଏବ୍ । ଅତ୍ୟନ୍ତ ଦୁଃଖର ସହିତ ଫତୁରାନନ୍ଦଙ୍କୁ ଲେଖି ଜଣାଇଲି, ଆଉ ଡଗରରେ ଲେଖିବି ନାହିଁ ବୋଲି ସ୍ଥିର କରୁଛି । ସେ ଚାରିପୃଷ୍ଠାର ଚିଠିରେ ଏହାର ସଫେଇ ଦେଇଛନ୍ତି–ଜଣେ କମ୍ପୋଜିଟର କପିଟି ହଜାଇ ଦେଇଛି ଏବଂ କଥାଟା ତାଙ୍କୁ ଲୁଚା ଯାଇଛି । ସେହି କପିରେ ନିଶ୍ଚୟ ମୋର ନାମଟା ଥିଲା, ଯାହାକି ଆଉ କେହି ପୂରଣ କରିପାରିଲେ ନାହିଁ, ଯଦ୍ୟପି ସୂଚୀପତ୍ରରେ ଛପା ସରିଥିଲା । ଯାହା ହେଉ, ଏପରି କଠିନ ଶାସ୍ତି ନଦେବାକୁ ଏବଂ ଡଗରକୁ ଲେଖା ଦେବାକୁ ସେ ବ୍ୟକ୍ତିଗତ ଭାବରେ ଅନୁରୋଧ କରିଛନ୍ତି–ସେ ବୁଢ଼ା ହେଲେଣି, ମୋ ଲେଖା ତାଙ୍କୁ କେତେ ଆନନ୍ଦ ଦିଏ ତାହା ମୁଁ ଜାଣେ, ତେଣୁ ଲେଖିବାକୁ ହେବ । ବାପା ରାଣ, ଢିଙ୍କି ଗିଳ୍-

ଲେଖକ ସାମ୍ମୁଖ୍ୟ ବିଷୟ ନକହି ରହି ପାରୁନାହିଁ । ଖଣ୍ଡିଏ ମୁଦ୍ରିତ ପତ୍ରରେ–ଓ–ବାବୁ ଆମକୁ ତାହାର ସଭ୍ୟ ହେବାର ସ୍ୱୀକୃତି ଦେବାକୁ ଓ ଏହିକ୍ଷଣି ଚାନ୍ଦାଭେଦା ନ ଦେବାକୁ ଅନୁରୋଧ କରିଛନ୍ତି । ଚିରକାଳ ଏହି ସାହିତ୍ୟିକ ଗୋଷ୍ଠୀବାଦର କୁଫଳ ମୁଁ ଦୂରରୁ ଥାଇ ଲକ୍ଷ୍ୟ କରିଛି । ମୁଁ ଏହାର ସଭ୍ୟ ହେବାକୁ ନିଜର ଅସାମର୍ଥ୍ୟ ପ୍ରକାଶ କରି ଚିଠି ଲେଖିଛି । ଏହି କୈଫିୟତ୍‌ ଚାରିପୃଷ୍ଠା ନେଇଛି । ସଂକ୍ଷେପରେ ମୁଁ କହିଛି ଯେ ଆପଣମାନେ ଶପଥ ନିଅନ୍ତୁ ଯେ ଏହାର କର୍ମକର୍ତ୍ତା ଥିବା ବେଳେ ଆପଣ କୌଣସି ପୁରସ୍କାର ଗ୍ରହଣ କରିବେ ନାହିଁ । ଏହି ପରିଚୟର କୌଣସି ସୁଯୋଗ ନେବେ ନାହିଁ ଏବଂ ସାମ୍ମୁଖ୍ୟର ସଭ୍ୟ ଥିବାବେଳେ କାହାରି ଚାଟୁକାରିତା, ମନୁଷ୍ୟ ପ୍ରତି ଦ୍ୱେଷ, ପାରସ୍ପରିକ ନିନ୍ଦା ଓ ଚରିତ୍ରହନନ ଆଦି କାର୍ଯ୍ୟ ପ୍ରମାଣିତ ହେବାପରେ ସର୍ବସମକ୍ଷରେ କ୍ଷମାପ୍ରାର୍ଥନା କରିବେ ଏବଂ ଚବିଶଘଣ୍ଟା ମଧ୍ୟରେ ଆପେ ଆପେ ଏହି ସଭ୍ୟ ବା କର୍ମକର୍ତ୍ତା ପଦରୁ ଇସ୍ତଫା ଗୃହୀତ ହୋଇଯିବ । ପୁନଶ୍ଚ କୌଣସି ଦଳ ବା ବିଦେଶୀ ରାଷ୍ଟ୍ରର ପକ୍ଷପୁଷ୍ଟ ହେବା ପ୍ରମାଣିତ ହେଲେ ସାମ୍ମୁଖ୍ୟ ତରଫରୁ ତାହା ଖବରକାଗଜମାନଙ୍କରେ ଛପାଇବାକୁ ଦିଆଯିବ । ଏହି ପତ୍ର ପରେ କର୍ତ୍ତୃପକ୍ଷ ନୀରବ । କେତେ ଏମିତି ଦଳ ବାନ୍ଧି ସମ୍ମେଳନ କଲେ ଓ ବ୍ୟକ୍ତିଗତ ‘ନ୍ୱିସାନ୍ସ’’ ବଢ଼ାଇଲେ । କେବଳ ମଫସଲକୁ ଯାଇ ଗେଣ୍ଡୁଫୁଲ ମାଳ ପିନ୍ଧି ବକ୍ତୃତା ଝାଡ଼ିବା ଏବଂ ବୃଥା ଆସ୍ଫାଳନରେ ବାକୀଟା ସମୟ ବିତାଇବା ହେଲା ଅସଲ କାମ । ଅହୋ ରୂପ, ଅହୋ ଧ୍ୱନି ! ପରସ୍ପର ପ୍ରଶଂସା ଶୁଣିବ କେତେ ? ଆପଣ ଲେଖକ ସାମ୍ମୁଖ୍ୟର ସଭ୍ୟ ହୋଇଥିଲେ ମୋର ପତ୍ରଟି ପାଠ କରିବେ ଆଶାକରେ ଏବଂ ମୋତେ କ୍ଷମା କରିବେ ଆଶା କରେ । ଏହାର ଫଳ ମଧ୍ୟ ମୋତେ ଜଣାଅଛି–ଏକଘରକିଆ ହେବାର, ନାନାପ୍ରକାର ନିନ୍ଦାର ଶିକାର ହେବାର । ତେବେ, ଏଠୁ ଆଉ ପ୍ରତ୍ୟାଶା କିଛି ନାହିଁ, ତେଣୁ ଖୁବ୍‌ ଚିନ୍ତିତ ବି ନୁହେଁ । ପ୍ରାୟ ପଚିଶିବର୍ଷ ଲେଖାଲେଖି କରିଛି । ସମ୍ଭବତଃ ଯାହା ମୋଦ୍ୱାରା ସମ୍ଭବ, ସେତିକି ଲେଖି ଦେଇଛି । ଏଣିକି ବୋଧହୁଏ ଉତ୍ସାହ କମିଯିବ-। କେତେ ଏମିତି ଗଲେଣି । ମୁଁ ଆଉ ବୁଢ଼ାଦିନେ ସାମ୍ମୁଖ୍ୟର ଶୋଭାଯାତ୍ରାରେ ଯୋଗଦେଇ କଣଟା କରିବି ?

ଗୁଡ଼ାଏ ଲେଖି ବିରକ୍ତ କଲିଣି । ହଠାତ୍‌ ମନ ହେଲା, କାହାକୁ ଏତକ କହିବାକୁ । ଆପଣଙ୍କୁ କହିବାକୁ ବେଶୀ ମନ ହେଲା । ଆଉ କାହାରିକି କହିବା ଦରକାର ହେବ ନାହିଁ । ତେବେ ଆପଣ ବ୍ୟସ୍ତ ମଣିଷ–କେତେ କାମ ଥିବ, ସମୟ ନଷ୍ଟ କରୁଛି ।

ସାତମାସ ଏକା ରହିଲି । ଝିଅର ପରୀକ୍ଷା ଥିଲା, ପରିବାର ଦିଲ୍ଲୀରେ ଥିଲେ । କାଲି ଯାଉଛି ଭୋପାଳ ଓ ସେଠୁ ଯିବି ଦିଲ୍ଲୀ । ସେମାନଙ୍କୁ ଧରି ଫେରିବି । କେତେଦିନ ଏହି ଗଛମୂଳେ ଇଟାଚୁଲି ପକାଇ ଭାତହାଣ୍ଡି ବସିବ, ବହିରେ ଡୋର ବନ୍ଧାହବ, ପୁଣି କୁଆଡୁ ଡକରା ଆସିବ, ବାନ୍ଧିବୁନ୍ଧି ବାହାରିବୁ । ନଅଜାଗା ହେଲୁଣି, ଭାତହାଣ୍ଡି ଫୁଟିବାଯାକେ କୋଉଠି ରହିଲି ନାହିଁ । କପାଳ ।

ଜାନୁଆରୀ ତୃତୀୟ ସପ୍ତାହରେ ଓଡ଼ିଶା ଯିବାକୁ ମନ କରିଛି । ଗଲେ ଯାଇ ଦେଖା କରିବି । ନମସ୍କାର ପୂର୍ବକ ।

 

-ହେମକାନ୍ତ

 

ପରିଶିଷ୍ଟ

ସନ୍ଦର୍ଭ : ଜୀବନ ବିଦ୍ୟାଳୟ, ଚମ୍ପତିମୁଣ୍ଡା

 

କାନ୍ଥି, ୨୨ । ୩ । ୫୪

 

ସ୍ନେହର ଚିତ୍ତ,

 

ତୋର ଲମ୍ବା ଚିଠି ଖଣ୍ଡ ପାଇଲି । ମୁଁ ତ ତୋତେ ଲେଖିଛି ନାୟକମ୍‌ଜୀଙ୍କ ଆସିବାଯାଏ ଅପେକ୍ଷା କରିବା ସମ୍ଭବ ହେଲେ କରିବୁ । ତୋର ବିଚାର ଉପରେ ଛାଡ଼ି ଦେଇଛି । ତୁ ଯାହା ଉଚିତ ବୋଧ କରିବୁ ତାହାହିଁ କରିବୁ ।

 

ତୋର ଚିଠିଟି ପଢ଼ି ନିଶ୍ଚିନ୍ତ ହେଲି । ମୋର ମନରେ ଟିକେ ସଂଶୟ ଥିଲା ହୁଏତ ତୁ ଭୂମିଦାନ କାମ କରିବାକୁ ଇଚ୍ଛା କରୁଥିବୁ ବା ଆଦିବାସୀମାନଙ୍କ ଭିତରେ ଯାଇ ରହିବାକୁ ଇଚ୍ଛା କରୁଥିବୁ । ତୋତେ ଇଚ୍ଛାକରି ଏପରି ଲେଖିଥିଲି । କାରଣ, କେବଳ ମୋ’ ପ୍ରତି ଗୋଟାଏ କର୍ତ୍ତବ୍ୟ ଦୃଷ୍ଟିରୁ ନିଜ ଇଚ୍ଛା ବିରୁଦ୍ଧରେ ନିଜକୁ ଖର୍ବ କରିବୁ, ଏ ମୋର ପକ୍ଷରେ କେତଦୂର ଦୁଃଖଦାୟକ ହୋଇଥାଆନ୍ତା, ତୁ ବୁଝି ପାରୁଥିବୁ । ତେଣୁ ତୋ’ର ଚିଠି ପାଇ ମୋ’ର ସବୁ ସଂଶୟ ଦୂରୀଭୂତ ହୋଇ ମୁଁ ନିଶ୍ଚିନ୍ତ ଏବଂ ଆନନ୍ଦିତ ହେଲି । ସେଠାକାର ଯାହା ତ୍ରୁଟି ଅଛି ତା ତ ସମ୍ପୂର୍ଣ୍ଣ ଭାବରେ ସଂଶୋଧନ କରିବା ଭାର ତମମାନଙ୍କ ଉପରେ,–ବର୍ତ୍ତମାନ ତୋ’ ଉପରେ, ସର୍ବେଶ୍ୱର ଭାଇଙ୍କ ଉପରେ; ତମେମାନେ ହେଲ ମୁଣ୍ଡ, ତମେମାନେ ଯେପରି ଗଢ଼ିବାକୁ ଚାହିଁବ ଗଢ଼ି ନବ । ତୁ ବୋଧେ ଜାଣିନୁ ମୋ’ ଭିତରେ ସବୁବେଳେ ଗୋଟାଏ ଅତି ଦୁଃଖ ଚାପି ରହି ମୋତେ ତୃଷାନଳ କରି ଦଗ୍ଧ କରୁଛି; ସେ ଦୁଃଖ ଆହୁରି ବଢ଼ିଯାଇଛି ବାପାଙ୍କର ଏହି ମନ୍ତ୍ରୀତ୍ୱ ନ ଛାଡ଼ିବାରେ । ମୋ’ଠାରୁ ବିଶେଷ କିଛି ପାଇବାର ଆଶା ତୁ କରନା । ତୋତେ ପାଇ, ତୋ’ର ମୁହଁକୁ ଅନେଇ, ତୋର ଅନାବିଳ ହୃଦୟର ସନ୍ଧାନ ପାଇ ମୁଁ ଯେ କେତେଦୂର ନିଶ୍ଚିନ୍ତ ଏବଂ ଶାନ୍ତି ଅନୁଭବ କରୁଛି ତା’ କହି ହେବନାହିଁ । ମୋ’ର ଆଉ ଛାତ୍ରାବାସ ପ୍ରତି କର୍ତ୍ତବ୍ୟ ନାହିଁ ପରି ବୋଧ ହେଉଛି, ମୋର ପ୍ରାଣପାତରେ ମୁଁ ଛାତ୍ରାବାସକୁ ଯାହା ପାରିଛି ଗଢ଼ିଛି । ବହୁତ ତ୍ରୁଟି ରହିଯାଇଛି ମୁଁ ଜାଣେ । ସେସବୁ ତୁ ସୁଧାରିବୁ । ମୋତେ ଆଉ ଟାଣିବୁନି । ମୋତେ ଏଥର ଛାଡ଼ି ଦେ । ତା’ଛଡ଼ା ମୁଁ ତ ଛାତ୍ରାବାସ ଛାଡ଼ି ନଥିଲି; ଏଥର ତମେମାନେ ପରିପୂର୍ଣ୍ଣ ଭାବରେ ସମସ୍ତେ ଏକାଠି ଥିବାରୁ ଛାଡ଼ିଲି । କିନ୍ତୁ ମୋ’ର ଅବର୍ତ୍ତମାନେ ସମସ୍ତେ ଯେ ଯେଉଁଆଡ଼େ ଚାଲିଗଲେ । ବର୍ତ୍ତମାନ ଛାତ୍ରାବାସରେ କେହି ନାହିଁ, ମୋତେ ଖୁବ୍‌ ଖରାପ ଲାଗୁଛି । ଯାହା ହେଉ ମୁଁ ୧ଲା (ପହିଲା) କୁ ଫେରିବି ଯାହା ଆଶାଦିଙ୍କୁ କଥା ଦେଇଛି ତାହା ରକ୍ଷା କରି । ତୁ ଯେଉଁ କାମରେ ଯାଇଛୁ ତାହା ସୁଫଳ ହେଉ ଭଗବାନଙ୍କଠାରେ ତାହାହିଁ ମୋର ପ୍ରାର୍ଥନା । ଏବଂ ତୋ’ର ଲାଗି ମୋ’ର ତାହାହିଁ କାମନା । ତୋ’ଠାରୁ ଚିଠି ପାଇବି ଆଶା ।

 

ତୋ’ର ନୁମା (ଶ୍ରୀମତୀ ମାଳତୀ ଚୌଧୁରୀ)

 

ଛାତ୍ରାବାସ, ୨୭ । ୬ । ୫୪

 

ସ୍ନେହର ଚିତ୍ତ,

 

ମୁଁ କାଲି ତା ୨୬ ରିଖ ରାତ୍ର ଗାଡ଼ିରେ ଅନୁଗୋଳ ଆସିଲି । ଆଜି ସକାଳେ ତୁମ ଚିଠିଟି ଏବଂ କାଡ଼୍‌ଟି ପାଇଲି । ହଠାତ୍‌ କୁଜେନ୍ଦ୍ରୀ ପ୍ରସ୍ତାବ ତୁମ ଚିଠିରୁ ପାଇ କିଛି ଭାବି ପାରୁନାହିଁ । ଅନ୍ୟାନ୍ୟ ସଂପୃକ୍ତ ବନ୍ଧୁମାନଙ୍କୁ ମଧ୍ୟ ପରାମର୍ଶ କରିବାକୁ ହେବ । ବାନାର ମୃତ୍ୟୁ ପରେ ମୋର ଶିକ୍ଷାକେନ୍ଦ୍ରଟି ନେଇ ମୋର ଯେଉଁ ଅଦ୍ଭୁତ ଉତ୍ସାହମୂଳକ ଚିନ୍ତାଧାରା ଥିଲା, ତା’ ଭିତରେ ଏପରି ଏକ ଅଦ୍ଭୁତ ବିପର୍ଯ୍ୟୟ ଘଟିଛି, ଯାହାକି ମୁଁ ତମମାନଙ୍କ ପାଖରେ ପ୍ରକାଶ କରିବାକୁ ଅକ୍ଷମ । ଶ୍ରୀକୃଷ୍ଣ ଯେପରି ଇହଧାମ ଛାଡ଼ିଲା ସମୟରେ ଅର୍ଜ୍ଜୁନ ଠାରୁ ସବୁ କଳାଯାକ ନେଇ ଚାଲିଗଲେ, ସେ ମଧ୍ୟ ଯେପରି ମୋ’ର ଭିତରର ଯାହାଟିକ ଥିଲା, ନେଇ ଗଲା । ୟା ପୂର୍ବରୁ ତ ଦୁଃଖ ପାଇଥିଲି, ଏମାନଙ୍କୁ ଭଲ ପାଇ ତାହା ଭୁଲିଥିଲି । ଭଗବାନ ଦୁଇଥର ମୋତେ ଶାସ୍ତି ଦେଲେ । ମୋ’ର ମନ ବୁଝିବା ଶକ୍ତି ତମମାନଙ୍କର କାହାରି ନାହିଁ । ଯାହା ହେଉ ମୋ’ର ମନର ଛାୟା ମୁଁ ଆଉକାହା ଉପରେ ପକେଇବାକୁ ଚାହେନାହିଁ । ନିଜ ସାଙ୍ଗରେ ନିଜ ଭିତରେ ଲଢ଼େଇ କରି ତାକୁ ଖତମ କରିବାକୁ ଖୁବ୍‌ ପ୍ରାଣପାତ ଚେଷ୍ଟା କରୁଛି । ଭଗବାନ ମୋତେ ଶକ୍ତି ଦିଅନ୍ତୁ ।

 

ନବବାବୁ ମୋତେ ଦିନେ ଦୁଃଖ କରି କହୁଥିଲେ, ଚିତ୍ତ ସାଙ୍ଗରେ କିଛି ଦିନ ଟିକେ ଗଳ୍ପ କରିବା ଅବସର ମୋତେ ମିଳିଲା ନାହିଁ; ଦିନେ’ ଦୁଇଦିନ ଆମର ଏଠି ରହିଲାନାହିଁ ସୁଦ୍ଧା । ମୁଁ ଦିବାକର ଚିଠିରେ ଏକଥା ଲେଖିଥିଲି ମଧ୍ୟ ତୋତେ କହିବାପାଇଁ । ଏ ବୟସରେ ବାପା ମାଆଙ୍କର ଇଚ୍ଛା ହୁଏ ତୋ’ ପରି ଗୋଟିଏ ପୁଅର ସାନ୍ନିଧ୍ୟ ଏବଂ ବନ୍ଧୁତ୍ୱ ପାଇବାକୁ । କିନ୍ତୁ ଆମେମାନେ ତ ସେଥିରୁ ଭଗବାନଙ୍କର ଇଚ୍ଛାରୁ ବଞ୍ଚିତ । ନବବାବୁଙ୍କର ସେଦିନର କଥାଟା ମୋର ମନକୁ ଖୁବ୍‌ ଚଞ୍ଚଳ କରିଥିଲା । ମୁଁ ଅନେକ ଥର ଟ୍ରେନ୍‌ରେ ବସି ସେକଥା ଭାବି ଅଶ୍ରୁ ବିସର୍ଜନ କରିଛି । ମୁଁ ତା ୪ରିଖ ନବବାବୁଙ୍କ ସହ କୋରାପୁଟ ଯାଉଛି । ଗୁଣପୁର, କୁଜେନ୍ଦ୍ରୀ ପ୍ରଭୃତି ଆଡ଼େ ୪ ଦିନର ଟୁର୍‌ ପକେଇଛନ୍ତି ସେ । ବିଶ୍ୱନାଥ ବହୁତ କରି ମୋତେ ମଧ୍ୟ ଡାକିଛନ୍ତି । ତେମେ ତ ଛୁଟିସାରା ଘରେ ରହିବ, ନହେଲେ ଆଉଥରେ ଆମ ସହିତ ସେଆଡ଼େ ବୁଲି ଆସିଥାନ୍ତ । ମୁଁ ଅବଶ୍ୟ ଫେରିବିନାହିଁ–ବିଶ୍ୱନାଥ ସହିତ ବୁଲିବି ।

 

ସ୍ନେହାଶିଷ ନବ ।

ନୁମା

 

ଭୁବନେଶ୍ୱର, ୧ । ୮ । ୫୪

 

ସ୍ନେହର ଚିତ୍ତ,

 

କାଲି ନିତୁ ହାତରେ ଗୁରୁଜୀଙ୍କ ପାଖକୁ ଲେଖିଛି । ଆଜି ତୁମ ଚିଠି ପାଇଲି । କାଲି କଟକରୁ ତେମେ ଚିନୁ ପାଖକୁ ଟେଲିଫୋନ୍‌ କରିଥିଲେ ଆମେ ଏଠାରେ ଅଛୁ ଜାଣି ଯାଇଥାନ୍ତ । ଆଜି ମୋ’ର ଚିଠି ଅନୁଯାୟୀ ତମମାନଙ୍କ ଠାରୁ ଟେଲିଫୋନ୍‌ ଖବର ଆଶା କରୁଛି । ତୁମର ମତ ସଠିକ୍‌ ଜାଣିଲେ ସେ ଜମି ସକାଶେ ଅଗ୍ରସର ହେବି । ଏବଂ ତା ୮ରିଖ ଭୈରବବାବୁ ଏବଂ ମି. ଜୁଟ୍‌ଲାଙ୍କୁ ନେଇ ସେହି irrigation project ଦେଖେଇ ଯାହା ବ୍ୟବସ୍ଥା କରେଇବାର କରେଇବି, ଇତ୍ୟବସରେ ତେମେ scheme, budget ପ୍ରଭୃତି ତିଆରି କରି ତା’ର ଏକ କିତା D.P.I ଙ୍କୁ ପଠାଅ, କାରଣ ସରକାର ବା ଯେକୌଣସି ସାଧାରଣ ଅନୁଷ୍ଠାନଠାରୁ ପଇସାଟିଏ ନେଲେ ସୁଦ୍ଧା ସେମାନେ ଆମଠାରୁ ଆମର ପୂରା scheme ଏବଂ budget ଲୋଡ଼ିବେ । ତା’ ଛଡ଼ା ଆମର ନିଜର ସୁବିଧା ଏବଂ ଅବଗତି ସକାଶେ ମଧ୍ୟ ଏସବୁ ଦରକାର । ତେବେ ସେଦିନ ତିକ୍ତତା କଥା କହିବାରୁ ମୁଁ ଟିକେ କଥାବାର୍ତ୍ତାରେ ଦବି ଯାଉଛି ଏବଂ ଲେଖାଲେଖିରେ ମଧ୍ୟ-। ତେମେ ମୋତେ ଡେନ୍‌ମାର୍କରେ ଥିବା ସମୟରେ ଅଧିକାର ଦେଇଥିଲ ଏବଂ ଥରେ ନୁହଁ ଦୁଇ ତିନିଥର ଲେଖିଛ ତମର ଭୁଲ ତ୍ରୁଟି ଦେଖାଇ ଦରକାର ହେଲେ ତିରସ୍କାର ମଧ୍ୟ କରିବାକୁ । ମୁଁ ଖୁବ୍‌ ନିଜର ଲୋକ ପରି ଆବଦାର କରୁଛି ବୋଲି ପାଟି କରିବାରୁ ତେମେ ତିକ୍ତତା ବଢ଼ିବା କଥା ଯାହା କହିଲ ମୁଁ ଅବଶ୍ୟ ତା’ପରେ ହଠାତ୍‌ କିଛି କହିବାକୁ ଏଣିକି ଶଙ୍କିଯିବି । ମୋ’ର ଗୋଟାଏ ଦୋଷ ମୋ’ର ମନରେ ଯାହା ଉଠେ ହଠାତ୍‌ କହିଦିଏ । ଅବଶ୍ୟ ଯଦି ଜାଣିପାରେ ଯେ ମୋ’ର କହିବାର ଆବଦାର ବା ଅଧିକାରଟା ଅମୁକ ପାଖରେ ଖଟିବ ନାହିଁ, ତେବେ ଖୁବ୍‌ ସମ୍ଭାଳି ରୁହେ ।

 

ସୁନାଖଳା ଏବଂ ରସୁଲକୁଣ୍ଡାର ଅଭିଜ୍ଞତା ତୁମକୁ ଆମର କାମ ଯେ କେତେ struggle କରି କରିବାକୁ ହୋଇଛି ଏବଂ ହେବ ତାହା ବୁଝେଇଦବ ନିଶ୍ଚୟ । ମୁଁ ଏହି ଅନୁଷ୍ଠାନଟି ଏପର୍ଯ୍ୟନ୍ତ କେତେ ପ୍ରତିକୂଳ ବାୟୁମଣ୍ଡଳ ଭିତରେ ବଞ୍ଚେଇ ନେଉଛି ତା ତେମେ ଆଉ କିଛିଦିନ ଗଲେ ଆହୁରି ଭଲ ଭାବରେ ବୁଝିବ । ଏପରିକି ଆମର ଅନୁଷ୍ଠାନକୁ ଏକାବେଳେ ଭାଙ୍ଗିବା ପାଇଁ ଶିକ୍ଷକ ମଧ୍ୟ ତାଲିମ ହୋଇ ସେଆଡ଼ୁ ଆସି ଯୋଗଦାନ କରି ସମସ୍ତ ଜଡ଼କୁ ହେଲେଇ ଦେଇ ଯାଇଥିଲା । ତାକୁ ମୁଁ ଭଗବାନଙ୍କ କୃପାରୁ ସମ୍ଭାଳିନେଇଛି ଆସ୍ତେ ଆସ୍ତେ । ଭଗବାନ ବହୁ ପରୀକ୍ଷାରେ ମୋତେ ପକାଇଛନ୍ତି, ପକାଉଛନ୍ତି । ପକେଇବେ ମଧ୍ୟ । ମୋର ଏକମାତ୍ର ଭରସା ମୋ’ର ସହକର୍ମୀମାନେ । ତମେମାନେ ମୋତେ ଭୁଲ ବୁଝିଲେ ମୁଁ ନିଶ୍ଚୟ ଭାଙ୍ଗି ପଡ଼ିବି ସନ୍ଦେହ ନାହିଁ । କାରଣ ପ୍ରତ୍ୟେକ ମଣିଷର ଶକ୍ତି ସୀମାବଦ୍ଧ । ମୁଁ ଅବଶ୍ୟ ସହଜରେ ହାଲ୍‌ ଛାଡ଼ିବାର ଲୋକ ନୁହଁ । ଗାନ୍ଧିଜୀଙ୍କର ସାଙ୍ଗେ ଘନିଷ୍ଠତା ଥିଲା । ତା’ଛଡ଼ା, ଭଗବାନ ତ ମୁଁ ଜଣେନାହିଁ । ଗାନ୍ଧୀ, ବିନୋବା ଏମାନଙ୍କର କଥା ଏବଂ ଆଦର୍ଶ ମୋ’ ପାଖରେ ଭଗବାନ୍‌ ।

 

ନୁମା

 

ରାୟପୁର ରେଳରୁ,

୧୪.୬.୫୬

 

ସ୍ନେହର ଚିତ୍ତ,

 

ରେଳପଥରେ ଯାଉ ଯାଉ ମନଭିତରେ ଯାହାସବୁ ଭାବ ଜାଗ୍ରତ ହେଉଛି, ତାହା ତୋତେ ଲେଖିଦେବା ଠିକ୍‌ ବୋଲି ବିଚାରିଲି । ମୁଁ ତରତରରେ ତୋତେ ଯାହା ଲେଖିଛି ତାହା ଠାରୁ ବହୁତ ତୀବ୍ର ଭାବରେ ମୁଁ କଥାଟା ନେଇ ଚିନ୍ତା କରୁଛି । -ର ଚିଠିଟି ଯେଉଁ ଦୁଇ ଧାଡ଼ି ମୁଁ underline କରି ତମପାଖକୁ ପଠେଇ ଦେଇଛି, ସେ ଦୁଇ ଧାଡ଼ି ପ୍ରକୃତରେ ଖୁବ୍‌ ଉଦ୍ଧତ ମନର ପରିଚାୟକ ।–କଅଣ ଭାବିଛି ମୁଁ ତା’ଠାରୁ ସମ୍ମାନ ପାଇବାକୁ ଲାଳାୟିତ ? ଆଉ ସମ୍ମାନଟାକୁ ସେ ଗୋଟାଏ Bargaining ର ବସ୍ତୁ ବୋଲି ଭାବିଛି କି ? ତା’ର ପ୍ରତି ଭୁଲ ଧାରଣା ନ ରଖିଲେ ସେ ମୋତେ ସମ୍ମାନ ଦେଖେଇବ ବୋଲି ମୋତେ ଲେଖିବାକୁ ତା’ର କୁଣ୍ଠାବୋଧ ହେଲାନାହିଁ ? ମୁଁ ତ ଗୋଟାଏ ‘cause’ ପାଇଁ ମୋର ପଥରେ କାମ କରି ଯାଉଛି । ମୋ’ର ନିଜର ଅସ୍ତିତ୍ୱର ମଧ୍ୟ ମୋ’ର ସମୟ ସମୟ ଖାତର ରୁହେନାହିଁ । ସମ୍ମାନ ଅସମ୍ମାନର ଖାତିର ମୁଁ କଅଣ କରିବି ? ଏହି ୩୦ ବର୍ଷର ସାଧାରଣ କ୍ଷେତ୍ରରେ କାମ କରି ବା ଯେଉଁ ‘cause’ ପାଇଁ ମୁଁ ଜୀବନକୁ ଉତ୍ସର୍ଗ କରିଛି, ସେ ଦିଗରେ କାମ କରିବା ବାଟରେ ଅସମ୍ମାନକୁ ଟୋକେଇ ଭର୍ତ୍ତି କରି ଗୋଟେଇଛି’ ।–ର ଅସମ୍ମାନ ମୋ’ର ଦେହରେ କଅଣ ବାଜିବ ଯେ ମୁଁ ତା’ ସାଙ୍ଗରେ ତା’ନେଇ bargaining କରିବି ? ସେ କଅଣ ଭାବିଛି ନମସ୍କାର କରିବାଟା ସମ୍ମାନ ଦେଖେଇବା ? ଖୁବ୍‌ ଶତ୍ରୁ ବା ନୀଚ ଶ୍ରେଣୀର ଲୋକ ହେଲେ ମଧ୍ୟ ନ୍ୟୂନ ବଡ଼କୁ ନମସ୍କାର କରେ । ସେଟା ଭଦ୍ରତା ପ୍ରଦର୍ଶନ, ସମ୍ମାନ ନୁହଁ । ଭିନ୍ନ ଭିନ୍ନ ମତବାଦର ଲୋକ ଯେ ରାଜନୀତି କ୍ଷେତ୍ରରେ କୁକୁର ବିଲେଇ ପରି ଲଢ଼େଇ କରେ, ସେମାନେ ମଧ୍ୟ ପରସ୍ପରକୁ ଦେଖିଲେ ନମସ୍କାର କରନ୍ତି । ସାଧାରଣ ଭଦ୍ରତାଜ୍ଞାନ ରହିତ ଲୋକ କାହିଁ ହୁଅନ୍ତି ଏବଂ କେତେବେଳେ ହୁଅନ୍ତି, ଯେତେବେଳେ ନିଜକୁ ଖୁବ୍‌ ବଡ଼ ମନେ କରନ୍ତି । ସେଭାବେ, ଆମେ ପ୍ରତ୍ୟେକ ସମୟ ସମୟ ସେପରି କରିଥାଉ । ମୋ’ର ଯେଉଁ କଥାଗୁଡ଼ାକ ତାଙ୍କୁ ଖରାପ ଲାଗିଛି ସେଟା ତାଙ୍କର ଗୋଟାଏ ପରୀକ୍ଷା ସ୍ୱରୂପ ତାଙ୍କୁ କୁହାଯାଇଛି । ସେ କାହିଁକି ‘ନିଆଁଖୁଣ୍ଟା’ ପଢ଼ନ୍ତି ? ନିଜର ଆତ୍ମୀୟର ସମାଲୋଚନା ବା କୌଣସି ଆକ୍ଷେପ ସେ ସହି ପାରିଲା ନାହିଁ ଅଥଚ ‘ନିଆଁଖୁଣ୍ଟା’ ରେ ପ୍ରତି page ରେ ପରର କ୍ଷୟ ପରି କୁତ୍ସାରଟନା କରାଯାଏ, ତାକୁ ପଢ଼ିବାକୁ ତାଙ୍କୁ ସରସ ବୋଧ ହୁଏ କାହିଁକି ? ନା ୟାହାକୁ ସେ ଓଡ଼ିଆ ସାହିତ୍ୟ ବୋଲି ବିଚାରନ୍ତି କି ? ତୁମକୁ ମୁଁ ଯାହା କହିଛି, ତାହାର ସେ କେତୋଟି କଥା ତାଙ୍କ ପାଖକୁ repeat କରାଯାଇଛି-। ମୋ’ର ସମ୍ବନ୍ଧରେ ପରସ୍ପର ଭିତରେ ଯେଉଁ ଆଲୋଚନା ହୁଏ, ତାକୁ ମୁଁ କଅଣ ଜାଣେନାହିଁ-? ସେ ନେଇ କାହାସହିତ ମୁଁ ତ ଯୁକ୍ତିତର୍କ କରିବାକୁ ଯାଏନାହିଁ ! ସେ ରହିଲେ ମୁଁ ଚମ୍ପତିମୁଣ୍ଡା ଯିବିନାହିଁ, ଏକଥା ମୁଁ ତମକୁ କହିଛି । ତାଙ୍କ ପାଖକୁ repeat କରିବା ପାଇଁ,–କହିନାହିଁ,–ତମକୁ ତା’ର ଗୁରୁତ୍ୱ ବୁଝାଇବା ପାଇଁ କହିଛି । ମୁଁ ତମକୁ ଏତେ ସ୍ପଷ୍ଟ କରି ସବୁ କଥା କହିବା ପରେ ମଧ୍ୟ ତେମେ ମୋ’ ଦ୍ୱାରା କଅଣ କୁହେଇ ନବାକୁ ଚାହ ମୁଁ ବୁଝି ପାରୁନାହିଁ । ମୁଁ ତ ତମକୁ କହିଛି ଚମ୍ପତିମୁଣ୍ଡାରେ ତେମେ ଯାହା କହିବାକୁ ଚାହଁ କର, କିନ୍ତୁ ମୋ’ର ଇଚ୍ଛା ବିରୁଦ୍ଧରେ ତୁମେ କିଛି କରେଇବାର ଚେଷ୍ଟା କରନାହିଁ ବା ଆଶା କରନାହିଁ ଯେ ମୁଁ କରିବି । ତେଣୁ ତୁମକୁ ମୁଁ ଜଣେଇ ଦେଲି ଯେ ମୁଁ ଚମ୍ପତିମୁଣ୍ଡା ଯାଇ ପାରିବି ନାହିଁ ।

 

ତେମେ …. ଠାରୁ ଏପରି ଚିଠି ଖଣ୍ଡେ ମୋତେ କିପରି ପଠେଇବା ଉଚିତ ବିଚାରିଲ ମୁଁ ଭାବି ପାରୁନାହିଁ । ସେ ଯେପରି ଭାବରେ ଚିଠି ଲେଖିଛି, ଯେପରି ସେ ମୋତେ ସମାନ ସ୍ତରର ବିଚାରିଛି, ବୟସ ଦୃଷ୍ଟିରେ ତ ମୁଁ ତା’ଠାରୁ ବହୁତ ବହୁତ ବଡ଼ ଅନ୍ୟ ସବୁ ଦୃଷ୍ଟି ଛାଡ଼ିଦେଲେ ମଧ୍ୟ ? ତେମେ କାହିଁକି ଅଯଥା ତା’ଠାରୁ ଏପରି ପତ୍ରମାନ ମୋ’ ପାଖରେ ପଠେଇବାର ମଧ୍ୟସ୍ଥ ହେଉଛ ? ତମର …….କୁ ଚମ୍ପତିମୁଣ୍ଡାରେ ରଖିବା ଯଦି ନିହାତି ଅପରିହାର୍ଯ୍ୟ ମନେ ହୁଏ ତେମେ ରଖ । ମୋତେ ଆଉ ସେ ନେଇ ବିଚଳିତ କରନାହିଁ; କାରଣ ମୁଁ ଅନୁଭବ କରୁଛି ମୋର ପ୍ରତି ତା’ର ତିକ୍ତତା କମେଇବାକୁ କୌଣସି honest ଉଦ୍ୟମ ତମେମାନେ କରିନାହଁ । ବରଂ ନାନା କଥା ତା’ ପାଖରେ repeat କରି ତିକ୍ତତା ବଢ଼େଇ ଦିଆଯାଇଛି । ତା’ ଛଡ଼ା ତା’ ପୂର୍ବ ଚିଠିରୁ ମୁଁ ଜାଣିଛି ମୋ’ ପ୍ରତି ଚମ୍ପତିମୁଣ୍ଡା ଆସିବା ପୂର୍ବରୁ ….. ମନୋଭାବ ନେଇ ଆସିଛି । ଛାଡ଼, ଏସବୁ କଥା ବଢ଼ାଇ ଲାଭ କିଛି ନାହିଁ । ତମମାନଙ୍କର ଯାହା ଭଲ ବୋଧ ହେବ ତା କରିବ । ମୋତେ ଆଉ ଏ ଦିଗର ଟାଣି ଆଣିବା ଠିକ୍‌ ହେବନାହିଁ । ଯଦି ସେ ନିଜର ଭୁଲ ବୁଝି ପାରନ୍ତି ଭଲ କଥା ବୁଝନ୍ତୁ, କିନ୍ତୁ ମୋ ସାଙ୍ଗରେ bargaining କରିବା ପ୍ରୟୋଜନ ନାହିଁ । Honestly ଦୋଷ ମାନି ନବାଟା ହିଁ ଠିକ୍‌ ହେବ ।

 

ଆଶା ଭଲ ଥିବ ।

ନୁମା

 

ବନବିଦ୍ୟାଳୟ, ଚମ୍ପତିମୁଣ୍ଡା

୨୦.୯.୫୮

 

ପୂଜ୍ୟସ୍ପଦେଷୁ,

 

ଚିତ୍ତଭାଇ, ମୋର ନମସ୍କାର ନେବେ ।

 

ଆପଣଙ୍କର ଦେଇଥିବା ଚିଠିଟି ଯଥାସମୟରେ ପାଇଛି । ଆପଣଙ୍କ ଚିଠିରୁ ସବୁକଥା ଜାଣିଲି । ଆପଣ ଲେଖିଛନ୍ତି, ‘‘ଭଗବାନଙ୍କ ରାଜ୍ୟରେ ନିଜକୁ ହତଭାଗା ବୋଲି ଭାବିବାର ଅଧିକାର ତୁମକୁ ଦେଲା କିଏ ?’’ କିନ୍ତୁ ଭଗବାନଙ୍କ ରାଜ୍ୟରେ ମଣିଷକୁ ହତଭାଗା ବା ଭାଗ୍ୟବାନ୍‌ କରିବାର ଅଧିକାର ଭଗବାନଙ୍କ ବ୍ୟତୀତ ଆଉ କାହାର ଅଛି ? ସେଇ ହିଁ ମଣିଷକୁ ହତଭାଗା ବା ଭାଗ୍ୟବାନ୍‌ କରି ପାରିବେ । ମୋ’ର ଅଧୀର ହେବାର କାରଣ ହେଉଛି, ମୋ ଆଗରେ ଯେଉଁ ଦୁର୍ଲଂଘ୍ୟ ପର୍ବତମାଳା ଓ ଭୀମତରଙ୍ଗାୟିତ ସମୁଦ୍ରର ଉତ୍ତାଳ ତରଙ୍ଗମାଳା ଆସି ଦେଖା ଦେଉଛି, ତାକୁ ଦେଖି ମୋର ସାହସ ହଜିଯାଉଛି । ସେସବୁକୁ ଏଡ଼ାଇବା ମୋର ସାଧ୍ୟାତୀତ ହୋଇ ଯାଉଛି-। ଆଉ, ମୁଁ ଯେଉଁ ଡାଳ ଧରୁଛି ମୋ କପାଳକୁ ସେ ଡାଳ ମଧ୍ୟ ଭାଙ୍ଗି ଯାଉଛି । ଯାହାପାଇଁ ଶତ୍ରୁଘ୍ନ ବାବୁଙ୍କ ପରି ଲୋକଙ୍କୁ ଚିଠି ଦେଲେ ମଧ୍ୟ ତାର ଉତ୍ତର ମିଳୁନାହିଁ । ଏ ଦୁଃଖ କାହାକୁ କହିବି-? ତେବେ, ଆପଣଙ୍କଠାରୁ ସ୍ନେହପୂର୍ଣ୍ଣ ଆଶ୍ୱାସନା ପାଉଥିବା ପର୍ଯ୍ୟନ୍ତ ତଥାପି ହତାଶ ହେବିନାହିଁ-

 

ଆପଣଙ୍କ ସହିତ କଟକରେ ଦେଖା ହେଲାନାହିଁ । ଆପଣଙ୍କ ଘରକୁ ଯିବାକୁ ଇଚ୍ଛା କରିଥିଲେ ମଧ୍ୟ କେତେ ଅତି ଅସୁବିଧାବଶତଃ ଯାଇ ପାରିଲିନାହିଁ । ଏଣୁ ମନରେ ଅନେକ କହିବାକଥା ବାକୀ ରହିଗଲା ପରି ଲାଗୁଛି । କେବେ ଦେଖାହେଲେ ସବୁକଥା କହିବି । କଟକରେ ଦିନୁଟିଏ ରହି ଅନୁଗୁଳରେ ଆସି ୧୩ ତାରିଖ ଦିନ ଦୁଇଟାବେଳେ ପହଞ୍ଚିଲି । ଭାବିଥିଲି ଆସିଲାବେଳେ ମଧୁସାଗର ଦେଇ ଆସିବି । ମାତ୍ର ତାହା ହୋଇ ପାରିଲାନାହିଁ । କେତେକ ଅସୁବିଧାବଶତଃ ଯାଇ ନପାରି ସିଧା ସିଧା ଚାଲିଆସିଲି । ମଧୁସାଗରରେ ରହିବାର ଏକାନ୍ତ ଇଚ୍ଛା ଥିଲେ ମଧ୍ୟ ଗୋଟାଏ କାରଣବଶତଃ ପଛାଇଲି । ମୁଁ ଶୁଣିବାକୁ ପାଇଲି ଯେ ସେଠି……ଙ୍କ (ବିଦ୍ୟାଳୟ-ମୁଖ୍ୟ) ପ୍ରକୋପରେ କେହି ତିଷ୍ଠି ପାରୁନାହାନ୍ତି । ପୁଣି, ମୁଁ ତ ସେଠିକି ମାଷ୍ଟର ହେବା ଉଦ୍ଦେଶ୍ୟରେ ଯିବନାହିଁ, ମୋର ଅସଲ ଉଦ୍ଦେଶ୍ୟ ହେଉଛି ମୁଁ ପଢ଼ିବି । ଆଉ, ସେଠି ରହିବି ଯେତେବେଳେ, ତାଙ୍କର କାମ ମଧ୍ୟ କରିବି । କିନ୍ତୁ ଯଦି ମୋର ପଢ଼ିବା ନହୋଇ ପାରିବ, ତେବେ ସେଠାକୁ ଯିବି କାହିଁକି ? ଚାକରି କରି ଟଙ୍କା ଉପାର୍ଜନ କରିବା ପାଇଁ ତ ମୁଁ ଯିବାକୁ ଇଚ୍ଛା କରୁନାହିଁ-। ମାତ୍ର ମୁଁ ଶୁଣିଲି ଓ ଆଖପାଖରେ ସେଠାରେ ରହି ପୁଣି ଚାଲି ଆସିଥିବା ଜଣେ ଦୁଇଜଣଙ୍କଠାରୁ ବୁଝିଲି ଯେ ସେଠି ମୋର ନିଜର ପଢାପଢ଼ି ହୋଇ ପାରିବନାହିଁ । କେବଳ ପଢ଼ାଇବା ହିଁ ସାର ହେବ । ଏସବୁ ଶୁଣି ମନ ମୋର ଭାରି ଫିକା ପଡ଼ିଗଲା । ବାପା ମଧ୍ୟ ଏଣୁ ନାରାଜ ହେଲେ । ଏଣୁ ମୁଁ ମଧୁସାଗରକୁ ଯାଇ ପାରିନାହିଁ । ଯାହା ହେଉ, ସେଠି ରହି ପାରିବି କି ନାହିଁ ଏବଂ ରହିଲେ ମୋ ନିଜର ପାଠ ପଢ଼ିବା ହେବ କି ନାହିଁ, ଏସବୁ କଥା ଭଲରୂପେ ଜାଣିବା ପାଇଁ…..ବାବୁଙ୍କୁ ଚିଠି ଲେଖିଛି । ସେଥିରେ ମଧ୍ୟ ମୁଁ ଲେଖିଛି ଯେ, ଟଙ୍କା ପଇସା ନେବା ମୋର ଦରକାର ନାହିଁ, ମୋର ଅସଲ କଥା ପଢ଼ିବା । ମାତ୍ର ତାର ଉତ୍ତର କିଛି ଏଯାଏ ପାଇନାହିଁ । ଏଠି ଆସି ଶୁଣିଲି ଯେ ….. ଓ ….. ମଧୁସାଗର ଯାଇଛନ୍ତି । ସବୁକଥା ଜାଣିବା ପାଇଁ ତାଙ୍କୁ ମଧ୍ୟ ଚିଠି ଲେଖୁଛି ।

 

୧୩ ତାରିଖ ଦିନ ମେରାମଣ୍ଡଳୀରେ ଶତ୍ରୁଘ୍ନବାବୁଙ୍କ ସହିତ ଦେଖାହେଲା । କିନ୍ତୁ ବିଶେଷ କଥାବାର୍ତ୍ତା ହୋଇ ପାରିଲାନାହିଁ । ଅନଗୁଳ ମଟରଷ୍ଟାଣ୍ଡରେ ବାପିଙ୍କ ସହିତ ଦେଖାହେଲା, ତାଙ୍କ ସହିତ ମଧ୍ୟ ସେପରି କିଛି କଥାବାର୍ତ୍ତା ହେଲାନାହିଁ । ସେଠାରୁ ଆସି ଟ୍ରେନିଂ କଲେଜରେ ବିନୋଦ ଭାଇଙ୍କ ସହ ଦେଖାହେଲା । …. ଭାଇ (ସେତେବେଳେ ଚମ୍ପତିମୁଣ୍ଡା ଜୀବନ ବିଦ୍ୟାଳୟର ମୁଖ୍ୟ ଶିକ୍ଷକ ଓ ପରିଚାଳକ)ଙ୍କ ସହ ଦେଖାହେଲା । ସେ ମୋତେ ପଚାରିଲେ, ‘‘ବାଦଲ, ରହିବ ତ ?’’ ମୁଁ ଉତ୍ତର ଦେଲି, ମୁଁ ତ ଆପଣଙ୍କୁ ରହିବି ନାହିଁ ବୋଲି ମନା କରିନାହିଁ । ପୁଣି ସେ କହିଲେ, ‘‘ନା, ଏଠାରୁ ପିଲାମାନେ ଚାଲି ଯାଉଛନ୍ତି ବୋଲି ମୁଁ କହୁଛି ।’’ ମୁଁ ଉତ୍ତର ଦେଲି, ମୁଁ ତ ପଳାଇ ଯାଉନାହିଁ । ଏହିପରି ଦୁଇପଦ କଡ଼ା ଜବାବରେ ସେ ମଉନ ହେଲେ । ଦୁହେଁଯାକ ନୁମାଙ୍କ ପାଖକୁ ଗଲୁ । ଛାତ୍ରାବାସରେ ନୁମାଙ୍କ ସହିତ ଦେଖାହେଲା । …. ଭାଇ ନୁମାଙ୍କୁ କହିଲେ, ‘‘ବାଦଲ ଆସିଛି-।’’ ନୁମା କହିଲେ, ‘‘ତା’ର ବାପା ଚିଠି ଦେଇଥିଲେ, ତାର ଉତ୍ତର ପାଇନାହାନ୍ତି । ସେ ଆସିଲା କିପରି ? ମୁଁ କହିଲି, ଉତ୍ତର ନପାଇବାରୁ ହିଁ ଡେରି ଦେଖି ଚାଲି ଆସିଲି । ସେ ପୁଣି କହିଲେ, ‘‘ଦେଖ, ତମେ ସବୁ ଗଣ୍ଡଗୋଳ କରିଛ, ବର୍ତ୍ତମାନ ନୂଆ ଅନୁଷ୍ଠାନ ନୂଆ ଉଦ୍ୟମରେ ଚାଲିଛି; ତମପରି ଗୋଳମାଳିଆ ପିଲାଙ୍କୁ ରଖିଲେ ଚଳିବନାହିଁ ।’’ ମୁଁ କହିଲି, କି ଗୋଳମାଳିଆ-? ସେ କହିଲେ, ‘‘ତମେ ତମର ‘ବିକାଶ’ ୧ରେ ମୋ ନାମରେ ଏବଂ କୋରାପୁଟ ନାମରେ ନାନା କୁତ୍ସିତକଥା ଲେଖିଛ । ତମର ପତ୍ରିକାର ଯେ କି ବିକାଶ, ତାହା ଭଗବାନଙ୍କୁ ହିଁ ଗୋଚର । ତାହା ତ ନିଆଁଖୁଣ୍ଟା ।’’ ମୁଁ ଉତ୍ତର ଦେଲି, ମୁଁ ‘ଓଡ଼ିଶା ପରିକ୍ରମା’ ଲେଖିଛି, କିନ୍ତୁ କଣ ଲେଖିଛି ତାହା ଆପଣ ପଢ଼ିନାହାନ୍ତି, କେବଳ ଶୁଣିଛନ୍ତି । ସେଥିରେ ଏତେ ବିଶ୍ୱାସ କରି ଏପରି କହି ଯାଉଛନ୍ତି । ବର୍ତ୍ତମାନ ତାର ନକଲ ସାଥିରେ ଆଣିଛି, ଥରେ ଦେଖିନିଅନ୍ତୁ କଣ ଲେଖା ଅଛି । ସେ କହିଲେ, ‘‘ମୁଁ ତ ପଢ଼ିନାହିଁ, କିନ୍ତୁ ବାବାଜୀ ଓ ବଡ଼ ଗୁରୁଜୀ ପଢ଼ି କରି ମୋତେ କହିଛନ୍ତି; ଏବଂ କିଏ ଲେଖିଛି, ସେକଥା ତମରି ସୋପାନର ପିଲା ତମରି ଚମ୍ପତିମୁଣ୍ଡା ପିଲା ମୋତେ ଆସି କହିଛନ୍ତି । ମୋତେ ତମେ ଆଗରୁ ନକଲ ଦେଖାଇ କହିଲନାହିଁ କାହିଁକି ?’’ ମୁଁ କହିଲି, ଆପଣ ପଚାରିଲେ ନାହିଁ-! ସେ ପୁଣି କହିଲେ, ‘‘ତିନିଥର ଛାଡ଼ି ତମକୁ ପଚାଶଥର ଦେଖିଲେ ମଧ୍ୟ କାହିଁକି ପଚାରିବି ? ମୋର କଣ ମାନସମ୍ମାନ ନାହିଁ ? ତମେ ଲେଖୁନାହଁ, ଆହୁରି ଲେଖ ।’’ ମୁଁ କହିଲି, ଆପଣ ତ କଥା କହନ୍ତିନାହିଁ, ମୋର କି ଦରକାର ଅଛି ବଳେ ବଳେ ଆପଣଙ୍କ ପାଖରେ କହିଦେବା ?’’ ମୁଁ ଉତ୍ତର ଦେଲି, ନଜାଣିବେ କିପରି ?

 

ସେ ପୁଣି ମୋ’ ବାପାଙ୍କର ଅନେକ ଅଯଥା ପ୍ରଶଂସାଗାନ କଲେ, କହିଲେ, ‘‘ସେ କର୍ମୀ, ଆନ୍ଦୋଳନ ବେଳେ ଜେଲ୍‌ ଯାଇଛନ୍ତି, ସେ ତ ତମର ଏଠିକାର କୀର୍ତ୍ତି ଜାଣିନାହାନ୍ତି, ତାଙ୍କୁ ସେହିକଥା ହିଁ ଲେଖିବାକୁ ହେବ ।’’ ମୁଁ କହିଲି, ଲେଖନ୍ତୁ । ପୁଣି କହିଲେ, ‘‘ତମେ ସେଠି ଚିତ୍ତବାବୁଙ୍କୁ ଡରି ମରି ଥରି ରହିଥିଲ ।’’ ମୁଁ ଉତ୍ତର ଦେଲି, ଚିତ୍ତବାକୁ କାହିଁକି, ମୁଁ କାହାରିକି ଡରି ମରି ରହିନଥିଲି କି ବର୍ତ୍ତମାନ ମଧ୍ୟ କାହାରିକି ଡରି ରହିବା ପାଇଁ ଇଚ୍ଛା କରେନାହିଁ । ଏହିପରି ତାଙ୍କ ସହିତ ନାନା ଯୁକ୍ତିତର୍କ ହେଲା । ମୁଁ ମଧ୍ୟ ଖୁବ୍‌ ନିର୍ଭୀକ ଭାବରେ କଡ଼ା କଡ଼ା ଉତ୍ତର ଦେଉଥାଏ । କାରଣ, ମୋର ପୂରା ବିଶ୍ୱାସ ଥିଲା ଯେ ଏମାନେ ମୋର କିଛି କରି ପାରିବେ ନାହିଁ । ଆଉ, ମୋର ତ ଏଠି ରହିବାର ହେବନାହିଁ, ତେବେ ଏମାନଙ୍କୁ ଡରିବି କାହିଁକି ?

 

ଯଦି କିଛି କୁଆଡ଼ୁ ନହୁଏ, ତେଣୁ, ଆଶଙ୍କା କରି କଟକରେ ଗ୍ରାମସେବକ ପାଇଁ ଦରଖାସ୍ତ କରି ଆସିଛି । ଶେଷରେ ନୁମା କହିଲେ, ‘‘ଚମ୍ପତିମୁଣ୍ଡା ଚାଲ, ସେଠାରେ ଯାହା କିଛି ହେବ ।’’ ଏଣୁ ସେଦିନ ଅନଗୁଳ ଟାଉନ୍‌ରେ ରହି ୧୪ ତାରିଖ ସକାଳେ ଚମ୍ପତିମୁଣ୍ଡାକୁ ଆସିଲି । ଏଠାକୁ ନୂମା ଆସିଲେ ଥରେ ଦୁଇଥର ଗଲି, ମାତ୍ର ସେ କିଛି କହିଲେ ନାହିଁ । ମୁଁ ମଧ୍ୟ କିଛି ନକହି ଫେରି ଆସିଲି । ସେଇଦିନୁଁ ଆଉ କିଛି ସେ ବିଷୟରେ ଉଠୁନାହିଁ । ଏଠି ପୁଣି ସତ୍ୟବାଦୀ ଭାଇ କହିଲେ, ତମେ ରହ । ଆଉ ଗୋଟାଏ ଲେଖିଦିଅ ନୂମା ପାଖକୁ । ମୁଁ କହିଲି, କ’ଣଟାଏ ଲେଖିଦେବି ? ସେ ସେତକ କହିବାକୁ ନାରାଜ । ତାଙ୍କର ସବୁବେଳେ ଭୟ କାଳେ କହିଲେ ମୁଁ କିଛି କଡ଼ା କରି କହିଦେବି । ସେ ହୁଏତ ସେତକ କହିଥିଲେ ପୁଣି ଥୋଡ଼ାଏ କଡ଼ା ଯୁକ୍ତି ଚାଲନ୍ତା । ମୁଁ କୌଣସିମତେ କୌଣସି ଚୁକ୍ତି ବା ସର୍ତ୍ତ ଲେଖିଦେବାକୁ ନାରାଜ । ଲେଖି ଦେବିନାହିଁ । ମୋ’ ବାପା ମଧ୍ୟ ମନା କରିଛନ୍ତି । ମୋତେ ଆଉ ସେମାନେ ବାହାର କରିଦେବାର ଭୟ ଦେଖାଇ ପାରିବେନାହିଁ । କାରଣ ସବୁବେଳେ ମୁଁ ବାହାରି ଯିବାକୁ ପ୍ରସ୍ତୁତ ଅଛି । ଏଇ ମୁହୂର୍ତ୍ତରେ କହିଲେ ଏଇ ମୁହୂର୍ତ୍ତରେ ବାହାରିଯିବି । ଆଉ ଗଲାବେଳେ ଯାହା କହିଦେଇ ଯିବି, ତାକୁ ନୂମା କି ସତ୍ୟବାଦୀ ବାବୁ କେହି ସହି ପାରିବେନାହିଁ । ଯଦି ସେମାନେ ମୋତେ ସାର୍ଟିଫିକେଟ୍‌ ପାଇଁ ହଇରାଣ କରନ୍ତି, ତେବେ ମୁଁ ତା’ର ବିହିତ ପ୍ରତିକାର କରିବାକୁ କଦାପି ପଛାଇବି ନାହିଁ । ତାଙ୍କ ନାମରେ ‘ପ୍ରାପ୍ତ ପତ୍ର’ ଲେଖିବାକୁ ମଧ୍ୟ ପ୍ରସ୍ତୁତ । ଏବଂ, ଯାହାକିଛି ସୁଯୋଗ ପାଇବି, ତାର ପ୍ରତିଶୋଧ ନେବି ।

 

ଯାହା ହେଉ, ୩/୪ ଦିନ ପରେ ଅନଗୁଳରୁ …. ମୋର ଜିନିଷପତ୍ର ଆଣି ଆସି ଏଠି ରହିଛି । ସବୁବେଳେ ଉତ୍ତାନପାଦ ଅବସ୍ଥାରେ ଦୋଦୁଲ୍ୟମାନ ଅବସ୍ଥାରେ ରହିଛି । ଏଠି ରହିଲେ ମଧ୍ୟ ମୋର ନିଜତ୍ୱ ଦେଇ ମୋ’ର ସ୍ୱାଧୀନତା ହରେଇ ରହିବାକୁ ନାରାଜ । ସବୁବେଳେ ସ୍ପଷ୍ଟଭାବେ ଅନ୍ୟାୟର ପ୍ରତିବାଦ କରୁଛି ଓ କରିବି । ଅଯଥା ହସ୍ତକ୍ଷେପକୁ କଦାପି ବରଦାସ୍ତ କରିବିନାହିଁ । ନୁମା ହେଉ, ବାପି ହେଉନ୍ତୁ କି ସତ୍ୟବାଦୀ ଭାଇ ହେଉନ୍ତୁ, ସମସ୍ତଙ୍କୁ କଡ଼ା କଡ଼ା ଜବାବ ଦେବାକୁ ସତତ ପ୍ରସ୍ତୁତ । ସେଥିରେ ଯଦି ସେ ଚାଲିଯିବାକୁ କହନ୍ତି, ସେଥିପାଇଁ ଅମ୍ଳାନ ବଦନରେ ଚାଲିଯିବି । ଭୟ କରିବି ନାହିଁ । ବର୍ତ୍ତମାନ ସତ୍ୟବାଦୀ ବାବୁ ଆମ ସୋପାନର ପିଲାମାନଙ୍କୁ (ତୃତୀୟ ବର୍ଷ ସମ୍ପୂର୍ଣ୍ଣ କରି ଚତୁର୍ଥ ତଥା ଶେଷ ବର୍ଷକୁ ଆସିଥିବା) ଭାରି ଡରୁଛନ୍ତି । ବିଶେଷ କରି ମୋତେ ମଧ୍ୟ ତାଙ୍କର ପ୍ରାଣେ ଭୟ । ସେ ବର୍ତ୍ତମାନ ଏଠାରେ ଏକା ଶିକ୍ଷକ । ଏଣୁ ତାଙ୍କୁ ପ୍ରଧାନ, ଅପ୍ରଧାନ ଯାହା କିଛି କୁହାଯାଇପାରେ । ବାସୁଗୁରୁଜୀ ରବିବାର ଦିନଠାରୁ ଏଠାରୁ ବିଦାୟ ନେଇ ଗଲେଣି । ଜଣେ କଳାଶିକ୍ଷକ ଆସିଛନ୍ତି, ସେ ମଧ୍ୟ ଯିବାକୁ ବାହାରିଲେଣି । ନୂଆ ପିଲାମାନେ ତ ଗୋଟିଗୋଟି ଖସିବାକୁ ଆରମ୍ଭ କଲେଣି । କୁଶିଆପାଳରୁ ଆସିଥିବା ଜଣେ ଭାଇ ଖସିଲେଣି । ଆଉଜଣେ ଖସିବାକୁ ଉପକ୍ରମ କରୁଛନ୍ତି । ଏଠିକି ଜଣେ ଶିକ୍ଷୟିତ୍ରୀ ୧୫ ସେପ୍ଟେମ୍ବର ବେଳକୁ ଶାନ୍ତିନିକେତନରୁ ଆସିବେ ବୋଲି ଶୁଣାଯାଉଛି । ତାହା କେତଦୂର ସତ ସେକଥା ଅନ୍ତର୍ଯ୍ୟାମୀ ହିଁ ଜାଣନ୍ତି । ଆଉ ଏଠିକି କେହି ଆସିଲାପରି ଲାଗୁନାହିଁ ।

 

ଏକାଦଶ ସୋପନର ଦିନକୁ ଗୋଟିଏ କରି ପିରିଓଡ଼୍‌ ହେଉଛି । ଆମର ତ ଆଦୌ କ୍ଲାସ୍‌ ହେଉନାହିଁ । କେବଳ ଖାଇକରି ଶୋଇବା ହିଁ ପ୍ରଧାନ କାମ ହୋଇଛି । ଏବର୍ଷ କ’ଣ ପଢ଼ିବୁ-? କିପରି ପଢ଼ିବୁ ? ତ କିପରି ପରୀକ୍ଷା ହେବ, ସେସବୁ ପୂରା ଅନିଶ୍ଚିତ ଅବସ୍ଥାରେ । କେବଳ ଲାଇବ୍ରେରୀ ବହି ଖଣ୍ଡେ ଖଣ୍ଡେ ଯାହା ପଢ଼ୁଛୁଁ ସେତିକି । ସତ୍ୟବାଦୀ ଭାଇ ପ୍ରଧାନ ଶିକ୍ଷକ ଅବସ୍ଥାରେ ସବୁଉପରେ ହସ୍ତକ୍ଷେପ କରୁଛନ୍ତି । ପ୍ରତି ମୁହୂର୍ତ୍ତରେ ତାଙ୍କର ମତ-ପରିବର୍ତ୍ତନ ହେଉଛି । ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ନିୟମ ବାଢ଼ି ଦେଇ ନିଜେ ଭାଙ୍ଗୁଛନ୍ତି । ଯାହା ଜଣାଯାଉଛି, ବର୍ତ୍ତମାନ ତାଙ୍କ ବିନା ଅନୁମତିରେ ଯମ କାହାରିକି ନେଇ ପାରିବନାହିଁ କି କେହି ମରି ପାରିବେନାହିଁ । ତାଙ୍କୁ ମହମ୍ମଦ ଟୋଗଲକ ଆଖ୍ୟା ଦେବାକୁ ପଡ଼ୁଛି । ସେ ଦିଲ୍ଲୀରୁ ଦୌଲତାବାଦ ନୀତି ଧରିଛନ୍ତି । ସବୁ ପୁରୁଣାକୁ ବଦଳେଇବାରେ ବ୍ୟସ୍ତ ।

 

ଏଠି ପୁଣି ନୁମା, ବାପି, D.P.I ପ୍ରଭୃତି ମଣିଷଙ୍କର ପୂଜା ଖୁବ୍‌ ଯୋରସୋର ଚାଲିଛି । ଏଣୁ ରାଧାନାଥଙ୍କ ‘ଦରବାର’ କାବ୍ୟରୁ ସବୁବେଳେ ମନେ ପଡ଼ୁଛି । ଗଲା ରବିବାର ଦିନ D.P.I ଙ୍କୁ ଅଭ୍ୟର୍ଥନା କରିବାପାଇଁ ଖୋଳ କରତାଳ ଧରି ମାତଳିଆ ଯିବାର ଥିଲା । ମାତ୍ର ସେ ସିନା ଆସିଲେନାହିଁ । ତାଙ୍କ ପାଇଁ ବିପୁଳ ସମ୍ବର୍ଦ୍ଧନାର ବ୍ୟବସ୍ଥା ହୋଇଥିଲା । ଯାହା ହେଉ, ଆପଣ ଖାଲି ଶୁଣନ୍ତୁ କେତେ ପ୍ରକାର ପ୍ରହସନ ଏଠି ଚାଲିଛି । ଓ ଚାଲିଛି । ଆଉସବୁ କଥା ଦେଖାହେଲେ କହିବି-। ପରେ ଲେଖିବି । ଯାହା ଜଣାଯାଉଛି ଆମକୁ କୋରାପୁଟ ପର୍ଯ୍ୟନ୍ତ ଯିବାକୁ ହେବ । କ’ଣ ହେଉଛି ଦେଖାଯାଉ । …..ଇତି ।

 

ସ୍ନେହର ବାଦଲ

(ଶ୍ରୀ ନନୀଗୋପାଲ ପାଲିତ)

 

(ନନୀଗୋପାଲ ଶିକ୍ଷକ-ପ୍ରଶିକ୍ଷଣର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରି ଆଦିବାସୀ ବିଦ୍ୟାଳୟମାନଙ୍କରେ ଶିକ୍ଷକତା କରିଥିଲେ । କିଛିବର୍ଷ ପୂର୍ବେ ଅବସର ଗ୍ରହଣ କରିଛନ୍ତି ।)

 

ବର୍ଦ୍ଦୋଳି (ଗୁଜରାଟ)

୭ । ୭ । ୫୮

 

ଚିତ୍ତଭାଇ,

 

ମୋର ପ୍ରଣାମ ନେବେ । ….ଆପଣଙ୍କ ଚିଠି ୪ ତାରିଖରେ ପାଇଲି । ଚିଠିଟି ପଢ଼ିଲାବେଳେ ମୋର ଚମ୍ପତିମୁଣ୍ଡାର ୪ ବର୍ଷର ସମସ୍ତ ଘଟଣା ମନେ ପଡ଼ୁଥାଏ; ଯେଉଁ ସମସ୍ୟା ନେଇ ଆମର ୪ଟି ବର୍ଷ କଟିଛି ଓ ବର୍ତ୍ତମାନ ଆମମାନଙ୍କ ସ୍ଥିତି । ତା’ ପୂର୍ବଦିନ ନୁମାଠାରୁ ଗୋଟିଏ ଚିଠି ଆସିଥିଲା । ତାହା ଚକ୍ରଭାଇଙ୍କ ପାଖକୁ । ଆମେ ଚକ୍ରଭାଇ ମୁଁ ଏକାସଙ୍ଗରେ ଚିଠି ଦେଇଥିଲୁ-। ସେ ଦେଇଥିବା ଚିଠିରେ ମୋ’ ଚିଠି ଉପରେ ଯେଉଁ ମନ୍ତବ୍ୟ ଦେଇଛନ୍ତି, ଆଶ୍ଚର୍ଯ୍ୟ ପ୍ରକାର-। ସେଥିରୁ ମୁଁ ଯାହା ବୁଝିଲି, ଆମକୁ ସହଜ ଦେଖି ତାଙ୍କର ଏ ରୁକ୍ଷ ବ୍ୟବହାର । ଆମ ତରଫରୁ ସେପରି ବ୍ୟବହାର ହେବା ଉଚିତ ନୁହେଁ କି ? ସେ ଅବଶ୍ୟ ଆମର ନମସ୍ୟ, ହିତାକାଂକ୍ଷୀ-। ତେବେ ଆମର କଣ ବ୍ୟକ୍ତିତ୍ୱ ନାହିଁ ? ଆମେ କଣ ତାଙ୍କର ଆନୁଗତ୍ୟ ସ୍ୱୀକାର କଲେ ପ୍ରିୟ ହେବୁ ? ବରଂ ତା’ଠାରୁ ଭଲ ତାଙ୍କ ସହିତ କିଛି ସମ୍ପର୍କ ନରଖିବା । ଓଡ଼ିଶା କୌଣସି ବ୍ୟକ୍ତିବିଶେଷର ନୁହେଁ । ତେଣୁ ଏତେ ଆନୁଗତ୍ୟ କାହିଁକି ? ଆପଣଙ୍କର ପଦ, ‘‘ଯେ ଘୃଣା କରୁଚି ତାକୁ ଭଲ ପାଇ ଜୟ କରିବାକୁ ପଡ଼ିବ’’–ସେଥିପାଇଁ ଏତକ ଲେଖିଲି । ଯେ ନିଜର ଘୃଣାଭାବକୁ ଏତେ ବିସ୍ତାର କଲାଣି । ଆଉ ଚମ୍ପତିମୁଣ୍ଡାର ଚିତ୍ତଭାଇ ଓ ଦ୍ୱାଦଶ ପିଲା ତାଙ୍କ ମୁଣ୍ଡରେ ବର୍ତ୍ତମାନ ଭୂତ । ତାଙ୍କୁ ସେଇ ଭୂତ ସବୁବେଳେ ଗୋଡ଼େଇଚି । ସେ ଲେଖିଛନ୍ତି, ଚିତ୍ତବାବୁ ଓ ଦ୍ୱାଦଶ ସୋପାନ ପିଲା ମୋତେ ସାରିଛନ୍ତି । ମୋର ସମସ୍ତ କିଛି ପଣ୍ଡ କରିଛନ୍ତି । ତିନୁ ପ୍ରତି କୁଆଡ଼େ ଚକ୍ର ଛଡ଼ା ଆମେ ସମସ୍ତେ ଖରାପ ବ୍ୟବହାର କରିବେ । ଏବଂ ତାଙ୍କୁ ଅପମାନ କରିଛେ । ତେଣୁ ସେ ଲେଖିଛନ୍ତି, ସେଠାରେ ଆମେ ତାମସା କରୁଥିଲେ । ଆପଣଙ୍କଠାରୁ ଅନେକ ଧୈର୍ଯ୍ୟ ରଖିବାର ଶିଖିଚି । କିନ୍ତୁ ଆପଣ ତ କେବେ କହିନାହାନ୍ତି କାହାରି ଆନୁଗତ୍ୟ ସ୍ୱୀକାର କରି ନିଜତ୍ୱକୁ ବଳି ଦେବାକୁ । ତିନୁର ବିଭାଘର ୧୪ ତାରିଖରେ ହେଉଚି ବୁବୁଅପାଠାରୁ ଶୁଣିଥିଲି । ଭାବିଥିଲି ଗୋଟିଏ କବିତା ପଠାଇବି । ମୋ’ ସାହିତ୍ୟସୃଷ୍ଟି ପ୍ରତି ଆକ୍ଷେପ ଦେଖି ତାହା ବନ୍ଦ କଲି । ଏହା ବି ଠିକ୍‌ କରିଛି ଆଉ ନୁମା ପାଖକୁ ଚିଠି ଦେବିନାହିଁ । ନୁମାଙ୍କ ଆକ୍ଷେପ ମୁଁ ଆଉ ସହିବାକୁ ପ୍ରସ୍ତୁତ ନୁହେଁ । ତାଙ୍କର ମନୋଭାବ ଆପଣ ଜାଣନ୍ତିନାହିଁ ।

 

ଏଠାରେ ତ ପରିଶ୍ରମ ଅଧିକ । ତେଣୁ ଯେ ଟିକକ ଅବସର ସମୟ ଏଠିକା କୋର୍‌ସ୍‌ ପୂରଣରେ ଯାଉଚି । ଘରକୁ ଗଣିତ ଓ ପ୍ରବନ୍ଧ ଲେଖିବାକୁ ଦେଉଚନ୍ତି । ତେଣୁ ନିଜର ଲେଖାଲେଖି କରି ପାରୁନାହିଁ । ଗୁଜୁରାତି ଶିଖୁଚି, ଅବଶ୍ୟ ବୁଝି ହୋଇ ଯାଉଚି । ଏ ଭିତରେ ଦୁଇଟି ସୂତାକଟା ପରୀକ୍ଷା ନେଇଚନ୍ତି । ମୁଁ ଅବଶ୍ୟ ସଫଳ ହୋଇଚି । ଗଣିତ ଇତ୍ୟାଦି କିଛି କଷ୍ଟ ଲାଗୁନାହିଁ । ପାଟିଗଣିତରେ ଯାହା କରିଥିଲି ଦୋହରାଉଚି । ଇଂରାଜୀ ମୋଟେ ପଢ଼ି ପାରୁନାହିଁ । ସତେ ଚିତ୍ତଭାଇ ଇଂରାଜୀ ମୋଦ୍ୱାରା ହୋଇ ପାରିଲାନାହିଁ । ସେଥିପାଇଁ ଗୋଟିଏ ବଡ଼ ଅବଶୋଷ ରହିଗଲା ।

 

ଆପଣଙ୍କ ଚିଠିଟି ମୋତେ ଅନେକ ସଚେତ କରେଇଦେଲା । ମୁଁ ଆନନ୍ଦ ପାଇବା ସଙ୍ଗେ ସଙ୍ଗେ ନିଜକୁ ଗୋଟିଏ ସ୍ଥାନରେ ରଖି କିପରି ବିକାଶ କରିବାକୁ ହେବ ଭାବୁଚି । ସେଥିପାଇଁ ରୀତିମତ ସାଧନା ଦରକାର । ଯଦି କିଛଇ ଆପଣଙ୍କଠାରୁ ଗ୍ରହଣ କରିଥିବି ତାକୁ ଜୀବନର ବିକାଶରେ ଅବଶ୍ୟ ଲଗାଇବି । ସଂସାରର ଅନେକ ଜରୁରୀ କଥା ଜାଣି ନଥିବାରୁ ଅନେକ ବେଳେ ଧୈର୍ଯ୍ୟଚ୍ୟୁତ ହେବାକୁ ପଡ଼ୁଚି । ଏବେ ମହତାବଙ୍କ ପାଖକୁ ଗୋଟିଏ ‘ପ୍ରଜାତନ୍ତ୍ର’ ପଠେଇବାକୁ ଲେଖିଥିଲୁ । ସେ ପଠଉଚନ୍ତି । ଏଠାରେ ଓଡ଼ିଆ ସମ୍ବାଦପତ୍ର ସେଇ ଗୋଟିଏ । ….ଇତି ।

 

ଆପଣଙ୍କ ସ୍ନେହାବନତ

ଦୁର୍ଗା

 

(ଶ୍ରୀ ଦୁର୍ଗାଚରଣ ବେହେରା ସେଠି ବିଦ୍ୟାଳୟରେ ୪ ବର୍ଷର ଅଧ୍ୟୟନ ପୂର୍ଣ୍ଣ କରିଥିଲେ-। ତା’ ପୂର୍ବରୁ ସେ ମୂଳରୁ ହିଁ ବାଜିରାଉତ ଛାତ୍ରାବାସରେ ବିତାଇଛନ୍ତି ଓ ବଡ଼ ହୋଇଛନ୍ତି । ଚକ୍ର ଅର୍ଥାତ୍‌ ଚକ୍ରଧର ସାହୁ ତାଙ୍କରି ଜଣେ ସତୀର୍ଥ । ତିନୁ, ଏବର କୃଷ୍ଣା ମହାନ୍ତି ଓ ବୁବୁଅପା ଅର୍ଥାତ୍‌ ଶ୍ରୀମତୀ ଉତ୍ତର ଦେଶାଇ,–ଦୁହେଁ ଶ୍ରୀଯୁକ୍ତ ବାପି ଓ ନୁମାଙ୍କର ଯଥାକ୍ରମେ ସାନ ଓ ବଡ଼ ଝିଅ । ତିନୁ ମଧ୍ୟ ଚମ୍ପତିମୁଣ୍ଡାରେ ଚାରିବର୍ଷ ଅଧ୍ୟୟନ କରିଛି । ଦୁର୍ଗାଚରଣ ଖାଦୀ କମିଶନରେ କାର୍ଯ୍ୟ କରି ଅବସର ଗ୍ରହଣ କରି ସାରିଲେଣି ।)

 

ବର୍ଦ୍ଦୋଳି, ୧୬ ।୧୦ ।୫୮

 

ଚିତ୍ତଭାଇ,

 

ମୋର ପ୍ରଣାମ ଜଣାଉଚି । ….କାଲି କ୍ଲାସ୍‌ରେ ଭଲ ଲାଗୁନଥିଲା । ଖାଲି ଦୁଇଘଣ୍ଟା ବସିବାପରେ କ୍ଲାସ୍‌ ଅଧଘଣ୍ଟା ଥାଏ । ଚାଲି ଆସିଲି । ଆସି ଡାକ ଦେଖେ ତ ଆପଣଙ୍କ ଚିଠି । ମନଟା ସାଙ୍ଗେ ସାଙ୍ଗେ ଖୁସୀ ହୋଇଗଲା । ଆପଣଙ୍କ ଚିଠି ପଢ଼ିଲା ପରେ ସୁସ୍ଥ ଲାଗିଲା । ଆପଣଙ୍କ ଚିଠି ସବୁବେଳେ ମୋତେ ଧୈର୍ଯ୍ୟ ଓ ନିଜକୁ ସ୍ଥିର କରି ଚିନ୍ତା କରିବାର ବାଟ ଦେଖେଇଥାଏ । ତେଣୁ ଯେବେ ଯେବେ ମନ ଖରାପ ହୁଏ ଆପଣଙ୍କ ଚିଠିକୁ ଚାହିଁଥାଏ ।

 

ଚିତ୍ତଭାଇ ! ଏ ୨୦ ବର୍ଷ ଭିତରେ ସେମାନଙ୍କ ବାହୁଛାୟା ତଳେ ରହି ଅନେକ ମର୍ମାହତ ହୋଇଚି । ସମୟ ଅସମୟରେ ଅପମାନ ପାଇଚି । ସିଧା ସିଧା ତାଙ୍କର ଘୃଣାଭାବ ମୋତେ ବଡ଼ ବାଧିଛି । ତେଣୁ ସର୍ବଦା ଚେଷ୍ଟା କରିଚି ଦୂରରେ ରହିବାକୁ । ମଣିଷକୁ ମଣିଷ ପରି ନଦେଖିଲେ ତା ମନରେ କି ପ୍ରତିକ୍ରିୟା ହେବ ! ନିଜକୁ ଭଗବାନଙ୍କଠାରୁ ବଡ଼ ମନେ କରୁଛନ୍ତି । କିନ୍ତୁ ଚିତ୍ତଭାଇ ଏସବୁ ପରେ ବି ୩ଟି ୪ଟି ଚିଠି ମୋ’ ମତ ପରିବର୍ତ୍ତନ କରି ଦେଇଚି । ମୁଁ ଆଉ ଘୃଣା କରିନି । ନିଜର କର୍ତ୍ତବ୍ୟ କରି ଯଥାସମ୍ମାନ ଦେଇଚି । ତା’ପରେ କି ହେୟ ଭାବ ! ତେଣୁ ଭୟ ହେଉଚି ଏଠାରୁ ଗଲେ ତାଙ୍କ ହାବୁଡ଼ରେ ପଡ଼ିବି କି ? ବଡ଼ ବିପଦ । ଏସବୁ ନୁମାଙ୍କ ଲାଗି ଲେଖିଲି-। ସେ ମୋ ପ୍ରତି ଯେତେ କିଛି ଖରାପ ବ୍ୟବହାର କରୁଚନ୍ତି, ମୋର କେହି ଅଭିଭାବକ ଥିଲେ ତାହା ସେ କରନ୍ତେ ନାହିଁ । କାରଣ ଅଶିକ୍ଷିତ ଘରୁ ମୁଁ ବାହାରିଚି । ବାପ ମା’ ସମସ୍ତେ ଅଶିକ୍ଷିତ । ତେଣୁ ନୁମା ଯେଉଁ କୃପା କରିଚନ୍ତି, ତା’ର ପ୍ରତିଶୋଧ ଏପରି ନେଉଚନ୍ତି । ତେଣୁ ବେଳେ ବେଳେ ଭାବୁଚି ପାଠ ନପଢ଼ିଥିଲେ ବରଂ ନିଜର ସତ୍ତା ରଖି ଭଲରେ ଥାନ୍ତି । ଏହାଙ୍କ କୃପାରୁ ପାତ୍ର ହୋଇ ବଡ଼ ମାରାତ୍ମକ ହୋଇଚି ।

 

ଏ ଭିତରେ ଜଗନ୍ନାଥ ବାବୁଙ୍କ ଠାକୁ ଦରଖାସ୍ତ କରିଚୁ । ସମ୍ଭବତଃ ନୁମା ତାଙ୍କୁ କହିବେ-। ତେବେ ମନରେ ଆସ୍ତେ ଆସ୍ତେ ଯିବାର ଆଗ୍ରହ ରହୁନାହିଁ । ପୁଣି, ଭବିଷ୍ୟତରେ ତାଙ୍କ ଦାଉ ସହିବ କିଏ ? ସେ ଆମୋଦ ଓ ମଦନ ବିଷୟରେ ଯେଉଁ ମନ୍ତବ୍ୟ ପ୍ରକାଶ କଲେ, ତାହା କ’ଣ ଲେଖିବି ! ତେଣୁ ସେଇ ଡର ଲାଗୁଚି ତାଙ୍କଠାରୁ କିଛି ଆଶା କରିଲେ ତାହା ହେବ ତ ? ତେଣୁ ଭାବୁଚି ପ୍ରାକ୍ଟିକାଲ୍‌ ୩ ମାସ ଓଡ଼ିଶାରେ କରିବି କି ନାହିଁ । ତେବେ ସେଠାରେ କଲେ ଚାକିରି ମିଳିବାର ସୁବିଧା ।

 

ଆଜି ମାଉସୀ ଚିଠି ଦେଇଚି । ଆମ ଘର ଭାଙ୍ଗି ଯାଇଚି । ଗଲେ ରହିବି । କେଉଁଠେ ? ତା’ ପରେ, ଚାକିରି ଜଲଦି ମିଳିଲେ ତ ? ରୋଜଗାର କରିବାର ଯୋଗ୍ୟ ଯେପର୍ଯ୍ୟନ୍ତ ନହୋଇଚି, ସେପର୍ଯ୍ୟନ୍ତ ଓଡ଼ିଶା ନଫେରିଲେ ହୁଅନ୍ତା । ନିଜ ଗୋଡ଼ରେ ଠିଆ ହେବି । ଆଉ କାହା ଲାଙ୍ଗୁଡ଼ ଧରି ପରେ ତା’ର ତାଚ୍ଛଲ୍ୟଭାବ ସହି ହେବନାହିଁ । ହଁ, ମୁଁ ଦୁଇଟି କଥା ଭାବୁଚି । କରିବି କି ନାହିଁ ଆପଣ ଲେଖିବେ । ପ୍ରଥମ କଥା ହେଉଚି, ଏଠାରୁ ଟ୍ରେନିଂ ତ ମୋର ୧.୫ ମାସରେ ସରୁଚି । ସାବରମତିରେ ଗୋଟିଏ ଅମ୍ବର ପ୍ରୟୋଗ ବିଦ୍ୟାଳୟ ଖୋଲୁଚି । ତାହା ସମ୍ଭବତଃ ନଭେମ୍ବର ୨୬କୁ । ୧ବର୍ଷର କୋର୍‌ସ୍‌ । ୨୫ ଟଙ୍କା ଷ୍ଟାଇପେଣ୍ଡ୍‌ ଦେବେ । ସେମାନେ, ଯେ ଅମ୍ବର କାର୍ଯ୍ୟକର୍ତ୍ତା ଟ୍ରେନିଂରେ ସଫଳ ହେଉଚି ତାକୁ ନେଉଛନ୍ତି । ତେଣୁ ମୋ’ର ନମ୍ବର ଆସିପାରେ । ସେଥିରେ ଯିବି କି ? ଆଚାର୍ଯ୍ୟଜୀ କହୁଥିଲେ ପଠେଇବାକୁ । ତା’ପରେ ନହେଲେ ଚାକିରି ଏହିଠାରେ । ଓଡ଼ିଶାରେ ନ ମିଳିବ ତ ?

 

ଆଉଗୋଟିଏ ହେଉଛି; ଏଠାରେ ରଙ୍ଗ କାମ ଚାଲିଚି । ବିଭିନ୍ନ ପ୍ରକାରର ରଙ୍ଗକନା ଶାଢ଼ି ଇତ୍ୟାଦିରେ ଫୁଲ ପକେଇବା ଓ ରଙ୍ଗ କରିବା ଇତ୍ୟାଦି । ତେଣୁ ଭାବୁଚି ୩ମାସ ସେଥିରେ ଶିଖିଲେ ଭଲ ହୁଅନ୍ତା । ମାତ୍ର ଓଡ଼ିଶାରେ ତା’ର ସୁବିଧା ମିଳିବ କି ନାହିଁ । ଆପଣଙ୍କ ମତକୁ ଚାହିଁଲି,–ଏପରି ଭାବୁଛି କ’ଣ କଲେ ଭଲ ହେବ । ….

 

ଲେଖୁ ଲେଖୁ କେତେ କଥା ଲେଖିଲି । କାହା ପାଖକୁ ଏତେ କଥା ଲେଖେନାହିଁ । କେହି ଶୁଣିବେନାହିଁ । ଆପଣଙ୍କ ଚିଠିକୁ ଚାହିଁ ରହିଲି ।

 

ଇତି ।

ସ୍ନେହାବନତ

ଦୁର୍ଗା

 

[ଶ୍ରୀ ଆମୋଦଚନ୍ଦ୍ର ପ୍ରଧାନ ଦୁର୍ଗାଚରଣଙ୍କ ସହପାଠୀ ମଦନମୋହନ ଗମାଙ୍ଗ ୧୯୫୮ ବେଳକୁ ଚମ୍ପତିମୁଣ୍ଡାର ଆମ ବିଦ୍ୟାଳୟରେ ଦୁଇବର୍ଷ ପୂର୍ଣ୍ଣ କରି ସାରିଥିଲା ।]

 

ପ୍ରଣାମାନନ୍ତରଂ,

 

ଚିତ୍ତଭାଇ,

 

…ମୁଁ ଖଣ୍ଡିଏ ଚିଠି ଦେଇଥିଲି ତାହା ଆପଣ ନିଶ୍ଚୟ ପାଇଥିବେ । ଯାହା ହେଉ, ବର୍ତ୍ତମାନ ମୁଁ କମଗରାଠାରୁ ହିଁ ଲେଖୁଛି । ରତ୍ନାକର ଭାଇ ଓ ମୁଁ ଦୁହେଁଯାକ ଅଗଷ୍ଟ ୨୬କୁ ଯାଇଥିଲୁ । ଦୁଃଖର କଥା, ବିନା ନିମନ୍ତ୍ରଣରେ ଆମେ ୨୫ ତାରିଖରେ ସେଠାରୁ ଚାଲି ଆସୁଥିଲୁ । ମାତ୍ର ଆମକୁ ସତ୍ୟବାଦୀ ବାବୁ ଅଟକାଇଲେ । ୨୬ଦିନ ସଭାପତିଙ୍କୁ ଧନ୍ୟବାଦ ଦେବାକୁ କହି କିଛି କହିବାକୁ କହିଲେ । କେତେକ ସାଧାରଣ କଥାରେ ଯଥା ସ୍ୱାଧୀନତା, ସଂପାଦକୀୟରେ ଲେଖା ଯାଇଥିବା ବିଷୟ ଅତିରଞ୍ଜିତ ହୋଇ ଲେଖା ହୋଇଥିବାର କହିବାରୁ (ଶ୍ରୀମତୀ) ମାଳତୀ ଚୌଧୁରୀ ମୋ ଉପରେ ଭୀଷଣ ଭାବରେ ଯୁକ୍ତିତର୍କ କଲେ । ଅବଶେଷରେ କହିଲେ ତୁମ ଚିତ୍ତବାବୁ ‘‘ଜଙ୍ଗଲ ଚିଠି’’ ଲେଖିଲେ, ଅନ୍ୟ ଲେଖା ସ୍କୁଲ ବିଷୟରେ ଲେଖିଲେ । ସେଥିରେ ମୁଁ ଭିକ୍ଷାଝୁଲି ଧରି ଭିକ ମାଗିଥିଲି ଟିକିଏ ଉଲ୍ଲେଖ କଲେନାହିଁ । .ଇତି ।

 

ଭରତ

 

(ରଣପୁରର ଶ୍ରୀ ଭରତ ଚନ୍ଦ୍ର ସେଠୀ ପ୍ରଥମ ବର୍ଷର ଛାତ୍ର ରୂପେ ଚାରିବର୍ଷର ଅଧ୍ୟୟନ ସମ୍ପୂର୍ଣ୍ଣ କରିଥିଲେ । ଅଗଷ୍ଟ ୨୬ ତାରିଖକୁ ଚମ୍ପତିମୁଣ୍ଡା ବିଦ୍ୟାଳୟର ଜନ୍ମଦିନ ରୂପେ ପାଳନ କରା ଯାଉଥିଲା ।)

 

ଚମ୍ପତିମୁଣ୍ଡା, ୭ । ୮ । ୫୮

 

ପୂଜ୍ୟ ଚିତ୍ତଭାଇ,

 

ଆମର ପ୍ରଣାମ ଗ୍ରହଣ କରିବେ ।

 

ପୂଜ୍ୟ ଭାଇ, ଆଜି ଅତି ଦୁଃଖରେ ଆପଣଙ୍କ ପାଖକୁ ଏଇ ସାମାନ୍ୟ କାଗଜ ଖଣ୍ଡିକରେ ଅନ୍ତରର ବେଦନା ଜଣାଇବାକୁ ଇଚ୍ଛା କରୁଛୁ । ଦିନ ଥିଲା, ଆମେ ଆପଣଙ୍କର ଛାତ୍ର ହୋଇ ରହିଥିଲୁ । କିନ୍ତୁ ଆଜି ସେ ସୌଭାଗ୍ୟ ଦିନ ପ୍ରତ୍ୟକ୍ଷରେ ନାହିଁ । ଭବିଷ୍ୟତରେ ମଧ୍ୟ ସେପରି ଏକ ଦିନ ଯେ ଆସିପାରେ, ଏହା କଳ୍ପନା କରିବା ଆମ ପକ୍ଷରେ ଏକପ୍ରକାର ଅସଙ୍ଗତ କଥା । ସେ ଯାହା ହେଉ, ଆଜିଠାରୁ ଆମେ ଜୀବନର ଏକ ଶେଷ ସିଦ୍ଧାନ୍ତରେ ପହଞ୍ଚି ପାରିବୁ ବୋଲି ଆଶା କରୁଛୁ । ବର୍ତ୍ତମାନ ସ୍କୁଲ ଅବସ୍ଥା ବର୍ଣ୍ଣନା କଲେ ଆଶ୍ଚର୍ଯ୍ୟ ହେବେ । ଆମେମାନେ, ବିଶେଷ କରି ଭୀଷ୍ମ ଓ ମୁଁ ଜାଣି ସାରିଲୁଣି ଯେ ଏଠାରେ ଆମର ଆଉ ସ୍ଥାନ ନାହିଁ । ମାଟ୍ରିକ୍ ପରୀକ୍ଷା ଦେବା କଥା କେଉଁ ଅତଳ ସମୁଦ୍ର ଗର୍ଭରେ ଲୀନ ହୋଇ ଗଲାଣି । ବର୍ତ୍ତମାନ ଜୀବନରେ ଆଉ ଏକ ଝଞ୍ଜା ସୃଷ୍ଟି ହୋଇଛି । ସତ୍ୟବାଦୀ ଦାଶ ଆମର Headmaster ପ୍ରତିଦିନ ଏକ ଏକ ନୂତନ ନିୟମ ପ୍ରଣୟନ କରି ଆଇନ୍‍ବୁକ୍‍ର ପୃଷ୍ଠା ବଢ଼ାଇବାରେ ବ୍ୟସ୍ତ । ଏଠାରେ ଛାତ୍ରମାନେ ବାସ କରିବେ କି ଖୋସାମତିଆ ବାସ କରିବେ କି ତୃତୀୟପନ୍ଥୀ ଅର୍ଥାତ୍ ନୀରବପନ୍ଥୀ ବାସ କରିବେ କିମ୍ୱା ମୂଲିଆମାନେ ବାସ କରିବେ, ତା’ର କୌଣସି ଠିକଣା ନାହିଁ । ମଣିଷ କାହିଁକି ଏପରି ଆଧିପତ୍ୟ ବିସ୍ତାର କରିବାକୁ ଇଚ୍ଛା କରେ ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ ।

 

Headmaster ଙ୍କର ବହୁ ଚେଷ୍ଟା ସତ୍ତ୍ୱେ ଯେ ଏଠାକୁ କୌଣସି ଶିକ୍ଷକ ଏଠାରେ ପଦାର୍ପଣ କରୁନାହାନ୍ତି, ତାହା ଅନ୍ତରରେ ବହୁବ୍ୟଥା ଆଣେ । ଆପଣ ମଧ୍ୟ ତାଙ୍କ ପରି ବୋଧହୁଏ ସମବେଦନା ଜଣାଇବେ ଯେପରି ସେ ଛାତ୍ରମାନଙ୍କ ଆଗରେ ଜଣାଉଛନ୍ତି । ଦୁଇଜଣ ଶିକ୍ଷକଙ୍କ ଭିତରୁ ବାସୁବାବୁ ଏକ ସପ୍ତାହକ ଭିତରେ ଚାଲିଯିବେ ବୋଲି ସମସ୍ତଙ୍କ ଆଗରେ କହି ସାରିଲେଣି ଏବଂ ଦରଖାସ୍ତ ମଧ୍ୟ ହେଡ଼୍‌ମାଷ୍ଟରଙ୍କୁ ଦେଇ ସାରିଲେଣି । ବର୍ତ୍ତମାନ ଏକମାତ୍ର ହିତକାରୀ ହର୍ତ୍ତା, କର୍ତ୍ତା ଓ ଆମର ଭାଗ୍ୟବିଧାତା ସେହି ଦେବୀପ୍ରସାଦ-ପ୍ରାପ୍ତ ହେଡ଼୍‌ମାଷ୍ଟର ହିଁ ସ୍କୁଲ୍‌ରେ ବିଦ୍ୟମାନ । ଆଜିକୁ ଦୀର୍ଘ ଦୁଇମାସ ହେଲା ଆମେମାନେ ଶିକ୍ଷକ ଆସୁଥିବାର ସାନ୍ତ୍ୱନାବାଣୀ ଶୁଣି ଶୁଣି କାନ କଥା ହୃଦୟକୁ ବଧିର ଓ ପଥର କରି ସାରିଲୁଣି । କିନ୍ତୁ ବର୍ତ୍ତମାନ ସେ ସାନ୍ତ୍ୱନା, ସାନ୍ତ୍ୱନା ହୋଇ ମଧ୍ୟ ନାହିଁ, ତାହା ଆଦେଶ ତିରସ୍କାରରେ ପରିଣତ ହୋଇ ଯାଇଛି । ନୂଆ ଛାତ୍ରମାନେ ପ୍ରାୟ ୧୨ ଜଣ ଆସିଥିଲେ ସେମାନେ ମଧ୍ୟ ସେହି ସାନ୍ତ୍ୱନାବାଣୀର ଗୂଢ଼ ରହସ୍ୟ ଆବିଷ୍କାର କରି ପଳାୟନ ପନ୍ଥା ହିଁ ଶ୍ରେୟସ୍କର ମନେ କରିଲେଣି । ଗୋଟାଏ କଥା ଲେଖିଲେ ଯେ ଆପଣ ନିଶ୍ଚୟ ଦୁଖିତ ହେବେ ଏହା ଆମେ ଜାଣିଶୁଣି ମଧ୍ୟ ଲେଖିବାକୁ ବାଧ୍ୟ ହେଉଛୁ । କାରଣ ଅନ୍ତରର ଭାବନାକୁ ଚାପି ରଖିବାର ଶକ୍ତି ଆମଠାରୁ ପୂର୍ଣ୍ଣ ଭାବରେ ଚାଲି ଯାଇଛି । ଜଣେ ନୂଆ ଭାଇ ଆଜି ଚାଲିଗଲେ; ସତ୍ୟବାଦୀ ଦାସ ତାଙ୍କଠାରୁ ଖାଇବାଖର୍ଚ୍ଚ ବାବତ ୫ ଟଙ୍କା ଆଦାୟ କରି ରଖିଲେ । ଏହା ବ୍ୟତୀତ ତାଙ୍କୁ କହିଲେ, ‘‘ତୁମେ କଣ ଏଠାକୁ ଅନ୍ନ ଧ୍ୱଂସ କରି ଆସିଥିଲ ?’’ ଏହିସବୁ ଶବ୍ଦର ପ୍ରୟୋଗ ଏକ ସରଳମତି ନୂତନ ଛାତ୍ର ପ୍ରତି, ପୁଣି ଯେ କି ଅନୁଷ୍ଠାନ ବିଷୟରେ କିଛି ଜାଣେନାହିଁ ତା’ପ୍ରତି ପ୍ରୟୋଗ କରିବା କେତେବଡ଼ ନୀଚତ୍ୱର ପରିଚୟ ଆପଣ ବିଚାର କରିବେ । ଶୁଣିଲା ସମୟଠାରୁ ଆମେ ଆଉ ସମ୍ଭାଳି ହୋଇ ରହି ପାରୁନାହୁଁ । ଅନ୍ତରରେ ଆମର ସର୍ବଦା କ୍ରୋଧର ବହ୍ନି ଜଳି ଉଠୁଛି । ଭାବୁଛୁ, ଯେଉଁ ମହାପୁରୁଷ ଯେଉଁ ମୁଖରେ ଏହି ଶବ୍ଦ ଉଚ୍ଚାରଣ କରିଛନ୍ତି, ତାଙ୍କୁ ସେହିପରି ନିର୍ମମ ଭାବରେ ଗୁଳି କରି ମାରି ପକାଇବୁ । କିନ୍ତୁ ତାହା ଆମର ଶକ୍ତିର ଅତୀତ; ତେଣୁ ତାଙ୍କରି ସମ୍ମୁଖରେ ତାଙ୍କୁ ହିଁ ସବୁକଥା କହି ଆତ୍ମହତ୍ୟା କରିବା ଶ୍ରେୟସ୍କର । ଆଜି ଆମର ମୁଣ୍ଡରେ କୌଣସି କଥା ଯୁଟୁ ନାହିଁ । କେବଳ ପ୍ରତିଶୋଧ ବହ୍ନି ହିଁ ଅନ୍ତରରେ ଜଳି ଉଠୁଛି ।

 

ଆପଣ ଚିଠିଟି ପଢ଼ି ନିଶ୍ଚୟ ଘୃଣା କରିବେ, ଏକଥା ଆମେ ଜାଣୁଛୁ । ତଥାପି ଭାଇ କହିପାରିବେ, ‘କିଏ ଆମକୁ ବିଶେଷ କରି ମୋତେ ଭୀଷ୍ମକୁ ଏତେ ନିମ୍ନସ୍ତରକୁ ଟାଣି ଆଣିଛି ? ଦୁଃଖ ଲାଗେ, ଆପଣଙ୍କଠାରୁ ପାଇଥିବା ଅନେକ ସୁଶିକ୍ଷାକୁ ଆମେ ଅବମାନନା କରି ଆମର ଚିନ୍ତାଧାରାକୁ ପ୍ରବାହିତ କରାଇବୁ । କିନ୍ତୁ ଏହା ଆମର ଦୋଷ ନୁହେଁ ବୋଲି ମୁଁ ଦୃଢ଼ କଣ୍ଠରେ କହିବି । ବର୍ତ୍ତମାନ ଏଠାରେ ଛାତ୍ର ବା ମଣିଷ ଅବସ୍ଥାରେ ଆମେ ନାହୁଁ । ପଶୁ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଏଠାରେ ସମୟ ବିତାଇବାର ସମସ୍ତ ଆଶାର ଜଳାଞ୍ଜଳି ଦେଇ ସାରିଲୁଣି ସେତିକିବେଳୁ, ଯେତେବେଳେ ଏସବୁ ଘଟଣା ଘଟିଲା । କାହାରି କଥା ଉପରେ କଥା କହିବାର ଶକ୍ତି ଆମର ନାହିଁ । ସେଥିପାଇଁ ନିଜକୁ ପଶୁ କହିବା ଅନୁଚିତ ବୋଲି ଅନ୍ତତଃ ଆମେ ବିଚାର କରି ପାରୁନାହିଁ । ଯଦି ଆମକୁ ଏ ଭାବନାରୁ ବିରତ କରିବାପାଇଁ ସାନ୍ତ୍ୱନା ଦେବାକୁ ଇଚ୍ଛା କରନ୍ତି, ତା’ହେଲେ କୁହନ୍ତୁ କାହିଁକି ଆମକୁ ୩ ବର୍ଷ ଭିତରେ ଏପରି ଏକ ଶିକ୍ଷାଜଗତକୁ ଟାଣିନେଲେ, ଯାହାଦ୍ୱାରା ଆମେ ଆଜି ସଂସାରରେ ନିଜକୁ ଏପରି ହେୟ ଜ୍ଞାନ କରୁଛୁ ?

 

ମନେ କରୁନ୍ତୁ ଏଟା ମଧ୍ୟ ଆମର ଶେଷ ନିଷ୍ପତ୍ତି ଯେ ଏହିପରି ଅବସ୍ଥାରେ ଏ ଜୀବନରେ ଆଉ ଘରକୁ ଫେରିବୁନାହିଁ । ଘରୁ ଏକ ଚିଠି ପାଇ ମୁଁ ଆଜି ସର୍ବଦା ଅସ୍ଥିର ହୋଇ ପଡ଼ୁଛି । ତତ୍‍ସମ ଭୀଷ୍ମ । ସେ ଯାହା ହେଉ, ଏହି ବର୍ଷକ ଭିତରେ ଆମେ ଜୀବନର ମୀସାଂସା କରିବାକୁ ଚାହୁଛୁ । ହୁଏତ ଘରକୁ ଫେରିବୁ ନଚେତ୍ ଏ ଜୀବନରେ ନୁହେଁ । କୁହନ୍ତୁ ଚିତ୍ତଭାଇ, ଆପଣଙ୍କ ପାଦତଳେ ଆଶ୍ରୟ ଭିକ୍ଷା କଲେ କ’ଣ ଆମକୁ ଫିଙ୍ଗିଦେବେ ? ଯଦିବା ଫିଙ୍ଗିଦେବେ, ସେଥିପାଇଁ ଆମର ଭ୍ରୂକ୍ଷେପ ନାହିଁ । କିନ୍ତୁ ଏତିକି ଜାଣି ରଖନ୍ତୁ ଆମର ବିଶେଷ କରି ମୋ’ର ଓ ଭୀଷ୍ମର ଏ ସଂସାରରେ ଆଉ ସ୍ଥାନ ନାହିଁ ବୋଲି ଜାଣିବୁ । ଏଠାରେ ଯାହାସବୁ ଶୁଣୁଛୁ ଆଉ ଘରର ଚିଠିରୁ, ଏହାହିଁ ଆମର ଶେଷ ସିଦ୍ଧାନ୍ତ ।

 

ଆମେ ଯେ ଯାଇ ଅନ୍ୟ କେଉଁଠି ପଢ଼ି ପାରିବୁ, ଏହା ଆଶାତୀତ । ତେବେ ଶେଷରେ ଅର୍ଥାତ୍ ଏପର୍ଯ୍ୟନ୍ତ ଆମେ ବିଶେଷ କରି ଆମେ ଦୁଇଜଣ ଏଠାରେ ପଢ଼ି ପରୀକ୍ଷା ଦେବାର କୌଣସି ସତ୍ତା ପାଇନୁ, ବରଂ ଅସୁବିଧା, ଅସୁବିଧା ପରେ ଅସୁବିଧା । ଏଠାରେ ବର୍ଷେ ରହିଲେ ଯେ (ଆଗାମୀ) ବର୍ଷ କ’ଣ ହୋଇ ଆମେ ବାହାରିବୁ ଏହାକୁ ଭାବିଲେ ମନରେ ବଡ଼ କ୍ଷୋଭ ଆସେ ।

 

ନିୟମ ପରେ ନିୟମ । ଅବଶ୍ୟ ଆମର ଧୈର୍ଯ୍ୟ ନାହିଁ ବୋଲି କହି ଦେଇ ପାରନ୍ତି । ତଥାପି ମନରେ ଦୁଃଖ ନାହିଁ । ମାତ୍ର ଦୁଃଖ ଏଇଥିପାଇଁ ଯେ ବର୍ଷକ ପରେ, ଯାହା ପଢ଼ିଛୁ ତାହା ମଧ୍ୟ ଯିବ । ଭଗବାନ ଯାଉଁଥିପାଇଁ ଆମକୁ ସଂସାରକୁ ପଠାଇଛନ୍ତି, ତାହା କରିବାରୁ ବଞ୍ଚିତ ରହିବୁ-। ଆମ ପ୍ରତି ଆମେ ଯଥେଷ୍ଟ ଅନ୍ୟାୟ କରିବୁ । ତେଣୁ ଆମେ ଭାବୁଛୁ, ଆପଣା ଇଚ୍ଛାନୁଯାୟୀ ସଂସାରରେ କିଛି ଗୋଟାଏ ରଚନାତ୍ମକ କାର୍ଯ୍ୟ କରାଯିବା ଦରକାର । ଏବଂ ଏଥିପାଇଁ ଆମେ କୌଣସି ରକମର ସିଦ୍ଧାନ୍ତ କରି ପାରିନାହୁଁ । ଦେଖନ୍ତୁ, ପ୍ରଥମତଃ ହାଇସ୍କୁଲରେ ପଢ଼ି ପାରିବୁନାହିଁ । ଦ୍ୱିତୀୟତଃ ଏଠି ମ୍ୟାଟ୍ରିକ୍‌ ପରୀକ୍ଷା ଦେଇ ପାରିବୁନାହିଁ । ତୃତୀୟତଃ କୌଣସି କାର୍ଯ୍ୟ କରିବାରେ ଖୋସାମତ ହିଁ କାର୍ଯ୍ୟର ଲକ୍ଷ୍ୟ ହେବ । ତେବେ ଏହିସବୁ ଭାବି ଆମେ ଆପଣଙ୍କର ପାଖରେ ରହିବାକୁ ଚାହୁ । ମନେ ପଡ଼ୁଛି, ଆପଣ ଥରେ ‘ଶିକ୍ଷା’ କ୍ଲାସ୍‌ରେ କହିଥିଲେ, ‘‘ଗଛ ଛାଇ ଦେବା ପୂର୍ବରୁ ନିଜକୁ ବଞ୍ଚାଇ ରଖିବା ଆବଶ୍ୟକ ।’’ ମାତ୍ର ଏଠାରେ ରହି ଆମେ ଆମର field ପ୍ରସ୍ତୁତ କରି ପାରିବୁନାହଁ । ଆଉ, ଆପଣ କଳ୍ପନା କରନ୍ତୁ, କିପରି ଏଠି ପୂରଣ ହେବ,–ଯଦି ଲାଇବ୍ରେରୀରୁ ଖଣ୍ଡେରୁ ଦୁଇଖଣ୍ଡ ହେଲେ ବହି ପାଇ ପାରିବୁନାହିଁ ! ଆମେ କ’ଣ ଏତେ ସମ୍ବଳବାନ୍‌ ଯେ ସବୁ ମ୍ୟାଟ୍ରିକ୍‌ ବହି କିଣି ପାରିବୁ ? ତେବେ, ଏହିସବୁ ଅସୁବିଧା ନେଇ ଆମେ ବର୍ତ୍ତମାନ ଆପଣଙ୍କ ପାଖରେ ରହି ଆପଣଙ୍କଠାରୁ ଆପଣାର ଜୀବନ ଉନ୍ନତି ପାଇଁ ଦୁଇଟି ବିଷୟ ଚାହୁ : ପ୍ରଥମତଃ ଉଚ୍ଚ ଶିକ୍ଷା, ଦ୍ୱିତୀୟତଃ କୌଣସିଠାରେ କୌଣସି ରଚନାତ୍ମକ କାର୍ଯ୍ୟରେ ଲାଗାଇଦେଲେ ଚିରୋପକୃତ ହୁଅନ୍ତୁ । ତେବେ, ଶେଷରେ ଏତିକିମାତ୍ର ଆମେ କହୁଛୁ, ଯଦି ଆପଣ ଆମକୁ ପାଖରୁ ଠେଲିଦେବେ, ତେବେ ବରଂ ଆତ୍ମହତ୍ୟା କରିବା ଶ୍ରେୟସ୍କର, ମାତ୍ର ଏଠି ରହି ପାରିବୁନାହିଁ । ପତ୍ର ପାଇ ପତ୍ର ଦେବେ । ଯାହା ଯାହା ହେଉନା କାହିଁକି, ଆପଣଙ୍କର ପତ୍ର ପାଇବାପରେ ନିଶ୍ଚୟ ପତ୍ର ଦେବେ । ଯାହା ହେଉନା କାହିଁକି, ଆପଣଙ୍କର ପତ୍ର ପାଇବାପରେ ନିଶ୍ଚୟ ମୁଁ ଓ ଧ୍ରୁବ ଆପଣଙ୍କ ପାଖରେ ପହଞ୍ଚିବୁ । ଏବଂ ଆମର ଆଶା ସେଠି ଆମେ ଆମର କର୍ତ୍ତବ୍ୟ କରି ପାରିବୁ । ଏଠି ପାଠ ପଢ଼ିବା ଦୂରେ ଥାଉ, ମନର ମଧ୍ୟ ଅଶାନ୍ତି । ପତ୍ର ପାଇ ପତ୍ର ଦେବେ । ବୋଧହୁଏ ଚିଠି ପଢ଼ି ଆମର ଅଧୈର୍ଯ୍ୟ ଉପରେ ରାଗିବେ । ତାହା ଭଲ ମଧ୍ୟ ହେବ । ମାତ୍ର ଆମ ଉପରେ ରାଗିବେ ନାହିଁ । ଆମେ ଏହା ଉପୁଜାଇ ନାହୁଁ । ଅନୁଷ୍ଠାନ ହିଁ ଆମ ମୁଣ୍ଡରେ ପୋକ ଛାଡ଼ିଛି । ଏଥିପାଇଁ ଅନୁଷ୍ଠାନ ହିଁ ପୂର୍ଣ୍ଣ ମାତ୍ରାରେ ଦାୟୀ । ପତ୍ର ଦେବେ । ଆପଣ ଆମର ମନ ଉପରେ ବାଧା ଦେବେନାହିଁ । ଯଦିବା ବାଧା ଦିଅନ୍ତି, ବିଶେଷ କିଛି ଫଳ ହେବନାହିଁ । ବର୍ତ୍ତମାନ ଦୁନିଆର କୌଣସି ବନ୍ଧନ ବା ସାନ୍ତ୍ୱନା ଆମକୁ ଏଠାରେ ଅଟକାଇ ପାରିବନାହିଁ । ଆପଣଙ୍କ ପତ୍ରକୁ ଅପେକ୍ଷା କରିଛୁ । ପତ୍ରରେ ଆପଣ ଯାହା ଲେଖିଥାନ୍ତୁ ନା କାହିଁକି, ଆମେ ନିଶ୍ଚୟ ଆପଣଙ୍କ ଘରଠାରୁ ଯିବୁ । କଟକଠାରୁ କେଉଁବାଟେ ଯିବାକୁ ହେବ, ଚିଠିରେ ନିଶ୍ଚୟ ଲେଖିଥିବେ-। ଆପଣଙ୍କର ସ୍ନେହର ଛାତ୍ର ତଥା ସାନଭାଇ ଦୁଇଟିଙ୍କ ପାଇଁ ଏତିକି ବୋଧହୁଏ ନିଶ୍ଚୟ କରିବେ-

 

ପ୍ରଣାମ ।ଇତି ।

ସ୍ନେହର

ଧ୍ରୁବ ତଥା ଭୀଷ୍ମ

 

[ଭୀଷ୍ମର ଘର ବରଗଡ଼ ଜିଲ୍ଲା ଜଡ଼ା ଗାଆଁରେ । ଧ୍ରୁବ ବରୀ ରାମଚନ୍ଦ୍ରପୁର ଅଞ୍ଚଳର । ଭୀଷ୍ମ ସରକାରୀ ବ୍ୟାଙ୍କ୍‌ର କର୍ମକର୍ତ୍ତା ରହି ଅବସର ଗ୍ରହଣ କଲେଣି । ଧ୍ରୁବ ସରକାରୀ ଶିକ୍ଷା ବିଭାଗରେ ସହକାରୀ ପରିଦର୍ଶକ ଥିଲେ । ଅକାଳରେ ସଂସାରରୁ ବିଦାୟ ନେଇଛନ୍ତି ।]

 

ମେଟ୍ଟୁ ଖିଲିଂଗ୍ରାଇ, ସେପ୍ଟେମ୍ବର, ୧୯୫୮

 

ଚିତ୍ତଭାଇ,

 

ମୋ’ର ନମସ୍କାର ନେବେ । ଘରେ ଆପଣଙ୍କର ଚିଠି ….ପାଇଲି । ତେଣୁ ଭାରି ଖୁସୀ ହେଲି । ବାଟରେ ବିନା ଟିକେଟରେ ଆସିଲାବେଳେ ଟିଟିଆଇ ହାତରେ ଧରା ପଡ଼ିଥିଲେ ସୁଦ୍ଧା ପାଖରେ କିଛି ଜିନିଷପତ୍ର ନଥିବାରୁ ଭୋକଉପାସରେ ପଳେଇ ଆସିଲି । ଘରେ ବର୍ତ୍ତମାନ ଲୁଗା ବୁଣୁଛି ଏବଂ ଆପଣାର ଲେଖାପଢ଼ା ସହିତ ଇଂଲିଶ୍‌ ପଛରେ ଲାଗିଛି । ଗତ ଚିଠିରେ ମୋ’ ପଢ଼ିବା ବିଷୟରେ କିଛି ଲେଖିଥିଲି । ତା’ପରେ ଏ ଚିଠିରେ ଲେଖୁଛି ଯେ, ଆପଣ ମୋ’ ପାଇଁ …..ରେ ଚେଷ୍ଟା କରିବେ ନାହିଁ । ଆପଣଙ୍କ ପାଖରେ ହିଁ ରହି ଆଗ ମାଟ୍ରିକ୍‌ ପରୀକ୍ଷା ଦେବି, ତା’ପରେ ଅନିର୍ଦ୍ଦିଷ୍ଟ ପର୍ଯ୍ୟନ୍ତ ପଢ଼ିବି । ଏତିକି ହିଁ ମୋ’ର ଶେଷ ନିଷ୍ପତ୍ତି ।

 

ଚାକିରି କରିବାପାଇଁ ମୁଁ ନୁମାଙ୍କ ପାଖକୁ କିଛି ଲେଖିବି ନାହିଁ କି ତାଙ୍କ ଅନୁଗ୍ରହ ମୋତେ ମିଳୁ ବୋଲି ତାଙ୍କୁ (ଅନୁରୋଧ) କରିବିନାହିଁ । ତାଙ୍କ ଅନୁଗ୍ରହ ମୋତେ ମିଳିବା ଅପେକ୍ଷା ଅନ୍ୟ କାହାକୁ ମିଳିଲେ ଅନେକ ମଙ୍ଗଳ ହେବ । ଯେ ଯାହାକୁ ମଣିଷ ପରି ନଦେଖେ, ସେ ବା ତାଙ୍କ ପାଖରୁ କି ପ୍ରକାର ଅନୁଗ୍ରହ ପାଇବ ? ……ଯେଉଁଦିନ ମୁଁ କିଛି ଅନୁଗ୍ରହ ପାଇବି, ସେଦିନ ମୋତେ ସଂସାର ଦେଇଛି ବୋଲି ବୁଝିବି । ସେଥିପାଇଁ ବର୍ତ୍ତମାନ ମୋତେ ସଂସାର ପାଖରେ ହିଁ ମୁଣ୍ଡ ରଖି କାମ କରିବାକୁ ପଡ଼ିବ । ପଢ଼ିବା ବିଷୟରେ ମୋ’ର ଏତିକିମାତ୍ର ମତ ଯେ, କାହାରି ଅନୁଗ୍ରହକୁ ଚାହିଁବି ନାହିଁ । ଯେଉଁଦିନ ସଂସାର ଆଗରେ ମୁଁ ଠିଆ ହୋଇ ପାରିବି, ସେଦିନ ମୋ’ର ପଢ଼ାର ସାଧନା ପୂରିଲା ବୋଲି ବୁଝିବି । ତେଣୁ ପଢ଼ିବାକୁ ହିଁ ମୋତେ ମୂଳ ଖମ୍ବ କରି ଧରିବାକୁ ହେବ ।

 

ଏସବୁ ଅଞ୍ଚଳରେ ବର୍ତ୍ତମାନ ଯାଏ ଧାନ ରୋଆ ହୋଇନାହିଁ । ମଝିରେ ମଝିରେ ବର୍ଷା ହେଉଛି । କିନ୍ତୁ ଚାଷ ଉପଯୋଗୀ ହେଉନାହିଁ । ଇତି ।

 

ମଦନ

 

ଚିତ୍ତଭାଇ,

ମୋ’ର ନମସ୍କାର ନେବେ । ବିନା ଟିକେଟରେ ଘରେ ଆସି ପହଞ୍ଚିଛି । କିନ୍ତୁ ମୋ’ ମନ ଏ ଘରେ ନାହିଁ । ଗୋଟାଏ ଲୋଭରେ ପଡ଼ି ନିଜକୁ ସବୁଆଡ଼ୁ ଛଡ଼େଇଦେଲି । ମାତ୍ର ଏ ବିପଦ ବରଣ କଲାପରେ ଅନେକ ଅନୁତାପ କରୁଛି । ବର୍ତ୍ତମାନ ନିଜେ ହିଁ ବୁଝି ପାରୁନାହିଁ କେଉଁ କାରଣରୁ ସବୁକୁ ହରେଇଲି । ବାରମ୍ବାର ନିଜକୁ ପଚାରୁଛି । କିନ୍ତୁ କୌଣସିମତେ ଉତ୍ତର ପାଇ ପାରୁନାହିଁ । ଶେଷରେ କେବଳ ଏତିକି ଶିକ୍ଷା ପାଇଲି ଯେ ଅନେକ ଥାନ୍ତି, ଯେଉଁମାନେ କି ମଣିଷକୁ ଲୋଭ ଦେଖାଇ କାଙ୍ଗାଳ କରି ଦିଅନ୍ତି । କିନ୍ତୁ ନିଜକୁ ବେଶୀ ଦାୟୀ କରାଉଛି । କାରଣ, ଭବିଷ୍ୟତ ଚିନ୍ତାକୁ ବେଶୀ ଭାବୁଥିଲି । ଭାବିଥିଲି, ଚାକିରିଟା ନିଶ୍ଚୟ ମିଳିଯିବ; ତେଣୁ ଚାକର କଥାକୁ ଅଧିକ ଭାବି ଶେଷରେ ପଢ଼ାକୁ ଓ ମୋର ଆତ୍ମୀୟ ଲୋକଙ୍କୁ ଛାଡ଼ିଦେଲେ ମଧ୍ୟ କିଛି କ୍ଷତି ହେବନାହିଁ । ତେଣୁ ପଢ଼ାକୁ ମଧ୍ୟ ଗୁରୁତ୍ୱ ଦେଲିନାହିଁ । ସେଥିପାଇଁ ଏ ତ୍ୟାଗପଣ ମୋର ଅଧିକ ପ୍ରବଳ ହୋଇଥିଲା । କିନ୍ତୁ ଯେତେବେଳେ କାର୍ଯ୍ୟରେ ଏହା ଜଟିଳ ବୋଲି ବୁଝି ପାରିଲି, ସେତେବେଳେ ନିଜକୁ ଧିକ୍‌ ମଣିଲି । ମୋର ଏପର୍ଯ୍ୟନ୍ତ ଏପରି କୌଣସି ଶକ୍ତି ଆସିନାହିଁ ଯେଉଁ ଶକ୍ତି ବଳରେ ଆପଣାର ଦାୟିତ୍ୱ ବହନ କରି ପାରିବି । ବର୍ତ୍ତମାନ ମୁଁ ଏସବୁ ପରୀକ୍ଷାରୁ ବୁଝି ପାରିଛି, ଶକ୍ତି ଅଛି, କିନ୍ତୁ ସେ ମୁଖ୍ୟ ଶକ୍ତିଟି ଏଯାଏ ହାସଲ କରି ପାରିନାହିଁ । ତେଣୁ ସମସ୍ତଙ୍କ ଠାରେ ହାର ମାନୁଛି । ଏ ପରୀକ୍ଷା କେବଳ ଦିନକର ନୁହେଁ, ସବୁଦିନର ।

ତେଣୁ ପଢ଼ିବାକୁ ପୁଣି ମନକୁ ପ୍ରସ୍ତୁତ କରିଛି । ଭାବୁଥିଲି, ଘରେ ଚାକିରି କରିବାକୁ ରାଜି ହେବେ । କିନ୍ତୁ ଓଲଟା କଥା । ….ଇତି ।

ମଦନ

 

ମେଟ୍‌ଟୁ ଖିଲିଂଗ୍ରାଇ,

 

ଚିତ୍ତ ଭାଇ,

 

ଗତ …. ତାରିଖରେ ଆପଣଙ୍କ ଚିଠିଟି ପାଇଲି । ଚାକିରି ମିଳିଗଲା, ତେଣୁ ଖୁସୀ ହେବା କଥା । କିନ୍ତୁ ହେଉନାହିଁ । ଦୁଃଖ ଲାଗୁଛି, ନିଜର ପଢ଼ାକୁ ଛାଡ଼ି ଘରେ ଏତେଦିନ ବେକାର ହୋଇ ବସୁଛି । ପୁଣି ଯେ ମନରେ ଆନନ୍ଦ ଆସିବା ପାଇଁ ଆହୁରି କେତେଦିନ ଲାଗିବ, ବିଚାର କରୁଛି । ସେତେବେଳେ ଚାକିରିଟିଏ ପାଇବା ପାଇଁ କେତେ ବ୍ୟସ୍ତ ହେଉଥିଲି, ବର୍ତ୍ତମାନ ପାଠପଢ଼ାଟିଏ ପାଇବାକୁ କେତେ ବ୍ୟଗ୍ର ହେଉଛି ।

 

ଏ ବୟସରେ ମୋର ଅଟକି ଯିବାଟା କେବେ ଠିକ୍‌ ହୋଇନାହିଁ । ଗତ ଚିଠିରେ ତ ମୋ’ର ସ୍ଥିର ମନର ବିଚାର ଦେଇ ଦେଇଥିଲି । ପୁଣି ସ୍ଥିର କରି ମୋର ନିଷ୍ପତ୍ତି ଦେଉଛି ଯେ ‘ପଢ଼ିବି’ । ଚାକିରି ଜୀବନରେ ଯେତେବେଳେ ହେଲେ ମଧ୍ୟ ମିଳି ପାରିବ । କିନ୍ତୁ ଏହା ପୂର୍ବରୁ ନିଜକୁ ପ୍ରସ୍ତୁତ କରିବାପାଇଁ ମୋତେ ପଢ଼ିବାକୁ ହେବ । ନିଜେ ପଢ଼ିପାରିଲେ ଅନୁଷ୍ଠାନରେ ମଧ୍ୟ ମୋ’ର କର୍ତ୍ତବ୍ୟକୁ ସଫଳ କରି ପାରିବି । ବର୍ତ୍ତମାନ ଆଉ କୌଣସି ଚିନ୍ତା ନାହିଁ,–କେବଳ ପଢ଼ିବି । ଏହାପରେ ଯେତେ ମୋହେଇବାର ପ୍ରଲୋଭନ ଆସୁ ପଛେ, ଏଡ଼ାଇ ଦେବାକୁ ହେବ । ଏହାହିଁ ଠିକ୍‌ କରିଛି । ଘରେ ଭାଇ ଚାକିରି କରିବାକୁ କହୁଛନ୍ତି, କିନ୍ତୁ ତାଙ୍କୁ ମନା କରୁଛି । ଏତେ ଦିନ ଘରେ ବସି ରହିଲି, ତେଣୁ ତାଙ୍କୁ ଏ ଲୋଭ ହୋଇଛି । କିନ୍ତୁ ଯାହାହେଉ ପଛେ ଆଉ ସେବାଟରେ ଯିବାକୁ ବର୍ତ୍ତମାନ ପକ୍ଷେ ମୋର ଇଚ୍ଛା ନାହିଁ ।

 

ଯଦି ଆପଣଙ୍କ ଚେଷ୍ଟା ସତ୍ତ୍ୱେ କିଛି ନହୁଏ, ତେବେ ଆପଣଙ୍କ ପାଖରେ ରହିଲେ ବି ମୋର କିଛି କ୍ଷତି ହେବନାହିଁ । …. ଆପଣଙ୍କ ପାଖରେ ରହିବା ସୁବିଧା କରିବେ । କୌଣସିଠାରେ ସ୍ଥାୟୀ ହୋଇ ନରହିଲେ ମଧ୍ୟ କୋର୍ସ୍‌ ବହି ଓ ଡିକ୍‌ସିନାରୀଟିଏ ହେଲେ ପଢ଼ି ପାରିବି । ଆପଣଙ୍କ ଥିବା ସମୟ ଭିତରେ ଯେତିକି ଯାହା ପଢ଼ିବି, ତା’ଛଡ଼ା ଅନୁପସ୍ଥିତ ରହିଲେ ନିଜ ଚେଷ୍ଟାରେ । କିନ୍ତୁ ଯେଉଁଠି ଚେଷ୍ଟା କରିବେ ସେଠି ରହିବି । (ଇତି)

 

ମଦନ

 

କୁଜେନ୍ଦ୍ରୀ, ୨୮ ।୫ ।୫୮

 

ଚିତ୍ତଭାଇ,

 

ଦୂର ଦେଶରୁ ମୋ’ର ନମସ୍କାର ଜାଣିବେ । ଆମେ ୨୩ ।୫ ।୫୮ ତାରିଖ ଦିନ ଚମ୍ପତିମୁଣ୍ଡା ଛାଡ଼ି ଘରକୁ ଆସିଲୁ କିନ୍ତୁ ବାଟରେ ଟଙ୍କା ନିଅଣ୍ଟ ହେବାକୁ ଅଖିଆ ଘରକୁ ଆସିଲୁ । ଯାହା ହେଉ, ମୋତେ ଯେଉଁ ଭାବରେ କଥା କହିଲେ, ଏବଂ ମୁଁ ଯେଉଁ ଭାବରେ ରାଗି କରି ଉତ୍ତର ଦେଇଛି, ବୋଧହୁଏ ତାଙ୍କର ସ୍କୁଲ ଭିତରେ ମୋତେ ଗ୍ରହଣ କରିବେ ନାହିଁ । ତାଙ୍କୁ ଟଙ୍କା ନମାଗି ଧାର କରି ଘରକୁ ଆସିଲି । ନୁମା ମୋତେ ଆପଣଙ୍କ ବିଷୟରେ ଯେଉଁଦିନ ହୀନ ଦୃଷ୍ଟିରେ କହିଲେ ସେତିକି ନୁମାଙ୍କ ପ୍ରତି ମୋ’ର ଭିତରେ ଘୃଣାଭାବ ଚାଲି ଆସିଲା ଏବଂ ତାର ପ୍ରତିଶୋଧ ପାଇଁ ତାଙ୍କ ସମ୍ମୁଖରେ ମୁଁ ଯେଉଁପରି ଭାଷା ପ୍ରୟୋଗ କଲି, ମୋତେ ସାଙ୍ଗେ ସାଙ୍ଗେ ଛାତ୍ରାବାସରୁ ବାହାର କରିଦେବେ ବୋଲି ବସିଥିଲେ । ସେ ବାହାର କରିଦେବା ଆଗରୁ ମୁଁ ଚାଲି ଆସିଥିଲି । ଯିଏ ବର୍ଷ ସାରା, ଦିନେ ହେଲେ ଚମ୍ପତିମଣ୍ଡାକୁ ଯିବେନାହିଁ, ସେ ପୁଣି ପିଲାଙ୍କୁ କହିବେ ଟିକିଏହେଲେ କାମ ଦାମ କରୁନାହାନ୍ତି, ହାଇସ୍କୁଲଠାରୁ ବଢ଼ି ଗଲାଣି,. ସେଠାରେ ଆଦର୍ଶ ଓ ….. ଶିକ୍ଷାକାମ ହେଉନାହିଁ । ଏକଥାଗୁଡ଼ିକ ଶୁଣି ମୋ’ର ଭିତର ହାଡ଼ ଜଳି ଉଠିଲା । ଏମାନେ କେବଳ ଆଦର୍ଶକୁ ଜପି ଜପି, ତାଙ୍କ ଜୀବନକୁ ଆଦର୍ଶର କୃତ୍ରିମ ଆବରଣର ଢାଙ୍କୁଣିଦ୍ୱାରା ଘୋଡ଼ାଇ ରଖି ଅନ୍ୟମାନଙ୍କୁ ମଧ୍ୟ ସେହି ଆଦର୍ଶପଥକୁ ନେଇଯିବାକୁ ଯାଉଛନ୍ତି । ଯେଉଁ ଆଦର୍ଶ କି ମଣିଷତ୍ୱ ଟିକକ ମଧ୍ୟ ନଷ୍ଟ କରି ଦେଉଅଛି । ସର୍ବୋଦୟ….ଖାଲି ପାଟିରେ, କିନ୍ତୁ ହୃଦୟ ଭିତରେ ପ୍ରକାଣ୍ଡ ଗୋଟିଏ ଗୋଟିଏ ଛୁରି ରଖିଛନ୍ତି, ଯେଉଁ ଛୁରି କି ସମଗ୍ର ସର୍ବୋଦୟ ଆଦର୍ଶକୁ କାଟୁଛି ।

 

ଯାହା ହେଉ ଘରେ ସମସ୍ତେ ଭଲରେ ଅଛନ୍ତି । ମୋ’ର ଦେହ ଟିକିଏ ଅସୁସ୍ଥ ଅଛି । ତା’ ସତ୍ତ୍ୱେ ଘରର ସମସ୍ତ କାର୍ଯ୍ୟ କରୁଛି । ମୋର ପଢ଼ିବା ଲାଗି କେଉଁଠି ହେଉଛି ଜାଣି ପାରୁନାହିଁ । ରାତିରେ ନିଜର ପଢ଼ାପଢ଼ି କରୁଛି । ମୋତେ ଯଦି ଚମ୍ପତିମୁଣ୍ଡା ଛାତ୍ରରୂପେ ଗ୍ରହଣ ନକରେ ତେବେ ମୁଁ ତ ଚାଲୁଛି ଆପଣଙ୍କ ପାଖରେ ପଢ଼ିବି । ମୋତେ କ’ଣ ଆପଣ ସେତିକି ସୁବିଧା ଦେଇ ପାରିବେନାହିଁ ? ପଢ଼ିବାର ସୁବିଧା ନହେଲେ ଘରେ ରହିବନାହିଁ, ଏକଥା ସତ୍ୟ ।

 

ଇତି ।

ଆପଣଙ୍କର

କେଶବ ଭାଇ

 

ଚମ୍ପତିମୁଣ୍ଡା, ୨୮ । ୮ । ୫୮

 

ପୂଜ୍ୟ ଚିତ୍ତଭାଇ,

 

ମୋ’ର ନମସ୍କାର ଜାଣିବେ । ବହୁତ ଦିନ ହୋଇ ଗଲାଣି–ଚିଠି ଖଣ୍ଡିଏ ଲେଖି ପାରିଲି ନାହିଁ, କାରଣ ମୋ’ ନିକଟରେ ପୋଷ୍ଟକାର୍ଡ ପାଇଁ ପଇସା ନଥିଲା । ଯାହା ହେଉ, ମୁଁ ଚମ୍ପତିମୁଣ୍ଡା ବିଷୟରେ ଭଲମନ୍ଦ ଲେଖିବାକୁ ଯାଉଛି । ଚମ୍ପତିମୁଣ୍ଡାରେ ଯେଉଁ ନୁମା, ବାପିଙ୍କର ଟିକିଏ ହେଲେ ପାଦ ପଡ଼ି ନଥିଲା ଏବଂ ନାମ ଗନ୍ଧ ବାଜି ନଥିଲା, ଏହି କେତେଦିନ ହେଲା ଦିନ ରାତି ଏଠାକୁ ଆସୁଛନ୍ତି । ମଝିରେ ମଝିରେ କ୍ଲାସ୍‌ ନେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଜଣେ କଳା-ଶିକ୍ଷକ ସଂସ୍କୃତ-ଶିକ୍ଷକ ଆସିଛନ୍ତି । ବର୍ତ୍ତମାନ ହେଡ଼୍‌ମାଷ୍ଟ୍ରଙ୍କ ପାବାର୍‌ ପିଲାଙ୍କ ଉପରେ ଅତି ପ୍ରଖର ଭାବରେ ପଡ଼ିଛି-। କିନ୍ତୁ ଆମେମାନେ ତାଙ୍କର ଏକଛତ୍ର ଶାସନକୁ ମଧ୍ୟ ଖାତିରି ନକରି ତା’ର ପ୍ରତିରୋଧ କରୁଛୁ-। ନୂଆ ନୂଆ ଶିକ୍ଷକଙ୍କର ନୂଆ ନିୟମ ଆମ ଜୀବନରେ ଭୀଷଣ ବ୍ୟାଘାତ ଦେଉଛି ଏବଂ ଜୀବନରେ ଯେଉଁ ଜିନିଷ ଚାହୁଛୁ, ତାକୁ ମଧ୍ୟ ବ୍ୟାଘାତ ଦିଆଯାଉଛି । ଶଗଡ଼ଚକ ଯେଉଁଠି ଯାଉଥାଏ, ତା’ର ପଛେପଛେ ଶଗଡ଼ର ଗୁଳା ପଡ଼ିପଡ଼ି ଗଲା ପରି ଆମର ବିକାଶପଥକୁ ନେଇ ଯାଉଛନ୍ତି । ତେଣୁ ମୋର ମନ ଭିତରେ ଭୀଷଣ ରାଗ ଉଠୁଛି ଏବଂ ଦୁଃଖ ଲାଗୁଛି । ଯାହା ହେଉ, ମନରେ ଦୁଃଖ ନକରି ଶଗଡ଼ଗୁଳାରେ ଚାଲି ସୁଦ୍ଧା ସଂସାର ଆଗରେ ମୋ’ ଭିତରେ କିଛି ଅଛି, ଏହାର ପରିଚୟ ମୋତେ ଦେବାକୁ ପଡ଼ିବ । ନୁମା ନାନାପ୍ରକାର କଥା କହିଲେ ସୁଦ୍ଧା ମୁଣ୍ଡ ପାତି ଦେଉଛି । ନିରୀହ ପ୍ରାଣୀ ପରି ମୋ’ର ଜୀବନକୁ ବିତାଉଛି । ମୋ ଭିତରେ କ୍ରମେ ସବୁ ଆଗ୍ରହ କମିକମି ଯାଉଛି-। ମନ ଭିତରଟା ଏକବାରେ ମରି ଯାଇଛି । କେବଳ ଶରୀର ଅଛି ଏବଂ ଉପରର ବେଶଭୂଷା ଅଛି-। ମୋର ମନ ଭିତରେ ଥରେଥରେ ଇଚ୍ଛା ହୁଏ କେଉଁ ଅରଣ୍ୟରେ ଯାଇ ମୋର ଜୀବନକୁ ସନ୍ଧାନ କରିବି । କିନ୍ତୁ ଜୀବନର ଅଗ୍ରଗତି ପାଇଁ ମୋତେ ଉପଦେଶ ଦେବ କିଏ ? ଯାହା ହେଉ ଚିତ୍ତଭାଇ, ମୋ’ର ମନଭିତରେ ଏହି କେତେଗୁଡ଼ିଏ କଥା ମୁଁ ଜଣାଇଦେଲି । ମୁଁ ଆପଣଙ୍କ ନିକଟରେ ମୋର ହୃଦୟକଥା ଖୋଲି ଦେଇଥାଏ । କୌଣସି କଥା ଲୁଚାଇ ରଖେନାହିଁ ।

 

ଅଗଷ୍ଟ ୨୬ ଦିନ କାଲି ଗଲା । ଆପଣଙ୍କୁ ନିମନ୍ତ୍ରଣ କରିବା ପାଇଁ ଆମ୍ଭେମାନେ ବହୁତ ଚେଷ୍ଟା କରିଲୁ ଏବଂ ମୁଁ ନୁମାଙ୍କଠାରୁ ଗାଳି ଶୁଣିଲି । ଯାହା ହେଉ, ଆପଣଙ୍କ ନିକଟକୁ କୌଣସି ଖବର ଗଲାନାହିଁ ବୋଲି ଯେ, ଦୁଃଖ କରିବେ ନାହିଁ । ଯାହାଙ୍କ ହାତରେ ମୂଳଦୁଆ ଖୁବ୍‌ ମଜବୁତ୍‌ ଏବଂ ମୁଣ୍ଡ ଟେକି ଉଠିଛି, ତାହା ଦିନେ ଯେ ଲିଭିଯିବ ଏବଂ ଘରଟି ଭାଙ୍ଗିଯିବ, ଏକଥା ମୁଁ ଭାବି ପାରୁନାହିଁ । ଘରଟି ଭାଙ୍ଗିଯାଉ କିନ୍ତୁ ତା’ ଭିତରେ ଥିବା କୀର୍ତ୍ତି ଏବଂ ମହତ୍ତ୍ୱ ଜିନିଷ, କେବେହେଲେ ଲିଭି ଯିବନାହିଁ । ଆଜି ଆପଣ ମୋ’ଠାରୁ ବହୁତ ଦୂରରେ, କିନ୍ତୁ ଗତ କାଲି ଅନୁଷ୍ଠାନର ଜନ୍ମତିଥିରେ ଆପଣଙ୍କ କଥାଗୁଡ଼ିକ ଶୁଣିବାକୁ ପାଇଲି । କିନ୍ତୁ ସେଥିରେ କୌଣସି ଜୀବନ ନଥିଲାପରି ଲାଗିଲା । ଅନୁଷ୍ଠାନର ଜନ୍ମତିଥିରେ ଶୋକ ବୋହିବାପରି ଲାଗିଲା । କୌଣସି ଆନନ୍ଦ ଲାଗିଲାନାହିଁ । ବୃକ୍ଷ ଲତାଗୁଡ଼ିକ ନିରାଶ ଏବଂ ନିର୍ଜୀବ ପରି ଜଣା ପଡ଼ୁଥିଲେ । ଆମର ଜନ୍ମତିଥିରେ ବର୍ଷା ହୁଏ, କିନ୍ତୁ ଏ ଜନ୍ମତିଥିରେ ବର୍ଷାର ମଧ୍ୟ ଦେଖାସାକ୍ଷାତ ନଥିଲା । ସମସ୍ତଙ୍କୁ ଯେପରି ନିରାଶ ହୃଦୟ ଏବଂ ଦୁଃଖର ପୂର୍ଣ୍ଣ ଛାୟା ଘେରି ଯାଉଛି, ନିର୍ଜୀବ ପରି ଜଣାପଡ଼ୁଛି ।

 

ଇତି,

ଆପଣଙ୍କର କେଶବଚନ୍ଦ୍ର

 

[ଶ୍ରୀ ମଦନମୋହନ ଗମାଙ୍ଗ ଏବଂ ଶ୍ରୀ କେଶବଚନ୍ଦ୍ର ଗମାଙ୍ଗ ମୁଁ ଚମ୍ପତିମୁଣ୍ଡା ଛାଡ଼ିବାବେଳକୁ ସେଠାରେ ଦୁଇ ବର୍ଷର ଅଧ୍ୟୟନ ପୂର୍ଣ୍ଣ କରି ସାରିଥିଲେ । ତା’ ପୂର୍ବ ଶ୍ରେଣୀଗୁଡ଼ିକର ପାଠ ମଧ୍ୟ ସେମାନଙ୍କର ବାଜିରାଉତ ଛାତ୍ରାବାସରେ ପଇଠ ହୋଇଥିଲା । ଦୁହେଁ ଶବର ଘରର ଛୁଆ; ମଦନର ଗାଆଁ ମେଟ୍ଟୁ ଖିଲିଂଗ୍ରାଇ ଗୁଡ଼ାରି ପାଖରେ ଏବଂ କେଶବ ଗୁଣୁପୁର ପାଖ କୁଜେନ୍ଦ୍ରୀ ଗାଆଁର । କୁଜେନ୍ଦ୍ରୀ ଗାଆଁ ସେତେବେଳେ ଆଜ୍ଞା ନାମରେ ପ୍ରଖ୍ୟାତ ଶ୍ରୀଯୁକ୍ତ ବିଶ୍ୱନାଥ ପଟ୍ଟନାୟକଙ୍କର କର୍ମକେନ୍ଦ୍ର ଥିଲା । ମଦନ ପାଠ ସାରି ଆକାଶବାଣୀ ଓ ଦୂରଦର୍ଶନରେ ନିଯୁକ୍ତ ହୋଇଥିଲା ଏବଂ କେଶବ ଗ୍ରାମୋଦ୍ୟୋଗ-କ୍ଷେତ୍ରରେ ବିଶେଷ ପ୍ରଶିକ୍ଷଣ ଲାଭ କରିଥିଲା । ଇତି ମଧ୍ୟରେ ଉଭୟଙ୍କର ଜୀବନାବସାନ ଘଟିଛି ।]

 

ଶ୍ରୀଯୁକ୍ତ ଜୟନାରାୟଣ ଦାସ

 

[ଶ୍ରୀମାନ୍‌ ଜୟନାରାୟଣ ଆମ ଗାଁ ବାଗଲପୁରର । ସେକାଳେ ଆମ ଘର ବାରିପଟେ ଛିଡ଼ା ହୋଇ ବଡ଼ପାଟିରେ ଡାକିଲେ ତାଙ୍କ ଘରକୁ ଶୁଣା ଯାଉଥିଲେ । ଏବେ ମଧ୍ୟ, ଯିଏ ଯେତେ ଦୂରରେ ଯେଉଁଠାରେ ଥିଲେ ମଧ୍ୟ ଠିକ୍‌ ସେହିପରି ପାଟି ଶୁଭିଯାଏ । ମୋ’ ପରେ ଜୟନାରାୟଣ ଚମ୍ପତିମୁଣ୍ଡାରେ ବହୁବର୍ଷ ଥିଲେ । ଅନୁଗୁଳ ବାଜିରାଉତ ଛାତ୍ରାବାସରେ ମଧ୍ୟ ବହୁତ ବର୍ଷ କଟାଇଛନ୍ତି ।]

 

କିଶୋରଗଞ୍ଜା, ୧୯ । ୯ । ୭୧

 

….ମୁଁ ଆପଣଙ୍କର ଦୁଇଖଣ୍ଡ ପତ୍ର ପାଇଛି । ଆପଣଙ୍କୁ ଖଣ୍ଡିଏ ପତ୍ରର ଉତ୍ତର ମଧ୍ୟ ଦେଇଛି । ଆଉ ଖଣ୍ଡିଏ ପତ୍ରର ଉତ୍ତର ଆଜି ଦେବାକୁ ଯାଉଛି ।

 

ଜୀବନରେ ଯାହା କିଛି ବାଟ ଆଗେଇଚି, ତା’ର ପ୍ରଥମ ପଥପ୍ରଦର୍ଶକ ଆପଣ । ଏକଥା ଜୀବନର କୌଣସି ମୁହୂର୍ତ୍ତରେ ମୁଁ ଭୁଲି ଯାଇନାହିଁ । ଯେଉଁ ଆଦର୍ଶ ନେଇ ମୁଁ ଆଗେଇଚି, ତାହା ସମସ୍ତଟା ଆପଣଙ୍କର । ଏକଥା କେବେ ମୁଁ ପ୍ରକାଶ କରିନାହିଁ । ଆପଣଙ୍କୁ ଚିଠି ଦେବାରେ ମୁଁ ବରାବର ଅବହେଳା କରିଚି । ତା’ର ଅର୍ଥ ନୁହେଁ ଯେ, ମୁଁ ଆପଣଙ୍କୁ ଭୁଲି ଯାଇଚି । ଆପଣଙ୍କୁ କେବେ ମୁଁ ଭୁଲିଚି, ଏକଥା କେବେ ଘଟିଚି ବୋଲି ମୁଁ ଭାବି ପାରୁନାହିଁ ।  ପାଇକସାହିରେ ୪ ବର୍ଷ କଟିଲା–ଆପଣଙ୍କୁ ଆଖି ଆଗରେ ରଖି । ତା’ପରେ ଚମ୍ପତିମୁଣ୍ଡାରେ ଗୋଟାଏ ଯୁଗ । କାହାର ସ୍ମୃତି ସେଠାରେ ମତେ ସଦା ଚଞ୍ଚଳ ଓ ଜାଗ୍ରତ ରଖିଥିଲା ? ଚମ୍ପତିମୁଣ୍ଡାରେ ଗୋଟାଏ କବିତା ଲେଖି ମୁଁ ଆପଣଙ୍କୁ ଆଗ୍ରା ପଠାଇଥିଲି ।

 

କାହା ଉଦ୍ଦେଶ୍ୟରେ ସେ କବିତାଟି ଲିଖିତ ? ବ୍ରଜଭାଇ ଅଲେଖଭାଇ, ନୁମା ଓ ବାପୀ ଏମିତି ଜୀବନକୁ ପ୍ରଭାବିତ ବି କରିଚନ୍ତି । ଏ କଥା ମୁଁ ଅସ୍ୱୀକାର କରି ପାରିବିନାହିଁ । ନୁମାଙ୍କୁ ମୁଁ ‘ମାଆ’ ଆଖିରେ ଦେଖିଚି । ଆପଣ ଏକଥା ଶିଖାଇଥିଲେ । ସେ ଅଭ୍ୟାସ ମୋ’ର ଆଜି ବି ରହିଚି-। ଅନେକ ପ୍ରେରଣା ମୁଁ ତାଙ୍କଠାରୁ ପାଇଚି । କିନ୍ତୁ ଆପଣଙ୍କର ଆସନ ସେ ନେଇ ପାରିନାହାନ୍ତି–ପାରନ୍ତେ ନାହିଁ । ସେ ପୂଜ୍ୟା–ସେ ମୋ’ର ଭକ୍ତିର ପାତ୍ର । କିନ୍ତୁ ମୁଁ ବାହାରେ ଭିତରେ ଦିନରାତି ପ୍ରତ୍ୟେକ ମୁହୂର୍ତ୍ତରେ ଆପଣଙ୍କ ଉଦ୍ଦେଶ୍ୟରେ ମୋ’ର ଅନ୍ତର ତୋଳି ଧରିଛି । ତାକୁ ଭକ୍ତି କୁହାଯାଇ ପାରିବନାହିଁ । କ’ଣ କୁହାଯିବ ତା’ ମଧ୍ୟ କହି ପାରିବି ନାହିଁ ।

 

ଚିଠି ଦେବି ବୋଲି ଭାବିଚି–ମାତ୍ର ଦେଇ ପାରିନାହିଁ । କହିବାକୁ ଭାବି ପାରେନାହିଁ । ଚିତ୍ତଭାଇ, ଏସବୁ ଏକ ଅପ୍ରକଟ ବେଦନା । ଭିତରେ ଯାହାସବୁ ଜଳିଚି ମାତ୍ର ତା ବାହାରକୁ ଆସିନାହିଁ । ମୁଁ ତାକୁ ବାହାରିବାକୁ ଦେଇନାହିଁ । ସମୟ କେବେ ଆସିବ ମୁଁ ଜାଣେନାହିଁ । ବହୁଦିନ ଧରି ଭାବିଥିଲି ନୁମାଙ୍କର ଆପଣଙ୍କର–ଗଙ୍ଗା ଯମୁନାର ଏକ ସଙ୍ଗମ ହେବ । ଚମ୍ପତିମୁଣ୍ଡାରେ ମୁଁ ପୁଣି ସେ ପ୍ରୟାଗତୀର୍ଥ ଦେଖିବି । ଶେଷରେ ହତାଶ ହୋଇଚି । ମୁହଁ ଫେରାଇ ଅନ୍ୟ ବାଟ ଧରିବାକୁ ଯିବାବେଳେ ମୋ’ର ବକ୍ଷରେ ବାଧା ପାଇଚି । ଜାଲରେ ଛନ୍ଦି ହୋଇ ରହିଚି । ଜାଲ ଭିତରେ ଆପଣାକୁ ଜଳେଇଚି । ଆଜି କିନ୍ତୁ ସେ କଥା ଆଉ ନାହିଁ । ସେ ଜାଲ ଛିଡ଼ିଚି, ଅତି ଅପ୍ରତ୍ୟାଶିତ ଭାବରେ ।

 

ଜୀବନରେ ମୁଁ ଅର୍ଥର ବଶ ହୋଇନାହିଁ କି ଅର୍ଥର ଦାସ ହୋଇନାହିଁ,–ଆଦର୍ଶର ଦାସ ହୋଇଚି । ଆଜି ମୁଁ ପୁଣି ନୀଡ଼ ରଚନା କରିବାକୁ ଯାଉଚି । ପୁଣି ସେଇ ଆଦର୍ଶର ନୀଡ଼ । ଏଇ ଯେ ଭାବପ୍ରବଣତା–କଳ୍ପନା ତାହାକୁ ଆଖି ଆଗରେ ରଖି । ଆପଣଙ୍କ ଛଡ଼ା ଆଉ କିଏ ଅଛି ମୋ’ ଆଦର୍ଶର ସାଥି ଭାବରେ । ମୁଁ ଆଉ କାହାରିକି କେବେ ଏ ସ୍ଥାନ ଦେଇନାହିଁ । ଦୂରରେ ରହିବା, ପତ୍ର ଆଦାନପ୍ରଦାନ ନକରିବାର ଅର୍ଥ ନୁହେଁ ମନର ସାଥିକୁ ଭୁଲିଯିବା । ରୂପର ପୂଜା ନକରି ମୁଁ ଅରୂପର ପୂଜା କରି ଆସିଲି । ରୂପ-ସାଗରରେ ସନ୍ତରଣ ନକରି ମୁଁ ଅରୂପ ସାଗରେ ମଗ୍ନ ହୋଇଚି-। ଆପଣ ନଥିଲେ, ‘ଜୀବନ-ବିଦ୍ୟାଳୟ’ ଥିଲା । ମୁଁ ସେଇଠି ଥିଲି । ଆଜି ମୁଁ ମୋ’ର ଜୀବନ-ବିଦ୍ୟାଳୟ’କୁ ଖୋଜୁଚି । ଆପଣଙ୍କୁ କାଟିଲି କୋଉଠି–ଭୁଲିଲି କୋଉଠି ? –ପାଇକସାହି ଆଉ ଚମ୍ପତିମୁଣ୍ଡା ଦୁଇ ଜାଗାରେ ମୁଁ ଚରମ ବିଶ୍ୱାସଘାତକତାର ଶରବ୍ୟ ଥିଲି । ଦୁଃଖ ନାହିଁ । (ଗାଆଁ) ‘କିଶୋର ମେଳା’ରେ ଆପଣ ଶିଖାଇଥିଲେ,–‘‘ଗଢ଼ି ଚାଲ, ଭାଙ୍ଗିଗଲେ ତୁମେ ଦାୟୀ ନୁହଁ ।’’ ଚିତ୍ତଭାଇ, ମୁଁ କିଛି ଭୁଲିନାହିଁ । ସେସବୁ ଭୁଲି ହୁଏନା । ମୋ’ ଭିତରେ ମୁଁ ଆପଣଙ୍କର ପ୍ରତ୍ୟେକ କଥାର ପଦଧ୍ୱନି ଅହରହ ଶୁଣେ । ତା’ର ପ୍ରମାଣ ଚିଠି ନୁହେଁ, ତା’ର ପ୍ରମାଣ ମୋ’ର ଜୀବନ ଓ ମୋ’ର କର୍ମ ।

 

[ସେଦିନ ପୁରୁଣା କାଗଜପତ୍ର ଖେଳାଉଖେଳାଉ ଅଲଗା ହୋଇ ବନ୍ଧା ହୋଇଥିବା କିତାଏ ଏପରି ଚିଠି ପାଇଲି, ଯେଉଁଗୁଡ଼ିକ କି ୧୯୫୮ ମସିହାରେ ଚମ୍ପତିମୁଣ୍ଡା ଜୀବନ-ବିଦ୍ୟାଳୟର ପିଲାମାନେ ମୋ’ ପାଖକୁ ଲେଖିଥିଲେ । ବିଦ୍ୟାଳୟଟିର ଆରମ୍ଭ ଚାରୋଟି ବର୍ଷ ସେମାନେ ସେଠାରେ ମୋ’ ସହିତ ଉକ୍ତ ଶିକ୍ଷାପ୍ରୟୋଗଟି ଭିତରେ ରହିଥିଲେ,–ମୋ’ର ବାହୁବଳ ହୋଇଥିଲେ, ଆତ୍ମବଳ ହୋଇ ରହିଥିଲେ । ପ୍ରୟୋଗଟିର ଅସୁମାରି ଅସମତଳତା ସତ୍ତ୍ୱେ ଥାନଟିକୁ ଗୋଟିଏ ଆନନ୍ଦଧାମ କରି ରଖିଥିଲେ । ଜୀବନରେ ଜଣେ ଶିକ୍ଷକ ହିସାବରେ ମୋ’ର ପରବର୍ତ୍ତୀ ବର୍ଷଗୁଡ଼ିକରେ ଜୀବନ-ବିଦ୍ୟାଳୟ ମୋତେ ସତତ ଗ୍ରହଣଶୀଳ ଏବଂ ସମର୍ପଣ-ସମର୍ଥ ହୋଇ ରହିବାର ଅସଲ ଶିକ୍ଷାଗୁଡ଼ିକୁ ପ୍ରଦାନ କରିଥିଲା ।

 

ମୁଁ ସେଠା ଛାଡ଼ିବାର ଅବ୍ୟବହିତ ପରେ ସେହି କନିଷ୍ଠମାନଙ୍କର କେତୋଟି ଚିଠିକୁ ମୁଁ ଏହି ସଂଗ୍ରହରେ ଏକ ପରିଶିଷ୍ଟ ରୂପେ ଉତାରି ଦେଇଛି । ଏହା ଭିତରେ କଣ୍ଟାକଣ୍ଟି ପଚାଶବର୍ଷ ଅତୀତ ହୋଇଗଲାଣି ଏବଂ ଆମେ ତଥାପି ପରସ୍ପରର ସମ୍ୱାଦ ରଖିପାରିଛୁ । ଆମେ ଇଚ୍ଛା କଲେ ସଂସାରଟା ଯେ କେଡ଼େ ସକାରାତ୍ମକ ଓ ପ୍ରେରଣାଦାୟକ ହୋଇ ପାରିବ, ମୋ’ ପାଇଁ ଜୀବନ-ବିଦ୍ୟାଳୟ ତାହାରି ଏକ କାହାଣୀ ହୋଇ ରହିଛି ।]

 

ଆହୁରି କ’ଣସବୁ କାଗଜ ଭିତରେ ଏହିପରି ଲେଖାଟିଏ ଏବେ ପାଇଲି । ଜୀବନ ବିଦ୍ୟାଳୟ, ଚମ୍ପତିମୁଣ୍ଡାର ଶେଷ ବର୍ଷର ଭଉଣୀ ଓ ଭାଇମାନଙ୍କ ଉଦ୍ଦେଶ୍ୟରେ ଏହି ଲେଖାଟି ଲେଖା ହୋଇଥିଲା । ସେତେବେଳକୁ ସେମାନେ ସେଠାରେ ପୂରା ତିନିବର୍ଷ ରହି ସାରିଥିଲେ । ସେମାନଙ୍କ ସହିତ ଏକତ୍ର ବସି ମୁଁ ଏଇଟିକୁ ପଢ଼ି ଦେଇଥିଲି ବୋଲି ବେଶ୍ ମନେ ଅଛି :

 

୩ । ୫ । ୫୭

 

ତିନିବର୍ଷ ତଳେ ତୁମରିମାନଙ୍କୁ ନେଇ ଏଠି ମୋ’ର ନୂଆ ଜୀବନର ଆଡ଼୍‌ଡ଼ା ଆରମ୍ଭ କରିଥିଲି । ତୁମେମାନେ କଅଣ ଭାବି ବା କେଉଁ ବିଶ୍ୱାସରେ ଏଠି ଆସି ଏକଜୁଟ ହୋଇଥିଲ, ସେକଥା ମୁଁ ଆଜି ମଧ୍ୟ କହି ପାରିବିନାହିଁ । କିନ୍ତୁ ଆପଣକୁ ସମର୍ପଣ କରିବାର ଏଡ଼େ ବଡ଼ ପ୍ରଶସ୍ତ କ୍ଷେତ୍ରଟାଏ ପାଇ ମୋ’ର ମନ କୁଣ୍ଢେମୋଟ ହୋଇ ଯାଇଥିଲା । ପ୍ରଧାନତଃ ସେହି ମନ ମୋତେ ଆଜିଯାଏ ଏହି କ୍ଷେତ୍ରରେ ବଞ୍ଚାଇ ରଖିଛି ।

 

ଏଠିକାର ଆଡ଼୍‌ଡ଼ା ଛାଡ଼ି ଅନ୍ୟତ୍ର ଯିବା ତୁମମାନଙ୍କର ଆଉ ମାତ୍ର କେତେ ମାସ ବାକୀ ରହିଲା । ଅନ୍ୟତ୍ର ଯାଇ ତୁମେମାନେ କେଉଁଠାକୁ ଯିବ, କେମିତି ବା କେତେ ପୁଞ୍ଜିରେ ସଂସାର ଗଢ଼ିବ, ସେକଥା କୁଆଡ଼େ ତୁମମାନଙ୍କର ମନରେ ଏଇ କେତେଦିନ ହେଲା ଚିନ୍ତା ହୋଇ ପଶିଲାଣି-। ତୁମେ ପଢ଼ିଥିବା ପାଠ ବା ଧରିଥିବା ଡିଗ୍ରୀକୁ ସରକାର ବା ଅନ୍ୟ କେଉଁ ଦରବାର କେତେଦୂର ସ୍ୱୀକାର କରିବ, ସେଇକଥା ତୁମେମାନେ କୁଆଡ଼େ ଭାରି ଭାବୁଛ । କେତେଜଣଙ୍କର ଦିନଲିପିରୁ ଏହାର ସୂଚନା ମଧ୍ୟ ମୁଁ ପାଇଲିଣି । କେତେଜଣ ହୁଏତ ସେଇ ଚିନ୍ତାରେ ମ୍ରିୟମାଣ ହୋଇ ପଡ଼ିଛନ୍ତି; କେତେଜଣ ଆପଣାକୁ ଅଯୋଗ୍ୟ ବୋଲି ଭାବି ଏତେଦୂର ବ୍ୟତିବ୍ୟସ୍ତ ହୋଇ ପଡ଼ୁଛନ୍ତି ଯେ ଅସ୍ଥିର ମନରେ ୟାକୁ ତାକୁ ଦୋଷ ଦେଇ ଦେଉଚନ୍ତି । କିଏ ଏଠିକାର ଅଭାବ ଓ ଦାରିଦ୍ର୍ୟକୁ ଦୋଷ ଦେଉଚି, କେହି ‘ମୌଳିକ ଶିକ୍ଷା’ ନାମକ ଏକ ଅଦୃଶ୍ୟ ଅଥଚ ଅତିସହଜକଳ୍ପିତ ଛାଞ୍ଚକୁ ଦୋଷ ଦେଉଚି, ପୁଣି କେହି ସରକାରକୁ ଦୋଷ ଦେଉଚି ତ କେହି ଯୁଗଟାକୁ ଦୋଷ ଦେଇ ବସୁଚି-

 

ଆପଣାକୁ ତିନି ବରଷ ତଳକୁ ନେଇଯାଅ । ସେତେବେଳେ ଆମର ବିଦ୍ୟାଳୟର କୌଣସି ବାହ୍ୟ ରୂପରେଖ ନଥିଲା । ଗୋଟାଏ ବଖରାରେ ଆମେ କେଳାଘର ପରି ରହିଥିଲେ । ବହିପତ୍ର ଏ ଜଙ୍ଗଲ ଭିତରେ ଆସନ୍ତା କୁଆଡ଼ୁ ? ତଥାପି ମୁଁ କହିବି, ଠିକ୍ ସେତିକିବେଳେ ମୁଁ ତୁମମାନଙ୍କୁ ଏତେ ଆପଣାର କରି ପାଇଲି । ସେତେବେଳେ ଆମେ ପଢ଼ୁଥିଲେ କମ୍, କିନ୍ତୁ ଅନୁଭବ କରୁଥିଲେ ଅନେକ ବେଶୀ । କହୁଥିଲେ କମ୍, କରୁଥିଲେ ଅନେକ ବେଶୀ । ଆମର ଆୟୋଜନ ଅତି କମ୍ ଥିଲା, ତଥାପି ଆମର ଉଦ୍ୟମ ଓ ଉତ୍ସାହ ଥିଲା ଅନେକ ବେଶୀ । ଆମ ବିଚିତ୍ର ସମାଜରେ ମାଷ୍ଟ୍ର, ପିଲା ବା ପାଠ କହିଲେ ଯାହା ବୁଝାଏ, ତାହାର ପ୍ରଲୋଭନରୁ ଅନେକ ଦୂରରେ ରହି ବଡ଼ ଅଜ୍ଞାତ ଭାବରେ ଆମେ ଏଠି ବିଦ୍ୟା ଓ ଜୀବନ ଲାଗି ଏକ ଆସ୍ଥାନ ତିଆରି କରୁଥିଲେ । ସଂସାରରେ ମୁଁ ଗୋଟାଏ ଘରେ ଜନ୍ମ ହୋଇଛି, ତଥାପି ମଣିଷ ଯେ ଏତେ ସ୍ୱାଭାବିକ ଓ ଶ୍ରଦ୍ଧାଶୀଳ ଭାବରେ ଏତୋଟି ତରୁଣ ହୃଦୟ ଭିତରେ ଭାଇ ହୋଇ ରହିବାର ସୌଭାଗ୍ୟ ଲାଭ କରିପାରେ, ତାହାର ଆସ୍ୱାଦନ ମୁଁ ଏଇଠି ତୁମରିମାନଙ୍କ ପାଖରେ ପାଇଲି । ଆଗରୁ ଅନେକ କଥା କହିଥିଲି, ଅନେକ ବକ୍ତୃତା କରିଥିଲି, ନାଆଁ କମେଇବାର ଅନେକ ସ୍ୱପ୍ନସୌଧ ଠିଆ କରି ରଖିଥିଲି, କିନ୍ତୁ ତରୁଣ ମନର ଏପରି ନିବିଡ଼ ଅନୁଭବ ମୁଁ ଆଗରୁ କେବେ ପାଇନଥିଲି । ତୁମମାନଙ୍କ ପାଖରେ ମୁଁ ସବୁଦିନ ଋଣୀ ରହିଥିବି ।

 

ଏବେ ତ ତୁମେମାନେ ଅନେକ ପାଠ ପଢ଼ିଲଣି, ସଂସାରର ଭଲମନ୍ଦ ଓ ସଦର ମଫସଲ ବିଷୟରେ ଅନେକ କଥା ଜାଣିଲଣି ଓ ବୁଝିଲଣି । ପ୍ରଥମ ବରଷର ସେ ନିର୍ମଳ ଦିନଗୁଡ଼ାକ ହୁଏତ ଆଉ ଏବେ ମନେ ପଡ଼ୁନଥିବ । ତୁମେମାନେ ଏବେ ସୋପାନକୁ ଆସୁଚ, ମୁଁ କହିବାକୁ ଆରମ୍ଭ କଲା ମାତ୍ରକେ ଖାତା ଉପରେ ମୁହଁ ପୋତି ଲେଖାରେ ଲାଗି ଯାଉଚ, ବତିଶି ବର୍ଷ ବୟସର ଗୋଟାଏ ସ୍ଥୂଳକାୟ ପାଠଗଦାରୁ ସମସ୍ତେ ଯେପରି ପାଠ ଲୁଟି କରିବାରେ ପାଗଳ ହୋଇଯାଉଚ । ମୋ’ ପାଠ ବା ମୋ’ ମୁହଁର ଶବ୍ଦସୁସଜ୍ଜିତ କଥା ଯେପରି ତୁମର ଅଧିକ ଚିହ୍ନା ହୋଇଗଲାଣି, ମୋ’ ଭିତରର ହୃଦୟଟା ଯେପରି କୋଉ ତଳେ ପୋତି ହୋଇ ଗଲାଣି । ମୋ’ ଭିତରେ ଯାହାସବୁ ଅନୁଭବ କରି ତୁମେମାନେ ମୋତେ ବଡ଼ଭାଇ ବୋଲି ଗ୍ରହଣ କରି ନେଇଥିଲ, ତାକୁ ଗ୍ରାସ କରି ଯେପରି ମୋ’ ନାମ ଧରି ଗୋଟାଏ ମୁଖାପିନ୍ଧା ପଣ୍ଡିତ ତୁମମାନଙ୍କର ଅତି ଆପଣାର ହୋଇଗଲାଣି । ଏହା ଆଦୌ ମଙ୍ଗଳର ସୂଚନା ହେଉନାହିଁ । ମୋ’ ଲାଗି ନୁହେଁ କି ତୁମ କାହାରିଲାଗି ନୁହେଁ । ସେଇଥିଲାଗି ହୁଏତ ଏତେ ପାଖେପାଖେ ଥାଇ ମଧ୍ୟ ଆମେ ଅନେକ ସମୟରେ ଏତେ ଅନୁଦାରତା ଓ ଉଦାସୀନତା ପଶିଯାଉଚି । ସତେଅବା ଆମେ ପରସ୍ପରର ଦୁଆର ପାଖରେ ବସି ତଥାପି ଦୁଆର ବନ୍ଦ କରି ବସିଚେ । ପ୍ରଥମ ବର୍ଷ ତୁମମାନଙ୍କର ହୃଦୟର ସୁଖଦୁଃଖ ଦେଇ ମୁଁ ତୁମମାନଙ୍କୁ ଚିହ୍ନିଥିଲି, ତେବେ ଆଜି ପଣ୍ଡିତ ବୋଲାଉଥିବା ଶିକ୍ଷକ ଓ ପଣ୍ଡିତ ହେବାକୁ ବିକଳ ହେଉଥିବା ଛାତ୍ରର ଏକ ଅସ୍ୱାଭାବିକ ସମ୍ପର୍କ ହୃଦୟର ସମ୍ପର୍କକୁ ଏପରି ଗ୍ରାସ କରିଦେଲା କାହିଁକି ?

 

ଏଠୁ ତୁମେ ଖାଲି ଗୋଟାଏ ଗୋଟାଏ ପଣ୍ଡିତ ହୋଇଗଲେ ମୁଁ ଭାରି ଦୁଃଖିତ ହେବି । ଏଠି କଟାଇଥିବା ଦିନଗୁଡ଼ାକୁ ତୁମେ ଜୀବନର ଗୋଟାଏ ମୁଦାପୋଥି ପରି ଡୋର ବାନ୍ଧି ରଖିଦେଲେ ତାହା ବଡ଼ ଦୁଃଖଦାୟକ ହେବ । ମୁଁ ଏତେ ଶୀଘ୍ର ତୁମମାନଙ୍କ ସମ୍ପର୍କ ତୁଟାଇ ଦେବାକୁ ଚାହେନାହିଁ, ଏତେ ଅଳପ ନେଇ ତୁମମାନଙ୍କୁ ବିଦାୟ ଦେବାକୁ ଚାହେନାହିଁ । ଆମର ପରିଚୟ ଆହୁରି ଅନ୍ତରଙ୍ଗ ହେବା ଉଚିତ, ଆମେ ପରସ୍ପର ପାଖରେ ହୃଦୟକୁ ଆହୁରି ଖୋଲା କରିଦେଇ ଶିଖିବା ଉଚିତ, ପରସ୍ପରକୁ ଆମର ଆହୁରି ଲୋଡ଼ିବା ଉଚିତ । ପାଠର ଦେଖା ହେଉଚି ବୁଦ୍ଧିର ଦେଖା,–ତାହା ଅତି ଅସମ୍ପୂର୍ଣ୍ଣ ଦେଖା । କିନ୍ତୁ ହୃଦୟର ସହିତ ପରସ୍ପରକୁ ଦେଖି ଶିଖିବାକୁ ହେଲେ ଆମେ ପରସ୍ପରର ଆହୁରି ଅନେକ ପାଖକୁ ଆସିବା ଉଚିତ । ତୁମେମାନେ ସଂସାରରେ ଯୁଆଡ଼େ ଯିବ, ଏଠିକାର ବିଦ୍ୟାଳୟ ସେତେଆଡ଼େ ପ୍ରସାରିତ ହୋଇ ଯାଉଥିବ । ତୁମରିମାନଙ୍କର କୀର୍ତ୍ତି ଅକୀର୍ତ୍ତି ଓ ଗୌରବ ଅଗୌରବରେ ଏହାର ପରୀକ୍ଷା ହୋଇ ଚାଲିଥିବ । କିନ୍ତୁ, କେବଳ ଆମେ ହୃଦୟ ଦେଇ ପରସ୍ପରକୁ ଚିହ୍ନିଲେ ଏହା ସମ୍ଭବ ହେବ ।

 

ମୋର ଏ କେତେପଦ କଥାକୁ ତୁମେ କିଏ କିପ୍ରକାର ଅର୍ଥ କରିବ ମୁଁ କହି ପାରୁନାହିଁ । ସଭା ଡାକି ଆଲୋଚନା କରିବା ପାଇଁ ମୁଁ ଏହା ଲେଖିନାହିଁ । ବ୍ୟକ୍ତିଗତ ଭାବରେ ତୁମ ପ୍ରତ୍ୟେକଙ୍କୁ ମୁଁ ଏହା ଲେଖିଛି । ଏକାନ୍ତ ମନରେ ସାନଭାଇ ହିସାବରେ ତୁମେ ପ୍ରତ୍ୟେକେ ଏହାର ବିଚାର କରିବ ଓ ତିନିବରଷ ତଳର ଏଇ ବଡ଼ଭାଇ ପ୍ରତି ତୁମର କର୍ତ୍ତବ୍ୟ ସ୍ଥିର କରିବ । ତୁମେମାନେ କିଏ କେତେବେଳେ ମୋ’ ପାଖକୁ ଆସିବ, ସେଥିଲାଗି ଏ ବରଷଯାକ ମୁଁ ଅପେକ୍ଷା କରି ରହିଥିବି ।

Image